ସମର୍ଥ ରାମଦାସ
| ସମର୍ଥ ରାମଦାସ | |
|---|---|
Portrait of Ramdas by Meru Swami, c.17th-century | |
| ଧର୍ମ | ହିନ୍ଦୁ |
| ବ୍ୟକ୍ତିଗତ | |
| ଜନ୍ମ | ନାରାୟଣ ଠୋସର c. 1608 Jamb, Ahmadnagar Sultanate |
| ମୃତ୍ୟୁ | ୧୬୮୨ (ବୟସ ୭୩–୭୪) Sajjangad, Satara, Maratha Empire |
ରାମଦାସ (୧୬୦୮ – ୧୬୮୨ ଆ.ପ୍ର.), ଯିଏ ସମର୍ଥ ରାମଦାସ ବା ରାମଦାସ ସ୍ୱାମୀ ଭାବରେ ମଧ୍ୟ ପରିଚିତ, ଜଣେ ଭାରତୀୟ ହିନ୍ଦୁ ସନ୍ଥ, ଦାର୍ଶନିକ, କବି, ଯୋଗୀ ଏବଂ ଆଧ୍ୟାତ୍ମିକ ଗୁରୁ ଥିଲେ । ସେ ହିନ୍ଦୁ ଦେବତା ରାମ ଏବଂ ହନୁମାନଙ୍କ ଭକ୍ତ ଥିଲେ । ଦାସବୋଧ ନାମକ ଗ୍ରନ୍ଥର ସେ ରଚୟିତା ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ତାଙ୍କର ମୂଳନାମ ଥିଲା ନାରାୟଣ ସୂର୍ଯ୍ୟଜୀପନ୍ତ (ଠୋସର) । ତାଙ୍କ ଜନ୍ମସ୍ଥାନ ଥିଲା ମହାରାଷ୍ଟ୍ର ରାଜ୍ୟର ବର୍ତ୍ତମାନର ଜାଲନା ଜିଲ୍ଲାର ଜାମ୍ଭ ଗ୍ରାମ ଏବଂ ତାଙ୍କ ଜନ୍ମ ୧୬୦୮ ମସିହାରେ ରାମ ନବମୀ ଦିନ ହୋଇଥିଲା । ସେ ସୂର୍ଯ୍ୟଜୀପନ୍ତ ଏବଂ ରାଣୁବାଇ ଠୋସରଙ୍କ ସନ୍ତାନ ଥିଲେ ଏବଂ ମରାଠୀ ଦେଶସ୍ଥ ଋଗ୍ବେଦୀ ବ୍ରାହ୍ମଣ ପରିବାରରେ ବାଲ୍ୟକାଳ କାଟିଥିଲେ । ତାଙ୍କ ଜ୍ୟେଷ୍ଠ ଭାଇଙ୍କ ନାମ ଗଙ୍ଗାଧର ଥିଲା। ତାଙ୍କ ପିତା ସୂର୍ଯ୍ୟଜୀପନ୍ତ ବୈଦିକ ଦେବତା ସୂର୍ଯ୍ୟଙ୍କ ଭକ୍ତ ଥିଲେ। ସୂର୍ଯ୍ୟଜୀପନ୍ତଙ୍କ ମୃତ୍ୟୁ ୧୬୧୫ କିମ୍ବା ୧୬୧୬ ମସିହାରେ ହୋଇଥିଲା। ପିତାଙ୍କ ମୃତ୍ୟୁ ପରେ ନାରାୟଣ (ଭବିଷ୍ୟତରେ ରାମଦାସ) ଅନ୍ତର୍ମୁଖୀ ହୋଇପଡିଥିଲେ ଏବଂ ସେ ବ୍ୟାପକ ଭାବରେ ଦେବତାଙ୍କ ଚିନ୍ତାରେ ମଗ୍ନ ରହୁଥିଲେ । ତାଙ୍କ ପ୍ରାରମ୍ଭିକ ଜୀବନ ବିଷୟରେ ବିଶେଷ ଐତିହାସିକ ସୂଚନା ମିଳେ ନାହିଁ। ଏକ ତଥାନୁସାରେ, ବୟସ ୧୨ ବର୍ଷ ଥିବାବେଳେ ସେ ନିଜ ବିବାହ ବେଦୀରୁ ପଳେଇ ଯାଇଥିଲେ। ବିବାହ ଦିନ ଯେତେବେଳେ ଜଣେ ପଣ୍ଡିତ ‘ସାବଧାନ!’ ବୋଲି ମନ୍ତ୍ର ଉଚ୍ଚାରଣ କଲେ, ସେହି ଶବ୍ଦ ତାଙ୍କ ମନକୁ ଗଭୀର ଭାବେ ସ୍ପର୍ଶ କଲା ଏବଂ ସେ ବିବାହ ବେଦୀ ଛାଡି ଚାଲିଗଲେ । ସେ ପରେ ଗୋଦାବରୀ ନଦୀ କୂଳେ କୂଳେ ଶତାଧିକ ମାଇଲ୍ ଚାଲି ନାଶିକ ନିକଟସ୍ଥ ପଞ୍ଚବଟୀରେ ପହଁଚିଲେ । ପରେ ସେ ତାକ୍ଲି ନାମକ ସ୍ଥାନକୁ ଗଲେ, ଯେଉଁଠାରେ ଗୋଦାବରୀ ଏବଂ ନନ୍ଦିନୀ ନଦୀର ସଙ୍ଗମ ଅଛି । ତାକ୍ଲିରେ ସେ ପରବର୍ତ୍ତୀ ୧୨ ବର୍ଷ ନିର୍ମୋହ ଏବଂ କଠୋର ତପସ୍ୟାରେ ବ୍ୟତୀତ କଲେ । ସେ ଧ୍ୟାନ, ଉପାସନା ଏବଂ ବ୍ୟାୟାମ କର୍ମରେ ଦୈନିକ ଅନୁଶାସନ ପାଳନ କରୁଥିଲେ । ମତ୍ର ବୟସ ୨୪ ବର୍ଷରେ ସେ ଜ୍ଞାନଲାଭ କରିଥିବା କୁହାଯାଏ । ଏହି ସମୟରେ ସେ ‘ରାମଦାସ’ ନାମ ଗ୍ରହଣ କଲେ ଏବଂ ତାକ୍ଲିରେ ହନୁମାନ ମୂର୍ତ୍ତି ସ୍ଥାପନ ଓ ପ୍ରାଣପ୍ରତିଷ୍ଠା କଲେ ।
ତୀର୍ଥଯାତ୍ରା ଏବଂ ଆଧ୍ୟାତ୍ମିକ ଆନ୍ଦୋଳନ
[ସମ୍ପାଦନା]ଏହାପରେ ତାକ୍ଲି ଛାଡି ସେ ଦ୍ୱାଦଶ ବର୍ଷ ଧରି ସମଗ୍ର ଭାରତବର୍ଷରେ ତୀର୍ଥଯାତ୍ରା କରିଥିଲେ । ଏହି ଯାତ୍ରାକାଳୀନ ସମୟରେ ସେ ତତ୍କାଳୀନ ସମାଜୀକ ଜୀବନ ସମ୍ପର୍କରେ ନିରୀକ୍ଷଣ କଲେ ଏବଂ ସେଗୁଡ଼ିକୁ ‘ଆସମାନୀ ସୁଲ୍ତାନିଆ’ ଏବଂ ‘ପରଚକ୍ରନିରୂପଣ’ ନାମକ ତାଙ୍କ ଗ୍ରନ୍ଥରେ ଲିପିବଦ୍ଧ କଲେ । ଏହି କୃତିଗୁଡ଼ିକ ତାତ୍କାଳିକ ଭାରତୀୟ ସମାଜର ଦୁର୍ଲଭ ଚିତ୍ର ପ୍ରଦାନ କରେ । ଏହି ଯାତ୍ରା ସମୟରେ ସେ ହିମାଳୟ କ୍ଷେତ୍ରକୁ ମଧ୍ୟ ଯାଇଥିଲେ ଏବଂ ସେଠାରେ ସେ ଷଷ୍ଠ ସିଖ ଗୁରୁ ହରଗୋବିନ୍ଦଙ୍କ ସହ ଶ୍ରୀନଗରରେ ସାକ୍ଷାତ କରିଥିଲେ।[୧][୨] ତୀର୍ଥଯାତ୍ରା ପରେ ସେ ସତାରା ନିକଟସ୍ଥ ମହାବଳେଶ୍ୱରରେ ରହିବାକୁ ଲାଗିଲେ। ପରେ ମସୁର ନାମକ ସ୍ଥାନରେ ସେ ରାମ ନବମୀ ଉତ୍ସବର ଆୟୋଜନ କଲେ ଯେଉଁଠାରେ ହଜାର ହଜାର ଲୋକ ଯୋଗଦେଇଥିବା କୁହାଯାଏ ।ସେ ବିଭିନ୍ନ ସ୍ଥାନରେ ମଠ ଏବଂ ଆଶ୍ରମ ସ୍ଥାପନ କରିଥିଲେ । ସାଧାରଣ ଆନୁମାନିକ ତଥ୍ୟ ଅନୁସାରେ ସେ ୭୦୦ ରୁ ୧୧୦୦ ମଠ ପର୍ଯ୍ୟନ୍ତ ସ୍ଥାପନ କରିଥିଲେ । ପ୍ରାୟ ୧୬୪୮ ମସିହାରେ, ସେ ସତାରା ନିକଟସ୍ଥ ଛଫଲ ଗ୍ରାମରେ ଏକ ନବ ନିର୍ମିତ ମନ୍ଦିରରେ ରାମଙ୍କ ମୂର୍ତ୍ତି ସ୍ଥାପନ କଲେ । ସେ ଦକ୍ଷିଣ ମହାରାଷ୍ଟ୍ରରେ ଏଗାରଟି ହନୁମାନ ମନ୍ଦିର ନିର୍ମାଣ କରାଇଥିଲେ ।
ସନ୍ଥ ସମର୍ଥ ରାମଦାସ ପୁଣେ ସହରଠାରୁ ୬୫ କିମି ଦୂରରେ ଅବସ୍ଥିତ ମୋରଗାଁ ମନ୍ଦିର ନିମନ୍ତେ ଏକ ପ୍ରାର୍ଥନା (Sukhakarta Dukhaharta) ରଚନା କରିଥିଲେ ।[୩]
ମୃତ୍ୟୁ
[ସମ୍ପାଦନା]ମୃତ୍ୟୁ ପୂର୍ବରୁ ପାଞ୍ଚ ଦିନ ଧରି ରାମଦାସ ପ୍ରାୟୋପବେଶନ କରିଥିଲେ, ଯାହା ହେଉଛି ସ୍ୱଇଚ୍ଛାରେ ଖାଦ୍ୟ ଓ ଜଳ ସେବନ ତ୍ୟାଗ କରିଦେବାର ଏକ ଅନୁଷ୍ଠାନ। ସେ ସେହି ସମୟ ଧରି “ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ” ଏହି ତାରକ ମନ୍ତ୍ରକୁ ନିରନ୍ତର ଜପ କରୁଥିଲେ । ସେ ତଞ୍ଜାବୁରରୁ ଆଣିଥିବା ରାମଙ୍କ ମୂର୍ତ୍ତି ପାଖରେ ବିଶ୍ରାମ କରୁଥିଲେ ।
ତାଙ୍କ ଶିଷ୍ୟ ଉଦ୍ଧବ ସ୍ୱାମୀ ଏବଂ ଅକ୍କା ସ୍ୱାମୀ ଏହି ସାରା ସମୟ ତାଙ୍କ ସେବାରେ ନିଯୁକ୍ତ ଥିଲେ ।[୪] ଶେଷରେ ଉଦ୍ଧବ ସ୍ୱାମୀ ତାଙ୍କ ଅନ୍ତିମ କ୍ରିୟା କରିଥିଲେ ।
ଆଧାର
[ସମ୍ପାଦନା]- ↑ Singh, Sangat (2010). The Sikhs In History (2nd ed.). Singh Brothers. p. 48. ISBN 978-8172052768.
- ↑ Dr.Ganda Singh (1979). Guru Hargobind and Samarth Ram Das :Punjab Past and Present 13(1). pp. 11, 240–242.
- ↑ Golesar, Vijay (गोळेसर, विजय) (17 February 2012). "समर्थाची टाकळी". Lokprabha. Indian Express Limited. Retrieved 23 January 2015.
{{cite web}}: CS1 maint: multiple names: authors list (link) - ↑ "Samartha Ramdas Swami". web.archive.org. Archived from the original on 24 June 2015. Retrieved 23 November 2025.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |