Jump to content

ମୋକ୍ଷ ସନ୍ନ୍ୟାସ ଯୋଗ (ଶ୍ରୀମଦ୍ଭଗବତ୍ଗୀତା)

ଉଇକିପିଡ଼ିଆ‌ରୁ
A 19th-century illustrated Sanskrit manuscript from the Bhagavad Gita, composed c. 400 BCE – 200 BCE.

ମୋକ୍ଷ ସନ୍ନ୍ୟାସ ଯୋଗ' ଶ୍ରୀମଦ୍ଭଗବତ୍ଗୀତାର ଅଷ୍ଟାଦଶ ଅଧ୍ୟାୟ । ମହାଭାରତ ପୁରାଣର ଭୀଷ୍ମ ପର୍ବ ମଧ୍ୟରେ, 25ତମ ଅଧ୍ୟାୟ ରୁ 42ତମ ଅଧ୍ୟାୟ ପର୍ଯ୍ୟନ୍ତ 18ଟି ଅଧ୍ୟାୟ ଭଗବଦ୍‌ଗୀତା ଭାବେ ପରିଚିତ । ଭୀଷ୍ମ ପର୍ବର ୪୨ ତମ ଅଧ୍ୟାୟରେ ୭୮ଟି ଶ୍ଳୋକ ମାଧ୍ୟମରେ ମୋକ୍ଷ ସନ୍ନ୍ୟାସ ଯୋଗ ଯୋଗର ମହିମା ବର୍ଣ୍ଣନା ହୋଇଛି ।[]

ଭାଗବତ ଗୀତାର ଏକ ସ୍ୱତନ୍ତ୍ର ଗ୍ରନ୍ଥ ଭାବେ ମଧ୍ୟ ମାନ୍ୟତା ରହିଛି । କୁରୁକ୍ଷେତ୍ର ଯୁଦ୍ଧର ଆରମ୍ଭ ସମୟରେ ଭଗବାନ ଶ୍ରୀକୃଷ୍ଣ ନିଜେ ଅର୍ଜୁନଙ୍କୁ ଯେଉଁ ଜ୍ଞାନ ଦେଇଥିଲେ, ତାହା ହିଁ ଏହି ଗୀତା; ଏହିକାରଣରୁ ଏହା ହିନ୍ଦୁମାନଙ୍କ ପାଇଁ ପରମ ପବିତ୍ର ଗ୍ରନ୍ଥଗୁଡିକ ମଧ୍ୟରୁ ଅନ୍ୟତମ । ଭଗବଦ୍‌ଗୀତାକୁ ଏକ ସିଦ୍ଧାନ୍ତ ଗ୍ରନ୍ଥ ଭାବେ ଗ୍ରହଣ କରାଯାଏ; ଏଥିରେ ବେଦ, ବେଦାନ୍ତ ଓ ଯୋଗ ଶାସ୍ତ୍ରର ବିଶେଷତା ନିହିତ ଅଛି ବୋଲି ବିଶ୍ୱାସ । ଭଗବଦ୍‌ଗୀତାକୁ ସାଧାରଣତଃ “ଗୀତା” ବୋଲି କୁହାଯାଏ ଏବଂ ଏହା “ଗୀତୋପନିଷଦ୍” ବୋଲି ମଧ୍ୟ ପରିଚିତ । ଏହି ଗ୍ରନ୍ଥରେ ଭଗବାନଙ୍କ ତତ୍ତ୍ୱ, ଆତ୍ମତତ୍ତ୍ୱ, ଜୀବନର ଲକ୍ଷ୍ୟ ଓ ତାହାକୁ ପ୍ରାପ୍ତି କରିବାର ପଥ ସମ୍ବନ୍ଧୀୟ ଶିକ୍ଷା ଦିଆଯାଇଛି।[]

ମୋକ୍ଷ ସନ୍ନ୍ୟାସ ଯୋଗ ଭଗବଦ୍‌ଗୀତାର ଶେଷ ଅଧ୍ୟାୟ, ସବୁଠାରୁ ବଡ଼ ଅଧ୍ୟାୟ ଓ ଏଥିରେ ଅନେକ ବିଷୟ ସମ୍ମିଳିତ ହୋଇଛି । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ସନ୍ନ୍ୟାସ ଓ ତ୍ୟାଗ ବିଷୟରେ ପ୍ରଶ୍ନ କରନ୍ତି । ଉଭୟ ଶବ୍ଦର ମୂଳ ଅର୍ଥ ‘ତ୍ୟାଗ କରିବା’ ଅଟେ । ସନ୍ନ୍ୟାସୀ ସେହି ବ୍ୟକ୍ତି ଯିଏ ଗୃହସ୍ଥ ଜୀବନରେ ପ୍ରବେଶ କରେ ନାହିଁ ଓ ସମାଜକୁ ତ୍ୟାଗ କରି ନିରନ୍ତର ସାଧନାରେ ବ୍ୟସ୍ତ ରହେ। ତ୍ୟାଗୀ ସେହି ବ୍ୟକ୍ତି ଯିଏ କର୍ମରେ ସଂଲଗ୍ନ ରହେ, କିନ୍ତୁ କର୍ମଫଳ ଭୋଗ କରିବାର ଇଚ୍ଛାକୁ ତ୍ୟାଗ କରିଥାଏ । (ଏହାହିଁ ଗୀତାର ମୁଖ୍ୟ ଅଭିପ୍ରାୟ) ଶ୍ରୀକୃଷ୍ଣ ଏହି ଦ୍ୱିତୀୟ ପ୍ରକାରର ତ୍ୟାଗକୁ ସମ୍ମତି ଦେଇଛନ୍ତି । ସେ କହନ୍ତି ଯେ, ଯଜ୍ଞ, ଦାନ, ତପସ୍ୟା ଓ କର୍ତ୍ତବ୍ୟପାଳନ ସମ୍ବନ୍ଧୀୟ କାର୍ଯ୍ୟ କେବେ ତ୍ୟାଗ କରିବା ଉଚିତ୍ ନୁହେଁ, କାରଣ ଏହାହିଁ ଜ୍ଞାନୀକୁ ଶୁଦ୍ଧ କରେ। ଏହାକୁ କେବଳ କର୍ତ୍ତବ୍ୟ ଭାବେ କରିବା ଉଚିତ। ଏହି କାମଗୁଡ଼ିକୁ କର୍ମଫଳର ଆସକ୍ତି ବିନା ସମ୍ପାଦନ କରାଯାଇଥାଏ ।

ତାପରେ ଶ୍ରୀକୃଷ୍ଣ ତିନି ପ୍ରକାରର ହେତୁ, କର୍ମର ତିନିଟି ଗଠନ ତତ୍ତ୍ୱ, ଏବଂ କର୍ମଫଳ ପାଇବାର ପାଞ୍ଚଟି କାରକ ବିଷୟରେ ଗଭୀର ବିଶ୍ଳେଷଣ କରନ୍ତି । ସେ ପ୍ରତ୍ୟେକକୁ ତିନି ଗୁଣ ଅନୁସାରେ ବିଭାଜିତ କରି ବ୍ୟାଖ୍ୟା କରିଛନ୍ତି । ସେ କହନ୍ତି, ଅଲ୍ପଜ୍ଞାନୀ ଲୋକେ ନିଜକୁ ନିଜ କର୍ମର କାରଣ ଭାବେ ମାନନ୍ତି; କିନ୍ତୁ ଶୁଦ୍ଧ ବୁଦ୍ଧିଯୁକ୍ତ ଜୀବାତ୍ମାମାନେ ନିଜକୁ କର୍ତ୍ତା କିମ୍ବା ଭୋକ୍ତା ଭାବେ ମାନନ୍ତି ନାହିଁ। କର୍ମଫଳପ୍ରତି ସଦା ନିରାସକ୍ତ ରହିବାରୁ ସେମାନେ ବନ୍ଧନରେ ପଡ଼ନ୍ତି ନାହିଁ । ପରେ ଏହି ଅଧ୍ୟାୟରେ ଏହା କୁହାଯାଇଛି ଯେ, ଆମର ଉଦ୍ଦେଶ୍ୟ ଓ କର୍ମରେ ଭିନ୍ନତା କାହିଁକି ଦେଖାଯାଏ । ପୁନର୍ବାର ପ୍ରକୃତିର ତିନିଟି ଗୁଣଅନୁସାରେ ଜ୍ଞାନ, କର୍ମ ଓ କର୍ତ୍ତାଙ୍କର ଶ୍ରେଣୀ ବିବର୍ତ୍ତିତ ହୋଇଛି । ତା’ପରେ ବୁଦ୍ଧି, ସଂକଳ୍ପ ଓ ସୁଖ ବିଷୟରେ ମଧ୍ୟ ଏହି ଅଧ୍ୟାୟ ସମାନ ଭାବରେ ବିଶ୍ଳେଷଣ ପ୍ରଦାନ କରେ । ଏହାପରେ ଏହି ଅଧ୍ୟାୟରେ ସେହି ଲୋକମାନଙ୍କ ବିବରଣି ଦିଆଯାଇଛି, ଯେଉଁମାନେ ଆଧ୍ୟାତ୍ମିକ ଜୀବନରେ ପୂର୍ଣ୍ଣତାର ଅବସ୍ଥାକୁ ଅର୍ଜନ କରି ବ୍ରହ୍ମରେ ଲୀନ ହୋଇଛନ୍ତି । ଏହି ଅଧ୍ୟାୟରେ ଏହା ମଧ୍ୟ କୁହାଯାଇଛି ଯେ, ବ୍ରହ୍ମଜ୍ଞାନୀମାନେ ମଧ୍ୟ ଭକ୍ତି ମାଧ୍ୟମରେ ନିଜ ପୂର୍ଣ୍ଣତାକୁ ଲାଭ କରନ୍ତି । ତେଣୁ ଭଗବାନଙ୍କ ଦିବ୍ୟ ସ୍ୱରୂପକୁ କେବଳ ଭକ୍ତି ମାଧ୍ୟମରେ ଜାଣିହେବ ।ଏହାପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କୁହନ୍ତି ଯେ, ଭଗବାନ ସମସ୍ତ ଜୀବର ହୃଦୟରେ ବସିଛନ୍ତି ଏବଂ କର୍ମାନୁସାରେ ସେମାନଙ୍କୁ ଗତି ପ୍ରଦାନ କରନ୍ତି । ଯଦି ଆମେ ତାଙ୍କୁ ସ୍ମରଣ କରି ସମସ୍ତ କର୍ମ ତାଙ୍କୁ ସମର୍ପଣ କରିବା ସହିତ ତାଙ୍କୁ ଆଶ୍ରୟ କରିବା, ତେବେ ତାଙ୍କ କୃପାରେ ସମସ୍ତ କଷ୍ଟକୁ ଅତିକ୍ରମ କରିପାରିବା । କିନ୍ତୁ ଯଦି ଅହଂକାରରେ ପ୍ରେରିତ ହୋଇ ନିଜ ଇଚ୍ଛାନୁସାରେ କର୍ମ କରିବା ତେବେ ସଫଳତା ମିଳିବ ନାହିଁ ।

ଶେଷରେ ଶ୍ରୀକୃଷ୍ଣ ଏହା ପ୍ରକାଶ କରନ୍ତି ଯେ, ସମସ୍ତ ଧର୍ମକୁ ତ୍ୟାଗ କରି କେବଳ ଭକ୍ତି ଦ୍ୱାରା ଭଗବାନଙ୍କ ଶରଣରେ ଯିବା ମାନବୀୟ ଜୀବନର ସବୁଠୁ ଗୁପ୍ତତମ ଜ୍ଞାନ । ଯେଉଁମାନେ ଆଡମ୍ବରହୀନ ଓ ଭକ୍ତିହୀନ, ସେମାନଙ୍କୁ ଏହି ଜ୍ଞାନ ଦେବା ଉଚିତ୍ ନୁହେଁ; କାରଣ ସେମାନେ ଏହାର ଅନୁଚିତ ଅର୍ଥ କରି ଆବଶ୍ୟକ କର୍ମକୁ ତ୍ୟାଗ କରିଦେବେ। ଯଦି ଏହି ଗୁହ୍ୟ ଜ୍ଞାନକୁ ପାତ୍ର ଜୀବାତ୍ମାଙ୍କୁ ଦିଆଯାଏ ତେବେ ଭଗବାନ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ।

ତାପରେ ଅର୍ଜୁନ କହନ୍ତି ଯେ, ତାଙ୍କର ମୋହ ନଷ୍ଟ ହୋଇଗଲା ଏବଂ ସେ ଭଗବାନଙ୍କ ଆଜ୍ଞା ନିଷ୍ପାଦନ ପାଇଁ ପ୍ରସ୍ତୁତ । ଶେଷରେ ସଂଜୟ, ଯେ ଧୃତରାଷ୍ଟ୍ରଙ୍କୁ କୃଷ୍ଣ ଓ ଅର୍ଜୁନଙ୍କର ସାକ୍ଷାତ୍କାର ଶୁଣାଉଥିଲେ, କୁହନ୍ତି ଯେ ସେ ଏହି ସଂଭାଷଣ ସୁଣି ବିସ୍ମୟଭିଭୋର ହୋଇଛନ୍ତି। ଯେପରି ସେ ଭଗବାନଙ୍କ ବାଣୀ ଓ ବିଶ୍ୱରୂପକୁ ସ୍ମରଣ କରନ୍ତି, ସେପରି ତାଙ୍କର ଦେହରେ ରୋମାଞ୍ଚ ଉତ୍ପନ୍ନ ହୁଏ । ଭଗବଦ୍‌ଗୀତାର ସମାପ୍ତି କରି ସେ କହନ୍ତି ଯେ, ଯେଉଁଠି ଭଗବାନ ଓ ତାଙ୍କର ଭକ୍ତ ଅଛନ୍ତି, ସେଇଠି ସଦା ବିଜୟ, ସତ୍ୟ, ପ୍ରଭୁତ୍ୱ ଓ ସମୃଦ୍ଧି ଥାଏ; କାରଣ ପରମ ସତ୍ୟର ଆଲୋକ ସଦା ଅସତ୍ୟର ଅନ୍ଧକାରକୁ ନଷ୍ଟ କରିଦେଇଥାଏ ।[][]

  1. Arnold, Sir Edwin (1899). Bhagavadgita (in ଇଂରାଜୀ). Courier Corporation. ISBN 978-0-486-27782-0.
  2. "Bhagavad Gita is major source of inspiration for youth: Khattar". The Indian Express (in ଇଂରାଜୀ). 2020-12-26. Retrieved 2025-11-04.
  3. "Chapter 18: Mokṣha Sanyās Yog - Bhagavad Gita, The Song of God – Swami Mukundananda". www.holy-bhagavad-gita.org. Retrieved 18 November 2025.
  4. Svadhyay Mandal. Mahabharat Bhishma Parva By Damodar Satvalekar Svadhyay Mandal.