ରବିଶଙ୍କର ବ୍ୟାସ
ରବିଶଙ୍କର ବ୍ୟାସ | |
|---|---|
| ଜନ୍ମ | ରବିଶଙ୍କର ବ୍ୟାସ ୨୫ ଫେବୃଆରୀ ୧୮୮୪ |
| ମୃତ୍ୟୁ | ୧ ଜୁଲାଇ ୧୯୮୪ (ବୟସ ୧୦୦) Borsad, Gujarat, India |
| ଜାତୀୟତା | Indian |
| ବୃତ୍ତି(ସମୂହ) | Activist, social worker |
| ବୈବାହିକ-ସାଥୀ | Surajba |
| ପିତାମାତା | Pitambar Shivram Vyas, Nathiba |
| ଦସ୍ତଖତ | |
ରବିଶଙ୍କର ବ୍ୟାସ (ରବିଶଙ୍କର ମହାରାଜ ନାମରେ ମଧ୍ୟ ପରିଚିତ) ଗୁଜରାଟ ରାଜ୍ୟର ଖେଡା ଜିଲ୍ଲାର ସମାଜସେବୀ ଥିଲେ । ସେ ବାତ୍ରକ୍ ନଦୀ ନିକଟସ୍ଥ ଗାଁଗୁଡ଼ିକରେ ଲୋକମାନଙ୍କ ଜୀବନରେ ସୁଧାର ଆଣିବା, ଡାକୁମାନଙ୍କୁ ପୁଣିଥରେ ସମାଜର ମୂଳ ଧାରାରେ ଫେରାଇଆଣିବା, ସାମାଜିକ କୁସଂସ୍କାର ତଥା ଅନ୍ଧଶ୍ରଦ୍ଧା ନିବାରଣ ଇତ୍ୟାଦି କାମ କରିଥିଲେ। ରବିଶଙ୍କର ମହାରାଜ ଭାରତର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ସେ ଆର୍ଯ୍ୟ ସମାଜ ଦ୍ଵାରା ପ୍ରଭାବିତ ହୋଇଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ରବିଶଙ୍କର ବ୍ୟାସଙ୍କ ଜନ୍ମ ୨୫ ଫେବୃଆରୀ ୧୮୮୪ରେ, ରାଧୁ ଗାଁରେ (ବର୍ତ୍ତମାନ ଭାରତର ଗୁଜରାଟ ରାଜ୍ୟର ଖେଡା ଜିଲ୍ଲାରେ) ମହାଶିବରାତ୍ରିର ଦିନ ଏକ ହିନ୍ଦୁ କୃଷକ ପରିବାରରେ ହୋଇଥିଲା । ପିତା ଥିଲେ ପିତାମ୍ବର ଶିବରାମ ବ୍ୟାସ ଏବଂ ମାତା ଥିଲେ ନାଥୀ ବା । ସେମାନେ ମହେମଦାବାଦ୍ ନିକଟସ୍ଥ ସରସବନୀ ଗାଁର ମୂଳ ନିବାସୀ ଥିଲେ । ବାଳକ ରବିଶଙ୍କର ନିଜ ପିତାମାତାଙ୍କୁ କୃଷି କାମରେ ସାହାଯ୍ୟ କରିବା ପାଇଁ ଷଷ୍ଠ ଶ୍ରେଣୀ ପରେ ପଢ଼ା ଛାଡ଼ିଦେଇଥିଲେ ।[୧][୨] ସେ ସୂରଜବାଙ୍କ ସହ ବିବାହ କରିଥିଲେ । ୧୯ ବର୍ଷ ବୟସରେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୨ ବର୍ଷ ବୟସରେ ମାତାଙ୍କ ମୃତ୍ୟୁ ଘଟିଥିଲା ।
