ମହାକପି ଜାତକ
ମହାକପି ଜାତକ ବୌଦ୍ଧ ଜାତକ କଥାମାନଙ୍କ ମଧ୍ୟରୁ ଗୋଟିଏ, ଯେଉଁଥିରେ ବୁଦ୍ଧଙ୍କ ପୂର୍ବଜନ୍ମଗୁଡ଼ିକର କଥା ବର୍ଣ୍ଣିତ ହୋଇଛି, ଯେଉଁ ସମୟରେ ସେ ଗୋଟିଏ ବୋଧିସତ୍ତ୍ୱ ଭାବେ ବାନରମାନଙ୍କ ରାଜା ଥିଲେ।[୧]
କଥା
[ସମ୍ପାଦନା]
ଏହି କଥା ଅନୁସାରେ ବୋଧିସତ୍ତ୍ୱ ଗୋଟିଏ ବାନର ଭାବେ ଜନ୍ମ ନେଇଥିଲେ ଏବଂ ୮୦,୦୦୦ ବାନରଙ୍କ ଉପରେ ଶାସନ କରୁଥିଲେ। ସେମାନେ ଗଙ୍ଗା ନଦୀ ନିକଟରେ ଥିବା ଗୋଟିଏ ସ୍ଥାନରେ ବସବାସ କରୁଥିଲେ ଏବଂ ଗୋଟିଏ ବଡ଼ ଆମ୍ବ ଗଛର ଫଳ ଖାଉଥିଲେ । ବାରାଣସୀର ରାଜା ବ୍ରହ୍ମଦତ୍ତ ଆମ୍ବ ଫଳ ଅଧିକାର କରିବା ଆକାଂକ୍ଷାରେ ସେଇ ଗଛକୁ ତାଙ୍କ ସେନାଦ୍ୱାରା ଘେରି ଦେଇଥିଲେ, ଯେପରିକି ସେହି ବାନରମାନଙ୍କୁ ହତ୍ୟା କରାଯାଇପାରିବ। ଏହି ସମୟରେ ବୋଧିସତ୍ତ୍ୱ ନିଜ ଶରୀରକୁ ଗଙ୍ଗା ଉପରେ ସେତୁ ଭାବେ ବ୍ୟବହାର କରି, ସମଗ୍ର ବାନର ଜାତିକୁ ସୁରକ୍ଷିତ ଭାବେ ପଳାଇବାର ସୁଯୋଗ ଦେଇଥିଲେ । ବୁଦ୍ଧଙ୍କ ଇର୍ଷାଳୁ ଓ ଦୁଷ୍ଟ ଏକ ସଂପର୍କୀୟ ଭାଇ ଦେବଦତ୍ତ ମଧ୍ୟ ସେହି ଜନ୍ମରେ ଗୋଟିଏ ବାନର ଥିଲେ। ସେ ଏହାକୁ ନିଜ ଶତ୍ରୁକୁ ବିନାଶ କରିବାର ଭଲ ସୁଯୋଗ ଭାବି ବୋଧିସତ୍ତ୍ୱଙ୍କ ପିଠି ଉପରେ ଜୋରଦାର ଝାଂପ ଦେଇ ତାଙ୍କର ମେରୁହାଡ଼ ଭାଙ୍ଗି ଦେଇଥିଲେ।
ରାଜା ବ୍ରହ୍ମଦତ୍ତ ବୋଧିସତ୍ତ୍ୱଙ୍କ ଏହି ମହାନ କର୍ମ ଦେଖି ଏବଂ ନିଜର ତାଙ୍କୁ ହତ୍ୟା କରିବା ଚେଷ୍ଟା ପାଇଁ ପଶ୍ଚାତ୍ତାପ କରି, ସେ ମୃତ୍ୟୁଶଯ୍ୟାରେ ଥିବା ସମୟରେ ତାଙ୍କୁ ବହୁତ ଯତ୍ନର ସହ ଦେଖାଶୁଣା କରିଥିଲେ ଏବଂ ପରେ ରାଜକୀୟ ସମ୍ମାନ ସହିତ ଶବାନୁଷ୍ଠାନ କରାଇଥିଲେ।[୩]
ଭରହୁତରେ ଚିତ୍ରଣ
[ସମ୍ପାଦନା]ଏହି ଜାତକ କଥାରେ ବୁଦ୍ଧ, ପୂର୍ବଜନ୍ମରେ ବାନର ରାଜା ଭାବେ, ନିଜ ସହବାନରମାନଙ୍କୁ ଆକ୍ରମଣ କରୁଥିବା ମାନବ ରାଜାଠାରୁ ରକ୍ଷାକରି ପଳାଇବା ସକାଶେ ନିଜ ଶରୀରକୁ ସେତୁ ଭାବେ ଆତ୍ମତ୍ୟାଗ ସହ ଦାନ କରୁଥିବା ଦୃଶ୍ୟ ଦେଖାଯାଏ । ବାନରମାନେ ଯାହା ମାଧ୍ୟମରେ ପଳାଇଯାଉଛନ୍ତି, ସେଇ ନଦୀର ଛୋଟ ଅଂଶଟି ମାଛର ଆକୃତି ଦ୍ୱାରା ସୂଚିତ କରାଯାଇଛି । ତାହାର ତଳେ ପ୍ରଭାବିତ ମାନବମାନେ ବୋଧିସତ୍ତ୍ୱ ପଡ଼ିଲେ ଧରିବା ପାଇଁ ଗୋଟିଏ କମ୍ବଳ ଧରି ରହିଛନ୍ତି । ସବୁଠାରୁ ତଳେ (ନିରନ୍ତର କଥାବଳୀରେ) ସୁସ୍ଥ ହୋଇଯାଇଥିବା ଭବିଷ୍ୟତ ବୁଦ୍ଧ ରାଜାଙ୍କୁ ଧର୍ମୋପଦେଶ ଦେଉଛନ୍ତି ।
ସାଞ୍ଚୀରେ ଚିତ୍ରଣ
[ସମ୍ପାଦନା]ସାଞ୍ଚୀର ଉଦ୍ଧାର ହୋଇଥିବା ଶିଳ୍ପ (ସ୍ତୂପ ସଂଖ୍ୟା–୧, ପଶ୍ଚିମ ତୋରଣ)ର ପ୍ୟାନେଲ୍ରେ ଉପରୁ ତଳକୁ ଗଙ୍ଗା ନଦୀ ପ୍ରବାହିତ ହେଉଥିବା ଦେଖାଯାଏ । ବାମପଟେ, ଉପରେ, ଦୁଇଟି ବାନର ଆଶ୍ରୟ କରିଥିବା ବଡ଼ ଆମ୍ବ ଗଛ ଦେଖାଯାଏ, ଯେଉଁଥିରୁ ବାନର ରାଜା ନିଜ ଶରୀରକୁ ଗଙ୍ଗା ଉପରେ ପ୍ରସାରିତ କରି ବିପରୀତ ଦୁଇ କୂଳକୁ ସେତୁ ଭାବେ ବ୍ୟବହାର କରୁଛନ୍ତି । ତାଙ୍କ ଶରୀର ଉପରେ କେତେକ ବାନର ପୂର୍ବରୁ ଅନ୍ୟ କୂଳର ପାହାଡ଼ ଓ ଜଙ୍ଗଲକୁ ପଳାଇଯାଇଛନ୍ତି । ପ୍ୟାନେଲ୍ର ତଳଭାଗରେ, ବାମପଟେ, ଘୋଡ଼ାରେ ବସିଥିବା ରାଜା ବ୍ରହ୍ମଦତ୍ତ ଓ ତାଙ୍କ ସେନା ଦେଖାଯାଆନ୍ତି, ଯାହାଙ୍କ ମଧ୍ୟରୁ ଗୋଟିଏ ଧନୁ ଓ ବାଣ ନେଇ ବୋଧିସତ୍ତ୍ୱଙ୍କ ଦିଗକୁ ଲକ୍ଷ୍ୟ କରୁଛି । ପ୍ୟାନେଲ୍ର ଉପର ଅଂଶରେ ରାଜାଙ୍କ ଆକୃତି ପୁନରାବୃତ୍ତ ହୋଇଛି, ସେ ଆମ୍ବ ଗଛ ତଳେ ବସି ମୃତ୍ୟୁଶଯ୍ୟାରେ ଥିବା ବୋଧିସତ୍ତ୍ୱଙ୍କ ସହ କଥୋପକଥନ କରୁଛନ୍ତି, ଯେଉଁଠାରେ ଜାତକ କଥା ଅନୁସାରେ ବୋଧିସତ୍ତ୍ୱ ରାଜାଙ୍କୁ ଏକ ଶାସକର କର୍ତ୍ତବ୍ୟ ବିଷୟରେ ଉପଦେଶ ଦେଇଥିଲେ ।