ଯମୁନାମଣି ସିଂ

ଉଇକିପିଡ଼ିଆ ରୁ
Jump to navigation Jump to search

ଯମୁନାମଣି ସିଂ[ସମ୍ପାଦନା]

ଯମୁନାମଣି ସିଂ ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକ୍ ସଜନାଗଡ଼ ପଞ୍ଚାୟତର ତେଣ୍ଡା-୨ ଗାଁରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଜଣେ ଅାଶା କର୍ମୀ ଭାବେ କାମ କରନ୍ତି। ବାଲେଶ୍ୱର ଜିଲ୍ଲାର ଏକ ଅନଗ୍ରସର ପାହାଡ଼ ଓ ଜଙ୍ଗଲ ଘେରା ଅଞ୍ଚଳରେ ତାଙ୍କର ଜନ୍ମ। ଶିକ୍ଷାଗତ ଯୋଗ୍ୟତା ନବମ ଶ୍ରେଣୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ ଭିତ୍ତିକ "ମନ୍‌କୀ ବାତ୍‌" କାର୍ଯ୍ୟକ୍ରମ ଯମୁନାମଣିଙ୍କୁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା। ମ୍ୟାଲେରିଅା ନିରାକରଣ ଦିଗରେ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି "ମନ୍‌କୀ ବାତ୍‌" କାର୍ଯ୍ୟକ୍ରମେର ମୋଦି ତାଙ୍କର ପ୍ରଶଂସା କରିଥିଲେ। ନୀଳଗିରି ଭଳି ଏକ ପାହାଡିଅା ତଥା ଅାଦିବାସୀ ଅଞ୍ଚଳରେ ମ୍ୟାଲେରିଅା ନିରାକରଣ ଦିଗରେ ଯମୁନାମଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ତାଙ୍କରି ପାଇଁ ଗାଁଟି ମ୍ୟାଲେରିଅା ମୁକ୍ତ ହୋଇଥିଲା। ତାଙ୍କର ଏହି କର୍ତ୍ତବ୍ୟନିଷ୍ଠ କାର୍ଯ୍ୟ ଓ ନିସ୍ୱାର୍ଥପର ସମାଜ ସେବା ପାଇଁ ସେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। [୧]

ମନ୍‌କୀ ବାତ୍‌ କାର୍ଯ୍ୟକ୍ରମରେ ପ୍ରଶଂସିତ :[ସମ୍ପାଦନା]

[୨]ନିଜ ଅଞ୍ଚଳକୁ ମ୍ୟାଲେରିଅା ମୁକ୍ତ କରିବାରେ ଯମୁନାମଣି ସିଂଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ମନ୍‌କୀ ବାତ୍‌"ରେ ପ୍ରକାଶ କରି ଯମୁନାମଣି ସିଂଙ୍କର ପ୍ରଶଂସା କରିଥିଲେ। ଯମୁନାମଣି ବିଲରେ ଧାନ କାଟୁଥିବା ବେଳେ  ପ୍ରଥମେ ଏହି ଖବର ଫୋନ୍‌ରେ ଶୁଣିଥିଲେ।

ସମାଜ ସେବା: [ସମ୍ପାଦନା]

ଯମୁନାମଣି ସିଂ ଅାଶା କର୍ମୀ ଭାବେ ତେଣ୍ଡା-୨ ଗାଁରେ କାମ କରନ୍ତି। ଅାଶା କର୍ମୀ ଭାବେ ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ମ୍ୟାଲେରିଅା ରୋଗକୁ ନେଇ ସେ ଗ୍ରାମବାସୀଙ୍କୁ ସଚେତନ କରାଉଥିଲେ।ଗାଁରେ ଯଦି କିଏ ମ୍ୟାଲେରିଅାରେ ଅାକ୍ରାନ୍ତ ହେବା ଶୁଣିବାକୁ ପାଇଲେ ତୁରନ୍ତ ସେଠାରେ ପହଞ୍ଚି ଔଷଧ ଓ ଉପଚାର ବ୍ୟବସ୍ଥା କରାଉଥିଲେ। ଯମୁନାମଣିଙ୍କ ଚେଷ୍ଟା ଲାଗି ଗ୍ରାମଟି ମ୍ୟାଲେରିଅା ମୁକ୍ତ ହୋଇପାରିଥିଲା। ୨୦୧୦ ମସିହାରେ ସେ ଅାଶା କର୍ମୀ ଭାବେ ତାଲିମ ନେଇଥିଲେ। ଗଲା ୫ବର୍ଷ ହେବ ସେ ନିଷ୍ଠାର ସହ କାମ କରିଅାସୁଛନ୍ତି। ଗାଁଟି କୁଳଡିହା ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ଥିବାରୁ ଯୋଗାଯୋଗର ସବୁିଧା ବ୍ୟବସ୍ଥା ମଧ୍ୟ ଉନ୍ନତ ନୁହେଁ। ତଥାପି ସେ ଗାଁର ପ୍ରତ୍ୟେକ ଘର ବୁଲି ବୁଲି ଲୋକଙ୍କୁ ସଚେତନ କରାଉଥିଲେ। ଏପରିକି ରାତି ୨ଟା ପର୍ଯ୍ୟନ୍ତ ଗାଁରେ ବୁଲି ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇଛନ୍ତି। ଯେତେବେଳେ କେହି ଅସୁସ୍ଥ ହେବା ଜାଣିଲେ ସେ ଯେତେ ଶୀଘ୍ର ସମ୍ଭବ ସେ ସେଠାରେ ପହଞ୍ଚିବାକୁ ଚେଷ୍ଟା କରିଥାନ୍ତି। ସମସ୍ତଙ୍କୁ ମଶାରି ବ୍ୟବହାର କରିବା ପାଇଁ ବାଧ୍ୟ କରୁଥିଲେ। ଗାଁର ଲୋକମାନେ ମୁଖ୍ୟତଃ ଗୁଣିଗାରେଡିଙ୍କୁ ବିଶ୍ୱାସ କରୁଥିଲେ। ଯେଉଁଥିପାଇଁ ଅନେକ ଲୋକଙ୍କର ମୃତୁ ଘଟିଛି। ମାତ୍ର ଯମୁନାମଣି ଏହାକୁ ଦୂର କରିବା ପାଇଁ ପ୍ରତ୍ୟେକ ଲୋକଙ୍କ ଘରକୁ ଯାଇ ଔଷଧ ଖାଇବାକୁ କହୁଥିଲେ। ପରେ ଲୋକଙ୍କ ଭିତରେ ଥିବା ଅନ୍ଧବିଶ୍ୱାସକୁ ଦୂର କରିବାରେ ସେ ସଫଳ ହୋଇଥିଲେ। ଯମୁନାମଣିଙ୍କ ଉଦ୍ୟମଦ୍ୱାରା ସେ ଲୋକମାନଙ୍କୁ ଚିକିତ୍ସା ତଥା ଶିକ୍ଷା ପ୍ରଦାନ କରି ଗାଁଟିକୁ ମ୍ୟାଲେରିଅା ମୁକ୍ତ କରିପାରିଥିଲେ। ୨୦୧୦ ଅଗଷ୍ଟ ମସିହା ପର ଠାରୁ ସେହି ଗ୍ରାମରେ କେହି ବି ମ୍ୟାଲେରିଅାରେ ମୃତୁ ବରଣ କରି ନାହାନ୍ତି।୨୦୧୦ ଏପ୍ରିଲ୍‌ରୁ ୨୦୧୫ ମାର୍ଚ୍ଚ ସୁଦ୍ଧା ସେ ୩୫ ଜଣଙ୍କର ଚିକିତ୍ସା କରି ମ୍ୟାଲେରିଅାରୁ ସେମାନଙ୍କୁ ବଞ୍ଚାଇପାରିଛନ୍ତି। ଏକଥା ସରକାରୀ ଭାବରେ ପ୍ରକାଶ କରାଯାଇଛି। ତାଙ୍କ ପାଇଁ ଗାଁରେ ଘରୋଇ ପ୍ରସବ ହୋଇନ ଥାଏ। ଗୋଟିଏ ପିଲା ଜନ୍ମପରେ ପାଖାପାଖି ତିନି ବର୍ଷ ଅନ୍ତର ରହିବା ଅାଦି କଥା ଲୋକଙ୍କୁ ବୁଝାଇ ସଚେତନ କରାଇଥାନ୍ତି। ଟି.ବି ଭଳି ଏକ ମାରାତ୍ମକ ରୋଗର ନିରାକରଣ ପାଇଁ ସେ ଡଟ୍‌ସ ପ୍ରଚାର କରୁଛନ୍ତି। ଏମ୍.ଡି.ଅାର୍ (କୁଷ୍ଠ), ଜନ୍ମ ନିୟନ୍ତ୍ରଣ ସ୍ଥାୟୀ ଅସ୍ଥାୟୀ, ମ୍ୟାଲେରିଅା, ଫାଇଲେରିଅା, ଡେଙ୍ଗୁ, ଡାଇରିଅା, ଯକ୍ଷ୍ମା, ମମତା ଦିବସରେ ବିପଦ ସଙ୍କୁଳ ସବୁ ମାଅା ଓ ପିଲାଙ୍କୁ ଚିହ୍ନଟ ଏବଂ ମାତୃଗର୍ଭ ହେବାର ଗୋଟେ ବର୍ଷ ଭିତରେ ସମ୍ପୂର୍ଣ୍ଣ ଟୀକାକରଣ ଅାଦିରେ ସେ କାମ କରୁଛନ୍ତି। ଯମୁନାମଣିଙ୍କ ସଫଳତା ପାଇଁ ବାପା ଶ୍ୟାମସୁନ୍ଦର ସିଂ ତଥା ସ୍ୱାମୀ ଦେବେନ୍ଦ୍ର ସିଂ ବହୁ ପ୍ରେରଣା ଯୋଗାଇଛନ୍ତି। ସ୍ୱାମୀ ଦେବେନ୍ଦ୍ର ସିଂଙ୍କୁ ଯମୁନାମଣିଙ୍କୁ ସାଇକେଲ ପଛରେ ବସାଇ ଘର ଘର ବୁଲି ଲୋକଙ୍କୁ ସଚେତନ କରାଇବା ଦିଗରେ ସାହାଯ୍ୟ ଓ ସହଯୋଗ କରିଥାନ୍ତି। କେବଳ ସେତିକି ନୁହେଁ ଦେବେନ୍ଦ୍ର ସିଂ ତାଙ୍କୁ ଘର କାମରେ ମଧ୍ୟ ସାହାଯ୍ୟ କରିଥାନ୍ତି। 

