ରବି ନାରାୟଣ ଏକାଦଶୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ସୂର୍ଯ୍ୟଦେବତାଙ୍କୁ କେନ୍ଦ୍ର କରି ଓଡ଼ିଶାରେ ଯେତେଗୋଟି ଓଷା ବ୍ରତ ପାଳନ କରାଯାଏ ସେଥିରୁ ରବିନାରାୟଣ ବ୍ରତ ଅନ୍ୟତମ । ରବିବାର ଦିନ ଏକାଦଶୀ ତିଥି ପଡ଼ିଲେ ତାହା ହୋଇଯାଏ ରବିନାରାୟଣ ଏକାଦଶୀ । ମାତ୍ର ବୈଶାଖ ଶୁକ୍ଳ ଏକାଦଶୀ ତିଥିରେ ରବିବାର ସଂଯୁକ୍ତ ହେଲେ ତାର ନାମ ବିରଞ୍ଚି ନାରାୟଣ ଏକାଦଶୀ ଏବଂ ପାଳନ କରାଯାଏ ବିରଞ୍ଚି ନାରାୟଣ ବ୍ରତ।

ବିଶ୍ଵାସ[ସମ୍ପାଦନା]

ରବି ନାରାୟଣ ବ୍ରତ କଲେ ସମସ୍ତ ପ୍ରକାର ପାପରୁ ମୁକ୍ତି ମିଳେ ଏବଂ ସୌଭାଗ୍ୟ, ଧନସମ୍ପଦ ବୃଦ୍ଧି ହୁଏ। ନାରୀମାନେ ଆନ୍ତରିକତା ଓ ଶ୍ରଦ୍ଧାର ସହ ରବିନାରାୟଣ ବା ସୂର୍ଯ୍ୟଙ୍କୁ ପୂଜା କଲେ ବୈଧବ୍ୟ ଦୋଷରୁ ମଧ୍ୟ ରକ୍ଷା ମିଳେ ବୋଲି ବିଶ୍ୱାସ ରହିଛି। ବ୍ରତର ମାହାତ୍ମ୍ୟ ବିଷୟରେ ଉଲ୍ଲେଖ ଅଛି ରବି ନାରାୟଣ ବ୍ରତ କଥା ବହିରେ। ଏହି ବ୍ରତରେ ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରି ଅମର ବର ପାଇଛି ଜଣେ କୁମ୍ଭାରୁଣୀ ଏବଂ ନିଜର ଶକ୍ତି ବଳରେ ସେ ସାଧବାଣୀ ଓ ତାଙ୍କ କନ୍ୟାଙ୍କୁ ଦୁର୍ଦ୍ଦଶାରୁ ରକ୍ଷା କରିଛି । ସାତ ପ୍ରକାର ଫୁଲ, ଫଳ, ସାତଖିଅ ସୂତା, ସାତଟି ଦୁବ, ବରକୋଳିପତ୍ର ଏବଂ ସାତଟି ଅକ୍ଷତକୁ ନେଇ ପୂଜା ହୁଏ। ପୂଜା ଶେଷରେ ବ୍ରତଧାରିଣୀ ନୈବେଦ୍ୟ ଭୋଗ ବ୍ୟତୀତ ଅନ୍ୟ କିଛି ଖାଇବେ ନାହିଁ। ପରଦିନ ସକାଳେ ସ୍ନାନପୂର୍ବକ ସୂର୍ଯ୍ୟ ଦେବତାଙ୍କୁ ଭକ୍ତି ଅର୍ଘ୍ୟ ଅର୍ପଣ କରି ବ୍ରତ ଉଦ୍‌ଯାପନ କରାଯାଏ। [୧]

କିମ୍ବଦନ୍ତୀ[ସମ୍ପାଦନା]

ତ୍ରେତୟା ଯୁଗରେ ସୁବ୍ରତ ନାମରେ ଜଣେ ବ୍ରାହ୍ମଣ ଥିଲେ । ତାଙ୍କର ପତ୍ନୀଙ୍କ ନାମ ସୁତପୀ । ସେମାନେ ସମସ୍ତ ବ୍ରତ କରନ୍ତି । କିନ୍ତୁ ସୂର୍ଯ୍ୟଙ୍କର ବ୍ରତ କରନ୍ତିନାହିଁ । ଏକଦା ତାଙ୍କ ଉପରେ ସୂର୍ଯ୍ୟଙ୍କର କୋପଦୃଷ୍ଟି ପଡ଼ିଲା ।ଫଳରେ ସୁବ୍ରତ ଦାରିଦ୍ର୍ୟ ଓ ଅପୁତ୍ରିକ ଅବସ୍ଥା ଭୋଗକଲେ । ଯେତେ ଉପାୟ କଲେ ମଧ୍ୟ ସେରେ ଧାନ ଓ ସେରେ ଚାଉଳରୁ ଅଧିକ ପାଆନ୍ତି ନାହିଁ । ବହୁ କାଷ୍ଠା ପୂଜା ପରେ ମଧ୍ୟ ପୁତ୍ର ନହୋଇ ଝିଅ ଦୁଇଟି ପାଇଲେ । ଚାରିପ୍ରାଣୀ ଚଳିବା କଷ୍ଟକର ହେଲା । ଏହିପରି ସେମାନେ ବଡ଼ କଷ୍ଟରେ ଦିନ କାଟୁଥିଲେ । ଦିନେ ସୁବ୍ରତଙ୍କ ଦୁଇଝିଅ ପରିବାରର ଦୁଃଖକଷ୍ଟ ସହିନପାରି ବୈଶାଖ ମାସରେ ଗୃହ ତ୍ୟାଗକରି ବଣକୁ ପଳାଇଗଲେ । ଯୋଗକୁ ସେଦିନ ଥିବା ରବିବାର ଶୁକ୍ଳପକ୍ଷ ଏକାଦଶୀ । ଦୁଇଭଉଣୀ କାନ୍ଦି କାନ୍ଦି ବଣରେ ବୁଲୁଥାଆନ୍ତି । ସେହି ବଣର ଏକସ୍ଥାନରେ ତୁଳସୀ, ଅଅଁଳା ବଣ ଥିଲା । ସେଠାରେ ସ୍ୱର୍ଗର ନାରୀମାନେ ତୋରଣ କରି ଚାନ୍ଦୁଆ ଟାଣି କଦଳୀ ଗଛ ପୋତି ଦୋଳରେ ସୂର୍ଯ୍ୟନାରାୟଣଙ୍କୁ ପୂଜା କରୁଥିଲେ । ସେମାନେ ବ୍ରାହ୍ମଣ କନ୍ୟା ଦୁହିଁଙ୍କର ରୋଦନ ଶୁଣିଲେ । ଦୁହିଁଙ୍କୁ ସେମାନେ ଓଷା ସ୍ଥାନଙ୍କୁ ନେଇଗଲେ । ଭୋଗ ଦେବାବେଳେ ସୂର୍ଯ୍ୟ ନାରାୟଣ ଉଭା ହୋଇ ବ୍ରାହ୍ମଣ କନ୍ୟା ଦ୍ୱୟଙ୍କୁ ସହାୟତା କରିବା ନିମନ୍ତେ ମନାକଲେ । ସ୍ୱର୍ଗର ନାରୀମାନେ ଦୁର୍ଦ୍ଦଶାଗ୍ରସ୍ତ କନ୍ୟା ଦୁହିଁଙ୍କ ପାଇଁ ବହୁ ସ୍ତୁତି କରି ସୂର୍ଯ୍ୟଙ୍କୁ ପ୍ରସନ୍ନ କଲେ । ଫଳରେ ସେ ସନ୍ତୁଷ୍ଟ ହେଲେ ଏବଂ କନ୍ୟା ଦୁହେଁ ରାଜପୁତ୍ର ଓ ମନ୍ତ୍ରୀପୁତ୍ରଙ୍କୁ ବିବାହ କରିବେ ବୋଲି ବର ପ୍ରଦାନ କଲେ । କନ୍ୟା ଦ୍ୱୟ ପରିବାରର ଦୁଃଖକଷ୍ଟ ଦୂର ହେବାର ଉପାୟ ପଚାରିବାରୁ ସୂର୍ଯ୍ୟଦେବତା କହିଲେ-ତୁମ୍ଭ ବାପାମାଆ ମୋର ବ୍ରତ ଓ ଉପବାସ କରୁନଥିବାରୁ ମୁଁ ତାଙ୍କୁ ଅଭିଶାପ ଦେଇଛି । ତୁମ୍ଭ ମାତା ଯଦି ରବିନାରାୟଣ ବ୍ରତ କରନ୍ତି, ତେବେ ପରିବାରର ମଙ୍ଗଳ ହେବ । ସେ ପୁତ୍ରବତୀ ହେବା ସହିତ ଦାରିଦ୍ର୍ୟ ଦୋଷ କଟିଯିବ । ଏହା କହି ସୂର୍ଯ୍ୟଦେବତା ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ । ସ୍ୱର୍ଗର ନାରୀମାନଙ୍କଠାରୁ ପ୍ରସାଦ ଖାଇ ଏବଂ ବ୍ରତ ବିଧି ଶୁଣି କନ୍ୟା ଦୁହେଁ ନିଜ ଘରକୁ ବାହୁଡ଼ିଲେ । ସୂର୍ଯ୍ୟଦେବତାଙ୍କ କୃପାରୁ ବାଟରେ ଏକ ରାଜ୍ୟର ରାଜପୁତ୍ର ଓ ମନ୍ତ୍ରୀପୁତ୍ରଙ୍କ ସହ ଦୁଇ କନ୍ୟାଙ୍କର ଭେଟହେଲା । ରାଜପୁତ୍ର ଓ ମନ୍ତ୍ରୀପୁତ୍ର ଦୁଇ କନ୍ୟାଙ୍କ ରୂପରେ ମୁଗ୍‌ଧ ହୋଇ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ । କିନ୍ତୁ ବାପାମାଆଙ୍କ ଅନୁମତି ବିନା ଏହା ସମ୍ଭବ ନୁହେଁ ବୋଲି ଦୁହେଁ କହିବାକୁ ସୁବ୍ରତ ଓ ସୁତପୀଙ୍କ ନିକଟକୁ ଏହି ପ୍ରସ୍ତାବ ପଠାଗଲା । କନ୍ୟା ଦୁହେଁ ଘରେ ପହଞ୍ଚି ବନସ୍ତରେ ଘଟିଥିବା ସମସ୍ତ ଘଟଣା କହିଲେ । ଉଭୟ ପକ୍ଷର ମାତାପିତାଙ୍କ ଅନୁମତିକ୍ରମେ ସେମାନଙ୍କର ବିବାହ ହେଲା । ସୁତପୀ ସୂର୍ଯ୍ୟଙ୍କ ବ୍ରତ କରି ପୁତ୍ରଲାଭ କଲେ ଓ ପତି ପୁତ୍ରଙ୍କ ସହ ସୁଖରେ ରହିଲେ ।[୨]

ଆଧାର[ସମ୍ପାଦନା]

  1. ସମ୍ବାଦ, ପୃଷ୍ଠା-୨, ୧୩.୯.୨୦୧୩
  2. ସୂର୍ଯ୍ୟପ୍ରଭା, ପୃଷ୍ଠା-ଇ, ୮.୫.୨୦୧୪