Jump to content

ମେହରଚନ୍ଦ ମହାଜନ

ଉଇକିପିଡ଼ିଆ‌ରୁ

ମେହରଚନ୍ଦ ମହାଜନ (23 ଡିସେମ୍ବର 1889 – 11 ଡିସେମ୍ବର 1967) ଭାରତର ତୃତୀୟ ମୁଖ୍ୟ ନ୍ୟାୟାଧୀଶ ଥିଲେ ।[] ଏଥାପୂର୍ବରୁ ସେ ମହାରାଜା ହରି ସିଂହଙ୍କ ଶାସନକାଳରେ ଜାମ୍ମୁ ଓ କଶ୍ମୀରର ପ୍ରଧାନମନ୍ତ୍ରୀ ଥିଲେ ଏବଂ ଏହି ରାଜ୍ୟର ଭାରତ ସଂଘରେ ଏକୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିଥିଲେ । ସେ ମଧ୍ୟ ରାଡକ୍ଲିଫ୍ କମିଶନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଥିଲେ, ଯିଏ ଭାରତ ଓ ପାକିସ୍ତାନର ସୀମା ନିର୍ଦ୍ଦିଷ୍ଟ କରିଥିଲା । ଜଷ୍ଟିସ୍‌ ମହାଜନ ଜଣେ ପ୍ରତିଭାଶାଳୀ ଅଧିବକ୍ତା, ସମ୍ମାନିତ ନ୍ୟାୟାଧୀଶ ଏବଂ ପ୍ରଭାବଶାଳୀ ରାଜନୀତିଜ୍ଞ ଭାବେ ନିଜ ପରିଚୟ ସୃଷ୍ଟି କରିଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ମେହରଚନ୍ଦ ମହାଜନଙ୍କ ଜନ୍ମ ୧୮୮୯ ମସିହାରେ ପଞ୍ଜାବର କାଙ୍ଗଡ଼ା ଜିଲ୍ଲାର (ବର୍ତ୍ତମାନ ହିମାଚଳ ପ୍ରଦେଶ) ଟିକ୍କା ନଗରୋଟାରେ ହୋଇଥିଲା । ତାଙ୍କ ପିତା ଲାଲା ବ୍ରିଜଲାଲ ଜଣେ ଅଧିବକ୍ତା ଥିଲେ । ମିଡ଼ିଲ୍‌ ସ୍କୁଲ୍‌ ଶେଷ କରି ସେ ଲାହୋରର ଗଭର୍ନମେଣ୍ଟ କଲେଜ୍‌ରେ ଶିକ୍ଷାରତ ହେଲେ ଏବଂ ୧୯୧୦ରେ ସ୍ନାତକ ଡିଗ୍ରି ଲାଭ କଲେ। ସେ ରସାୟନ ବିଜ୍ଞାନରେ ଏମ.ଏସ୍‌.ସି. ପାଇଁ ଭର୍ତ୍ତି ହୋଇଥିଲେ, କିନ୍ତୁ ପିତାଙ୍କ ଅନୁରୋଧରେ ଆଇନ ଶାସ୍ତ୍ରକୁ ପରିବର୍ତ୍ତନ କଲେ। ସେ ୧୯୧୨ରେ ଏଲ୍‌.ଏଲ୍‌.ବି. ଡିଗ୍ରୀ ଲାଭ କଲେ ।

ଜଣେ ଅଧିବକ୍ତା ଭାବେ ବୃତ୍ତିଜୀବନ

[ସମ୍ପାଦନା]

ମହାଜନ ୧୯୧୩ରେ ଧରମଶାଳାରେ ଜଣେ ଅଧିବକ୍ତା ଭାବେ ନିଜ ବୃତ୍ତି ଜୀବନ ଆରମ୍ଭ କଲେ, ଯେଉଁଠାରେ ସେ ଗୋଟେ ବର୍ଷର ପ୍ରାକ୍ଟିସ୍‌ କଲେ । ତାପରେ ସେ ଅଗାମୀ ଚାରି ବର୍ଷ (୧୯୧୪–୧୯୧୮) ଗୁରଦାସପୁରରେ ପ୍ରାକ୍ଟିସ୍ କଲେ । ପରେ ସେ ୧୯୧୮ରୁ ୧୯୪୩ ପର୍ଯ୍ୟନ୍ତ ଲାହୋରରେ ଆଇନ ପ୍ରାକ୍ଟିସ୍‌ କରିଥିଲେ । ଏହି ସମୟରେ ସେ ୧୯୩୮ରୁ ୧୯୪୩ ପର୍ଯ୍ୟନ୍ତ ଲାହୋର ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ଭାବେ କାର୍ଯ୍ୟ ସଂପାଦନ କରିଥିଲେ ।

ଜାମ୍ମୁ ଓ କଶ୍ମୀରର ପ୍ରଧାନମନ୍ତ୍ରୀ

[ସମ୍ପାଦନା]

ମହାଜନ ସେପ୍ଟେମ୍ବର ୧୯୪୭ରେ ମହାରାଜାଙ୍କ ଆମନ୍ତ୍ରଣରେ କଶ୍ମୀର ଯାଇଥିଲେ ଏବଂ ତାଙ୍କୁ ଜମ୍ମୁ ଓ କଶ୍ମୀରର ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ସେ ସ୍ୱୀକାର କଲେ ।[] ୧୫ ଅକ୍ଟୋବର ୧୯୪୭ ରେ ମହାଜନ ଜମ୍ମୁ ଓ କଶ୍ମୀରର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେଲେ ଏବଂ ରାଜ୍ୟଟିର ଭାରତ ସଂଘରେ ଏକୀକରଣରେ ମୁଖ୍ୟ ଭୂମିକା ନିବାହ କଲେ ।[] ଅକ୍ଟୋବର ୧୯୪୭ରେ କଶ୍ମୀର ଭାରତରେ ଏକୀଭୂତ ହେଲା ଏବଂ ମହାଜନ ଭାରତୀୟ ରାଜ୍ୟ ଜମ୍ମୁ ଏବଂ କଶ୍ମୀରର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ 5 ମାର୍ଚ୍ଚ ୧୯୪୮ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ ।

ଭାରତର ସୁପ୍ରିମ୍ କୋର୍ଟର ମୁଖ୍ୟ ନ୍ୟାୟାଧୀଶ

[ସମ୍ପାଦନା]

ମହାଜନ ୪ ଜାନୁଆରୀ ୧୯୫୪ରେ ଭାରତର ତୃତୀୟ ମୁଖ୍ୟ ନ୍ୟାୟାଧୀଶ ଭାବେ ପଦଭାର ଗ୍ରହଣ କଲେ । ସେ ପ୍ରାୟ ଗୋଟେ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ଥିଲେ ଏବଂ ୨୨ ଡିସେମ୍ବର ୧୯୫୪ରେ (65 ବର୍ଷର ବାଧ୍ୟତାମୂଳକ ଅବସର ଆୟୁ ପୂରଣ କରି) ଅବସରଗ୍ରହଣ କଲେ । ମୁଖ୍ୟ ନ୍ୟାୟାଧୀଶ ହେବା ପୂର୍ବରୁ ସେ 4 ଅକ୍ଟୋବର 1948 ରୁ 3 ଜାନୁଆରୀ 1954 ପର୍ଯ୍ୟନ୍ତ ସ୍ୱାଧୀନ ଭାରତର ସୁପ୍ରିମ୍ କୋର୍ଟର ପ୍ରଥମ ନ୍ୟାୟାଧୀଶମାନଙ୍କ ମଧ୍ୟରେ ଥିଲେ ।

  1. "Justice Mehr Chand Mahajan | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-03.
  2. Sharma, Unnati; ThePrint (2022-07-27). "Poll prep or toast to 'nationalist hero'? Why BJP unveiled statue of Mehr Chand Mahajan in Jammu". ThePrint (in ଆମେରିକୀୟ ଇଂରାଜୀ). Retrieved 2025-12-03.
  3. "What soured the promise of Kashmir" (in ଇଂରାଜୀ). Retrieved 2025-12-03.