ରତ୍ନମଞ୍ଜରୀ କାହାଣୀ (ବତ୍ରିଶ ସିଂହାସନ)

ରତ୍ନମଞ୍ଜରୀ କାହାଣୀ ବତ୍ରିଶ ସିଂହାସନର ପ୍ରଥମ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ମହାନ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ ।[୧][୨]
ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ପ୍ରଥମ ଦିନ ଯେତେବେଳେ ସେହି ସିଂହାସନର ପ୍ରଥମ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” ରତ୍ନ ମଞ୍ଜରୀ ନାମକ ପ୍ରଥମ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[୩]
ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ପ୍ରଥମ ପ୍ରତିମା ରତ୍ନ ମଞ୍ଜରି ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ପ୍ରଥମ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କ ଦ୍ଵାରା ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା ।[୪][୫]
ପ୍ରଥମ କାହାଣୀ
[ସମ୍ପାଦନା]ଏହା ବତ୍ରିଶ ସିଂହାସନର ପ୍ରଥମ ପ୍ରତିମାର କଥା ଅଟେ । କଥାଛଳରେ ସେ ରାଜା ବିକ୍ରମଙ୍କ ମହାନ ଗୁଣର କଥା କହିଥିଲା ।
ଆର୍ଯ୍ୟାବର୍ତ୍ତରେ ଏକ ରାଜ୍ୟ ଥିଲା, ଯାହାର ନାମ ଥିଲା ଅମ୍ବାବତୀ। ସେଠି ରାଜା ଗନ୍ଧର୍ବସେନ ଚାରିବର୍ଣ୍ଣର ଚାରିଜଣୀ ସ୍ତ୍ରୀଙ୍କ ସହ ବିବାହ କରିଥିଲେ — ବ୍ରାହ୍ମଣୀ, କ୍ଷତ୍ରାଣୀ, ବୈଶ୍ୟା ଓ ଶୂଦ୍ରା । ବ୍ରାହ୍ମଣୀଙ୍କ ପୁତ୍ର ଥିଲେ ବ୍ରହ୍ମବୀତ, କ୍ଷତ୍ରାଣୀଙ୍କ ତିନି ପୁତ୍ର — ଶଂଖ, ବିକ୍ରମ ଓ ଭର୍ତୃହରି। ବୈଶ୍ୟା ସ୍ତ୍ରୀ ଚନ୍ଦ୍ର ନାମକ ପୁତ୍ରଙ୍କୁ ଓ ଶୂଦ୍ରା ଧନ୍ୱନ୍ତରିକୁ ଜନ୍ମ ଦେଇଥିଲେ। ଗନ୍ଧର୍ବସେନ ବ୍ରାହ୍ମଣୀଙ୍କ ପୁତ୍ର ବ୍ରହ୍ମବୀତଙ୍କୁ ତାଙ୍କ ଦିବାନ କଲେ, କିନ୍ତୁ ବ୍ରହ୍ମବୀତ ନିଜ କର୍ତ୍ତବ୍ୟ ଭଲଭାବରେ ପୂରଣ କରିପାରିଲେ ନାହିଁ ଓ ରାଜ୍ୟ ଛାଡ଼ି ପଳାଇଗଲେ । ପରେ ସେ ଧାରାନଗରୀରେ ଉଚ୍ଚ ପଦ ପାଇଲେ ଓ ଏକ ଦିନ ସେଠିକାର ରାଜାଙ୍କୁ ହତ୍ୟା କରି ନିଜେ ରାଜା ହେଲେ। କିଛି ବର୍ଷ ପରେ ସେ ଉଜ୍ଜୟିନ ଫେରିଲେ, କିନ୍ତୁ ସେଠାକୁ ପହଞ୍ଚିଲା ପରେ ତାଙ୍କର ମୃତ୍ୟୁ ହେଲା।
କ୍ଷତ୍ରାଣୀଙ୍କ ଜ୍ୟେଷ୍ଠ ପୁତ୍ର ଶଂଖକୁ ଶଙ୍କା ହେଲା ଯେ ପିତା, ବିକ୍ରମଙ୍କୁ ଉତ୍ତରାଧିକାରୀ କରିପାରନ୍ତି । ତେଣୁ ସେ ଏକ ରାତି ପିତା ଶୋଇଥିବାବେଳେ ହତ୍ୟା କରି ନିଜକୁ ରାଜା ଘୋଷଣା କଲା । ଏହି ଖବର ଶୁଣି ତାଙ୍କ ଭାଇମାନେ ପ୍ରାଣବଞ୍ଚାଇ ପଳାୟନ କଲେ। ବିକ୍ରମ ବ୍ୟତୀତ ଅନ୍ୟ ସମସ୍ତ ଭାଇଙ୍କୁ ଶଂଖ ଖୋଜି ମାରିଦେଲା ।ଶେଷରେ ସେ ଜାଣିଲା ଯେ ବିକ୍ରମ ଘନଜଙ୍ଗଳରେ ଏକ କୁଟିରରେ ବସି କନ୍ଦମୂଳ ଖାଇ ତପସ୍ୟା କରୁଛନ୍ତି । ଶଂଖ ତାଙ୍କୁ ମାରିବା ଯୋଜନା କଲା ଓ ଜଣେ ତାନ୍ତ୍ରିକଙ୍କ ସହ ଚକ୍ରାନ୍ତ କଲା । ଯୋଜନା ଅନୁସାରେ ତାନ୍ତ୍ରିକ ବିକ୍ରମଙ୍କୁ ଦେବୀ ଆରାଧନା ପାଇଁ ରାଜି କରାଇବ ଓ ଦେବୀ ଆଗରେ ମୁଣ୍ଡ ନୁଆଁଇ ନମସ୍କାର କରିବା ସମୟରେ ଶଂଖ ତରବାରୀ ଦ୍ଵାରା ତାହାର ହତ୍ୟା କରିବ । କିନ୍ତୁ ବିକ୍ରମ ଯୋଗ ବଳରେ ଏ ଚକ୍ରାନ୍ତ ବୁଝିଗଲେ ଓ ତାନ୍ତ୍ରିକଙ୍କୁ ଆଗେ କିପରି ନମସ୍କାର କରିବ ଦେଖାଇବାକୁ କହିଲେ । ଶଂଖ ମନ୍ଦିର ଭିତରେ ଲୁଚିଥିଲା ଓ ଭୁଲରେ ତାନ୍ତ୍ରିକଙ୍କୁ ବିକ୍ରମ ଭାବି ମାରିଦେଲା । ବିକ୍ରମ ହଠାତ ତାଙ୍କ ତାଲୱାର ଛଡାଇ ନେଇ ଶଙ୍ଖର ମୁଣ୍ଡ କାଟି ପିତୃ ହତ୍ୟାର ପ୍ରତିଶୋଧ ନେଲେ ।
ଶଂଖ ମୃତ୍ୟୁ ପରେ ବିକ୍ରମ ରାଜା ହେଲେ । ଏକ ଦିନ ସେ ଶିକାରକୁ ଯାଇ ଏକ ହରିଣୀ ପଛରେ ଗୋଡାଇ ଅନେକ ଦୂର ଚାଲିଗଲେ ଓ ସେଠାରେ ଏକ ମହଲ ଦେଖିଲେ । ସେ ଥିଲା ତୂଳବରଣ ନାମକ ବ୍ୟକ୍ତିର ମହଲ, ଯିଏ ରାଜା ବାହୁବଳେନ୍ଦ୍ରଙ୍କ ଦୀବାନ ଥିଲେ । ସେ ମଧ୍ୟ ଭବିଷ୍ୟ ଦ୍ରଷ୍ଟା ଥିଲେ । ତୂଳବରଣ କହିଲେ ଯେ ରାଜା ବାହୁବଳେନ୍ଦ୍ର ବିକ୍ରମଙ୍କ ରାଜତିଳକ କରିବେ ଓ ତାଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ଭଗବାନ ଶିବଙ୍କ ଦେଇଥିବା ସୁବର୍ଣ୍ଣ ସିଂହାସନ ମଧ୍ୟ ଦେବେ, ଯାହାଫଳରେ ବିକ୍ରମାଦିତ୍ୟ ଚକ୍ରବର୍ତ୍ତୀ ସମ୍ରାଟ୍ ହେବେ । ପରେ ବାହୁବଳେନ୍ଦ୍ର ଆନନ୍ଦର ସହ ବିକ୍ରମାଦିତ୍ୟଙ୍କ ରାଜତିଳକ କରି ସେହି ସୁବର୍ଣ୍ଣ ସିଂହାସନ ଦାନ କଲେ । ଏହାପରେ ରାଜା ବିକ୍ରମାଦିତ୍ୟ ଏକ ଯଜ୍ଞର ଆୟୋଜନ କଲେ ଏବଂ ରାଜ୍ୟରେ ବ୍ରାହ୍ମଣ ତଥା ଦୁଃଖୀ ରଙ୍କୀଙ୍କୁ ଅନେକ ଦାନ ପ୍ରଦାନ କଲେ । ଅପରିଭାବେ ବିକ୍ରମାଦିତ୍ୟ ଚକ୍ରବର୍ତ୍ତୀ ସମ୍ରାଟ୍ ହେଲେ ଓ ତାଙ୍କ ଯଶ ପତାକା ସମସ୍ତ ଦିଗରେ ପ୍ରଚାରିତ ହେଲା ।
ଏକଥା କହି ପ୍ରଥମ ପ୍ରତିମା ରାଜା ଭୋଜଙ୍କୁ କହିଲା ଆପଣ କ'ଣ ରାଜା ବିକ୍ରମାଦିତ୍ୟଙ୍କ ଭଳି ଏଭଳି ଯଶସ୍ଵୀ ଆଉ ପ୍ରତାପୀ ?[୬] ଯଦି ନାହିଁ ତେବେ ଏ ସିଂହାସନଠାରୁ ଦୁରେଇ ରହନ୍ତୁ, ନ ହେଲେ ବିପଦ ଅବଶ୍ୟମ୍ଭାବି । ଏହିପରି କହିବା ପରେ ପ୍ରଥମ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା ।[୧]
ଆଧାର
[ସମ୍ପାଦନା]- 1 2 ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).
{{cite book}}: CS1 maint: unrecognized language (link) - ↑ "Singhasan Battisi - The Story of 1st Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-06.
- ↑ WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
- ↑ samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.
{{cite web}}: CS1 maint: numeric names: authors list (link)[permanent dead link] - ↑ "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
- ↑ "Singhasan Battisi - The Story of the First Doll | सिंघासन बत्तीसी - पहली गुड़िया की कहानी". www.kidsgen.com. Retrieved 2025-11-06.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |