ମମତା ଖରବ

ଉଇକିପିଡ଼ିଆ‌ରୁ
ମମତା ଖରବ

ମମତା ଖରବ  (ଜନ୍ମ ୨୬ ଜାନୁଆରୀ ୧୯୮୨ ) ଭାରତୀୟ ଜାତୀୟ ମହିଳାହକି ଦଳର ଜଣେ ପୂର୍ବତନ ଖେଳାଳି ତଥା ଅଧିନାୟିକା । ,ତାଙ୍କର ଜନ୍ମ ହରିୟାଣା ରାଜ୍ୟର ରୋହତକଠାରେ ହେଇଥିଲା । .[୧] ୨୦୦୨ ମସିହାରେ ହେଇଥିବା କମନୱେଲ୍‌ଥ ଖେଳର ମହିଳା ହକିର ଫାଇନାଲରେ ମମତା ଗୋଲ ଦେବା ଯୋଗୁଁ ଭାରତୀୟ ମହିଳା ହକି ଦଳ ସ୍ୱର୍ଣ୍ଣ ପଦକ ବିଜୟୀ ହେଇପାରିଥିଲା । ମହିଳା ହକି ଖେଳକୁ ନେଇ ନିର୍ମିତ ହେଇଥିବା ହିନ୍ଦୀ ଫିଲ୍ମ  " ଚକ୍ ଦେ ଇଣ୍ଡିଆ "ରେ ମମତା ନିଜେ ମହିଳା ହକି ଖେଳାଳି କୋମଲ ଚଉତାଲା ନାମକ ଚରିତ୍ରରେ ଅଭିନୟ କରିଥିଲେ । ସେ ବର୍ତ୍ତମାନ ହରିୟାଣାରେ ପୋଲିସ ବିଭାଗରେ ଡେପୁଟି ସୁପରିନଟେଣ୍ଡେଣ୍ଟ ଭାବରେ କାର୍ଯ୍ୟରତ । .[୨] ତାଙ୍କୁ ଭାରତ ସରକାର ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି । 


ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା 

ହରିୟାଣାର ରୋହତକ ସହରର ମଡେଲ ଟାଉନ ଆଞ୍ଚଲରେ ତାଙ୍କ ପିତା ମାତା ରହନ୍ତି ଓ ମମତା ସେଠାକାର ସ୍କୁଲରେ ଶିକ୍ଷା ଲାଭ କରିଥିଲେ । ତାଙ୍କ ପିତା ହରିପାଳ ସିଂହ ଜଣେ ସ୍କୁଲ ଶିକ୍ଷକ  ଓ ତାଙ୍କର ୬ ଜଣ ସନ୍ତାନ ସନ୍ତତି ଥିଲେ । ତେଣୁ  ନିମ୍ମ ମଧ୍ୟବିତ୍ତ ପରିବାରର ମମତାଙ୍କୁ ତାଙ୍କର କ୍ରୀଡ଼ାବିଦ୍‌ ହେବାର ସ୍ୱପ୍ନ ପୂରଣ କରିବାକୁ କଠୋର ସଂଘର୍ଷ କରିବାକୁ ହେଇଥିଲା ।  ତଥାପି ସେ ଦୃଢ଼ ମନୋବଳ ସହିତ ସେ ରୋହତକ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ଶିକ୍ଷା ପ୍ରାପ୍ତ କରି ପାରିବା ସହ ନିଜସ୍ୱ ଉଦ୍ୟମରେ ହକି ଖେଳିବା ସିଖୁଥିଲେ ।ସେ ହରିୟାଣାର ମହିଳାମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ବୋଲି କୁହାଯାଇଥାଏ ।  ତାଙ୍କ ଦୁଇ ଭଉଣୀ ପୁନମ ଓ ସୁଷମା ମଧ୍ୟ ଜାତୀୟ ସ୍ତରରେ ହକି ଖେଳିଛନ୍ତି । 

