ଶରଦ୍ ଅରବିନ୍ଦ ବୋବଡେ
ଶରଦ୍ ଅରବିନ୍ଦ ବୋବଡେ (ଜନ୍ମ ୨୪ ଏପ୍ରିଲ୍ ୧୯୫୬) ଜଣେ ଭାରତୀୟ ନ୍ୟାୟବିଶାରଦ ଯିଏ ୧୮ ନଭେମ୍ବର ୨୦୧୯ରୁ ୨୩ ଏପ୍ରିଲ୍ ୨୦୨୧ ପର୍ଯ୍ୟନ୍ତ ଭାରତର ୪୭ତମ ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟରତ ଥିଲେ।[୧]ସେ ମଧ୍ୟପ୍ରଦେଶ ହାଇକୋର୍ଟର ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ଏବଂ ମହାରାଷ୍ଟ୍ର ନ୍ୟାସନାଲ୍ ଲ’ ୟୁନିଭର୍ସିଟି, ମୁମ୍ବାଇ ଓ ମହାରାଷ୍ଟ୍ର ନ୍ୟାସନାଲ୍ ଲ’ ୟୁନିଭର୍ସିଟି, ନାଗପୁରର ପୂର୍ବତନ କୁଳପତି ମଧ୍ୟ ଥିଲେ। ସେ ସୁପ୍ରିମ୍ କୋର୍ଟରେ ୮ ବର୍ଷର ଅବଧି ପୂରଣ କରି ୨୩ ଏପ୍ରିଲ୍ ୨୦୨୧ରେ ଅବସର ନେଲେ ।[୨] ୨୪ ଏପ୍ରିଲ୍ ୨୦୨୧ରେ ନ୍ୟାୟମୂର୍ତ୍ତି ଏନ୍. ଭି. ରମଣା ମୁଖ୍ୟ ନ୍ୟାୟାଧୀଶ ଭାବେ ତାଙ୍କ ସ୍ଥାନ ଗ୍ରହଣ କଲେ ।
ପରିବାର ଓ ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ବୋବଡେ ଜଣେ ନାଗପୁର-ଆଧାରିତ ମରାଠି ପରିବାରରୁ ଆସିଛନ୍ତି । ତାଙ୍କ ଅଣ-ଜେଜେ ରାମଚନ୍ଦ୍ର ପନ୍ଥ ବୋବଡେ ୧୮୮୦ରୁ ୧୯୦୦ ପର୍ଯ୍ୟନ୍ତ ଚନ୍ଦ୍ରପୁର (ତତ୍କାଳୀନ ଚାନ୍ଦା)ରେ ପ୍ରସିଦ୍ଧ ଅଧିବକ୍ତା ଥିଲେ। ପରେ ପରିବାର ନାଗପୁରକୁ ସ୍ଥାନାନ୍ତର କଲା । ତାଙ୍କ ଜେଜେ ଶ୍ରୀନିବାସ ରାମଚନ୍ଦ୍ର ବୋବଡେ ମଧ୍ୟ ଅଧିବକ୍ତା ଥିଲେ । ବୋବଡେଙ୍କ ପିତା ଅରବିନ୍ଦ ଶ୍ରୀନିବାସ ବୋବଡେ ୧୯୮୦ ଓ ୧୯୮୫ରେ ମହାରାଷ୍ଟ୍ରର ଅଟର୍ଣୀ-ଜେନେରାଲ୍ ଥିଲେ । ତାଙ୍କ ଜ୍ୟେଷ୍ଠ ଭାଇ, ପରଲୋକଗତ ବିନୋଦ ଅରବିନ୍ଦ ବୋବଡେ, ସୁପ୍ରିମ୍ କୋର୍ଟର ଜ୍ୟେଷ୍ଠ ଅଧିବକ୍ତା ଓ ସାମ୍ବିଧାନିକ ତତ୍ତ୍ୱବିଦ୍ ଥିଲେ ।[୩]
ଶିକ୍ଷା
[ସମ୍ପାଦନା]ବୋବଡେ ନାଗପୁରର ସେନ୍ଟ୍ ଫ୍ରାନ୍ସିସ୍ ଡି’ସେଲ୍ସ ହାଇ ସ୍କୁଲ୍ରେ ଶିକ୍ଷା ଗ୍ରହଣ କରିଥିଲେ । ସେ ସେଠାରୁ ସ୍ନାତକ ଡିଗ୍ରୀ ହାସଲ କରି ସେନ୍ଟ୍ ଫ୍ରାନ୍ସିସ୍ ଡି ସେଲ୍ସ କଲେଜ୍ରୁ ପାସ୍ କଲେ ଓ ଡ଼ଃ ଆମ୍ବେଦକର ଲ’ କଲେଜ୍, ନାଗପୁର ବିଶ୍ୱବିଦ୍ୟାଳୟରେ ଆଇନ ଶିକ୍ଷା ଲାଭ କଲେ ।
ଜୀବନୀ ଓ କାର୍ଯ୍ୟଜୀବନ
[ସମ୍ପାଦନା]ସେ ୧୩ ସେପ୍ଟେମ୍ବର ୧୯୭୮ରେ ଅଧିବକ୍ତା ଭାବେ ଭର୍ତ୍ତି ହୋଇ, ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଆଇନ ଅଭ୍ୟାସ କରିଥିଲେ, ସହିତେ ବମ୍ବେର ମୂଖ୍ୟ ବେଞ୍ଚ ଓ ଭାରତର ସୁପ୍ରିମ୍ କୋର୍ଟରେ ମଧ୍ୟ ହାଜର ହେଉଥିଲେ । ୧୯୯୮ରେ ସେ ବରିଷ୍ଠ ଅଧିବକ୍ତା ହେଲେ । ୨୯ ମାର୍ଚ୍ଚ ୨୦୦୦ରେ ସେ ବମ୍ବେ ହାଇକୋର୍ଟର ଅତିରିକ୍ତ ନ୍ୟାୟାଧୀଶ ଭାବେ ନିଯୁକ୍ତି ପାଇଲେ ଓ ୧୬ ଅକ୍ଟୋବର ୨୦୧୨ରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଭାବେ ପଦୋନ୍ନତି ପାଇଲେ । ୧୨ ଏପ୍ରିଲ୍ ୨୦୧୩ରେ ସେ ଭାରତର ସୁପ୍ରିମ୍ କୋର୍ଟରେ ନ୍ୟାୟାଧୀଶ ଭାବେ ପଦୋନ୍ନତି ପାଇଲେ ।
ସେ ୧୮ ନଭେମ୍ବର ୨୦୧୯ରେ ଭାରତର ୪୭ତମ ମୁଖ୍ୟ ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ ଓ ରଞ୍ଜନ ଗୋଗୋଇଙ୍କ ଉତ୍ତରାଧିକାରୀ ହେଲେ । ତାଙ୍କରି ୧ ବର୍ଷ ୫ ମାସର କାର୍ଯ୍ୟ ଅବଧିରେ ସେ ସୁପ୍ରିମ୍ କୋର୍ଟକୁ ଗୋଟିଏ ମାତ୍ର ନୂତନ ନ୍ୟାୟାଧୀଶ ମଧ୍ୟ ସୁପାରିଶ କରିନଥିବା ଏକମାତ୍ର CJI ହେଲେ ।[୪] ସେ ସୁପ୍ରିମ୍ କୋର୍ଟର ନ୍ୟାୟାଧୀଶ ଭାବେ ୬୮ଟି ରାୟ ଲେଖିଛନ୍ତି । କିନ୍ତୁ ସେ ୫୪୭ଟି ମାମଲାରେ ବେଞ୍ଚରେ ବସିଥିଲେ। ସେ ଗୋଟିଏ ବର୍ଷକୁ ହାରାହାରି ୮.୫ଟି ରାୟ ଲେଖିଛନ୍ତି। ସୁପ୍ରିମ୍ କୋର୍ଟରେ ସେ ସର୍ବାଧିକ ଯେଉଁ ବିଷୟରେ ରାୟ ଲେଖିଛନ୍ତି ତାହା ହେଉଛି ଫୌଜଦାରୀ ମାମଲା ସଂପର୍କିତ (କ୍ରିମିନାଲ୍ ଲ’), ଯେଉଁଥିରେ ସେ ୨୯ଟି ରାୟ ଲେଖିଛନ୍ତି ।[୫]
ଆଧାର
[ସମ୍ପାଦନା]- ↑ "Two judges sworn in Supreme Court, strength raised to 30". Zee News (in ଇଂରାଜୀ). Retrieved 2025-12-05.
- ↑ "Justice Sharad Arvind Bobde | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-05.
- ↑ NETWORK, LIVELAW NEWS (2016-06-11). "Senior Advocate Vinod Bobde Passes away". www.livelaw.in (in ଇଂରାଜୀ). Retrieved 2025-12-05.
- ↑ "Supreme Court collegium meets but discusses no names". The Times of India. 2021-04-09. ISSN 0971-8257. Retrieved 2025-12-05.
- ↑ "CJI Bobde Wrote 68 Judgments Over 8 Years". Supreme Court Observer (in ଆମେରିକୀୟ ଇଂରାଜୀ). Retrieved 2025-12-05.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |