ଭେଲୋର ବିଦ୍ରୋହ
ଭେଲୋର ବିଦ୍ରୋହ ୧୦ ଜୁଲାଇ ୧୮୦୬ରେ ମାଡ୍ରାସ୍ ରାଜ୍ୟ (ବର୍ତ୍ତମାନର ତାମିଳନାଡୁ)ର ଭେଲୋର ସହରରେ ଘଟିଥିଲା । ଏହା ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ଭାରତୀୟ ସିପାହିମାନଙ୍କର ପ୍ରଥମ ବ୍ୟାପକ ଏବଂ ହିଂସ୍ର ପ୍ରତିରୋଧ ଥିଲା, ଯାହା ୧୮୫୭ର ସ୍ୱାଧୀନତା ସଂଗ୍ରାମର ପ୍ରାୟ ଅର୍ଦ୍ଧଶତାବ୍ଦୀ ପୂର୍ବରୁ ଘଟିଥିଲା । ଦକ୍ଷିଣ ଭାରତୀୟ ସହର ଭେଲୋରରେ ଏହି ବିଦ୍ରୋହ ଏକ ପୁରା ଦିନ ଚାଲିଥିଲା । ଏହି ସମୟରେ ବିଦ୍ରୋହୀମାନେ ଭେଲୋର କିଳ୍ଲା ଦଖଳ କରି ୨୦୦ ଜଣ ବ୍ରିଟିଶ୍ ସୈନ୍ୟଙ୍କୁ ହତ୍ୟା କଲେ କିମ୍ବା ଆହତ କଲେ । ପରେ ଆରକାଟର ଘୋଡ଼ାସୈନ୍ୟ ଓ ତୋପଖାନାର ସାହାଯ୍ୟରେ ଏହି ବିଦ୍ରୋହକୁ ଦମନ କରାଗଲା । ଏହି ବିଦ୍ରୋହରେ ପ୍ରାୟ ୬୦୦ ଲୋକ ମୃତ୍ୟୁ ବରଣ କଲେ ଏବଂ ପରେ ୧୦୦ ଜଣ ବିଦ୍ରୋହୀଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା । ଅନ୍ୟାନ୍ୟ କେତେକଙ୍କୁ କୋର୍ଟ ମାର୍ଶାଲ୍ ମଧ୍ୟ କରାଗଲା ।[୧]
କାରଣ
[ସମ୍ପାଦନା]ବିଦ୍ରୋହର ତତ୍କାଳିକ କାରଣ ଥିଲା ୧୮୦୫ରେ ପରିବର୍ତ୍ତିତ ସେନା ଡ୍ରେସ୍ କୋଡ୍ ସମ୍ପର୍କୀୟ ସିପାହିମାନଙ୍କର ଅସନ୍ତୋଷ । ହିନ୍ଦୁ ସିପାହିମାନଙ୍କୁ ମଥାରେ ତିଳକ ଲଗାଇବା ଓ ଧାର୍ମିକ ପୋଷାକ ପିନ୍ଧିବାକୁ ବାରଣ କରାଗଲା, ମୁସଲମାନମାନଙ୍କୁ ଦାଢି କଟିବାକୁ ବାଧ୍ୟ କରାଗଲା । ଏହାଛଡା ମାଡ୍ରାସ ସେନାର ସେନାପତି ଜେନରାଲ୍ ସର୍ ଜନ୍ କ୍ରାଡକ୍ ସିପାହିମାନଙ୍କୁ ଇଉରୋପିୟ/ଖ୍ରୀଷ୍ଟଧର୍ମୀୟ ପରିଚୟ ସହିତ ସମ୍ପର୍କିତ ଟୋପି ପିନ୍ଧିବାକୁ ବାଧ୍ୟ କଲେ । ସେହି ଟୋପିରେ ଚମଡ଼ା ଲାଗିଥିଲା, ଯାହା ସେମାନଙ୍କର ପଗଡ଼ି ପ୍ରଚଳନକୁ ପରିବର୍ତ୍ତନ କରିଦେଲା । ଏହି ପରିବର୍ତ୍ତନରେ ହିନ୍ଦୁ ଓ ମୁସଲମାନ ସିପାହିମାନଙ୍କ ଧାର୍ମିକ ସଂବେଦନା ଗଭୀର ଭାବେ ଆହତ ହେଲା ।[୨]
ମେ ୧୮୦୬ରେ କେତେକ ସିପାହି, ଯେଉଁମାନେ ନୂଆ ନିୟମକୁ ବିରୋଧ କରିଥିଲେ, ସେମାନଙ୍କୁ ଫୋର୍ଟ ସେଣ୍ଟ ଜର୍ଜ୍ (ମାଦ୍ରାସ୍)କୁ ପଠାଗଲା । ଏକ ହିନ୍ଦୁ ଓ ଏକ ମୁସଲମାନ ସିପାହୀକୁ ଦଣ୍ଦସ୍ଵ୍ରୂପ ୯୦ କୋଡ଼ା ପ୍ରହାର କରି ସେନାରୁ ବାହାର କରାଗଲା । ଏହାଛଡା ଆଉ ୧୯ ଜଣ ସିପାହିଙ୍କୁ ୫୦ କୋଡ଼ା ମାରି, କମ୍ପାନୀକୁ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ କରାଗଲା ।
ଏହି ସାମରିକ ଅସନ୍ତୋଷ ସହିତ, ୧୭୯୯ ପରେ ପରାଜିତ ଟିପୁ ସୁଲତାନଙ୍କ ପୁତ୍ରମାନଙ୍କର ପ୍ରଭାବ ମଧ୍ୟ ବିଦ୍ରୋହର ଅନ୍ୟ ଏକ କାରଣ ଥିଲା । ଟିପୁଙ୍କ ପରିବାରକୁ ଭେଲୋର କିଳ୍ଲାରେ ରଖାଯାଇଥିଲା । ୯ ଜୁଲାଇ ୧୮୦୬ ରେ ଟିପୁଙ୍କ ଜଣେ କନ୍ୟାଙ୍କ ବିବାହ ଥିଲା । ସେହି ଅବସରରେ ଟିପୁଙ୍କ ପରିଚିତ ବାହାନାରେ ଷଡଯନ୍ତ୍ରକାରୀମାନେ କିଳ୍ଲାରେ ସମବେତ ହେବାକୁ ସକ୍ଷମ ହେଲେ । ଟିପୁ ସୁଲତାନଙ୍କ ପୁତ୍ରମାନେ ବିଦ୍ରୋହୀ ମାନଙ୍କୁ ସମର୍ଥନ କରିବା ଦ୍ଵାରା ବିଦ୍ରୋହୀ ମାନେ ମାନସିକ ଭାବେ ଉତ୍ସାହିତ ହୋଇଥିଲେ ।
ପ୍ରକୋପ
[ସମ୍ପାଦନା]ଜୁଲାଇ ୧୮୦୬ରେ ଭେଲୋର କିଳ୍ଲାରେ ବ୍ରିଟିଶ୍ ୬୯ତମ ରେଜିମେଣ୍ଟ ଓ ମାଦ୍ରାସ୍ ଇନଫାଣ୍ଟ୍ରି ସେନାର 3ଟି ବଟାଲିଅନ୍ ନିୟୋଜିତ ଥିଲେ । ୧୦ ଜୁଲାଇ ମଧ୍ୟରାତ୍ରୀ ପରେ, ସିପାହିମାନେ ୧୪ ଜଣ ଅଧିକାରୀ ଓ ୧୧୫ ବ୍ରିଟିଶ୍ ସେନାଙ୍କୁ ହତ୍ୟା କଲେ । କିଳ୍ଲାର କମାଣ୍ଡର୍ କର୍ଣ୍ଣେଲ୍ ସେଣ୍ଟ ଜନ୍ ଫାନ୍ଚୋର୍ଟ ସେଥିରେ ନିହତ ହେଲେ । ବିଦ୍ରୋହୀମାନେ କିଳ୍ଲାରେ ମହୀଶୁର ରାଜ୍ୟର ପତାକା ଉତ୍ତୋଳନ କରି, ଟିପୁଙ୍କ ପୁତ୍ର ଫତେହ ହାଇଦରଙ୍କୁ ରାଜା ଘୋଷଣା କଲେ ।
ଯାହାହେଉ, ମେଜର୍ କୁପ୍ ଯିଏକି କିଲ୍ଲା ବାହାରେ ଥିଲେ, ସେ ଆରକାଟରେ ସେନାକୁ ସଚେତନ କଲେ । ସର୍ ରୋଲୋ ଗିଲସ୍ପିଙ୍କ ନେତୃତ୍ୱରେ 19ତମ ଲାଇଟ୍ ଡ୍ରାଗନ୍ ଓ ମାଦ୍ରାସ୍ କ୍ୟାଭାଲ୍ରୀ ସେହିଦିନ ସକାଳେ ୨୬ କି.ମି. ଅତିକ୍ରମ କରି ଭେଲୋର ପହଞ୍ଚିଲେ । ସେମାନେ ପ୍ରଥମେ ବାୟୋନେଟ୍ ଆକ୍ରମଣରେ ପ୍ରବେଶ କରି, ପରେ ତୋପରେ ଦ୍ୱାର ଭଙ୍ଗି, କିଳ୍ଲାକୁ ଦଖଳ କଲେ । ମହଲ୍ଭିତରେ ଆଶ୍ରୟ ନେଇଥିବା ପ୍ରାୟ ୧୦୦ ସିପାହିଙ୍କୁ ଧରି, ଦେୱାଳକୁ ଲଗାଇ ଗୁଳି କରାଗଲା । ଇଞ୍ଜିନିଅର୍ ଜନ୍ ବ୍ଲାକିଷ୍ଟନ୍ ସେହି ଭୟଙ୍କର ଦୃଶ୍ୟକୁ ତାଙ୍କ ରେକର୍ଡରେ ଲେଖିଥିଲେ । ଗିଲସ୍ପି ସ୍ୱୀକାର କଲେ, “ମାତ୍ର ୫ ମିନିଟ୍ ଡେରି ହେଲେ ସମସ୍ତ ବ୍ରିଟିଶ୍ ହାରିଯାଇଥାନ୍ତେ ।”
ଏହି ଯୁଦ୍ଧରେ ପ୍ରାୟ ୩୫୦ ବିଦ୍ରୋହୀ ନିହତ ହେଲେ ଓ ୩୫୦ ଆହତ ହେଲେ ।
ସାହିତ୍ୟରେ ବିଦ୍ରୋହର ଝଲକ
[ସମ୍ପାଦନା]ଇଂରାଜ କବି ସର୍ ହେନ୍ରି ନ୍ୟୁବଲ୍ଟଙ୍କ କବିତା "ଗିଲସ୍ପି" ରେ ଭେଲୋର ବିଦ୍ରୋହର ଘଟଣାବଳୀର ଏକ ବର୍ଣ୍ଣନା ରହିଛି ।[୩]
ଜର୍ଜ୍ ଶିପୱେଙ୍କ ଉପନ୍ୟାସ "ଷ୍ଟ୍ରାଞ୍ଜର୍ସ ଇନ୍ ଦ ଲ୍ୟାଣ୍ଡ" (1976; ISBN 0-432-14756-X) ଭେଲୋର ବିଦ୍ରୋହକୁ କେନ୍ଦ୍ର କରି ରଚିତ, ଯେଉଁଥିରେ ବ୍ରିଟିଶ୍ ଓ ଭାରତୀୟ ଉଭୟ ପ୍ରତିଭାଗୀଙ୍କ ଦୃଷ୍ଟିଭଙ୍ଗୀକୁ ବର୍ଣ୍ନନା କରା ଯାଇଛି ।
ଆଧାର
[ସମ୍ପାଦନା]- ↑ Balakrishnan, Uday (2019-07-20). "Uday Balakrishnan on the Vellore Fort mutiny of 1806". The Hindu (in Indian English). ISSN 0971-751X. Retrieved 2025-09-30.
- ↑ Philip Mason, page 238, A Matter of Honour – an Account of the Indian Army, ISBN 0-333-41837-9
- ↑ Alden, Raymond Macdonald (1921). Poems of the English Race. C. Scribner's Sons. pp. 213–214. Retrieved 7 July 2018.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |