ଭୂଇଁଖୁଣ୍ଟି ଚଢ଼େଇ

ଉଇକିପିଡ଼ିଆ ରୁ
Jump to navigation Jump to search

ଭୂଇଁଖୁଣ୍ଟି ଚଢ଼େଇ
Zoothera citrina - Khao Yai.jpg
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ଜଗତ: ୟୁକାରିଓଟା
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ଯ
ବିଭାଗ: ବାଇଲାଟେରିଆ
ପର୍ବ: କୋର୍ଡାଟା
ବର୍ଗ: ଏଭସ
Order: Passeriformes
Family: Turdidae
Genus: Geokichla
ଜାତି: G. citrina
ବାଇନୋମିଆଲ ନାମ
Geokichla citrina
(ଜନ୍ ଲାଥାମ୍, ୧୭୯୦)
Synonyms

ଯୁଥେରା ସିନେରିଆ (Zoothera cinereal)

ଭୂଇଁଖୁଣ୍ଟି ଚଢ଼େଇ (ଇଂରାଜୀ ଭାଷାରେ Orange-headed Thrush, ଜୀବବିଜ୍ଞାନ ନାମ Geokichla citrina) ଥ୍ରଷ୍ ପକ୍ଷୀ ପରିବାରର ଏକ ସଦସ୍ୟ ।

ଭାରତୀୟ ଉପମହାଦେଶ ଓ ଦକ୍ଷିଣ-ପୂର୍ବ ଏସିଆର ଅରଣ୍ୟମୟ ଅଞ୍ଚଳରେ ଏମାନେ ଦେଖାଯାଇଥାନ୍ତି । ଏହି ପ୍ରଜାତିର ଅଧିକାଂଶ ପକ୍ଷୀ ନିଜ ଅଞ୍ଚଳର ସ୍ଥାନୀୟ ପକ୍ଷୀ (ଅର୍ଥାତ୍ ଅଳ୍ପ କିଛି ପକ୍ଷୀ ଅନ୍ୟ ସ୍ଥାନରେ ସାମୟିକ ପ୍ରବାସ କରନ୍ତି) । ଅନ୍ୟ ପ୍ରକାରର ଯୁଥେରା ଥ୍ରଷ୍ ପକ୍ଷୀଙ୍କ ପରି ଏମାନେ ମଧ୍ୟ ଛାୟାପୂର୍ଣ୍ଣ ଆର୍ଦ୍ର ପରିବାସରେ ରହିବାକୁ ପସନ୍ଦ କରନ୍ତି ଓ ଏମାନେ ଗୋପନୀୟ ଭାବେ ଜୀବନଯାପନ କରିଥାନ୍ତି ।

ଭୂଇଁଖୁଣ୍ଟି ପକ୍ଷୀ ସର୍ବଭକ୍ଷୀ ଏବଂ ବିଭିନ୍ନ ପ୍ରକାରର କୀଟପତଙ୍ଗ, ଜିଆ, କେଞ୍ଚୁଆ, ଫଳ ପ୍ରଭୃତି ଏହି ପକ୍ଷୀର ମୁଖ୍ୟ ଆହାର । ଏମାନେ ଗଛରେ ବସା ବାନ୍ଧି ରୁହନ୍ତି ଓ ଏମାନେ ସାଧାରଣତଃ ଗୋଠରେ ଏକତ୍ରିତ ହୋଇ ରୁହନ୍ତି ନାହିଁ ।

ଅଣ୍ଡିରା ଭୂଇଁଖୁଣ୍ଟିର ଉପରାଂଶ ପାଉଁଶିଆ ରଙ୍ଗର, ମୁଣ୍ଡ ତଥା ଶରୀରର ନିମ୍ନାଂଶ କମଳା ରଙ୍ଗର । ମାଈ ଓ ତରୁଣ ପକ୍ଷୀମାନଙ୍କ ଶରୀରର ଉପରାଂଶ କିଛି ମାତ୍ରାରେ ମାଟିଆ ରଙ୍ଗର ହୋଇଥାଏ ।

