Jump to content

ରାଘବେନ୍ଦ୍ର ତୀର୍ଥ

ଉଇକିପିଡ଼ିଆ‌ରୁ
ରାଘବେନ୍ଦ୍ର ତୀର୍ଥ
ଜନ୍ମVenkatanatha Bhatta
1595 or 1598
Bhuvanagiri (present-day in Cuddalore district Tamil Nadu)
ମୃତ୍ୟୁ1671
Mantralayam (present-day in Kurnool district, Andhra Pradesh, India)
ଉପାଧି/ ସମ୍ମାନParimalacharya
OrderVedanta
ଗୁରୁSudheendra Tirtha
ଦର୍ଶନDvaita Vedanta

ରାଘବେନ୍ଦ୍ର ତୀର୍ଥ (Rāghavēndra Tīrtha), ଯିଏ ରାଘବେନ୍ଦ୍ର ସ୍ୱାମୀ ଭାବରେ ମଧ୍ୟ ପରିଚିତ, (ପ୍ରାୟ 1595 – ପ୍ରାୟ 1671) ଜଣେ ବୈଷ୍ଣବ ଶାସ୍ତ୍ରୀ, ଧର୍ମତତ୍ତ୍ୱବିଦ୍ ଏବଂ ସନ୍ଥ ଥିଲେ। ସେ ‘ସୁଧା ପରିମଳାଚାର୍ଯ୍ୟ’ ଭାବରେ ମଧ୍ୟ ଜଣାଶୁଣା । ତାଙ୍କ ବିବିଧ କୃତି ମଧ୍ୟରେ ମାଧ୍ବ, ଜୟତୀର୍ଥ ଓ ବ୍ୟାସତୀର୍ଥଙ୍କ ଭାଷ୍ୟ ଉପରେ ଟୀକା, ଦ୍ୱୈତବାଦ ଦୃଷ୍ଟିକୋଣରୁ ପ୍ରମୁଖ ଉପନିଷଦମାନଙ୍କ ବ୍ୟାଖ୍ୟା ଏବଂ ପୂର୍ବ ମୀମାଂସା ଉପରେ ଏକ ଗ୍ରନ୍ଥ ଅନ୍ତର୍ଭୁକ୍ତ ଅଟେ । ସେ ୧୬୨୧ ରୁ ୧୬୭୧ ପର୍ଯ୍ୟନ୍ତ କୁମ୍ଭକୋଣମ୍ ମଠର ପୀଠାଧିଶ ଭାବେ ସେବା କରିଥିଲେ । ରାଘବେନ୍ଦ୍ର ତୀର୍ଥ ଜଣେ ପ୍ରତିଭାଶାଳୀ ବୀଣା ବାଦକ ମଧ୍ୟ ଥିଲେ ଓ 'ବେଣୁ ଗୋପାଳ' ନାମରେ ଅନେକ ଗୀତ ରଚନା କରିଥିଲେ ।[] ମନ୍ତ୍ରାଳୟମ୍‌ରେ ତାଙ୍କ ସମାଧି ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କୁ ଆକର୍ଷଣ କରେ ।

ଜୀବନୀ

[ସମ୍ପାଦନା]

ରାଘବେନ୍ଦ୍ର ତୀର୍ଥଙ୍କ ଜନ୍ମନାମ ଥିଲା ଭେଙ୍କଟନାଥ ଭଟ୍ଟ। ବର୍ତ୍ତମାନର ତାମିଳନାଡୁର ଭୁବନଗିରି ନାମକ ସ୍ଥାନରେ ଜଣେ କନ୍ନଡ ମାଧ୍ୱ ବ୍ରାହ୍ମଣ ସଙ୍ଗୀତଜ୍ଞ ଓ ଶାସ୍ତ୍ରୀକ ପରିବାରରେ (ଗୌତମ ଗୋତ୍ର) ତାଙ୍କ ଜନ୍ମ ହୋଇଥିଲା । ତାଙ୍କ ପ୍ରପିତାମହ କୃଷ୍ଣ ଭଟ୍ଟ ବିଜୟନଗର ସାମ୍ରାଟ କୃଷ୍ଣଦେବରାୟଙ୍କ ଶିକ୍ଷକ ଥିଲେ। ତାଙ୍କ ଠାକୁରଦା କନକାଚଳ ଭଟ୍ଟ[] ଥିଲେ ଓ ପିତା ତିମ୍ମନ୍ନା ଭଟ୍ଟ (ତିମ୍ମନ୍ନାଚାର୍ଯ୍ୟ) ଜଣେ ପ୍ରତିଷ୍ଠିତ ଶାସ୍ତ୍ରଜ୍ଞ ଏବଂ ସଙ୍ଗୀତଜ୍ଞ ଥିଲେ । ବିଜୟନଗର ସାମ୍ରାଜ୍ୟ ପତନ ପରେ ତିମ୍ମନ୍ନାଚାର୍ଯ୍ୟ ତାଙ୍କ ସ୍ତ୍ରୀ ଗୋପୀକାମ୍ବାଙ୍କ ସହ କାଞ୍ଚୀକୁ ଚାଲିଆସିଥିଲେ । ଭଙ୍କଟନାଥଙ୍କର ଦୁଇ ଭାଇ–ଗୁରୁରାଜ ଓ ଭେଙ୍କଟାମ୍ବା ଥିଲେ । ପିତାଙ୍କ ଅକାଳ ନିଧନ ପରେ ଭେଙ୍କଟନାଥଙ୍କ ଶିକ୍ଷାର ଦାୟୀତ୍ଵ ମଧୁରାଇରେ ଜାମାତା ଲକ୍ଷ୍ମୀ ନୃସିଂହାଚାର୍ଯ୍ୟଙ୍କ ନେଇଥିଲେ । ପିତାଙ୍କ ନିଧନ ପରେ ସେ ବିବାହ କରିଥିଲେ।[] 1୧୬୨୪ରେ ରାଘବେନ୍ଦ୍ର ତୀର୍ଥ କୁମ୍ଭକୋଣମ୍ ମଠର ପୀଠାଧିଶ ହେଲେ ।ଏହି ମଠ ପୂର୍ବରୁ ବିଜୟୀନ୍ଦ୍ର ମଠ ବା ଦକ୍ଷିଣାଦି ମଠ ଭାବରେ ପରିଚିତ ଥିଲା, ଯାହାକୁ ଏବେ ମନ୍ତ୍ରାଳୟ ଶ୍ରୀ ରାଘବେନ୍ଦ୍ର ସ୍ୱାମୀ ମଠ ବୋଲି କୁହାଯାଏ। ଉତ୍ତରାଦି ମଠ, ବ୍ୟାସରାଜ ମଠ ଓ ରାଘବେନ୍ଦ୍ର ମଠକୁ ଦ୍ୱୈତ ବେଦାନ୍ତର ତିନିଟି ପ୍ରମୁଖ ଆଧ୍ୟାତ୍ମିକ ସଂସ୍ଥା ଭାବରେ ଦେଖାଯାଏ ଓ ଏମାନଙ୍କୁ ସମ୍ମିଳିତ ଭାବରେ ‘ମଠତ୍ରୟ’ ବୋଲି କୁହାଯାଏ ।

କୁମ୍ଭକୋଣମ୍‌ରେ କିଛି ସମୟ ରହିବାପରେ ସେ ରାମେଶ୍ୱରମ୍, ରାମନାଦ୍, ଶ୍ରୀରଙ୍ଗମ୍ ଓ ମଥୁରାକୁ ତୀର୍ଥଯାତ୍ରା କଲେ । ପରେ ସେ ଉଡୁପି ଓ ସୁବ୍ରମଣ୍ୟକୁ ପଶ୍ଚିମମୁଖୀ ଯାତ୍ରା କରି, ପାଣ୍ଡରପୁର, କୋଲ୍ହାପୁର ଓ ବିଜାପୁରକୁ ଯାଇଥିଲେ । କୋଲ୍ହାପୁରରେ ସେ ଦୀର୍ଘ ସମୟ ରହିଥିଲେ ବୋଲି କୁହାଯାଏ ଓ ବିଜାପୁରରେ ସେ ଅନେକ ଅଦ୍ୱୈତୀଙ୍କୁ ପରାଜିତ କରି ଦ୍ୱୈତ ଦର୍ଶନରେ ପରିବର୍ତ୍ତିତ କରିଥିଲେ ବୋଲି ପ୍ରଚଳିତ । ପରେ ସେ କୁମ୍ଭକୋଣମ୍‌କୁ ଫେରିଲେ । 1663 ଅଭିମୁଖେ ସେ ମୈସୋରକୁ ଯାଇ ଦୋଡ୍ଡ ଦେୱରାୟ ଓଡେୟାରଙ୍କରୁ ଜମି ଅନୁଗ୍ରହ ପାଇଲେ । ଶେଷରେ ସେ ମନ୍ତ୍ରାଳୟମ୍‌କୁ ନିବାସସ୍ଥାନ ଭାବରେ ଚୟନ କଲେ ।

ରାଘବେନ୍ଦ୍ର ତୀର୍ଥଙ୍କ ଦେହାନ୍ତ ୧୬୭୧ରେ ଆନ୍ଧ୍ରପ୍ରଦେଶର ଅଦୋନି ତାଲୁକାର ତୁଙ୍ଗଭଦ୍ରା ନଦୀତଟସ୍ଥ ମନ୍ତ୍ରାଳୟମ୍ ଗ୍ରାମରେ ହୋଇଥିଲା ।

ତାଙ୍କ ‘ତନ୍ତ୍ରଦୀପିକା’ ହେଉଛି ବ୍ରହ୍ମସୂତ୍ରର ଦ୍ୱୈତ ଦର୍ଶନର ଦୃଷ୍ଟିକୋଣରୁ ଏକ ବ୍ୟାଖ୍ୟା, ଯେଉଁଥିରେ ଜୟତୀର୍ଥଙ୍କ ‘ନ୍ୟାୟସୁଧା’, ବ୍ୟାସତୀର୍ଥଙ୍କ ‘ତତ୍ପର୍ଯ୍ୟଚନ୍ଦ୍ରିକା’ ଏବଂ ବିଜୟେନ୍ଦ୍ରତୀର୍ଥଙ୍କ ଟୀକାର ଉପାଦାନଗୁଡ଼ିକୁ ସମ୍ମିଳିତ କରାଯାଇଛି ।[] ‘ଭାବଦୀପ’ ହେଉଛି ଜୟତୀର୍ଥଙ୍କ ‘ତତ୍ତ୍ୱପ୍ରକାଶିକା’ ଉପରେ ରଚିତ ଏକ ଟୀକା, ଯେଉଁଥି ମୂଳ ପାଠ୍ୟର ଧାରଣାଗୁଡ଼ିକୁ ବ୍ୟାଖ୍ୟା କରିବା ସହିତ ସହିତ ଅପ୍ପୟ ଦୀକ୍ଷିତ ଏବଂ ବ୍ୟାକରଣକାର ଭଟ୍ଟୋଜି ଦୀକ୍ଷିତଙ୍କ ଦ୍ୱାରା ମାଧ୍ବ ଉପରେ ଉଠାଯାଇଥିବା ଅଭିଯୋଗଗୁଡ଼ିକୁ ସମାଲୋଚନା କରାଯାଇଛି ।

  1. Rao 1966, p. 85.
  2. Sharma 2000, p. 482.
  3. Sharma 1961, p. 279.
  4. Sharma 1961, p. 282.