Jump to content

ସତ୍ୟାର୍ଥ ପ୍ରକାଶ

ଉଇକିପିଡ଼ିଆ‌ରୁ
ସତ୍ୟାର୍ଥ ପ୍ରକାଶ (The Light of Truth)  
ଲେଖକଦୟାନନ୍ଦ ସରସ୍ୱତୀ
ଦେଶଭାରତ
ଭାଷାହିନ୍ଦୀ
ପ୍ରକାଶକStar Press Benares[]
ପ୍ରକାଶ ତାରିଖ୧୮୭୫

ସତ୍ୟାର୍ଥ ପ୍ରକାଶ ଆର୍ଯ୍ୟ ସମାଜର ପ୍ରମୁଖ ଗ୍ରନ୍ଥ, ଯାହାର ରଚନା ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ୧୮୭୫ମସିହାରେ ହିନ୍ଦୀ ଭାଷାରେ କରାଯାଇଥିଲା । ଏହି ଗ୍ରନ୍ଥର ରଚନାକାର୍ଯ୍ୟ ସ୍ୱାମୀ ଦୟାନନ୍ଦ ଉଦୟପୁରର ନଉଲଖା ମହଲରେ କରିଥିଲେ । ଲେଖନ-ସ୍ଥଳରେ ବର୍ତ୍ତମାନ “ସତ୍ୟାର୍ଥ ପ୍ରକାଶ ଭବନ” ନିର୍ମିତ ହୋଇଛି । ପ୍ରଥମ ସଂସ୍କରଣର ପ୍ରକାଶନ ଆଜମେରରେ ହୋଇଥିଲା । ସ୍ୱାମୀଜୀ ୧୮୮୨ ମସିହାରେ ଏହାର ଦ୍ୱିତୀୟ ସଂଶୋଧିତ ସଂସ୍କରଣ ପ୍ରକାଶ କଲେ । ଏପର୍ଯ୍ୟନ୍ତ ୨୦ରୁ ଅଧିକ ସଂସ୍କରଣ ଭିନ୍ନ-ଭିନ୍ନ ଭାଷାରେ ପ୍ରକାଶିତ ହୋଇଛି ।

ସତ୍ୟାର୍ଥ ପ୍ରକାଶ ରଚନାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଆର୍ଯ୍ୟ ସମାଜର ସିଦ୍ଧାନ୍ତଗୁଡିକର ପ୍ରଚାର-ପ୍ରସାର ।[] ଏହା ସହ ଏଥିରେ ଖ୍ରୀଷ୍ଟୀୟ, ଇସ୍‌ଲାମ ଓ ଅନେକ ଅନ୍ୟ ପନ୍ଥ ଓ ମତଭିନ୍ନତାର ଖଣ୍ଡନ ମଧ୍ୟ ରହିଛି । ସେ ସମୟରେ ହିନ୍ଦୁ ଶାସ୍ତ୍ରଗୁଡିକର ଭ୍ରାନ୍ତ ଅର୍ଥ ବ୍ୟାଖ୍ୟା କରି ହିନ୍ଦୁ ଧର୍ମ ଓ ସଂସ୍କୃତିରେ କୁସଂସ୍କାର ପ୍ରବେଶ କରିଥିଲା । ଏହାକୁ ଧ୍ୟାନରେ ରଖି ମହର୍ଷି ଦୟାନନ୍ଦ ଏହି ଗ୍ରନ୍ଥର ନାମ ସତ୍ୟାର୍ଥ ପ୍ରକାଶ (ସତ୍ୟ + ଅର୍ଥ + ପ୍ରକାଶ) ଅର୍ଥାତ୍ “ସଠିକ୍ ଅର୍ଥରେ ପ୍ରକାଶ କରିବା” ରଖିଥିଲେ ।

ଦୟାନନ୍ଦ ସରସ୍ୱତୀ

ସତ୍ୟାର୍ଥ ପ୍ରକାଶର ପ୍ରୟୋଜନ

[ସମ୍ପାଦନା]

ସମାଜ ସୁଧାରକ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଏହି ଗ୍ରନ୍ଥର ମୂଳ ଉଦ୍ଦେଶ୍ୟ ଥିଲା; ସତ୍ୟକୁ ସତ୍ୟ ଭାବେ ଓ ମିଥ୍ୟାକୁ ମିଥ୍ୟା ଭାବେ ପ୍ରତ୍ୟାଦିଷ୍ଟ କରିବା । ହିନ୍ଦୁ ଜୀବନଧାରା ଯଦିଓ ବ୍ୟକ୍ତି ଓ ସମାଜ ଉଭୟକୁ ସମତୁଲ କରି ଚାଲେ, ତଥାପି ହିନ୍ଦୁମାନଙ୍କ ମଧ୍ୟରେ ସଂଘବାଦୀ ତୁଳନାରେ ବ୍ୟକ୍ତିବାଦୀ ପ୍ରବୃତ୍ତି ଅଧିକ ଦେଖାଯାଏ । ଧ୍ୟାନରତ ଉପାସକଙ୍କ ନିକଟରେ ଯଦି କେହି ଦୁଃଖରେ ବିଳାପ କରୁଥାଏ, ସେ ତାକୁ ଧ୍ୟାନଭଙ୍ଗର କାରଣ ବୋଲି ଦେଖେ; କିନ୍ତୁ ଏହା ଭାବେ ନାହିଁ ଯେ ସେ ମଧ୍ୟ ସମାଜର ଏକ ଅଙ୍ଗ। ଉନ୍ନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ସଭ୍ୟତାର ବହୁତ ପ୍ରଭାବ ଥିଲା । ଇଂରେଜ ଶିକ୍ଷାର ପ୍ରଭାବରେ ହିନ୍ଦୁମାନେ ନିଜ ସଂସ୍କୃତିକୁ ନିମ୍ନ ଭାବି ପଶ୍ଚିମୀ ଅନୁକରଣରେ ଗର୍ବ ଅନୁଭବ କରୁଥିଲେ। ମ୍ୟାକାଲେଙ୍କ ଯୋଜନାଅନୁସାରେ ଭାରତୀୟଙ୍କୁ ଭାରତୀୟତାରୁ ବିମୁଖ କରିବା ପାଇଁ ଇଂରେଜ ଶିକ୍ଷାକୁ ଅସ୍ତ୍ରରୂପେ ବ୍ୟବହାର କରାଯାଉଥିଲା। ବିଦେଶୀ ସରକାର ଓ ଖ୍ରୀଷ୍ଟୀୟ ପାଦରିମାନେ ଦେଶରେ ଖ୍ରୀଷ୍ଟୀୟତା ପ୍ରଚାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ହିନ୍ଦୁମାନେ ନିଜର ଧାର୍ମିକ ଓ ଜାତୀୟ ଗୌରବ ହରାଇ ହିନ୍ଦୁ ଧର୍ମ ପ୍ରତି ବିମୁଖତା ପ୍ରଦର୍ଶନ କରୁଥିଲେ । ଏକ ଆକଳନ୍ପ୍ର ଅନୁସାରେ ସେତେବେଳେ ପ୍ରତିଦିନ ୧୪୪ ହିନ୍ଦୁ ମୁସଲମାନ ହେଉଥିଲେ, ଖ୍ରୀଷ୍ଟୀୟତାକୁ ଅନୁସରଣ କରୁଥିବା ସଂଖ୍ୟା ତାହାଠାରୁ ଅଧିକ ଥିଲା । ପାଦରିମାନେ ରଙ୍ଗୀଲା କୃଷ୍ଣ, ସୀତା କା ଛିନାଲା ପ୍ରଭୃତି ଅନେକ ଅଶ୍ଲୀଳ ପୁସ୍ତିକା ବାଣ୍ଟି ହିନ୍ଦୁ ବିଦ୍ଵେଷୀ ଭାବନାକୁ ପ୍ରୋତ୍ସାହିତ କରୁଥିଲେ । ସ୍ୱାମୀ ଦୟାନନ୍ଦ ଆର୍ଯ୍ୟ ସମାଜ ଓ ସତ୍ୟାର୍ଥ ପ୍ରକାଶ ଦ୍ୱାରା ଏହି ଘାତକ ପ୍ରବୃତ୍ତିକୁ ବନ୍ଦ୍ କରିବା ପାଇଁ ଆନ୍ଦୋଳନ ଆରମ୍ଭ କଲେ ।

ସେ ଆର୍ଯ୍ୟ ସଭ୍ୟତା-ସଂସ୍କୃତି, ବେଦ, ଉପନିଷଦ ଓ ଭାରତୀୟ ପରମ୍ପରା ପ୍ରତି ଗଭୀର ଭକ୍ତି ଓ ଗୌରବର ବିକାଶ କରିଥିଲେ । ଯୁକ୍ତିପୂର୍ଣ୍ଣ ଚର୍ଚ୍ଚା ଓ ଜାତୀୟ ଭାବନା ଜାଗ୍ରତ କରିବା ଫଳରେ, ଉତ୍ତର ଭାରତର ଶିକ୍ଷିତ ଲୋକ ଆସ୍ତେଆସ୍ତେ ଏହି ଆନ୍ଦୋଳନ ଦିଗକୁ ଆକୃଷ୍ଟ ହେଲେ, ଏବଂ ଆର୍ଯ୍ୟ ସମାଜ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପ୍ରଚଳିତ ହେଲା ।

ସତ୍ୟାର୍ଥ ପ୍ରକାଶର ସଂରଚନା

[ସମ୍ପାଦନା]

ସତ୍ୟାର୍ଥ ପ୍ରକାଶରେ 14ଟି ସମ୍ଉଲ୍ଲାସ (ଅଧ୍ୟାୟ) ଅଛି । ଏଥିରେ ବାଲ୍ୟ-ଶିକ୍ଷା, ଅଧ୍ୟୟନ-ଅଧ୍ୟାପନ, ବିବାହ ଓ ଗୃହସ୍ଥ ଜୀବନ, ବାନପ୍ରସ୍ଥ, ସନ୍ନ୍ୟାସ-ରାଜଧର୍ମ, ଈଶ୍ୱର, ସୃଷ୍ଟି, ବନ୍ଧନ-ମୋକ୍ଷ, ଆଚାର-ଅନାଚାର, ଆର୍ଯ୍ୟାବର୍ତ୍ତୀୟ ମତମତାନ୍ତର, ଖ୍ରୀଷ୍ଟୀୟ ଓ ଇସ୍ଲାମ ଇତ୍ୟାଦି ବିଷୟ ଉପରେ ଆଲୋଚନା କରାଯାଇଛି ।[][]

ସ୍ୱାମୀଜୀ ୧୮୮୨ ସାଲର ଦ୍ୱିତୀୟ ସଂସ୍କରଣର ଭାଷାସମ୍ବନ୍ଧୀୟ ଭାଗରେ ଲେଖିଥିଲେ —

“ଯେତେବେଳେ ମୁଁ ଏହି ଗ୍ରନ୍ଥ ଲେଖିଥିଲି, ସେତେବେଳେ ମୋର ଭାଷଣ ସଂସ୍କୃତରେ ଓ ଜନ୍ମଭୂମିର ଭାଷା ଗୁଜରାଟୀ ଥିବାରୁ ମୋର ହିନ୍ଦୀରେ ବିଶେଷ ପାରଦର୍ଶିତା ନଥିଲା । ସେହି କାରଣରୁ ଭାଷା କିଞ୍ଚିତ ଅଶୁଦ୍ଧ ହୋଇଯାଇଥିଲା । ଏବେ ଭାଷା-ବ୍ୟାକରଣ ଅନୁସାରେ ଶୁଦ୍ଧ କରି ଦ୍ୱିତୀୟଥର ଏହି ଗ୍ରନ୍ଥ ପ୍ରକାଶିତ କରାଗଲା ।”

ନିମ୍ନତାଲିକାରେ ସତ୍ୟାର୍ଥ ପ୍ରକାଶର ପ୍ରତ୍ୟେକ ସମ୍ଉଲ୍ଲାସର ବିଷୟ ଦର୍ଶାଯାଇଛି ।ଏହି ପୁସ୍ତକରେ ଚୌଦ ଅଧ୍ୟାୟ ରହିଛି ।[]

ଅଧ୍ୟାୟ ବିଷୟବସ୍ତୁ
ପ୍ରଥମ ଅଧ୍ୟାୟରେ "ଓଂ" ଏବଂ ଭଗବାନଙ୍କ ଅନ୍ୟାନ୍ୟ ନାମର ବିବରଣି ରହିଛି।
ଦ୍ୱିତୀୟ ଅଧ୍ୟାୟରେ ଶିଶୁମାନଙ୍କ ଲାଳନ-ପାଳନ ସମ୍ପର୍କିତ ଉପଦେଶ ଦିଆଯାଇଛି।
ତୃତୀୟ ଅଧ୍ୟାୟରେ ବ୍ରହ୍ମଚର୍ଯ୍ୟ (ଅବିବାହିତ ଜୀବନ), ବିଦ୍ୱାନ ଏବଂ ଶିକ୍ଷକଙ୍କ କର୍ତ୍ତବ୍ୟ ଓ ଯୋଗ୍ୟତା, ଭଲ ଏବଂ ଖରାପ ପୁସ୍ତକ, ଏବଂ ଅଧ୍ୟୟନ ଯୋଜନା ବିଷୟ ଉପସ୍ଥାପିତ ହୋଇଛି।
ଚତୁର୍ଥ ଅଧ୍ୟାୟ ବିବାହ ଏବଂ ବିବାହିତ ଜୀବନ ସମ୍ପର୍କରେ।
ପଞ୍ଚମ ଅଧ୍ୟାୟରେ ଭୌତିକତା ଛାଡ଼ି ସମାଜ ସେବା ଆରମ୍ଭ କରିବା ସମ୍ପର୍କରେ ଅଲୋଚନା ରହିଛି।
ଷଷ୍ଠ ଅଧ୍ୟାୟରେ ରାଜନୀତି ଏବଂ ପ୍ରଶାସନ ବିଜ୍ଞାନ ସମ୍ପର୍କରେ ବିବରଣା ଅଛି।
ସପ୍ତମ ଅଧ୍ୟାୟ ବେଦ ଏବଂ ଭଗବାନ ସମ୍ପର୍କରେ।
ଅଷ୍ଟମ ଅଧ୍ୟାୟରେ ବ୍ରହ୍ମାଣ୍ଡର ସୃଷ୍ଟି, ପାଳନ ଏବଂ ବିନାଶ ବିଷୟ ଉପସ୍ଥାପିତ।
ନବମ ଅଧ୍ୟାୟରେ ଜ୍ଞାନ ଓ ଅଜ୍ଞାନ, ବନ୍ଧନ ଓ ମୋକ୍ଷ ସମ୍ପର୍କରେ ଆଲୋଚନା ଅଛି।
୧୦ ଦଶମ ଅଧ୍ୟାୟରେ ଉଚିତ ଓ ଅନୁଚିତ ଆଚରଣ, ଅନୁମତ ଓ ନିଷିଦ୍ଧ ଖାଦ୍ୟ ସମ୍ପର୍କରେ ବିବରଣି ରହିଛି।
୧୧ ଏକାଦଶ ଅଧ୍ୟାୟରେ ଭାରତରେ ପ୍ରଚଳିତ ବିଭିନ୍ନ ଧର୍ମ ଓ ପନ୍ଥମାନଙ୍କର ସମାଲୋଚନା ଅଛି।
୧୨ ଦ୍ୱାଦଶ ଅଧ୍ୟାୟରେ ଚାର୍ବାକ, ବୌଦ୍ଧ ଏବଂ ଜୈନ ଧର୍ମ ସମ୍ପର୍କରେ ।
୧୩ ତ୍ରୟୋଦଶ ଅଧ୍ୟାୟରେ ଖ୍ରୀଷ୍ଟିୟ ଧର୍ମର ବିବେଚନା ଅଛି।
୧୪ ଚତୁର୍ଦ୍ଦଶ ଅଧ୍ୟାୟରେ ଇସ୍ଲାମ ଧର୍ମ ସମ୍ପର୍କରେ।
  1. क्रान्त (2006). स्वाधीनता संग्राम के क्रान्तिकारी साहित्य का इतिहास (in ହିନ୍ଦୀ). Vol. 2 (1 ed.). New Delhi: Praveen Publications. p. 348-349. ISBN 81-7783-119-4. OCLC 271682218.
  2. 1 2 "VEDIC BOOKS". www.vedicbooks.com. Archived from the original on 2007-10-15. Retrieved 2025-11-21.
  3. 1 2 "SATYARTH PRAKASH THE LIGHT OF TRUTH OR SATYARTHA PRAKASHA". www.aryasamajjamnagar.org. Retrieved 2025-11-21.