ମହିମା ଗୋସାଇଁ
ମହିମା ଧର୍ମର ପ୍ରତିଷ୍ଠାତା ଥିଲେ ମହିମା ସ୍ୱାମୀ ବା ମହିମା ଗୋସାଇଁ ।[୧] ମହିମା ଧର୍ମ ତଥା ମହିମା ସ୍ୱାମୀଙ୍କ ବିଷୟରେ ପ୍ରଥମ ତଥ୍ୟ ୧୮୬୭ ମସିହାରେ ଉତ୍କଳ ଦୀପିକା ପତ୍ରିକାରେ ପ୍ରକାଶ ପାଇଥିଲା ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ମହିମା ସ୍ଵାମୀଙ୍କ ପ୍ରକୃତ ନାମ ଥିଲା ମୁକୁନ୍ଦ ଦାସ ଓ ସେ ଜନ୍ମରେ ଜଣେ ବ୍ରାହ୍ମଣ ଥିଲେ । ବହୁ ବର୍ଷ ସେ ହିମାଳୟ ପାହାଡ଼ର ଗୁମ୍ଫା ମଧ୍ୟରେ ଗଭୀର ଧ୍ୟାନ ଓ ତପସ୍ୟା କରିଥିଲେ । ଏହା ପରେ ସ୍ୱାମୀ ଭିନ୍ନ ଭିନ୍ନ ଅଞ୍ଚଳରେ ଯାତ୍ରା କରି ୧୮୨୬ ମସିହାରେ ଓଡ଼ିଶାର ପୁରୀରେ ଧୁଳିଆ ଗୋସାଇଁ ଭାବେ ପ୍ରକଟ ହେଲେ । ସେଠାରେ ଲୋକମାନେ ତାଙ୍କୁ ନିଜ ଦୁଃଖ-ସୁଖ ବିଷୟରେ ପ୍ରଶ୍ନ କରୁଥିଲେ ଓ ସ୍ୱାମୀଙ୍କ ଉତ୍ତର ସତ୍ୟ ସିଦ୍ଧ ହେଉଥିଲା । ସେ ମୁକ୍ତିମଣ୍ଡପରେ ବ୍ରହ୍ମଙ୍କୁ ନିର୍ଗୁଣ ଓ ଶୂନ୍ୟ ବୋଲି ଘୋଷଣା କରିଥିଲେ ।
ସାଧକ ଜୀବନ
[ସମ୍ପାଦନା]ପୁରୀରୁ ଯାତ୍ରା କରି ସ୍ୱାମୀ ଖଣ୍ଡଗିରି, ଧଉଳିଗିରି, ଓ ନୀଳଗିରି ପାହାଡ଼ ଗୁମ୍ଫା ଭିତରେ ତପସ୍ୟା କଲେ । ଏଠି ସେ ୧୨ ବର୍ଷ ପର୍ଯ୍ୟନ୍ତ କେବଳ ପାଣି ପିଇ ବଞ୍ଚିଥିଲେ, ଯାହା ଦେଖି ଲୋକେ ତାଙ୍କୁ ନିରାହାରୀ ଗୋସାଇଁ ବୋଲି କହୁଥିଲେ ।
୧୮୩୮ ମସିହାରେ ସେ ଢେଙ୍କାନାଳ ଜିଲ୍ଲାର କପିଳାଶ ପାହାଡ଼କୁ ଯାଇ ୨୧ ଦିନ ଆତ୍ମ ଯୋଗ ସମାଧି କଲେ । ଏଠାରେ ସେ କୁମ୍ଭୀ ଗଛର ବକ୍କଳ ପିନ୍ଧିଥିଲ[୨]େ ଏବଂ ପୋଷାକ ବଡ଼ ଗୋଲା ପାଥର ଉପରେ ରଖିଦେଇଥିଲେ । କୁହାଯାଏ, ଗୋଟିଏ ସାତ ଫଣା ବିଶିଷ୍ଟ ସାପ ତାଙ୍କ ମୁଣ୍ଡକୁ ଆଚ୍ଛାଦନ କରି ରଖିଥିଲା । ଏହା ଦେଖି ଦେଓଗ୍ରାମ ଗାଁର ଜଣେ ଆଦିବାସୀ ସଦାନନ୍ଦ ସ୍ୱାମୀଙ୍କୁ ଫଳ ଦେଇ ବାର ବର୍ଷ ସେବା କଲେ, ଯାହା ପରେ ସ୍ୱାମୀଙ୍କୁ ଫଳାହାରୀ ଗୋସାଇଁ ବୋଲି କୁହାଯିବାକୁ ଲାଗିଲା । ପରେ ସେ ଢେଙ୍କାନାଳ ରାଜା ଭଗୀରଥୀ ଭ୍ରମରବର ବାହାଦୁର ଏବଂ ରାଣୀଙ୍କ ପ୍ରଦତ୍ତ ଗାଇ କ୍ଷୀର ଗ୍ରହଣ କରି ଦୀର୍ଘ ୧୨ ବର୍ଷ ସାଧନା ଜାରି ରଖିଥିଲେ ।[୩]
ଭୀମ ଭୋଇଙ୍କ ସହ ସାକ୍ଷାତ
[ସମ୍ପାଦନା]ପରେ ସ୍ୱାମୀ ତାଙ୍କ ପ୍ରଥମ ଶିଷ୍ୟ ସିଦ୍ଧ ଗୋବିନ୍ଦ ବାବା ସହିତ ରଏରାଖୋଲର କାକନପଡ଼ା ଗାଁକୁ ଗଲେ । ସେଠାରେ ସେ ଜଣେ ଅନ୍ଧ ଭୀମ ଭୋଇଙ୍କୁ ଆଶୀର୍ବାଦ ଦେଇ ଦୃଷ୍ଟି ଦିଆଇଲେ । କିନ୍ତୁ ଭୀମ ଭୋଇ ମାନବ ଦୁଃଖ ଦେଖି ଖୁସି ହେଇପାରୁନଥିଲେ ଓ ପୁନଃ ଅନ୍ଧ କରିଦେବାକୁ ପ୍ରାର୍ଥନା କଲେ । ସ୍ୱାମୀ ତାଙ୍କୁ ଆଶୀର୍ବାଦ କଲେ ଯେ ସେ ନିର୍ଗୁଣ ବ୍ରହ୍ମ ଉପରେ କାବ୍ୟ ରଚନା କରନ୍ତୁ ଓ ମହିମା ଧର୍ମକୁ ବିଶ୍ୱରେ ପ୍ରସାର କରନ୍ତୁ ।
ମହିମା ଗାଦି
[ସମ୍ପାଦନା]ସ୍ୱାମୀ ପୁନଃ କପିଳାଶକୁ ଫେରି ୧୨ ବର୍ଷ ତପସ୍ଵୀ ଜୀବନ ବ୍ୟତୀତ କଲେ । ଏହା ପରେ ସେ ୨୪ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମବାଧୂତ ଭାବରେ ଓଡ଼ିଶା ଓ ନିକଟସ୍ଥ ରାଜ୍ୟ ମାନଙ୍କରେ ମହିମା ଧର୍ମ ପ୍ରଚାର କଲେ । ଶେଷରେ ସେ ୧୮୭୬ ମସିହା ଅମାବାସ୍ୟା ପରେ ୧୦ମ ଦିନରେ ଢେଙ୍କାନାଳ ଜିଲ୍ଲାର ଜୋରନ୍ଦାରେ ସମାଧି ଗ୍ରହଣ କଲେ । ଯେଉଁ ସ୍ଥାନରେ ସେ ଦେହ ତ୍ୟାଗ କଲେ, ତାହାକୁ ମହିମା ଗାଦି ବୋଲି କୁହାଯାଏ । ଏହା ଆଜି ମହିମା ଆନ୍ଦୋଳନର ମୁଖ୍ୟ କେନ୍ଦ୍ର ।
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ Nepak, Bhagirathi. "Mahima Dharma, Bhima Bhoi and Biswanathbaba" (PDF). web.archive.org. Archived from the original on 26 September 2007. Retrieved 7 April 2025.
{{cite web}}: CS1 maint: bot: original URL status unknown (link) - ↑ "Saints of Mahima Dharma wear bark of Kumbhi tree". kalingatv.com. Retrieved 7 April 2025.
- ↑ ଭାଗୀରଥି ନେପାକ (1999). ମହିମା ଧର୍ମ ଓ ମହିମା ଗୋସାଇଁ (in Oriya).
{{cite book}}: CS1 maint: unrecognized language (link)