Jump to content

ମଣ୍ଡନ ମିଶ୍ର

ଉଇକିପିଡ଼ିଆ‌ରୁ
ରାଜା ରବି ବର୍ମାଙ୍କ ଚିତ୍ରରେ-ଆଦି ଶଙ୍କର ଶିଷ୍ୟମାନଙ୍କ ସହିତ

ମଣ୍ଡନ ମିଶ୍ର (ସଂସ୍କୃତ: मण्डन मिश्र, Maṇḍana Miśra; ଖ୍ରୀଷ୍ଟାବ୍ଦ 8ମ ଶତାବ୍ଦୀ) ଜଣେ ହିନ୍ଦୁ ଦାର୍ଶନିକ ଥିଲେ, ଯିଏ ମୀମାଂସା ଏବଂ ଅଦ୍ୱୈତ ଦର୍ଶନ ଉପରେ ବ୍ୟାପକ ରଚନା କରିଥିଲେ । ସେ କର୍ମ–ମୀମାଂସା ଦର୍ଶନର ଅନୁଗାମୀ ଥିଲେ ଏବଂ ଭାଷା ସମ୍ବନ୍ଧୀୟ ‘ସ୍ଫୋଟ’ ସିଦ୍ଧାନ୍ତର ଦୃଢ଼ ସମର୍ଥକ ଥିଲେ । ସେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମସାମୟିକ ଥିଲେ; ଏବଂ ଯଦିଓ କୁହାଯାଏ ଯେ ସେ ପରେ ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ହୋଇଥିଲେ, ତଥାପି ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ସେ ସର୍ବାଧିକ ପ୍ରାମାଣିକ ଅଦ୍ୱୈତ ବେଦାନ୍ତୀ ଭାବରେ ପରିଗଣିତ ହୋଇଥିଲେ ।[] ଅନ୍ତତଃପକ୍ଷେ ଭର୍ତୃହରିଙ୍କ ପରେ କୁମାରିଳ ଭଟ୍ଟ ଏବଂ କୁମାରିଲ ଭଟ୍ଟଙ୍କ ପରେ ସେ ହିଁ ଅଦ୍ୱୈତ ଦର୍ଶନର ଦୃଢ ସମର୍ଥକ ବୋଲି ବିଶ୍ଵାସ କରାଯାଏ। କିଛି ତଥ୍ୟ ଅନୁସାରେ ବେଳେ ବେଳେ ମଣ୍ଡନ ମିଶ୍ରଙ୍କୁ ସୁରେଶ୍ୱର ସହ ସମାନ ଭାବେ ଚିହ୍ନଟ କରାଯାଏ, ଯଦିଓ ଏହାର ପ୍ରମାଣିକତା ସନ୍ଦେହପୂର୍ଣ୍ଣ । ତଥାପି, ଶୃଙ୍ଗେରୀ ମଠର ଆଧିକାରିକ ତଥ୍ୟାବଳୀରେ ମଣ୍ଡନ ମିଶ୍ରଙ୍କୁ ସୁରେଶ୍ୱର ବୋଲି କୁହାଯାଇଅଛି ।[][]

ମଣ୍ଡନ ମିଶ୍ର ଓ ଶଙ୍କରାଚାର୍ଯ୍ୟଙ୍କ ଶାସ୍ତ୍ରାର୍ଥ ସ୍ଥଳ 'ମଣ୍ଡଳେଶ୍ୱର' (ତହସିଲ୍‌ ମହେଶ୍ୱର, ଜିଲ୍ଲା ଖରଗୋନ, ମଧ୍ୟପ୍ରଦେଶ) ନର୍ମଦା ନଦୀ କୂଳରେ ଅବସ୍ଥିତ ପବିତ୍ର ନଗରୀ । ‘ଛପ୍ପନ ଦେବ ମନ୍ଦିର’, ଏହି ଶାସ୍ତ୍ରାର୍ଥ ସ୍ଥଳ ଅତ୍ୟନ୍ତ ପ୍ରାଚୀନ; ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କ ପରକାୟ ପ୍ରବେଶ ସ୍ଥଳ ‘ଗୁପ୍ତେଶ୍ୱର ମହାଦେବ ମନ୍ଦିର’ ମଧ୍ୟ ବହୁତ ସୁନ୍ଦର ଅଞ୍ଚଳ ଅଟେ । ଏହି ସବୁ କାରଣରୁ ମଣ୍ଡଳେଶ୍ୱର ଅତ୍ୟନ୍ତ ପ୍ରସିଦ୍ଧ ।

ଉପଲବଧ ତଥ୍ୟରୁ ଜଣାଯାଏ, ଆଦି ଶଙ୍କର ଯେତେବେଳେ କୁମାରିଲ ଭଟ୍ଟଙ୍କୁ ଶାସ୍ତ୍ରାର୍ଥ କରିବାପାଇଁ ଆମନ୍ତ୍ରଣ ସେତେବେଳେ କୁମାରିଲ ଭଟ୍ଟ କହିଥିଲେ ଯେ ସେ ଯଦି ଅଦ୍ୱୈତ ଦର୍ଶନ ଉପରେ ଶାସ୍ତ୍ରାର୍ଥ କରିବାପାଇଁ ଚାହାଁନ୍ତି ତେବେ ତାଙ୍କ ଶିଷ୍ୟ ମଣ୍ଡନ ମିଶ୍ରଙ୍କୁ ସାକ୍ଷାତ କରି ଏହି ଅଭିଳାଷ ପୁରଣ କରନ୍ତୁ । ଆଦିଶଙ୍କର ଜାଣିଲେ ଯେ ମଣ୍ଦନ ମିଶ୍ରଙ୍କୁ ଶାସ୍ତ୍ରାର୍ଥ ରେ ପରାଜିତ ନ କରି ସେ ଅଦ୍ୱୈତ ଦର୍ଶନର ପ୍ରଚାର ସିଦ୍ଧ କରିପାରିବେ ନାହିଁ ।

ମୀମାଂସା ଏବଂ ବେଦାନ୍ତ ଦୁଇଟି ଦର୍ଶନ ଉପରେ ସେ ମୌଳିକ ଗ୍ରନ୍ଥ ରଚନା କରିଥିଲେ । 'ମୀମାଂସାନୁକ୍ରମାଣିକା', 'ଭାବନାବିବେକ' ଏବଂ 'ବିଧିବିବେକ' — ଏହି ତିନିଟି ଗ୍ରନ୍ଥ ମୀମାଂସା ଉପରେ; ଶବ୍ଦଦର୍ଶନ ଉପରେ 'ସ୍ଫୋଟସିଦ୍ଧି', ପ୍ରମାଣଶାସ୍ତ୍ର ଉପରେ 'ବିବେକ' ଏବଂ ଅଦ୍ୱୈତ ବେଦାନ୍ତ ଉପରେ 'ବ୍ରହ୍ମସିଦ୍ଧି' — ଏହି ସବୁ ତାଙ୍କର କୃତି । ଶାଲିକନାଥ ଏବଂ ଜୟନ୍ତ ଭଟ୍ଟ ଯେତେବେଳେ ବେଦାନ୍ତଙ୍କ ଖଣ୍ଡନ କରିଥିଲେ, ସେମାନେ ମଣ୍ଡନ ମିଶ୍ରଙ୍କୁ ହିଁ ଉଲ୍ଲେଖ କରିଥିଲେ । ଶାଙ୍କର ଭାଷ୍ୟର ପ୍ରସିଦ୍ଧ ଟିକାକାର, 'ଭାମତୀ'ର ସ୍ରଷ୍ଟା ବାଚସ୍ପତି ମିଶ୍ର, ମଣ୍ଡନଙ୍କ 'ବ୍ରହ୍ମସିଦ୍ଧି'କୁ ଧ୍ୟାନରେ ରଖି ନିଜ କୃତି ଲେଖିଥିଲେ ।[]

ମଣ୍ଡନ ଓ ସୁରେଶ୍ୱର

[ସମ୍ପାଦନା]

ଏକ ପରମ୍ପରା ଅନୁସାରେ ମଣ୍ଡନ ମିଶ୍ର କୁମାରିଲ ଭଟ୍ଟଙ୍କ ଶିଷ୍ୟ ଥିଲେ । ପରେ ସେ ଶଙ୍କରାଚାର୍ଯ୍ୟଙ୍କ ସହ ଶାସ୍ତ୍ରାର୍ଥରେ ପରାଜିତ ହୋଇ ସନ୍ନ୍ୟାସୀ ହେଲେ ଏବଂ ତାଙ୍କର ନାମ ‘ସୁରେଶ୍ୱରାଚାର୍ଯ୍ୟ’ ହେଲା । ମଣ୍ଡନ ଓ ସୁରେଶ୍ୱର ଏକ ନା ଅଲଗା, ଏହାକୁ ନେଇ ଅଦ୍ୟାପି ବଡ଼ ବିବାଦ ରହିଛି । ଅଧିକାଂଶ ପ୍ରମାଣ କିନ୍ତୁ ଦୁହିଁଙ୍କ ଭିନ୍ନତାକୁ ହିଁ ସମର୍ଥନ କରେ ।

ମଣ୍ଡନ ଶବ୍ଦାଦ୍ୱୈତର ସମର୍ଥନ କରିଛନ୍ତି, କିନ୍ତୁ ସୁରେଶ୍ୱର ଏ ବିଷୟରେ ନୀରବ । ଅଦ୍ୱୈତ ପ୍ରସ୍ଥାନରେ ମଣ୍ଡନ ‘ଅନ୍ୟଥା ଖ୍ୟାତିବାଦ’କୁ ବ୍ୟାପକ ଭାବରେ ସମର୍ଥନ କରିଲେ, କିନ୍ତୁ ସୁରେଶ୍ୱର ଏହାକୁ ଖଣ୍ଡନ କରନ୍ତି । ମଣ୍ଡନଙ୍କ ମତରେ 'ଜୀବ' ଅବିଦ୍ୟାର ଆଶ୍ରୟ, କିନ୍ତୁ ସୁରେଶ୍ୱର 'ବ୍ରହ୍ମ'କୁ ହିଁ ଅବିଦ୍ୟାର ଆଶ୍ରୟ ବୋଲି ମାନନ୍ତି । ଏହି ମତଭେଦ ଆଧାରରେ ଅଦ୍ୱୈତ ବେଦାନ୍ତର ଦୁଇଟି ମତବାଦ ଚାଲିଲା — ‘ଭାମତୀ ପ୍ରସ୍ଥାନ’ ମଣ୍ଡନଙ୍କ ଅନୁଗାମୀ, ଏବଂ ‘ବିବରଣ ପ୍ରସ୍ଥାନ’ ସୁରେଶ୍ୱରଙ୍କ ମତର ଅନୁଗାମୀ ।

ସୁରେଶ୍ୱର ଶୁଦ୍ଧଜ୍ଞାନକୁ ମୋକ୍ଷର ପଥ ମାନନ୍ତି, କିନ୍ତୁ ମଣ୍ଡନଙ୍କ ମତରେ କେବଳ ବେଦାନ୍ତର ଶ୍ରବଣମାତ୍ରରେ ମୋକ୍ଷ ମିଳେନାହିଁ, ଯେପର୍ଯ୍ୟନ୍ତ ଅଗ୍ନିହୋତ୍ର ଆଦି କର୍ମ ଜ୍ଞାନର ନିଷ୍ପାଦନ ନ ହେବ । ତେବେ କିଛି ପ୍ରାଚୀନ ପ୍ରମାଣିତ ଗ୍ରନ୍ଥରେ ମଣ୍ଡନ ଓ ସୁରେଶ୍ୱର ଏକ ଓ ସମାନ ନୁହଁନ୍ତି ବୋଲି କୁହାଯାଇଛି । ମଣ୍ଡନ ମିଶ୍ର କୁମାରିଲ ଭଟ୍ଟଙ୍କ ଶିଷ୍ୟ ଥିଲେ — ଏହାର ମଧ୍ୟ କୌଣସି ଅକାଟ୍ୟ ପ୍ରମାଣ ନାହିଁ। ଏହି କଥା ମାତ୍ର ‘ଶଙ୍କର-ଦିଗ୍‌ବିଜୟ’ର ଆଧାରରେ କୁହାଯାଏ, ଯାହା ପୂରାପୁରି ଅପ୍ରମାଣିକ କଥା–ଗ୍ରନ୍ଥ । ଯେତେବେଳେ ମଣ୍ଡନ ଓ ସୁରେଶ୍ୱର ଭିନ୍ନ, ଏହାର ଅଧିକାଂଶ ପ୍ରମାଣ ମିଳେ, ସେତେବେଳେ ମଣ୍ଡନ ଶାସ୍ତ୍ରାର୍ଥରେ ପରାଜିତ ହୋଇ ସୁରେଶ୍ୱର ହେଲେ, ଏହା ପ୍ରାମାଣିକ ତଥ୍ୟ ବୋଲି କୁହାଯାଇପାରେ ନାହିଁ।

ବାସ୍ତବରେ ମଣ୍ଡନ ଓ ଶଙ୍କରଙ୍କ ମଧ୍ୟରେ ଶାସ୍ତ୍ରାର୍ଥ ହୋଇଥିବା କଥା ପୂରାପୁରି କାଳ୍ପନିକ ଓ ମଧ୍ୟଯୁଗରେ ଶଙ୍କର ମଠ ଦ୍ୱାରା ପ୍ରଚାରିତ ଏକ ରଣନୀତି ଥିଲା । ସୁରେଶ୍ୱରଙ୍କ ଶବ୍ଦାଦ୍ୱୈତ, ଅନ୍ୟଥାଖ୍ୟାତି, ଅବିଦ୍ୟା, ଜୀବ, ବ୍ରହ୍ମ ଇତ୍ୟାଦି ବିଷୟରେ ଯାହା କହିଛନ୍ତି, ସେ ସବୁ ଶଙ୍କରାଚାର୍ଯ୍ୟଙ୍କ ମତର ସହ ସଂପୁର୍ଣ୍ଣ ସମାନ । ଗୁରୁଙ୍କ ଚରଣ ସେବା ହିଁ ତାଙ୍କର ପରମ ଲକ୍ଷ୍ୟ । ସେ ମଣ୍ଡନଙ୍କ ବିପକ୍ଷରେ ଅତ୍ୟନ୍ତ କଠୋର ଭାବରେ ଠିଆ ହୋଇଛନ୍ତି ଏବଂ ତାଙ୍କୁ ଅଲଗା ମତବାଦର ଅଦ୍ୱୈତବେଦାନ୍ତୀ ମାନନ୍ତି । "

  1. Sharma, Chandradhar (1962). "Chronological Summary of History of Indian Philosophy". Indian Philosophy: A Critical Survey. New York: Barnes & Noble. p. vi.
  2. "Sri Sureshwaracharya". www.sringeri.net (in ଇଂରାଜୀ). Retrieved 2025-11-19.
  3. Roodurmun 2002, p. 29.
  4. www.wisdomlib.org (2019-06-08). "Brahmasiddhi, Brahma-siddhi: 6 definitions". www.wisdomlib.org (in ଇଂରାଜୀ). Retrieved 2025-11-19.