Jump to content

ଶ୍ରୀଲଙ୍କାର ଶିକ୍ଷା ବ୍ୟବସ୍ଥା

ଉଇକିପିଡ଼ିଆ‌ରୁ
Flag of Sri Lanka

ଶ୍ରୀଲଙ୍କାର ଶିକ୍ଷା ବ୍ୟବସ୍ଥା ଦେଶର ଜାତୀୟ ଜୀବନ ଓ ସଂସ୍କୃତିର ଏକ ପ୍ରମୁଖ ଅଂଶ । ଖ୍ରୀଷ୍ଟପୂର୍ବ ୫୪୩ ମସିହାରୁ ଶ୍ରୀଲଙ୍କାରେ ଚଳିଆସୁଥିବା ପାରମ୍ପରିକ ଶିକ୍ଷା ପ୍ରଣାଳୀକୁ ୧୮ଶତାବ୍ଦୀରେ ବ୍ରିଟିଶ ସାମ୍ରାଜ୍ୟର ସହ ଏକୀକୃତ ହୋଇ ଆଧୁନିକ ରୂପ ଦିଆଯାଇଥିଲା । ବର୍ତ୍ତମାନ ଶିକ୍ଷା ପ୍ରଣାଳୀ ଦେଶର କେନ୍ଦ୍ର ସରକାର ଓ ପ୍ରାନ୍ତୀୟ ପରିଷଦ — ଦୁହିଁଙ୍କ ନିୟନ୍ତ୍ରଣରେ ଅଛି; କେନ୍ଦ୍ର ସରକାର କିଛି ବିଶେଷ ଦାୟିତ୍ୱ ବହନ୍ଏ କରିଛନ୍ତି ଏବଂ ପ୍ରାନ୍ତୀୟ ପରିଷଦଗୁଡ଼ିକ ସ୍ୱାୟତ୍ତତା ଅଧୀନରେ ଅନ୍ୟାନ୍ୟ ଦାୟିତ୍ୱ ନେଇଛି ।

ଶ୍ରୀଲଙ୍କାରେ ଶିକ୍ଷାର ଐତିହ୍ୟ ଦୁଇ ହଜାର ବର୍ଷ ଧରି ବିସ୍ତୃତ ଏକ ଦୀର୍ଘ ଇତିହାସ ଦ୍ୱାରା ସମୃଦ୍ଧ । ଶ୍ରୀଲଙ୍କା ସଂବିଧାନରେ ନିଶୁଳ୍କ ଶିକ୍ଷା ପାଇବାର ଅଧିକାରକୁ ଏକ ମୌଳିକ ଅଧିକାର ଭାବେ ଘୋଷିତ କରାଯାଇଛି । ୨୦୨୧ ମସିହାରେ ଶ୍ରୀଲଙ୍କାର ପ୍ରାପ୍ତବୟସ୍କ ଜନସଂଖ୍ୟାର ସାକ୍ଷରତା ହାର ଥିଲା ୧୦୦%, ଯାହା ବିଶ୍ୱ ଓ ପ୍ରାନ୍ତୀୟ ସ୍ତରର ହାର ଠାରୁ ଅଧିକ ।[]

ପ୍ରଶାସନିକ ବ୍ୟବସ୍ଥାପନ

[ସମ୍ପାଦନା]

ଶ୍ରୀଲଙ୍କାର ଶିକ୍ଷା ପ୍ରଣାଳୀର ଗଠନାତ୍ମକ ସଂରଚନା ପାଞ୍ଚଟି ସ୍ତରରେ ବିଭକ୍ତ — ପ୍ରାଥମିକ, ନିମ୍ନ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ, କଲେଜ ଓ ଉଚ୍ଚ ଶିକ୍ଷା। ଶ୍ରୀଲଙ୍କାରେ ବିଭିନ୍ନ ବୟସ ଓ ଶିକ୍ଷା ସ୍ତର ଅନୁଯାୟୀ ଶିକ୍ଷା ପ୍ରଣାଳୀକୁ ନିୟନ୍ତ୍ରଣ, ପରିଦର୍ଶନ ଓ ପରିଚାଳନା ପାଇଁ ପୃଥକ ବିଭାଗ ଓ ମନ୍ତ୍ରଣାଳୟ ନିଯୁକ୍ତ ଅଛନ୍ତି।[]

ଇତିହାସ

[ସମ୍ପାଦନା]

ଶ୍ରୀଲଙ୍କାର ଶିକ୍ଷା ପ୍ରଣାଳୀର ଇତିହାସ ୨,୩୦୦ ବର୍ଷ ଠାରୁ ଅଧିକ ପୁରାତନ। ଏହା ମାନ୍ୟ ଯେ, ଭାରତୀୟ ସମ୍ରାଟ ଅଶୋକଙ୍କ ଦ୍ୱାରା ପଠାଯାଇଥିବା ବୌଦ୍ଧ ଭିକ୍ଷୁମାନଙ୍କ ମାଧ୍ୟମରେ ରାଜା ଦେୱନାମପିୟ ଟିସାଙ୍କ ଶାସନକାଳରେ ବୌଦ୍ଧ ଧର୍ମ ପ୍ରଚାର ସହିତ ଉତ୍ତର ଭାରତରୁ ଶ୍ରୀଲଙ୍କାକୁ ସଂସ୍କୃତ ଭାଷା ପ୍ରବେଶ କରିଥିଲା । ସେହିଠାରୁ ଆରମ୍ଭ କରି ବୌଦ୍ଧ ବିହାର ଓ ଧାର୍ମିକ ସଂସ୍ଥାମାନଙ୍କ ଚାରିପାଖରେ ଏକ ଶିକ୍ଷା ବ୍ୟବସ୍ଥା ଉଦଭବ ହୋଇ ଦେଶରେ ବିକଶିତ ହୋଇଥିଲା, ଯାହା ପରେ ପ୍ରାଥମିକ (ଏପର୍ଯ୍ୟନ୍ତ ମଧ୍ୟ) ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପ୍ରସାରିତ ହୋଇଥିଲା । ଏହି ପ୍ରଣାଳୀର ପ୍ରମାଣ ମହାବଂଶ ଓ ଦ୍ୱୀପବଂଶ ନାମକ ଶ୍ରୀଲଙ୍କାର ପ୍ରାଚୀନ ଇତିହାସ ଗ୍ରନ୍ଥରେ ମିଳେ, ଯେଉଁଥିରେ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ରାଜକୁମାର ବିଜୟ ଓ ତାଙ୍କ ଅନୁଗାମୀମାନଙ୍କ ଆଗମନ ସମୟରୁ ଶ୍ରୀଲଙ୍କା ଦ୍ୱୀପର ଇତିହାସ ଉଲ୍ଲେଖ ରହିଛି ।

ଔପନିବେଶିକ ଶାସନ ପ୍ରସାର ସମୟରେ ପ୍ରଥମେ ସମୁଦ୍ରତଟୀୟ ଅଞ୍ଚଳରେ ଏବଂ ପରେ ଭିତର ଅଞ୍ଚଳରେ ଖ୍ରୀଷ୍ଟିୟ ମିଶନାରୀ ଦଳଗୁଡ଼ିକ ଶିକ୍ଷା ପ୍ରଣାଳୀରେ ସକ୍ରିୟ ହୋଇଥିଲେ । ଆଙ୍ଗ୍ଲିକନ ଚର୍ଚ୍ଚ ସରକାରୀ ବିଦ୍ୟାଳୟ ଓ ଶିକ୍ଷା ଉପରେ ଏକାଧିକାର ସ୍ଥାପନ କରିଥିଲା, ଯାହା ପରେ କୋଲବ୍ରୁକ କମିଶନ ର ସୁପାରିଶ ଅନୁସାରେ ବ୍ରିଟିଶ ପ୍ରଶାସନ ଦ୍ୱାରା ବିଲୁପ୍ତ କରାଯାଇଥିଲା । ୧୮୩୬ ମସିହାରେ କୋଲବ୍ରୁକ କମିଶନର ସୁପାରିଶ ଅନୁଯାୟୀ ବ୍ରିଟିଶ ସରକାର ଦ୍ୱାରା ସରକାରୀ ବିଦ୍ୟାଳୟ ପାଇଁ ଏକ ନିର୍ଦ୍ଦିଷ୍ଟ ଶିକ୍ଷା ପ୍ରଣାଳୀ ଆରମ୍ଭ ହୋଇଥିଲା । ଏହାକୁ ଦ୍ୱୀପରେ ସରକାରୀ ଶିକ୍ଷା ପ୍ରଣାଳୀର ଆରମ୍ଭ ଭାବେ ଗଣନା କରାଯାଏ । ଏହି ପ୍ରକ୍ରିୟା କୋଲମ୍ବୋ ରୋୟାଲ କଲେଜ (ପୂର୍ବତନ କୋଲମ୍ବୋ ଏକାଡେମି) ର ସ୍ଥାପନ ସହ ଆରମ୍ଭ ହୋଇଥିଲା ଏବଂ ବ୍ରିଟିଶ ଔପନିବେଶିକ ଯୁଗରେ ଏକକ-ଲିଙ୍ଗ ବିଦ୍ୟାଳୟ ସ୍ଥାପନ ମାଧ୍ୟମରେ ବିସ୍ତାରିତ ହୋଇଥିଲା ।

ଶିକ୍ଷା ପ୍ରଣାଳୀରେ ସୁଧାରର ଇତିହାସ

[ସମ୍ପାଦନା]

୧୯୪୨ ମସିହାରେ ଶିକ୍ଷା ପ୍ରଣାଳୀକୁ ଅବଲୋକନ କରିବା ପାଇଁ ଗୋଟିଏ ବିଶେଷ ସମିତି ଗଠିତ ହୋଇଥିଲା ଏବଂ ତାହାପରେ ସମିତି ତରଫରୁ ଯେଉଁ ସୁପାରିଶଗୁଡିକ ଆସିଲା, ସେଥିରେ ନିମ୍ନଲିଖିତ ବିଷୟଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା —

  1. ସମସ୍ତ ଶିଶୁଙ୍କୁ ନିଶୁଳ୍କ ଭାବେ ଭଲ ଶିକ୍ଷା ଉପଲବ୍ଧ କରାଇବା, ଯାହାଦ୍ୱାରା ଶିକ୍ଷା ଆଉ ଏକ ସାମଗ୍ରୀ ରୂପେ କେବଳ ଧନୀ ତଥା ସହରବାସୀମାନେ ହିଁ କିଣି ପାରିବେ ବୋଲି ଯେ ଧାରଣା ଅଛି, ସେହିଥିରୁ ମୁକ୍ତି ମିଳିବ।
  2. ଇଂରାଜୀ ସ୍ଥାନରେ ଜାତୀୟ ଭାଷାମାନଙ୍କୁ ଶିକ୍ଷାର ମାଧ୍ୟମ ଭାବେ ବ୍ୟବହାର କରିବା, ଯାହାଦ୍ୱାରା ଉଚ୍ଚ ଶିକ୍ଷା ଓ ଲାଭଜନକ ଚାକିରିର ଅବସର, ଯେଉଁଗୁଡ଼ିକ କେବଳ ଅଲ୍ପ ସଂଖ୍ୟକ ସହରୀୟ ଧନୀମାନଙ୍କ ପାଇଁ ଉପଲବ୍ଧ ଥିଲା, ସେଗୁଡିକ ଅନ୍ୟମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ।
  3. ଶିକ୍ଷା ପ୍ରଣାଳୀକୁ ଯୁକ୍ତିସଙ୍ଗତ କରିବା, ଯେପରି ଶିକ୍ଷା ସୁବିଧାରେ ଉପଲବ୍ଧ, କାର୍ଯ୍ୟକ୍ଷମ ଓ ଅର୍ଥନୈତିକ ହୁଏ ।
  4. ପ୍ରତ୍ୟେକ ଶିଶୁଙ୍କୁ ତାଙ୍କ ପିତାମାତାଙ୍କ ଧର୍ମ ସମ୍ପର୍କୀୟ ଶିକ୍ଷା ଦିଆଯିବ ବୋଲି ନିଶ୍ଚିତ କରିବା।
  5. ଶିକ୍ଷକମାନଙ୍କୁ ସ୍କୁଲ ପରିଚାଳକମାନଙ୍କ ଦ୍ୱାରା ଶୋଷଣରୁ ସୁରକ୍ଷିତ କରିବା।
  6. ପ୍ରାପ୍ତବୟସ୍କ ଶିକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା।

