ଶ୍ରୀଲଙ୍କାରେ ଚା’ ଉତ୍ପାଦନ

ଉଇକିପିଡ଼ିଆ‌ରୁ
Jump to navigation Jump to search

ଚା’ ଉତ୍ପାଦନ ହେଉଛି ଶ୍ରୀଲଙ୍କା (ପୂର୍ବରୁ ସିଲୋନ୍ କୁହାଯାଉଥିଲା) ପାଇଁ ବୈଦେଶିକ ମୁଦ୍ରାର ଅନ୍ୟତମ ଉତ୍ସ ଏବଂ ମୋଟ ଘରେଲୁ ଉତ୍ପାଦର (ଜିଡିପିର) ଶରକଡା ୨ ଭାଗ ଅଟେ । ଏହା ସନ ୨୦୧୩ରେ ଶ୍ରୀଲଙ୍କାର ଅର୍ଥନୀତିରେ ଏହାର ଅବଦାନ ଥିଲା ୧.୫ ବିଲିୟନ ଆମେରିକୀୟ ଡଲାରରୁ ଅଧିକ [୧]। ଏହା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ୧ ମିଲିୟନରୁ ଅଧିକ ଲୋକଙ୍କୁ ନିୟୋଜିତ କରିଥାଏ ଏବଂ ୧୯୯୫ରେ ଚା’ ବୃକ୍ଷରୋପଣ ଏବଂ ତତ୍ ସଂପର୍କୀୟ ଶିଳ୍ପରେ ପ୍ରତ୍ୟକ୍ଷଭାବେ ୨୧୫,୩୩୮ ଲୋକଙ୍କୁ ନିୟୋଜିତ କରିଥିଲା ​​। ଏହାବ୍ୟତୀତ, କ୍ଷୁଦ୍ରଚାଷୀ ମାନଙ୍କଦ୍ୱାରା ଚା’ ଲଗାଇବା ହେଉଛି ହଜାର ହଜାର ଲୋକଙ୍କ ରୋଜଗାରର ଉତ୍ସ, ଯେତେବେଳେ କି ଏହା ମଧ୍ୟ ହଜାର ହଜାର ପରିବାର ପାଇଁ ଜୀବିକା ନିର୍ବାହର ମୁଖ୍ୟ ରୂପ ଅଟେ | ଚା’ ଉତ୍ପାଦନରେ ଶ୍ରୀଲଙ୍କା ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ । ୧୯୯୫ରେ, ଏହା ବିଶ୍ୱର ଅଗ୍ରଣୀ ରପ୍ତାନିକାରୀ ଥିଲା (ଉତ୍ପାଦକ ପରିବର୍ତ୍ତେ), ବିଶ୍ୱର ମୋଟ ଚା ରପ୍ତାନୀର ୨୩% ଥିଲା କେବଳ ଶ୍ରୀଲଙ୍କାର, କିନ୍ତୁ ଏହା ପରେ କେନିଆ ଏହି ରେକର୍ଡର ଅଧିକାରୀ ହୋଇପାରିଛି । ୨୦୧୩ରେ ୩୪୦ ନିୟୁତ କିଲୋଗ୍ରାମର ସର୍ବାଧିକ ଉତ୍ପାଦନ ରେକର୍ଡ ହୋଇଥିବାବେଳେ ୨୦୧୪ରେ ଉତ୍ପାଦନ ସାମାନ୍ୟ ହ୍ରାସ ପାଇ ୩୩୮ ନିୟୁତ କିଲୋଗ୍ରାମରେ ପହଞ୍ଚିଥିଲା ।

ଶ୍ରୀଲଙ୍କାର ଚା ବଗିଚା

ଦେଶର କେନ୍ଦ୍ରୀୟ ଉଚ୍ଚଭୂମିର ଆର୍ଦ୍ରତା, ଥଣ୍ଡା ତାପମାତ୍ରା ଏବଂ ବର୍ଷା ଜଳବାୟୁ ହିଁ ଏଠାରେ ଉଚ୍ଚମାନର ଚା ଉତ୍ପାଦନ ପାଇଁ ଅନୁକୁଳ ପାଗ ଯୋଗାଏ । ଅନ୍ୟ ପକ୍ଷରେ, ଉଚ୍ଚ ବୃଷ୍ଟିପାତ ଏବଂ ଉଷ୍ମ ତାପମାତ୍ରାରେ ମାତାରା, ଗାଲ୍ ଏବଂ ରତନପୁରା ଜିଲ୍ଲା ପରି ନିମ୍ନ ଉଚ୍ଚତାରେ ଉତ୍ପାଦିତ ଚା’ର କଡା ସ୍ୱାଦ ବିଶିଷ୍ଟ ଉଚ୍ଚ ସ୍ତରୀୟ ଗୁଣ ରହିଛି | ନିମ୍ନ ଉଚ୍ଚତାରେ ଚାଷ ହେଉଥିବା ଚାହାର ଚା’ ବାୟୋମାସ୍ ବା ଜୈବ ଇନ୍ଧନ ଉତ୍ପାଦନ ସଧାରଣତଃ ଅଧିକ । ମଧ୍ୟପ୍ରଦେଶରେ ଏଭଳି ଚା’ ଲୋକପ୍ରିୟ ଅଟେ । ବ୍ରିଟିଶ କୃଷିବିତ ଜେମ୍ସ ଟେଲରଙ୍କଦ୍ୱାରା ୧୮୬୭ ମସିହାରେ ଶ୍ରୀଲଙ୍କାର ଏହି ଶିଳ୍ପ ଦେଶରେ ପରିଚିତ ଲାଭ କରିଥିଲା ।[୨]

ଇତିହାସ[ସମ୍ପାଦନା]

ଯେତେବେଳେ ଭାରତରେ ଦାଲଚିନି ପ୍ରଥମ ଫସଲଭାବେ ସରକାରୀ ପ୍ରାୟୋଜକତା ଗ୍ରହଣ କରିଥିଲା ସେତେବେଳକୁ ଶ୍ରୀଲଙ୍କା ଡଚ୍ ଗରିଲାଙ୍କ ନିୟନ୍ତ୍ରଣରେ ଥିଲା । ଡଚ୍ ଗଭର୍ଣ୍ଣର ଇମାନ ୱିଲିମ୍ ଫାଲ୍କଙ୍କ ଶାସନ କାଳରେ ୧୭୬୭ ମସିହାରେ କଲମ୍ବୋ, ମାରାଡାନା, ଏବଂ ଡାଲଚିନି ବଗିଚାଗୁଡିକରେ ପ୍ରଥମକରି ଡାଲଚିନି ବୃକ୍ଷରୋପଣ କରାଯାଇଥିଲା । ପ୍ରଥମ ବ୍ରିଟିଶ ଗଭର୍ଣ୍ଣର ଫ୍ରେଡେରିକ୍ ନର୍ଥ୍ନ ଘରୋଇ ଭାବେ ଡାଲଚିନି ଉତ୍ପାଦନ ନିଷିଦ୍ଧ କରିଥିଲେ, ଯାହାଦ୍ୱାରା ଇଷ୍ଟ ଇଣ୍ଡିଆ କମ୍ପାନୀ ପାଇଁ ଡାଲଚିନି ଉତ୍ପାଦନ ଉପରେ ଏକଚାଟିଆ ସୁରକ୍ଷା ମିଳିଥିଲା । ଅବଶ୍ୟ, ୧୮୩୦ ଦଶକରେ ଇଂଲଣ୍ଡରେ ଏବଂ ୟୁରୋପର ଅନ୍ୟାନ୍ୟ ସ୍ଥାନରେ ଅର୍ଥନୈତିକ ଅବନତି ସିଲୋନ (ଶ୍ରୀଲଙ୍କା)ରେ ଥିବା ଡାଲଚିନି ଚାଷକୁ ପ୍ରଭାବିତ କରିଥିଲା । ଏହାଦ୍ୱାରା ଡାଲଚିନି ଚାଷକୁ ଲାଭହୀନ ମନେ କରି ବ୍ରିଟିଶମାନେ କଫି ଆଡକୁ ଗଲେ ।

୧୮୦୦ ଦଶକର ପ୍ରାରମ୍ଭ ବେଳକୁ ସିଂହଳୀମାନେ କଫି ବିଷୟରେ ଜାଣିସାରିଥିଲେ । ୧୮୭୦ ଦଶକରେ ହେମିଲିୟା ୱାଷ୍ଟାଟ୍ରିକ୍ସ କିମ୍ବା "କଫି ପତ୍ର ରୋଗ" ବା "କଫି ବ୍ଲାଇଟ୍" ଭାବରେ ଜଣାଶୁଣା ଏକ କବକ ରୋଗରେ କଫି ବୃକ୍ଷରୋପଣ ନଷ୍ଟ ହୋଇଯାଇଥିଲା । କଫି ଶୀଳ୍ପର ଅବସାନ ପରେ ଏହି ଦ୍ୱୀପରେ ଅଧିକାଂଶ ଚାଷୀ ବିକଳ୍ପ ଫସଲ ଭାବରେ କୋକୋ ଏବଂ ସିଙ୍କୋନା ଚାଷ କରିବା ଆରମ୍ଭ କରିଦେଇଥିଲେ । କିନ୍ତୁ ହେଲୋପେଲ୍ଟିସ୍ ଆଣ୍ଟୋନି ନାମକ ଏକ ସଂକ୍ରମଣ ରୋଗଡ୍ୱାରା ଫସଲ ହାନୀ ହେତୁ ସେଥିରେ ମଧ୍ୟ ବିଫଳ ହୋଇଥିଲେ । ତେଣୁ ୧୮୭୦ ଦଶକରେ ଶ୍ରୀଲଙ୍କାର(ସିଲୋନର) ଅବଶିଷ୍ଟ ସମସ୍ତ କଫି ଲଗାଉଥିବା ବ୍ୟକ୍ତି ଚା ଉତ୍ପାଦନ ଏବଂ ଚାଷ କରିବା ଆରମ୍ଭ କଲେ ।

ଚା ଉତ୍ପାଦନର ମୂଳଦୁଆ[ସମ୍ପାଦନା]

୧୮୨୪ ମସିହାରେ ଚାଇନାରୁ ବ୍ରିଟିଶମାନେ ଏକ ଚା ଗଛକୁ ଶ୍ରୀଲଙ୍କା (ସିଲୋନ)କୁ ଆଣିଥିଲେ ଏବଂ ଅଣ-ବ୍ୟବସାୟିକ ଉଦ୍ଦେଶ୍ୟରେ ପେରାଡେନିଆର ରୟାଲ ବଟାନିକାଲ ଗାର୍ଡେନରେ ଏହା ରୋପଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ପରୀକ୍ଷାମୂଳକଭାବେ ଚା ଗଛଗୁଡିକ ଆସାମ ଏବଂ କଲିକତାରୁ ଭାରତର ପେରେଡେନିଆକୁ ୧୮୩୯ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ମାଧ୍ୟମରେ ଅଣାଯାଇଥିଲା । ୧୮୩୯ ମସିହାରେ "ସିଲୋନ୍ ଚାମ୍ବର ଅଫ୍ କମର୍ସ" ପ୍ରତିଷ୍ଠା ହେଲା ଏବଂ ପରେ ପରେ ୧୮୫୪ ମସିହାରେ "ପ୍ଲାଣ୍ଟର୍ସ ଆସୋସିଏସନ୍ ଅଫ୍ ସିଲୋନ୍" ସ୍ଥାପିତ ହେଲା । ୧୮୬୭ ମସିହାରେ, ଜେମ୍ସ ଟେଲର କାଣ୍ଡିର ଲୋଲେକୋଣ୍ଡେରା ଅଞ୍ଚଳରେ ଚା’ ବୃକ୍ଷରୋପଣ ଆରମ୍ଭ କରି ସିଲୋନରେ ଚା ଚାଷର ଅୟମାରମ୍ଭ କରିଥିଲେ । ସେତେବେଳକୁ ଜେମ୍ସ ଟେଲର ଥିଲେ ମାତ୍ର ୧୭ ବର୍ଷ ବୟସର । ମୂଳ ଚା ବୃକ୍ଷରୋପଣ ମାତ୍ର ୧୯ ଏକର ପରିମିତ ଜମିରେ କରାଯାଇଥିଲା । ୧୮୭୨ ମସିହାରେ ଟେଲର ଲୁଲକାନ୍ଦୁରା ଇଷ୍ଟେଟ୍ ପରିସରରେ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଚା କାରଖାନା ଚଳାଇବା ଆରମ୍ଭ କଲେ ଏବଂ ସେହି ବର୍ଷ ଲୋଲେକଣ୍ଡ୍ରା ଚା (ଲୁଲକାନ୍ଦୁରା)ର ପ୍ରଥମ ବିକ୍ରି କାଣ୍ଡିରେ କରାଯାଇଥିଲା । ୧୮୭୩ ମସିହାରେ, ସିଲୋନ୍ ଚାର ପ୍ରଥମ ରପ୍ତାନୀ ମାଲ, ପ୍ରାୟ ୧୦ କିଲୋଗ୍ରାମର ଏକ ସାମଗ୍ରୀ ଲଣ୍ଡନରେ ପହଞ୍ଚିଥିଲା ।

ଖୁବ୍ ଶୀଘ୍ର ଲୋଲକାଣ୍ଡୁରାକୁ ଘେରି ରହିଥିବା ପୂର୍ବରେ ହୋପ୍, ରୁକ୍ଉଡ୍ ଏବଂ ମୋଲୋୟା ଏବଂ ଦକ୍ଷିଣରେ ଲେ ଭାଲନ୍ ଏବଂ ଷ୍ଟେଲେନବର୍ଗ, ଅଞ୍ଚଳରେ ଚା’ ଚାଷ ଆରମ୍ଭ କରାଗଲା ।

ବ୍ୟାବସାୟୀକ ଉତ୍ପାଦନ[ସମ୍ପାଦନା]

୧,୮୮,୧୭୫ ହେକ୍ଟରରୁ ଅଧିକ (୭୨୭ ବର୍ଗ ମାଇଲ) ଜମି ଅର୍ଥାତ ଶ୍ରୀଲଙ୍କାର ପ୍ରାୟ ୪% ଜମିରେ ଚା ଚାଷ କରାଯାଉଛି । ଫସଲ ୨,୧୦୦ ମିଟର (6,890 ଫୁଟ)ରୁ ଅଧିକ ଉଚ୍ଚତାରେ ଏହି ଚାଷ ଭଲ ହୋଇଥାଏ ଏବଂ ଏହି ଚାଷ ପାଇଁ ବାର୍ଷିକ ୧୦୦-୧୨୫ ସେମି (ବା ୩୯-୪୯ ଇଞ୍ଚ)ରୁ ଅଧିକ ବର୍ଷା ଆବଶ୍ୟକ ହୁଏ ।

ଶ୍ରୀଲଙ୍କାରେ ‘ସମୋଚ୍ଚ ପ୍ରଣାଳୀ ’ ବା କଣ୍ଟୋର ପ୍ରଣାଳୀ ବ୍ୟବହାର କରି ଚା ’ଚାଷ କରାଯାଏ, ଯେଉଁଠାରେ ଚା’ ବୁଦା ଢାଲୁ ଜମିର ଉଚ୍ଚତା ସହିତ ସମ ଉଚ୍ଚତା ରକ୍ଷାକରି ଲଗାଯାଏ | ବାଣିଜ୍ୟିକ ଉତ୍ପାଦନ ପାଇଁ, ଚାହାବୁଦାର ପାର୍ଶ୍ୱ ଶାଖା ଏବଂ ଡାଳରେ ଥିବା ପତ୍ର ହିଁ ବ୍ୟବହୃତ ହୁଏ । ସାଧାରଣତଃ ସବୁଠୁ ଉପରେ ଥିବା ଦୁଇଟି ଉପର ପତ୍ର ଏବଂ ଏକ କଅଁଳ କଢ ଯତ୍ନର ସହ ତୋଳାଯାଏ, ଯାହାର ସବୁଠାରୁ ଅଧିକ ସ୍ବାଦ ଏବଂ ସୁଗନ୍ଧ ଥାଏ । ଶ୍ରୀଲଙ୍କା ହେଉଛି ଏଭଳି କିଛି ଦେଶ ମଧ୍ୟରେ ଅନ୍ୟତମ ଯେଉଁଠାରେ ପ୍ରତ୍ୟେକ ଚା ପତ୍ରକୁ ଯାନ୍ତ୍ରିକରଣ ପରିବର୍ତ୍ତେ ହାତରେ ତୋଳି ନିଆଯାଏ; ଯଦି ଯନ୍ତ୍ରପାତି ବ୍ୟବହାର କରାଯାଏ, ତେବେ ବହୁ ସଂଖ୍ୟକ ଘନ ପତ୍ର ଏବଂ ଡାଳ ମିଶି ଯାଇପାରେ, ଯଦ୍ୱାରା ଚା'ର ପରିମାଣ ସିନା ବଢେ କିନ୍ତୁ ଚା’ରେ ସ୍ୱାଦ ନଥାଏ [୩]। ଅଭିଜ୍ଞତା ସହିତ ମହିଳାମାନେ ଶୀଘ୍ର ଶୀଘ୍ର ଚା ପତ୍ର ତୋଳିବାର କ୍ଷମତା ହାସଲ କରନ୍ତି ଏବଂ ଦୈନିକ ପ୍ରାୟ ୧୫ରୁ ୨୦ କିଲୋଗ୍ରାମ ଚା ପତ୍ରର ଓଜନ ସ୍ଥିର କରି ତା’ପରେ ନିକଟସ୍ଥ ଚା କାରଖାନାକୁ ପଠାଯାଏ । ଶ୍ରୀଲଙ୍କାରେ ଚା ପ୍ଲାଣ୍ଟଗୁଡ଼ିକ ନିରନ୍ତର ଯତ୍ନ ଏବଂ ଧ୍ୟାନ ଆବଶ୍ୟକ କରନ୍ତି । ଚା ଚାଷ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ସାରର ନିୟମିତ ପ୍ରୟୋଗ ସହିତ ମୃତ୍ତିକାର ଯତ୍ନ ନେବା । ଛୋଟ ଉଦ୍ଭିଦଗୁଡିକୁ ନିୟମିତ ଭାବରେ ୧୦-୧୫ ସେମି ଭୂମିରୁ ଉଚ୍ଚତା ରଖି କାଟି ଦିଆଯାଏ ଯାହାଫଳରେ ଏହାର ପାର୍ଶ୍ୱକୁ ବୃଦ୍ଧି ହେବାରେ ଏହା ସହାୟକ ହୋଇଥାଏ ।

ଶ୍ରୀଲଙ୍କାର ଅଧିକାଂଶ ଅଞ୍ଚଳରେ ଚା କାରଖାନାଗୁଡ଼ିକରେ ଉତ୍ପାଦିତ ଚା’ର ଅନ୍ତିମ ଗୁଣ ଏବଂ ମୂଲ୍ୟ ଗୁରୁତ୍ୱ ବହନ କରିଥାଏ । ଚାହା ପତ୍ରକୁ ତୋଳିବା ପରେ ତାକୁ ଅତି ଶୀଘ୍ର ଏକ ତଦାରଖ ସ୍ଥଳକୁ ବା ସେଡକୁ ନିଆଯାଏ ଏବଂ ତନ୍ନତନ୍ନ କରି ତଦାରଖ ତଥା ଓଜନ କରାଯାଏ, ଏବଂ ପରେ ଚା ପତ୍ର ଗୁଡ଼ିକୁ କାରଖାନାକୁ ଅଣାଯାଏ । ଶ୍ରୀଲଙ୍କାର ଏକ ଚା କାରଖାନା ସାଧାରଣତଃ ଏକ ବହୁ ମହଲା କୋଠା ହୋଇଥାଏ ଯାହାକି ପତ୍ର ତୋଳିବା ଏବଂ ଚା ପ୍ରକ୍ରିୟାକରଣ ମଧ୍ୟରେ ସ୍ଥାନାନ୍ତର ଖର୍ଚ୍ଚ ଏବଂ ସମୟକୁ କମ୍ କରିଥାଏ । ଚା ପତ୍ରଗୁଡିକ କାରଖାନାର ଉପର ମହଲାକୁ ନିଆଯାଏ ଯେଉଁଠାରେ ସେଗୁଡିକ ଏକ ଓସାରିଆ ନାଳ ଆକାରର ଖାଲରେ ପକାଇ ଏହାର ପ୍ରକ୍ରିୟାକରଣ ଆରମ୍ଭ କରାଯାଏ । ଥରେ ଶୁଖିଗଲେ, ଚା ପତ୍ରଗୁଡିକ ଗୁଡାଇହୋଇଯାଏ, ମୋଡ଼ି ହୋଇଯାଏ ଏବଂ ବିଭାଜିତ ହୁଏ, ଯାହା ଫଳରେ ପତ୍ରରେ ଥିବା ଏନଜାଇମଗୁଡିକ ବାୟୁରେ ଥିବା ଅମ୍ଳଜାନ ସହିତ ପ୍ରତିକ୍ରିୟା କରିବା ପାଇଁ ଏକ ଅନୁକ୍ରମଣିକା ଭାବରେ କାର୍ଯ୍ୟ କରିଥାଏ, ବିଶେଷ କରି କଳା ଚା ଉତ୍ପାଦନ ପାଇଁ ।

ପତ୍ରଗୁଡିକ ବୃତ୍ତାକାର ପିତ୍ତଳ କିମ୍ବା କାଠ ବ୍ୟାଟେନ୍ ଟେବୁଲ ଉପରେ ଗଡ଼ାଯାଇ ଉପରୁ ଏକ ଘୂର୍ଣ୍ଣନ ଖୋଲା ସିଲିଣ୍ଡରରେ ରଖାଯାଏ । ଗଡ଼ିବା ସମାପ୍ତ ହେବା ପରେ, ପତ୍ର କଣିକାଗୁଡ଼ିକ ଏକ ଟେବୁଲ ଉପରେ ବିସ୍ତାର ହୁଏ ଯେଉଁଠାରେ ସେମାନେ ପରିବେଶର ଉତ୍ତାପ ଏବଂ ଆର୍ଦ୍ରତା ମଧ୍ୟରେ ଅକ୍ସିଡାଇଜ୍ ହେବା ଆରମ୍ଭ କରନ୍ତି । ତାପମାତ୍ରା, ଆର୍ଦ୍ରତା ଏବଂ ଅକ୍ସିଡେସନର ଅବଧି ନିୟନ୍ତ୍ରଣ କରିବା ପାଇଁ ବହୁତ ଧ୍ୟାନ ଆବଶ୍ୟକ ହୁଏ ଏବଂ ଏହି ପ୍ରକ୍ରିୟାରେ ଅତ୍ୟଧିକ ବିଚ୍ୟୁତି ସମୟ୍ସ ସମୟରେ ଅନ୍ତିମ ଦ୍ରବ୍ୟକୁ ନଷ୍ଟ କରିପାରେ । ଅକ୍ସିଡାଇଜେସନ୍ ଜାରି ରହିଲେ ପତ୍ରର ରଙ୍ଗ ସବୁଜରୁ ଉଜ୍ଜ୍ୱଳ ତମ୍ବା ରଙ୍ଗରେ ବଦଳିଯାଏ । ଥରେ ଅକ୍ସିଡେସନ୍ ସଂପୂର୍ଣ୍ଣ ହୋଇଗଲେ, ଫିକା ପତ୍ରକୁ ଏକ ଫାୟାରିଙ୍ଗ୍ ଚାମ୍ବରରେ ଭର୍ତ୍ତି କରାଯାଏ, ଫଳରେ ଏହା ଏନଜାଇମକୁ ଖଣ୍ଡନ କରି ଅଧିକ ରାସାୟନିକ ପ୍ରତିକ୍ରିୟା ଘଟିବାକୁ ରୋକିଥାଏ । ଫାୟାରିଂ ପ୍ରକ୍ରିୟା ମଧ୍ୟ ଚାହାର ସ୍ୱାଦ ନିରୁପଣ କରିବାରେ ସହାୟକ ହୋଇଥାଏ ।

