Jump to content

ଭେଙ୍କେୟା ନାଇଡୁ

ଉଇକିପିଡ଼ିଆ‌ରୁ

ମୁପ୍ପଭରପୁ ଭେଙ୍କେୟା ନାଇଡୁ (ତେଲୁଗୁ: వెంకయ్య నాయుడు / ଭେଙ୍କେୟା ନାଇଡୁ, ଜନ୍ମ: ୧ ଜୁଲାଇ ୧୯୪୯) ଭାରତର ପୂର୍ବତନ (୧୩ତମ) ଉପରାଷ୍ଟ୍ରପତି ।[] ସେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ଜାତୀୟ ଅଧ୍ୟକ୍ଷ ଥିଲେ ।[] କେନ୍ଦ୍ର ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ପଦ ମଧ୍ୟ ସେ କାର୍ଯ୍ୟ ନିର୍ବାହ କରିଛନ୍ତି । ଭାରତର ଶାସକ ଦଳ ଜାତୀୟ ଲୋକତାନ୍ତ୍ରିକ ଗଠବନ୍ଧନ (ଏନଡିଏ) ୧୭ ଜୁଲାଇ ୨୦୧୭ ରେ ତାଙ୍କୁ ଭାରତର ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ୫ ଅଗଷ୍ଟ ୨୦୧୭ ରେ ହୋଇଥିବା ନିର୍ବାଚନରେ ସେ ଗୋପାଳ କୃଷ୍ଣ ଗାନ୍ଧୀଙ୍କୁ ପରାଜିତ କରି ଭାରତର ତେରତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଏବଂ ୧୧ ଅଗଷ୍ଟ ୨୦୧୭ ରେ ଉପରାଷ୍ଟ୍ରପତି ପଦ ଗ୍ରହଣ କଲେ ।[]

୨୦୨୪ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ଭୂଷିତ କରିଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଭେଙ୍କେୟା ନାୟୁଡୁଙ୍କ ଜନ୍ମ ୧ ଜୁଲାଇ ୧୯୪୯ ରେ ଆନ୍ଧ୍ର ପ୍ରଦେଶର ନେଲ୍ଲୋର ଜିଲ୍ଲାର ଚାବଟପାଲେମ ଗ୍ରାମରେ ଏକ କମ୍ମା (କୃଷକ) ପରିବାରରେ ହୋଇଥିଲା ।[] ସେ ନେଲ୍ଲୋରର ଭି.ଆର. ହାଇସ୍କୁଲରୁ ତାଙ୍କର ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ ଏବଂ ଭି.ଆର. କଲେଜରୁ ରାଜନୀତି ଓ ରାଜନୟିକ ଅଧ୍ୟୟନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେ ପ୍ରଥମ ଶ୍ରେଣୀ ସମ୍ମାନ ସହିତ ସ୍ନାତକ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ସେ ବିଶାଖାପଟ୍ଟଣମର ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ । ୧୯୭୪ ମସିହାରେ ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ଛାତ୍ର ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । କିଛି ସମୟ ପର୍ଯ୍ୟନ୍ତ ସେ ଆନ୍ଧ୍ର ପ୍ରଦେଶ ଛାତ୍ର ସଂଗଠନ ସମିତିର ସଂଯୋଜକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]
୧୧ ଅଗଷ୍ଟ ୨୦୧୭ ରେ ଭାରତର ଉପରାଷ୍ଟ୍ରପତି ପଦର ଶପଥ ଗ୍ରହଣ କରୁଥିବା ଭେଙ୍କୟ୍ୟା ନାଇଡୁ

ଭେଙ୍କେୟା ନାୟୁଡୁଙ୍କ ପରିଚୟ ସଦା ଏକ ‘ଆନ୍ଦୋଳନକାରୀ’ ଭାବରେ ରହିଆସିଛି । ୧୯୭୨ ମସିହାରେ ‘ଜୟ ଆନ୍ଧ୍ର ଆନ୍ଦୋଳନ’ ସମୟରେ ସେ ପ୍ରଥମେ ଚର୍ଚ୍ଚାରେ ଆସିଥିଲେ । ଏହି ସମୟରେ ସେ ନେଲ୍ଲୋର ଆନ୍ଦୋଳନରେ ସକ୍ରିୟ ଭାଗ ନେଇ ବିଜୟୱାଡାରୁ ଆନ୍ଦୋଳନର ନେତୃତ୍ୱ କରିଥିଲେ । ଛାତ୍ର ଜୀବନରେ ସେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଚିନ୍ତାଧାରାରୁ ପ୍ରଭାବିତ ହୋଇ ଆପାତକାଳୀନ ସଂଘର୍ଷରେ ଅଂଶଗ୍ରହଣ କରିଥିଲେ । ଆପାତକାଳ ବିରୋଧରେ ସେ ରାସ୍ତାକୁ ଓହ୍ଲାଇଥିଲେ ଏବଂ କାରାବାସ ମଧ୍ୟ ଭୋଗ କରିଥିଲେ । ଆପାତକାଳ ପରେ ୧୯୭୭ ରୁ ୧୯୮୦ ପର୍ଯ୍ୟନ୍ତ ସେ ଜନତା ପାର୍ଟିର ଯୁବ ଶାଖାର ଅଧ୍ୟକ୍ଷ ଥିଲେ । ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ସେ ଭାରତୀୟ ଜନତା ପାର୍ଟିର ଜାତୀୟ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଥିଲେ ଏବଂ ନରେନ୍ଦ୍ର ମୋଦୀଙ୍କ ସରକାରରେ ସେ ଭାରତ ସରକାର ଅଧୀନରେ ସହର ଉନ୍ନୟନ, ଆବାସ ଓ ସହର ଦାରିଦ୍ର୍ୟ ନିରାକରଣ ଏବଂ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଥିଲେ । ୧୧ ଅଗଷ୍ଟ ୨୦୧୭ ରେ ସେ ଭାରତର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ।[]

