ସତ୍ୟାର୍ଥ ପ୍ରକାଶ
| ସତ୍ୟାର୍ଥ ପ୍ରକାଶ (The Light of Truth) | |
|---|---|
| ଲେଖକ | ଦୟାନନ୍ଦ ସରସ୍ୱତୀ |
| ଦେଶ | ଭାରତ |
| ଭାଷା | ହିନ୍ଦୀ |
| ପ୍ରକାଶକ | Star Press Benares[୧] |
| ପ୍ରକାଶ ତାରିଖ | ୧୮୭୫ |
ସତ୍ୟାର୍ଥ ପ୍ରକାଶ ଆର୍ଯ୍ୟ ସମାଜର ପ୍ରମୁଖ ଗ୍ରନ୍ଥ, ଯାହାର ରଚନା ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ୧୮୭୫ମସିହାରେ ହିନ୍ଦୀ ଭାଷାରେ କରାଯାଇଥିଲା । ଏହି ଗ୍ରନ୍ଥର ରଚନାକାର୍ଯ୍ୟ ସ୍ୱାମୀ ଦୟାନନ୍ଦ ଉଦୟପୁରର ନଉଲଖା ମହଲରେ କରିଥିଲେ । ଲେଖନ-ସ୍ଥଳରେ ବର୍ତ୍ତମାନ “ସତ୍ୟାର୍ଥ ପ୍ରକାଶ ଭବନ” ନିର୍ମିତ ହୋଇଛି । ପ୍ରଥମ ସଂସ୍କରଣର ପ୍ରକାଶନ ଆଜମେରରେ ହୋଇଥିଲା । ସ୍ୱାମୀଜୀ ୧୮୮୨ ମସିହାରେ ଏହାର ଦ୍ୱିତୀୟ ସଂଶୋଧିତ ସଂସ୍କରଣ ପ୍ରକାଶ କଲେ । ଏପର୍ଯ୍ୟନ୍ତ ୨୦ରୁ ଅଧିକ ସଂସ୍କରଣ ଭିନ୍ନ-ଭିନ୍ନ ଭାଷାରେ ପ୍ରକାଶିତ ହୋଇଛି ।
ସତ୍ୟାର୍ଥ ପ୍ରକାଶ ରଚନାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଆର୍ଯ୍ୟ ସମାଜର ସିଦ୍ଧାନ୍ତଗୁଡିକର ପ୍ରଚାର-ପ୍ରସାର ।[୨] ଏହା ସହ ଏଥିରେ ଖ୍ରୀଷ୍ଟୀୟ, ଇସ୍ଲାମ ଓ ଅନେକ ଅନ୍ୟ ପନ୍ଥ ଓ ମତଭିନ୍ନତାର ଖଣ୍ଡନ ମଧ୍ୟ ରହିଛି । ସେ ସମୟରେ ହିନ୍ଦୁ ଶାସ୍ତ୍ରଗୁଡିକର ଭ୍ରାନ୍ତ ଅର୍ଥ ବ୍ୟାଖ୍ୟା କରି ହିନ୍ଦୁ ଧର୍ମ ଓ ସଂସ୍କୃତିରେ କୁସଂସ୍କାର ପ୍ରବେଶ କରିଥିଲା । ଏହାକୁ ଧ୍ୟାନରେ ରଖି ମହର୍ଷି ଦୟାନନ୍ଦ ଏହି ଗ୍ରନ୍ଥର ନାମ ସତ୍ୟାର୍ଥ ପ୍ରକାଶ (ସତ୍ୟ + ଅର୍ଥ + ପ୍ରକାଶ) ଅର୍ଥାତ୍ “ସଠିକ୍ ଅର୍ଥରେ ପ୍ରକାଶ କରିବା” ରଖିଥିଲେ ।

ସତ୍ୟାର୍ଥ ପ୍ରକାଶର ପ୍ରୟୋଜନ
[ସମ୍ପାଦନା]ସମାଜ ସୁଧାରକ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଏହି ଗ୍ରନ୍ଥର ମୂଳ ଉଦ୍ଦେଶ୍ୟ ଥିଲା; ସତ୍ୟକୁ ସତ୍ୟ ଭାବେ ଓ ମିଥ୍ୟାକୁ ମିଥ୍ୟା ଭାବେ ପ୍ରତ୍ୟାଦିଷ୍ଟ କରିବା । ହିନ୍ଦୁ ଜୀବନଧାରା ଯଦିଓ ବ୍ୟକ୍ତି ଓ ସମାଜ ଉଭୟକୁ ସମତୁଲ କରି ଚାଲେ, ତଥାପି ହିନ୍ଦୁମାନଙ୍କ ମଧ୍ୟରେ ସଂଘବାଦୀ ତୁଳନାରେ ବ୍ୟକ୍ତିବାଦୀ ପ୍ରବୃତ୍ତି ଅଧିକ ଦେଖାଯାଏ । ଧ୍ୟାନରତ ଉପାସକଙ୍କ ନିକଟରେ ଯଦି କେହି ଦୁଃଖରେ ବିଳାପ କରୁଥାଏ, ସେ ତାକୁ ଧ୍ୟାନଭଙ୍ଗର କାରଣ ବୋଲି ଦେଖେ; କିନ୍ତୁ ଏହା ଭାବେ ନାହିଁ ଯେ ସେ ମଧ୍ୟ ସମାଜର ଏକ ଅଙ୍ଗ। ଉନ୍ନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ସଭ୍ୟତାର ବହୁତ ପ୍ରଭାବ ଥିଲା । ଇଂରେଜ ଶିକ୍ଷାର ପ୍ରଭାବରେ ହିନ୍ଦୁମାନେ ନିଜ ସଂସ୍କୃତିକୁ ନିମ୍ନ ଭାବି ପଶ୍ଚିମୀ ଅନୁକରଣରେ ଗର୍ବ ଅନୁଭବ କରୁଥିଲେ। ମ୍ୟାକାଲେଙ୍କ ଯୋଜନାଅନୁସାରେ ଭାରତୀୟଙ୍କୁ ଭାରତୀୟତାରୁ ବିମୁଖ କରିବା ପାଇଁ ଇଂରେଜ ଶିକ୍ଷାକୁ ଅସ୍ତ୍ରରୂପେ ବ୍ୟବହାର କରାଯାଉଥିଲା। ବିଦେଶୀ ସରକାର ଓ ଖ୍ରୀଷ୍ଟୀୟ ପାଦରିମାନେ ଦେଶରେ ଖ୍ରୀଷ୍ଟୀୟତା ପ୍ରଚାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ହିନ୍ଦୁମାନେ ନିଜର ଧାର୍ମିକ ଓ ଜାତୀୟ ଗୌରବ ହରାଇ ହିନ୍ଦୁ ଧର୍ମ ପ୍ରତି ବିମୁଖତା ପ୍ରଦର୍ଶନ କରୁଥିଲେ । ଏକ ଆକଳନ୍ପ୍ର ଅନୁସାରେ ସେତେବେଳେ ପ୍ରତିଦିନ ୧୪୪ ହିନ୍ଦୁ ମୁସଲମାନ ହେଉଥିଲେ, ଖ୍ରୀଷ୍ଟୀୟତାକୁ ଅନୁସରଣ କରୁଥିବା ସଂଖ୍ୟା ତାହାଠାରୁ ଅଧିକ ଥିଲା । ପାଦରିମାନେ ରଙ୍ଗୀଲା କୃଷ୍ଣ, ସୀତା କା ଛିନାଲା ପ୍ରଭୃତି ଅନେକ ଅଶ୍ଲୀଳ ପୁସ୍ତିକା ବାଣ୍ଟି ହିନ୍ଦୁ ବିଦ୍ଵେଷୀ ଭାବନାକୁ ପ୍ରୋତ୍ସାହିତ କରୁଥିଲେ । ସ୍ୱାମୀ ଦୟାନନ୍ଦ ଆର୍ଯ୍ୟ ସମାଜ ଓ ସତ୍ୟାର୍ଥ ପ୍ରକାଶ ଦ୍ୱାରା ଏହି ଘାତକ ପ୍ରବୃତ୍ତିକୁ ବନ୍ଦ୍ କରିବା ପାଇଁ ଆନ୍ଦୋଳନ ଆରମ୍ଭ କଲେ ।
ସେ ଆର୍ଯ୍ୟ ସଭ୍ୟତା-ସଂସ୍କୃତି, ବେଦ, ଉପନିଷଦ ଓ ଭାରତୀୟ ପରମ୍ପରା ପ୍ରତି ଗଭୀର ଭକ୍ତି ଓ ଗୌରବର ବିକାଶ କରିଥିଲେ । ଯୁକ୍ତିପୂର୍ଣ୍ଣ ଚର୍ଚ୍ଚା ଓ ଜାତୀୟ ଭାବନା ଜାଗ୍ରତ କରିବା ଫଳରେ, ଉତ୍ତର ଭାରତର ଶିକ୍ଷିତ ଲୋକ ଆସ୍ତେଆସ୍ତେ ଏହି ଆନ୍ଦୋଳନ ଦିଗକୁ ଆକୃଷ୍ଟ ହେଲେ, ଏବଂ ଆର୍ଯ୍ୟ ସମାଜ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପ୍ରଚଳିତ ହେଲା ।
ସତ୍ୟାର୍ଥ ପ୍ରକାଶର ସଂରଚନା
[ସମ୍ପାଦନା]ସତ୍ୟାର୍ଥ ପ୍ରକାଶରେ 14ଟି ସମ୍ଉଲ୍ଲାସ (ଅଧ୍ୟାୟ) ଅଛି । ଏଥିରେ ବାଲ୍ୟ-ଶିକ୍ଷା, ଅଧ୍ୟୟନ-ଅଧ୍ୟାପନ, ବିବାହ ଓ ଗୃହସ୍ଥ ଜୀବନ, ବାନପ୍ରସ୍ଥ, ସନ୍ନ୍ୟାସ-ରାଜଧର୍ମ, ଈଶ୍ୱର, ସୃଷ୍ଟି, ବନ୍ଧନ-ମୋକ୍ଷ, ଆଚାର-ଅନାଚାର, ଆର୍ଯ୍ୟାବର୍ତ୍ତୀୟ ମତମତାନ୍ତର, ଖ୍ରୀଷ୍ଟୀୟ ଓ ଇସ୍ଲାମ ଇତ୍ୟାଦି ବିଷୟ ଉପରେ ଆଲୋଚନା କରାଯାଇଛି ।[୩][୨]
ସ୍ୱାମୀଜୀ ୧୮୮୨ ସାଲର ଦ୍ୱିତୀୟ ସଂସ୍କରଣର ଭାଷାସମ୍ବନ୍ଧୀୟ ଭାଗରେ ଲେଖିଥିଲେ —
“ଯେତେବେଳେ ମୁଁ ଏହି ଗ୍ରନ୍ଥ ଲେଖିଥିଲି, ସେତେବେଳେ ମୋର ଭାଷଣ ସଂସ୍କୃତରେ ଓ ଜନ୍ମଭୂମିର ଭାଷା ଗୁଜରାଟୀ ଥିବାରୁ ମୋର ହିନ୍ଦୀରେ ବିଶେଷ ପାରଦର୍ଶିତା ନଥିଲା । ସେହି କାରଣରୁ ଭାଷା କିଞ୍ଚିତ ଅଶୁଦ୍ଧ ହୋଇଯାଇଥିଲା । ଏବେ ଭାଷା-ବ୍ୟାକରଣ ଅନୁସାରେ ଶୁଦ୍ଧ କରି ଦ୍ୱିତୀୟଥର ଏହି ଗ୍ରନ୍ଥ ପ୍ରକାଶିତ କରାଗଲା ।”
ନିମ୍ନତାଲିକାରେ ସତ୍ୟାର୍ଥ ପ୍ରକାଶର ପ୍ରତ୍ୟେକ ସମ୍ଉଲ୍ଲାସର ବିଷୟ ଦର୍ଶାଯାଇଛି ।ଏହି ପୁସ୍ତକରେ ଚୌଦ ଅଧ୍ୟାୟ ରହିଛି ।[୩]
| ଅଧ୍ୟାୟ | ବିଷୟବସ୍ତୁ |
|---|---|
| ୧ | ପ୍ରଥମ ଅଧ୍ୟାୟରେ "ଓଂ" ଏବଂ ଭଗବାନଙ୍କ ଅନ୍ୟାନ୍ୟ ନାମର ବିବରଣି ରହିଛି। |
| ୨ | ଦ୍ୱିତୀୟ ଅଧ୍ୟାୟରେ ଶିଶୁମାନଙ୍କ ଲାଳନ-ପାଳନ ସମ୍ପର୍କିତ ଉପଦେଶ ଦିଆଯାଇଛି। |
| ୩ | ତୃତୀୟ ଅଧ୍ୟାୟରେ ବ୍ରହ୍ମଚର୍ଯ୍ୟ (ଅବିବାହିତ ଜୀବନ), ବିଦ୍ୱାନ ଏବଂ ଶିକ୍ଷକଙ୍କ କର୍ତ୍ତବ୍ୟ ଓ ଯୋଗ୍ୟତା, ଭଲ ଏବଂ ଖରାପ ପୁସ୍ତକ, ଏବଂ ଅଧ୍ୟୟନ ଯୋଜନା ବିଷୟ ଉପସ୍ଥାପିତ ହୋଇଛି। |
| ୪ | ଚତୁର୍ଥ ଅଧ୍ୟାୟ ବିବାହ ଏବଂ ବିବାହିତ ଜୀବନ ସମ୍ପର୍କରେ। |
| ୫ | ପଞ୍ଚମ ଅଧ୍ୟାୟରେ ଭୌତିକତା ଛାଡ଼ି ସମାଜ ସେବା ଆରମ୍ଭ କରିବା ସମ୍ପର୍କରେ ଅଲୋଚନା ରହିଛି। |
| ୬ | ଷଷ୍ଠ ଅଧ୍ୟାୟରେ ରାଜନୀତି ଏବଂ ପ୍ରଶାସନ ବିଜ୍ଞାନ ସମ୍ପର୍କରେ ବିବରଣା ଅଛି। |
| ୭ | ସପ୍ତମ ଅଧ୍ୟାୟ ବେଦ ଏବଂ ଭଗବାନ ସମ୍ପର୍କରେ। |
| ୮ | ଅଷ୍ଟମ ଅଧ୍ୟାୟରେ ବ୍ରହ୍ମାଣ୍ଡର ସୃଷ୍ଟି, ପାଳନ ଏବଂ ବିନାଶ ବିଷୟ ଉପସ୍ଥାପିତ। |
| ୯ | ନବମ ଅଧ୍ୟାୟରେ ଜ୍ଞାନ ଓ ଅଜ୍ଞାନ, ବନ୍ଧନ ଓ ମୋକ୍ଷ ସମ୍ପର୍କରେ ଆଲୋଚନା ଅଛି। |
| ୧୦ | ଦଶମ ଅଧ୍ୟାୟରେ ଉଚିତ ଓ ଅନୁଚିତ ଆଚରଣ, ଅନୁମତ ଓ ନିଷିଦ୍ଧ ଖାଦ୍ୟ ସମ୍ପର୍କରେ ବିବରଣି ରହିଛି। |
| ୧୧ | ଏକାଦଶ ଅଧ୍ୟାୟରେ ଭାରତରେ ପ୍ରଚଳିତ ବିଭିନ୍ନ ଧର୍ମ ଓ ପନ୍ଥମାନଙ୍କର ସମାଲୋଚନା ଅଛି। |
| ୧୨ | ଦ୍ୱାଦଶ ଅଧ୍ୟାୟରେ ଚାର୍ବାକ, ବୌଦ୍ଧ ଏବଂ ଜୈନ ଧର୍ମ ସମ୍ପର୍କରେ । |
| ୧୩ | ତ୍ରୟୋଦଶ ଅଧ୍ୟାୟରେ ଖ୍ରୀଷ୍ଟିୟ ଧର୍ମର ବିବେଚନା ଅଛି। |
| ୧୪ | ଚତୁର୍ଦ୍ଦଶ ଅଧ୍ୟାୟରେ ଇସ୍ଲାମ ଧର୍ମ ସମ୍ପର୍କରେ। |
ଆଧାର
[ସମ୍ପାଦନା]- ↑ क्रान्त (2006). स्वाधीनता संग्राम के क्रान्तिकारी साहित्य का इतिहास (in ହିନ୍ଦୀ). Vol. 2 (1 ed.). New Delhi: Praveen Publications. p. 348-349. ISBN 81-7783-119-4. OCLC 271682218.
- 1 2 "VEDIC BOOKS". www.vedicbooks.com. Archived from the original on 2007-10-15. Retrieved 2025-11-21.
- 1 2 "SATYARTH PRAKASH THE LIGHT OF TRUTH OR SATYARTHA PRAKASHA". www.aryasamajjamnagar.org. Retrieved 2025-11-21.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |