ରାଣୀ ରୂପବତୀ କାହାଣୀ (ବତ୍ରିଶ ସିଂହାସନ)

ରାଣୀ ରୂପବତୀ କାହାଣୀ ବତ୍ରିଶ ସିଂହାସନର ବତିଶିତମ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ଦିବ୍ୟ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ।[୧]
ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ବତିଶିତମ ଦିନ ଯେତେବେଳେ ସେହି ସିଂହାସନର ବତିଶିତମ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” ରାଣୀ ରୂପବତୀ ନାମକ ବତିଶିତମ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[୨]
ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ଏକତିରିଶିତମ ପ୍ରତିମା ରାଣୀ ରୂପବତୀ ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ଶେଷ ତଥା ବତିଶିତମ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କୁ କହିଲା, ରାଜା ଆଜି କାହିଁକି ଆପଣଙ୍କର ଆଗଭଳି ସିଂହାସନରେ ବସିବାକୁ ସେପରି ଆଗ୍ରହ ନାହିଁ । ଉତ୍ତରରେ ରାଜା କହିଲେ ସେ ବୁଝିସାରିଲେଣି ଏହି ସିଂହାସନରେ ବସିବା ଭଳି ଯୋଗ୍ୟତା ତାଙ୍କର ନାହିଁ । ତେଣୁ ସେ ଏହି ସିଂହାସନକୁ ମାଟିତଳେ ପୋତିଦେବାକୁ ଚାହୁଁଛି । ଏହା ଶୁଣି ସମସ୍ତ ପୁତ୍ତଳିକା ଦେଖାଦେଇ ଆନନ୍ଦ ପ୍ରକାଶ କଲେ । ତାପରେ ସେମାନେ ରାଜାଙ୍କୁ ଆଶୀର୍ବାଦ ଦେଇ ଅନ୍ତର୍ଧ୍ୟାନ ହୋଇଗଲେ ।[୩][୪]
ବତିଶିତମ କାହାଣୀ
[ସମ୍ପାଦନା]ବତ୍ରିଶ ସଂହାସନର ବତିଶିତମ ପୁତ୍ତଳିକାଶେଷ କଥା ଏଭଳି କହିଲା–
ବତିଶିତମ ତଥା ଅନ୍ତିମ ପୁତ୍ତଳିକା ରାଣୀ ରୂପବତୀ ରାଜା ଭୋଜଙ୍କୁ ସିଂହାସନରେ ବସିବାକୁ କୌଣସି ରୁଚି ଦେଖାଉ ନଥିବାର ଦେଖି ଆଶ୍ଚର୍ଯ୍ୟ ହେଲା। ସେ ଜାଣିବାକୁ ଚାହିଁଲା ଯେ ଆଜି ରାଜା ଭୋଜଙ୍କ ପୂର୍ବପରି ସିଂହାସନରେ ବସିବାକୁ ଅସହନୀୟ ବ୍ୟାକୁଳତା କାହିଁକି ନାହିଁ । ରାଜା ଭୋଜ କହିଲେ ଯେ ରାଜା ବିକ୍ରମାଦିତ୍ୟଙ୍କ ଦେବତାସମ ଗୁଣଗାନ ଶୁଣି ସେ ଭାବିଲେ ଯେ ଏତେ ଗୁଣ କୌଣସି ମଣିଷଠାରେ ସମ୍ଭବ ନୁହେଁ ଓ ସେମାନଙ୍କର ଅନେକ ଅବଗୁଣ ଥିବାକୁ ସେ ବିଶ୍ୱାସ କରନ୍ତି । ତେଣୁ ଏହି ସିଂହାସନରେ ବସିବା ଯୋଗ୍ୟ ବିକ୍ରମାଦିତ୍ୟଙ୍କ ବ୍ୟତୀତ କେହି ନୁହଁନ୍ତି । ତେଣୁ ସେ ଭାବିଛନ୍ତି ଯେ ସିଂହାସନକୁ ପୁଣିଥରେ ସେହି ସ୍ଥାନରେ ପୋତି ଦିଆଯିବା ଉଚିତ୍—ଯେଉଁଠାରୁ ଏହାକୁ ବାହାର କରାଯାଇଥିଲା । ରାଜା ଭୋଜଙ୍କ କଥା ଶୁଣି ସବୁ ପୁର୍ର୍ଳିକାତଳୀ ମାନେ ହର୍ଷିତ ହୋଇ ରାଜା ଭୋଜଙ୍କୁ ତାଙ୍କ ନିଷ୍ପତ୍ତି ପାଇଁ ଧନ୍ୟବାଦ ଦେଲେ । ପୁତଳୀମାନେ କହିଲେ ଯେ ଆଜିଠୁ ସେମାନେ ମୁକ୍ତ ହୋଇଗଲେ। ଆଜିଠୁ ଏହି ସିଂହାସନ ପୁତ୍ତଳିକାହୀନ ହୋଇଯିବ। ସେମାନେ ରାଜା ଭୋଜଙ୍କୁ କହିଲେ ଯେ ସେ ବିକ୍ରମାଦିତ୍ୟଙ୍କ ଗୁଣମାନଙ୍କ ଅଳ୍ପ ଅଂଶର ଅଧିକାରୀ ଓ ସେଇଠିପାଇଁ ତାଙ୍କୁ ଏହି ସିଂହାସନ ଦର୍ଶନ ହୋଇପାରିଥିଲା । ସେମାନେ ଏହା ମଧ୍ୟ କହିଲେ ଯେ ଆଜିଠୁ ଏହି ସିଂହାସନର ଆଭା କମିଯିବ ଓ ପୃଥିବୀର ସବୁ ଜିନିଷ ପରି ଏହା ମଧ୍ୟ ପୁରୁଣା ହୋଇ ନଷ୍ଟ ହେବାର ପ୍ରକ୍ରିୟାରେ ପ୍ରବେଶ କରିବ। ଏତେ କହି ସବୁ ପ୍ରତିମା ରାଜାଙ୍କୁ ବିଦାୟ ନେଇ ଆକାଶ ଦିଗକୁ ଉଡ଼ିଗଲେ। ପୁତ୍ତଳିକାମାନଙ୍କ ଯିବାପରେ ରାଜା ଭୋଜ କର୍ମଚାରୀମାନଙ୍କୁ ଡାକି ଏକ ଗର୍ତ୍ତ ଖୋଳିବାକୁ ଆଦେଶ ଦେଲେ। ମଜୂରିଆମାନେ ଗର୍ତ୍ତ ଖୋଳିବାପରେ ବେଦମନ୍ତ୍ର ପାଠ କରାଇ ସମସ୍ତ ପ୍ରଜାଙ୍କ ସାମ୍ନାରେ ସିଂହାସନକୁ ସେହି ଗର୍ତ୍ତରେ ଭର୍ତ୍ତି ଦକରିଦିଆଗଲା । ପୁଣି ମାଟି ପକାଇ ଏହା ଉପରେ ସେହି ରକମର ଢିପ ତିଆରି କରାଗଲା—ଯେଉଁଠି ବସି ଗାଇ ଚରାଳି ପିଲାଏ ନିଜ ନ୍ୟାୟ ଦେଉଥିଲେ । କିନ୍ତୁ ନୂଆ ଟିଲାରେ ପୁରୁଣା ଟିଲାର ଭଳି ଚମତ୍କାର ଦେଖାଦେଇନଥିଲା ।
ବହୁ ବର୍ଷ ବିତିଗଲା ପରେ ସେହି ଟିଲା ଏତେ ପ୍ରସିଦ୍ଧ ହୋଇଗଲା ଯେ ଦୂର ଦୂରାନ୍ତରେ ଥିବା ଲୋକମାନେ ତାହା ଦେଖିବାକୁ ଆସୁଥିଲେ । ସବୁଠି ଏକଥା ଜଣା ଥିଲା ଯେ ଏହି ଟିଲାର ତଳେ ଅଲୌକିକ ଶକ୍ତିସଂପନ୍ନ ସିଂହାସନ ପୋତାହୋଇ ରହିଛି । ଦିନକର ଚୋରମାନଙ୍କ ଗୋଟିଏ ଦଳ ନିଷ୍ପତ୍ତି କରିଲା ଯେ ସେମାନେ ଏହି ସିଂହାସନକୁ ଖୋଳି ବାହାର କରି ଏହାକୁ ଖଣ୍ଡ କରି ବିକ୍ରି କରିବେ। ସେମାନେ ଟିଲାରୁ କିଛି ଦୂରରେ ଗର୍ତ୍ତ ଖୋଳିଲେ ଓ ବହୁ ମାସର ପରିଶ୍ରମରେ ଏକ ସୁଡ଼ଙ୍ଗ ଖୋଳି ସିଂହାସନ ପର୍ଯ୍ୟନ୍ତ ପହଞ୍ଚିଲେ । ସିଂହାସନକୁ ସୁରଙ୍ଗ ମଧ୍ୟରେ ବାହାର କରି ଏକ ନିର୍ଜନ ସ୍ଥାନକୁ ନେଇ ସେମାନେ ହାତୁଡି ଆଘାତରେ ଭାଙ୍ଗିବାକୁ ଚେଷ୍ଟା କଲେ । କିନ୍ତୁ ପ୍ରଥମ ଆଘାତ ପଡ଼ିବାମାତ୍ରେ ଏମିତି ଭୟଙ୍କର ଚିଙ୍ଗାରି ନିଃସୃତ ହେଉଥିଲା ଯେ ମାଡ଼ ମାରୁଥିବା ଲୋକଙ୍କ ହାତ ଜଳିଯାଉଥିଲା । ସିଂହାସନରେ ଅନେକ ମୂଲ୍ୟବାନ ରତ୍ନ-ମାଣିକ୍ୟ ଲାଗିଥିବାରୁ ଚୋରମାନେ ସେଗୁଡ଼ିକୁ ଅଲଗା କରିବାର ଲୋଭ ଛାଡ଼ିପାରୁନଥିଲେ । ସିଂହାସନ ପୂରା ସୁନାରେ ତିଆରି ହୋଇଥିଲା । ତେଣୁ ଚୋରମାନଙ୍କୁ ଲାଗିଲା ଯେ ସମ୍ପୂର୍ଣ୍ଣ ସୁନା ବିକ୍ରିକରିଦେଲେ କିଛି ହଜାର ସ୍ୱର୍ଣ୍ଣମୁଦ୍ରା ମିଳିଯିବ ଓ ସେମାନଙ୍କ ପରିବାରର ପୁରୁଷ ପୁରୁଷ ଧରି କାହାକୁ କିଛି କାମ କରିବାକୁ ପଡ଼ିବ ନାହିଁ। ସେମାନେ ସାରାଦିନ ଚେଷ୍ଟା କଲେ, କିନ୍ତୁ ତାଙ୍କ ଆଘାତରେ ସିଂହାସନର ଟିକିଏ ବି କ୍ଷତି ହୋଇନଥିଲା । ଓଲଟି ତାଙ୍କ ହାତ ଚିଙ୍ଗାରିରେ ପୋଡିଯାଉଥିଲା ଓ ପୁନଃପୁନଃ ଚିଙ୍ଗାରି ଦେଖିବାରୁ ତାଙ୍କ ଆଖି ଯନ୍ତ୍ରଣା ପାଇବାକୁ ଲାଗିଲା । ସେମାନେ କ୍ଲାନ୍ତ ହୋଇ ବସିଗଲେ ଓ ଭାବି ଭାବି ଏହି ନିଷ୍କର୍ଷରେ ପହଞ୍ଚିଲେ ଯେ ସିଂହାସନଟି ଭୁତ ଦ୍ଵାରା କବଳିତ ହେବାରୁ ହିଁ ରାଜା ଭୋଜ ଏହାକୁ ଉପଯୋଗ କରିନଥିଲେ। ମହଲରେ ରଖିବାରୁ ନିଶ୍ଚୟ ତାଙ୍କୁ କିଛି ସମସ୍ୟା ହୋଇଥିଲା, ତେଣୁ ସେମାନେ ଏତେ ମୂଲ୍ୟବାନ ସିଂହାସନକୁ ପୁଣି ମାଟିତଳେ ଦବାଇଦେଲେ । ସେମାନେ ମଧ୍ୟ ରାଜା ଭୋଜଙ୍କ ପରି ଏହାର ମୋହ ଛାଡ଼ିବାକୁ ଭାବୁଥିଲେ । ତାହାପରେ ସେମାନଙ୍କ ନେତା କହିଲା—ସିଂହାସନକୁ ଭାଙ୍ଗିହେବନି, କିନ୍ତୁ ଏହି ଅବସ୍ଥାରେ ଉଠାଇ ଅନ୍ୟ ସ୍ଥାନକୁ ନେଇ ଯାଇପାରିବା।" ଚୋରମାନେ ସେହି ସିଂହାସନକୁ ଭଲଭାବେ କପଡ଼ାରେ ଘୋଡାଇ ସେଠାରୁ ବହୁତ ଦୂର, ଅନ୍ୟ ଗୋଟିଏ ରାଜ୍ୟକୁ ଏହି ଅବସ୍ଥାରେ ନେଇଯାଇବାକୁ ନିଷ୍ପତ୍ତି କଲେ । କିଛି ମାସର ଯାତ୍ରା ପରେ ସେମାନେ ସିଂହାସନକୁ ନେଇ ଦକ୍ଷିଣର ଗୋଟିଏ ରାଜ୍ୟରେ ପହଞ୍ଚିଲେ । ସେଠାରେ କାହାକୁ ଏହି ସିଂହାସନ ବିଷୟରେ କିଛି ଜଣା ନଥିଲା । ଚୋରମାନେ ସୁନାରୀଙ୍କ ବେଶ ଧାରଣ କରି ସେହି ରାଜ୍ୟର ରାଜାଙ୍କୁ ମିଳିବା ପାଇଁ ପ୍ରସ୍ତୁତ ହେଲେ । ସେମାନେ ସେହି ରତ୍ନଖଚିତ୍ ସୁବର୍ଣ୍ଣ ସିଂହାସନକୁ ଦେଖାଇ ରାଜାଙ୍କୁ କହିଲେ ଯେ ସେମାନେ ବହୁତ ଦୂରର ରହୁଥିବା ଲୋକ ଏବଂ ସେମାନେ ସମସ୍ତ ସମ୍ପତ୍ତି ବ୍ୟୟ କରି ଏହି ସିଂହାସନକୁ ପ୍ରସ୍ତୁତ କରାଇଛନ୍ତି । ରାଜା ସେହି ସିଂହାସନର ଶୁଦ୍ଧତାର ଯାଞ୍ଚ ନିଜ ରାଜ୍ୟର ପ୍ରସିଦ୍ଧ ସୁନାରମାନଙ୍କ ଦ୍ୱାରା କରାଇଲେ। ସେମାନେ ସମସ୍ତେ ସିଂହାସନର ସୌନ୍ଦର୍ଯ୍ୟ ଓ ଶୁଦ୍ଧତାର ଅପାର ପ୍ରଶଂସା କରି ରାଜାଙ୍କୁ ଏହା କିଣିନେବାକୁ ପରାମର୍ଶ ଦେଲେ । ରାଜା ଚୋରମାନଙ୍କୁ ତାଙ୍କ ମନମୁତାବକ ଦରରେ ଧନ ଦେଇ ସିଂହାସନକୁ ନିଜର ବସିବା ପାଇଁ ଗ୍ରହଣ କଲେ । ଯେତେବେଳେ ସିଂହାସନକୁ ଦରବାରରେ ରଖାଗଲା, ସମସ୍ତ ଦରବାର ଅଲୌକିକ ଆଲୋକରେ ଝଲସି ଉଠିଲା । ସେଥିରେ ଲାଗିଥିବା ହୀରା ଓ ମାଣିକ୍ୟରୁ ବିଶେଷ ଆଭା ପ୍ରକାଶିତ ହେଉଥିଲା। ରାଜାଙ୍କ ମନ ମଧ୍ୟ ଏମିତି ଅଦ୍ଭୁତ ସିଂହାସନକୁ ଦେଖି ବହୁତ ପ୍ରସନ୍ନ ହେଲା । ଶୁଭ ମୁହୂର୍ତ୍ତରେ ରାଜା ପଣ୍ଡିତମାନଙ୍କୁ ଡାକି ସିଂହାସନର ପୂଜା କରାଇ ଏହାରେ ନିତ୍ୟ ବସିବା ଆରମ୍ଭ କଲେ । ସିଂହାସନର ଚର୍ଚ୍ଚା ଦୂରଦୂରନ୍ତ ପର୍ଯ୍ୟନ୍ତ ପ୍ରସାରିତ ହେବାକୁ ଲାଗିଲା । ବହୁତ ଦୂର ଦୂରାନ୍ତରୁ ରାଜାମାନେ ସେହି ସିଂହାସନକୁ ଦେଖିବାକୁ ଆସୁଥିଲେ । ସମସ୍ତେ ସେହି ରାଜାଙ୍କ ଭାଗ୍ୟକୁ ଧନ୍ୟ କହୁଥିଲେ, କାରଣ ସେ ଏକ ଅଦ୍ଭୁତ ସିଂହାସନରେ ବସିବାର ସୁଯୋଗ ପାଇଥିଲେ । ଧୀରେ ଧୀରେ ଏହି ଖବର ରାଜା ଭୋଜଙ୍କ ରାଜ୍ୟ ପର୍ଯ୍ୟନ୍ତ ଆସିପହଞ୍ଚିଲା । ସିଂହାସନର ମହିମା ଶୁଣି ସେ ଭାବିଲେ,କାହିଁକି ଏହା କୋଉଠି ବିକ୍ରମାଦିତ୍ୟଙ୍କ ସିଂହାସନ ନୁହେଁ ତ ? ସେ ତୁରନ୍ତ କର୍ମଚାରୀମାନଙ୍କୁ ଡାକି ବିଚାରବିମର୍ଶ କରି ମଜୂରିଆମାନଙ୍କୁ ଡାକି ଟିଲାକୁ ପୁଣିଥରେ ଖୋଳାଇଲେ । ଖୋଦିବା ପରେ ତାଙ୍କ ସନ୍ଦେହ ସତ୍ୟ ପ୍ରମାଣିତ ହେଲା—ସୁରଙ୍ଗ ପଥ ଦେଖି ସେମାନଙ୍କୁ ଜଣା ପଡ଼ିଲା ଯେ ଚୋରମାନେ ସିଂହାସନକୁ ଚୋରି କରି ନେଇଛନ୍ତି । ଏବେ ସେମାନେ ଏହା ଭାବି ଆଶ୍ଚର୍ଯ୍ୟ ହେଲେ ଯେସେହି ରାଜା କିପରି ରାଜା ବିକ୍ରମାଦିତ୍ୟଙ୍କ ସିଂହାସନରେ ବସିପାରିଲେ? କଣ ସେ ରାଜା ସତରେ ବିକ୍ରମାଦିତ୍ୟଙ୍କ ଗୁଣମାନଙ୍କ ସମତୁଲ୍ୟ ? ରାଜା ଭୋଜ କିଛି କର୍ମଚାରୀଙ୍କୁ ନେଇ ସେହି ରାଜ୍ୟକୁ ଯାଇ ସବୁକିଛି ଦେଖିବାକୁ ନିଷ୍ପତ୍ତି କଲେ। ଦୀର୍ଘ ଯାତ୍ରା ପରେ ସେମାନେ ସେଠାରେ ପହଞ୍ଚି ରାଜାଙ୍କୁ ମିଶିବାକୁ ଦରବାରକୁ ଗଲେ। ସେହି ରାଜା ସେମାନଙ୍କ ସମ୍ମାନର ବିଶେଷ ବ୍ୟବସ୍ଥା କରି ପ୍ରୟୋଜନ ପଚାରିଲେ । ରାଜା ଭୋଜ ସିଂହାସନ ବିଷୟରେ ସମସ୍ତ କଥା କହିଦେଲେ । ସେ ରାଜା ଏହା ଶୁଣି ବହୁତ ଆଶ୍ଚର୍ଯ୍ୟ ହେଲେ । ସେ କହିଲେ ଯେ ତାଙ୍କୁ କେବେ ସିଂହାସନରେ ବସିବାରେ କୌଣସି ସମସ୍ୟା ହୋଇନଥିଲା । ରାଜା ଭୋଜ ଜ୍ୟୋତିଷୀ ଓ ପଣ୍ଡିତମାନଙ୍କ ସହ ପରାମର୍ଶ କଲେ । ସେମାନେ ଏହି ନିଷ୍କର୍ଷରେ ପହଞ୍ଚିଲେ ଯେ ହୋଇପାରେ ସିଂହାସନ ଏବେ ତାହାର ସମସ୍ତ ଚମତ୍କାର ଶକ୍ତି ହରାଇଛି। ସେମାନେ କହିଲେ, ହୋଇପାରେ ସିଂହାସନ ଏବେ ସୁନାରୁ ନୁହେଁ ଏବଂ ରତ୍ନ ଓ ମାଣିକ୍ୟ ସ୍ଥାନରେ କାଞ୍ଚର ଟୁକୁଡ଼ା ଲାଗିଛି। ସେହି ରାଜା ଏହା ଶୁଣି କହିଲେ—ଏହା ସମ୍ଭବ ନୁହେଁ । ସେ ଚୋରମାନଙ୍କୁ କିଣିବା ପୂର୍ବରୁ ପୂର୍ଣ୍ଣ ଯାଞ୍ଚ କରାଇଥିଲେ । କିନ୍ତୁ ଯେତେବେଳେ ସୁନାରୀମାନେ ପୁଣି ଯାଞ୍ଚ କଲେ, ସେମାନେ ଦେଖି ବିସ୍ମିତ ହୋଇଗଲେ, ଯେସିଂହାସନର ଚମକ ମଉଳି ଯାଇଛି ଏବଂ ଏହା ପୀତଳର ହୋଇପଡ଼ିଛି । ରତ୍ନ-ମାଣିକ୍ୟର ସ୍ଥାନରେ କାଞ୍ଚର ରଙ୍ଗିନ ଟୁକୁଡ଼ା ଲାଗିଥିଲା । ସେହି ରାଜା ବହୁତ ଆଶ୍ଚର୍ଯ୍ୟ ହେଲେ ଓ ସେ ନିଜ ଜ୍ୟୋତିଷୀ ଓ ପଣ୍ଡିତମାନଙ୍କୁ ଡାକି ଏହାର ଗଣନା କରିବାକୁ କହିଲେ। ବହୁ ଅଧ୍ୟୟନ ପରେ ସେମାନେ କହିଲେ,ଏହି ଚମତ୍କାରି ସିଂହାସନ ଏବେ "ମୃତ" ହୋଇପଡ଼ିଛି । ଏହାକୁ ଅପବିତ୍ର କରାଯାଇଛି ଓ ଏହାର ପ୍ରଭାବ ଶେଷ ହୋଇଯାଇଛି । ସେମାନେ କହିଲେ—"ଏବେ ଏହି ମୃତ ସିଂହାସନର ଶାସ୍ତ୍ରୋକ୍ତ ଭାବରେ ଅନ୍ତ୍ୟେଷ୍ଟି କରାଯାଉ। ଏହାକୁ ପାଣିରେ ବିଲୀନ କରିଦିଆଯାଉ ।"ସେହି ରାଜା ତୁରନ୍ତ କର୍ମଚାରୀମାନଙ୍କୁ ଡକାଇ ମଜୁରିଆମାନଙ୍କୁ ଡାକି ମନ୍ତ୍ରୋଚ୍ଚାରଣ ମଧ୍ୟରେ ସିଂହାସନକୁ କାବେରୀ ନଦୀରେ ବିଲୀନ କରିଦେଲେ ।
ଅନେକ ସମୟ ବିତିଗଲା । ସିଂହାସନ ଇତିହାସର ଅନ୍ଦକାରରେ ଲୁକ୍କୟିତ ରହିଗଲା । ଲୋକକଥା ଓ ଜନଶ୍ରୁତିରେ ଏହାର ଚର୍ଚ୍ଚା ହୋଇଆସୁଥିଲା । ଅନେକ ରାଜାମାନେ କାଳନ୍ତରରେ ବିକ୍ରମାଦିତ୍ୟଙ୍କ ସିଂହାସନ ପାଇବାକୁ ବୁଡାଳିମାନଙ୍କୁ ନିଯୁକ୍ତ କରି କାବେରୀ ନଦୀରେ ଖୋଜା ହେଲା । କିନ୍ତୁ ଆଜିପର୍ଯ୍ୟନ୍ତ କାହାକୁ ଏହାର ଝଲକ ମଧ୍ୟ ମିଳିନି । ଲୋକମାନଙ୍କ ବିଶ୍ୱାସ ଯେ,ଆଜିମଧ୍ୟ ବିକ୍ରମାଦିତ୍ୟଙ୍କ ସମାନ ଗୁଣସମ୍ପନ୍ନ କେହି ଶାସକ ଥିଲେ ସିଂହାସନ ପୁଣି ପୂର୍ବପରି ତାହାର ସମସ୍ତ ବିଶେଷତା ଓ ଆଭା ସହିତ ପ୍ରକାଶିତ ହେବ।"[୫] [୧]
ଗପଟି କହିବା ସହ ସମସ୍ତ ବତିଶିଟି ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କରିସାରିଥିଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).
{{cite book}}: CS1 maint: unrecognized language (link) - ↑ WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
- ↑ samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.
{{cite web}}: CS1 maint: numeric names: authors list (link)[permanent dead link] - ↑ "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
- ↑ "Singhasan Battisi - The Story of 32nd Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-14.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |