ମାରାଗୁଡ଼ା

ଉଇକିପିଡ଼ିଆ ରୁ
Jump to navigation Jump to search
ମାରାଗୁଡ଼ା
ମାରାଗୁଡ଼ା
Lua error in ମଡ୍ୟୁଲ:Location_map at line 419: No value was provided for longitude.
ଅଲଗା ନାଆଁ କୁଶାବତୀ
ଅବସ୍ଥାନ ନୂଆପଡ଼ା, ଓଡ଼ିଶା
ଦିଗବାରେଣି 20°43′18″N 82°27′58″E / 20.7217502°N 82.466004°E / 20.7217502; 82.466004Coordinates: 20°43′18″N 82°27′58″E / 20.7217502°N 82.466004°E / 20.7217502; 82.466004
ପ୍ରକାର ପ୍ରାଚୀନ ନଗର ସଭ୍ୟତା
ଇତିହାସ
କାଳ ଖ୍ରୀ. ଚତୁର୍ଥରୁ ସପ୍ତମ ଶତାବ୍ଦୀ
ଚଳଣି ଦକ୍ଷିଣ-କୋଶଳୀ ସଭ୍ୟତା
ସ୍ଥାନ ଟୀକା
ଖନନ ତାରିଖ ୧୯୭୪ରୁ ବର୍ତ୍ତମାନ
ପ୍ରତ୍ନରତ୍ତ୍ଵବିଦ ଡଃ ନବୀନ କୁମାର ସାହୁ
ଅବସ୍ଥା ଭଗ୍ନାବଶେଷ

ଓଡ଼ିଶାର ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ମାଳଭୂମିରେ ମାରାଗୁଡ଼ା ଉପତ୍ୟକା ଅବସ୍ଥିତ । ମାରାଗୁଡ଼ାର ଭୌଗୋଳିକ ଅବସ୍ଥିତି ହେଲା ୮୨.୨୮' ପୂର୍ବ ଦ୍ରାଘିମା ଓ ୨୦.୪୩' ଉତ୍ତର ଅକ୍ଷାଂଶ । ମଗଧ, ଛତିଶଗଡ଼, ଡେକାନ୍ ମାଳଭୂମି ଓ ଓଡ଼ିଶାର ଐତିହାସିକ ତଥା ସାଂସ୍କୃତିକ ମିଳନସ୍ଥଳରେ ମାରାଗୁଡ଼ା ଗଢି ଉଠିଥିଲା । ମାରାଗୁଡ଼ାର ଉତ୍ତର ପଟକୁ ଅମରକଣ୍ଟକ ମାଳଭୂମି ଅବସ୍ଥିତ । ମାରାଗୁଡ଼ା ଉପତ୍ୟକାରେ ପ୍ରବାହିତ ଜଙ୍କ ନଦୀ କୂଳରେ ଏହି ନଗର ସଭ୍ୟତାର ବିକାଶ ଘଟିଥିଲା ।

ସାମ୍ପ୍ରତିକ ସମୟରେ ଏଠାରେ ହେଉଥିବା ପ୍ରତ୍ନତାତ୍ତ୍ୱିକ ଖନନ ଓ ଅନୁସନ୍ଧାନରୁ ପ୍ରାଚୀନ ସମୟର ଏକ ଐଶ୍ୱର୍ଯ୍ୟଶାଳୀ ନଗରର ଭଗ୍ନାବଶେଷ ପ୍ରାପ୍ତ ହୋଇଛି । ପ୍ରାଚୀନ ଭାରତୀୟ ନଗର ସଭ୍ୟତା ଓ ସାମାଜିକ ତଥା ଧାର୍ମିକ ତଥ୍ୟର ସନ୍ଧାନ ମିଳିଥିବାରୁ ମାରାଗୁଡ଼ା ଐତିହାସିକ ମଞ୍ଚରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ସ୍ଥାନରେ ପ୍ରାଚୀନ ଦକ୍ଷିଣ କୋଶଳ ରାଜ୍ୟର ରାଜଧାନୀ ଅବସ୍ଥିତ ଥିଲା । ପ୍ରତ୍ନତାତ୍ତ୍ୱିକ ଖନନରୁ ଏହି ରାଜଧାନୀ ଅତ୍ୟନ୍ତ ସମ୍ମୃଦ୍ଧିଶାଳୀ ଥିବା ଜଣାପଡେ ।