ଗ୍ରେଡିଂ ( ଆକାର ଅନୁଯାୟୀ ସଜାଇବା) ପ୍ରକ୍ରିୟାରେ ଚା ’କଣିକାଗୁଡ଼ିକୁ ବିଭିନ୍ନ ଆକୃତି ଏବଂ ଆକାରରେ ସଜାଯାଇ ମେସ୍ ମାଧ୍ୟମରେ ଅଲଗା କରି ହୁଏ । ଉତ୍ପାଦନ ପ୍ରକ୍ରିୟାର କୌଣସି ପର୍ଯ୍ୟାୟରେ କୌଣସି କୃତ୍ରିମ ସଂରକ୍ଷଣକାରୀ ଯୋଗ କରାଯାଏ ନାହିଁ ଏବଂ ମାନକ ପାଳନ କରିବାରେ ବିଫଳ ହୋଇଥିବା ଚାହାକୁ ଏହାର ପରିମାଣ ଏବଂ ମୂଲ୍ୟ ନିର୍ବିଶେଷରେ ପ୍ରତ୍ୟାଖ୍ୟାନ କରାଯାଏ | ଶେଷରେ, ଚାଗୁଡ଼ିକୁ ଓଜନ କରାଯାଇ କାଗଜ ମୁଣିରେ ପ୍ୟାକ୍ କରାଯାଏ ଏବଂ ତା’ପରେ ଏକ ଯାଞ୍ଚ କରାଯାଇଥାଏ । ତାପରେ ଚା’ ସ୍ଥାନୀୟ ଦଲାଲ କମ୍ପାନୀକୁ ପଠାଯାଏ । ରପ୍ତାନି ପର୍ଯ୍ୟାୟରେ ଶ୍ରୀଲଙ୍କା ଚା ବୋର୍ଡ ପ୍ରତ୍ୟେକ ପଠାଣ ମାଲକୁ ଯାଞ୍ଚ ଏବଂ ନମୁନା ସଂଗ୍ରହ କରେ ଏବଂ ପରିଶେଷରେ ଚା’ ପ୍ୟାକେଜ୍ ହୋଇ ସାରା ବିଶ୍ୱକୁ ପଠାଯାଏ ।

ଆଧାର[ସମ୍ପାଦନା]

  1. "INDUSTRY CAPABILITY REPORT" (PDF). www.srilankabusiness.com. Retrieved 18 November 2020.
  2. Pacheco, Veronica. "American University, Washington, D.C." American University (in ଇଂରାଜୀ). Retrieved 18 November 2020.
  3. "Tea Producing Process". web.archive.org. 18 February 2009. Retrieved 18 November 2020.