Jump to content

ମୃଗନୟନୀ କାହାଣୀ (ବତ୍ରିଶ ସିଂହାସନ)

ଉଇକିପିଡ଼ିଆ‌ରୁ
1. Vikramaditya Memorial, Ujjain

ମୃଗନୟନୀ କାହାଣୀ ବତ୍ରିଶ ସିଂହାସନର ଛବିଶିତମ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ଦିବ୍ୟ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ।[]

ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ଛବିଶିତମ ଦିନ ଯେତେବେଳେ ସେହି ସିଂହାସନର ଛବିଶିତମ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” ମୃଗନୟନୀ ନାମକ ଛବିଶିତମ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[]

ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ଛବିଶିତମ ପ୍ରତିମା ମୃଗନୟନୀ ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ଛବିଶିତମ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କ ଉତ୍ତମ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା ।[][]

ଛବିଶିତମ କାହାଣୀ

[ସମ୍ପାଦନା]

ବତ୍ରିଶ ସଂହାସନର ମୃଗନୟନୀ ନାମକ ଛବିଶିତମ ପୁତଳୀ ଯେଉଁ କଥା କହିଲା, ସେହି କଥା ଏପରି ଥିଲା — ରାଜା ବିକ୍ରମାଦିତ୍ୟ କେବଳ ନିଜ ରାଜକାର୍ଯ୍ୟ ଏକାଗ୍ରତା ସହ କରୁଥିଲେ ତା ନୁହେଁ, ସେ ତ୍ୟାଗ, ଦାନ, ଦୟା, ଶୌର୍ଯ୍ୟ ଇତ୍ୟାଦି ଅନେକ ଶ୍ରେଷ୍ଠ ଗୁଣର ଅଧିକରୀ ଥିଲେ । ସେ ଏକ ତପସ୍ବୀ ଭଳି ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ନ ଓ ଜଳ ତ୍ୟାଗ କରି ତପସ୍ୟା ମଧ୍ୟ କରିପାରୁଥିଲେ । ତାଙ୍କ ତପ ଏତେ କଠିନ ହେଉଥିଲା ଯେ ଇନ୍ଦ୍ରାସନ ମଧ୍ୟ ଦୋହଲିଯାଉଥିଲା ।

ଦିନେ ତାଙ୍କ ଦରବାରରେ ସେନାମାନେ ଏକ ସାଧାରଣ ପୋଷାକ ପିନ୍ଧିଥିବା ଯୁବକକୁ ଧରି ଆଣିଲେ । ସେ ରାତିରେ ଅଧିକ ଧନ ସହ ଏକ ସନ୍ଦେହଜନକ ଅବସ୍ଥାରେ କେଉଁଠିକିଛି ଯାଉଥିଲା । ତାଙ୍କ ପୋଷାକ ଦେଖି ଲାଗୁନଥିଲା ଯେ ସେ ଏହି ଧନର ମାଲିକ ହୋଇଥିବେ, ତେଣୁ ସେନାମାନଙ୍କୁ ଲାଗିଲା ଯେ ସେ ବୋଧେ ଏକ ଚୋର। ରାଜା ତାଙ୍କ ନାମ ଓ ପରିଚୟ ପଚାରିଲେ ଏବଂ ଏହି ଧନ କେମିତି ତାଙ୍କ ପାଖକୁ ଆସିଲା ବୋଲି ଜିଜ୍ଞାସା କଲେ । ଯୁବକ କହିଲା ଯେ ସେ ଏକ ଧନୀ ନାରୀଙ୍କ ଘରେ ଚାକର ଭାବେ କାମ କରେ ଏବଂ ଏହି ସମସ୍ତ ଧନ ସେହି ନାରୀ ତାଙ୍କୁ ଦେଇଛନ୍ତି । ସେ ପୁଣି କହିଲା ଯେ ସେହି ନାରୀ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହି ପ୍ରତିକ୍ଷା କରିବାକୁ କହିଥିଲେ । ବାସ୍ତବରେ ସେ ନାରୀ ତାଙ୍କ ସହ ଅନୈତିକ ସମ୍ପର୍କରେ ଜଡିତ ଥିଲେ ଏବଂ ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ତାଙ୍କ ସହ ମିଶିବାକୁ ଯାଉଥିଲେ । ତାଙ୍କର ଯୋଜନା ଥିଲା ଉଭୟ ଏହି ସମସ୍ତ ଧନ ନେଇ ଦୂରକୁ ଚାଲିଯିବେ ଏବଂ ଆରାମରେ ଜୀବନ ବିତାଇବେ। ରାଜା ବିକ୍ରମ ଏହି ଘଟଣାର ସତ୍ୟତା ଯାଞ୍ଚ କରିବା ପାଇଁ ତୁରନ୍ତ ସେନାମାନଙ୍କୁ ସେହି ଠିକଣାକୁ ପଠାଇଲେ । ସେନାମାନେ ଫେରିଆସି ଜଣେଇଲେ ଯେ ସେହି ନାରୀ ନିଜ ଚାକର ଗିରଫ ହେବାର ଖବର ପାଇଛନ୍ତି । ସେ ବିଳାପ କରି କହୁଛନ୍ତି ଯେ ଲୁଟେରାମାନେ ତାଙ୍କ ସମସ୍ତ ଧନ ଲୁଟି ନେଲେ ଏବଂ ସ୍ୱାମୀଙ୍କୁ ହତ୍ୟା କରି ଚାଲିଗଲେ। ସେ ସ୍ୱାମୀଙ୍କ ଚିତା ସଜାଇଛନ୍ତି ଏବଂ ନିଜକୁ ସତୀ ପ୍ରମାଣ କରିବା ପାଇଁ ଅଗ୍ନିକୁଣ୍ଡରେ ଝାସ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ସକାଳେ ରାଜା ସେନାମାନଙ୍କ ସହ ସେହି ଯୁବକକୁ ନେଇ ନାରୀଙ୍କ ଘରେ ପହଞ୍ଚିଲେ । ଦୃଶ୍ୟ ଦେଖି ସେ ଚମକିଯାଇଥିଲେ । ସେହି ନାରୀ ସ୍ୱାମୀଙ୍କ ଚିତାରେ ବସିଥିଲେ ଏବଂ ଅଗ୍ନି ସଂଯୋଗ ହେବାକୁ ବାକି ଥିଲା । ରାଜା ଅଗ୍ନି ଦେବାକୁ ଯାଉଥିବା ଲୋକକୁ ରୋକିଲେ ଏବଂ ସେହି ନାରୀକୁ ଚିତାରୁ ଉଠିବାକୁ କହିଲେ । ସେ ସମସ୍ତ ଧନ ତାଙ୍କ ସାମ୍ନାରେ ଦେଖାଇଲେ ଏବଂ ଯୁବକକୁ ଦେଖାଇ ସେହି ନାରୀକୁ କହିଲେ ଯେ ତାର ମିଥ୍ୟା ଧରାପଡିଯାଇଛି ଏବଂ ସମସ୍ତ ସତ୍ୟ ତାଙ୍କ ସାମ୍ନାରେ ଆସିଯାଇଛି । ରାଜା ସେ ନାରୀକୁ ତାର ଅନୀତି ଛାଡି ରାଜଦଣ୍ଡ ଭୋଗିବା ପାଇଁ ପ୍ରସ୍ତୁତ ହେବାକୁ ଆଦେଶ ଦେଲେ ।ସେହି ନାରୀ କିଛି ମୁହୂର୍ତ୍ତ ପାଇଁ ଭୟଭୀତ ହେଲେ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ କହିଲେ, “ମୋର ଚରିତ୍ର ଉପରେ ଅଙ୍ଗୁଳି ଦେଖାଇବା ପୂର୍ବରୁ ରାଜା ନିଜ ଛୋଟ ରାଣୀଙ୍କ ଚରିତ୍ର ଯାଞ୍ଚ କରିବା ଉଚିତ ।” ଏହା କହି ସେ ବିଜୁଳି ଭଳି ଫୁର୍ତିରେ ଚିତାରେ କୁଦି ପଡ଼ିଲେ ଏବଂ ଅଗ୍ନି ଲଗାଇ ସତୀ ହେଲେ । କେହି କିଛି କରିବା ପୂର୍ବରୁ ସେ ଜଳି ପାଉଁଶ ହୋଇଗଲେ । ରାଜା ସେନାମାନଙ୍କ ସହ ମହଲକୁ ଫେରିଲେ, କିନ୍ତୁ ସେହି ନାରୀଙ୍କ ଶେଷ କଥା ତାଙ୍କ ମନକୁ ଚିନ୍ତିତ କରୁଥିଲା । ସେ ଛୋଟ ରାଣୀ ଉପରେ ନଜର ରଖିବା ଆରମ୍ଭ କଲେ । ଏକ ରାତିରେ ସେ ଶୋଇବାର ଛଳନା କରି ରାଣୀଙ୍କ ଉପରେ ନଜର ରଖିବା ଆରମ୍ଭ କଲେ । ସେ ଶୋଇଅଛନ୍ତି ବୋଲି ଭାବି ଛୋଟ ରାଣୀ ଉଠିଲେ ଏବଂ ପଛ ଦ୍ୱାର ଦେଇ ମହଲଠାରୁ ବାହାରିଗଲେ । ରାଜା ଚୁପଚାପ ଗୋପନରେ ତାଙ୍କ ପଛେ ପଛେ ଗଲେ । ରାଣୀ କିଛି ଦୂରରେ ଧୂନି ଜଳାଇଥିବା ଜଣେ ସାଧୁଙ୍କ ପାଖକୁ ଗଲେ । ଦୁଇଜଣ ପାଖରେ ଥିବା ଏକ କୁଟିର ଭିତରକୁ ପ୍ରବେଶ କଲେ । ରାଜା କୁଟିର ଭିତରେ ଯାହା ଦେଖିଲେ ତାହା ସେ ସହି ପାରିଲେ ନାହିଁ । ରାଣୀ ନିର୍ବସ୍ତ୍ର ହୋଇ ସେହି ସାଧୁଙ୍କୁ ଆଲିଙ୍ଗନ କରିବା ପରେ ଦୁଇଜଣ ପତି-ପତ୍ନୀର ଭଳି ସମ୍ଭୋଗରେ ଲିନ ହୋଇଗଲେ । ରାଜା ଚିନ୍ତା କଲେ ଯେ ସେ ଛୋଟ ରାଣୀକୁ ସେ ଏତେ ଭଲପାଆନ୍ତି ତଥାପି ସେ ବିଶ୍ୱାସଘାତ କରୁଛନ୍ତି । ତାଙ୍କ କ୍ରୋଧର ସୀମା ରହିଲା ନାହିଁ ଏବଂ ସେ କୁଟିରରେ ପ୍ରବେଶ କରି ସେହି ସାଧୁ ଓ ରାଣୀ ଦୁଇଜଣଙ୍କୁ ହତ୍ୟା କଲେ ।

ମହଲକୁ ଫେରିଲାପରେ ତାଙ୍କ ମାନସିକ ନଷ୍ଟ ହୋଇଗଲା । ସେ ସବୁବେଳେ ଅସ୍ଥିର ଏବଂ ଦୁଃଖିତ ରହୁଥିଲେ । ସାଂସାରିକ ସୁଖରୁ ତାଙ୍କ ମନ ବିମୁଖ ହେଲା ଏବଂ ତାଙ୍କ ମନରେ ବୈରାଗ୍ୟ ଜନ୍ମ ନେଲା । ସେ ଭାବିଲେ ଯେ ନିଜ ଧର୍ମ ଓ କର୍ମରେ ବୋଧେ କୌଣସି ତ୍ରୁଟି ଥିଲା, ଯାହାର ଫଳରେ ଭଗବାନ ସେଭଳି ବିଶ୍ୱାସଘାତକତା ଦେଖିବାକୁ ତାଙ୍କୁ ଦଣ୍ଡ ଦେଇଛନ୍ତି । ଏହି ସବୁ ଭାବି ସେ ରାଜଦାୟୀତ୍ଵ ମନ୍ତ୍ରୀମାନଙ୍କୁ ଦେଇ ନିଜେ ସମୁଦ୍ରତଟକୁ ତପସ୍ୟା ପାଇଁ ଚାଲିଗଲେ । ସମୁଦ୍ରତଟରେ ପହଞ୍ଚି ପ୍ରଥମେ ସେ ଏକ ପାଦରେ ଠିଆ ହୋଇ ସମୁଦ୍ରଦେବତାଙ୍କୁ ଆହ୍ୱାନ କଲେ । ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ସମୁଦ୍ରଦେବତା ଦର୍ଶନ ଦେଲେ । ରାଜା ସମୁଦ୍ରଦେବତାଙ୍କୁ ଅନୁରୋଧ କଲେ ଯେ ସେ ତାଙ୍କ ତଟରେ ଏକ କୁଟିର ବନାଇ ଅଖଣ୍ଡ ତପସ୍ୟା କରିବାକୁ ଚାହାନ୍ତି ଏବଂ ସେହି ତପସ୍ୟା ନିର୍ବିଘ୍ନ ଭାବେ ସମାପ୍ତ ହେଉ ବୋଲି ଆଶୀର୍ବାଦ ମଧ୍ୟ ଚାହିଁଲେ । ସମୁଦ୍ରଦେବତା ତାଙ୍କୁ ଏକ ଶଂଖ ଦେଇ କହିଲେ, “ଯେତେବେଳେ କୌଣସି ଦୈବୀ ବିପଦ ଆସିବ, ଏହି ଶଂଖର ଧ୍ୱନି ସେହି ବିପଦକୁ ଦୂର କରିଦେବ ।” ସମୁଦ୍ରଦେବଙ୍କ ନିକଟରୁ ଏହି ଉପହାର ଗ୍ରହଣ କରି ବିକ୍ରମ ତାଙ୍କୁ ଧନ୍ୟବାଦ ଜଣେଇ ପ୍ରଣାମ କଲେ ଏବଂ ସମୁଦ୍ରତଟକୁ ଫେରିଆସିଲେ । ସେ ସମୁଦ୍ରତଟରେ ଏକ କୁଟିର ନିର୍ମାଣ କରି ତପସ୍ୟା ଆରମ୍ଭ କଲେ । ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏପରି କଠିନ ତପସ୍ୟା କଲେ ଯେ ଦେବଲୋକରେ ହଇଚଇ ହୋଇଗଲା । ସମସ୍ତ ଦେବତା ଆଲୋଚନା କରିବାକୁ ଲାଗିଲେ, “ଯଦି ବିକ୍ରମ ଏହିପରି ତପସ୍ୟା ଚାଲୁ ରଖିବେ, ତେବେ ସେ ଇନ୍ଦ୍ରଙ୍କ ସିଂହାସନ ଅଧିକାର କରିନେବେ ।” ଇନ୍ଦ୍ରଙ୍କୁ ନିଜ ସିଂହାସନରେ ବିପଦ ଦେଖିଲା। ସେ ନିଜ ସହଯୋଗୀ ଦେବତାମାନଙ୍କୁ ଆଦେଶ ଦେଲେ ଯେ ବିକ୍ରମଙ୍କ ତପସ୍ୟାସ୍ଥଳ ପାଖରେ ଏତେ ବର୍ଷା କରାଯାଉ, ଯେ ସେ ସମସ୍ତ ସ୍ଥାନ ଜଳମଗ୍ନ ହୋଇଯାଏ ଏବଂ ସେହି କୁଟିର ପାଣିରେ ବହିଯାଉ। ଭୟଙ୍କର ବର୍ଷା ଆରମ୍ଭ ହେଲା । କେବଳ ଅଲ୍ପ ସମୟରେ ସେ ସମସ୍ତ ଅଞ୍ଚଳ ପାଣିରେ ଭରିଗଲା ଏବଂ ବିକ୍ରମଙ୍କ ସହିତ ସେହି କୁଟିର ଜଳରେ ବୁଡିବାକୁ ଆରମ୍ଭହେଲା । କିନ୍ତୁ ସମୁଦ୍ରଦେବ ତାଙ୍କୁ ଯେଉଁ ଆଶୀର୍ବାଦ ଦେଇଥିଲେ, ତାରି ଫଳରେ ସମସ୍ତ ବର୍ଷାର ପାଣି ବିକ୍ରମ ପିଇନେଲେ, ଏବଂ ତପସ୍ୟାସ୍ଥଳ ପୂର୍ବବତ୍ ସୁଖିଲା ରହିଲା । ଇନ୍ଦ୍ର ଯେତେବେଳେ ଏହି ଚମତ୍କାର ଦେଖିଲେ, ତାଙ୍କ ଚିନ୍ତା ଆଉରି ଅଧିକ ହେଲା । ସେ ତାଙ୍କ ସେବକମାନଙ୍କୁ ଡାକି ତପସ୍ୟାସ୍ଥଳରେ ବାତ୍ୟା ଓ ତୂଫାନ ଉପୁଜାଇବାକୁ ଆଦେଶ ଦେଲେ । ଏପରି ଭୟାନକ ବାତ୍ୟା ବହିଲା ଯେ କୁଟିର ଖଣ୍ଡ ଖଣ୍ଡ ହୋଇଗଲା। ସମସ୍ତ ବସ୍ତୁ ଆକାଶରେ ଉଡ଼ିଗଲା । ଲାଗୁଥିଲା ଯେ ବାତ୍ୟା ତାଙ୍କୁ ତପସ୍ୟାସ୍ଥଳରୁ ଦୂରକୁ ଫିଙ୍ଗିଦେବ । ସେ ସମୟରେ ବିକ୍ରମଙ୍କୁ ସମୁଦ୍ରଦେବଙ୍କ ପ୍ରଦତ୍ତ ଶଂଖ ମନେପଡ଼ିଲା । ସେ ଶଂଖକୁ ଜୋରରେ ଫୁଙ୍ଗିଲେ । ଶଂଖରୁ ତୀବ୍ର ଧ୍ୱନି ନିର୍ଗତ ହେଲା । ସେ ଧ୍ୱନି ସହିତ ବାତ୍ୟା-ତୂଫାନ ସମ୍ପୂର୍ଣ୍ଣ ଶାନ୍ତ ହୋଇଗଲା । ଏପରି ମନେ ହେଲା ଯେପରି କେବେ ବାତ୍ୟା ଆସି ନଥିଲା । ଏବେ ଇନ୍ଦ୍ରଙ୍କ ଚିନ୍ତା ଆଉ ଅଧିକ ହେଲା ।

ଇନ୍ଦ୍ର ବୁଝିପାରୁନଥିଲେ ଯେ ବିକ୍ରମଙ୍କ ତପସ୍ୟା କିପରି ଭଙ୍ଗ କରାଯିବ। ଶେଷରେ ସେ ତିଲୋତ୍ତମା ନାମକ ଅପ୍ସରାକୁ ଡାକିଲେ ଏବଂ ତାକୁ ଆଦେଶ ଦେଲେ ଯେ ବିକ୍ରମଙ୍କ ତପସ୍ୟା ଭଙ୍ଗ କର। ତିଲୋତ୍ତମା ଅପରିମିତ ସୁନ୍ଦରୀ ଥିଲେ। ତାଙ୍କ ରୂପ ଦେଖି ଯେ କେହି ମଧ୍ୟ କାମଦେବଙ୍କ ବାଣରେ ଘାଇଲା ହେବ। ତିଲୋତ୍ତମା ବିକ୍ରମଙ୍କ ତପସ୍ୟାସ୍ଥଳରେ ଆସି ମନମୋହକ ଗୀତ, ସଙ୍ଗୀତ ଓ ନୃତ୍ୟ ଦ୍ୱାରା ତାଙ୍କ ତପସ୍ୟାରେ ବାଧା ଦେବାକୁ ଚେଷ୍ଟା କଲେ। କିନ୍ତୁ ବୈରାଗୀ ବିକ୍ରମଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡିଲା ନାହିଁ ? ତେବେ ଅପସରାଙ୍କୁ ଦୂରେଇଦେବା ଲାଗି ବିକ୍ରମ ଶଂଖ ଫୁଙ୍ଗିଲେ, ତିଲୋତ୍ତମାଙ୍କୁ ଲାଗିଲା ଯେ ନିଜେ ଅଗ୍ନିଜ୍ୱାଳାରେ ପଡ଼ିଛନ୍ତି । ଭୟାନକ ତାପରେ ସେ ଉଦ୍‌ବିଗ୍ନ ହୋଇ ସେହି ମୁହୂର୍ତ୍ତରେ ଅଦୃଶ୍ୟ ହୋଇଗଲେ । ଶେଷରେ ଅନ୍ୟ ଉପାୟ ନ ପାଇ ଇନ୍ଦ୍ର ନିଜେ ବ୍ରାହ୍ମଣର ବେଶ ଧାରଣ କରି ବିକ୍ରମଙ୍କ ତପସ୍ୟାସ୍ଥଳକୁ ଆସିଲେ । ସେ ଜାଣୁଥିଲେ ଯେ ବିକ୍ରମ କେବେ ଯାଚକଙ୍କୁ ନିରାଶ କରନ୍ତି ନାହିଁ ଏବଂ ସମର୍ଥ ଅନୁସାରେ ଦାନ ଦିଆନ୍ତି । ଇନ୍ଦ୍ର ବିକ୍ରମଙ୍କ ପାଖରେ ପହଞ୍ଚିଲେ, ବିକ୍ରମ ତାଙ୍କ ଆସିବାର କାରଣ ପଚାରିଲେ । ଇନ୍ଦ୍ର କହିଲେ, “ମୁଁ ଭିକ୍ଷା ରୂପରେ ତୁମ ଏହି କଠିନ ତପସ୍ୟାର ସମସ୍ତ ଫଳ ଚାହେଁ ।” ବିକ୍ରମ ନିଜ ତପସ୍ୟାର ସମସ୍ତ ଫଳ ତାଙ୍କୁ ସହର୍ଷ ଦାନ କରିଦେଲେ । ତପସ୍ୟାଫଳ ଦାନ ଅର୍ଥାତ ଇନ୍ଦ୍ରଙ୍କୁ ଅଭୟ ମିଳିଗଲା । ସେ ନିଜ ଅସଲ ରୂପରେ ପ୍ରକଟ ହୋଇ ବିକ୍ରମଙ୍କ ମହାନତାର ଗୁଣଗାନ କଲେ ଏବଂ ତାଙ୍କୁ ଆଶୀର୍ବାଦ ଦେଲେ । ସେ କହିଲେ, “ତୁମର ରାଜ୍ୟରେ ନା ଅତିବୃଷ୍ଟି ହେବ, ନା ଅନାବୃଷ୍ଟି । କେବେ ଦୁର୍ଭିକ୍ଷ ହେବ ନାହିଁ । ଏତିକି କହି ଇନ୍ଦ୍ର ଅନ୍ତର୍ଧାନ ହୋଇଗଲେ।"[] []

ଗପଟି କହି ଛବିଶିତମ ପ୍ରତିମା ପଚାରିଲା କ"ଣ ଆପଣ ବିକ୍ରମାଦିତ୍ୟଙ୍କ ପରି ଜ୍ଞାନୀ ତଥା ଦାନୀ ହୋଇପାରିବେ? ଏହିପରି କହିବା ପରେ ଛବିଶିତମ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା ।

  1. ୧.୦ ୧.୧ ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).{{cite book}}: CS1 maint: unrecognized language (link)
  2. WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
  3. samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.{{cite web}}: CS1 maint: numeric names: authors list (link)[permanent dead link]
  4. "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
  5. "Singhasan Battisi - The Story of 26th Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-13.