Jump to content

ମାୟା କାମଥ

ଉଇକିପିଡ଼ିଆ‌ରୁ
ମାୟା କାମଥ
ଜନ୍ମ(1951-03-12)୧୨ ମାର୍ଚ୍ଚ ୧୯୫୧
Died୨୬ ଅକ୍ଟୋବର ୨୦୦୧(2001-10-26) (ବୟସ ୫୦)
ପେଷାsCartoonist, illustrator
ଜଣାଶୁଣାMKMA
ଜୀବନସାଥୀAmarnath Kamath

ମାୟା କାମଥ (୧୯୫୧–୨୦୦୧) ଜଣେ ଭାରତୀୟ ବ୍ୟଙ୍ଗ ଚିତ୍ରକାର (କାର୍ଟୁନିଷ୍ଟ) ଥିଲେ।[୧]

ଭାରତର ବମ୍ବେରେ ଜନ୍ମଗ୍ରହଣ କରିଥିବା କାମାଥଙ୍କର ଶୈଶବ ଓ କିଶୋରାବସ୍ଥା ଦିଲ୍ଲୀରେ କଟିଥିଲା ଏବଂ ସେଠାରେ ସେ ଇଂରାଜୀ ସାହିତ୍ୟରେ ଏମ୍‌ଏ ଡିଗ୍ରୀ ଅର୍ଜନ କରିଥିଲେ । ପିଲାଦିନେ ଅବସର ସମୟରେ ସେ ଚିତ୍ରାଙ୍କନ କରିବାକୁ ଭଲ ପାଉଥିଲେ । ସେ ମ୍ୟାକମିଲାନ ପ୍ରକାଶନ ସଂସ୍ଥାରେ ଚିତ୍ରକାର (ଇଲୁଷ୍ଟ୍ରେଟର) ଭାବେ କାମ କରିଥିଲେ ଓ ସୋଫିଆସ୍ ସ୍କୁଲରେ ଡ୍ରଇଂ ଶିକ୍ଷିକା ଭାବେ କାର୍ଯ୍ୟରତ ଥିଲେ । ଲିନ୍ ଜନ୍ସଟନଙ୍କ ଦ୍ୱାରା ରଚିତ For Better or for Worse ନାମକ ପୁସ୍ତକରେ ଥିବା ସ୍କେଚ୍‌ଗୁଡ଼ିକ ଦେଖି ସେ କାର୍ଟୁନ ଅଙ୍କନରେ ପ୍ରେରିତ ହୋଇଥିଲେ।[୨]

କାର୍ଟୁନିଷ୍ଟ ଭାବେ କାମାଥଙ୍କ କାର୍ଯ୍ୟଜୀବନ ୧୯୮୫ ମସିହାରେ ଡେକ୍କନ୍ ହେରାଲ୍ଡ ଗୋଷ୍ଠୀର ପ୍ରକାଶନ The Evening Herald ସହିତ ଆରମ୍ଭ ହୋଇଥିଲା । ପରେ ସେ The Indian Express, The Asian Age ଓ The Times of India ପରି ଭାରତୀୟ ସମ୍ବାଦପତ୍ରଗୁଡ଼ିକରେ କାମ କରିଥିଲେ। ସେ ଜର୍ମାନୀରେ ପ୍ରକାଶିତ Third World ନାମକ ସଂଗ୍ରହରେ ପରିବେଶ ସମ୍ବନ୍ଧୀୟ କାର୍ଟୁନରେ ତାଙ୍କର ଅବଦାନ କରିଥିଲେ। ଅକ୍ଟୋବର ୧୯୯୮ରେ କର୍ଣ୍ଣାଟକ କାର୍ଟୁନିଷ୍ଟସ୍ ଆସୋସିଏସନ୍‌ର 7ମ କାର୍ଟୁନିଷ୍ଟ ସମ୍ମିଳନୀରେ ସେ ଏକ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତାଙ୍କ ବ୍ୟଙ୍ଗ ଚିତ୍ର ସଂଗ୍ରହ ବର୍ତ୍ତମାନ SPARROW ସଂସ୍ଥାରେ ସଂରକ୍ଷିତ ଅଛି ଏବଂ The World of MAYA ନାମରେ ପ୍ରକାଶିତ ହୋଇଛି।

କାମାଥଙ୍କ କାର୍ଟୁନଗୁଡ଼ିକ ସାଧାରଣତଃ ଲିଙ୍ଗଗତ ଅସମାନତା ଏବଂ ସମାଜରେ ଗୁପ୍ତ ଭାବେ ରୁହିଥିବା ପ୍ରତ୍ୟକ୍ଷ ଓ ପରୋକ୍ଷ ବିଭେଦକୁ ଉଲ୍ଲେଖ କରିଥାଏ । ଏହି ବିଷୟରେ ତାଙ୍କ ଦ୍ଵାରା ପ୍ରସ୍ତୁତ ଏକ ବ୍ୟଙ୍ଗ ଚିତ୍ରରେ ଦର୍ଶାଯାଇଥିଲା ଯେ ମାତୃତ୍ୱ ୱାର୍ଡ୍‌ରେ ଜଣେ ନୂତନ ମାତା କନ୍ୟା ଶିଶୁର ଜନ୍ମରେ କିପରି ନିଜେ ଶୋକ କରୁଛନ୍ତି, ଯେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି। ତାଙ୍କ କିଛି କାର୍ଟୁନ ସିଧାସଳଖ ଭାବରେ ରାଜନୈତିକ ବିଷୟବସ୍ତୁକୁ ସ୍ପର୍ଶ କରେ, ଯେଉଁଥିରେ ନିର୍ଦ୍ଦିଷ୍ଟ ରାଜନୈତିକ ନେତାମାନଙ୍କୁ ଲକ୍ଷ କରାଯାଇ ସେମାନଙ୍କ ଅବସ୍ଥାନ ଓ ସମ୍ପର୍କକୁ ପରିବାର ଉପମାର ମାଧ୍ୟମରେ ଚିତ୍ରିତ କରାଯାଇଥାଏ ।ତାଙ୍କ କାର୍ଯ୍ୟଜୀବନ ଅବଧିରେ ସେ ପ୍ରାୟ ଆଠ ହଜାରଟି ବ୍ୟଙ୍ଗଚିତ୍ର (କାର୍ଟୁନ) ସୃଷ୍ଟି କରିଥିଲେ। ବିଭିନ୍ନ ସାମାଜିକ କାର୍ଯ୍ୟ, ପଶୁ ଓ ଶିଶୁ କଳ୍ୟାଣ ପ୍ରତି ସମର୍ପିତ ଥିବା କାମାଥ ତାଙ୍କ ଅର୍ଜିତ ଆୟ ସହିତ କିଛି କାର୍ଟୁନ ମଧ୍ୟ ସେମାନଙ୍କ ପାଇଁ ଦାନ କରିଥିଲେ।[୨]

ତାଙ୍କ ଦେହାନ୍ତ ସମୟରେ କାମାଥ ଭାରତର ଏକମାତ୍ର ମହିଳା ରାଜନୈତିକ ବ୍ୟଙ୍ଗ ଚିତ୍ରାକାର (କାର୍ଟୁନିଷ୍ଟ) ଥିଲେ।

ମାୟା କାମଥ ସ୍ମୃତି ପୁରସ୍କାର

[ସମ୍ପାଦନା]

କାମାଥ ୫୦ ବର୍ଷ ବୟସରେ ପରଲୋକଗମନ କରିଥିଲେ। ତାଙ୍କ ସ୍ୱାମୀ ଅମରନାଥ କାମାଥ ୨୦୦୮ ମସିହାରେ ଭାରତୀୟ କାର୍ଟୁନିଷ୍ଟ ସଂସ୍ଥା (Indian Institute of Cartoonists) ର ଅଧୀନରେ ବାର୍ଷିକ ମାୟା କାମାଥ ସ୍ମୃତି ପୁରସ୍କାର (MKMA : 2008–2021) ପ୍ରତିଷ୍ଠା କରିଥିଲେ। ଏହି ପୁରସ୍କାର ୨୦୨୧ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିଲା।[୩] ଏହା କାର୍ଟୁନ ଅଙ୍କନରେ କୁଶଳତାକୁ ସ୍ୱୀକୃତି ଦିଆଯାଇଥାଏ ଏବଂ ପରେ ଭାରତୀୟ କାର୍ଟୁନ ଗ୍ୟାଲେରୀରେ ସେହି କାର୍ଟୁନଗୁଡ଼ିକର ପ୍ରଦର୍ଶନୀ ଆୟୋଜିତ ହୋଇଥାଏ।

  1. ↑ Sarangi, Shailaja (2021-04-17). "Top 5 Cartoonists in India". PRATHA (in ଇଂରାଜୀ). Retrieved 2026-02-15.
  2. 1 2 "Maya Kamath". MAP Academy (in ଆମେରିକୀୟ ଇଂରାଜୀ). Retrieved 2026-02-16.
  3. ↑ Agrawal, Ruchita. "DNA cartoonist Manjul wins Maya Kamath award for excellence". DNA India (in ଇଂରାଜୀ). Retrieved 2026-02-15.