Jump to content

ରାଜବିଦ୍ୟା ଯୋଗ (ଶ୍ରୀମଦ୍ଭଗବତ୍ଗୀତା)

ଉଇକିପିଡ଼ିଆ‌ରୁ
A 19th-century illustrated Sanskrit manuscript from the Bhagavad Gita, composed c. 400 BCE – 200 BCE.

ରାଜ ବିଦ୍ୟା ଯୋଗ ଭଗବଦ୍‌ଗୀତାର ନବମ ଅଧ୍ୟାୟ । ମହାଭାରତ ପୁରାଣର ଭୀଷ୍ମ ପର୍ବ ମଧ୍ୟରେ, 25ତମ ଅଧ୍ୟାୟ ରୁ 42ତମ ଅଧ୍ୟାୟ ପର୍ଯ୍ୟନ୍ତ 18ଟି ଅଧ୍ୟାୟ ଭଗବଦ୍‌ଗୀତା ଭାବେ ପରିଚିତ । ଭୀଷ୍ମ ପର୍ବର ୩୫ ତମ ଅଧ୍ୟାୟରେ ୩୪ଟି ଶ୍ଳୋକ ମାଧ୍ୟମରେ ରାଜବିଦ୍ୟା ଯୋଗର ମହିମା ବର୍ଣ୍ଣନା ହୋଇଛି ।[]

ଭାଗବତ ଗୀତାର ଏକ ସ୍ୱତନ୍ତ୍ର ଗ୍ରନ୍ଥ ଭାବେ ମଧ୍ୟ ମାନ୍ୟତା ରହିଛି । କୁରୁକ୍ଷେତ୍ର ଯୁଦ୍ଧର ଆରମ୍ଭ ସମୟରେ ଭଗବାନ ଶ୍ରୀକୃଷ୍ଣ ନିଜେ ଅର୍ଜୁନଙ୍କୁ ଯେଉଁ ଜ୍ଞାନ ଦେଇଥିଲେ, ତାହା ହିଁ ଏହି ଗୀତା; ଏହିକାରଣରୁ ଏହା ହିନ୍ଦୁମାନଙ୍କ ପାଇଁ ପରମ ପବିତ୍ର ଗ୍ରନ୍ଥଗୁଡିକ ମଧ୍ୟରୁ ଅନ୍ୟତମ । ଭଗବଦ୍‌ଗୀତାକୁ ଏକ ସିଦ୍ଧାନ୍ତ ଗ୍ରନ୍ଥ ଭାବେ ଗ୍ରହଣ କରାଯାଏ; ଏଥିରେ ବେଦ, ବେଦାନ୍ତ ଓ ଯୋଗ ଶାସ୍ତ୍ରର ବିଶେଷତା ନିହିତ ଅଛି ବୋଲି ବିଶ୍ୱାସ । ଭଗବଦ୍‌ଗୀତାକୁ ସାଧାରଣତଃ “ଗୀତା” ବୋଲି କୁହାଯାଏ ଏବଂ ଏହା “ଗୀତୋପନିଷଦ୍” ବୋଲି ମଧ୍ୟ ପରିଚିତ । ଏହି ଗ୍ରନ୍ଥରେ ଭଗବାନଙ୍କ ତତ୍ତ୍ୱ, ଆତ୍ମତତ୍ତ୍ୱ, ଜୀବନର ଲକ୍ଷ୍ୟ ଓ ତାହାକୁ ପ୍ରାପ୍ତି କରିବାର ପଥ ସମ୍ବନ୍ଧୀୟ ଶିକ୍ଷା ଦିଆଯାଇଛି।[]

ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି, “ହେ ଅର୍ଜୁନ, ଶୁଣ, ଅତ୍ୟନ୍ତ ଗୁପ୍ତ ଏବଂ ଜ୍ଞାନମାନଙ୍କ ରାଜା ବୋଲାଉଥିବା ଏହି ଜ୍ଞାନ ଗୁପ୍ତ, ଉତ୍କୃଷ୍ଟ, ଫଳଦାୟକ, ଧର୍ମସମ୍ପନ୍ନ, ସହଜ ଏବଂ ଶାଶ୍ୱତ । ଯେଉଁମାନେ ଏହି ଜ୍ଞାନ ଅନୁସରଣ କରନ୍ତି ନାହିଁ ସେମାନେ ପୁନଃପୁନ ଜନ୍ମ ଗ୍ରହଣ କରନ୍ତି । ନିରାକାର ହୋଇଥିଲେ ମଧ୍ୟ ମୁଁ ସମସ୍ତ ସୃଷ୍ଟିରେ ବ୍ୟାପ୍ତ ଅଛି । ସମସ୍ତ କିଛି ମୋ ମଧ୍ୟରେ ଅଛି, କିନ୍ତୁ ମୁଁ ସେମାନଙ୍କ ମଧ୍ୟରେ ନୁହେଁ। ସମସ୍ତ ପ୍ରାଣୀ ମୋ ମଧ୍ୟରେ ଅଛନ୍ତି; ପ୍ରଳୟ ସମୟରେ ସେମାନେ ମୋ ମାୟାରେ ବିଲୟ ହୁଅନ୍ତି, ସୃଷ୍ଟି ସମୟରେ ପୁନଃ ମୋ ମାୟା ଦ୍ୱାରା ପ୍ରକାଶିତ ହୁଅନ୍ତି । ମୁଁ ତଟସ୍ଥ ରହିବା ଦ୍ୱାରା ଏହି କର୍ମମାନେ ମୋତେ ସ୍ପର୍ଶ କରିପାରେ ନାହିଁ । ମୋ ସଂକଳ୍ପ ଦ୍ୱାରା ମୋ ମାୟା ଏହି ସୃଷ୍ଟିକାର୍ଯ୍ୟକୁ ସଂଚାଳନ କରୁଛି । ଯେଉଁମାନେ ମୋ ତତ୍ତ୍ୱ ଜାଣିପାରନ୍ତି ନାହିଁ ସେମାନେ ମୋତେ ସାଧାରଣ ମଣିଷ ବୋଲି ଭାବି ଅବମାନନା କରନ୍ତି । ଏମିତି ଲୋକମାନେ ଅଜ୍ଞାନରେ ରାକ୍ଷସ ଭାବକୁ ଧାରଣ କରନ୍ତି ଏବଂ ବ୍ୟର୍ଥ କର୍ମ ଓ ଦୁରାଶାରେ ଜୀବନ ବ୍ୟତୀତ କରନ୍ତି । କିନ୍ତୁ ମହାତ୍ମାମାନେ ମୋ ତତ୍ତ୍ୱକୁ ଜାଣି ନିଶ୍ଚଳ ଭକ୍ତି ସହିତ ମୋତେ ଆରାଧାନା କରନ୍ତି। କେହି କେହି ଜ୍ଞାନଯୋଗୀ ଦ୍ୱୈତ ଓ ଅଦ୍ୱୈତ ପଦ୍ଧତିରେ ମୋ ଉପାସନା କରନ୍ତି । ଯଜ୍ଞ, ତାହାର ସାଧନ ସାମଗ୍ରୀ, ଫଳ ଓ ଅଗ୍ନି; ସବୁ ମୁଁ ହିଁ । ମୁଁ ମା, ବାପା, ପିତାମହ, ଜ୍ଞାନୀ, ବେଦ, ଓଂକାର, ସବୁ ମୁଁ । ମୁଁ ଆଶ୍ରୟ, ପ୍ରଭୁ, ସାକ୍ଷୀ, ଆଧାର, ହିତକାରୀ ଓ କାରଣ । ସ୍ୱର୍ଗଲାଭ ପାଇଁ ଯେଉଁମାନେ କର୍ମ କରନ୍ତି ସେମାନେ ସେଥିରେ ଭୋଗ ଭୋଗି, ପୁଣ୍ୟ କ୍ଷୟ ହେଲେ ପୁନଃ ଭୂଲୋକକୁ ଫେରନ୍ତି । କିନ୍ତୁ ଯେଉଁମାନେ ନିରନ୍ତର ମୋ ଧ୍ୟାନ ଓ ଭକ୍ତିରେ ନିମଗ୍ନ ଅଛନ୍ତି, ସେମାନଙ୍କ ଯୋଗକ୍ଷେମ ମୁଁ ନିଜେ ଦେଖିନିଏ । ଶ୍ରଦ୍ଧା ଓ ଭକ୍ତି ସହିତ ଅନ୍ୟ ଦେବତାଙ୍କୁ ପୂଜା କରୁଥିବା ଲୋକମାନେ ମଧ୍ୟ ବାସ୍ତବରେ ମୋତେ ପୂଜା କରୁଛନ୍ତି, କିନ୍ତୁ ସେଇଟା ଏକ ପରୋକ୍ଷ ମାର୍ଗ । ସେମାନେ ମୋ ସ୍ୱରୂପକୁ ନଜାଣିବାରୁ ପୁନଃପୁନ ଜନ୍ମ ଗ୍ରହଣ କରନ୍ତି । ଦେବତାଙ୍କୁ ପୂଜା କରୁଥିବା ଲୋକ ଦେବଲୋକ ପାଆନ୍ତି, ପିତୃଙ୍କୁ ପୂଜା କରୁଥିବା ପିତୃଲୋକକୁ, ଭୂତମାନଙ୍କୁ ପୂଜା କରୁଥିବା ଭୂତଲୋକକୁ ଯାଆନ୍ତି, ଏହିପରି ମୋତେ ଉପାସନା କରୁଥିବା ମୋତେ ହିଁ ପାଆନ୍ତି ।

ଭକ୍ତି ସହିତ ଯେ କେହି ପତ୍ର, ପୁଷ୍ପ, ଫଳ କିମ୍ବା ଜଳ ଅର୍ପଣ କରନ୍ତି, ମୁଁ ସେହି ଭକ୍ତିକୁ ସ୍ନେହସହିତ ଗ୍ରହଣ କରେ । ତୁମେ ଯେଉଁ କାମ କର, ଯେଉଁ ଭୋଜନ କର, ଯେଉଁ ଯଜ୍ଞ, ଦାନ ଓ ତପ କର, ସବୁକୁ ମୋତେ ଅର୍ପଣ କର । ତେବେ କର୍ମଫଳରୁ ମୁକ୍ତ ହୋଇ ମୋତେ ଲାଭ କରିବ । ମୋ ପାଇଁ ଇଷ୍ଟ ଓ ଅନିଷ୍ଟ କୌଣସି ଭେଦ ନାହିଁ, ସମସ୍ତ ମୋ ପାଇଁ ସମାନ । ଯେମାନେ ମୋତେ ଭଜନ କରନ୍ତି, ସେମାନେ ମୋ ମଧ୍ୟରେ ଅଛନ୍ତି ଓ ମୁଁ ସେମାନଙ୍କ ମଧ୍ୟରେ । ମୋ ଭକ୍ତ କେବେ ନାଶ ହୁଏନି, ଏହା ମୋ ପ୍ରତିଜ୍ଞା । ପାପୀ, ସ୍ତ୍ରୀ, ବୈଶ୍ୟ ଓ ଶୂଦ୍ର ମଧ୍ୟ ଯଦି ମୋତେ ଆଶ୍ରୟ କରନ୍ତି, ସେମାନେ ନିଶ୍ଚିତ ଭାବରେ ମୋକ୍ଷ ପାଆନ୍ତି ।[]

ସେଇଥିପାଇଁ, ମୋଠାରେ ମନ ନିର୍ଦ୍ଧାରିତ କର, ମୋର ଭକ୍ତ ହୁଅ, ମୋତେ ଗ୍ରହଣ କର, ମୋରେ ଆଶ୍ରୟ ନିଅ, ମୋତେ ନମସ୍କାର କର । ଏପରି ମନୋନିବେଶ କରିଲେ ତୁମେ ନିଶ୍ଚୟ ମୋତେ ପ୍ରାପ୍ତ ହେବ।"

  1. Arnold, Sir Edwin (1899). Bhagavadgita (in ଇଂରାଜୀ). Courier Corporation. ISBN 978-0-486-27782-0.
  2. "Bhagavad Gita is major source of inspiration for youth: Khattar". The Indian Express (in ଇଂରାଜୀ). 2020-12-26. Retrieved 2025-11-04.
  3. "Chapter 9: Rāja Vidyā Yog - Bhagavad Gita, The Song of God – Swami Mukundananda". www.holy-bhagavad-gita.org. Retrieved 2025-11-04.