ମୁକ୍ତ ମଣ୍ଡପ

ଉଇକିପିଡ଼ିଆ ରୁ
(ମୁକ୍ତିମଣ୍ଡପ ରୁ ଲେଉଟି ଆସିଛି)
Jump to navigation Jump to search

ମୁକ୍ତମଣ୍ଡପ ହେଉଛି ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପ ମଧ୍ୟରୁ ଅନ୍ୟତମ ଏକ ପ୍ରାଚୀନ ସାସ୍କୃତିକ ପୀଠ ।[୧] ଶ୍ରୀମନ୍ଦିର ଭିତର ବେଢ଼ାର କଳ୍ପବଟ ଏବଂ ରୋହିଣୀ କୁଣ୍ଡର ମଧ୍ୟବର୍ତ୍ତୀ ଏହି ପବିତ୍ର ସ୍ଥାନଟି ଅବସ୍ଥିତ । ଶ୍ରୀମନ୍ଦିର ସ୍ୱତ୍ତ୍ୱ ଲିପିର ଉଲ୍ଲେଖ ପ୍ରକାରେ ବଡଦେଉଳ ପ୍ଳଟ ନମ୍ବର ୮୨ରେ ମୁକ୍ତିମଣ୍ଡପ ଅବସ୍ଥିତ । ପୁରୀ ଷୋଳଶାସନର ଧୁରୀଣ ଷୋଳଜଣ ଅଧୀତବିଦ୍ୟ ପଣ୍ଡିତ ଆମ ଉତ୍କଳର ସ୍ତମ୍ଭସଦୃଶ ବୋଲି ମୁକ୍ତରେ ଜଣାଯିବା ଲାଗି ‘ମୁକ୍ତମଣ୍ଡପ’ରେ ଖୋଲାରେ ବସୁଥିଲେ ଓ ଦର୍ଶନାର୍ଥୀଙ୍କୁ ଆଶୀର୍ବାଦ କରୁଥିଲେ | ଉକ୍ତ ଷୋଳଟି ସ୍ତମ୍ଭକୁ ପରମ୍ପରାଗତ ଭାବେ ସେମାନଙ୍କ ଅଣ/ପଣନାତି ଷୋଳଜଣ ଅଧିକୃତ କଲେ । ସ୍ୱଜାତୀୟ ବ୍ରତୋପନୟନ,ବିବାହ ଇତ୍ୟାଦି କରିବା ପାଇଁ ଓ କୌଣସି ଦୋଷଜନିତ ପାପାପନୋଦନ ସକାଶେ ପ୍ରାୟଶ୍ଚିତ ବିଧାନ ତଥା ସାମୂହିକ ବ୍ରତ ଓ ବିବାହ ଇତ୍ୟାଦି କର୍ମସାଧନରେ ସହାୟତା ସକାଶେ ଗଠିତ । ମୁକ୍ତିମଣ୍ଡପ ପଣ୍ଡିତସଭାର ଶ୍ରୀମନ୍ଦିର ନୀତିକାନ୍ତି ସହ କୌଣସି ସମ୍ବନ୍ଧ ନାହିଁ |

ନାମକରଣ[ସମ୍ପାଦନା]

କିମ୍ବଦନ୍ତୀ କହେ, ଶ୍ରୀମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ବେଳେ ସମସ୍ତ ଯଜ୍ଞ ଭସ୍ମକୁ ନଷ୍ଟ କରାନଯାଇ ତା’ ଉପରେ ହିଁ ଏହି ମଣ୍ଡପ ନିର୍ମାଣ କରାଯାଇଥଲା । ତେଣୁ ଏହି ମଣ୍ଡପ ମୁକ୍ତମଣ୍ଡପ ନାମରେ ନାମିତ । କେତେକଙ୍କ ମତରେ ଏଠାରେ ଧର୍ମଧାରା ସଂକ୍ରାନ୍ତୀୟ ଆଧାତ୍ମିକ ବିଚାର ଆଲୋଚନା ଖୋଲାଖୋଲି ଭାବେ ଅର୍ଥାତ ମୁକ୍ତଭାବରେ ସମସ୍ତଙ୍କ ସମ୍ମୁଖରେ କରାଯାଉଥିବାରୁ ଏହାର ନାମ ‘ମୁକ୍ତମଣ୍ଡପ’ । କିମ୍ବଦନ୍ତୀ ଅନୁଯାୟୀ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀମନ୍ଦିରରେ ପ୍ରତିଷ୍ଠା ହେବା ସମୟରେ ସ୍ୱୟଂ ବ୍ରହ୍ମା ଏହି ସ୍ଥାନରେ ଉପବେଶନ କରି ଯଜ୍ଞକାର୍ଯ୍ୟ ସଂପନ୍ନ କରିଥିଲେ । ତେଣୁ ଏହା ବ୍ରହ୍ମବେଦୀ, ବ୍ରହ୍ମାସନ, ଯଜ୍ଞମଣ୍ଡପ ଓ ମୋକ୍ଷମଣ୍ଡପ ଏପରି ଏକାଧିକ ନାମରେ ନାମିତ । ମତାନ୍ତରେ, ପୂର୍ବେ ଏହା ଉପରେ ସ୍ତମ୍ଭ ଏବଂ ଛାତ ନଥାଇ ଏକ ଖୋଲା ବେଦୀ ପରି ମୁକ୍ତ ଥିବାରୁ ସେତେବେଳେ ଏହାକୁ ‘ମୁକ୍ତମଣ୍ଡପ’ ବୋଲି କୁହାଯାଉଥିଲା । ପରବର୍ତ୍ତୀ ସମୟରେ ୧୬ ଗୋଟି ସୁନ୍ଦର କଳା ମୁଗୁନି ପଥରର ସ୍ତମ୍ଭ ଉପରେ ଏହାର ଛାତ ନିର୍ମିତ ହୋଇଛି ।

ଇତିହାସ[ସମ୍ପାଦନା]

ଉକ୍ତ ମଣ୍ଡପଟି ଷୋଡଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ରଦେବଙ୍କଦ୍ୱାରା ନିର୍ମିତ ହୋଇଥିବାର ଜଣାଯାଏ । ଆଲୋଚକମାନଙ୍କ ମତରେ ୧୫୧୧ ଖ୍ରୀ: ବେଳକୁ ଏହା ନିର୍ମିତ ହୋଇଥିଲା । କିନ୍ତୁ ମାଦଳା ପାଞ୍ଜି ଅନୁସାରେ ଭୋଇ ବଂଶର ରାମଚନ୍ଦ୍ର ଦେବଙ୍କ ୪୩ ଅଙ୍କେ ମାନସିଂହଙ୍କ ଭାର୍ଯ୍ୟା ଗୌରୀ ରାଣୀ (ମତାନ୍ତରେ ଗୋରାରାଣୀ) ବଡ ଦେଉଳ ମୁକୁତ ମଣ୍ଡପ ଗଢ଼ାଇଥିଲେ । ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶଙ୍କ ମତରେ ମଣ୍ଡପଟି ୧୫୮୦ ଖ୍ରୀ.ଅ.ରେ ନିର୍ମିତ ହୋଇଥିଲା । ତେବେ ଆକବରଙ୍କ ରାଜସଭାରେ ମନ୍ତ୍ରୀ ଥିବା ରାଜପୁତ ବୀର ମାନସିଂ ଖୋରଧା ରାଜବଂଶର ବିବାଦ ସମୟରେ ଆସି ଭୋଇବଂଶ ରାମଚନ୍ଦ୍ର ଦେବଙ୍କୁ ରାଜା ବୋଲି ଘୋଷଣା କରି ଯାଇଥିଲେ । ଏହି ସମ୍ବନ୍ଧ ଯୋଗୁଁ ଧାର୍ମିକ ବିବାଦଗୁଡିକର ସମାଧାନ ପାଇଁ ତାଙ୍କ ସ୍ତ୍ରୀ ଗୌରୀ ରାଣୀ ବ୍ରହ୍ମାସନକୁ ଉପଯୁକ୍ତ ସ୍ଥାନ ବିବେଚନା କରି ସମ୍ଭବତଃ ୧୫୯୨ ଖ୍ରୀ.ଅ.ରେ ତାହାକୁ ଏକ ଭବ୍ୟ ରୂପ ଦେଇଥିଲେ । ସ୍ୱର୍ଗତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ମତରେ ଶ୍ରୀମନ୍ଦିର ପ୍ରତିଷ୍ଠାତା ଚୋଳଗଙ୍ଗଦେବ କିମ୍ବା ତାଙ୍କ ବଂଶର ଉତ୍ତରାଧୂକାରୀ ଅନଙ୍ଗ ଭୀମ ଦେବ ମୁକ୍ତ ମଣ୍ଡପ ପ୍ରତିଷ୍ଠା କରିଥିବା ଅନୁମାନ କରାଯାଇ ପାରେ । ଏହାର ଛାତ ରାଜା ବୀରକିଶୋର ଦେବଙ୍କ ସମୟରେ ଅର୍ଥାତ ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ମରାମତି ହୋଇଥିଲା ।

ଏହା ଏକ ପ୍ରସ୍ତର ନିର୍ମିତ ବେଦୀ । କଳା ମୁଗୁନି ପଥରରେ ନିର୍ମିତ । ବେଦୀଟି ଏକ ବର୍ଗାଗାର କ୍ଷେତ୍ରପରି । ଲମ୍ବ ଏବଂ ପ୍ରସ୍ଥ ପ୍ରତ୍ୟେକ ୩୮ ଫୁଟ । ଚାରିପଟେ ୧୨ଟି ଓ ମଝିରେ ୪ଟି ସ୍ତମ୍ଭ ରହିଛି । ଖୁବ୍ ମସୃଣ ଓ ଗାଢ଼ କଳାବର୍ଣ୍ଣର ସ୍ତମ୍ଭଗୁଡିକର ଗୋଲେଇ ହେଉଛି ୫ ଫୁଟ ୫ ଇଞ୍ଚ । କେହି କେହି କହନ୍ତି ଓଜନ ସମ୍ଭାଳିବା ପାଇଁ ମଝି ସ୍ତମ୍ଭ ୪ଟିରେ ସିମେଣ୍ଟ ଦିଆଯାଇ ପ୍ରାୟ ଦୁଇଗୁଣ ମୋଟ କରାଯାଇଛି । ପ୍ରତି ସ୍ତମ୍ଭର ଉଚ୍ଚତା ୮ ଫୁଟ । ମଣ୍ଡପର ଉପର କାନ୍ଥରେ ନୃସିଂହ, ଗଣେଶ, ଦୁର୍ଗା, ବ୍ରହ୍ମା, ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଅଛନ୍ତି । କେତେକ ଚାମର ଧାରିଣୀ ମୂର୍ତ୍ତି କୋଣାର୍କ ମନ୍ଦିରରୁ ଅଣାଯାଇ ଅବସ୍ଥାପିତ କରାଯାଇଛି ବୋଲି ଆଲୋଚକମାନେ କହନ୍ତି । ମଣ୍ଡପର ପଶ୍ଚିମ ଦିଗରେ କାଳୀଙ୍କ ଚିତ୍ର ଅଛି । ଏଠାରେ ଗଣେଶ, ନୃସିଂହ ଓ କାଳୀଙ୍କ ପାଇଁ ଭୋଗ ଲଗାଯାଏ । ବେଢ଼ା ପରିକ୍ରମା କଲାବେଳେ ଯାତ୍ରୀମାନେ ଏହାର ପଶ୍ଚିମରେ ରୋହିଣୀକୁଣ୍ଡ, ସୁଦର୍ଶନ ଚକ୍ର ଓ ଭୁଷଣ୍ଡକାକକୁ ଦର୍ଶନ କରିଥାନ୍ତି । ଏହି ମଣ୍ଡପକୁ ଲାଗି ନୃସିଂହଙ୍କ ମନ୍ଦିର ଅବସ୍ଥିତ । ମନ୍ଦିର ଚଟାଣ ଠାରୁ ପ୍ରାୟ ସାଢ଼େ ପାଞ୍ଚଫୁଟ ଉଚ୍ଚରେ ମୁକ୍ତିମଣ୍ଡପ ଅବସ୍ଥିତ । ମୁକ୍ତମଣ୍ଡପ ପଣ୍ଡିତ ସଭାର ଏକ ନିଜସ୍ୱ ପାଠାଗାର ଅଛି । ଏଥିରେ ଅନେକ ମୂଲ୍ୟବାନ ପ୍ରାଚୀନ ଗ୍ରନ୍ଥ, ଦୁଷ୍ପ୍ର୍ୟାପ୍ୟ ତାଳପତ୍ର ପୋଥି, ପୁରାଣ, ସଂହିତା ଆଦି ମହଜୁଦ ଅଛି । ଧାର୍ମିକ ନିଷ୍ଣତ୍ତି ସଂପର୍କୀୟ ସମସ୍ତ ବ୍ୟୟ ମନ୍ଦିର ପାଣ୍ଠିରୁ ବହନ କରାଯାଇଥାଏ । ପ୍ରତିବର୍ଷ ଶ୍ରାବଣ ମାସ ଶୁକ୍ଳ ଦଶମୀ ଠାରୁ ପ୍ରତିପଦା ଯାଏଁ ୭ ଦିନ ପର୍ଯ୍ୟନ୍ତ ଏଠାରେ ମହାପ୍ରଭୁଙ୍କର ଝୁଲଣ ଯାତ୍ରା ହୁଏ । ଏହି ଝୁଲଣ ଯାତ୍ରାରେ ମଦନମୋହନ, ଲକ୍ଷ୍ମୀସରସ୍ୱତୀ ଝୁଲଣ ମଣ୍ଡପକୁ ବିଜେ ହୁଅନ୍ତି । ଏଠାରେ ଠାକୁରଙ୍କୁ ବିଡ଼ିଆପାନ ମଣୋହି ହୁଏ । ସଂଧାଧୂପ ପରେ ପଣ୍ଡା ଏଠାରେ ପଞ୍ଚୋପଚାରରେ ଶୀତଳଭୋଗ କରନ୍ତି । ଏହି ମଣ୍ଡପରେ ଶ୍ରୀନୃସିଂହ ଭଗବାନଙ୍କ ଜନ୍ମନୀତି ମଧ୍ୟ ସମାପନ ହେଇଥାଏ ।

ମୁକ୍ତି ମଣ୍ଡପ ଉପରେ ୧୬ଟି ସ୍ତମ୍ଭ ରହିବାର ତାତ୍ପର୍ଯ୍ୟ ହେଉଛି ଦେବମନ୍ଦିର ପ୍ରତିଷ୍ଠା ନିମନ୍ତେ ଯଜ୍ଞ ପାଇଁ ୧୬ ଗୋଷ୍ଠୀର ଯାଞ୍ଜିକ ବ୍ରାହ୍ମଣ ଆବଶ୍ୟକ । ତେଣୁ ଷୋହଳଜଣ ଯାଞ୍ଜିକ ବ୍ରାହ୍ମଣଙ୍କ ପାଇଁ ଏହା ଉଦ୍ଦିଷ୍ଟ ଥିଲା । ସେମାନେ ହେଲେ ଆଚାର୍ଯ୍ୟ, ପ୍ରଚାରକ, ବ୍ରହ୍ମା, ଚରୁ, ସମିଦ୍ଧ, ନ୍ୟାସାଚାର୍ଯ୍ୟ, ମଣ୍ଡଳାଚାର୍ଯ୍ୟ, ପୁସ୍ତକାଚାର୍ଯ୍ୟ, ଚାରିଦ୍ୱାରରେ ଚାରିବେଦ ପାଇଁ ହୋତ୍ରୀ, ଅଗ୍ନିରକ୍ଷକ, ଜ୍ୟୋତିଷ ଓ ତାପକ । ମୁକ୍ତିମଣ୍ଡପର ଷୋହଳଗୋଟି ସ୍ତମ୍ଭ ରାମଚନ୍ଦ୍ର ଦେବଙ୍କଦ୍ୱାରା ପ୍ରତିଷ୍ଠିତ ଷୋଳଶାସନକୁ ଆବଣ୍ଟନ କରାଯାଇଥିଲା । ସଂପ୍ରତି ପୁରୀ ଜିଲ୍ଲାର ପ୍ରାୟ ୨୩ ଶାସନ ଓ କରବାଡର ବ୍ରାହ୍ମଣମାନଙ୍କର ମୁକ୍ତି ମଣ୍ଡପରେ ବସିବାର ନଜିର ରହିଛି । ରାଜାମାନେ ବେଦ ଏବଂ ଯଜ୍ଞରେ ଅବହିତ ବ୍ରାହ୍ମଣମାନଙ୍କୁ ତତ୍କାଳୀନ ଶାସନରେ ଆଣି ରଖାଉଥିଲେ । ଏତଦ୍ ବ୍ୟତୀତ ନିନ୍ମୋକ୍ତ ଶାସନ ବ୍ରାହ୍ମଣମାନେ ମୁକ୍ତିମଣ୍ଡପରେ ବସିବା ପାଇଁ ଅଧିକାରୀ ଅଟନ୍ତି । ସେଗୁଡିକ ହେଲା- (୧) ବୀର ହରେକୃଷ୍ଣପୁର, (୨) ବୀର ପ୍ରତ।ପପୁର, (୩) ବୀରି କିଶେ।ରପୁର, (୪) ବୀର ର।ମଚନ୍ଦ୍ରପୁର, (୫) ବୀର ବଳଭଦ୍ରପୁର, (୬) ବୀର ନରସିଂହପୁର, (୭) ବୀର ଗୋବିନ୍ଦପୁର, (୮) ବୀର ପୁରୁଷୋତ୍ତମପୁର, (୯) ଶ୍ରୀରାମଚନ୍ଦ୍ରପୁର, ୧୦) ଶ୍ରୀମୁକୁନ୍ଦପୁର, ୧୧) ଶ୍ରୀପୁରୁଷୋତ୍ତମପୁର ୧୨) ପ୍ରତାପପୁରୁଷୋତ୍ତମପୁର ୧୩) ବିଶ୍ୱନାଥପୁର, ୧୪) ବିଶ୍ୱନାଥପୁର ସାମିଲ ନୁଆଗାଁ ୧୫) ଗୋପୀନାଥପୁର ଶାସନ, (୧୬) ଦ।ମୋଦରପୁର ଶାସନ, ୧୭) କାଶୀ ଜଗନ୍ନାଥପୁର ୧୮) ରାୟଚକ୍ରଧରପୁର ୧୯) ଜଗନ୍ନାଥବିଦ୍ୟାଧରପୁର ୨୦) ଗୋବିନ୍ଦପୁର ୨୧) ବାସୁଦେବପୁର ୨୨) ପାଟଯୋଶୀପୁର, (୨୩) ରାୟଗୁରୁପୁର, (୨୪) ସରିକିଆ ବୀରକିଶୋରପୁର, (୨୫) କହ୍ନେଇବିଦ୍ୟାଧରପୁର

ବିଶେଷତ୍ୱ[ସମ୍ପାଦନା]

  • ଶ୍ରୀକ୍ଷେତ୍ରସ୍ଥ ଅଷ୍ଟାଦଶ ମଣ୍ଡପ ମଧ୍ୟରେ ମୁକ୍ତ ମଣ୍ଡପ ଅନ୍ୟତମ ।
  • ଗଜପତି ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ମନ୍ଦିର ଗଲାବେଳେ ଦର୍ଶନ ସାରି ଦକ୍ଷିଣ ଦ୍ୱାର ପଟେ ଫେରିଲା ବେଳେ ମୁକ୍ତ ମଣ୍ଡପରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତି । ସେ ମହାପ୍ରଭୁଙ୍କ ଦର୍ଶନ କଲାବେଳେ ବୀର କାହାଳୀ ଯେପରି ବାଜିଥାଏ ଠିକ ସେହିପରି ମୁକ୍ତମଣ୍ଡପକୁ ପ୍ରଣାମ କଲାବେଳେ ମଧ୍ୟ କାହାଳୀ ବାଜେ ।
  • ଏଠାରେ ମୁଣ୍ଡିଆଟିଏ ମାରି ଆଶୀର୍ବାଦ ଭିକ୍ଷା କଲେ ମଣିଷର ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ଅଛି ।
  • ପଣ୍ଡିତ ସଭାର ଅଧୁବେଶନ ଏଠାରେ ଅନୁଷ୍ଠିତ ହୋଇଥାଏ ।
  • ଜଗନ୍ନାଥଙ୍କ ନବକଳେବର ସମୟରେ ଦଇତାପତିମାନେ ଆବଶ୍ୟକୀୟ ଦାରୁ ଆଣିସାରିବା ପରେ ପ୍ରତିଷ୍ଠା, ହୋମ, ଯଜ୍ଞାଦି କରିବାରେ ମୁକ୍ତମଣ୍ଡପର ଗୁରୁଦାୟିତ୍ୱ ରହିଛି ।
  • କେତେକ ନିର୍ଦ୍ଦିଷ୍ଟ ବ୍ରାହ୍ମଣ ଶାସନର ପୁରୋହିତ ଓ ଶ୍ରୀମନ୍ଦିରର ପୂଜାପଣ୍ଡାମାନେ ହିଁ ଏଠାରେ ବସି ପାରନ୍ତି । ପଣ୍ଡିତମାନଙ୍କର ଏକ ନ’ଜଣିଆ କମିଟି ଅଛି । ଗୋବର୍ଦ୍ଧନ ପୀଠ ଜଗତଗୁରୁ ଶଙ୍କରାଚାର୍ଯ୍ୟ ହେଉଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭାର ସ୍ଥାୟୀ ସଭାପତି । ତାଙ୍କ ସମେତ ନୈଷ୍ଠିକ ଉଚ୍ଚଶିକ୍ଷିତ ବେଦଜ୍ଞ ବୟୋପ୍ରାପ୍ତ ପଣ୍ଡିତ ବ୍ରାହ୍ମଣମାନଙ୍କର ଏଥିରେ ବସିବାର ଅଧିକାର ଅଛି । ଏତଦ୍ୱାବ୍ୟତୀତ ରାଜଗୁରୁ, ରାୟଗୁର, ଦେଉଳ ପୁରୋହିତ, ଚଣ୍ଡୀ ଏବଂ ସନ୍ନ୍ୟାସୀ ମୁକ୍ତିମଣ୍ଡପରେ ବସିପାରନ୍ତି ।
  • ମୁକ୍ତିମଣ୍ଡପରେ ଆମ ପ୍ରଦେଶର ଧର୍ମାଚାରଣ ସଂପର୍କୀୟ ନାନାଦି ସମସ୍ୟାର ଶାସ୍ତ୍ରୀୟ ମତେ ସମାଧାନ କରି ପନ୍ଥା ଓ ପାପ କାର୍ଯ୍ୟ ପାଇଁ ପ୍ରାୟଶ୍ଚିତ୍ତ ବିଧାନ ନିମନ୍ତେ ନିର୍ଦ୍ଦେଶ କରାଯାଉଥିଲା । ତଦନୁଯାୟୀ, ତତ୍କାଳୀନ ସମୟରେ ବହୁ ଉଚ୍ଚକୋଟୀର ପଣ୍ଡିତମାନେ ମୁକ୍ତିମଣ୍ଡପ ପଣ୍ଡିତ ସଭାରେ ସ୍ଥାନ ପାଉଥିଲେ । ପରେ ଷୋଳ ଶାସନର ବ୍ରାହ୍ମଣମାନଙ୍କୁ ମୁକ୍ତି ମଣ୍ଡପରେ ବସିବାର ଅଧିକାର ମିଳିଲା ଏବଂ ଏହା ଅଦ୍ୟାବଧି ପ୍ରଚଳିତ ରହିଛି ।
  • ଶ୍ରୀମନ୍ଦିରରେ ପ୍ରଚଳିତ ପାଞ୍ଜିକୁ ମୁକ୍ତିମଣ୍ଡପ ସଭାରେ ସ୍ୱୀକୃତି ଦିଆଯାଇଥାଏ ।[୨]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "The Importance of Mukti Mandapa in Jagannath Culture". http://www.harekrsna.com. Retrieved 17 September 2015. External link in |website= (help)
  2. Manti, JC. The Saga of Lard Jagannath and Badadeula at Puri. Vij Books India. p. 65.