ମନମୋହନ ମିଶ୍ର
ମନମୋହନ ମିଶ୍ର | |
|---|---|
| ଜନ୍ମ | ୨୩ ମାର୍ଚ୍ଚ ୧୯୨୦ |
| ମୃତ୍ୟୁ | ୨୯ ନଭେମ୍ବର ୨୦୦୦ (ବୟସ ୮୦) |
| ଜାତୀୟତା | ଭାରତୀୟ |
| ବୃତ୍ତି(ସମୂହ) | ଓଡ଼ିଆ ସାହିତ୍ୟିକ, ସ୍ୱାଧିନତା ସଂଗ୍ରାମୀ ଓ ରାଜନୀତିଜ୍ଞ |
| ଉଲ୍ଲେଖନୀୟ କୃତି | ମନମୋହନ ମିଶ୍ର ଗ୍ରନ୍ଥାବଳୀ |
ମନମୋହନ ମିଶ୍ର (୨୩ ମାର୍ଚ୍ଚ ୧୯୨୦–୨୯ ନଭେମ୍ବର ୨୦୦୦) ଜଣେ ଭାରତୀୟ ରାଜନୀତିଜ୍ଞ, କବି, ଅନୁବାଦକ, ଗାୟକ, ସୁରକାର, ସାମ୍ବାଦିକ ଓ ସମ୍ପାଦକ ଥିଲେ । ସେ ସାମନ୍ତବାଦ, ପୁଞ୍ଜିବାଦ ଓ ରକ୍ଷଣଶୀଳତା, ଅନ୍ଧବିଶ୍ୱାସ, ଧର୍ମାନ୍ଧତା ତଥା ସାମ୍ରାଜ୍ୟବାଦ ଶୋଷଣ ବିରୋଧରେ ସାରାଜୀବନ ସଂଗ୍ରାମ କରିଆସିଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ମନମୋହନ ପୁରୀ ଜିଲ୍ଲା ଅନ୍ତର୍ଗତ ବୀରପ୍ରତାପପୁର ଶାସନ ଶାସନରେ ୧୯୨୦ ମସିହା ମାର୍ଚ୍ଚ ୨୩ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ୧୯୩୪ରେ ସେ ମାଟ୍ରିକ୍ ପାସ୍ କରିବା ପରେ ସେ ଆଇ ଏ ଓ ଇଂରାଜୀରେ ସ୍ନାତକ ଓ ସ୍ନାତକୋତ୍ତର ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିଥିଲେ । ମାତ୍ର ୧୫ ବର୍ଷ ବୟସରେ ସେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ପାଠଚକ୍ରରେ ଯୋଗଦେଇଥିଲେ । ସେହି ଛାତ୍ରାବସ୍ଥାରୁ ତାଙ୍କର ସକ୍ରିୟ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ରେଭେନ୍ସାରେ ପଢ଼ୁଥିବା ବେଳେ ସେ ଛାତ୍ର ସଂସଦର ସଭାପତି ହୋଇଥିଲେ । ୧୯୪୦ରେ ସେ କଲିକତାରେ ସୁଭାଷ ବୋଷଙ୍କୁ ଭେଟି ଫେରିବା ପରେ ପାଟନା ହାଇକୋର୍ଟ ତାଙ୍କୁ ସଶ୍ରମ କାରାଦଣ୍ଡ ପୂର୍ବକ ବ୍ରହ୍ମପୁର ଜେଲକୁ ପଠାଇ ଦେଇଥିଲେ । ସେଠାରେ ସେ ପ୍ରାଣନାଥ ପଟ୍ଟନାୟକ, ସୁରେନ୍ଦ୍ରନାଥ ଦ୍ୱିବେଦୀ,ଗୋବିନ୍ଦ ପ୍ରଧାନ, ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ ଆଦିଙ୍କ ସହିତ ରହିଥିଲେ । ସ୍ୱାଧୀନତା ପରେ ସେ ତାଙ୍କ ପରି ଅନ୍ୟ ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦମାନଙ୍କ ପ୍ରତି ଉପେକ୍ଷା ଦେଖି ଆଖି ତୋର କିଆଁ ଛଳଛଳ କବିତା ଲେଖିଥିଲେ ।
ବିଜୁ ପଟ୍ଟନାୟକଙ୍କ ପରାମର୍ଶରେ ସେ କଳିଙ୍ଗ ସମ୍ବାଦପତ୍ରର ପ୍ରଥମ ସମ୍ପାଦକ ହୋଇଥିଲେ । ୧୯୫୫ରେ ସେ କଟକ ମ୍ୟୁନିସିପାଲିଟିର ଚେୟାରମ୍ୟାନ ହୋଇଥିଲେ । କିନ୍ତୁ ବିଜୁ ପଟ୍ଟନାୟକ କଂଗ୍ରେସ ଛାଡ଼ିବା ପୂର୍ବରୁ ସେ ଶ୍ରମିକ ସଂଗଠନକୁ ଫେରିଆସିଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ଗିରଫ ହୋଇ ଜେଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଜୀବନର ଚଉଠ ସମୟ କେବଳ ଜେଲରେ ବିତିଥିଲା ।[୧]
ସାହିତ୍ୟ ସର୍ଜନା
[ସମ୍ପାଦନା]ମନମୋହନ ଜଣେ ସାମ୍ୟବାଦୀ ଥିଲେ ଓ ସାଧାରଣ ପୀଡ଼ିତ ଲୋକଙ୍କ ସ୍ୱର, ମର୍ମବେଦନା ଓ ସ୍ୱପ୍ନଭଙ୍ଗକୁ ନିଜ କବିତାରେ ରୂପ ଦେଇଥିଲେ । ମୁକ୍ତି, ଶାନ୍ତି, ସ୍ୱାଧୀନତା ଓ ସମାନତା ତାଙ୍କ ସାହିତ୍ୟର ମୂଳ ଆଧାର ଥିଲା । ତାଙ୍କ କବିତା, ପ୍ରବନ୍ଧ, ଆଲୋଚନା, ଜୀବନୀ, ଭ୍ରମଣ କାହାଣୀ, ଅନୁବାଦ ସବୁଥିରେ ଏଇ ସ୍ୱର ସ୍ପଷ୍ଟ । ତାଙ୍କ କବିତା ଗ୍ରନ୍ଥ କୋଟିକଣ୍ଠେ ଇଂରେଜ ସରକାରଙ୍କଦ୍ୱାରା ବାଜ୍ୟାପ୍ତ ହୋଇଥିଲା । ଅନୁବାଦ ପୁସ୍ତକ ମନୁଷ୍ୟ ଦୈତ୍ୟ ପାଇଁ ସେ ସୋଭିଏତ୍ ଦେଶ ନେହରୁ ପୁରସ୍କାର ପାଇଥିଲେ । ୧୯୬୩-୬୭ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପରାମର୍ଶଦାତା ଥିବା ସମୟରେ ମାୟାଧର ମାନସିଂହ ପ୍ରଣିତ History of Oriya Literatureର ତ୍ରୁଟି ବିଷୟରେ ଯେଉଁ ବିବାଦ ଉପୁଜିଥିଲା ଏକାଡ଼େମୀ ମନମୋହନଙ୍କ ସମୀକ୍ଷା ଗ୍ରହଣ କରିଥିଲା । ଏକାଡ଼େମୀ ତାଙ୍କୁ ୧୯୮୩-୮୪ରେ The Poet Nightingale ବା କବିକୋକିଳ ପଦରେ ସମ୍ମାନୀତ କରିଥିଲା ।[୨][୩][୪]
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- କୋଟିକଣ୍ଠେ
- ଆବାଜ
- ମୁକ୍ତି ଡାକରା
- ଆଗାମୀ କାଲି
- ନୂଆ ଗପଟିଏ ଲେଖ
- ସୀମାନ୍ତଗାନ୍ଧୀ
- କୌମିନାର : ମହାଜାତିର ଜୟଗାନ
ଗ୍ରନ୍ଥାବଳୀ
[ସମ୍ପାଦନା]- ମନମୋହନ ମିଶ୍ର ଗ୍ରନ୍ଥାବଳୀ - ୧ମ ୨୦୦୬
- ମନମୋହନ ମିଶ୍ର ଗ୍ରନ୍ଥାବଳୀ - ୨ୟ ୨୦୧୨
- ମନମୋହନ ମିଶ୍ର ଗ୍ରନ୍ଥାବଳୀ - ୩ୟ ୨୦୧୪[୫]
- ମନମୋହନ ମିଶ୍ର ଗ୍ରନ୍ଥାବଳୀ - ୪ର୍ଥ ୨୦୧୭
- ମନମୋହନ ମିଶ୍ର ଗ୍ରନ୍ଥାବଳୀ - ୫ମ
- ମନମୋହନ ମିଶ୍ର ଗ୍ରନ୍ଥାବଳୀ - ୬ଷ୍ଠ ୨୦୨୫[୬]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ସୋଭିଏତ୍ ଦେଶ ନେହରୁ ପୁରସ୍କାର - ମନୁଷ୍ୟ ଦୈତ୍ୟ ପାଇଁ
ଆଧାର
[ସମ୍ପାଦନା]- ↑ https://amritmahotsav.nic.in/unsung-heroes-detail.htm?16100
- ↑ ସୁବୁଦ୍ଧି, ଶଙ୍କର କୁମାର (10 November 2024). "ଦରଦୀ କବି ମନମୋହନ ମିଶ୍ର". ସମ୍ବାଦ. ସମ୍ବାଦ. Retrieved 2025-01-09.
- ↑ https://orissamatters.wordpress.com/tag/manmohan-mishra/
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୩ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୨୪୧-୪୩. ISBN 81-903352-0-0.
- ↑ https://archive.org/details/manmohan-mishra-granthabali-volume-3-2014
- ↑ https://sambadepaper.com/imageview_110437_186822_4_71_20-11-2025_14_i_1_sf.html