ଶ୍ରଦ୍ଧାତ୍ରୟ ବିଭାଗ ଯୋଗ (ଶ୍ରୀମଦ୍ଭଗବତ୍ଗୀତା)

ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ଶ୍ରୀମଦ୍ଭଗବତ୍ଗୀତାର ସପ୍ତଦଶ ଅଧ୍ୟାୟ । ମହାଭାରତ ପୁରାଣର ଭୀଷ୍ମ ପର୍ବ ମଧ୍ୟରେ, 25ତମ ଅଧ୍ୟାୟ ରୁ 42ତମ ଅଧ୍ୟାୟ ପର୍ଯ୍ୟନ୍ତ 18ଟି ଅଧ୍ୟାୟ ଭଗବଦ୍ଗୀତା ଭାବେ ପରିଚିତ । ଭୀଷ୍ମ ପର୍ବର ୪୧ ତମ ଅଧ୍ୟାୟରେ ୨୮ଟି ଶ୍ଳୋକ ମାଧ୍ୟମରେ ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ଯୋଗର ମହିମା ବର୍ଣ୍ଣନା ହୋଇଛି ।[୧]
ଭାଗବତ ଗୀତାର ଏକ ସ୍ୱତନ୍ତ୍ର ଗ୍ରନ୍ଥ ଭାବେ ମଧ୍ୟ ମାନ୍ୟତା ରହିଛି । କୁରୁକ୍ଷେତ୍ର ଯୁଦ୍ଧର ଆରମ୍ଭ ସମୟରେ ଭଗବାନ ଶ୍ରୀକୃଷ୍ଣ ନିଜେ ଅର୍ଜୁନଙ୍କୁ ଯେଉଁ ଜ୍ଞାନ ଦେଇଥିଲେ, ତାହା ହିଁ ଏହି ଗୀତା; ଏହିକାରଣରୁ ଏହା ହିନ୍ଦୁମାନଙ୍କ ପାଇଁ ପରମ ପବିତ୍ର ଗ୍ରନ୍ଥଗୁଡିକ ମଧ୍ୟରୁ ଅନ୍ୟତମ । ଭଗବଦ୍ଗୀତାକୁ ଏକ ସିଦ୍ଧାନ୍ତ ଗ୍ରନ୍ଥ ଭାବେ ଗ୍ରହଣ କରାଯାଏ; ଏଥିରେ ବେଦ, ବେଦାନ୍ତ ଓ ଯୋଗ ଶାସ୍ତ୍ରର ବିଶେଷତା ନିହିତ ଅଛି ବୋଲି ବିଶ୍ୱାସ । ଭଗବଦ୍ଗୀତାକୁ ସାଧାରଣତଃ “ଗୀତା” ବୋଲି କୁହାଯାଏ ଏବଂ ଏହା “ଗୀତୋପନିଷଦ୍” ବୋଲି ମଧ୍ୟ ପରିଚିତ । ଏହି ଗ୍ରନ୍ଥରେ ଭଗବାନଙ୍କ ତତ୍ତ୍ୱ, ଆତ୍ମତତ୍ତ୍ୱ, ଜୀବନର ଲକ୍ଷ୍ୟ ଓ ତାହାକୁ ପ୍ରାପ୍ତି କରିବାର ପଥ ସମ୍ବନ୍ଧୀୟ ଶିକ୍ଷା ଦିଆଯାଇଛି।[୨]
ବିଷୟ
[ସମ୍ପାଦନା]ଚତୁର୍ଦ୍ଦଶ ଅଧ୍ୟାୟରେ ଶ୍ରୀକୃଷ୍ଣ ଭୁତିକ ପ୍ରକୃତିର ତିନିଟି ଗୁଣର ବ୍ୟାଖ୍ୟା କରିଥିଲେ ଏବଂ ସେମାନେ ମନୁଷ୍ୟଙ୍କୁ କିପରି ପ୍ରଭାବିତ କରନ୍ତି, ତାହା ମଧ୍ୟ ବୁଝାଇଥିଲେ । ଏହି ସପ୍ତଦଶ ଅଧ୍ୟାୟରେ ଶ୍ରୀକୃଷ୍ଣ ଗୁଣମାନଙ୍କର ପ୍ରଭାବ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରଥମେ ସେ ଶ୍ରଦ୍ଧା ବିଷୟରେ ଆଲୋଚନା କରନ୍ତି ଏବଂ କୁହନ୍ତି ଯେ କୌଣସି ମନୁଷ୍ୟ ଶ୍ରଦ୍ଧା ବିହୀନ ନୁହଁ, କାରଣ ଏହା ମାନବଜାତିର ଜନ୍ମଜାତ ସ୍ଵଭାବ । କିନ୍ତୁ ମନର ପ୍ରକୃତି ଅନୁଯାୟୀ ଲୋକମାନଙ୍କର ଶ୍ରଦ୍ଧା ସାତ୍ତ୍ୱିକ, ରାଜସିକ ଅଥବା ତାମସିକ ହୁଏ । ଶ୍ରଦ୍ଧାର ପ୍ରକୃତି ନିଜେ ମନୁଷ୍ୟଙ୍କ ଜୀବନଶୈଳୀକୁ ନିର୍ଣ୍ଣୟ କରେ । ଲୋକେ ନିଜ ରୁଚି ଅନୁଯାୟୀ ଖାଦ୍ୟର ଚୟନ କରନ୍ତି ।
