Jump to content

ସଭା ପର୍ବ (ମହାଭାରତ)

ଉଇକିପିଡ଼ିଆ‌ରୁ
Draupadi Vastraharan by Raja Ravi Varma, c. 1888 -1890

ସଭା ପର୍ବ (ଅର୍ଥାତ୍‌ “ସଭା ମଣ୍ଡପ ପର୍ବ”) ହେଉଛି ଭାରତୀୟ ମହାକାବ୍ୟ ମହାଭାରତର ଅଠରଗୋଟି ପର୍ବ (ପୁସ୍ତକ) ମଧ୍ୟରୁ ଦ୍ୱିତୀୟ ପର୍ବ। ପାରମ୍ପରିକ ଭାବରେ, ସଭା ପର୍ବରେ ୧୦ଟି ଉପପର୍ବ ଓ ୮୧ଟି ଅଧ୍ୟାୟ ରହିଛି । କ୍ରିଟିକାଲ ଏଡିସନ (Critical Edition) ଅନୁଯାୟୀ, ଏଥିରେ ୯ଟି ଉପପର୍ବ ଓ ୭୨ଟି ଅଧ୍ୟାୟ ରହିଛି।[]

ସଭା ପର୍ବର ଆରମ୍ଭ ହେଉଛି ଇନ୍ଦ୍ରପ୍ରସ୍ଥରେ ମାୟା ଦ୍ୱାରା ନିର୍ମିତ ପାଣ୍ଡବମାନଙ୍କ ଅଦ୍ଭୁତ ମାୟାସଭା ଓ ସଭା ମଣ୍ଡପର ବର୍ଣ୍ଣନା ସହିତ । ପଞ୍ଚମ ଅଧ୍ୟାୟରେ ରାଜ୍ୟ ଓ ପ୍ରଜାଙ୍କ ମଙ୍ଗଳ ନିମନ୍ତେ ଆବଶ୍ୟକ ଏକ ଶତାଧିକ ନୀତି ଓ ଶାସନ ସିଦ୍ଧାନ୍ତ ଉଲ୍ଲେଖ ହୋଇଛି । ମଧ୍ୟଭାଗର ଅଧ୍ୟାୟଗୁଡ଼ିକରେ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ଓ ପାଣ୍ଡବମାନଙ୍କ ସାମ୍ରାଜ୍ୟ ବିସ୍ତାରର କଥା ରହିଛି। ଶେଷ ଅଂଶରେ ଯୁଧିଷ୍ଠିରଙ୍କ ଏକମାତ୍ର ଦୋଷ; ଜୁଆ ଆସକ୍ତି ବିଷୟରେ ରହିଛି । ଦୁର୍ୟୋଧନଙ୍କ ଉତ୍ସାହରେ ଶକୁନି ଯୁଧିଷ୍ଠିରଙ୍କୁ ଜୁଆ ଖେଳିବାକୁ ଉତ୍ତେଜିତ କରିଥାନ୍ତି । ଯୁଧିଷ୍ଠିର ସବୁକିଛି ହାରିଯାଇଥିଲେ, ଯାହା ଶେଷରେ ପାଣ୍ଡବମାନଙ୍କ ନିର୍ବାସନର କାରଣ ହେଲା।

ଏହି ଅଧ୍ୟାୟରେ ଅନ୍ୟ ଏକ ଗଭୀର ତତ୍ତ୍ୱ ମଧ୍ୟ ରହିଛି; ମାନବତା ବିରୋଧୀ ଅପରାଧ ପ୍ରତି ନିଜେ ହାନିଗ୍ରସ୍ତ ନ ହେଲେ ମଧ୍ୟ ଜଣେ ବ୍ୟକ୍ତି କାହିଁକି ସମାଜର ପକ୍ଷରେ କାର୍ଯ୍ୟ କରିବା ଦାୟିତ୍ୱବୋଧ କରିବା ଉଚିତ । ଏହି ତତ୍ତ୍ୱଟି ମଗଧର ରାଜା ଜରାସନ୍ଧ ଉପାଖ୍ୟାନରେ (ଅଧ୍ୟାୟ ୨୦–୨୪) ବର୍ଣ୍ଣିତ ହୋଇଛି, ଯେଉଁଠାରେ ଶ୍ରୀକୃଷ୍ଣ, ଅର୍ଜୁନ ଓ ଭୀମ ମିଶି ଜରାସନ୍ଧଙ୍କ ବଧ କରନ୍ତି ।[]

