Jump to content

ଲାକ୍ଷାଗୃହ

ଉଇକିପିଡ଼ିଆ‌ରୁ

ଲାକ୍ଷାଗୃହ (ସଂସ୍କୃତ: लाक्षागृहम्), ଯାହା ଜତୁଗୃହ ଭାବରେ ମଧ୍ୟ ପରିଚିତ, ଏକ ଲାକ୍ଷା (ମହମ ଧରଣର ପଦାର୍ଥ) ଦ୍ୱାରା ନିର୍ମିତ ରାଜମହଲ ଗୃହ ଅଟେ, ଯାହା ହିନ୍ଦୁ ମହାକାବ୍ୟ ମହାଭାରତରେ ବର୍ଣ୍ଣିତ ହୋଇଛି ।[] ମହାଭାରତ ମହାକାବ୍ୟରେ ଏହା ଏକ ହତ୍ୟା ଚକ୍ରାନ୍ତର ପ୍ରସଙ୍ଗ, ଯାହା ରାଜକୁମାର ଦୁର୍ଯ୍ୟୋଧନ ତାଙ୍କ ଜ୍ଞାତି ପାଣ୍ଡବମାନଙ୍କୁ ଶୟନାବସ୍ଥାରେ ପୋଡ଼ି ମାରିଦେବା ପାଇଁ ଯୋଜନା କରିଥିଲେ ।

ପ୍ରସଙ୍ଗ ପରିଚୟ

[ସମ୍ପାଦନା]

କୁରୁ ରାଜ୍ୟର ରାଜା ଧୃତରାଷ୍ଟ୍ର ତାଙ୍କ ଭାଇ ପାଣ୍ଡୁଙ୍କ ଜେଷ୍ଠ ପୁଅ ଯୁଧିଷ୍ଠିରଙ୍କୁ ରାଜ୍ୟର ଉତ୍ତରାଧିକାରୀ ଭାବରେ ଘୋଷଣା କଲେ । ଯୁଧିଷ୍ଠିର ଓ ତାଙ୍କ ଚାରି ଭାଇ;ପାଣ୍ଡବମାନେ ତାଙ୍କ ଶୌର୍ଯ୍ୟ ଓ ସତ୍କର୍ମର ଫଳରେ ଜନମାନସରେ ଖୁବ ଲୋକପ୍ରିୟ ହେଲେ । ତାଙ୍କ ଜ୍ଞାତିମାନଙ୍କର ଖ୍ୟାତି ଦେଖି ଇର୍ଷା ଓ ଭୟରେ ଜଳିଉଠି, ଧୃତରାଷ୍ଟ୍ରଙ୍କ ଜ୍ୟେଷ୍ଠ ପୁଅ ଦୁର୍ଯ୍ୟୋଧନ ତାଙ୍କ ପିତାଙ୍କୁ ଆଶ୍ୱସ୍ତ କରି, ପାଣ୍ଡବମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାକୁ ଅନୁମତି ମାଗିଲେ ।[] ରାଜାଙ୍କ ସମ୍ମତି ପାଇ, ଦୁର୍ଯ୍ୟୋଧନ ରାଜକୀୟ ଶିଳ୍ପୀ ପୁରୋଚନଙ୍କୁ ଆଦେଶ ଦେଲେ ଯେ, ସେ ଏକ ଦହନଶୀଳ ଲାକ୍ଷା ଦ୍ୱାରା ରାଜ ମହଲ ନିର୍ମାଣ କରନ୍ତୁ, ଯାହାକୁ ନିର୍ଦ୍ଦିଷ୍ଟ ଦିନରେ ଅଗ୍ନି ସଂଯୋଗ କରି ପାଣ୍ଡବ ଓ ତାଙ୍କ ମାତା କୁନ୍ତୀଙ୍କୁ ହତ୍ୟା କରାଯିବ ।

ଦରବାରରେ ଧୃତରାଷ୍ଟ୍ର ପାଣ୍ଡବମାନଙ୍କୁ ବାରାଣାବତ ନଗରକୁ ଯାଇ ସେଠାର ଉତ୍ସବ ଦେଖିବାକୁ ଉତ୍ସାହିତ କଲେ । ଯୁଧିଷ୍ଠିର ରାଜାଙ୍କ ଏଭଳି ଆକସ୍ମିକ ଆମନ୍ତ୍ରଣ ଉପରେ ସନ୍ଦେହ କଲେ, କିନ୍ତୁ ତାଙ୍କ ଆଦେଶକୁ ଅସ୍ୱୀକାର କରିପାରିଲେନି। ବିଦାୟ ପୂର୍ବରୁ, ତାଙ୍କ ମାମୁଁ ଏବଂ ମନ୍ତ୍ରୀ ବିଦୁର ଏକ ଗୁପ୍ତ ଭାଷା (ମ୍ଲେଚ୍ଛ ଭାଷା)ରେ ଯୁଧିଷ୍ଠିରଙ୍କୁ ସତର୍କ କରାଇଦେଲେ ଯେ, ସେମାନଙ୍କ ଉପରେ ଷଡ଼ଯନ୍ତ୍ର ଚାଲିଛି ଏବଂ ତାର ପଳାୟନ ପାଇଁ ଉପାୟର ମଧ୍ୟ ସୂଚନା ଦେଲେ ।

ବାରାଣାବତ ପହଞ୍ଚି ଯେତେବେଳେ ସେମାନେ ଲାକ୍ଷାଗୃହକୁ ଦେଖିଲେ, ଯୁଧିଷ୍ଠିର ତାଙ୍କ ମାତା ଓ ଭାଇମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ । ସେ ଦେଖିଲେ ଯେ ଗୃହରେ ଶଣ, ମହମ ଓ ବାଂଶ ଭରି ରହିଛି, ଯାହା ସବୁ ଘିଅରେ ଭିଜାଯାଇଥିଲା । ଗୃହ ତିଆରିରେ ବ୍ୟବହୃତ ସମସ୍ତ ଜିନିଷ ଅତ୍ୟନ୍ତ ଦହନଶୀଳ ଥିଲା । ତେବେ ଏହା ଜାଣିବା ସତ୍ତ୍ଵେ ପାଣ୍ଡବ ମାନେ ସନ୍ଦେହ ଜନ୍ମିବା ଭୟରେ ଅନ୍ୟତ୍ର ରହିବାକୁ ମନେ କଲେନି, ବରଂ ଜୀବନ ରକ୍ଷା ପାଇଁ ଏକ ଚତୁର ଯୋଜନା ଗଢ଼ିଲେ । ବିଦୁର ଏକ କୁଶଳ ଖୋଦକକୁ ଗୁପ୍ତରେ ପଠାଇ ଆଦେଶ ଦେଲେ ଯେ, ସେ ଗୃହର ମଧ୍ୟଭାଗରୁ ଆରମ୍ଭ କରି ଗଙ୍ଗା ନଦୀର ତୀର ପର୍ଯ୍ୟନ୍ତ ଏକ ଗୁପ୍ତ ସୁରଙ୍ଗ ଖୋଦନ କରିବ ।[][] ଆଦେଶାନୁସାରେ ଏହି କାର୍ଯ୍ୟ ସଂପାଦନ ହେଲା ।

ଏକ ବର୍ଷ ପରେ, ଯୁଧିଷ୍ଠିର ଗୃହଭିତରେ ଏକ ଉତ୍ସବ ଆୟୋଜନ କଲେ ଏବଂ ନଗରବାସୀମାନଙ୍କୁ ଆମନ୍ତ୍ରଣ ଦେଲେ । ପୁରୋଚନ ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ନିଦ୍ରାଗଲେ । ଉତ୍ସବ ଶେଷ ହେଲାପରେ, ଯୋଜନା ଅନୁସାରେ ଯୁଧିଷ୍ଠିର ଭୀମଙ୍କୁ ଆଦେଶ ଦେଲେ ଯେ, ସେ ଲାକ୍ଷାଗୃହକୁ ଅଗ୍ନି ଲଗାଇଦିଅନ୍ତୁ । ତେବେ ତା’ପୂର୍ବରୁ ସେମାନେ କୁନ୍ତୀ ସହିତ ସୁଡ଼ଙ୍ଗ ଦ୍ଵାର ଦେଇ ପଳାଇ ଗଲେ । ସୁଡ଼ଙ୍ଗ ଶେଷରେ ଅପେକ୍ଷା କରିଥିବା ବିଦୁର ପଠାଇଥିବା ଜଣେ ନୌକାଳି ସେମାନଙ୍କୁ ନଦୀ ପାର କରାଇଦେଇ ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ଦେଲେ । ଏହି ଅଗ୍ନିଦାହରେ ପୁରୋଚନ ସହ ଜଣେ ନିଷାଦ ନାରୀ ଓ ତାଙ୍କ ପାଞ୍ଚ ପୁଅ ମୃତ୍ୟୁ ବରଣ କଲେ । ତାଙ୍କ ଦଗ୍ଧ ଦେହଗୁଡ଼ିକୁ ବାରାଣାବତର ଲୋକମାନେ ପାଣ୍ଡବମାନେ ଓ କୁନ୍ତୀ ଭାବି ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ । ଏହି ଘଟଣା ପରେ ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନ ଲୋକ ଦେଖାଣିଆଭାବେ ଶୋକ ପ୍ରକାଶ କରି ସେହି ଶବଗୁଡ଼ିକୁ ପାଣ୍ଡବମାନଙ୍କ ମୃତଦେହ ଭାବି ଦାହ ସଂସ୍କାର କଲେ, ଏବଂ ଦୁର୍ଯ୍ୟୋଧନଙ୍କୁ ରାଜ୍ୟର ନୂତନ ଉତ୍ତରାଧିକାରୀ ଭାବରେ ପ୍ରସ୍ତୁତ କରାଗଲା ।

ମହାଭାରତର ପରବର୍ତ୍ତୀ ଅଧ୍ୟାୟ ଗୁଡିକରେ ପାଣ୍ଡବମାନେ କେବେ ଓ କିଭଳି ଭାବେ ଆତ୍ମ ପ୍ରକାଶ କଲେ ତାହାର ବର୍ଣ୍ନନା ରହିଛି ।

ଭୌଗୋଳିକ ସଂଦର୍ଭ

[ସମ୍ପାଦନା]

ଆଧୁନିକ ସମୟରେ, ବିହାରର ମିଥିଲା ଅଞ୍ଚଳର ସମସ୍ତିପୁର ଜିଲ୍ଲାର ଦଲସିଂସରାୟ ଅଞ୍ଚଳର ପାନ୍ର ଗାଁରେ ଥିବା “ପାଣ୍ଡବ ସ୍ଥାନ”କୁ ସେହି ସ୍ଥାନ ଭାବେ ମନେ କରାଯାଏ, ଯେଠାରୁ ପାଣ୍ଡବମାନେ ସୁଡ଼ଙ୍ଗ ମଧ୍ୟରେ ବାହାରି ଯାଇଥିଲେ । ଏହା ଗଙ୍ଗା ନଦୀର ଉତ୍ତର ପାର୍ଶ୍ଵରୁ ପ୍ରାୟ ୧୬ କି.ମି. ଦୂରରେ ଅବସ୍ଥିତ ।[]

  1. Archive, Internet Sacred Text. "The Mahabharata, Book 1: Adi Parva: Jatugriha Parva: Sect... | Sacred Texts Archive". Internet Sacred Text Archive (in English). Retrieved 2025-10-20.{{cite web}}: CS1 maint: unrecognized language (link)
  2. Valmiki; Vyasa (2018-05-19). Delphi Collected Sanskrit Epics (Illustrated) (in ଇଂରାଜୀ). Delphi Classics. ISBN 978-1-78656-128-2.
  3. The Mahābhārata. Chicago: University of Chicago Press. 1973. pp. 274–275. ISBN 978-0-226-84648-4.
  4. Raman, Gowri (2020-06-09). Mahabharatha (in ଇଂରାଜୀ). Blue Rose Publishers. p. 49.
  5. Bharat, E. T. V. (2024-03-21). "जहां पांडवों ने लिया था आश्रय, उस पांडव स्थान को अब भी है उद्धार का इंतजार". ETV Bharat News (in ହିନ୍ଦୀ). Retrieved 2025-10-20.