ବର୍ଗୀକରଣ[ସମ୍ପାଦନା]

ଥାଇଲ୍ୟାଣ୍ଡର ଖାଓ ୟାଇ ଜାତୀୟ ଉଦ୍ୟାନର ଏକ ଭୂଇଁଖୁଣ୍ଟି ଚଢ଼େଇ

୧୭୯୦ ମସିହାରେ ପକ୍ଷୀ ବିଶେଷଜ୍ଞ ଜନ୍ ଲାଥାମ୍ ପ୍ରଥମେ ଭୂଇଁଖୁଣ୍ଟି ପକ୍ଷୀର ବିବରଣୀ ପ୍ରଦାନ କରି ଏହାକୁ ଟର୍ଡସ୍ ସିଟ୍ରିନସ୍ (Turdus citrinus) ବୋଲି କହିଥିଲେ । ସିଟ୍ରସ୍-ଯୁକ୍ତ କମଳା ଜାତୀୟ ରଙ୍ଗ ପରି ମୁଣ୍ଡ ଓ ଶରୀରର ନିମ୍ନାଂଶ ଯୋଗୁଁ ସେ ଏହାର ଏପରି ନାମ ବାଛିଥିଲେ ।[୨] ଏହି ପକ୍ଷୀ ପ୍ରଜାତିର ପ୍ରାୟ ୧୨ଟି ଉପ-ପ୍ରଜାତି ରହିଛି ।[୩] ପାମେଲା ରାସ୍ମୁସେନ୍ ଓ ଜନ୍ ଆଣ୍ଡର୍ଟନ୍ (୨୦୦୫) ପ୍ରସ୍ତାବ ରଖିଛନ୍ତି ଯେ ଜଟିଳ ବର୍ଗୀକରଣ ବିଶିଷ୍ଟ ଏହି ପକ୍ଷୀର ଏକାଧିକ ପ୍ରଜାତି ରହିଥିବା ସମ୍ଭବପର ।[୪]

  • ସିଟ୍ରିନା (G. c. citrina) – ଉତ୍ତର ଭାରତର ହିମାଳୟରୁ ନେଇ ପୂର୍ବ ପଟେ ପୂର୍ବ-ବଙ୍ଗଳାଦେଶ ଓ ପଶ୍ଚିମ ଓ ଉତ୍ତର-ବ୍ରହ୍ମଦେଶ ପର୍ଯ୍ୟନ୍ତ ଏହି ପକ୍ଷୀ ବ୍ୟାପ୍ତ । ଶୀତ ଋତୁରେ ଏହି ପକ୍ଷୀମାନେ ଦକ୍ଷିଣ ଭାରତ, ଶ୍ରୀଲଙ୍କା, ବଙ୍ଗଳାଦେଶରେ ପ୍ରବାସ କରିପାରନ୍ତି ।[୩]
  • ସ୍ୟାନୋଟା (G. c. cyanota) – ଏମାନେ ଭାରତୀୟ ଉପମହାଦ୍ୱୀପରେ କେରଳର ଦକ୍ଷିଣ ଭାଗର ସ୍ଥାନୀୟ ପକ୍ଷୀ ।[୩] ଏହି ଉପପ୍ରଜାତିର ବେକ ଓ ମୁହଁର ଦୁଇପଟେ ଧଳା ଚିହ୍ନ ରହିଥାଏ । ଆଖି ପାଖରୁ ଦୁଇଟି ଛୋଟ କଳା ପଟି ତଳପଟକୁ ଲମ୍ବିଥାଏ ।[୫] ରାସ୍ମୁସେନ୍ ଓ ଆଣ୍ଡର୍ଟନ୍ ଏହି ଉପପ୍ରଜାତିର ଜୀବବିଜ୍ଞାନ ନାମରେ ସ୍ୟାନୋଟା (cyanota) ଶବ୍ଦ ଯୋଡ଼ିବାର ପ୍ରସ୍ତାବ ରଖିଥିଲେ ।[୪]
  • ଆମାଡୋନି (G. c. amadoni) – ଭାରତୀୟ ଉପମହାଦ୍ୱୀପର ମଧ୍ୟ ପ୍ରଦେଶଓଡ଼ିଶା ରାଜ୍ୟରେ ଏହି ଉପପ୍ରଜାତି ଦେଖାଯାଏ । ଏମାନଙ୍କ ଦେହର କମଳା ସ୍ୟାନୋଟା ଉପପ୍ରଜାତି ଅପେକ୍ଷା ଗାଢ଼ ଓ ଏମାନଙ୍କ ଡେଣା ମଧ୍ୟ ଲମ୍ବା ।[୪][୬]
  • ଇନ୍ନୋଟାଟା (G. c. innotata) – ଦକ୍ଷିଣ-ବ୍ରହ୍ମଦେଶ ଓ ଦକ୍ଷିଣ-ପଶ୍ଚିମ ଚୀନରୁ ନେଇ ଉତ୍ତର-ପଶ୍ଚିମ ଥାଇଲ୍ୟାଣ୍ଡ୍, କେନ୍ଦ୍ରୀୟ ତଥା ଦକ୍ଷିଣ ଲାଓସ୍, କାମ୍ବୋଡ଼ିଆ ଓ ଦକ୍ଷିଣ ଭିଏତନାମ ପର୍ଯ୍ୟନ୍ତ ଏମାନେ ଦକ୍ଷିଣ-ପୂର୍ବ ଏସିଆର ଅଧିକାଂଶ ଅଞ୍ଚଳରେ ବ୍ୟାପ୍ତ । ଶୀତ ଋତୁରେ ଦକ୍ଷିଣ ବ୍ରହ୍ମଦେଶ, ଥାଇଲ୍ୟାଣ୍ଡ୍ ଓ ମାଲେସିଆରେ ପ୍ରବାସ କରିବା ଦେଖାଯାଏ ।[୩] ଦେଖିବାକୁ ଏମାନେ ନିଜ ପ୍ରଜାତିର ଅନ୍ୟ ପକ୍ଷୀଙ୍କ ପରି । ଅଣ୍ଡିରାମାନଙ୍କ କମଳା ରଙ୍ଗ ଗାଢ଼ ହୋଇଥାଏ ଓ ପରର ଶୀର୍ଷରେ ଧଳା ଦାଗ ନଥାଏ । ମାଈମାନଙ୍କ ମୁଣ୍ଡ ଓ ଶରୀରର ନିମ୍ନଭାଗ ଫିକା କମଳା ରଙ୍ଗର ଏବଂ ଶରୀରର ଉପରଭାଗ ଅଲିଭ୍ ବା ପାଉଁଶିଆ ହୋଇପାରେ ।[୭]
  • ମେଲ୍ଲି (G. c. melli) – ଦକ୍ଷିଣ-ପୂର୍ବ ଚୀନର ଏମାନେ ନିବାସୀ ପକ୍ଷୀ ଓ ଶୀତ ଦିନେ ହଂକଂରେ ଆଂଶିକ ରୂପେ ପ୍ରବାସ କରିଥାନ୍ତି ।[୩]
  • କୋର୍ଥ୍ୱା (G. c. courtoisi) – କେନ୍ଦ୍ରୀୟ ଓ ପୂର୍ବ ଚୀନର ଏହି ନିବାସୀ ଉପପ୍ରଜାତିର ପ୍ରବାସ କ୍ଷେତ୍ର ବ୍ୟାପ୍ତି ବିଷୟରେ ବିଶେଷ ତଥ୍ୟ ଅନୁପଲବ୍ଧ ।[୩]
ଭାରତର ଦାଣ୍ଡେଲି ବନ୍ୟଜୀବ ଅଭୟାରଣ୍ୟର ଏକ ଭୂଇଁଖୁଣ୍ଟି ପକ୍ଷୀ
  • ଔରିମାକୁଲା (G. c. aurimacula) – ଦକ୍ଷିଣ ଭିଏତନାମ, ହାଇନାନ୍ ଓ ଉତ୍ତର ଲାଓସ୍‍ର ନିବାସୀ ଉପପ୍ରଜାତି । ଏମାନେ ପ୍ରାୟତଃ ସ୍ୟାନୋଟା ଉପପ୍ରଜାତି ପରି କିନ୍ତୁ ଏମାନଙ୍କ ମୁଣ୍ଡରେ ଥିବା ଦାଗ ଅତି ଫିକା ହୋଇଥାଏ । ମୁହଁ ଓ ବେକ ପାଖରେ ଧଳା ଦାଗ ରହିଥାଏ ଓ ଏହା ସହିତ ହାଲୁକା କମଳା ବା ମାଟିଆ ରଙ୍ଗ ମିଶି ରହିଥାଏ । ଛାତି ଓ ଦୁଇ ପାର୍ଶ୍ୱର ରଙ୍ଗ ଅପେକ୍ଷା ପେଟ ଓ ନିମ୍ନ ପାର୍ଶ୍ୱସ୍ଥ ରଙ୍ଗ କ୍ରମଶଃ ଫିକା ହୋଇଯାଏ ।[୩]
  • ଆଣ୍ଡାମେନ୍ସିସ୍ (G. c. andamensis) – ଆଣ୍ଡାମାନ ଦ୍ୱୀପପୁଞ୍ଜର ନିବାସୀ ଉପପ୍ରଜାତି ।[୩]
  • ଆଲବୋଗୁଲାରିସ୍ (G. c. albogularis) – ନିକୋବର ଦ୍ୱୀପପୁଞ୍ଜର ନିବାସୀ ଉପପ୍ରଜାତି ।[୩]
  • ଗିବ୍ସନ୍‍ହିଲି (G. c. gibsonhilli) – ଦକ୍ଷିଣ ବ୍ରହ୍ମଦେଶରୁ ନେଇ ଦକ୍ଷିଣ ଥାଇଲ୍ୟାଣ୍ଡ ପର୍ଯ୍ୟନ୍ତ ଅଞ୍ଚଳର ନିବାସୀ ପକ୍ଷୀ । ଶୀତ ଋତୁରେ ଏମାନେ ଥାଇଲ୍ୟାଣ୍ଡର ଦକ୍ଷିଣସ୍ଥ ଉପଦ୍ୱୀପ ଓ ମାଲେସିଆ ଅଞ୍ଚଳରେ ପ୍ରବାସ କରନ୍ତି । ଦେଖିବାକୁ ଏମାନେ ନିଜ ମୂଳ ଜାତି ପରି; ଏମାନଙ୍କ କମଳା ରଙ୍ଗ ଗାଢ଼ ଓ ଥଣ୍ଟଟି ସାମାନ୍ୟ ଲମ୍ବା ତଥା ଓଜନିଆ ।[୩] ଡେଣା ପର ଅଗଟି ଧଳା ଛାପଯୁକ୍ତ ।[୮]
  • ଔରାଟା (G. c. aurata) – ଉତ୍ତର ବୋର୍ଣ୍ଣିଓର ପାର୍ବତ୍ୟାଞ୍ଚଳର ନିବାସୀ ପକ୍ଷୀ ।[୩]
  • ରେବେକୁଲା (G. c. rubecula) – ଏମାନେ ପଶ୍ଚିମ ଜାଭା ଦ୍ୱୀପର ନିବାସୀ ।[୩]
  • ଓରିଏଣ୍ଟିସ୍ (G. c. orientis) – ଏହି ଉପପ୍ରଜାତି ପୂର୍ବ ଜାଭା ଓ ବାଲି ଦ୍ୱୀପର ମୂଳ ନିବାସୀ । ନିଜ ପରିବାସର ପଶ୍ଚିମ ଭାଗରେ ଏମାନେ ପଶ୍ଚିମ ଜାଭାର ଉପପ୍ରଜାତି G. c. rubecula ସହ ମିଶ୍ରିତ ଭାବେ ଦେଖାଯାନ୍ତି । କିନ୍ତୁ ଜାଭାର ଦୁଇ ଉପପ୍ରଜାତି ବର୍ଗୀକରଣ ବିବାଦୀୟ ବିଷୟ ।[୩]