ଶ୍ରୀକୃଷ୍ଣ ଖାଦ୍ୟକୁ ତିନୋଟି ଶ୍ରେଣୀରେ ବିଭକ୍ତ କରନ୍ତି ଏବଂ ପ୍ରତ୍ୟେକ ଖାଦ୍ୟ ଆମର ସ୍ୱାସ୍ଥ୍ୟରେ କିପରି ପ୍ରଭାବ ପକାଏ, ସେ ବିଷୟରେ କୁହନ୍ତି । ପରେ ସେ ଯଜ୍ଞ ବିଷୟରେ କହି ବୁଝାନ୍ତି ଯେ ପ୍ରକୃତିର ତିନିଟି ଗୁଣ ଅନୁଯାୟୀ ଯଜ୍ଞ ଭିନ୍ନ-ଭିନ୍ନ ପ୍ରକାରରେ ସମ୍ପନ୍ନ ହୁଏ । ଏହି ଅଧ୍ୟାୟରେ ପୁନଶ୍ଚ ତପସ୍ୟା ବିଷୟରେ ଆଲୋଚନା ହୋଇଛି ଏବଂ ଶରୀର, ବାଣୀ ଓ ମନସ୍ର ତପର ବ୍ୟାଖ୍ୟା ଦିଆଯାଇଛି । ମୁଳତଃ ପ୍ରତ୍ୟେକ ତପସ୍ୟାର ସ୍ୱରୂପ ତିନୋଟି ଗୁଣ, ସତ୍ତ୍ୱ, ରଜସ୍, ତମସ୍ ର ପ୍ରଭାବରେ ଭିନ୍ନ ହୋଇଥାଏ । ଏହା ପରେ ଦାନ ବିଷୟରେ ଆଲୋଚନା କରାଯାଇଛି ଏବଂ ଏହାର ତିନି ପ୍ରକାର ଉଲ୍ଲେଖ କରାଯାଇଛି।
ଶେଷରେ ଶ୍ରୀକୃଷ୍ଣ “ଓଁ-ତତ୍-ସତ୍” ଶବ୍ଦଗୁଡ଼ିକର ଗୁରୁତ୍ୱ ଓ ଅର୍ଥ ବିଷୟରେ ଆଲୋକ ପାତ କରନ୍ତି, ଯାହା ପରମ ସତ୍ୟର ଭିନ୍ନ ଭିନ୍ନ ରୂପର ପ୍ରତୀକ। ‘ଓଁ’ ଶବ୍ଦଟି ଭଗବାନଙ୍କର ନିରାକାର ସ୍ୱରୂପର ପ୍ରତୀକ ଅଟେ । ‘ତତ୍’ ଶବ୍ଦର ଉଚ୍ଚାରଣ ଭଗବାନଙ୍କ ନିମନ୍ତେ ଉଦ୍ଦିଷ୍ଟ କର୍ମ ଏବଂ ଅନୁଷ୍ଠାନ ଗୁଡ଼ିକର ପବିତ୍ରୀକରଣ ପାଇଁ କରାଯାଇଥାଏ । ‘ସତ୍’ ଶବ୍ଦର ଅର୍ଥ ଚିରନ୍ତନ ସତ୍ୟ ଏବଂ ସଦ୍ଗୁଣ । ଏକତ୍ରିତ ଭାବରେ, ସେମାନେ ପରାତ୍ପରତାର ଅବଧାରଣାକୁ ଅଭିବ୍ୟକ୍ତ କରନ୍ତି ।
ଏହି ଅଧ୍ୟାୟର ଶେଷରେ ଏହି ସିଦ୍ଧାନ୍ତ ଦିଆଯାଇଛି ଯେ, ଯଦି ଯଜ୍ଞ, ତପ ଓ ଦାନ ନିୟମ-ନିଷେଧକୁ ଅବହେଳା କରି କରାଯାଏ, ତେବେ ସମସ୍ତ କୃତ୍ୟ ନିର୍ବଳ ଓ ନିରର୍ଥକ ପ୍ରମାଣିତ ହୁଏ ।[୩]
ଆଧାର
[ସମ୍ପାଦନା]- ↑ Arnold, Sir Edwin (1899). Bhagavadgita (in ଇଂରାଜୀ). Courier Corporation. ISBN 978-0-486-27782-0.
- ↑ "Bhagavad Gita is major source of inspiration for youth: Khattar". The Indian Express (in ଇଂରାଜୀ). 2020-12-26. Retrieved 2025-11-04.
- ↑ "ସପ୍ତଦଶ ଅଧ୍ୟାୟ: ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ - Bhagavad Gita, The Song of God – Swami Mukundananda". www.holy-bhagavad-gita.org. Retrieved 2025-11-19.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |