Jump to content

ମହାତ୍ମା ଗାନ୍ଧୀଙ୍କ ଏଗାରଟି ବ୍ରତ

ଉଇକିପିଡ଼ିଆ‌ରୁ

ମହାତ୍ମା ଗାନ୍ଧୀ ଏକ ଆଦର୍ଶ ମାନବ ଜୀବନର ମୂଳମନ୍ତ୍ର ଭାବେ “ଏଗାରଟି ବ୍ରତ” ନିର୍ଦ୍ଧାରଣ କରିଥିଲେ । ତାଙ୍କରି ଆଶ୍ରମରେ ରହୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହାର ପାଳନ ବାଧ୍ୟତାମୂଳକ ଥିଲା ।[] ଏହି ଏକାଦଶ ବ୍ରତ ହେଉଛି; ୧) ସତ୍ୟ – ସଦା ସତ୍ୟ କଥା କହିବା ଓ ସତ୍ୟାନୁସାରେ ଚାଲିବା, ୨) ଅହିଂସା – ମନ, କଥା ଓ କାର୍ଯ୍ୟରେ କାହାକୁ ବି କ୍ଷତି ନ କରିବା,୩) ବ୍ରହ୍ମଚର୍ଯ୍ୟ – ଇନ୍ଦ୍ରିୟନିୟନ୍ତ୍ରଣ ଓ ଶୁଦ୍ଧ ଜୀବନ, ୪) ଅସ୍ତେୟ – ଯାହା ନିଜର ନୁହେଁ, ସେଥିରେ ଅଧିକାର ନ ରଖିବା, ୫) ଅପରିଗ୍ରହ – ଆବଶ୍ୟକତା ଠାରୁ ଅଧିକ ଧନ-ସମ୍ପତ୍ତି ନ ସଂଗ୍ରହ କରିବା, ୬) ଶରୀର ଶ୍ରମ – ନିଜେ କାମ କରିବା, ଶ୍ରମକୁ ସମ୍ମାନ କରିବା, ୭) ଅସ୍ୱାଦ – ରସନାସୁଖରେ ଆସକ୍ତି ନ ହୋଇ ସାଧାରଣ ଖାଦ୍ୟରେ ସନ୍ତୋଷ, ୮) ଅଭୟ – ସତ୍ୟ ଓ ଧର୍ମରେ ଦୃଢ଼ ରହି ଭୟମୁକ୍ତ ଜୀବନ, ୯) ସମସ୍ତ ଧର୍ମକୁ ସମାନ ଦୃଷ୍ଟି– ସବୁ ଧର୍ମକୁ ସମ୍ମାନ ଓ ସମାନ ଦୃଷ୍ଟିରେ ଦେଖିବା, ୧୦) ସ୍ୱଦେଶୀ – ଦେଶୀ ସାମଗ୍ରୀ ବ୍ୟବହାର ଓ ଦେଶର ଉନ୍ନତିରେ ସହଭାଗିତା, ୧୧) ଅସ୍ପୃଶ୍ୟତା ନିବାରଣ – ସମାଜରୁ ଅସ୍ପୃଶ୍ୟତାକୁ ସମାପ୍ତ କରିବା ।[]

ଏହି ବ୍ରତରେ କାୟ ମନ ବାକ୍ୟରେ ସତ୍ୟକୁ ଧାରଣ କରିବା କିମ୍ବା ସତ୍ୟନିଷ୍ଠ ରହିବା ଜରୁରୀ ଅଟେ । ଜୀବନର ସମସ୍ତ କାର୍ଯ୍ୟରେ ସତ୍ୟକୁ ସର୍ବୋପରି ରଖିବା ମାନବତାର ସବୁଠୁ ବଡ଼ ଧର୍ମ । ଏପରିକି ସତ୍ୟର ଅନୁଗାମୀ ଗାନ୍ଧିଜୀ ଅନ୍ୟାୟର ପ୍ରତିବାଦ ମଧ୍ୟ ସଦାଚାର ମାଧ୍ୟମରେ ପ୍ରଦର୍ଶନ କରିବାକୁ ଯାଇ ସତ୍ୟାଗ୍ରହର ପରିକଳ୍ପନା କରିଥିଲେ ।[]

ଅହିଂସା

[ସମ୍ପାଦନା]

ମନ, କଥା ଓ କାମରେ କାହାକୁ ହାନି ନକରିବା ହେଉଛି ଅହିଂସା । ଗାନ୍ଧୀ ଦକ୍ଷିଣ ଆଫ୍ରିକା ଓ ଭାରତରେ ନିଜ ସହଦେଶୀମାନଙ୍କ ପକ୍ଷରେ ଅହିଂସା ପ୍ରୟୋଗ କରିଥିଲେ, କିନ୍ତୁ ସେଥିରେ ସେ କେବଳ ଭାରତୀୟ ଜାତୀୟତାର ଏକ ଅସ୍ତ୍ର ଭାବେ ଚିନ୍ତା କରିନଥିଲେ । ବିପରୀତରେ, ସେ ଏହାକୁ ଅନ୍ୟାୟକୁ ସଠିକ କରିବା ଏବଂ ବିପରୀତ ଦଳ, ଜାତି ଓ ରାଷ୍ଟ୍ରମାନଙ୍କ ମଧ୍ୟରେ ବିରୋଧକୁ ସମାଧାନ କରିବାର ଏକ ସାଧନ ଭାବେ ଗଢ଼ିଥିଲେ । ଏହା ଏକ ଅଦ୍ଭୁତ ପରସ୍ପର ବିରୋଧାଭାସ ଯେ, ଭାରତ ସ୍ଵାଧୀନତା ସଂଗ୍ରାମରେ ଶକ୍ତିଶାଳି ବ୍ରିଟିଶ ବିରୁଦ୍ଧରେ ଲଢି ସବୁଠାରୁ ସଫଳ ସୈନିକ ହୋଇ ସୁଦ୍ଧା ଗାନ୍ଧୀ ସଙ୍କୀର୍ଣ୍ଣ ଜାତୀୟତାର କଳଙ୍କରୁ ମୁକ୍ତ ଥିଲେ ।[][] ଦୁଷ୍ଟଙ୍କ ସହିତ ମଧ୍ୟ ଭଲପାଇବାରେ ଜୀବନକୁ ଗଢ଼ିବାକୁ ଗାନ୍ଧୀଜୀ ଶିଖାଇଥିଲେ ଅହିଂସା । [] ଅତଏବ ଆଶ୍ରମରେ ରହୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସେ ଅହିଂସା ବ୍ରତ ପାଳନ କରିବାକୁ ପ୍ରବର୍ତ୍ତାଉଥିଲେ ।

ବ୍ରହ୍ମଚର୍ଯ୍ୟ

[ସମ୍ପାଦନା]

ଇନ୍ଦ୍ରିୟ ନିୟନ୍ତ୍ରଣ ଓ ସ୍ଵଚ୍ଛ ଜୀବନ ବ୍ରହ୍ମଚର୍ୟର ମୂଳ। ଏହା ଶରୀର, ମନ ଓ ଆତ୍ମାକୁ ଶୁଦ୍ଧ ରଖିବାରେ ସାହାଯ୍ୟ କରେ।

ଅସ୍ତେୟ

[ସମ୍ପାଦନା]

ଅନ୍ୟଙ୍କ ସମ୍ପତ୍ତିକୁ ଲୋଭ କରିବା ଓ ଅନ୍ୟୟ ଉପାୟରେ ନେବା ପାପ । ଜୀବନରେ କେବଳ ନିଜର ଅଧିକାର ମାତ୍ରା ହିଁ ଗ୍ରହଣ କରିବା ଏହି ବ୍ରତର ସନ୍ଦେଶ ।

ଅପରିଗ୍ରହ

[ସମ୍ପାଦନା]

ଆବଶ୍ୟକରୁ ଅଧିକ ସମ୍ପତ୍ତି ସଂଗ୍ରହ ନକରିବାକୁ ଏହା କହେ। ସାଧାରଣ ଜୀବନ, ସୀମିତ ଚାହିଦାରେ ସନ୍ତୋଷ ପ୍ରାପ୍ତି ଏହାର ଲକ୍ଷ୍ୟ ।

ଶରୀର ଶ୍ରମ

[ସମ୍ପାଦନା]

ପ୍ରତ୍ୟେକ ଲୋକ ନିଜ ଶରୀର ନିମିତ୍ତ କିଛି ଶ୍ରମ କରିବା ଅତ୍ୟନ୍ତ ଆବଶ୍ୟକ । କାମକୁ ଅସ୍ୱୀକାର କରିବା ନୁହେଁ, ବରଂ ଶ୍ରମକୁ ପବିତ୍ର କରିବାରେ ଏହି ବ୍ରତ ଉତ୍ସାହିତ କରେ ।

ଅସ୍ଵାଦ

[ସମ୍ପାଦନା]

ଅତ୍ୟଧିକ ଖାଇବା କିମ୍ବା ସ୍ୱାଦ ପାଇଁ ଖାଇବାକୁ ଏହା ନିଷେଧ କରେ । ସରଳ, ପୌଷ୍ଟିକ ଓ ଆବଶ୍ୟକ ଖାଦ୍ୟରେ ସୀମିତ ରହିବା ଏହି ବ୍ରତର ଆଦର୍ଶ ।

ଭୟକୁ ଜୀବନରୁ ଦୂର କରି ସତ୍ୟରେ ଦୃଢ଼ ରହିବା । ସତ୍ୟବାଦୀ ଓ ନିର୍ଭୟ ଜୀବନ ମାନବକୁ ଶକ୍ତିଶାଳୀ କରେ।

ସର୍ବଧର୍ମ ସମାନ

[ସମ୍ପାଦନା]

ସମସ୍ତ ଧର୍ମରେ ସତ୍ୟର ସ୍ୱୀକାର କରି ସମାନ ସମ୍ମାନ ଦେବା । ଧର୍ମକୁ ବିଭାଜନରେ ନୁହେଁ, ଏକତାରେ ଦେଖିବାକୁ ଏହି ବ୍ରତ କହେ ।

ସ୍ଵଦେଶୀ

[ସମ୍ପାଦନା]

ନିଜ ଦେଶର ଜିନିଷ ବ୍ୟବହାର କରିବା ଓ ଦେଶୀ ଉଦ୍ୟୋଗକୁ ସମର୍ଥନ। ସ୍ୱଦେଶୀରେ ଆର୍ଥିକ ସ୍ୱାଧୀନତା ଓ ଆତ୍ମନିର୍ଭରତା ଅଛି । ଗାନ୍ଧୀଙ୍କ କହିବା ଅନୁସାରେ, ସ୍ୱଦେଶୀର ସତ୍ୟ ଓ ଆଧ୍ୟାତ୍ମିକ ଅର୍ଥ ହେଉଛି ଆତ୍ମାକୁ ପୃଥିବୀର ବନ୍ଧନରୁ ମୁକ୍ତ କରିବା । ସେଥିପାଇଁ, ସ୍ୱଦେଶୀ ଅନୁସରଣ କରୁଥିବା ଲୋକମାନେ ସମସ୍ତ ସୃଷ୍ଟି ସହିତ ନିଜକୁ ଏକାକାର କରିବାକୁ ପଡ଼ିବ । ଏହିଭଳି ଏକାକାର ହେବା ହେଉଛି ନିଜର ପ୍ରଥମ କର୍ତ୍ତବ୍ୟ—ଅର୍ଥାତ୍, ନିଜ ପଡ଼ୋଶୀଙ୍କ ସେବା କରିବା ଦ୍ୱାରା ସମ୍ଭବ । ବାହାରୁ ଦେଖିଲେ ଏହା ଅନ୍ୟମାନଙ୍କୁ ଅବହେଳା କରିବା ପରି ଲାଗିପାରେ, କିନ୍ତୁ ସତ୍ୟନିଷ୍ଠ ସେବା କେବେ ବି ଅନ୍ୟଙ୍କୁ ହାନି କରେନାହିଁ । ସ୍ୱଦେଶୀରେ ‘ନିଜ’ ଓ ‘ପର’ ଭେଦ କିଛି ନାହିଁ । ଯଦି କେହି ସାରା ପୃଥିବୀକୁ ସେବା କରିବାର କଥା ଭାବି, ନିଜର ନିକଟ ପଡ଼ୋଶୀଙ୍କୁ ସେବା କରିବାର କର୍ତ୍ତବ୍ୟକୁ ଛାଡ଼ିଦିଏ, ତାହେଲେ ସେହି କାମଟି ସ୍ୱଦେଶୀର ମୂଳ ସିଦ୍ଧାନ୍ତକୁ ଭଙ୍ଗ କରିବା ସମାନ । ଆଜିର ପରିପ୍ରେକ୍ଷୀରେ ଗନ୍ଧିଙ୍କ ଏହି ଚିନ୍ତାଧାରା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ମନେହୁଏ ।

ଅସ୍ପୃଶ୍ୟତା ନିବାରଣ

[ସମ୍ପାଦନା]

ଜାତିଗତ ଭେଦଭାବ, ଛୁଆଛୁତି, ନିମ୍ନ-ଉଚ୍ଚ ଭାବକୁ ଦୂର କରିବା ଏବଂ ସମସ୍ତଙ୍କୁ ସମାନ ମାନବ ବୋଲି ଦେଖିବା ଏହି ବ୍ରତର ସନ୍ଦେଶ ।

ଏହି ବ୍ରତଗୁଡ଼ିକ ଗାନ୍ଧୀଜୀଙ୍କ ଜୀବନ ଦର୍ଶନର ମୂଳଭିତ୍ତି ଥିଲା ଓ ଆଜି ମଧ୍ୟ ସମାଜକୁ ନୈତିକ ପଥରେ ପ୍ରେରଣା ଦେଉଛି ।

  1. Parikh, Nilam (2008). Gandhi wrote to his sons and daughter-in-law (First ed.). Rajghat: National Gandhi Museum. p. 194. ISBN 978-81-87458-17-3.
  2. "Gandhi Aur Gandhi Marg". www.hindi.mkgandhi.org. Retrieved 2025-09-23.
  3. 1 2 "What is Satyagraha? | FAQs - Myths about Mahatma Gandhi". www.mkgandhi.org. Retrieved 2025-09-23.
  4. "Gandhi and Non-violence | Gandhi's views on Peace, Nonviolence and Conflict Resolution". www.mkgandhi.org. Retrieved 2025-09-25.
  5. Borman, William (1986). Gandhi and non-violence. Internet Archive. Albany, N.Y. : State University of New York Press. ISBN 978-0-585-07630-0.