ମାତଙ୍ଗିନୀ ହାଜରା
ମାତଙ୍ଗିନୀ ହାଜରା (ଜନ୍ମ: ୧୯ ଅକ୍ଟୋବର ୧୮୭୦) ଭାରତର ସ୍ଵାଧୀନତା ଆନ୍ଦୋଳନର ଏକ କ୍ରାନ୍ତିକାରୀ ସଂଗ୍ରାମୀ ଥିଲେ । ସେ ‘ଗାନ୍ଧୀ ବୁଢ଼ି’ ନାମରେ ମଧ୍ୟ ବେଶ୍ ପରିଚିତ ଥିଲେ ।[୧]
ସଂକ୍ଷିପ୍ତ ଜୀବନି
[ସମ୍ପାଦନା]ମାତଙ୍ଗିନୀ ହାଜରାଙ୍କ ଜନ୍ମ ପଶ୍ଚିମ ବଙ୍ଗର ମିଦନାପୁର ଜିଲ୍ଲାର ହୋଗଳା ଗ୍ରାମରେ ଏକ ଦରିଦ୍ର ପରିବାରରେ ହୋଇଥିଲା ।[୨] ଗରିବ ପରିବାରରେ ଜନ୍ମ ହୋଇଥିବା ଯୋଗୁଁ ସେ କୌଣସି ଆନୁଷ୍ଠାନିକ ଶିକ୍ଷା ଲାଭ କରି ନ ଥିଲେ ।[୩] ଦାରିଦ୍ର୍ୟ ଯୋଗୁଁ ୧୨ ବର୍ଷ ବୟସରେ ତାଙ୍କର ବିବାହ ଗ୍ରାମ ଅଲିନାନ ଗ୍ରାମର ୬୨ ବର୍ଷ ବୟସର ବିପତ୍ନିକ ତ୍ରିଲୋଚନ ହାଜରା ସହିତ କରାଯାଇଥିଲା । କିନ୍ତୁ ଛଅ ବର୍ଷ ପରେ ସେ ସନ୍ତାନହୀନ ଭାବେ ବିଧବା ହୋଇଯାଇଥିଲେ । ସ୍ୱାମୀଙ୍କର ପ୍ରଥମ ପତ୍ନୀର ପୁଅ ତାଙ୍କୁ ବହୁତ ଘୃଣା କରୁଥିଲା । ଏହି କାରଣରୁ ମାତଙ୍ଗିନୀ ଏକ ଝୁମ୍ପୁଡ଼ିରେ ରହି କଷ୍ଟକର ଶ୍ରମ ଦ୍ୱାରା ଜୀବିକା ଚଲାଇଥିଲେ । ଗାଁ ଲୋକମାନଙ୍କ ଦୁଃଖ-ସୁଖରେ ସଦା ସହଭାଗୀ ହେବା କାରଣରୁ ସେ ସମସ୍ତଙ୍କ ମଧ୍ୟରେ ଜଣେ ମା' ପରି ପୂଜ୍ୟ ହୋଇଯାଇଥିଲେ ।
ସ୍ଵାଧୀନତା ସଂଗ୍ରାମୀ
[ସମ୍ପାଦନା]୧୯୩୨ ମସିହାରେ ଗାନ୍ଧୀଜିଙ୍କ ନେତୃତ୍ୱରେ ଦେଶବ୍ୟାପୀ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ ହୋଇଥିଲା । ବନ୍ଦେମାତରମ୍ ଘୋଷ କରି ଦୈନିକ ଶୋଭଯାତ୍ରା ଉଠୁଥିଲା । ଏପରି ଏକ ଶୋଭଯାତ୍ରା ମାତଙ୍ଗିନୀଙ୍କ ଘର ନିକଟରୁ ଯିବାବେଳେ ସେ ବଙ୍ଗଳା ପରମ୍ପରାନୁସାରେ ଶଂଖଧ୍ୱନି କରି ସ୍ୱାଗତ କଲେ ଏବଂ ଶୋଭଯାତ୍ରା ସହ ଯୋଡି ହୋଇଗଲେ । ତାମଲୁକର କୃଷ୍ଣଗଞ୍ଜ ବଜାରରେ ଏହି ଶୋଭାଯାତ୍ରା ପହଞ୍ଚି ଏକ ସଭା ହେଲା । ସେଠାରେ ମାତଙ୍ଗିନୀ ସମସ୍ତଙ୍କ ସହ ସ୍ୱାଧୀନତା ସଂଗ୍ରାମରେ ତନ-ମନ-ଧନ ଦେଇ ଭାଗ ନେବାର ପ୍ରତିଞ୍ଜା କଲେ ।
ମାତଙ୍ଗିନୀଙ୍କୁ ସେତେବେଳେ ଅଫିମ ଅଭ୍ୟାସ ଥିଲା; କିନ୍ତୁ ବର୍ତ୍ତମାନ ଅଫିମ ଅଭ୍ୟାସ ଛାଡ଼ି ସେ ସ୍ୱାଧୀନତା ଆନ୍ଦୋଳନରେ ପୂର୍ଣ୍ଣତଃ ଲୀନ ହୋଇଗଲେ । ୧୭ ଜାନୁଆରୀ ୧୯୩୩ ରେ ‘କରବନ୍ଦ ଆନ୍ଦୋଳନ’ (ଚୌକିଦାରି ଟାକ୍ସ ବନ୍ଦ) କୁ ଦମନ କରିବାକୁ ବଙ୍ଗାଳର ତତ୍କାଳୀନ ଗଭର୍ନର ଏଣ୍ଡରସନ ତାମଲୁକ ଆସିଥିଲେ; ଏହାର ବିରୋଧରେ ବିକ୍ଷୋଭ ହେଲା । ବୀରାଙ୍ଗନା ମାତଙ୍ଗିନୀ ହାଜରା ସବୁଠାରୁ ଆଗରେ କଳା ଝଣ୍ଡା ଧରିଥିଲେ । ସେ ବ୍ରିଟିଶ ଶାସନର ବିରୋଧରେ ନାରା ଲାଗାଉଥିବାବେଳେ ଦରବାର ପର୍ଯ୍ୟନ୍ତ ପହଞ୍ଚିଗଲେ । ପୁଲିସ ତାଙ୍କୁ ଗିରଫ କରି ମୁର୍ଶିଦାବାଦ ଜେଲରେ ଛଅ ମାସର କଠୋର କାରାବାସ ଦେଲା ।
୧୯୩୫ ମସିହାରେ ତାମଲୁକ ଅଞ୍ଚଳ ଭୟଙ୍କର ବନ୍ୟା ଯୋଗୁଁ ହଇଜା ବ୍ୟାପିଗଲା । ମାତଙ୍ଗିନୀ ନିଜ ପ୍ରାଣର ଚିନ୍ତା ପରିତ୍ୟାଗ କରି ସେଠି ସେବା କାର୍ଯ୍ୟରେ ଲାଗିଗଲେ । ୧୯୪୨ ମସିହାରେ ‘ଭାରତ ଛାଡ଼ ଆନ୍ଦୋଳନ’ ଚଳିଥିବା ସମୟରେ ସେ ଏଥିରେ ଯୋଗଦେଲେ । ୮ ସେପ୍ଟେମ୍ବରରେ ତାମଲୁକରେ ଏକ ବିକ୍ଷୋଭ ସମୟରେ ପୁଲିସ ଗୁଳିରେ ତିନିଜଣ ସ୍ୱାଧୀନତା ସେନାନୀ ମୃତ୍ୟୁବରଣ କଲେ । ଏହାର ବିରୋଧରେ ଲୋକେ ୨୯ ସେପ୍ଟେମ୍ବରରେ ଆଉ ବଡ଼ ରାଲି କରିବା ନିଷ୍ପତ୍ତି ନେଲେ । ଏହିପାଇଁ ମାତଙ୍ଗିନୀ ଗାଁ-ଗାଁ ଘୂରି ୫,୦୦୦ ଲୋକଙ୍କୁ ପ୍ରସ୍ତୁତ କଲେ । ସମସ୍ତେ ଦୁପୂରରେ ସରକାରୀ ଡାକ ବଙ୍ଗଲା ପହଞ୍ଚିଗଲେ । ସେତେବେଳେ ଭିଡକୁ ଘଉଡାଇବା ଲାଗି ପୁଲିସ ବନ୍ଧୁକ ଚଳାଇଲା । ମାତଙ୍ଗିନୀ ଏକ ପିଣ୍ଡାରେ ଦଣ୍ଡାୟମାନ ହୋଇ ସ୍ଳୋଗାନ ଦେଉଥିଲେ । ଏକ ଗୁଳି ତାଙ୍କର ବାଁ ହାତରେ ଲାଗିଲା । ସେ ତିରଙ୍ଗା ଝଣ୍ଡାକୁ ତାଙ୍କ ବାଁ ହାତରୁ ଖସିଯିବା ପୂର୍ବରୁ ସେ ପତାକାକୁ ଅନ୍ୟହାତରେ ଧରିନେଲେ । ଏବେ ଦ୍ୱିତୀୟ ଗୁଳି ଦକ୍ଷିଣ ହାତରେ ଏବଂ ତୃତୀୟ ଗୋଳି ତାଙ୍କର ମୁଣ୍ଡରେ ଲାଗିଲା । ମାତଙ୍ଗିନୀ ସେଠାରେ ହିଁ ଟଳି ପଡ଼ିଲେ ।[୪][୫][୬]
ତାଙ୍କର ଏହି ବଳିଦାନରେ ସମଗ୍ର ଅଞ୍ଚଳରେ ଏତେ ଉତ୍ସାହ ଆସିଗଲା ଯେ ୧୦ ଦିନ ମଧ୍ୟରେ ଲୋକେ ଇଂରାଜମାନେଙ୍କୁ ତଡି ଦେଇ ସେଠି ସ୍ୱାଧୀନ ସରକାର ସ୍ଥାପନ କଲେ, ଯାହା ୨୧ ମାସ ପର୍ଯ୍ୟନ୍ତ ଚାଲିଥିଲା ।
ସମ୍ମାନ
[ସମ୍ପାଦନା]ଡିସେମ୍ବର ୧୯୭୪ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାମଲୁକ ଯାତ୍ରା ସମୟରେ ମାତଙ୍ଗିନୀ ହାଜରାଙ୍କ ମୂର୍ତ୍ତି ଉନ୍ମୋଚନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
୧୯୪୭ରେ ଭାରତ ସ୍ୱାଧୀନ ହେବା ପରେ କଲିକାତାର ହାଜରା ରୋଡ଼, ଏବଂ ଅନେକ ସ୍କୁଲ, କଲୋନୀ ଓ ସଡ଼କର ନାମ ତାଙ୍କ ନାମରେ ରଖାଯାଇଥିଲା । ସ୍ୱାଧୀନ ଭାରତରେ କଲକାତାରେ ସ୍ଥାପିତ ପ୍ରଥମ ନାରୀ ମୂର୍ତ୍ତି ୧୯୭୭ ମସିହାରେ ମାତଙ୍ଗିନୀଙ୍କର ଥିଲା । ତାମଲୁକରେ ଯେଉଁଠି ସେ ନିହତ ହୋଇଥିଲେ, ସେଠି ଏବେ ଏକ ମୂର୍ତ୍ତି ଥିବା ସ୍ମୃତି ସ୍ଥଳ ରହିଛି ।
୨୦୦୨ ମସିହାରେ ‘ଭାରତ ଛାଡ଼ ଆନ୍ଦୋଳନ’ ର ୬୦ ବର୍ଷ ଏବଂ ତାମଲୁକ ଜାତୀୟ ସରକାର ଗଠନ ସ୍ମୃତିରେ ଭାରତୀୟ ଡାକ ବିଭାଗ ତାଙ୍କର ଛବି ସହିତ ପାଞ୍ଚ ଟଙ୍କା ଡାକଟିକେଟ୍ ଜାରି କରିଥିଲା ।
୨୦୧୫ ମସିହାରେ, ଏହି ପ୍ରସିଦ୍ଧ କ୍ରାନ୍ତିକାରୀ ନାମରେ ତାମଲୁକ, ପୂର୍ବ ମେଦିନୀପୁରରେ ‘ଶହୀଦ ମାତଙ୍ଗିନୀ ହାଜରା ଗଭର୍ନମେଣ୍ଟ କଲେଜ୍ ଫର୍ ୱ୍ୱିମେନ୍’ ପ୍ରତିଷ୍ଠା କରାଯାଇଥିଲା ।
ଆଧାର
[ସମ୍ପାଦନା]- ↑ "Hazra, Matangini - Banglapedia". en.banglapedia.org (in ଇଂରାଜୀ). Retrieved 2025-05-09.
- ↑ Heehs, Peter (1991-08-29), "British Rule and Indian Revolt", India's Freedom Struggle 1857-1947, Oxford University Press, pp. 18–31, retrieved 2025-05-10
- ↑ Maity, Sachindra (1975). Freedom Movement in Midnapore. Calcutta: Firma, K.L. pp. 112–113.
- ↑ Chakrabarty, Bidyut (1997). Local Politics and Indian Nationalism: Midnapur (1919-1944). New Delhi: Manohar. p. 167.
- ↑ Hallegua, Madhur Zakir (2018-05-28). 100 Desi Stories Series (in ଇଂରାଜୀ). Jaico Publishing House. ISBN 978-93-86867-14-8.
- ↑ Vashishth, Himankshi (2022-05-06). Mist of the Forbidden Forest (in ଇଂରାଜୀ). True Dreamster. p. 71.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |