Jump to content

ଶିବ ପଞ୍ଚାକ୍ଷର ସ୍ତୋତ୍ର

ଉଇକିପିଡ଼ିଆ‌ରୁ
The great Shiva ji's meditating statue at Rishikesh

ଶିବ ପଞ୍ଚାକ୍ଷର ସ୍ତୋତ୍ର (ସଂସ୍କୃତ: शिवपञ्चाक्षरस्तोत्र, romanized: śiva-pañcākṣara-stotra,, ଅର୍ଥ — ଶିବଙ୍କ ପାଞ୍ଚଟି ଅକ୍ଷରର ସ୍ତୋତ୍ର) ହେଉଛି ଭଗବାନ୍ ଶିବଙ୍କୁ ଉଦ୍ଦେଶ୍ୟ କରି ରଚିତ ଗୋଟିଏ ହିନ୍ଦୁ ଧାର୍ମିକ ସ୍ତୋତ୍ର।[] ପାଞ୍ଚଟି ଶ୍ଲୋକରେ (ଶ୍ଲୋକା) ଗଠିତ ଏହି ସ୍ତୋତ୍ରଟି ଦାର୍ଶନିକ ଆଦି ଶଙ୍କରାଚାର୍ଯ୍ୟ ଦ୍ୱାରା ରଚିତ ବୋଲି ମନେ କରାଯାଏ । ଏହି ସ୍ତୋତ୍ରର ରଚୟିତା ଭଗବତ୍ପାଦ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ମହାନ୍ ଶିବ ଭକ୍ତ, ଅଦ୍ୱୈତବାଦୀ ଏବଂ ଧର୍ମଚକ୍ର ପ୍ରବର୍ତ୍ତକ ଥିଲେ । ସନାତନ ଗ୍ରନ୍ଥ ଓ ବିଦ୍ୱାନମାନଙ୍କ ଅନୁସାରେ, ସେ ଭଗବାନ୍ ଶିବଙ୍କ ଅବତାର ଥିଲେ । ତାଙ୍କ ବିଷୟରେ ଏହି ଶ୍ଲୋକ ବହୁପ୍ରଚଳିତ—

अष्टवर्षेचतुर्वेदी, द्वादशेसर्वशास्त्रवित् षोडशेकृतवान् भाष्यं द्वात्रिंशे मुनिरभ्यगात् ।

ଅର୍ଥାତ୍ —ଆଠ ବର୍ଷ ବୟସରେ ସେ ଚାରିଟି ବେଦରେ ନିପୁଣତା ଲାଭ କରିଥିଲେ, ବାର ବର୍ଷରେ ସମସ୍ତ ଶାସ୍ତ୍ରରେ ନିପୁଣତା ହାସଲ କରିଥିଲେ, ଷୋଳ ବର୍ଷରେ ସେ ଶାଙ୍କର ଭାଷ୍ୟର ରଚନା କରିଥିଲେ ଏବଂ ବତିଶି ବର୍ଷ ବୟସରେ ସେ ନିଜ ଦେହ ତ୍ୟାଗ କରିଥିଲେ ।

ବର୍ଣ୍ଣନା

[ସମ୍ପାଦନା]

ପଞ୍ଚାକ୍ଷର (ସଂସ୍କୃତ: ପଞ୍ଚାକ୍ଷର)ର ଅର୍ଥ ସଂସ୍କୃତରେ "ପାଞ୍ଚଟି ଅକ୍ଷର"। ଶିବ ପଞ୍ଚାକ୍ଷର ସ୍ତୋତ୍ରରେ 'ନ', 'ମ', 'ଶି', 'ବା' ଏବଂ 'ୟ' — ଏହି ପାଞ୍ଚଟି ଅକ୍ଷରକୁ ସୂଚିତ କରାଯାଇଛି, ଯେଉଁଥିରୁ "ଓଁ ନମଃ ଶିବାୟ" ମନ୍ତ୍ର ଗଠିତ ହୋଇଛି, ଏବଂ ଏହା ତାଙ୍କର ଆଧ୍ୟାତ୍ମିକ ଅର୍ଥ ଓ ଶିବ ସହିତ ସମ୍ବନ୍ଧକୁ ବ୍ୟାଖ୍ୟା କରେ ।

କିଛି ଶାସ୍ତ୍ର ଅନୁସାରେ, ଏହି ପାଞ୍ଚଟି ଅକ୍ଷରକୁ ମାନବ ଶରୀରର ମହାପଞ୍ଚଭୂତର ପ୍ରତୀକ ଭାବେ ଦେଖାଯାଏ ଏବଂ ବିଶ୍ୱସ ଅଛି ଯେ ଏହାମାନଙ୍କୁ ଜପ କଲେ ଶରୀରରେ ଥିବା ଏହି ପଞ୍ଚଭୂତ ଶକ୍ତିମାନ୍ ଓ ସଚଳ ହୁଅନ୍ତି।

'ନ' — ପୃଥିବୀ (ମାଟି),

'ମ' — ଜଳ,

'ଶି' — ଅଗ୍ନି,

'ବା' — ବାୟୁ,

ଏବଂ 'ୟ' — ଆକାଶକୁ ସୂଚାଏ।[]

ସ୍ତୋତ୍ର ଏବଂ ଭାଷାନ୍ତର

[ସମ୍ପାଦନା]

ଏହି ସ୍ତୋତ୍ରର ପାଞ୍ଚଟି ଶ୍ଲୋକରେ କ୍ରମ଼ଶଃ ନ, ମ, ଶି, ବା ଏବଂ ଯ ଅଛି, ଯାହା ମାନେ ନମଃ ଶିବାୟ ଅର୍ଥ ସୂଚାଏ । ସମଦୃଷ୍ଟିରେ ଏହି ସମ୍ପୂର୍ଣ୍ଣ ସ୍ତୋତ୍ରଟି ଶିବ ସ୍ୱରୂପ ।

ପ୍ରଥମ ପଂକ୍ତି (ନ)

[ସମ୍ପାଦନା]

नागेन्द्रहाराय त्रिलोचनाय

भस्माङ्गरागाय महेश्वराय।

नित्याय शुद्धाय दिगम्बराय

तस्मै नकाराय नमः शिवाय॥[][]

(ନାଗେନ୍ଦ୍ରହାରାୟ ତ୍ରିଲୋଚନାୟ ଭସ୍ମାଙ୍ଗରାଗାୟ ମହେଶ୍ଵରାୟ।

ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ ତସ୍ମୈ "ନ" କାରାୟ ନମଃ ଶିବାୟ॥)

ହେ ମହେଶ୍ୱର! ଆପଣ ନାଗରାଜଙ୍କୁ ହାର ଭାବରେ ଧାରଣ କରୁଛନ୍ତି । ହେ ତ୍ରିନେତ୍ର ଧାରୀ ତ୍ରିଲୋଚନ! ଆପଣ ଭସ୍ମଧାରୀ, ନିତ୍ୟ (ଅନାଦି, ଅନନ୍ତ) ଏବଂ ଶୁଦ୍ଧ । ହେ ଦିଗମ୍ବର ଶିବ! ଆପଣଙ୍କ ‘ନ’ ଅକ୍ଷରରେ ପରିଚିତ ସ୍ୱରୂପକୁ ନମସ୍କାର।

ଦ୍ଵିତୀୟ ପଂକ୍ତି (ମ)

[ସମ୍ପାଦନା]

मन्दाकिनीसलिलचन्दनचर्चिताय

नन्दीश्वरप्रमथनाथमहेश्वराय।

मन्दारपुष्पबहुपुष्पसुपूजिताय

तस्मै मकाराय नमः शिवाय॥

(ମନ୍ଦାକିନୀ ସଲିଳ ଚନ୍ଦନ ଚର୍ଚ୍ଚିତାୟ ନନ୍ଦୀଶ୍ୱର ପ୍ରମଥନାଥ ମହେଶ୍ୱରାୟ।

ମନ୍ଦାରପୁଷ୍ପ ବହୁପୁଷ୍ପ ସୁପୂଜିତାୟ ତସ୍ମୈ "ମ" କାରାୟ ନମଃ ଶିବାୟ॥)

ଚନ୍ଦନରେ ଅଙ୍କିତ, ଗଙ୍ଗାଧାରାରେ ଶୋଭିତ, ନନ୍ଦୀଶ୍ଵର ଏବଂ ପ୍ରମଥନାଥ ମହେଶ୍ୱର ! ଆପଣ ମନ୍ଦାରପୁଷ୍ପ ସହ ସମସ୍ତ ପୁଷ୍ପରେ ସଦା ପୂଜିତ। ହେ ଶିବ, ଆପଣଙ୍କ ‘ମ’ ଅକ୍ଷର ଦ୍ୱାରା ଜ୍ଞାତ ସ୍ୱରୂପକୁ ନମସ୍କାର।

ତୃତୀୟ ପଂକ୍ତି (ଶି)

[ସମ୍ପାଦନା]

शिवाय गौरी वदनाब्जवृंद सूर्याय दक्षाध्वरनाशकाय।

श्री नीलकण्ठाय वृषध्वजाय तस्मै "शि" काराय नमः शिवाय॥

(ଶିବାୟ ଗୌରୀ ବଦନାବ୍ଜ ବୃନ୍ଦ ସୂର୍ୟାୟ ଦକ୍ଷାଧ୍ୱରନାଶକାୟ।

ଶ୍ରୀ ନୀଳକଣ୍ଠାୟ ବୃଷଧ୍ୱଜାୟ ତସ୍ମୈ "ଶି" କାରାୟ ନମଃ ଶିବାୟ॥**)

ହେ ଧର୍ମପତାକାଧାରୀ! ହେ ନୀଳକଣ୍ଠ! ‘ଶି’ ଅକ୍ଷର ଦ୍ୱାରା ପରିଚିତ ମହାପ୍ରଭୁ ! ଆପଣ ଦକ୍ଷଙ୍କ ଅହଂକାରୀ ଯଜ୍ଞକୁ ନାଶ କରିଥିଲେ। ହେ ପାର୍ବତୀଙ୍କ ମୁଖକମଳକୁ ସୂର୍ଯ୍ୟତେଜ ଦେଇଥିବା ଶିବ! ଆପଣଙ୍କ ‘ଶି’ ଅକ୍ଷର ସ୍ୱରୂପକୁ ନମସ୍କାର।

ଚତୁର୍ଥ ପଂକ୍ତି (ବା)

[ସମ୍ପାଦନା]

वसिष्ठकुम्भोद्भवगौतम आर्य

मुनीन्द्र देवार्चित शेखराय।

चर्माम्बर धाररिणे शशिवक्त्राय

तस्मै विकाराय नमः शिवाय॥|

(ବସିଷ୍ଠ କୁମ୍ଭୋଦ୍ଭବ ଗୌତମାର୍ଯ ମୁନୀନ୍ଦ୍ର ଦେବାର୍ଚ୍ଚିତ ଶେଖରାୟ।

ଚନ୍ଦ୍ରାର୍କ ବୈଶ୍ୱାନର ଲୋଚନାୟ ତସ୍ମୈ "ବ" କାରାୟ ନମଃ ଶିବାୟ॥**)

ହେ ଦେବାଧିଦେବ! ବସିଷ୍ଠ, ଅଗସ୍ତ୍ୟ, ଗୌତମ ଓ ଦେବଗଣଙ୍କ ଦ୍ୱାରା ପୂଜିତ! ସୂର୍ଯ୍ୟ, ଚନ୍ଦ୍ର ଓ ଅଗ୍ନି ଆପଣଙ୍କ ତିନୋଟି ନୟନ ସ୍ୱରୂପ। ହେ ଶିବ! ଆପଣଙ୍କ ‘ବ’ ଅକ୍ଷର ଦ୍ୱାରା ପରିଚିତ ସ୍ୱରୂପକୁ ନମସ୍କାର।

ପଞ୍ଚମ ପଂକ୍ତି (ୟ)

[ସମ୍ପାଦନା]

यज्ञस्वरूपाय जटाधराय

नित्याय शुद्धाय पिनाकिने।

पशूनां पतये नमः शिवाय

तस्मै यकाराय नमः शिवाय॥|

(ୟକ୍ଷସ୍ୱରୂପାୟ ଜଟାଧରାୟ ପିନାକହସ୍ତାୟ ସନାତନାୟ।

ଦିବ୍ୟାୟ ଦେବାୟ ଦିଗମ୍ବରାୟ ତସ୍ମୈ "ୟ" କାରାୟ ନମଃ ଶିବାୟ॥**)

ହେ ଯକ୍ଷସ୍ୱରୂପ, ଜଟାଧାରୀ, ପିନାକଧାରୀ ଶିବ! ଆପଣ ଆଦି, ମଧ୍ୟ ଓ ଅନ୍ତ ବିହୀନ ସନାତନ। ହେ ଦିବ୍ୟ ଦିଗମ୍ବର ଶିବ! ଆପଣଙ୍କ ‘ୟ’ ସ୍ୱରୂପକୁ ନମସ୍କାର।

ସ୍ତୋତ୍ରର ମାହାତ୍ମ୍ୟ ସଂପର୍କରେ

[ସମ୍ପାଦନା]

पंचाक्षरमिदं पुण्यं यः पठेत् शिव सन्निधौ।

शिवलोकमवाप्नोति शिवेन सह मोदते॥

इति श्रीमच्छंकराचार्यविरचितं श्रीशिवपंचाक्षरस्तोत्रं सम्पूर्णम् ।

(ପଞ୍ଚାକ୍ଷରମିଦଂ ପୁଣ୍ୟଂ ଯଃ ପଠେତ୍ ଶିବ ସନ୍ନିଧୌ।

ଶିବଲୋକମବାପ୍ନୋତି ଶିବେନ ସହ ମୋଦତେ॥

ଇତି ଶ୍ରୀମତ୍‌ ଶଙ୍କରାଚାର୍ଯ୍ୟବିରଚିତଂ ଶ୍ରୀ ଶିବ ପଞ୍ଚାକ୍ଷର ସ୍ତୋତ୍ରମ୍ ସମ୍ପୂର୍ଣ୍ଣମ୍ ॥)

ଯିଏ ଦିନ ପ୍ରତିଦିନ ଶିବଙ୍କ ସମ୍ମୁଖରେ ଏହି ପଞ୍ଚାକ୍ଷର ସ୍ତୋତ୍ର ପାଠ କରେ, ସେ ଶିବଲୋକକୁ ପ୍ରାପ୍ତ କରେ ଏବଂ ଶିବଙ୍କ ସହ ସୁଖରେ ବାସ କରେ। ଏହା ସହ ଶ୍ରୀ ଶଙ୍କରାଚାର୍ଯ୍ୟବିରଚିତ ଶ୍ରୀ ଶିବ ପଞ୍ଚାକ୍ଷର ସ୍ତୋତ୍ର ସମ୍ପୂର୍ଣ୍ଣ ହେଲା ।

  1. Murty, A. Suryanarayana (1978). Sri Mukhalingam Temples, Including the Worship of Lord Siva, His Attributes (in ଇଂରାଜୀ). Bharatiya Vidya Bhavan.
  2. "Path to Siva: A Catechism for Youth". www.himalayanacademy.com. Retrieved 2025-11-25.
  3. Advaita Devatam God of Nonduality. Society of Abidance in Truth. 2009-08-01. p. 45. ISBN 978-0-9703667-9-5.
  4. Chaturananda, Ivan Pavkovic (2013-07-29). Atma Bhog. Bhakti Marga Publications. p. 265. ISBN 978-3-940381-97-2.