ପ୍ରାଚୀନ ସମୟରେ ମାରାଗୁଡ଼ା ଶରଭପୁରୀୟ ବଂଶର ରାଜଧାନୀ କୁଶାବତୀ ନାମରେ ଖ୍ୟାତ ଥିଲା ଓ ରାମଙ୍କ ପୁଅ କୁଶଙ୍କଦ୍ୱାରା ସ୍ଥାପିତ ହୋଇଥିଲା ବୋଲି କଥିତ ଅଛି । ପର୍ବତ ଘେରା ସୁନ୍ଦର ଓ ଦର୍ଶନୀୟ ମାରାଗୁଡ଼ା ଉପତ୍ୟକାରେ ଯେଉଁ ସମୃଦ୍ଧ ନଗର ସଭ୍ୟତା ଗଢି ଉଠିଥିଲା ତାହାର ପ୍ରମାଣ ହୁଏନ୍‍ସାଂଙ୍କ ଯାତ୍ରା ବିବରଣୀରୁ ଓ ପ୍ରତ୍ନତାତ୍ତ୍ୱିକ ଖନନରୁ ମିଳେ ।

ଇତିହାସ[ସମ୍ପାଦନା]

ପୌରାଣିକ କାଳ[ସମ୍ପାଦନା]

ପୌରାଣିକ କାଳରେ ଏହି ଅଞ୍ଚଳ “ନିଷାଦ ରାଜ୍ୟ”ର ଅଂଶ ଥିଲା ବୋଲି କଥିତ ଅଛି । ମାରାଗୁଡ଼ା ଉପତ୍ୟକା ଯେଉଁ ଜଙ୍ଗଲର ଅଂଶ ଥିଲା ତାହା ପୌରାଣିକ କଥାରେ ଦଣ୍ଡକାରଣ୍ୟ ବା ଦାରୁବନ ବା ତପୋବନ ନାମରେ ଖ୍ୟାତ ଥିଲା । ତପୋବନରେ ଅନେକ ଶୈବାଚାର୍ଯ୍ୟ ଓ ଋଷି ବସବାସ କରୁଥିଲେ ।

ରାମାୟଣ[ସମ୍ପାଦନା]

ମାଛ ଧରିବା ଓ ଶିକାର କରିବା ନିଷାଦମାନଙ୍କର ମୁଖ୍ୟ ଜୀବିକା । ଜଣେ ନିଷାଦ ଏକ ପକ୍ଷୀଜୁଗଳରୁ ଗୋଟିଏ ପକ୍ଷୀକୁ ମାରିଦେବା ଋଷି ବାଲ୍ମିକୀ ଦେଖିଥିଲେ । ଜୀବିତ ପକ୍ଷୀର କଷ୍ଟ ଓ ଅନୁତାପରେ ପ୍ରଭାବିତ ହୋଇ ଋଷି ବାଲ୍ମିକୀ ରାମାୟଣର କାହାଣୀ ଲେଖିଥିଲେ ବୋଲି କୁହାଯାଏ । ନିଷାଦ ରାଜ ଗୁହ ରାମଚନ୍ଦ୍ରଙ୍କ ଘନିଷ୍ଠ ମିତ୍ର ଥିଲେ ଓ ତାଙ୍କୁ ଗଙ୍ଗାନଦୀ ପାର କରାଇବାରେ ସାହାଯ୍ୟ କରିଥିଲେ ବୋଲି ରାମାୟଣରେ ଲିଖିତ ଅଛି ।

ଲୋକକଥା ଅନୁସାରେ ରାମଚନ୍ଦ୍ରଙ୍କ ପୁତ୍ର କୁଶ ପରବର୍ତ୍ତୀ ସମୟରେ “କୁଶାବତୀ” ବା “କୁଶସ୍ଥଳୀପୁର”ଠାରେ ନିଜର ରାଜଧାନୀ ସ୍ଥାପନା କରିଥିଲେ । କେତେକ ଐତିହାସିକ ମାରାଗୁଡ଼ାଠାରେ କୁଶାବତୀ ରହିଥିଲା ବୋଲି ମତ ପୋଷଣ କରିଛନ୍ତି ।

ମହାଭାରତ[ସମ୍ପାଦନା]

ମହାଭାରତରେ ନିଷାଦ ରାଜ୍ୟର ଅବସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ନାହିଁ । କିନ୍ତୁ ଗିରିପ୍ରସ୍ଥ ନିଷାଦ ରାଜ୍ୟର ରାଜଧାନୀ ଥିଲା ବୋଲି ମହାଭାରତରେ ବର୍ଣ୍ଣିତ ଅଛି । ଗିରିପ୍ରସ୍ଥ ମାରାଗୁଡ଼ା ଉପତ୍ୟକାରେ ହିଁ ଥିଲା ବୋଲି ଅନୁମାନ କରାଯାଏ । ଆଉ କେତେକ ସୂତ୍ର ଅନୁସାରେ ମହାଭାରତ ସମୟରେ ଏହି ଅଞ୍ଚଳ କାନ୍ତାର ବା ମହାକାନ୍ତାର ନାମରେ ଜଣାଶୁଣା ଥିଲା ।