ବିବାହ ଓ ପରିବାର[ସମ୍ପାଦନା]

ଯମୁନାମଣି ସିଂ ମାଅା, ବାପା, ଭାଇ ଓ ଭଉଣୀ ମିଶି ସାତ ଜଣ। ତାଙ୍କର ବାଲ୍ୟଜୀବନ ବହୁ କଷ୍ଟ ତଥା ଅଭାବଅନଟନ ଭିତରେ କଟିଛି। ଖାଦ୍ୟ ଓ ବସ୍ତ୍ରର ଅଭାବ ଭିତରେ ତାଙ୍କର ବାଲ୍ୟଜୀବନ ବିତିଛି। ୨୦୦୩ ମସିହାରେ ସେ ନିଜ ଇଚ୍ଛାରେ ଦେବେନ୍ଦ୍ର ସିଂଙ୍କୁ[୩] ବିବାହ କରିଥଲେ। ସଂସାର ବିଷୟରେ କିଛି ଜ୍ଞାନ ନ ଥିବାରୁ ତାଙ୍କୁ ଶାଶୂ ଓ ନଣନ୍ଦଙ୍କର ଅାକ୍ଷେପର ଶିକାର ହେବାକୁ ମଧ୍ୟ ପଡ଼ିଛି। ତାଙ୍କର ଗୋଟିଏ ପୁଅ। 

ପୁରସ୍କାର: [୪][ସମ୍ପାଦନା]

  • ୨୦୧୫ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ 
  • ଯୁଗଶ୍ରୀ ଯୁଗନାରୀ- ସମାଜସେବା ପୁରସ୍କାର ୨୦୧୬ ତଥା ରାଜ୍ୟସରକାର ମଧ୍ୟ ରାଜ୍ୟସ୍ତରୀୟ ପୁରସ୍କାର

ଆଧାର[ସମ୍ପାଦନା]

  1. Sambad Newspaper 30th November 2015
  2. Sambad Newspaper 30th November 2015
  3. Jugashree Juganari Magazine  March 2017
  4. Jugashree Juganari Magazine  March 2017