ଶ୍ୟାମାମଣି ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(ଶ୍ୟାମାମଣି ଦେବୀରୁ ଲେଉଟି ଆସିଛି)
ପଦ୍ମଶ୍ରୀ କୋକିଳକଣ୍ଠୀ

ଶ୍ୟାମାମଣି ଦେବୀ
Born
ଶ୍ୟାମାମଣି ପଟ୍ଟନାୟକ

(1938-12-21) ୨୧ ଡିସେମ୍ବର ୧୯୩୮ (ବୟସ ୮୫)
Occupationଓଡ଼ିଶୀ କଣ୍ଠଶିଳ୍ପୀ
Styleଓଡ଼ିଶୀ ସଙ୍ଗୀତ
Spouseମାୟାଧର ବେହେରା
Parent(s)ରାଜେନ୍ଦ୍ର ମୋହନ ପଟ୍ଟନାୟକ
ନିଶାମଣି ପଟ୍ଟନାୟକ
Relativesକାଳୀଚରଣ ପଟ୍ଟନାୟକ
Awardsଓଡ଼ିଶା ସଂଗୀତ ନାଟକ ଏକୋଡମୀ ପୁରସ୍କାର
Websiteshyamamanidevi.com
Signature
ଶ୍ୟାମାମଣି ଦେବୀ

ପଦ୍ମଶ୍ରୀ ଶ୍ୟାମାମଣି ଦେବୀ (ଜନ୍ମ : ୨୧ ଡିସେମ୍ବର ୧୯୩୮, ଶ୍ୟାମାମଣି ପଟ୍ଟନାୟକ) ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ । ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ ଯଥା ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ସେ ପଲ୍ଲୀ ଏବଂ ଆଧୁନିକ ଗୀତ ମଧ୍ୟ ଗାୟନ କରିଛନ୍ତି । ଓଡ଼ିଶୀ ସଙ୍ଗୀତର ଦୁଇଜଣ ପ୍ରମୁଖ ଗୁରୁ - ସିଂହାରୀ ଶ୍ୟାମସୁନ୍ଦର କର ଏବଂ ବାଳକୃଷ୍ଣ ଦାସଙ୍କଠୁ ସେ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିବାରୁ ତାଙ୍କ ଗାୟନ ଶୈଳୀରେ ଉଭୟଙ୍କ ଛାପ ରହିଛି । ଅନେକ ପାରମ୍ପରିକ ଓଡ଼ିଶୀ ଗୀତକୁ ରେକର୍ଡ଼ କରି ସେ ବେଶ ଜନାଦୃତ ହୋଇପାରିଛନ୍ତି ।

ଶ୍ୟାମାମଣି ପଟ୍ଟନାୟକ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଶ୍ୟାମାମଣି ପଟ୍ଟନାୟକ ୧୯୩୮ ମସିହା ଡିସେମ୍ବର ମାସ ୨୧ ତାରିଖ ଦିନ କଟକ ଜିଲ୍ଲାସ୍ଥିତ ବାଙ୍କୀ ସବଡିଭିଜନ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରାଜେନ୍ଦ୍ର ମୋହନ ପଟ୍ଟନାୟକ ଏବଂ ମାତାଙ୍କ ନାମ ନିଶାମଣି ପଟ୍ଟନାୟକ । ସେ ଏକ ସଂଗୀତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ତାଙ୍କର କ‌କା ଅଟନ୍ତି । ପାଞ୍ଚ ଜଣ ଭାଇ ଭଉଣୀଙ୍କ ମଧ୍ୟରେ ସେ ଥିଲେ ସର୍ବକନିଷ୍ଠା । ଏକ ରକ୍ଷଣଶୀଳ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିବାରୁ ପିଲାବେଳେ ସଙ୍ଗୀତରେ ତାଙ୍କ ଆଗ୍ରହ ଯୋଗୁଁ ସେ ଅନେକ ନିନ୍ଦା ସହ୍ଯ କରିଥିଲେ । ତାଙ୍କର ସଂଗୀତ ପ୍ରତି ଆଗ୍ରହ ଥିିଲା ତଥାପି ତତଳକାଳୀନ ରକ୍ଷଣଶୀଳ ସମାଜ ତାଙ୍କୁ ତାହା କରିବା ପାଇଁ ନିରୁତ୍ସାହିତ କଲା । ପିତା ରାଜେନ୍ଦ୍ର ପଟ୍ଟନାୟକ ଏବଂ କକା କାଳୀଚରଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନ ଓ ପ୍ରୋତ୍ସାହନ କ୍ରମେ ସେ ସଙ୍ଗୀତ ଅଧ୍ୟୟନ ଅବିଚ୍ଛିନ୍ନ ରଖିପାରିଥିଲେ । ଅତି ଅଳ୍ପ ବୟସରୁ ରେଡ଼ିଓରେ କଣ୍ଠଦାନ କରି ଜଣେ ଶିଶୁ ସଙ୍ଗୀତଜ୍ଞ ହିସାବରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।

କର୍ମ ଜୀବନ[ସମ୍ପାଦନା]

ଶ୍ୟାମାମଣି ପଟ୍ଟନାୟକ ମାତ୍ର ୧୨ ବର୍ଷ ବୟସରେ ଆକାଶବାଣୀ କଟକରେ ୧୯୫୦ ମସିହାରେ ସ୍ଥାନ ପାଇଥିଲେ । ସେତେବେଳକୁ ପାରିଶ୍ରମିକ ବାବଦକୁ କେବଳ ନାରଙ୍ଗ ଚକୋଲେଟ୍‌ ଦିଆଯାଉଥିଲା । ପାଠ ସାଙ୍ଗକୁ ସଂଗୀତ ତାଙ୍କର ଜୀବନର ସାଥୀ ଭାବରେ ପ୍ରତିୟମାନ । ପିଲାଟିଦିନରୁ ସଂଗୀତ ପ୍ରତି ସେ ଉତ୍ସାହିତ ଥିଲେ । ସେ ଲତା ମଙ୍ଗେସକର, ନୁର୍ ଜାହାନ୍, ରାଜକୁମାରୀ ଏବଂ ସିଦ୍ଧେଶ୍ୱରୀ ଦେବୀଙ୍କର ଗୀତ ଶୁଣି ସଙ୍ଗୀତ ଗାନର ମୂଳ ପଦ୍ଧତିକୁ ଶିକ୍ଷା କରିଥିଲେ । ୧୯୪୩ରୁ ୧୯୪୪ ମସିହାରେ ତାଙ୍କ ବାପା ଗ୍ରାମଫୋନଟିଏ ଘରକୁ ଆଣିବା ପରେ ତାଙ୍କ ମନରେ ସଂଗୀତ ପ୍ରତି ଉତ୍ସାହ ଜାଗ୍ରତ ହେଇଥିଲା ଏବଂ ସେହି ଦିନଠୁ ସଂଗୀତ ପ୍ରତି ଅନୁପ୍ରାଣିତ ହେଇଥିଲେ । ସେ ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତ ଗୁରୁଦ୍ୱୟ ଦେଶରଜା ସିଂହାରୀ ଶ୍ୟାମସୁନ୍ଦର କର ଏବଂ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କଠାରୁ ସଂଗୀତ ଶିକ୍ଷା କରିଥିଲେ । ପରେ ଗୁରୁ କୁଣ୍ଡଳ ଆଦିନାରାୟଣ ରାଓଙ୍କଠାରୁ ହିନ୍ଦୁସ୍ଥାନୀ ସଂଗୀତ ଶିକ୍ଷା ଲାଭ କରିଥିଲେ ।[୧]

ଶିକ୍ଷାଗତ ଯୋଗ୍ୟତା[ସମ୍ପାଦନା]

ଶ୍ୟାମାମଣି ପଟ୍ଟନାୟକ କଟକସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସ୍ନାତକ ଉପାଧୀ ଲାଭ କରିଥିଲେ । ସେ କଟକସ୍ଥିତ ସଙ୍ଗୀତ ନାଟକ ଏକାଡେମୀରୁ 'ସଙ୍ଗୀତ ବିଶାରଦ' କରିଥିଲେ । ଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ଏବଂ ବାଳକୃଷ୍ଣ ଦାସଙ୍କଠାରୁ ଜାତୀୟ ସଂଗୀତ ସମାଜ, କଟକରେ ଶିକ୍ଷା ଲାଭକରିଥିଲେ। ୧୯୮୫ ମସିହାରେ ପୁଣେସ୍ଥିତ ଗନ୍ଧର୍ବ ମହାବିଦ୍ୟାଳୟଠାରୁ 'ସଙ୍ଗୀତ ଅଳଙ୍କାର' ଲାଭ କରିଥିଲେ । ପ୍ରଫେସର ବି. ଆର. ନବରଙ୍ଗଙ୍କ ତତ୍ତ୍ୱାବଧାନରେ ମୁମ୍ବାଇରେ ଶିକ୍ଷା କରିଥିଲେ । ପ୍ରଫେସର ବି. ଆର. ଦେଓଧରଙ୍କ ତତ୍ତ୍ୱାବଧାନରେ ଭଏସ କଲଚର ଉପରେ ଶିକ୍ଷା ଲାଭ କରିଥିଲେ ।

ବୈବାହିକ ଜୀବନ[ସମ୍ପାଦନା]

ଶ୍ୟାମାମଣି ଦେବୀ ୰ ମାୟାଧର ବେହେରାଙ୍କୁ ବିବାହ କରିଥିଲେ । ତାଙ୍କ ସ୍ୱାମୀ ଜଣେ ମେଡ଼ିସିନ ପ୍ରାକଟିସନର ଥିଲେ । ସ୍ୱାମୀଙ୍କ ପ୍ରେରଣା ଓ ସହଯୋଗଦ୍ୱାରା ତାଙ୍କ ସଙ୍ଗୀତ ଜୀବନ ଫଳମୟ ହୋଇଛି ବୋଲି ସେ କହିଛନ୍ତି । ଶ୍ୟାମାମଣିଙ୍କର ଗୋଟିଏ ପୁତ୍ର ଏବଂ ଦୁଇଟି କନ୍ୟା ଅଛନ୍ତି । ତାଙ୍କ ସଙ୍ଗୀତ ଜୀବନ କେବେହେଲେ ପାରିବାରିକ ଜୀବନ ଉପରେ କୌଣସି ଖରାପ ପ୍ରଭାବ ପକାଇନଥିଲା ବୋଲି ସେ ବ୍ୟକ୍ତ କରିଛନ୍ତି ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସଙ୍ଗୀତ ନାଟକ ଏକୋଡମୀ ପୁରସ୍କାର, ୧୯୯୪[୨]
  • ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ଼, ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ, ୨୦୦୪
  • ଡକ୍ଟେରଟ ଉପାଧି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ , ୨୦୧୨[୩]
  • ଗୁରୁ ସିଂହାରୀ ସମ୍ମାନ, ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ ପକ୍ଷରୁ, ୨୦୧୪[୪]
  • ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ଼, କଟକ ନୃତ୍ୟଉତ୍ସଭ, ୨୦୧୫
  • ଗୁରୁ ସହଦେବ ପାଢ଼ୀ ମେମୋରିଆଲ ସମ୍ମାନ, ୨୦୧୬[୫][୬]
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୧୭[୭]
  • ଦେବପ୍ରସାଦ ଦାସ ସମ୍ମାନ, ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ୍ ପକ୍ଷରୁ, ୨୦୧୮[୮]
  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୧୯[୯]
  • ପଦ୍ମଶ୍ରୀ ସମ୍ମାନ, ୨୦୨୨[୧୦]

ଆଧାର[ସମ୍ପାଦନା]

  1. "ସମ୍ବାଦ". ୩ ଅଗଷ୍ଟ ୨୦୧୫. {{cite news}}: Check date values in: |date= (help)
  2. "Odisha Sangeet Natak Akademy Award Winners (1970-2012)" (PDF). Odisha Reference Annual - 2011. Government of Odisha: 104–108. 2011.
  3. "AWARDS, SAMMANS, TITLES". Shyamamanidebi.com. Archived from the original on 25 March 2017. Retrieved 20 March 2017.
  4. Oct 15, TNN / Updated; 2014; Ist, 12:33. "Odissi ragas take centre stage at concert | Bhubaneswar News - Times of India". The Times of India (in ଇଂରାଜୀ). Retrieved 2022-01-25. {{cite web}}: |last2= has numeric name (help)CS1 maint: numeric names: authors list (link)
  5. "ଶ୍ୟାମାମଣି ଦେବୀଙ୍କୁ ଗୁରୁ ସହଦେବ ପାଢ଼ୀ ମେମୋରିଆଲ ସମ୍ମାନ". ଧରିତ୍ରୀ. Retrieved 14 October 2016.
  6. "TITLES". Shyamamanidebi.com. Archived from the original on 22 March 2017. Retrieved 20 March 2017.
  7. "Guru Kelucharan Mohapatra Award 2017 announced". newindianexpress.com. Retrieved 5 September 2017.
  8. "Debaprasad Utsav to honour Odissi exponent". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). 2018-10-27. Retrieved 2022-01-25.
  9. "Odisha Sangeet Natak Akademi awards announced". Kalinga TV. Retrieved 4 July 2021.
  10. "Padma Awards 2022 announced". ସୂଚନା ଓ ଲୋକସମ୍ପର୍କ ବିଭାଗ, ଭାରତ. Archived from the original on ୨୫ ଜାନୁଆରୀ ୨୦୨୨. Retrieved 26 January 2022. {{cite web}}: Check date values in: |archivedate= (help)

ଅଧିକ ପଠନ[ସମ୍ପାଦନା]