ଭେଙ୍କେୟା ନାୟୁଡୁ ‘ସ୍ୱର୍ଣ୍ଣ ଭାରତ ଟ୍ରଷ୍ଟ’ ନାମକ ଏକ ସମାଜସେବୀ ସଂଗଠନ ସହିତ ମଧ୍ୟ ଜଡିତ ଅଛନ୍ତି, ଯାହାକୁ ସେ ୨୦୦୧ ମସିହାରେ କିଛି ମିତ୍ରଙ୍କ ସହ ମିଶି ନେଲ୍ଲୋରରେ ସ୍ଥାପନା କରିଥିଲେ । ଏହି ସଂସ୍ଥା ଗରିବ ଲୋକ, ଅନାଥ ଓ ବିଶେଷ ଆବଶ୍ୟକତା ଥିବା ଲୋକଙ୍କ ପାଇଁ ବିଦ୍ୟାଳୟ ଚଳାଏ ଏବଂ ଯୁବକ ଓ ନାରୀମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରେ ।[]

ନିଜ ମାତୃଭାଷା ତେଲୁଗୁ ସହିତ ସେ ହିନ୍ଦୀ ଓ ଇଂରାଜୀରେ ମଧ୍ୟ ଭାଷଣ ଦେଇଥାନ୍ତି । ସେ ଏକ ଗମ୍ଭୀର ଚିନ୍ତକ ମଧ୍ୟ । ଅଗଷ୍ଟ ୨୦୧୭ ରେ ତାଙ୍କର ପୁସ୍ତକ ‘ଟାୟରଲେସ୍ ଭଏସ୍ ରିଲେଣ୍ଟଲେସ୍ ଜର୍ଣ୍ଣି’ ପ୍ରକାଶିତ ହୋଇଥିଲା ।[] ଫେବୃଆରୀ ୨୦୧୮ ରେ ତାଙ୍କର ଆଉ ଏକ ପୁସ୍ତକ ‘ମୁଭିଂ ଅନ୍, ମୁଭିଂ ଫରୱାର୍ଡ: ୱନ୍ ଇୟର୍ ଇନ୍ ଅଫିସ୍’ ପ୍ରକାଶ ପାଇଥିଲା । ସମ୍ପ୍ରତି (ଅଗଷ୍ଟ ୨୦୧୯) ତାଙ୍କର ଆଉ ଏକ ପୁସ୍ତକ ‘ଲିସନିଂ, ଲର୍ନିଂ ଆଣ୍ଡ୍ ଲିଡିଂ’ ନାମରେ ପ୍ରକାଶିତ ହୋଇଛି ।

ପ୍ରମୁଖ ଦାୟୀତ୍ଵ

[ସମ୍ପାଦନା]
  • ୧୯୭୩–୧୯୭୪ : ଅଧ୍ୟକ୍ଷ, ଛାତ୍ର ସଂଘ, ଆନ୍ଧ୍ର ବିଶ୍ୱବିଦ୍ୟାଳୟ
  • ୧୯୭୪ : ସଂଯୋଜକ, ଲୋକନାୟକ ଜୟପ୍ରକାଶ ନାରାୟଣ ଯୁବଜନ–ଛାତ୍ର ସଂଘର୍ଷ ସମିତି, ଆନ୍ଧ୍ର ପ୍ରଦେଶ
  • ୧୯୭୭–୧୯୮୦ : ଅଧ୍ୟକ୍ଷ, ଜନତା ପାର୍ଟିର ଯୁବ ଶାଖା, ଆନ୍ଧ୍ର ପ୍ରଦେଶ
  • ୧୯୭୮–୧୯୮୫ : ସଦସ୍ୟ, ଆନ୍ଧ୍ର ପ୍ରଦେଶ ବିଧାନ ସଭା (ଦୁଇଥର)
  • ୧୯୮୦–୧୯୮୫ : ନେତା, ଆନ୍ଧ୍ର ପ୍ରଦେଶ ବିଜେପି ବିଧାୟକ ଦଳ
  • ୧୯୮୫–୧୯୮୮ : ମହାସଚିବ, ଆନ୍ଧ୍ର ପ୍ରଦେଶ ରାଜ୍ୟ ବିଜେପି
  • ୧୯୮୮–୧୯୯୩ : ଅଧ୍ୟକ୍ଷ, ଆନ୍ଧ୍ର ପ୍ରଦେଶ ରାଜ୍ୟ ବିଜେପି
  • ୧୯୯୩ – ସେପ୍ଟେମ୍ବର ୨୦୦୦ : ଜାତୀୟ ମହାସଚିବ, ଭାରତୀୟ ଜନତା ପାର୍ଟି; ସଚିବ, ବିଜେପି ସଂସଦୀୟ ବୋର୍ଡ; ସଚିବ, ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି; ବିଜେପିର ପ୍ରବକ୍ତା
  • ୧୯୯୮ ପରେ : କର୍ଣ୍ଣାଟକରୁ ରାଜ୍ୟସଭା ସଦସ୍ୟ (ତିନିଥର)
  • ୧ ଜୁଲାଇ ୨୦୦୦ ରୁ ୩୦ ସେପ୍ଟେମ୍ବର ୨୦୦୨ : ଭାରତ ସରକାରର ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ
  • ୧ ଜୁଲାଇ ୨୦୦୨ ରୁ ୫ ଅକ୍ଟୋବର ୨୦୦୪ : ଭାରତୀୟ ଜନତା ପାର୍ଟିର ଜାତୀୟ ଅଧ୍ୟକ୍ଷ
  • ଏପ୍ରିଲ ୨୦୦୫ ପରେ : ଭାରତୀୟ ଜନତା ପାର୍ଟିର ଜାତୀୟ ଉପାଧ୍ୟକ୍ଷ
  • ୨୬ ମେ ୨୦୧୪ – ୨୦୧୭ : ସହର ଉନ୍ନୟନ, ଗୃହନିର୍ମାଣ ଓ ଗରିବି ନିବାରଣ ଏବଂ ସଂସଦୀୟ କାର୍ଯ୍ୟବାହୀର କେନ୍ଦ୍ରୀୟ ମନ୍ତ୍ରୀ
  • ୨୦୧୬–୨୦୧୭ : ସୂଚନା ଓ ପ୍ରସାରଣ ମନ୍ତ୍ରୀ
  • ୫ ଅଗଷ୍ଟ ୨୦୧୭ : ଭାରତର ୧୩ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ
  • ୧୧ ଅଗଷ୍ଟ ୨୦୧୭ : ଭାରତର ୧୩ତମ ବର୍ତ୍ତମାନ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ
  • ୧୦ ଅଗଷ୍ଟ ୨୦୨୨ : ସେବାକାଳ ସମାପ୍ତି ପରେ ଉପରାଷ୍ଟ୍ରପତି ପଦରୁ ସେବାନିବୃତ୍ତ
  • ୨୦୨୪ : ପଦ୍ମ ବିଭୂଷଣ ସମ୍ମାନରେ ଅଲଙ୍କୃତ
  1. 1 2 "An emotionally integrated India offers the best defence against both internal and external threats and challenges". The Indian Express (in ଇଂରାଜୀ). 2020-08-11. Retrieved 2026-01-13.
  2. Means, Framing or Similar; Consent, Is Expressly Prohibited Without the Prior Written. "Naidu's journey from pasting party posters to being Vice President". Rediff (in ଇଂରାଜୀ). Retrieved 2026-01-13.
  3. "Padma Awards 2024: Former VP Venkaiah Naidu, actor Chiranjeevi, dancer Vyjayanthimala honoured with Padma Vibhushan". The Times of India. 2024-01-25. ISSN 0971-8257. Retrieved 2026-01-13.
  4. "Profile | Vice President of India | Government of India". vicepresidentofindia.nic.in (in ଇଂରାଜୀ). Retrieved 2026-01-13.
  5. "Biography | M Venkaiah Naidu". mvenkaiahnaidu.com (in ଆମେରିକୀୟ ଇଂରାଜୀ). Archived from the original on 2014-05-29. Retrieved 2026-01-13.
  6. "Former Vice Presidents | Vice President of India | Government of India". vicepresidentofindia.nic.in. Retrieved 2026-01-13.
  7. "Swarna Bharath Trust | Home". swarnabharathtrust.org.in (in ଇଂରାଜୀ). Archived from the original on 2021-11-14. Retrieved 2026-01-13.
  8. "पीएम मोदी ने वेंकैया नायडू के किताब 'टायरलेस वॉयस रिलेन्टलेस जर्नी' का किया विमोचन". Amar Ujala (in ହିନ୍ଦୀ). Retrieved 2026-01-13.