ସ୍ଵାଧୀନତା ପରେ ଦେଶରେ ବିଦ୍ୟାଳୟ, ମହାବିଦ୍ୟାଳୟ ସଂଖ୍ୟାରେ ବୃଦ୍ଧି ଘଟିବା ସହ ଜାତୀୟ ସାକ୍ଷରତା ହାରରେ ମଧ୍ୟ ଅନୁରୁପ ବୃଦ୍ଧି ଘଟିଛି ।

ପରବର୍ତ୍ତୀ ସମୟରେ ଶିକ୍ଷା ପ୍ରଣାଳୀରେ ପରିବର୍ତ୍ତନ

[ସମ୍ପାଦନା]

୨୦୧୧ ମସିହାରେ, ରାଜ୍ୟ ସରକାର ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟର ସ୍ନାତକ ସ୍ତରର ପାଠ୍ୟକ୍ରମ ପାଇଁ ବଛା ବଛା ଛାତ୍ରଛାତ୍ରୀମାନଙ୍କ ପାଇଁ ସେନା ଓ ପୁଲିସ ଶିବିରରେ ନେତୃତ୍ୱ ପ୍ରଶିକ୍ଷଣ ବାଧ୍ୟତାମୂଳକ କରିଥିଲେ । ସରକାର କହିଥିଲେ ଯେ, ତିନି ସପ୍ତାହର ଅବାସୀୟ ପ୍ରଶିକ୍ଷଣ ଛାତ୍ରମାନଙ୍କ ନିଯୁକ୍ତିକ୍ଷମତା ବଢ଼ାଇବ, ଯାହାଦ୍ୱାରା ରାଜ୍ୟ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷିତ ବେକାର ହାର କମିପାରିବ। ଏହି ପଦକ୍ଷେପଟି ନିମନ୍ତେ ବିପକ୍ଷ ଦଳ, ଛାତ୍ର ସଂଗଠନ ଓ ମାନବ ଅଧିକାର ଗୋଷ୍ଠୀମାନଙ୍କ ଆପତ୍ତି ଦେଖାଗଲା, କାରଣ ଏହାକୁ ବାଧ୍ୟତାମୂଳକ ସେନା ପ୍ରଶିକ୍ଷଣ (conscription) ର ଏକ ରୂପ ଭାବରେ ବିଚାର କରାଯାଉଥିଲା ।[][][]

କିନ୍ତୁ ୨୦୧୫ ମସିହାର ରାଷ୍ଟ୍ରପତି ନିର୍ବାଚନ ପରେ, ସେତେବେଳେ ରାଷ୍ଟ୍ରପତି ଥିବା ମୈତ୍ରୀପାଳ ସିରିସେନା ଓ ଶ୍ରୀଲଙ୍କା ସଂସଦ ଏହି ପ୍ରଶିକ୍ଷଣକୁ ୨୦୧୫ ମସିହାରେ ସମାପ୍ତ କରିଦେଲେ ।

  1. "Home - UIS Data Browser". uis-data-browser-frontend-9qoly6dvy-ixt1.vercel.app (in ଇଂରାଜୀ). Retrieved 2025-10-31.
  2. Education, Ministry of. "Ministry of Education - Content". moe.gov.lk. Archived from the original on 2007-07-16. Retrieved 2025-10-31.
  3. Leadership training for university undergrads at 28 centres
  4. Consider postponement of leadership training - SC
  5. University students get marching orders for leadership programme