ରବିଭାମା କାହାଣୀ (ବତ୍ରିଶ ସିଂହାସନ)

ରବିଭାମା କାହାଣୀ ବତ୍ରିଶ ସିଂହାସନର ଷଷ୍ଠ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ଦିବ୍ୟ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ।[୧]
ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ଷଷ୍ଠ ଦିନ ଯେତେବେଳେ ସେହି ସିଂହାସନର ଷଷ୍ଠ ସୋପାନ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” ରବିଭାମା ନାମକ ଷଷ୍ଠ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[୨]
ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ଷଷ୍ଠ ପ୍ରତିମା ରବିଭାମା ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ଷଷ୍ଠ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କ ଉତ୍ତମ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା ।[୩][୪]
ଷଷ୍ଠ କାହାଣୀ
[ସମ୍ପାଦନା]ଷଷ୍ଠ ପ୍ରତିମା ରବିଭାମା କହିଥିବା କଥା ଏପରି —
ଦିନେ ରାଜା ବିକ୍ରମାଦିତ୍ୟ ନଦୀ ତଟରେ ଥିବା ତାଙ୍କ ମହଳରୁ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖୁଥିଲେ । ସେତେବେଳେ ବର୍ଷା ଋତୁ ଥିଲା ଏବଂ ନଦୀରେ ଦୁଇ କୂଳ ପାଣି ଖାଉଥିଲା। ଏହି ସମୟରେ ସେ ଦେଖିଲେ, ଜଣେ ପୁରୁଷ, ଜଣେ ସ୍ତ୍ରୀ ଓ ଜଣେ ଶିଶୁ ନଦୀ କୂଳରେ ଅଛନ୍ତି । ରାଜା ବୁଝିଗଲେ ଯେ ସେମାନେ ଅତି ଦରିଦ୍ର । ହଠାତ୍ ସେ ତିନିଜଣେ ନଦୀରେ ଝାପ ଦେଲେ ଏବଂ ବୁଡିଯାଉଥିବା ବେଳେ ବଞ୍ଚାଇବା ପାଇଁ ଚିତ୍କାର କରିବାକୁ ଲାଗିଲେ । ଏକା ହୋଇ ସେମାନଙ୍କୁ ବଞ୍ଚାଇବା ସମ୍ଭବ ନଥିଲା, ତେଣୁ ସେ ଦୁଇଜଣ ବେତାଳଙ୍କୁ ସ୍ମରଣ କଲେ । ରାଜା ବିଳମ୍ବ ନ କରି ନଦୀରେ ଡେଇଁପଡ଼ି ସେମାନଙ୍କୁ ଉଦ୍ଧାର କରିବାକୁ ଲାଗିଲେ । ବେତାଳମାନେ ସ୍ତ୍ରୀ ଓ ଶିଶୁଙ୍କୁ ଉଦ୍ଧାର କଲେ ଓ ବିକ୍ରମ ସେଇ ପୁରୁଷକୁ ବଞ୍ଚାଇଲେ । ତଟରେ ପହଞ୍ଚି ରାଜା ପଚାରିଲେ ସେମାନେ ଆତ୍ମହତ୍ୟା କାହିଁକି କରୁଥିଲେ । ପୁରୁଷ କହିଲେ, ସେ ବିପ୍ର ଦାସ, ଏହି ରାଜ୍ୟର ଜଣେ ଗରିବ ବ୍ରାହ୍ମଣ । ତାଙ୍କ ସ୍ତ୍ରୀ ଓ ଶିଶୁ ଭୋକରେ ମରୁଥିବାକୁ ସେ ସହି ପାରୁନଥିଲେ । ତେଣୁ ଦରିଦ୍ରତାରୁ ମୁକ୍ତି ପାଇବା ପାଇଁ ମରିବାକୁ ଚାହୁଁଥିଲା । ରାଜା ତାଙ୍କୁ କହିଲେ ଯେ ସେ ତାଙ୍କ ଅତିଥିଶାଳାରେ ପରିବାର ସହ ରହିପାରିବେ ଓ ଅଳ୍ପ ଦିନ ଭିତରେ ତାଙ୍କ ପାଇଁ ସବୁ ବ୍ୟବସ୍ଥା ହେବ । ତେଣୁ ବ୍ରାହ୍ମଣ ପରିବାର ସେଠାରେ ରହିଲେ। ସେମାନଙ୍କ ପାଇଁ ସେବକ ରଖାଗଲା । ସେମାନେ ଭଲଭାବେ ଖାଉଥିଲେ, ଶୋଉଥିଲେ, କିନ୍ତୁ ସଫା-ସୁତୁରାରେ ଧ୍ୟାନ ଦେଉନଥିଲେ । ସେମାନଙ୍କର ରହିବା ସ୍ଥାନ ଦୁର୍ଗନ୍ଧରେ ଅସହ୍ୟ ହୋଇଗଲା । ସେବକମାନେ ଦିନେ ଧୈର୍ଯ୍ୟହରା ହୋଇ କାମ ନ କରି ପଳାଇଗଲେ। ରାଜା ଅନ୍ୟ ସେବକ ପଠାଇଲେ, କିନ୍ତୁ କେହି ସେଠାରେ ରହିପାରିଲେ ନାହିଁ । ଶେଷରେ ରାଜା ନିଜେ ସେମାନଙ୍କ ସେବା କରିବା ଆରମ୍ଭ କଲେ । ଅତିଥିଧର୍ମ ମାନି ସେ ଦୁର୍ଗନ୍ଧ ଓ ମଳିନତା ସହି ନିଜେ ସେମାନଙ୍କ ସେବା କରିଥିଲେ ।
ବ୍ରାହ୍ମଣ ପରିବାର ତାଙ୍କ ସହିଷ୍ଣୁତାକୁ ପରୀକ୍ଷା କରିବାକୁ ଅନେକ ଥର ଚେଷ୍ଟା କଲା, କିନ୍ତୁ ବିକ୍ରମ ସର୍ବଦା ଧୀର ରହିଲେ। ଏକ ଦିନ ବ୍ରାହ୍ମଣ କହିଲେ ଯେ ରାଜା ତାଙ୍କ ଶରୀରର ମଳ ସଫା କରନ୍ତୁ । ବିକ୍ରମ ନିଜେ ହାତରେ ତାଙ୍କ ସଫା କରିବାକୁ ଆଗେଇଲେ, ତେବେ ହଠାତ୍ ଚମତ୍କାର ହେଲା, ବ୍ରାହ୍ମଣଙ୍କ ଶରୀର ଉଜ୍ଜ୍ୱଳ ହୋଇଗଲା, ଦେବବସ୍ତ୍ର ପିନ୍ଧି ସେ ଉଭାନ ହେଲେ, ତାଙ୍କ ଶରୀରରୁ ସୁଗନ୍ଧ ବାହାରିଲା । ସେ କହିଲେ ଯେ ସେ ବାସ୍ତବରେ ବରୁଣ ଦେବତା । ବିକ୍ରମଙ୍କ ଅତିଥିସେବା ପରୀକ୍ଷା ପାଇଁ ସେ ଏହି ରୂପ ଧାରଣ କରିଥିଲେ । ତାଙ୍କ ସତ୍ୟ ଓ ସେବାଭାବ ଦେଖି, ବରୁଣ ଦେବ ରାଜାଙ୍କୁ ଆଶୀର୍ବାଦ ଦେଲେ ଯେ ତାଙ୍କ ରାଜ୍ୟରେ କେବେ ଦୁର୍ଭିକ୍ଷ ହେବ ନାହିଁ ଓ ମାଟିରୁ ପ୍ରତିବର୍ଷ ତିନୋଟି ଫସଲ ହେବ । ପ୍ରଜାମାନେ ସୁଖଶାନ୍ତିରେ କାଳାତିପାତ କରିବେ । ଏପରି ଭାବରେ, ବରୁଣ ଦେବ ପରିବାର ସହିତ ଅନ୍ତର୍ଧାନ ହେଲେ ଓ ବିକ୍ରମାଦିତ୍ୟ ଭାଗ୍ୟଶାଳୀ ହେଲେ ।
ଏକଥା କହି ଷଷ୍ଠ ପ୍ରତିମା ରାଜା ଭୋଜଙ୍କୁ ପଚାରିକା କ'ଣ ଆପଣ ରାଜା ବିକ୍ରମାଦିତ୍ୟଙ୍କ ଭଳି ଏଭଳି ଅତିଥି ସେବା ଭଳି ଦିବ୍ୟ ଗୁଣର ଅଧିକାରୀ ?[୫] ଏହିପରି କହିବା ପରେ ଷଷ୍ଠ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା ।[୧]
ଆଧାର
[ସମ୍ପାଦନା]- 1 2 ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).
{{cite book}}: CS1 maint: unrecognized language (link) - ↑ WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
- ↑ samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.
{{cite web}}: CS1 maint: numeric names: authors list (link)[permanent dead link] - ↑ "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
- ↑ "Singhasan Battisi - The Story of 6th Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-06.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |