Jump to content

ଲୁଇ ପାସ୍ତୁର

ଉଇକିପିଡ଼ିଆ‌ରୁ

ଲୁଇ ପାସ୍ତୁର (ଫ୍ରେଞ୍ଚ: Louis Pasteur) ଏକ ଫ୍ରେଞ୍ଚ ରସାୟନ ଶାସ୍ତ୍ରଜ୍ଞ ଏବଂ ସୂକ୍ଷ୍ମ ଜୀବ ବିଜ୍ଞାନୀ ଥିଲେ । ସେ ଟୀକାକରଣ, ତାତ୍ତ୍ୱିକ କିଣ୍ଵନ (fermentation) ଏବଂ ପାସ୍ତୁରିକରଣ (pasteurization) ର ସିଦ୍ଧାନ୍ତ ଆବିଷ୍କାର ପାଇଁ ପ୍ରସିଦ୍ଧ। ତାଙ୍କୁ "ଜୀବାଣୁ ବିଜ୍ଞାନର ଜନକ" ଏବଂ "ସୂକ୍ଷ୍ମଜୀବ ବିଜ୍ଞାନର ଜନକ" ଭାବେ ସମ୍ମାନ ଦିଆଯାଇଛି ।

ସଂକ୍ଷିପ୍ତ ଜୀବନି

[ସମ୍ପାଦନା]

ଲୁଇ ପାସ୍ତୁରଙ୍କ ଜନ୍ମ ୨୭ ଡିସେମ୍ବର ୧୮୨୨ ମସିହାରେ ଫ୍ରାନ୍ସର ଡୋଲେ ନାମକ ସହରରେ ଏକ ଗରିବ କ୍ୟାଥଲିକ୍ ଚର୍ମକାର ପରିବାରରେ ହୋଇଥିଲା ।[] ସେ ଜାନ୍-ଜୋସେଫ୍ ପାସ୍ତୁର ଏବଂ ଜିନ୍-ଏତିଏନେଟ୍ ରୋକିଙ୍କ ତୃତୀୟ ସନ୍ତାନ ଥିଲେ । ପାସ୍ତୁର ୧୮୩୧ ମସିହାରେ ପ୍ରାଥମିକ ବିଦ୍ୟାଳୟରେ ଭର୍ତ୍ତି ହେଲେ । ସେ ପ୍ରାରମ୍ଭରୁ ଜଣେ ସାଧାରଣ ଶିକ୍ଷାର୍ଥୀ ହିଁ ଥିଲେ କାରଣ ତାଙ୍କ ବିଶେଷ ଆଗ୍ରହ ମାଛ ଧରିବା ଏବଂ ଚିତ୍ର ଅଙ୍କନରେ ଥିଲା । ପାସ୍ତୁର ଆର୍ବୋଇସ୍‌ର ଜଣାଶୁଣା ମହାବିଦ୍ୟାଳୟ d'Arbois ରେ ଉଚ୍ଚତର ଶିକ୍ଷା ଗ୍ରହଣ କଲେ । ୧୮୩୮ ମସିହା ଅକ୍ଟୋବରରେ ସେ ପ୍ୟାରିସକୁ ଗଲେ ଏବଂ ଏକ ବୋର୍ଡିଂ ସ୍କୁଲରେ ଭର୍ତ୍ତି ହେବାକୁ ଚେଷ୍ଟା କଲେ । ତେବେ ଘରଠାରୁ ଦୂରରେ ରହି ନ ପାରିବା ଦୂର୍ବଳତା ହେତୁ ତାଙ୍କୁ ନଭେମ୍ବରରେ ଘରକୁ ଫେରିବାକୁ ହେଲା ।

୧୮୩୯ ମସିହାରେ ସେ Besançon ର Collège Royal ନାମକ ମହାବିଦ୍ୟାଳୟରେ ଯୋଗ ଦେଇ ଦର୍ଶନଶାସ୍ତ୍ର ଅଧ୍ୟୟନ କଲେ ଏବଂ ୧୮୪୦ ମସିହାରେ ତାଙ୍କର Bachelor of Letters ଡିଗ୍ରୀ ଲାଭ କଲେ । ସେ Besançon କଲେଜରେ ଅଧ୍ୟାପକ ଭାବେ ନିଯୁକ୍ତ ହେଲେ ଓ ଏହାସହ ବିଜ୍ଞାନ ଏବଂ ଗଣିତ ଅଧ୍ୟୟନ ଜାରି ରଖିଲେ । ୧୮୪୧ ମସିହାରେ ସେ ପ୍ରଥମ ପରୀକ୍ଷାରେ ବିଫଳ ହେବାପରେ ପରବର୍ତ୍ତୀ ଉଦ୍ୟମରେ ୧୮୪୨ ମସିହାରେ ଡିଜନରୁ Bachelor of Science in Mathematics ଡିଗ୍ରୀ ପାଇଲେ ।

୧୮୪୮ ମସିହାରେ ସେ କିଛି ସମୟ ପାଇଁ ଡିଜନ୍‌ରେ ଥିବା Lycée ନାମକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବେ କାମ କଲେ, ପରେ ସେ ସ୍ଟ୍ରାସବର୍ଗ ବିଶ୍ୱବିଦ୍ୟାଳୟରେ ରସାୟନ ବିଜ୍ଞାନ ଅଧ୍ୟାପକ ହେଲେ । ସେଠାରେ ସେ ୧୮୪୯ ମସିହାରେ ବିଶ୍ୱବିଦ୍ୟାଳୟର ରେକ୍ଟରଙ୍କ ଝିଅ ମେରୀ ଲରେଣ୍ଟ (Marie Laurent) ସହ ଭେଟିଲେ ଏବଂ ତାଙ୍କୁ ବିବାହ ପ୍ରସ୍ତାବ ଦେଲେ । ସେମାନେ ୨୯ ମଇ ୧୮୪୯ ରେ ବିବାହ କଲେ ଏବଂ ତାଙ୍କ ପାଞ୍ଚଟି ସନ୍ତାନ ହେଲେ ।[] ତେବେ ତନ୍ମଧ୍ୟରୁ ତିନିଜଣ ଟାଇଫ଼ଏଡ୍‌ ରୋଗରେ ମୃତ୍ୟୁବରଣ କରିଥିଲେ ।

୧୮୫୪ ମସିହାରେ ହିଁ ସେ ଲିଲ୍ ବିଶ୍ୱବିଦ୍ୟାଳୟର ନୂତନ ବିଜ୍ଞାନ ବିଭାଗର ଡିନ୍ ହେଲେ, ଯେଉଁଠାରେ ସେ ତାଙ୍କର କିଣ୍ଵନ (fermentation) ଉପରେ ଅଧ୍ୟୟନ ଆରମ୍ଭ କଲେ । ଏହି ସନ୍ଦର୍ଭରେ ତାଙ୍କ ଏକ ସୁନ୍ଦର ବାକ୍ୟ ରହିଛି — "dans les champs de l'observation, le hasard ne favorise que les esprits préparés" — ଅର୍ଥାତ୍ “ପର୍ଯ୍ୟବେକ୍ଷଣ ର କ୍ଷେତ୍ରରେ, ମନ ଯଦି ପ୍ରସ୍ତୁତ, ସୂଯୋଗ ଆପେ ଆପେ ମିଳିଯାଏ ।”

୧୮୫୭ ମସିହାରେ ସେ ପ୍ୟାରିସ୍‌କୁ ଚାଲିଗଲେ ଏବଂ École Normale Supérieure ନାମକ ମହାବିଦ୍ୟାଳୟରେ ବୈଜ୍ଞାନିକ ଅଧ୍ୟୟନ ବିଭାଗର ନିର୍ଦ୍ଦେଶକ ହେଲେ । ସେ ୧୮୫୮ରୁ ୧୮୬୭ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ ଓ ବୈଜ୍ଞାନିକ କାମର ଗୁଣବତ୍ତା ବଢ଼ାଇବା ପାଇଁ ଅନେକ ସୁଧାର ଆଣିଥିଲେ । ପରୀକ୍ଷା ପ୍ରକ୍ରିୟା ଅଧିକ କଠିନ ହେଲା, ଫଳରେ ଫଳାଫଳ ଉନ୍ନତ ହେଲା, ପ୍ରତିସ୍ପର୍ଧା ବଢ଼ିଲା ଓ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ବୃଦ୍ଧି ପାଇଲା ।

୧୮୬୩ ମସିହାରେ ସେ École nationale supérieure des Beaux-Arts ରେ ଭୂତତ୍ତ୍ୱ, ଭୌତିକ ବିଜ୍ଞାନ ଓ ରସାୟନ ବିଜ୍ଞାନର ପ୍ରଫେସର ହେଲେ, ଏବଂ ୧୮୬୭ ମସିହାରେ ପଦତ୍ୟାଗ କରିବା ପର୍ଯ୍ୟନ୍ତ ସେ ଏହି ପଦରେ ଥିଲେ । ଏହି ୧୮୬୭ ମସିହାରେ ସେ ସୋରବନ ବିଶ୍ୱବିଦ୍ୟାଳୟର ଜୀବ ରସାୟନ ବିଭାଗର ଅଧ୍ୟକ୍ଷ ହେଲେ, କିନ୍ତୁ ତାଙ୍କ ଖରାପ ସ୍ୱାସ୍ଥ୍ୟ ହେତୁ ସେ ଏହି ପଦ ତ୍ୟାଗକଲେ ।

୧୮୬୭ ମସିହାରେ, ପାସ୍ତୁରଙ୍କ ଅନୁରୋଧରେ École Normale ଶିକ୍ଷାୟତନରେ ଜୈବ-ରସାୟନ ଗବେଷଣା ଲ୍ୟାବ୍‌ ଖୋଲାଗଲା, ଯେଉଁଠାରେ ସେ ୧୮୬୭ ରୁ ୧୮୮୮ ପର୍ଯ୍ୟନ୍ତ ନିର୍ଦ୍ଦେଶକ ରୂପେ କାର୍ଯ୍ୟ କଲେ ।

୧୮୮୭ ମସିହାରେ ସେ ପ୍ୟାରିସ୍‌ରେ ପାସ୍ତୁର ଇନ୍‌ଷ୍ଟିଟ୍ୟୁଟ୍‌ ସ୍ଥାପନା କଲେ, ଏବଂ ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଏହି ଇନ୍‌ଷ୍ଟିଟ୍ୟୁଟ୍‌ର ନିର୍ଦ୍ଦେଶକ ଭାବରେ ରହିଥିଲେ ।

ପାସ୍ତୁର ଅନୁଷ୍ଠାନ

[ସମ୍ପାଦନା]

ରେବିସ୍ ଟିକା ବିକାଶ କରିବା ପରେ, ପାସ୍ତୁର ଏହି ଟିକା ପାଇଁ ଏକ ସଂସ୍ଥା ସ୍ଥାପନା କରିବା ପ୍ରସ୍ତାବ ରଖିଥିଲେ । ୧୮୮୭ ମସିହାରେ ପାସ୍ତୁର ସଂସ୍ଥାନ ପାଇଁ ଧନସଂଗ୍ରହ ଆରମ୍ଭ ହେଲା । ପାସ୍ତୁର୍ ଅନୁଷ୍ଠାନ ୧୮୮୭ ମସିହାରେ ଫ୍ରେଞ୍ଚ ରସାୟନ ବିଦ୍ ଏବଂ ଜୀବାଣୁ ବିଜ୍ଞାନୀ ଲୁଇସ୍ ପାସ୍ତୁର୍ (Louis Pasteur) ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ସେ ମୌଳିକ ଗବେଷଣା ଓ ତାହାର ବ୍ୟବହାରିକ ପ୍ରୟୋଗ ଉଭୟ ପ୍ରତି ପ୍ରତିବଦ୍ଧ ଥିଲେ । ୧୮୮୭ ମସିହାରେ ସଂସ୍ଥାନର ସରକାରୀ ନିୟମାବଳୀ ସ୍ଥିର ହେଲା, ଯେଉଁଥିରେ ଲେଖାଯାଇଥିଲା ଯେ ସଂସ୍ଥାନର ଉଦ୍ଦେଶ୍ୟ ହେଉଛି 'ପାସ୍ତୁରଙ୍କ ଦ୍ୱାରା ବିକାଶିତ ପଦ୍ଧତି ଅନୁଯାୟୀ ରେବିସ୍ ଚିକିତ୍ସା' ଏବଂ 'ବିସାଣୁ ଓ ସଂକ୍ରାମକ ରୋଗ ସମ୍ପର୍କିତ ଅଧ୍ୟୟନ' । ସଂସ୍ଥାନଟି ୧୪ ନଭେମ୍ବର ୧୮୮୮ ରେ ଉଦ୍‌ଘାଟିତ ହେଲା ।[] ପ୍ରାରମ୍ଭରେ ପାସ୍ତୁର ବିଭିନ୍ନ ବିଷୟରେ ପ୍ରବୀଣ ବୈଜ୍ଞାନିକଙ୍କୁ ଏକତ୍ରିତ କରିଥିଲେ । ପ୍ରଥମ ପାଞ୍ଚଟି ବିଭାଗର ନିର୍ଦ୍ଦେଶନା କରୁଥିଲେ: ଏକୋଲ୍ ନର୍ମାଲ୍ ସୁପେରିଅର୍ ର ଦୁଇ ଶିକ୍ଷାନୁଷ୍ଠାନର ସ୍ନାତକ — ଏମିଲ୍ ଡୁକ୍ଲା (ସାଧାରଣ ଜୈବାଣୁ ଗବେଷଣା) ଓ ଚାର୍ଲସ୍ ଚେମ୍ବରଲ୍ୟାଣ୍ଡ (ସ୍ୱଚ୍ଛତା ଅନୁପ୍ରୟୋଗ ଜୈବାଣୁ ଗବେଷଣା); ଜୀବବିଜ୍ଞାନୀ ଏଲି ମେଚ୍ନିକଫ୍ (ଆକୃତିବିଶେଷ ଜୈବାଣୁ ଗବେଷଣା); ଓ ଦୁଇ ଡାକ୍ତର — ଜାକ୍-ଜୋସେଫ୍ ଗ୍ରାଞ୍ଚେର୍ (ରେବିସ୍) ଓ ଏମିଲ୍ ରୁ (ପ୍ରଯୁକ୍ତିଗତ ଜୈବାଣୁ ଗବେଷଣା)। ସଂସ୍ଥାନ ଉଦ୍‌ଘାଟନ ପରେ ପ୍ରଥମ ବର୍ଷରେ ଏମିଲ୍ ରୁ ବିଶ୍ୱର ପ୍ରଥମ ଜୈବାଣୁ ବିଜ୍ଞାନ ପାଠ୍ୟକ୍ରମ — "Cours de Microbie Technique" (ଜୈବାଣୁ ଗବେଷଣା ପ୍ରଯୁକ୍ତି ପାଠ୍ୟକ୍ରମ) ଆରମ୍ଭ କରିଥିଲେ । ୧୮୯୧ ମସିହା ଠାରୁ ପାସ୍ତୁର ସଂସ୍ଥାନ ବିଭିନ୍ନ ଦେଶକୁ ବିସ୍ତାରିତ ହେଲା ଏବଂ ବର୍ତ୍ତମାନ ବିଶ୍ୱର ୨୯ଟି ଦେଶରେ ଏହାର ୩୨ଟି ସଂସ୍ଥାନ ଅଛି ।

  1. "Catholic Encyclopedia (1913)/Louis Pasteur - Wikisource, the free online library". en.wikisource.org (in ଇଂରାଜୀ). Retrieved 2025-04-19.
  2. Holmes, Samuel J. (Samuel Jackson) (1924). Louis Pasteur. MBLWHOI Library. New York, Harcourt, Brace and company.
  3. Wasik, Bill; Murphy, Monica (2012-07-19). Rabid: A Cultural History of the World's Most Diabolical Virus (in ଇଂରାଜୀ). Penguin. ISBN 978-1-101-58374-6.