ଲୀଳାବତୀ କାହାଣୀ (ବତ୍ରିଶ ସିଂହାସନ)

ଲୀଳାବତୀ କାହାଣୀ ବତ୍ରିଶ ସିଂହାସନର ପଞ୍ଚମ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ଦିବ୍ୟ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ।[୧]
ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ପଞ୍ଚମ ଦିନ ଯେତେବେଳେ ସେହି ସିଂହାସନର ପଞ୍ଚମ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” ଲୀଳାବତୀ ନାମକ ପ୍ରଥମ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[୨]
ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ପଞ୍ଚମ ପ୍ରତିମା ଲୀଳାବତୀ ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ପଞ୍ଚମ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କ ଉତ୍ତମ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା ।[୩][୪]
ପଞ୍ଚମ କାହାଣୀ
[ସମ୍ପାଦନା]ପଞ୍ଚମ ପ୍ରତିମା ଲୀଳାବତୀ ଯେ କଥା କହିଲେ, ସେଥିରୁ ମଧ୍ୟ ରାଜା ବିକ୍ରମାଦିତ୍ୟଙ୍କ ଦାନଶୀଳ ସ୍ୱଭାବ ଏବଂ ତ୍ୟାଗର ମହତ୍ତ୍ୱ ପ୍ରକାଶ ପାଏ । କଥାଟି ଏପରି —
ଏକ ଦିନ ରାଜା ବିକ୍ରମାଦିତ୍ୟ ଦରବାରରେ ରାଜକାର୍ଯ୍ୟ ଦେଖୁଥିଲେ । ସେତେବେଳେ ଜଣେ ବ୍ରାହ୍ମଣ ଆସି ତାଙ୍କୁ ଦେଖିବାକୁ ଚାହିଲେ । ରାଜା ତାଙ୍କୁ ଭିତରକୁ ଡାକି ଆଣିଲେ । ବ୍ରାହ୍ମଣ କହିଲେ, “ହେ ରାଜନ, ଯଦି ଆପଣ ତୁଳା ଲଗ୍ନରେ ନିଜ ପାଇଁ ଏକ ରାଜମହଲ ନିର୍ମାଣ କରିବେ, ତେବେ ଆପଣଙ୍କ ରାଜ୍ୟ ସମୃଦ୍ଧ ହେବ ଏବଂ ଆପଣଙ୍କ ଯଶ ସାରା ଦିଗରେ ବ୍ୟାପିଯିବ ।” ବିକ୍ରମାଦିତ୍ୟଙ୍କୁ ଏହି ଭାବନା ଭଲ ଲାଗିଲା । ପ୍ରଜା ମାନଙ୍କୁ ସମୃଦ୍ଧ କରିବା ପାଇଁ ସେ ଏକ ବିଶାଳ ଓ ଅତି ସୁନ୍ଦର ମହଲ ନିର୍ମାଣର ଆଜ୍ଞା ଦେଲେ । ସୁନା-ରୂପା, ହୀରା-ମଣି, ମୁକ୍ତା ଓ ରତ୍ନରେ ଶୋଭିତ ସେହି ମହଲ ତିଆରି ହେଲା । ମହଲ ତିଆରି ହେବା ପରେ, ବିକ୍ରମ ନିଜ ପରିବାର ଓ ସେବକମାନଙ୍କ ସହ ସେହି ମହଲ ଦେଖିବାକୁ ଗଲେ । ସେହି ବ୍ରାହ୍ମଣ ମଧ୍ୟ ସେଥିରେ ଥିଲେ । ମହଲର ଶୋଭା ଦେଖି ସମସ୍ତେ ମୋହିତ ହେଲେ । ବ୍ରାହ୍ମଣ ଅବାକ୍ ହୋଇ କହିଦେଲେ, “ଆହା ! ଯଦି ଏହି ମହଲ ମୋର ହୋଇଥାନ୍ତା !” ରାଜା ବିକ୍ରମାଦିତ୍ୟ ସେହି କଥା ଶୁଣି ସଙ୍ଗେ ସଙ୍ଗେ ସେହି ମହଲ ତାଙ୍କୁ ଦାନ କରିଦେଲେ । ବ୍ରାହ୍ମଣ ଖୁସିରେ ଅତିଶୟ ଆନନ୍ଦିତ ହୋଇ ଘରକୁ ଯାଇ ସେ ସୁସମ୍ବାଦ ପତ୍ନୀଙ୍କୁ କହିଲେ । ବ୍ରାହ୍ମଣୀ ପ୍ରଥମେ ଭାବିଲେ, “ମୋ ସ୍ଵାମୀ ସ୍ୱପ୍ନ ଦେଖୁଛନ୍ତି !” କିନ୍ତୁ ସତ୍ୟ ଜାଣି ସେ ମଧ୍ୟ ଆଗ୍ରହରେ ସେହି ମହଲ ଦେଖିବାକୁ ଗଲେ । ମହଲର ଅପୂର୍ବ ସୁନ୍ଦରତା ଦେଖି ସେ ଚକିତ ହେଲେ । ସନ୍ଧ୍ୟା ହେଲା ଓ ସେମାନେ ଏକ କକ୍ଷରେ ବିଶ୍ରାମ କଲେ । ମଧ୍ୟରାତ୍ରିରେ ସେମାନେ ଏକ ଶବ୍ଦ ଶୁଣିଲେ । ମହଲ ସମଗ୍ର ଦୀପ୍ତ ଓ ସୁଗନ୍ଧିତ ହୋଇଯାଇଥିଲା । ସେମାନେ ଶୁଣିଲେ ଯେ ଦେବୀ ଲକ୍ଷ୍ମୀ ସେମାନଙ୍କୁ କରୁଛନ୍ତି, “ମୁଁ ତୁମ ଭାଗ୍ୟରେ ଆସିଛି, ଯାହା ଇଚ୍ଛା ତାହା ମାଗ ।” କିନ୍ତୁ ଭୟରେ ଦୁହେଁ କିଛି କହିପାରିଲେ ନାହିଁ । ଲକ୍ଷ୍ମୀ ତିନିଥର ଏହି କଥା କହି ଅସନ୍ତୁଷ୍ଟ ହୋଇ ଅଦୃଶ୍ୟ ହୋଇଗଲେ । ଆଲୋକ ଓ ସୁଗନ୍ଧି ଅନ୍ତର୍ହିତ ହୋଇଗଲା ।ସେତେବେଳେ ବ୍ରାହ୍ମଣୀ ସଚେତନ ହୋଇ କହିଲେ, “ଏହି ମହଲରେ ଭୂତ ଥିବା ନିଶ୍ଚିତ, ତେଣୁ ଦାନରେ ମିଳିଛି । ଆମ ଛୋଟ କୁଟିର ଏଠାରୁ ଭଲ ।” ବ୍ରାହ୍ମଣ ମଧ୍ୟ ସେହି କଥା ଭାବିଲେ ଏବଂ ପ୍ରଭାତରେ ମହଲ ଛାଡ଼ି ଘରକୁ ଫେରିଗଲେ । ପରେ ସେ ରାଜାଙ୍କ ପାଖକୁ ଯାଇ କହିଲେ, “ହେ ରାଜନ, ଏହି ମହଲ ଆପଣ ଫେରାଇ ନିଅନ୍ତୁ ।”
ବିକ୍ରମାଦିତ୍ୟ କହିଲେ, “ଦାନ ହୋଇଥିବା ଜିନିଷ ଫେରାଇ ନିଆଯାଏ ନାହିଁ ।” ତଥାପି ସେ ବହୁ ଭାବି ମହଲର ମୂଲ୍ୟ ଦେଇ ତାହାକୁ କିଣିନେଲେ । ବ୍ରାହ୍ମଣ ଖୁସିରେ ଘରକୁ ଫେରିଗଲେ । ବିକ୍ରମାଦିତ୍ୟ ପୁନଃ ସେହି ମହଲରେ ବାସ କଲେ ଓ ସେଠି ଦରବାର ବସାଇଲେ । ଏକ ଦିନ ସେ ନିଦ୍ରାରେ ଥିଲେ, ଲକ୍ଷ୍ମୀ ପୁଣି ଆସିଲେ ଓ କହିଲେ, “ଯାହା ଇଚ୍ଛା ମାଗ, ମୁଁ ଦେବି ।” ବିକ୍ରମ ଧନଲକ୍ଷ୍ମୀଙ୍କୁ ପ୍ରଣାମ କରି କହିଲେ ମା, “ମୋର ସବୁ ଅଛି, କିନ୍ତୁ ଯଦି ଆପଣ ଦେବାକୁ ଚାହୁଁଛନ୍ତି, ତେବେ ମୋ ସମଗ୍ର ରାଜ୍ୟରେ ଧନର ବର୍ଷା ହେଉ, ଯେପରି କେହି ଅଭାବ ଭୋଗିବେ ନାହିଁ ।” ପରଦିନ ପ୍ରଭାତରେ ସେ ଶୁଣିଲେ ସମଗ୍ର ରାଜ୍ୟରେ ଧନବର୍ଷା ହୋଇଛି । ପ୍ରଜାମାନେ ସେ ଧନରେ ଲୋଭ ନ ରଖି ତାହା ରାଜାଙ୍କୁ ଫେରାଇଦେବାକୁ ଆସିଲେ, କିନ୍ତୁ ବିକ୍ରମ ଆଜ୍ଞା ଦେଲେ, “ଯେଉଁମାନେ ଯେତେ ଧନ ପାଇଛନ୍ତି, ସେତିକି ନିଜର ମାନିବେ, ହେଲେ ଅନ୍ୟର ଧନ ନେବେ ନାହିଁ ।” ସମସ୍ତ ପ୍ରଜା ଆନନ୍ଦରେ ରାଜାଙ୍କ ଜୟ ଜୟ ଗାନ କଲେ ।
ଗପଟି କହି ପ୍ରତିମା ପଚାରିଲା କ"ଣ ଆପଣ ବିକ୍ରମାଦିତ୍ୟଙ୍କ ଭଳି ଏଭଳି ମହାନ ଗୁଣର ଅଧିକାରୀ ?।[୫] ଏହିପରି କହିବା ପରେ ପଞ୍ଚମ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା ।[୧]
ଆଧାର
[ସମ୍ପାଦନା]- 1 2 ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).
{{cite book}}: CS1 maint: unrecognized language (link) - ↑ WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
- ↑ samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.
{{cite web}}: CS1 maint: numeric names: authors list (link)[permanent dead link] - ↑ "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
- ↑ "Singhasan Battisi - The Story of 5th Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-06.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |