ରାଜ ମରିଚ

ଉଇକିପିଡ଼ିଆ ରୁ
Jump to navigation Jump to search
ରାଜ ମରିଚ
ରାଜା ମରିଚ
BhutJolokia09 Asit.jpg
ହାଇବ୍ରିଡ଼ ପିତାମାତା
ଚୀନୀ ଶିମଳାଲଙ୍କାଫ୍ରୁଟେଶିନ୍ସ ଶିମଳାଲଙ୍କାର ଶଂକର
ଜନ୍ମ
ଆସାମ, ନାଗାଲାଣ୍ଡ, ଉତ୍ତର-ପୂର୍ବ ଭାରତ

ରାଜ ମରିଚ (ଈଂରାଜୀରେ Ghost Pepper ବା Ghost Chili) ଏକ ପ୍ରକାରର କଲମୀ ବା ଶଂକର ଜାତୀୟ ଲଙ୍କା । ଭାରତରେ ମିଳୁଥିବା ସମସ୍ତ ପ୍ରକାରର ଲଙ୍କା ମଧ୍ୟରୁ ଏହା ସବୁଠାରୁ ଅଧିକ ରାଗ ବୋଲି କୁହାଯାଏ । ଏହି ଲଙ୍କାର ଅନ୍ୟ କେତେକ ସ୍ଥାନୀୟ ନାମ ହେଲା : ଭୂତ୍ ଜୋଲୋକିୟା, ଊ-ମୋରୋକ୍, ଲାଲ୍ ନାଗା, ନାଗା ଜୋଲୋକିୟା ଇତ୍ୟାଦି । ଏହି ମରିଚ ମୁଖ୍ୟତଃ ଉତ୍ତର-ପୂର୍ବ ଭାରତର ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲ୍ୟାଣ୍ଡମଣିପୁର ଇତ୍ୟାଦି ରାଜ୍ୟମାନଙ୍କରେ ଚାଷ କରାଯାଏ ।[୧][୨] ଚୀନୀ ଶିମଳାଲଙ୍କା ଓ ଫ୍ରୁଟେଶିନ୍ସ ଶିମଳାଲଙ୍କାର କଲମୀକରଣରୁ ଏହି ମରିଚର ସୃଷ୍ଟି ଏବଂ ଏହି ମରିଚ ବଙ୍ଗଳାଦେଶରେ ମିଳୁଥିବା ନାଗା ମୋରିଚ୍‍ର ନିକଟ ସମ୍ପର୍କୀୟ ।[୩]

୨୦୦୭ ମସିହାରେ ଗିନିଜ୍ ବୁକ୍ ଅଫ୍ ୱଲ୍ଡ୍ ରେକର୍ଡ୍ସରେ ରାଜ ମରିଚକୁ ବିଶ୍ଵର ସବୁଠାରୁ ରାଗ ଲଙ୍କା ବୋଲି ମାନ୍ୟତା ମିଳିଥିଲା । ମେକ୍ସିକୋର ପ୍ରସିଦ୍ଧ ରାଗ ଶସ୍ ଟାବାସ୍କୋଠାରୁ ରାଜ ମରିଚ ୪୦୦ ଗୁଣ ଅଧିକ ରାଗ । ମରିଚର ରାଗକୁ ସ୍କୋଭିଲ୍ ରାଗ ଏକକ (Scoville Heat Unit - SHU)ଦ୍ଵାରା ମପାଯାଏ ଓ ରାଜ ମରିଚ କ୍ଷେତ୍ରରେ ଏହାର ମାନ ୧୦ ଲକ୍ଷରୁ ବି ଅଧିକ । ତେବେ କଲମୀକରଣରୁ ପ୍ରାପ୍ତ ଅନ୍ୟ କେତେକ ଲଙ୍କା ଏହାକୁ ପଛରେ ପକାଇ ଦେଇଛନ୍ତି । ସେମାନେ ହେଲେ - ୨୦୧୧ ମସିହାରେ ଉଦ୍ଭାବିତ ଇନ୍‍ପିନିଟି ଚିଲି, ତାହା ପରେ ନାଗା ଭାଇପର୍ ଶିମଳାଲଙ୍କା, ୨୦୧୨ ମସିହାରେ ତ୍ରିନିଦାଦ୍ ମୋରୁଗା ସ୍କର୍ପିୟନ୍ ଓ ସର୍ବଶେଷରେ ୨୦୧୩ ମସିହା ଅଗଷ୍ଟ ୭ ତାରିଖରେ କ୍ୟାରୋଲିନା ରୀପର୍ ସବୁଠାରୁ ରାଗ ଲଙ୍କା ଭାବେ ଘୋଷିତ ହୋଇଛନ୍ତି ।[୪]

ନାମକରଣ[ସମ୍ପାଦନା]

ବିଭିନ୍ନ ସ୍ଥାନରେ ରାଜ ମରିଚ ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଆସାମର ଅଧିକାଂଶ ସ୍ଥାନରେ ଏହାକୁ ଭୂତ୍ ଜୋଲୋକିୟା (ভোট জলকীয়া)ବା ବିହ୍ ଜୋଲୋକିୟା (বিহ জলকীয়া)କୁହାଯାଏ । ଏହି ମରିଚର ଅହମିୟା ଭାଷାର ନାମରେ ଥିବା ଭୂତ୍ (ভোট) ଶବ୍ଦଟି ଭୂଟାନୀରୁ ଗୃହୀତ । ଆସାମରେ ବିଭିନ୍ନ ଜାତିର ନାମରେ ବିଭିନ୍ନ ଗଛର ନାମ ରଖାଯାଉଥିବାରୁ ଏପରି ନାମକରଣ ସମ୍ଭବପର । ହେଲେ ଏହି ମରିଚ ପ୍ରଥମେ ଭୂଟାନରେ ଉତ୍ପତ୍ତି ହୋଇଥିଲା ବୋଲି କହିବା ଭୁଲ ହେବ । ଆସାମର ଅନ୍ୟ କିଛି ଅଞ୍ଚଳରେ ରାଜ ମରିଚକୁ ଲୋକେ ନୋଗା ଜୋଲୋକିୟା (নগা জলকীয়া)ବୋଲି ମଧ୍ୟ କହିଥାନ୍ତି । ଏହି ନାମଟି ନାଗାଲ୍ୟାଣ୍ଡର ପାହାଡ଼ ଓ ସମତଳ ଅଞ୍ଚଳରେ ବସବାସ କରୁଥିବା ବୀର ନାଗା ଯୋଦ୍ଧାଙ୍କ ନାମାନୁସାରେ ଦିଆଯାଇଛି ।[୫] ଏହାର ବଡ଼ ଆକାର ପାଇଁ ୨୦୦୯ ମସିହାରେ ଏକ ନୂଆ ଈଂରାଜୀ ନାମ "ନାଗା କିଂଗ୍ ଚିଲି" (Naga king chili – ନାଗା ରାଜ ମରିଚ) ମଧ୍ୟ ଶୁଣାଯାଇଥିଲା ।[୬][୭] ନାଗାଲ୍ୟାଣ୍ଡର କଥିତ ଭାଷାରେ ଏହି ଲଙ୍କାକୁ ରାଜା ମିର୍ଚା or ରାଜା ମିର୍ଚି ବୋଲି କୁହାଯାଉଥିବାରୁ ଏପରି ନୂଆ ଈଂରାଜୀ ନାମ ସୃଷ୍ଟି ହୋଇଥାଇପାରେ । ତେବେ ଅହମିୟା ଭାଷାର ନାମ ଭୂତ୍ ଜୋଲୋକିୟା ଓ ବିହ୍ ଜୋଲୋକିୟା ଭାରତରେ ଏହାର ସବୁଠାରୁ ଅଧିକ ବୋଲାଯାଉଥିବା ନାମ । ଆସାମରେ ପ୍ରଚଳିତ ଭାଷା ଅନୁସାରେ ବିହ୍‍ର ଅର୍ଥ ହେଲା ବିଷ ଓ ଜୋଲୋକିୟାର ଅର୍ଥ ହେଲା ଶିମଳାଲଙ୍କା । ରାଜ ମରିଚ ଉଦ୍ଦେଶ୍ୟରେ କେହି କେହି ରହସ୍ୟମୟୀ ଭାରତୀୟ ମରିଚ, ଭାରତୀୟ କର୍କଷ ମରିଚ ଓ ଶାଗା ଜ୍ଲୋକିୟା ଇତ୍ୟାଦି ନାମର ପ୍ରୟୋଗ ମଧ୍ୟ କରିଥାନ୍ତି ।[୬][୮] ଆସାମର ତେଜପୁର ସହର ନାମରେ ଏହାକୁ "ତେଜପୁର ମରିଚ" ବୋଲି ମଧ୍ୟ କୁହାଯାଏ ।[୫] ମଣିପୁରରେ ରାଜ ମରିଚକୁ ଊ-ମୋରୋକ୍ ବୋଲି କୁହନ୍ତି । ମଣିପୁରୀ ଭାଷାରେ ଊ ଶବ୍ଦର ଅର୍ଥ ହେଲା ଗଛ ଓ ମୋରୋକ୍ ଶବ୍ଦର ଅର୍ଥ ହେଲା ଲଙ୍କା । କୁକୀମାନେ ରାଜ ମରିଚକୁ ମାଲ୍ଚା-ଫୋଃ (ଯାହାର ଅର୍ଥ ସବୁଠାରୁ ତିକ୍ତ ବା ରାଗ ଲଙ୍କା) କହିଥନ୍ତି ।[୯]

ସ୍କୋଭିଲ୍ ମାନଦଣ୍ଡ[ସମ୍ପାଦନା]

୨୦୦୦ ମସିହାରେ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରୟୋଗଶାଳା (DRL) ସ୍କୋଭିଲ୍ ଏକକରେ ରାଜ ମରିଚର ରାଗର ମାପ ୮୫୫୦୦୦ SHU ବୋଲି ପ୍ରକାଶ କରିଥିଲା ।[୧୦] ୨୦୦୪ ମସିହାରେ ଅଧିକ ସଠିକ୍ ପରୀକ୍ଷଣ କରାଯିବାରୁ ଜଣା ପଡ଼ିଲା ଯେ ରାଜ ମରିଚର ସ୍କୋଭିଲ୍ ମାନ ପ୍ରାୟ ୧୦୪୧୪୨୭ SHU ।[୧୧] ତୁଳନାତ୍ମକ ଭାବେ ଦେଖିଲେ ଟାବାସ୍କୋ ଶସ୍ ୫୦୦୦-୧୦୦୦୦ ଏବଂ କେବଳ କାପାଶିସିନ୍ (ଯେଉଁ ଉପାଦାନ ଯୋଗୁଁ ଲଙ୍କା ରାଗ ଲାଗେ) ୧୬୦୦୦୦୦୦ SHU ଏକକ ।

୨୦୦୫ ମସିହାରେ ଲାସ୍ କ୍ରୁସେସ୍‍ସ୍ଥିତ ନ୍ୟୁ ମେକ୍ସିକୋ ବିଶ୍ଵବିଦ୍ୟାଳୟର ଚିଲି ପେପର୍ ଅନୁଷ୍ଠାନ[୧୨] ଜାଣିବାକୁ ପାଇଲା ଯେ ରାଜ ମରିଚର ମଞ୍ଜି ପୋତି ଦକ୍ଷିଣ ନ୍ୟୁ ମେକ୍ସିକୋରେ ଉତ୍ପନ୍ନ ହୋଇଥିବା ରାଜ ମରିଚର ସ୍କୋଭିଲ୍ ସଂଖ୍ୟା ପ୍ରାୟ ୧୦୦୧୩୦୪ SHU ।[୧]

୩୦ ଦିନର ରାଜ ମରିଚ ଗଛ

କେଉଁ ରାଜ ମରିଚ କେତେ ରାଗ ତାହା ମୁଖ୍ୟତଃ ଜଳବାୟୁ ଉପରେ ନିର୍ଭର କରେ । ୨୦୦୫ ମସିହରେ କରାଯାଇଥିବା ଏକ ପରୀକ୍ଷଣ ଅନୁସାରେ ଆସାମର ତେଜପୁରରେ ମିଳୁଥିବା ରାଜ ମରିଚ ଗ୍ଵାଲିୟର୍‍ର ଶୁଷ୍କ ଜଳବାୟୁରେ ଉତ୍ପନ୍ନ ରାଜ ମରିଚଠାରୁ ଦୁଇ ଗୁଣ ଅଧିକ ରାଗ ।[୧୩] ମଣିପୁର ବିଶ୍ଵବିଦ୍ୟାଳୟର କେତେକ ଗବେଷକ ପରୀକ୍ଷା କରି ଦେଖିଥିଲେ ଉତ୍ତର ପୂର୍ବ ଭାରତ ଛଡ଼ା ଭାରତର ଅନ୍ୟ ସ୍ଥାନରେ ଚାଷ କରାଗଲେ ରାଜ ମରିଚର ସ୍କୋଭିଲ୍ ମାନ ପ୍ରାୟ ୩୨୯୧୦୦ SHU ହୋଇଥାଏ ।[୯]

ରାଜ ମରିଚର ସମଗ୍ର ଫଳରେ କାପାଶିସିନ୍ ନାମକ ରାସାୟନିକ ଏକ ଉପାଦାନ ରହିଥାଏ । ଅନ୍ୟ ବହୁତ ପ୍ରକାରର ଲଙ୍କାରେ କିନ୍ତୁ ଏହି ଉପାଦାନ କେବଳ ମଞ୍ଜି ଓ ମଞ୍ଜିକୁ ଧରି ରଖିଥିବା ପ୍ଲାସେଣ୍ଟାରେ ମିଳେ ।[୧୪]

ଆକୃତି ପ୍ରକୃତି[ସମ୍ପାଦନା]

ପାଚିଲା ରାଜ ମରିଚ ୬୦ରୁ ୮୫ ମିଲିମିଟର୍ ଲମ୍ଵା ଓ ୨୫ରୁ ୩୦ ମିଲିମିଟର୍ ମୋଟା ହୋଇଥାନ୍ତି । ପାଚିଲା ରାଜ ମରିଚ ଲାଲ୍, ହଳଦିଆ, କମଳା ବା ଚକୋଲେଟ୍ ରଙ୍ଗର ହୋଇଥାଏ । ଭାରତରେ ରାଜ ମରିଚର ବିଭିନ୍ନ ପ୍ରକାର ଦେଖିବାକୁ ମିଳିଥାଏ । ରାଜ ମରିଚର ବାହ୍ୟ ଆକୃତି ଭାରତରେ ମିଳୁଥିବା ଅନ୍ୟ ଶିମଳାଲଙ୍କା ଓ ସାଧାରଣ ଲଙ୍କାଠାରୁ ପତଳା ଓ ଭିନ୍ନ ।[୧୫] ଲାଲ୍ ରଙ୍ଗର ରାଜ ମରିଚର ଦୁଇଟି ପ୍ରକାର ରହିଛି – ଗୋଟିଏର ଚୋପା ଚିକ୍କଣିଆ ହୋଇଥିବା ବେଳେ ଅନ୍ୟଟି ଟିକିଏ ଖଦଡ଼ା । ଖଦଡ଼ା ରାଜ ମରିଚ ଗଛ ଅପେକ୍ଷାକୃତ ଉଚ୍ଚା ଓ ଏହାର ଡାଳ ଦୃଢ଼ ନୁହେଁ । ଚିକ୍କଣିଆ ରାଜ ମରିଚ ଗଛରେ ଅଧିକ ଫଳ ଲାଗେ, ଏହି ଗଛର ଆକାର ଛୋଟ କିନ୍ତୁ ଦୃଢ଼ ଶାଖାବିଶିଷ୍ଟ ହୋଇଥାଏ ।[୧୬]

ଉପଯୋଗ[ସମ୍ପାଦନା]

ଭୂତ୍ ଜୋଲୋକିୟା (ভূত-জলকীয়া)

ସାଧାରଣ ମରିଚ ପରି ରାଜ ମରିଚ ମଧ୍ୟ ଖାଦ୍ୟରେ ବ୍ୟବହୃତ ହୁଏ । ଗ୍ରୀଷ୍ମ ଋତୁରେ ଅଧିକ ଉତ୍ତାପରୁ ବଞ୍ଚିବା ପାଇଁ ମଧ୍ୟ ଲୋକେ ରାଜ ମରିଚ ଖାଆନ୍ତି ।[୨] ତରକାରୀ, ଆଚାର ଓ ଚଟଣିକୁ ରାଗ କରିବା ପାଇଁ ଏହି ମରିଚ ବ୍ୟବହାର କରାଯାଏ । ଏହି ମରିଚକୁ ଲୋକେ ଖରାରେ ଶୁଖାଇ ମଧ୍ୟ ଏହାକୁ ଖାଇବା ପାଇଁ ବ୍ୟବହାର କରନ୍ତି । ଏହି ମରିଚକୁ ଶିଳରେ ବାଟି ସେଥିରୁ ତିଆରି ହେଉଥିବା ଚଟଣି ଉତ୍ତର-ପୂର୍ବ ଭାରତର ଏକ ଲୋକପ୍ରିୟ ଖାଦ୍ୟ । ଘୁଷୁରୀ ମାଂସ ଓ ଶୁଖୁଆ ସହିତ ରାଜ ମରିଚର ଯୋଡ଼ି ଭାରି ଲୋକପ୍ରିୟ । ଭାରତର ଉତ୍ତର-ପୂର୍ବରେ ଲୋକେ ରାଜ ମରିଚ ଗୁଣ୍ଡ ନିଜ ଘର ଚାରିପଟେ ରହିଥିବା ଘେରି ବାଡ଼ ଉପରେ ଛିଞ୍ଚି ଦିଅନ୍ତି ବା ଧୂଆଁ ବାଣରେ ରାଜ ମରିଚ ଗୁଣ୍ଡ ବ୍ୟବହାର କରାଯାଏ । ବଣୁଆ ହାତୀମାନଙ୍କୁ ଗାଁଠାରୁ ଓ ଚାଷଜମିରୁ ଦୂରେଇ ରଖିବା ପାଇଁ ଏପରି କରାଯାଇଥାଏ ।[୧୭][୧୮] ଅତ୍ୟଧିକ ରାଗ ହୋଇଥିବାରୁ ବିଶ୍ଵରେ ଆୟୋଜିତ ବିଭିନ୍ନ ରାଗ ଜିନିଷ ଖାଇବା ପ୍ରତିଯୋଗିତାରେ ରାଜ ମରିଚ ଉପସ୍ଥିତ ଥାଏ ।[୧୯]

ପ୍ରତିରକ୍ଷା ସାମଗ୍ରୀ[ସମ୍ପାଦନା]

୨୦୦୯ ମସିହାରେ ଭାରତୀୟ ରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (DRDO)ର ବୈଜ୍ଞାନିକମାନେ ହାତ ବୋମାରେ ଲଙ୍କା ମରିଚ ଗୁଣ୍ଡ ବ୍ୟବହାର କରିବାର ପ୍ରସ୍ତାବ ରଖିଥିଲେ । ଲୁକ୍କାୟିତ ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ ଅନ୍ୟ ରାସାୟନିକ ଓ ଗ୍ୟାସୀୟ ବୋମା ତୁଳନାରେ ଏହା କମ୍ ମରଣାନ୍ତକ । ଦୁର୍ବୃତ୍ତ ଓ ଅସାମାଜିକ ଲୋକଙ୍କଠାରୁ ନିଜର ସୁରକ୍ଷା ପାଇଁ ମହିଳାମାନଙ୍କୁ ଯେଉଁ ଲଙ୍କାଗୁଣ୍ଡ ସ୍ପ୍ରେ ବ୍ୟବହାର କରିବାପାଇଁ କୁହାଯାଏ, ସେଥିରୁ କେତେକ ସ୍ପ୍ରେରେ ରାଜ ମରିଚ ଗୁଣ୍ଡ ବ୍ୟବହୃତ ହୁଏ ।[୨୦][୨୧] ରାଜ ମରିଚ ଗୁଣ୍ଡର ବ୍ୟବହାର କରି ତିଆରି ହୋଇଥିବା ବୋମା, ଧୂଆଁବାଣ ଇତ୍ୟାଦି ଉତ୍ତେଜିତ ଆନ୍ଦୋଳନକାରୀଙ୍କୁ ଇତଃସ୍ତତଃ କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ବୋଲି DRDO ମତ ରଖିଥିଲା ।[୨୨]

୨୦୧୫ ମସିହା ଅଗଷ୍ଟ ମାସରେ ଗୁମ୍ଫା ମଧ୍ୟରେ ଲୁଚି ରହିଥିବା ସଜ୍ଜଦ୍ ଅହମଦକୁ ବାହାର କରାଇବା ପାଇଁ ଭାରତୀୟ ସୈନିକମାନେ ରାଜ ମରିଚ ଗୁଣ୍ଡ ଥିବା ବୋମା ବ୍ୟବହାର କରିଥିଲେ ଓ ନିଜ ଯୋଜନାରେ ସଫଳ ମଧ୍ୟ ହୋଇଥିଲେ ।[୨୩]

୨୦୧୬ ମସିହା ଅଗଷ୍ଟ ମାସରେ ଭାରତୀୟ ସୁରକ୍ଷା ସେନାନୀମାନେ କାଶ୍ମୀରରେ ବିବାଦୀୟ ପେଲେଟ୍ ଗନ୍ ପରିବର୍ତ୍ତେ ଲଙ୍କାଗୁଣ୍ଡ ବୋମା ବ୍ୟବହାର କରିବେ ବୋଲି କେନ୍ଦ୍ରୀୟ ଗୃହମନ୍ତ୍ରୀ ରାଜନାଥ ସିଂ ଘୋଷଣା କରିଥିଲେ ।[୨୪]

ନାଗା ମରିଚ[ସମ୍ପାଦନା]

ଡୋର୍ସେଟ୍ ନାଗା ହେଉଛି ବଙ୍ଗଳାଦେଶୀ ନାଗା ମରିଚର ଏକ ଉପଶ୍ରେଣୀ ।[୨୫]

୨୦୦୫ ମସିହାରୁ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ମିଳୁଥିବା ଭିନ୍ନ ଭିନ୍ନ ଡୋର୍ସେଟ୍ ନାଗା ଲଙ୍କାର ରାଗ ପରୀକ୍ଷା କରାଯାଇଆସୁଛି । ଭିନ୍ନ ଜଳବାୟୁ ଓ ପରିପକ୍ଵତାରେ ରହିଥିବା ଏହି ଲଙ୍କାର ରାଗ ସ୍କୋଭିଲ୍ ମାପ ୬୬୧୪୫୧ SHU (୨୦୦୭ରେ ପରୀକ୍ଷା କରାଯାଇଥିବା କଞ୍ଚା ମରିଚ)ରୁ ଆରମ୍ଭ କରି ୧୦୩୨୩୧୦ SHU (୨୦୦୯ରେ ପରୀକ୍ଷା କରାଯାଇଥିବା ପାଚିଲା ଲଙ୍କା) ପର୍ଯ୍ୟନ୍ତ ହୋଇପାରେ ।[୨୬]

ବିବିସି (BBC)ଦ୍ଵାରା ନିର୍ମିତ ଗାର୍ଡେନର୍‍ସ୍ ୱଲ୍ଡ୍ (Gardeners' World) କାର୍ଯ୍ୟକ୍ରମରେ ଡୋର୍ସେଟ୍ ନାଗା ମରିଚର ରାଗ ଆହୁରି ଅଧିକ ବୋଲି କୁହାଯାଇଥିଲା । ୨୦୦୬ ମସିହାରେ ଏକ କାର୍ଯ୍ୟକ୍ରମରେ ଡୋର୍ସେଟ୍ ନାଗା ମରିଚ ସମେତ ଅନେକ ଲଙ୍କାର ରାଗ ପରୀକ୍ଷା କରାଗଲା । ୱାର୍ୱିକ୍ HRIଙ୍କଦ୍ଵାରା କରାଯାଇଥିବା ଏହି ପରୀକ୍ଷଣରେ ଡୋର୍ସେଟ୍ ନାଗା ମରିଚର ରାଗ ସ୍ତର ପ୍ରାୟ ୧୫୯୮୨୨୭ SHU ବୋଲି ସ୍ଥିର କରାଯାଇଥିଲା । ସେତେବେଳେ ଏହାକୁ ସବୁଠାରୁ ରାଗ ମରିଚ ବୋଲି କୁହାଗଲା ।[୨୫][୨୭]

ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Shaline L. Lopez (2007). "NMSU is home to the world's hottest chile pepper". Archived from the original on 2007-02-19. Retrieved 2007-02-21. 
  2. ୨.୦ ୨.୧ "'Ghost chile' burns away stomach ills - Diet & Nutrition - MSNBC.com:". Associated Press. 2007. http://www.msnbc.msn.com/id/20058096/. Retrieved 2007-08-05. 
  3. Paul W. Bosland and Jit B. Baral (2007). "'Bhut Jolokia'—The World's Hottest Known Chile Pepper is a Putative Naturally Occurring Interspecific Hybrid" (PDF). Horticultural Science. 42 (2): 222–4. 
  4. "Hottest Chili". Guinness World Records. Retrieved December 26, 2013. 
  5. ୫.୦ ୫.୧ DeWitt, Dave; Bosland, Paul W. (୨୦୦୯). The Complete Chile Pepper Book. Timber Press. p. ୧୫୮. ISBN ୦-୮୮୧୯୨-୯୨୦-୪. 
  6. ୬.୦ ୬.୧ Raktim Ranjan Bhagowati; et al. (2009). "Genetic Variability and Traditional Practices in Naga King Chili Landraces of Nagaland" (PDF). Asian Agri-History. 13 (3): 171–180. Archived from the original (PDF) on 2011-07-20. 
  7. "Northeast 'Hottest' chef gets a taste of hottest jolokia". The Telegraph (Calcutta). 2009-04-10. http://www.telegraphindia.com/1090410/jsp/northeast/story_10799180.jsp. Retrieved 2010-01-19. 
  8. Rajghatta, Chidanand (6 September 2009). "Saga Jolokia: Indian chilli acquires cult following in US". The Economic Times (New Dehli, India). http://articles.economictimes.indiatimes.com/2009-09-06/news/27639149_1_bhut-jolokia-indian-chilli-naga-jolokia. Retrieved 24 April 2012. 
  9. ୯.୦ ୯.୧ Sanatombi K., G. J. Sharma (2008). "Capsaicin Content and Pungency of Different Capsicum spp. Cultivars". Not. Bot. Hort. Agrobot. Cluj. 36 (2): 89–90. ISSN 1842-4309. Archived from the original (PDF) on 2011-08-23. 
  10. Mathur R; et al. (2000). "The hottest chili variety in India" (PDF). Current Science. 79 (3): 287–8. 
  11. "Bih jolokia". 2006. Retrieved 2006-12-12. 
  12. "NMSU: The Chile Pepper Institute - Home". The Chile Pepper Institute. Retrieved 2012-07-20. 
  13. Tiwari A; et al. (2005). "Adaptability and production of hottest chili variety under Gwalior climatic conditions" (PDF). Current Science. 88 (10): 1545–6. 
  14. Bosland, Paul; Coon, Danise; Cooke, Peter H. (June 2015). "Novel Formation of Ectopic (Nonplacental) Capsaicinoid Secreting Vesicles on Fruit Walls Explains the Morphological Mechanism for Super-hot Chile Peppers". Journal of the American Society for Horticultural Science. 140 (3): 253–256. 
  15. Barker, Catherine L. (2007). "Hot Pod: World's Hottest". National Geographic Magazine 2007 (May): p. 21. 
  16. Dremann, Craig Carlton. 2011. Redwood City Seed Company, Observations on the variations in the Bhut Jolokia pepper from seed reproduction growouts.
  17. Hussain, Wasbir (2007-11-20). "World's Hottest Chile Used as Elephant Repellent". National Geographic. Retrieved 2007-11-21. 
  18. "Ghost Chile Scares Off Elephants". National Geographic News website. National Geographic. 2007-11-20. Retrieved 2008-08-18. 
  19. Mary Roach (June 2013). "The Gut-Wrenching Science Behind the World's Hottest Peppers". Smithsonian Magazine. 
  20. "Army's new weapon: world's hottest chili - Trends News - IBNLive". Ibnlive.in.com. 2010-03-24. Retrieved 2012-11-06. 
  21. "South Asia | India plans hot chilli grenades.". BBC News. 2009-06-25. http://news.bbc.co.uk/1/hi/world/south_asia/8119591.stm. Retrieved 2010-04-11. 
  22. Bhaumik, Subir (24 March 2010). "India scientists hail 'multi-purpose' chillis". BBC News (City of Westminster, England: BBC). http://news.bbc.co.uk/2/hi/8584988.stm. Retrieved 24 April 2012. 
  23. "Army used ‘chilly grenades’ to flush out Pak terrorist Sajjad Ahmed from a cave". Indian Express. http://indianexpress.com/article/india/india-others/pakistani-militant-captured-army-used-chilly-grenades-to-catch-sajjad-ahmed/#sthash.JJnZ9iWv.dpuf. 
  24. Srinagar (August 26, 2016). "India finds alternative to Kashmir pellet guns: Chilli-filled grenades". World is One News. Zee Media Corporation Ltd. 
  25. ୨୫.୦ ୨୫.୧ "Some Like It Hot: Dorset's Ultra-Hot Chillies". Archived from the original on 19 November 2012. Retrieved 25 August 2010. 
  26. "Dorset Naga". Dorset Naga. Retrieved 2012-07-20. 
  27. "Gardening: 20 October 2006". bbc.co.uk (London: BBC): Gardeners' World's hottest chillies. 20 October 2006. Archived from the original on 17 January 2008. https://web.archive.org/web/20080117185017/http://www.bbc.co.uk/gardening/tv_and_radio/factsheets/pages/46.shtml#contentAnchor. Retrieved 20 July 2012.