Jump to content

ମଣିବେନ ବଲ୍ଲଭଭାଇ ପଟେଲ

ଉଇକିପିଡ଼ିଆ‌ରୁ


ମଣିବେନ ବଲ୍ଲଭଭାଇ ପଟେଲ (୨୪ ଏପ୍ରିଲ ୧୯୦୪ – ୨୬ ମାର୍ଚ୍ଚ ୧୯୯୦; ଗୁଜରାତୀ: મણિબેન પટેલ) ଭାରତର ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ସଂସଦ ସଦସ୍ୟ ଥିଲେ । ସେ ସରଦାର ବଲ୍ଲଭଭାଇ ପଟେଲଙ୍କ କନ୍ୟା ଥିଲେ । ତାଙ୍କର ଶିକ୍ଷା ମୁମ୍ବାଇରେ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ଶିକ୍ଷାରେ ପ୍ରଭାବିତ ହୋଇ ଶିକ୍ଷା ଶେଷରୁ ୧୯୧୮ ରୁ ଆରମ୍ଭ କରି ସେ ଆହମଦାବାଦର ଗାନ୍ଧୀଜୀଙ୍କ ଆଶ୍ରମରେ ରହି ଜାତିସେବା କରିଥିଲେ । ସେ ତାଙ୍କର ସମସ୍ତ ଜୀବନ ଭାରତର ସ୍ୱାଧୀନତା ପାଇଁ ସମର୍ପଣ କରିଦେଇଥିଲେ, କିନ୍ତୁ ସ୍ୱାଧୀନତା ପରେ ବୃଦ୍ଧାବସ୍ଥାରେ ତାଙ୍କ ନିକଟରେ ଧନ, ମାନ, ଆବଶ୍ୟକ ବସ୍ତୁର ଅଭାବ ଥିଲା । ଭାରତର ସ୍ୱାଧୀନତା ପାଇଁ ଯେତିକି ଆନ୍ଦୋଳନ ସରଦାର ପଟେଲ କରିଥିଲେ, ସେଥିରୁ ଅଧିକାଂଶରେ ମଣିବେନଙ୍କ ମହତ୍ୱପୂର୍ଣ୍ଣ ଅବଦାନ ରହିଛି ।[] ସତ୍ୟାଗ୍ରହରେ କଠିନ ପରିଶ୍ରମ କରି ପରେ କାରାଗାରରେ ମଧ୍ୟ ସେ କଠିନ ଯନ୍ତ୍ରଣା ଭୋଗ କରିଥିଲେ । ଜାତିସେବା ପାଇଁ ନିବେଦିତ ସେ ମହିଳା ଆଜୀବନ ବିବାହ ବନ୍ଧନରୁ ବାହାରେ ରହି ଭାରତର ଉନ୍ନତି ପାଇଁ ଚିନ୍ତନ କରୁଥିଲେ ।

ଜନ୍ମ ଏବଂ ଶୈଶବ

[ସମ୍ପାଦନା]

୧୯୦୪ ମସିହାର ଏପ୍ରିଲ ମାସର ୨୪ ତାରିଖରେ ଗୁଜରାଟର ଖେଡ଼ା ଜିଲ୍ଲାରେ ମଣିବେନଙ୍କ ଜନ୍ମ ହୋଇଥିଲା । ତାଙ୍କର ପିତା ସରଦାର ବଲ୍ଲଭଭାଇ ପଟେଲ ଭାରତର ମହାନ ନେତା ଏବଂ ଦେଶଭକ୍ତ ମଧ୍ୟରୁ ଜଣେ ଥିଲେ। ତାଙ୍କର ମାଆଙ୍କ ନାମ ଝଵେରବା ଥିଲା । ଯେତେବେଳେ ମଣିବେନ ସାତ ବର୍ଷରେ ଥିଲେ, ସେତେବେଳେ ତାଙ୍କର ମାଆଙ୍କ ଦେହାନ୍ତ ହୋଇଥିଲା । ମଣିବେନଙ୍କର ଜଣେ ଛୋଟ ଭଉଣି ମଧ୍ୟ ଥିଲେ । ଏହିପରିସ୍ଥିତିରେ ଶିଶୁକାଳରୁ ସେ ଭଉଣିର ଦାୟିତ୍ୱ ନେଇଥିଲେ ।

ପରିବାରର ସଦସ୍ୟମାନେ ସରଦାର ବଲ୍ଲଭଭାଇ ପଟେଲଙ୍କୁ ବହୁତ ଅନୁରୋଧ କଲେ ଯେ ସେ ପୁନଃବିବାହ କରନ୍ତୁ । କିନ୍ତୁ ଦୃଢ଼ସଂକଳ୍ପ ଥିବା ସରଦାର ପଟେଲ କହିଥିଲେ — "ମୁଁ ମୋର ପିଲାମାନଙ୍କ ଉପରେ ସାବତ ମାଆଙ୍କ ଦୁଃଖ ଦେଖିବାକୁ ଚାହେଁ ନାହିଁ" । ତେଣୁ ମଣିବେନ ତାହାପରେ ଆଜୀବନ ମାଆ ଏବଂ ପିତାର ଦୁଇଟି ଦାୟିତ୍ୱ ତୁଲାଇଥିଲେ । ଝଵେରବାଙ୍କ ମୃତ୍ୟୁ ପରେ ଏକ ବର୍ଷ ମଧ୍ୟରେ ସରଦାର ପଟେଲଙ୍କୁ ପଢ଼ିବା ପାଇଁ ବିଦେଶ ଯିବାକୁ ପଡ଼ିଲା । ସେ ତାଙ୍କର ପିଲାମାନଙ୍କୁ ତାଙ୍କ ଭାଇ ବିଠ୍ଠଳଭାଇଙ୍କ ପାଖରେ ପଠାଇଦେଲେ । ବିଠ୍ଠଳଭାଇ ସେତେବେଳେ ମୁମ୍ବଇରେ ଥାନ୍ତି । ମୁମ୍ବାଇର କ୍ୱିନ୍ ମେରି ବିଦ୍ୟାଳୟରେ ମଣିବେନଙ୍କ ଅଧ୍ୟୟନ ଆରମ୍ଭ ହେଲା । କିନ୍ତୁ ମୁମ୍ବାଇର ପରିବେଶରେ ତାଙ୍କର ଶରୀର ଭଲ ରହୁନଥିଲା । ବୈଦ୍ୟମାନେ ଔଷଧ ଦେଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଆସୁନଥିଲା । ପିତାଙ୍କର ଅନୁପସ୍ଥିତି ତାଙ୍କ ଅସ୍ୱସ୍ଥତାର ଏକ କାରଣ ଥିଲା ।

ରାଜନୈତିକ ଜୀବନ

[ସମ୍ପାଦନା]
  • ୧୯୫୨: ଭାରତର ପ୍ରଥମ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଖେଡ଼ା ରୁ ଲୋକସଭାକୁ ନିର୍ବାଚିତ ।
  • ୧୯୫୭: ଆନନ୍ଦ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ପୁନଃ ଜିତିଥିଲେ ।
  • ୧୯୬୨: ଆନନ୍ଦ ଲୋକସଭା ନିର୍ବାଚନ କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ଥିଲେ, କିନ୍ତୁ ସ୍ୱରାଜ ପାର୍ଟିର ନରେନ୍ଦ୍ରସିଂହ ରଣଜିତସିଂହ ମହିଦାଙ୍କ ପାଖରେ ପରାଜିତ ହେଲେ ।
  • ୧୯୬୪–୧୯୭୦: ରାଜ୍ୟସଭା ସଦସ୍ୟ (କଂଗ୍ରେସରୁ)।
  • ୧୯୭୩: ସାବରକାଣ୍ଠା ଲୋକସଭା ଉପନିର୍ବାଚନରେ କଂଗ୍ରେସ (ଓ) ପ୍ରାର୍ଥୀ ଭାବେ ଜିତିଥିଲେ ।
  • ୧୯୭୭: ମେହସାନା ଲୋକସଭା ନିର୍ବାଚନ କ୍ଷେତ୍ରରୁ ଜନତା ପାର୍ଟି ପ୍ରାର୍ଥୀ ହୋଇ ନଟୱରଲାଲ ଅମୃତଲାଲ ପଟେଲଙ୍କୁ ପରାଜିତ କରିଥିଲେ ।
  1. Sushila Nayar; Kamla Mankekar, eds. (2003). Women Pioneers In India's Renaissance. National Book Trust, India. p. 469. ISBN 81-237-3766 1.