ଅଧ୍ୟାୟଗୁଡିକର ସଂକ୍ଷିପ୍ତ ବର୍ଣ୍ଣନ

[ସମ୍ପାଦନା]
ସଂରଚନା
[ସମ୍ପାଦନା]

ସଭା ପର୍ବରେ ୧୦ଟି ଉପପର୍ବ (ଉପପୁସ୍ତକ) ଓ ମୋଟ ୮୧ଟି ଅଧ୍ୟାୟ ରହିଛି ।

ସଭାକ୍ରିୟା ପର୍ବ (ଅଧ୍ୟାୟ ୧-୪)

[ସମ୍ପାଦନା]

ଯୁଧିଷ୍ଠିର ଓ ତାଙ୍କ ଭାଇମାନଙ୍କ ପାଇଁ ଏକ ସୁଦୃଶ ମହଲ ଯାହା ମାୟାସଭା ନାମେ ଖ୍ୟାତ, ତାହାର ନିର୍ମାଣ ଓ ତାହାର ଶୁଭାରମ୍ଭ ଉପଲକ୍ଷେ ଆୟୋଜିତ ଉତ୍ସବର ଚିତ୍ରଣ ରହିଛି ।

ଲୋକପାଳ ସଭାଖ୍ୟାନ ପର୍ବ (ଅଧ୍ୟାୟ ୫-୧୩)

[ସମ୍ପାଦନା]

ଏହି ଅଧ୍ୟାୟର ବିଷୟବସ୍ତୁ ହେଉଛି ଏହିପରି; ଋଷି ନାରଦ ଆସି ରାଜାଙ୍କ ନିମନ୍ତେ ଶାସନ ଓ ନୀତି ତତ୍ତ୍ୱର ବ୍ୟାଖ୍ୟା କରନ୍ତି, ଯେପରିକି କିପରି ଯୋଗ୍ୟ ମନ୍ତ୍ରୀ ଚୟନ କରିବେ, ସେନା ପ୍ରଶିକ୍ଷଣ ଓ ଗୋଏନ୍ଦା ବ୍ୟବସ୍ଥା କିପରି ହେବ, କିପରି ନ୍ୟାୟ ସମାନ ଭାବେ ଦେବା ଉଚିତ, ଦୁଃଖୀ ଓ ଦରିଦ୍ରଙ୍କ ଯତ୍ନ ନେବା ଆବଶ୍ୟକତା, ଓ ରାଜାଙ୍କ ଧର୍ମ–ଅର୍ଥ–କାମ ରକ୍ଷା କରିବା ଦାୟିତ୍ୱ । ଏହି ଶାସନ ତତ୍ତ୍ୱ ଅର୍ଥଶାସ୍ତ୍ରର ସାର ଭାବେ ଗୃହୀତ। ଯୁଧିଷ୍ଠିର ନାରଦଙ୍କ ଉପଦେଶ ଅନୁସରଣ କରିବା ପ୍ରତିଜ୍ଞା କରନ୍ତି।

ରାଜସୂୟାରମ୍ଭ ପର୍ବ (ଅଧ୍ୟାୟ ୧୪-୧୯)

[ସମ୍ପାଦନା]

ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଜରାସନ୍ଧଙ୍କ ଅଧର୍ମ ଓ ମନୁଷ୍ୟ ବଳି ରୋକିବାର ଆବଶ୍ୟକତା ବିଷୟରେ ବିବରଣୀ ଦେଇ ତାଙ୍କ ବଧର ପରାମର୍ଶ ଦିଅନ୍ତି ।

ଜରାସନ୍ଧବଧ ପର୍ବ (ଅଧ୍ୟାୟ ୨୦-୨୪)

[ସମ୍ପାଦନା]

ଏହି ଉପପର୍ବରେ କୃଷ୍ଣ, ଭୀମ ଓ ଅର୍ଜୁନ ମଗଧକୁ ଯାଇ ଜରାସନ୍ଧଙ୍କୁ ଯୁଦ୍ଧରେ ପରାଜିତ କରିବା ଓ ବନ୍ଦୀମାନଙ୍କୁ ମୁକ୍ତ କରିବା ବିଷୟ ବର୍ଣ୍ଣିତ ।

ଦିଗ୍‌ବିଜୟ ପର୍ବ (ଅଧ୍ୟାୟ ୨୫-୩୧)

[ସମ୍ପାଦନା]

ଏହି ଉପପର୍ବରେ ବର୍ଣ୍ଣିତ ହୋଇଛି ଯେ ପାଣ୍ଡବମାନେ କିପରି ଚାରିଦିଗରେ ରାଜ୍ୟ ବିସ୍ତାର କରନ୍ତି । ଅର୍ଜୁନ ଉତ୍ତର ଦିଗକୁ, ଭୀମ ପୂର୍ବକୁ, ସହଦେବ ଦକ୍ଷିଣକୁ ଓ ନକୁଳ ପଶ୍ଚିମକୁ ଯାଇ ଯୁଦ୍ଧରେ ଦିଗବିଜୟ କରନ୍ତି ।

ରାଜସୂୟ ପର୍ବ (ଅଧ୍ୟାୟ ୩୨-୩୪)

[ସମ୍ପାଦନା]

ଏହି ଉପପର୍ବର ବିଷୟବସ୍ତୁରେ କୃଷ୍ଣ ଯୁଧିଷ୍ଠିରଙ୍କ ନିକଟକୁ ଉପହାର ନେଇ ଆସନ୍ତି । ପାଣ୍ଡବମାନେ ରାଜସୂୟ ଯଜ୍ଞ ପାଇଁ ପ୍ରସ୍ତୁତି କରନ୍ତି ।

ଅର୍ଘ୍ୟାଭିହରଣ ପର୍ବ (ଅଧ୍ୟାୟ ୩୫-୩୮)

[ସମ୍ପାଦନା]

ଏହି ଉପପର୍ବର ବର୍ଣ୍ଣନାରେ ରାଜସୂୟ ଯଜ୍ଞରେ ସମସ୍ତ ରାଜା ଓ ଋଷିମାନେ ଆସନ୍ତି । ସହଦେବ ପ୍ରଥମ ଅର୍ଘ୍ୟ ଶ୍ରୀକୃଷ୍ଣଙ୍କୁ ଦିଅନ୍ତି, ଶିଶୁପାଳ ଏଥିରେ ଅସମ୍ମତି ଜଣାଇ ଆସନରୁ ଉଠିଯାଆନ୍ତି ଓ ବିବାଦ ହୁଏ ।

ଶିଶୁପାଳବଧ ପର୍ବ (ଅଧ୍ୟାୟ ୩୯-୪୪)

[ସମ୍ପାଦନା]

ଏହି ଉପପର୍ବରେ ଶିଶୁପାଳଙ୍କ ଅପମାନରେ କିପରି କୃଷ୍ଣ ତାଙ୍କୁ ବଧ କରନ୍ତି, ଏହା ବର୍ଣ୍ଣିତ ।

ଦ୍ୟୂତ ପର୍ବ (ଅଧ୍ୟାୟ ୪୫-୭୩)

[ସମ୍ପାଦନା]

ଏହି ଉପପର୍ବରେ କୁଖ୍ୟାତ ଦ୍ୟୁତକ୍ରୀଡା ବିଷୟ ବର୍ଣ୍ଣିତ । ଯେପରିକି ଶକୁନି ଯୁଧିଷ୍ଠିରଙ୍କ ଜୁଆ ଖେଳିବା ଦୁର୍ବଳତାକୁ ଦୁର୍ୟୋଧନଙ୍କ ପକ୍ଷରେ ବ୍ୟବହାର କରେ । ଯୁଧିଷ୍ଠିର କ୍ରମେ ନିଜ ରାଜ୍ୟ, ଭାଇମାନେ, ନିଜେ ଓ ଶେଷରେ ଦ୍ରୌପଦୀକୁ ମଧ୍ୟ ଦ୍ୟୁତ ପଣରେ ହାରିଯାନ୍ତି । ଦ୍ରୌପଦୀଙ୍କୁ ସଭାରେ ଅପମାନିତ କରାଯାଏ, କିନ୍ତୁ ଦିବ୍ୟ ଶକ୍ତି ତାଙ୍କୁ ସୁରକ୍ଷା କରେ । ପରେ ସମସ୍ତେ ଏହି ଖେଳକୁ ଅବୈଧ ଘୋଷଣା କରନ୍ତି ଓ ଯୁଧିଷ୍ଠିର ସବୁକିଛି ପୁଣି ପାଇଯାଆନ୍ତି ।

ଅନୁଦ୍ୟୂତ ପର୍ବ (ଅଧ୍ୟାୟ ୭୪-୮୧)

[ସମ୍ପାଦନା]

ପରବର୍ତ୍ତୀ ତଥା ମୁଖ୍ୟ ଦ୍ୟୁତକ୍ରୀଡା ବିଷୟ ଏହି ଅଧ୍ୟାୟର ବିଷୟବସ୍ତୁ । ଏହି ଆଖ୍ୟାନ୍ ଅନୁସାରେ ଯୁଧିଷ୍ଠିରଙ୍କୁ ପୁଣି ଆଉ ଏକଥର ପଶା ଖେଳ ପାଇଁ ଆମନ୍ତ୍ରଣ କରାଯାଏ । ଯୁଧିଷ୍ଠିର ଏଥିରେ ଅନୁମତି ଦେଇ ଖେଳରେ ଅଂଶଗ୍ରହଣ କରନ୍ତି । ଏଥିପରେ ଏକ ମାତ୍ର ପଣ ଧରାଯାଏ;— ଧୃତରାଷ୍ଟ୍ର ହସ୍ତିନାପୁର ରାଜ୍ୟକୁ ଏବଂ ଯୁଧିଷ୍ଠିର ଇନ୍ଦ୍ରପ୍ରସ୍ଥ ରାଜ୍ୟକୁ ପଣ ରଖନ୍ତି । ଉଭୟପକ୍ଷ ଏହି ନିୟମରେ ସମ୍ମତି ଦିଅନ୍ତି ଯେ ଯିଏ ହାରିବେ, ସେ ୧୨ ବର୍ଷ ନିର୍ବାସନରେ ଯିବେ ଓ ୧୩ତମ ବର୍ଷ ଗୋଟିଏ ଅଜଣା ଅଞ୍ଚଳରେ ଅଜ୍ଞାତ ରହି ଅଜ୍ଞାତବାସ କରିବେ । ଯଦି ସେ ୧୩ତମ ବର୍ଷରେ ପରିଚିତ ହୁଅନ୍ତି ବା ଚିହ୍ନା ପଡନ୍ତି, ତେବେ ପୁଣି ୧୨ ବର୍ଷ ନିର୍ବାସନ ଭୋଗ କରିବାକୁ ପଡିବ । ଯୁଧିଷ୍ଠିର ପୁଣିଥରେ ପଶା ଖେଳରେ ହାରିଯାନ୍ତି । ପାଣ୍ଡବ ଭାଇମାନେ ନିର୍ବାସନକୁ ପ୍ରସ୍ଥାନ କରନ୍ତି । ଧୃତରାଷ୍ଟ୍ର ପୁଣି ଶାସନରେ ଆସନ୍ତି । ଋଷିମୁନିମାନେ ତାଙ୍କୁ ପରାମର୍ଶ ଦିଅନ୍ତି; ପାଣ୍ଡବମାନଙ୍କ ସହ ଶାନ୍ତି ସ୍ଥାପନ କର, ଦୁଇପକ୍ଷକୁ ଏକତ୍ର କରିବା ପାଇଁ ସମାଧାନ ଖୋଜ । କିନ୍ତୁ ଧୃତରାଷ୍ଟ୍ର ସେହି ପରାମର୍ଶକୁ ଅସ୍ଵୀକାର କରନ୍ତି ।

ଏଭଳି ବିଷୟକୁ ନେଇ ଅନେକ ବିଦ୍ୱାନ ପ୍ରଶ୍ନ କରିଥାନ୍ତି ଯେ, ଧର୍ମରାଜ ଯୁଧିଷ୍ଠିର, ଯିଏ ସମସ୍ତ ଗୁଣ ଓ ସମୃଦ୍ଧିର ଅଧିକାରୀ ଥିଲେ, ଯିଏ ଧର୍ମ, ଅର୍ଥ ଓ କାମର ସମତା ସହିତ ଏକ ଆଦର୍ଶ ସାମ୍ରାଜ୍ୟ ଗଢ଼ିଥିଲେ, ଯିଏ ସଦା ନୀତିପରାୟଣ ଓ ନୈତିକ ଥିଲେ, ସେ ଏପରି ହଠାତ୍ ଭାବେ ଜୁଆର ଦୁର୍ବଳତାର କେମିତି ଶିକାର ହେଲେ?

  1. van Buitenen, J.A.B. (1973) The Mahabharata: Book 1: The Book of the Beginning. Chicago, IL: University of Chicago Press, pp 475–476
  2. Svadhyay Mandal. Mahabharat Sabha Parva By Damodar Satvalekar Svadhyay Mandal.