କ୍ରୀଡ଼ା ଅବଦାନ 

ଜୁନିଅର ସ୍ତରରେ ବିଭିନ୍ନ ଜାତୀୟ ହକି ପ୍ରତିଯୋଗୀତାରେ ରାଜ୍ୟ ତରଫରୁ ଖେଳି ମମତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଜାତୀୟ ୨୧ ବର୍ଷରୁ କମ  ଜୁନିଅର ଟୁର୍ଣ୍ଣାମେଣ୍ଟ , ୧୯୯୯ ମସିହାରେ ଖେଳିବା ସହ ୨୦୦୦ ମସିହାରେ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ ତୁର୍ନାମେଣ୍ଟରେ ଖେଳି ଦଳକୁ ପ୍ରଥମ ସ୍ଥାନ ପାଇବାରେ ମୁଖ୍ୟ ଅଂଶ ଗ୍ରହଣ କରିଥିଲେ । କୁଆଲା ଲୁମପୁରଠାରେ ୨୦୦୦ ମସିହାରେ ହେଇଥିବା ୩ ଯ ମହିଳା ହକି ତୁର୍ନାମେଣ୍ଟରେ ଦଳ ପାଇଁ ସେ ବ୍ରୋଞ୍ଜ ପଦକ ଆଣିଥିଲେ । ଏହା ସହ ସେ ବିଶ୍ୱ କପ ସମେତ ବିଶ୍ୱର ସମସ୍ତ ମୁଖ୍ୟ ମହିଳା ହକି ପ୍ରତିଯୋଗୀତାରେ ଦେଶର ପ୍ରତିନିଧିତ୍ୱ କରିଥିଲେ ଓ ସମୟ କ୍ରମେ ଦଳର ଅଧିନାୟିକା ହେଇଥିଲେ । 

ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୨୦୦୨ ମସିହା କମନୱେଲ୍‌ଥ ମହିଳା ହକିରେ ରହିଥିଲା । ଏଥିରେ ଫାଇନାଲରେ ସେ ଗୋଲ ଦେଇ ଦଳ ପାଇଁ ସ୍ୱର୍ଣ୍ଣ ପଦକ ପାଇବାରେ ମୁଖ୍ୟ ଅଂଶ ନେଇଥିଲେ ।    


ପୁରସ୍କାର ଓ ସମ୍ମାନ 

ମମତାଙ୍କୁ ତାଙ୍କର ଅବଦାନ ପାଇଁ ବହୁ ପୁରସ୍କାର ମିଳିଛି । ଭାରତ ସରକାର ତାଙ୍କୁ ୨୦୦୩ ମସିହାରେ ଅର୍ଜୁନ ପୁରସ୍କାର ଦେଇଥିଲେ । ହରିୟାଣା ରାଜ୍ୟ ସରକାର ମଧ୍ୟ ତାଙ୍କୁ  ସମ୍ମାନ ଜନକ " ଭୀମ ପୁରସ୍କାର " ପ୍ରଦାନ କରିଥିଲେ । ତାଙ୍କୁ ରାଜ୍ୟ ସରକାର ପୋଲିସ ବାହିନୀରେ ଚାକିରି ପ୍ରଦାନ କରିଛନ୍ତି ଓ ସେ ବର୍ତ୍ତମାନ ହରିୟାଣା ପୋଲିସର ଜଣେ ଡେପୁଟି ସୁପେରିନଟେଣ୍ଡେନ୍ତ ଭାବରେ ଅବସ୍ଥାପିତ । 

ଆଧାର [ସମ୍ପାଦନା]

  1. Pandey, Vineeta (10 April 2008). "Hockey eves embark for Olympic berth mission". Newstrack India. Retrieved 2008-04-12.
  2. "LEVELLING THE FIELD". Entertainment. Indian Express. 30 September 2007. Retrieved 2008-04-12.

ବାହାର ଲିଙ୍କ [ସମ୍ପାଦନା]