ସେ ଆର୍ଯ୍ୟ ସମାଜର ଦର୍ଶନ ଦ୍ଵାରା ପ୍ରଭାବିତ ହୋଇଥିଲେ ।[୨] ୧୯୧୫ରେ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା ଏବଂ ଏହାପରେ ସେ ଗାନ୍ଧୀଙ୍କ ସହ ମିଶି ସ୍ୱାଧୀନତା ଏବଂ ସମାଜିକ ସୁଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ସେ ୧୯୨୦ ଓ ୧୯୩୦ ଦଶକରେ ଗାନ୍ଧୀ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ତଥା ଗୁଜରାଟରେ ଜାତୀୟତାବାଦୀ ଆନ୍ଦୋଳନର ମୁଖ୍ୟ ଆୟୋଜକ ଦରବାର ଗୋପାଲଦାସ ଦେସାଇ, ନରହରି ପାରିଖ ଓ ମୋହନଲାଲ ପଣ୍ଡ୍ୟାଙ୍କ ନିକଟତମ ସହଭାଗୀମାନଙ୍କ ମଧ୍ୟରେ ଥିଲେ । ସେ ବର୍ଷ ବର୍ଷ ଧରି ଉପକୂଳୀୟ ଏବଂ କେନ୍ଦ୍ରୀୟ ଗୁଜରାଟର ବାରଇଆ ଏବଂ ପାଟଣୱାଡିଆ ଜାତିମାନଙ୍କ ପୁନର୍ବାସ ପାଇଁ କାମ କରିଥିଲେ । ସେ ୧୯୨୦ରେ ସୁନବ୍ ଗାଁରେ ଜାତୀୟ ବିଦ୍ୟାଳୟ (ନ୍ୟାସନାଲ୍ ସ୍କୁଲ୍) ସ୍ଥାପନା କରିଥିଲେ । ସେ ନିଜ ସ୍ତ୍ରୀଙ୍କ ଇଚ୍ଛା ବିରୋଧରେ ପୈତୃକ ସମ୍ପତ୍ତିରେ ନିଜର ଅଧିକାର ତ୍ୟାଗ ପୂର୍ବକ ୧୯୨୧ରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ । ସେ ୧୯୨୩ରେ ବୋରସଦ୍ ସତ୍ୟାଗ୍ରହରେ ଅଂଶଗ୍ରହଣ କରି "ହଦିୟା କର"କୁ ବିରୋଧ କରିଥିଲେ । ୧୯୨୬ରେ ବର୍ଦ୍ଦୋଳି ସତ୍ୟାଗ୍ରହରେ ଭାଗ ନେଇ ସେ ବ୍ରିଟିଶ୍ ପ୍ରଶାସନ ଦ୍ୱାରା ଦଣ୍ଡ ସ୍ଵରୂପ ଛଅ ମାସ ପର୍ଯ୍ୟନ୍ତ କାରାବାସରେ ରହିଥିଲେ । ୧୯୨୭ରେ ବନ୍ୟା ପୀଡ଼ିତଙ୍କ ସହାୟତା କାମରେ ଭାଗ ନେଇ ସେ ଖ୍ୟାତି ଲାଭ କରିଥିଲେ । ୧୯୩୦ରେ ସେ ଲବଣ ସତ୍ୟାଗ୍ରହ ପାଇଁ ଦାଣ୍ଡି ଯାତ୍ରାରେ ଗାନ୍ଧୀଙ୍କ ସହିତ ଯୋଗ ଦେଇଥିଲେ ଏବଂ ଦୁଇ ବର୍ଷ ପର୍ଯ୍ୟନ୍ତ କାରାଗାରରେ ରହିଥିଲେ । ୧୯୪୨ରେ ସେ "ଭାରତ ଛାଡ଼ ଆନ୍ଦୋଳନରେ" ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଆହମଦାବାଦର ସାମ୍ପ୍ରଦାୟିକ ହିଂସାକୁ ଶାନ୍ତ କରିବାରେ ଚେଷ୍ଟା କରିଥିଲେ ।
୧୯୪୭ରେ ଭାରତର ସ୍ୱାଧୀନତା ପରେ ସେ ନିଜକୁ ସମାଜସେବାରେ ସମର୍ପିତ କରିଦେଇଥିଲେ । ସେ ବିନୋବା ଭାବେଙ୍କ ସହିତ ଭୂଦାନ ଆନ୍ଦୋଳନରେ ଯୋଗ ଦେଇ ୧୯୫୫ ଓ ୧୯୫୮ରେ ୬,୦୦୦ କି.ମି. ପଦଯାତ୍ରା କରିଥିଲେ । ୧୯୬୦ରେ ସେ ସର୍ବୋଦୟ ଆନ୍ଦୋଳନର ଆୟୋଜନ ଓ ସମର୍ଥନ କରିଥିଲେ । ୧ ମଇ ୧୯୬୦ରେ ଯେତେବେଳେ ଗୁଜରାଟ ରାଜ୍ୟର ସ୍ଥାପନା ହେଲା, ସେହି ସମୟରେ ସେ ଗୁଜରାଟ ରାଜ୍ୟର ଉଦ୍ଘାଟନ କରିଥିଲେ । ସେ ୧୯୭୫ରେ କଂଗ୍ରେସ ସରକାର ଦ୍ୱାରା ଲାଗୁ କରାଯାଇଥିବା "ଜରୁରୀକାଳୀନ ପରିସ୍ଥିତି"ର ବିରୋଧ କରିଥିଲେ । ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ଏମିତି ଏକ ପରମ୍ପରା ପ୍ରଚଳନ ହୋଇଥିଲା ଯେ ଗୁଜରାଟର ପ୍ରତ୍ୟେକ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ପଦଗ୍ରହଣ କରିବା ପରେ ତାଙ୍କ ଆଶୀର୍ବାଦ ନେବାକୁ ଯାଉଥିଲେ । ସେ ୧ ଜୁଲାଇ ୧୯୮୪ରେ ଗୁଜରାଟର ବୋରସଦରେ ପରଲୋକ ଗମନ କରିଥିଲେ । ତାଙ୍କ ସମାନାର୍ଥେ ସମର୍ପିତ ସ୍ମାରକ ବୋଚସାନର "ଅଧ୍ୟାପନ ମନ୍ଦିର – ବଲ୍ଲଭ ବିଦ୍ୟାଳୟ"ରେ ଅବସ୍ଥିତ ।
ସମ୍ମାନ
[ସମ୍ପାଦନା]ଭାରତ ସରକାର ୧୯୮୪ରେ ସେମାନଙ୍କ ସମ୍ମାନରେ ଡାକଟିକେଟ୍ ଜାରି କରିଥିଲା। ସମାଜସେବା ପାଇଁ ୧ ଲକ୍ଷ ଟଙ୍କାର ଲାୟକ "ରବିଶଙ୍କର ମହାରାଜ ପୁରସ୍କାର" ଗୁଜରାଟ୍ ସରକାରର ସମାଜିକ ନ୍ୟାୟ ବିଭାଗ ଦ୍ୱାରା ସେମାନଙ୍କ ସମ୍ମାନରେ ସ୍ଥାପିତ କରାଯାଇଛି ।
ସାହିତ୍ୟ କୃତି
[ସମ୍ପାଦନା]ସେ ଶିକ୍ଷା, ଗ୍ରାମୀଣ ପୁନର୍ନିର୍ମାଣ ଏବଂ କୋଲକାତା ବିଷୟରେ ଅନେକ ଲେଖା ଲେଖିଥିଲେ ।[୩] ଝାଭେରଚନ୍ଦ ମେଘାଣୀ ଜନଜାତିମାନଙ୍କ ମଧ୍ୟରେ ସମାଜସେବା କାଳରେ ରବିଶଙ୍କର ମହାରାଜଙ୍କ ସହିତ ନିଜ ଅନୁଭବ ଆଧାରରେ "ମାଣସାଇ ନା ଦିଭା" ନାମକ ପୁସ୍ତକ ଲେଖିଥିଲେ। ପଣ୍ଣାଲାଲ ପଟେଲ ମଧ୍ୟ ସେମାନଙ୍କ ଉପରେ ‘ଜେଣେ ଜିଭି ଜାଣ୍ୟୁ’ (୧୯୮୪) ନାମକ ଜୀବନୀ ଉପନ୍ୟାସ ଲେଖିଥିଲେ। ଏହି ଉଭୟ କୃତି ଗୁଜରାଟି ଭାଷାରେ ରହିଛି।
ଆଧାର
[ସମ୍ପାଦନା]- ↑ Lal, Mohan (1992). Encyclopaedia of Indian Literature: Sasay to Zorgot (in ଇଂରାଜୀ). Sahitya Akademi. ISBN 978-81-260-1221-3.
- ↑ ୨.୦ ୨.୧ Kamath, M. V. (1996). Milkman from Anand: The Story of Verghese Kurien (in ଇଂରାଜୀ). Konark Publishers. ISBN 978-81-220-0413-7.
- ↑ Das, Sisir Kumar (2005). A History of Indian Literature (in ଇଂରାଜୀ). Sahitya Akademi. ISBN 978-81-7201-006-5.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |