ମହାବଂଶ
ମହାବଂଶ (ଶାବ୍ଦିକ ଅର୍ଥ ; ମହାନ ଇତିହାସ) ପାଳି ଭାଷାରେ ଲିଖିତ ଏକ କାବ୍ୟ ଗ୍ରନ୍ଥ ଅଟେ । ଏଥିରେ ଶ୍ରୀଲଙ୍କାର ରାଜାମାନଙ୍କ ବିବରଣୀ ମିଳେ । ଏହାରେ କଳିଙ୍ଗର ରାଜା ବିଜୟ (ଇ. ପୂ. 543)ଙ୍କ ଶ୍ରୀଲଙ୍କା ଆଗମନ ଠାରୁ ମହାସେନ (ଇ. 334–361) ପର୍ଯ୍ୟନ୍ତର ସମୟକାଳର ଇତିହାସ ଉଲ୍ଲେଖ ଅଛି ।[୧] ଏହା ସିହଳ (ଶ୍ରୀଲଙ୍କା)ର ପ୍ରସିଦ୍ଧ ଐତିହାସିକ ମହାକାବ୍ୟ ଅଟେ । ପ୍ରଥମେ ଏହା ବୌଦ୍ଧ ପଣ୍ଡିତ ମହାନାମାଙ୍କ ଦ୍ଵାରା ପଞ୍ଚମ କିମ୍ବା ଷଷ୍ଠ ଶତାବ୍ଦୀରେ ଅନୁରାଧାପୁରରେ ରଚନା ହୋଇଥିଲା ।[୨] ମହାନ ଲୋକମାନଙ୍କ ବଂଶର ବିବରଣୀ ଥିବା ସହ ନିଜେ ମଧ୍ୟ ମହାନ ହେବାରୁ ଏହାକୁ “ମହାବଂଶ” (ମହାବଂଶ ଟୀକା) ନାମ ଦିଆଯାଇଛି ।
ବିଷୟବସ୍ତୁ
[ସମ୍ପାଦନା]ମହାବଂଶରେ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ ଠାରୁ ଚତୁର୍ଥ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାୟ ସାଢେ ଆଠଶ ମସିହା ବର୍ଷର ଇତିହାସର ସମାବେଶ ହୋଇଛି । ଏଥିରେ ତଥାଗତ ବୁଦ୍ଧଙ୍କ ତିନିଥର ଶ୍ରୀଲଙ୍କା ଆଗମନ, ତିନୋଟି ବୌଦ୍ଧ ସଙ୍ଗୀତି, ବିଜୟଙ୍କ ଦ୍ୱାରା ଲଙ୍କା ବିଜୟ, ରାଜା ଦେବାନାଂପିୟ ତିଷ୍ୟଙ୍କ ଶାସନକାଳରେ ଅଶୋକପୁତ୍ର ମହେନ୍ଦ୍ରଙ୍କ ଶ୍ରୀଲଙ୍କା ଆଗମନ, ମଗଧ ଠାରୁ ଭିନ୍ନ ଭିନ୍ନ ଦେଶକୁ ବୌଦ୍ଧ ଧର୍ମ ପ୍ରଚାର ପାଇଁ ଭିକ୍ଷୁମାନଙ୍କ ପ୍ରେଷଣ, ଏବଂ ବୋଧିବୃକ୍ଷର ଶାଖା ସହିତ ମହେନ୍ଦ୍ରଙ୍କ ଭଗିନୀ ଅଶୋକକନ୍ୟା ସଂଘମିତ୍ରାଙ୍କ ଶ୍ରୀଲଙ୍କା ଆଗମନର ବିବରଣୀ ସ୍ଥାନ ପାଇଛି । ସିଂହଳର ଦୁଷ୍ଟାଗ୍ରାମଣୀ ଠାରୁ ମହାସେନ ପର୍ଯ୍ୟନ୍ତ ଅନେକ ରାଜା ଓ ତାଙ୍କ ଶାସନକାଳର ବିବରଣୀ ମଧ୍ୟ ଏଥିରେ ମିଳେ । ଏହିପରି ମହାବଂଶ କେବଳ ସିଂହଳର ଇତିହାସ ଗ୍ରନ୍ଥ ହେଲେ ମଧ୍ୟ, ପ୍ରକୃତରେ ଏହା ସମଗ୍ର ଭାରତୀୟ ଇତିହାସର ପ୍ରାଥମିକ ଉପାଦାନ ସାମଗ୍ରୀରେ ପରିପୂର୍ଣ୍ଣ ଅଟେ ।
“ମହାବଂଶ”ର କଥାବସ୍ତୁ ମହାସେନଙ୍କ (ଖ୍ରୀଷ୍ଟାବ୍ଦ 325–352) ଯୁଗ ଯାଏଁ ଲେଖାଯାଇ ସମାପ୍ତ ହୋଇଛି । କିନ୍ତୁ ଶ୍ରୀଲଙ୍କାରେ ଏଭଳି ଐତିହାସିକ ତଥ୍ୟ ଏହି ମହାବଂଶ ରଚନା ପରେ ମଧ୍ୟ ଜାରି ରହିଛି, ଯାହାକୁ ପରେ “ଚୂଳବଂଶ” ବୋଲି ନାମିତ ହୋଇଛି । “ମହାବଂଶ” ଏହାର ୩୭ତମ ପରିଚ୍ଛେଦର ୫୦ତମ ଗାଥାରେ ହଠାତ୍ ସମାପ୍ତ ହୋଇଯାଇଛି । ପ୍ରଥମ ୩୬ ପରିଚ୍ଛେଦର ପ୍ରତ୍ୟେକ ଶେଷରେ “ସୁଜନମାନଙ୍କ ପ୍ରସାଦ ଓ ବୈରାଗ୍ୟ ପାଇଁ ରଚିତ ମହାବଂଶର ... ପରିଚ୍ଛେଦ” ବାକ୍ୟ ଦେଖାଯାଏ । ୩୭ତମ ପରିଚ୍ଛେଦ ଅସଂପୂର୍ଣ୍ଣ ଅଟେ । ଯିଏ ମହାବଂଶର କଥାବସ୍ତୁକୁ ଲେଖାରେ ଆଦେଇ ନେଲେ, ସେ ଏହି ପରିଚ୍ଛେଦରେ ୧୯୮ ଗାଥା ଯୋଗ କରି “ସାତ ରାଜା” ନାମ ଦେଲେ । ପରବର୍ତ୍ତୀ ସମସ୍ତ ଇତିହାସ ଲେଖକମାନେ ନିଜ ଯୁଗର ଇତିହାସକୁ କେବଳ ଏକ ପରିଚ୍ଛେଦରେ ସମାପ୍ତ କରିନାହାନ୍ତି, ବରଂ ପରବର୍ତ୍ତୀ ପରିଚ୍ଛେଦକୁ ମଧ୍ୟ ଯୋଗ କରି ଏହି ଜାତୀୟ ଇତିହାସ ଲେଖନ ପରମ୍ପରାକୁ ଅବିଚ୍ଛିନ୍ନ ରଖିଛନ୍ତି ।
ମହାନାମଙ୍କ ମୃତ୍ୟୁ ପରେ, ମହାସେନ (ଇ. 302) ଠାରୁ ଦମ୍ବଦେନିୟର ପଣ୍ଡିତ ପରାକ୍ରମବାହୁ (ଇ. 1240–1275) ପର୍ଯ୍ୟନ୍ତ ମହାବଂଶ ଧମ୍ମକୀର୍ତି ଦ୍ୱିତୀୟଙ୍କ ଦ୍ୱାରା ଲେଖାଯାଇଥିଲା । ତେବେ ଏହି ସଂପର୍କରେ ମତଭେଦ ଅଛି । ତା’ପରେ କୀର୍ତି ରାଜସିଂହ (ମୃ. 1815) ପର୍ଯ୍ୟନ୍ତ ଇତିହାସ ହିକ୍କଡୁୱେ ସୁମଙ୍ଗଳାଚାର୍ଯ୍ୟ ଓ ବହୁବନ୍ତୁଡାୱେ ପଣ୍ଡିତ ଦେବରକ୍ଷିତ ଦ୍ୱାରା ଲେଖାଯାଇଥିଲା । ୧୮୩୩ ମସିହାରେ ଏହି ଦୁଇ ଗୁରୁଜନ “ମହାବଂଶ”ର ଏକ ସିଂହଳ ଅନୁବାଦ ପ୍ରକାଶ କରିଥିଲେ । ୧୮୧୫ ଠାରୁ ୧୯୩୫ ପର୍ଯ୍ୟନ୍ତ ଇତିହାସକୁ ଯଗିରଳ ପ୍ରଜ୍ଞାନନ୍ଦ ନାୟକ ସ୍ଥବିର ପୁରୁଣା ପରମ୍ପରା ଅନୁସାରେ ୧୯୩୬ରେ ପ୍ରକାଶ କଲେ ।
ରାଜନୈତିକ ପ୍ରାଧାନ୍ୟତା
[ସମ୍ପାଦନା]ମହାବଂଶ ଆଧୁନିକ ଶ୍ରୀଲଙ୍କାରେ ବିଶେଷତଃ ଏକ ରାଜନୈତିକ ବାର୍ତ୍ତା ବହନ କରୁଥିବା ଦଲିଲ ଭାବେ ଗୁରୁତ୍ୱ ଅଧିଗ୍ରହଣ କରିଛି । ସିଂହଳ ଅଧିକାଂଶ ଲୋକମାନେ ମହାବଂଶକୁ ତାଙ୍କର ଏହି ଦାବିର ପ୍ରମାଣ ଭାବେ ବ୍ୟବହାର କରନ୍ତି ଯେ, ଶ୍ରୀଲଙ୍କା ଐତିହାସିକ କାଳରୁ ସିଂହଳୀ ଜାତିର ଦେଶ ।[୩]
ଆଧାର
[ସମ୍ପାଦନା]- ↑ "(PDF) The Origins and Evolution of Sri Lankan Historiography". ResearchGate (in ଇଂରାଜୀ). Retrieved 2025-10-21.
- ↑ Obeyesekere, Professor Gananath. "Buddhism, Ethnicity and Identity: A Problem of Buddhist History" (PDF). blogs.dickinson.edu/. Retrieved 21 October 2025.
- ↑ H. Bechert, "The beginnings of Buddhist Historiography in Ceylon, Mahawamsa and Political Thinking", Ceylon Studies Seminar, Series 2, 1974