ନିଷାଦ ବା ଶବର ଜନଜାତି ପାହାଡ, ଜଙ୍ଗଲରେ ବସବାସ କରନ୍ତି ଓ ସେମାନେ ଶିକାର କରି ନିଜର ଜୀବିକା ନିର୍ବାହ କରନ୍ତି ବୋଲି ମହାଭାରତରେ କୁହାଯାଇଛି । ପର୍ବତ, ଉପତ୍ୟକା ଏବଂ ନଦୀମାନଙ୍କ ଉପରେ ଏମାନଙ୍କ ରାଜୁତି ଥିଲା ।

ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଖ୍ରୀଷ୍ଟୀୟ ୬ଷ୍ଠ ଶତାବ୍ଦୀ[ସମ୍ପାଦନା]

ମାରାଗୁଡ଼ାକୁ ଅଶୋକଙ୍କ କଳିଙ୍ଗ ଅଭିଲେଖରେ “ଆଟବିକ କ୍ଷେତ୍ର” ବୋଲି କୁହାଯାଇଛି । ଖାରବେଳଙ୍କ ସମୟର ହାତୀଗୁମ୍ଫା ଶିଳାଲେଖରେ ଏହି ଅଞ୍ଚଳ “ବିଦ୍ୟାଧରଦିବସ” ନାମରେ ଜଣାଶୁଣା ଥିବା ଓ ଏଠାରେ ଏକ ସୈନ୍ୟ ଚୟନ ଓ ନିଯୁକ୍ତି ଶିବିର ଥିବା କଥା କୁହାଯାଇଛି । ସାତବାହନ ସାମ୍ରାଜ୍ୟର ରାଜୁତି ବେଳେ ଏହି ଅଞ୍ଚଳ “ମହାବନ” ନାମରେ ପ୍ରସିଦ୍ଧ ଥିଲା ।

ବୌଦ୍ଧ ଧର୍ମଶାସ୍ତ୍ର ଅଙ୍ଗୁତ୍ତରନିୟକରେ ଉଲ୍ଲିଖିତ ଷୋଡଶ ମହାଜନପଦ ମଧ୍ୟରେ ଅସ୍ମକ ମହାଜନପଦ ଅନ୍ୟତମ ଥିଲା । ମାରାଗୁଡ଼ା ଉପତ୍ୟକା ଅଞ୍ଚଳ ଏହି ଅସ୍ମକ ମହାଜନପଦର ଅଂଶ ଥିଲା । ଏହି ଅଞ୍ଚଳ ଏକ ମୁଖ୍ୟ ଓ ବ୍ୟସ୍ତ ବ୍ୟାବସାୟିକ କେନ୍ଦ୍ର ଥିଲା ବୋଲି ସେରବଣିଜ ଜାତକରେ କୁହାଯାଇଛି ।

କ୍ରମଶଃ ପ୍ରାକ୍-ଐତିହାସିକ ସମୟରେ ମାରାଗୁଡ଼ା ଉପତ୍ୟକା ଅଞ୍ଚଳ କୋଶଳ ରାଜ୍ୟ ନାମରେ ପ୍ରସିଦ୍ଧ ହେଲା । ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀ ବେଳକୁ ନଳ ବଂଶର ପ୍ରତାପୀ ଓ ନାମୀ ରାଜାଙ୍କ ନେତୃତ୍ୱରେ କୋଶଳର ଏହି ଐତିହାସିକ ରାଜଧାନୀ ସର୍ବବିଦିତ ହେଲା ଓ ପ୍ରଗତିର ଚରମସୀମାରେ ପହଞ୍ଚିଥିଲା ।

ମହାଭାରତର “କାନ୍ତାର” ବା “ମହାକାନ୍ତାର” ନାମର ଉଲ୍ଲେଖ ଗୁପ୍ତଯୁଗୀୟ ସମୁଦ୍ରଗୁପ୍ତଙ୍କ ଆଲାହାବାଦ୍‍ସ୍ଥିତ ସ୍ତମ୍ଭଲେଖରୁ ମଧ୍ୟ ମିଳିଛି । ସମ୍ରାଟ ସମୁଦ୍ରଗୁପ୍ତ ନିଜର ଦାକ୍ଷିଣାତ୍ୟ ଅଭିଯାନ ସମୟରେ ଏହି ଅଞ୍ଚଳ ଦେଇ ଯାତ୍ରା କରିଥିଲେ ।

ଖ୍ରୀଷ୍ଟୀୟ ୭ମ ଶତାବ୍ଦୀ[ସମ୍ପାଦନା]

ପ୍ରସିଦ୍ଧ ଚୀନ୍ ପରିବ୍ରାଜକ ହୁଏନ୍‍ସାଂ ଖ୍ରୀଷ୍ଟାବ୍ଦ ସପ୍ତମ ଶତାବ୍ଦୀର ପ୍ରଥମାର୍ଦ୍ଧରେ (ଖ୍ରୀ. ୬୩୦ରୁ ୬୪୫) ମଧ୍ୟରେ ଭାରତ ଭ୍ରମଣରେ ଆସିଥିଲେ । ସେ ଏହି ନଗରୀର ଦର୍ଶନ ମଧ୍ୟ କରିଥିଲେ । କୋଶଳ ରାଜ୍ୟର ଏହି ନଗରୀରେ ଅନେକ ଧାର୍ମିକ ଅନୁଷ୍ଠାନ, ସୁନ୍ଦର ଅଟ୍ଟାଳିକା, ବିରାଟ ପ୍ରାଚୀର ଓ ମନୋରମ ରାଜପ୍ରାସାଦ ଥିଲା ବୋଲି ତାଙ୍କ ଯାତ୍ରା ବିବରଣୀରୁ ଜଣାପଡିଛି । କଳିଙ୍ଗରୁ ପାହାଡିଆ ଓ ଜଙ୍ଗଲ ରାସ୍ତାରେ ଉତ୍ତର-ପଶ୍ଚିମ ପଟକୁ ପ୍ରାୟ ୧୮୦୦ ଲି (୪୫୦ କି.ମି.) ଯାତ୍ରା କଲେ ୬୦୦୦ ଲି ପରିମିତ ଏବଂ ପର୍ବତ ଓ ସନ୍ତସନ୍ତିଆ ଭୂମିରେ ଘେରା କୋଶଳ ରାଜ୍ୟ ରହିଥିଲା, ଯାହାର ରାଜଧାନୀ ପ୍ରାୟ ୪୦ ଲି (୧୦ରୁ ୧୫ କି.ମି.) ପରିମିତ କ୍ଷେତ୍ରରେ ବ୍ୟାପ୍ତ ଥିଲା । ଏହି ଦେଶର ମୃତ୍ତିକା ଅତି ଉର୍ବର, ଶସ୍ୟଶାଳୀ ଥିଲା; ନଗର ଓ ଗ୍ରାମମାନ କମ୍ ଦୂରତାରେ ଥିଲେ; ଏଠାକାର ଲୋକମାନେ ଡେଙ୍ଗା ଓ କୃଷ୍ଣ ବର୍ଣ୍ଣର ଥିଲେ ‍। ଏଠାକାର ଶାସକ ଜଣେ କ୍ଷତ୍ରିୟ ବଂଶଜ ଥିଲେ ମଧ୍ୟ ବୌଦ୍ଧ ଧର୍ମ ପ୍ରତି ତାଙ୍କର ଅଶେଷ ଶ୍ରଦ୍ଧା ରହିଥିଲା ଓ ସେ କଳା ସଂସ୍କୃତିର ପୃଷ୍ଠପୋଷକ ଥିଲେ ବୋଲି ମଧ୍ୟ ସେ ଲିପିବଦ୍ଧ କରିଯାଇଛନ୍ତି ।[୧] ପୋ-ଲୋ-ମୋ-ଲୋ-କି-ଲି (ବର୍ତ୍ତମାନ ନାମ ଗନ୍ଧମାର୍ଦ୍ଦନ ପର୍ବତ) ଏଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୩୦୦ ଲି (୭୫ କି.ମି.) ଦୂରରେ ରହିଛି ବୋଲି ମଧ୍ୟ ସେ ଲେଖିଥିଲେ । ହୁଏନ୍‍ସାଂଙ୍କ ବିବରଣୀରୁ ମାରାଗୁଡ଼ା ହିଁ କୋଶଳର ଏହି ସମୃଦ୍ଧିଶାଳୀ ରାଜଧାନୀ ବୋଲି ଜଣାପଡେ ବୋଲି ଅନେକ ବିଶେଷଜ୍ଞ ଓ ଗବେଷକ ମତ ପୋଷଣ କରିଛନ୍ତି ।

ହୁଏନ୍‍ସାଂଙ୍କ ଭାରତ ଭ୍ରମଣ ସମୟରେ କୋଶଳରେ ନଳ ବଂଶୀୟ ବିରୂପରାଜ ରାଜୁତି କରୁଥିଲେ ବୋଲି ଅନୁମାନ କରାଯାଏ । ଆଉ କେତେକ ମତ ଅନୁସାରେ ସେହି ସମୟରେ କୋଶଳ ଶରଭପୁରୀୟ ବା ଅମରାର୍ଯ୍ୟକୁଳର ଶାସନାଧୀନ ଥିଲା ।

ପ୍ରତ୍ନତାତ୍ତ୍ୱିକ ତଥ୍ୟ[ସମ୍ପାଦନା]

୧୯୭୪ ମସିହାରେ ପ୍ରତ୍ନତାତ୍ତ୍ୱିକ ବିଭାଗଦ୍ୱାରା ମାରାଗୁଡ଼ାରେ ପ୍ରଥମେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଖନନରୁ ଲାଲ୍ ବାଲୁକା ପଥର ନିର୍ମିତ କେତେକ ଭଙ୍ଗା ମୂର୍ତ୍ତି, ଇଟା ଓ ପଥର ତିଆରି ଛୋଟ ବଡ କିଛି ମଣ୍ଡପ ତଥା କେତେକ ବିରଳ ମୁଦ୍ରା ଇତ୍ୟାଦି ମିଳିଥିଲା । ସମସ୍ତ ପ୍ରତ୍ନତତ୍ତ୍ୱ ବିଜ୍ଞାନୀଙ୍କ ମହଲରେ ଏହା ଉତ୍ସାହ ସୃଷ୍ଟି କରିଥିଲା । ମାରାଗୁଡ଼ାଠାରେ ଖ୍ରୀଷ୍ଟାବ୍ଦ ୧୨ଶ ଶତାବ୍ଦୀ ସମୟର ନଗର ସଭ୍ୟତାର ଭଗ୍ନାବଶେଷ ରହିଥିବା ସେମାନେ ପ୍ରକାଶ କରିଥିଲେ । କିନ୍ତୁ ୧୯୭୬ ମସିହା ବେଳକୁ ଅନେକ କାରଣରୁ ଖନନ କାର୍ଯ୍ୟ ବନ୍ଦ କରିଦିଆଯାଇଥିଲା ।

ନୂତନ ଉତ୍ସାହର ସହିତ ପୁଣି ୧୯୮୧ ମସିହାରେ ପ୍ରତ୍ନତତ୍ତ୍ୱ ବିଜ୍ଞାନୀମାନେ ଖନନ କାର୍ଯ୍ୟ ଆରମ୍ଭ କଲେ । ଖନନରୁ ମନ୍ଦିର, ଦୁର୍ଗା ଓ କାର୍ତ୍ତିକେୟଙ୍କ ମୂର୍ତ୍ତି, ପାଣ୍ଡୁବଂଶର ନନ୍ନଦେବଙ୍କ ଟେରାକୋଟା ମୋହର, ଶରଭପୁରୀୟ ବଂଶର ପ୍ରସନ୍ନମାତ୍ର, ମହେନ୍ଦ୍ରାଦିତ୍ୟ ଓ କ୍ରୋନ୍ଦିତ୍ୟଙ୍କ ସମୟର ବିରଳ ସ୍ୱର୍ଣ୍ଣମୁଦ୍ରା, ଜୈନ ଧର୍ମାବଲମ୍ବୀଙ୍କ ଚଉମୁଖ ଇତ୍ୟାଦି ପ୍ରାପ୍ତ ହୋଇଥିଲା । ଏହି ସବୁ ବସ୍ତୁ ଆନୁମାନିକ ଖ୍ରୀଷ୍ଟାବ୍ଦ ୬ଷ୍ଠରୁ ୮ମ ଶତାବ୍ଦୀ ସମୟର ବୋଲି ପ୍ରମାଣିତ ହେବାପରେ ମାରାଗୁଡ଼ାର ଐତିହାସିକ ମାନରେ ବୃଦ୍ଧି ହୋଇଥିଲା । ୧୯୮୦ ଦଶନ୍ଧିର ଶେଷ ଆଡକୁ ଓଡ଼ିଆ ଐତିହାସିକ ଡଃ ନବୀନ କୁମାର ସାହୁଙ୍କ ନେତୃତ୍ୱରେ ପ୍ରତ୍ନତତ୍ତ୍ୱ ଖନନ ହୋଇଥିଲା । ମାରାଗୁଡ଼ା ପ୍ରାଚୀନ ସର୍ବପୁର ସାମ୍ରାଜ୍ୟର ରାଜଧାନୀ ଥିବା, ଚୀନ୍‍ ପରିବ୍ରାଜକ ହୁଏନ୍‍ସାଂ ଖ୍ରୀ. ୬୩୯ ବେଳକୁ ଏହି ଅଞ୍ଚଳକୁ ଭ୍ରମଣ କରିଥିବା ଓ ଏଠାରେ କେତେକ ବିହାର ବା ମଠର ଭଗ୍ନାବଶେଷ ରହିଥିବା କଥା ଡଃ ନବୀନ ସାହୁ ପ୍ରକାଶ କରିଥିଲେ ।[୨]

ମାରାଗୁଡ଼ା ଉପତ୍ୟକାରେ ଧର୍ମବିଶ୍ୱାସ[ସମ୍ପାଦନା]

ପ୍ରାୟ ଖ୍ରୀ. ପଞ୍ଚମ ଶତାବ୍ଦୀ ସମୟରୁ ଦକ୍ଷିଣ କୋଶଳର ମାରାଗୁଡ଼ାରେ ମନ୍ଦିର ସ୍ଥାପତ୍ୟକଳାର ପରିଚୟ ମିଳିଛି । ଏହି ଅଞ୍ଚଳ ପ୍ରଚୀନ କାଳରେ ମତ୍ତମୟୂର ଓ ଶୈବ ସିଦ୍ଧାନ୍ତ ପରମ୍ପରା ପାଇଁ ପରିଚିତ ଥିଲା । ଶୈବ ଓ ଶାକ୍ତ ପରମ୍ପରାର ମିଶ୍ରଣରେ ସୃଷ୍ଟି ହୋଇଥିବା ତାନ୍ତ୍ରିକ ମତବାଦ ଏଠାକାର କଳାକୃତି, ସାମାଜିକ ଓ ସାଂସ୍କୃତିକ ଧାରାରେ ପ୍ରତିବିମ୍ବିତ ହୋଇଛି । ପୁରୁଷ ଓ ପ୍ରକୃତି ରୂପୀ ଶିବ ଓ ଶକ୍ତି ପୃଥକ୍ ହୋଇପାରିବେ ନାହିଁ ଓ ସର୍ବଦା ମିଳିତ ଭାବେ ପୂଜା ପାଆନ୍ତି ବୋଲି ମତ ପ୍ରଚଳିତ ଥିବାରୁ ଶକ୍ତିପୀଠରେ ଶିବଲିଙ୍ଗ ଦେଖିବାକୁ ମିଳେ ।

ଶାକ୍ତ ପରମ୍ପରା[ସମ୍ପାଦନା]

ମାରାଗୁଡ଼ାର ପ୍ରାଚୀନ ଶକ୍ତିପୀଠର ଉଦ୍ଭବ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ ହୋଇଥିଲା । ଖନନରୁ ମିଳିଥିବା ଏକ ଶକ୍ତିପୀଠର ଗର୍ଭଗୃହ ମଧ୍ୟରେ ଦେବୀଙ୍କ ଆସ୍ଥାନ ଚତୁଃପାର୍ଶ୍ୱରେ ପ୍ରଦକ୍ଷିଣପଥ ନିର୍ମିତ ହୋଇଥିଲା । ଆଉ ଏକ ଇଟା ନିର୍ମିତ ମନ୍ଦିରର ଗର୍ଭଗୃହରେ ଚାରି ଫୁଟ୍ ଉଚ୍ଚ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପିତାବସ୍ଥାରେ ମିଳିଥିଲା । ଏହି ମୂର୍ତ୍ତିରେ ଦ୍ୱିଭୂଜା ଦେବୀ ଶର ସଂଯୋଜନାବସ୍ଥାରେ ଏକ ସିଂହ ଉପରେ ଛିଡା ହୋଇଛନ୍ତି । ପୀଠ ତଳେ ଏକ ଶିଳାଲେଖ ମଧ୍ୟ ମିଳିଛି ଯେଉଁଥିରେ “ମହେଶ୍ୱରୀ ଭବଦ” ଲିଖିତ ଅଛି ଓ ଏହି ଲେଖା ଖ୍ରୀ. ୫ମ ଶତାବ୍ଦୀ ସମୟର । ଏତତ୍ ବ୍ୟତୀତ ମିଳିଥିବା ଅନ୍ୟାନ୍ୟ ଯୋଗିନୀ ମୂର୍ତ୍ତି ଏଠାକାର ଧାର୍ମିକ ବିଶ୍ୱାସରେ ଶାକ୍ତ ପରମ୍ପରାର ବହୁଳ ପ୍ରଭାବ ରହିଥିବା ଦର୍ଶାଏ ।[୩] ଏହି ଅଞ୍ଚଳର ସଂସ୍କୃତି ଓ ପରମ୍ପରାରେ ମଧ୍ୟ ଦେବୀ ମା’ ଦୁର୍ଗାଙ୍କ ପୂଜାର ପ୍ରଚଳନ ରହିଛି । ମହିଷାମର୍ଦ୍ଦିନୀ ଦୁର୍ଗା ମୂର୍ତ୍ତି, ଶକ୍ତିପୀଠ, ଦୁର୍ଗା ମନ୍ଦିର, ଯୋନି ସଂକେତ ଧାରଣ କରିଥିବା ପ୍ରସ୍ତର ଶାକ୍ତ ଓ ତାନ୍ତ୍ରିକ ମତବାଦର ସମର୍ଥନ କରେ ।

ମାରାଗୁଡ଼ା ଉପତ୍ୟକା ଅଞ୍ଚଳରେ ଏକ ଭୂଦେବୀ ମୂର୍ତ୍ତି ମଧ୍ୟ ପ୍ରାପ୍ତ ହୋଇଛି । ମୂର୍ତ୍ତିରେ ଦେବୀଙ୍କ ଗୋଡ ଛନ୍ଦି ହୋଇ ରହିଛି । ଭୂଦେବୀଙ୍କ ମୁଣ୍ଡପଟକୁ ଗଛଲତାର ଚିତ୍ର ରହିଥବାରୁ ଭୂଦେବୀ ଉର୍ବରତା ବା ପ୍ରଜନନ ଶକ୍ତିର ଦେବୀ ବୋଲି ଅନୁମାନ କରାଯାଇଛି । ଏହି ମୂର୍ତ୍ତିଟି ଭିନ୍ନ ଓ ଅନନ୍ୟ ହେଲେ ମଧ୍ୟ ଏଠାକାର ଶାକ୍ତ ଓ ମାତୃକା ପୂଜା ପରମ୍ପରାର ଆଉ ଏକ ସଙ୍କେତ ।

ଶୈବ ପରମ୍ପରା[ସମ୍ପାଦନା]

ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର ମଧ୍ୟଭାଗରେ ଓ ନଳମାନଙ୍କ ରାଜୁତି ସମୟରୁ ପ୍ରାଚୀନ କୋଶଳ ଓ କାନ୍ତାରରେ ଶୈବ ପରମ୍ପରା ଲୋକପ୍ରିୟତା ହାସଲ କରିଥିଲା । ମାରାଗୁଡ଼ାରେ ହୋଇଥିବା ସଦ୍ୟ ପ୍ରତ୍ନତାତ୍ତ୍ୱିକ ଖନନରୁ ଖ୍ରୀ. ୪ର୍ଥ ବା ୫ମ ଶତାବ୍ଦୀର ଶୈବବିହାର ଆବିଷ୍କୃତ ହୋଇଛି । ତ୍ରିଶୂଳ ପାହାଡ ନିକଟରେ ହୋଇଥିବା ଖନନରୁ ଏକ ବିରାଟ ପ୍ରଚୀନ ଶୈବ ଧାର୍ମିକ ସ୍ଥଳର ପରିଚୟ ମିଳିଛି । ଏଥିରେ ମନ୍ଦିର ସହିତ ଆଖପାଖରେ ବାସଗୃହ, ଆମୋଦପ୍ରମୋଦ ସ୍ଥଳ, ଉଦ୍ୟାନ ଇତ୍ୟାଦି ରହିଥିଲା । ଶୈବାଚାର୍ଯ୍ୟମାନେ ବିଭିନ୍ନ ପ୍ରାନ୍ତରୁ ଏଠାକୁ ଆସି କିଛି ସମୟ ଅତିବାହିତ କରି ଧର୍ମଚର୍ଚ୍ଚା ଓ ଜ୍ଞାନ ବିତରଣ କରୁଥିଲେ । ଶାକ୍ତ ପରମ୍ପରାର ପ୍ରଚଳନ ପରେ ଶୈବ ପରମ୍ପରରେ ଏକ ନୂତନତ୍ୱ ଦେଖାଦେଲା । ପଞ୍ଚମ ଶତାବ୍ଦୀର ଏକ ମୋହରରେ ରହିଥିବା ଲେଖରୁ ଜଣାପଡେ ଯେ ଧୀମତିଶ୍ୱର ଏଠାକାର ଶୈବାଚାର୍ଯ୍ୟ ପ୍ରମୁଖ ବା ଏହି ବିହାରର ମୁଖିଆ ପଦରେ ଥିଲେ । ଖନନରୁ ଆହୁରି ଦୁଇଟି ପ୍ରାଚୀନ ମନ୍ଦିରର ପରିଚୟ ମଧ୍ୟ ମିଳିଛି । ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରୁ ଅନୁମାନ କରାଯାଏ ଯେ ମାରାଗୁଡ଼ା ଉପତ୍ୟକାର ଶୈବବିହାରଗୁଡିକୁ ବାକାତକ ବା ଶରଭପୁରୀୟଙ୍କ ପରି ବୈଷ୍ଣବ ଅନୁପ୍ରବେଶକାରୀ ଓ ବିଦେଶୀମାନେ ଆକ୍ରମଣ କରି ନଷ୍ଟ କରିଦେଇଥିଲେ ।[୩]

ଜୈନ ପରମ୍ପରା[ସମ୍ପାଦନା]

ମାରାଗୁଡ଼ା ଉପତ୍ୟକାରେ ଦଶ ଇଞ୍ଚର ଏକ ମହାବୀର ମୂର୍ତ୍ତି ମଧ୍ୟ ପ୍ରାପ୍ତ ହୋଇଛି ଓ ଖରିଆର୍ ରୋଡ୍‍ର ଏକ ଜୈନ ମନ୍ଦିରରେ ସଂରକ୍ଷିତ କରି ରଖାଯାଇଛି । ଦଶ ଇଞ୍ଚ ଉଚ୍ଚତାବିଶିଷ୍ଟ ଏହି ମୂର୍ତ୍ତିର ନିମ୍ନ ଭାଗରେ ଜ୍ଞାନରୂପୀ ସିଂହ ଓ ଛାତିରେ ଶ୍ରୀବତ୍ସ ସଙ୍କେତ ରହିଛି ।

ବୌଦ୍ଧ ପରମ୍ପରା[ସମ୍ପାଦନା]

ହୁଏନ୍‍ସାଂଙ୍କ ବିବରଣୀ ଅନୁଯାୟୀ କୋଶଳର ବୈଦ୍ଧ ବିହାରମାନଙ୍କରେ ଅନେକ ମହାଯାନ ବୌଦ୍ଧଭିକ୍ଷୁ ବସବାସ କରୁଥିଲେ । ହୁଏନ୍‍ସାଂଙ୍କ ବିବରଣୀ ଅନୁସାରେ କୋଶଳର ଦକ୍ଷିଣ-ପଶ୍ଚିମରେ ପ୍ରାୟ ୩୦୦ ଲି (୭୫ କି.ମି.) ଦୂରରେ ରହିଥିବା ପୋ-ଲୋ-ମୋ-ଲୋ-କି-ଲି ବା ପରିମଳଗିରି (ଆଧୁନିକ ଗନ୍ଧଗିରି ବା ଗନ୍ଧମାର୍ଦ୍ଦନ ପାହାଡ)ରେ ନାଗାର୍ଜୁନଙ୍କ ବୌଦ୍ଧବିହାର ରହିଥିଲା । ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀର ପ୍ରଥମାର୍ଦ୍ଧରେ ନାଗାର୍ଜୁନ କୋଶଳରେ ବସବାସ କରୁଥିଲେ ଓ ଏଠାରେ ବୌଦ୍ଧ ବିହାର ସ୍ଥାପନ କରିଥିଲେ । ସାତବାହନ ରାଜା ସାତକର୍ଣ୍ଣୀ ନାଗାର୍ଜୁନଙ୍କ ପାଇଁ ଏହି ବିହାର ନିର୍ମାଣ କରାଇଥିଲେ । ପାଞ୍ଚ ମହଲାବିଶିଷ୍ଟ ଏହି ଅଟ୍ଟାଳିକାରେ ଅନେକ ପ୍ରକୋଷ୍ଠ ଥିଲା । ହୁଏନ୍‍ସାଂଙ୍କ ଭ୍ରମଣ ବେଳକୁ ଏହି ବିହାର ପରିତ୍ୟକ୍ତ ହୋଇ କେବଳ ଭଗ୍ନାବଶେଷ ହିଁ ରହିଯାଇଥିଲା । ଏଥିରୁ ଅନୁମାନ କରାଯାଇପାରିବ ଯେ ଖ୍ରୀଷ୍ଟୀୟ ଦ୍ୱିତୀୟ ଶତକରୁ ସପ୍ତମ ଶତକ ପର୍ଯ୍ୟନ୍ତ କୋଶଳରେ ମହାଯାନ ବୌଦ୍ଧ ପରମ୍ପରା ମଧ୍ୟ ଜୀବିତ ରହିଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ଡକ୍ଟର୍ ଯଜ୍ଞ କୁମାର ସାହୁ. ଓଡି଼ଶାର ଇତିହାସ. Nalanda.
  2. ୨.୦ ୨.୧ Kar, Srimoy (1985), Maraguda Valley: Conflicting needs
  3. ୩.୦ ୩.୧ ୩.୨ Dr. C. B. Patel. MARAGUDA VALLEY EXCAVATIONS (PDF). Govt. of Odisha.