ଆକାର ଓ ମାପ[ସମ୍ପାଦନା]

ତଥ୍ୟ ଉପଲବ୍ଧ ଥିବା କିଛି ଉପପ୍ରଜାତିଙ୍କ ଶାରିରୀକ ମାପ ନିମ୍ନ ସାରଣୀରୁ ଜାଣି ହେବ ।[୪]

ଉପପ୍ରଜାତି ଦୈର୍ଘ୍ୟ (ମି.ମି.) ମୁଣ୍ଡ (ମି.ମି.) ଲାଞ୍ଜ (ମି.ମି.)
ସିଟ୍ରିନା ୧୬୨-୧୬୮ ୪୬-୪୮ ୭୬-୮୧
ସ୍ୟାନୋଟସ୍ ୧୬୫-୧୭୦ ୪୨-୪୬ ୭୪-୭୯
ଆଣ୍ଡାମାନେନ୍ସିସ୍ ୧୫୦-୧୫୮ ୪୩-୪୫ ୬୫-୭୮
ଆଲବୋଗୁଲାରିସ୍ ୧୫୫-୧୬୫ ୪୪-୪୮ ୬୮-୭୯

ଭୌଗୋଳିକ ବିତରଣ ଓ ପରିବାସ[ସମ୍ପାଦନା]

ଭାରତ, ବଙ୍ଗଳାଦେଶଶ୍ରୀଲଙ୍କା ସମେତ ଭାରତୀୟ ଉପମହାଦ୍ୱୀପରୁ ଆରମ୍ଭ କରି ଦକ୍ଷିଣ-ପୂର୍ବ ଏସିଆରେ ଜାଭା ଦ୍ୱୀପ ପର୍ଯ୍ୟନ୍ତ ଅଧିକାଂଶ ଭାଗରେ ଭୂଇଁଖୁଣ୍ଟି ପକ୍ଷୀ ପ୍ରଜନନ କରିବା ଦେଖାଯାଏ ।[୩] ଆର୍ଦ୍ର ଚିରହରିତ୍ ଅରଣ୍ୟ, ମଧ୍ୟମ-ଘଞ୍ଚ ବୁଦାଳିଆ ଜଙ୍ଗଲ, ବାଉଁଶ ବଣ ଓ ଏପରିକି ବଡ଼ ବଗିଚା ଓ ତୋଟା ମଧ୍ୟ ଭୂଇଁଖୁଣ୍ଟି ପକ୍ଷୀଙ୍କ ପରିବାସର ଅଂଶବିଶେଷ ।[୩]

ଜଳସ୍ରୋତ ନିକଟବର୍ତ୍ତୀ ଆର୍ଦ୍ରଭୂମିରେ ଏହି ପକ୍ଷୀ ସାଧାରଣତଃ ଦେଖିବାକୁ ମିଳନ୍ତି । ହିମାଳୟ ପର୍ବତମାଳାରେ ସମୁଦ୍ରପତନରୁ ୨୫୦-୧୮୩୦ ମିଟର୍ (୮୨୫-୬୦୪୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ, ମାଲେସିଆ, ଥାଇଲ୍ୟାଣ୍ଡ୍ ଓ ଜାଭାରେ ୧୫୦୦ ମିଟର୍ (୫୦୦୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ ଭୂଇଁଖୁଣ୍ଟି ପରିଲକ୍ଷିତ ହୁଅନ୍ତି । ଔରାଟା ଉପପ୍ରଜାତି ଉତ୍ତର ବୋର୍ଣ୍ଣିଓସ୍ଥିତ କିନାବାଲୁ ପର୍ବତ ଓ ଟ୍ରୁସ୍ ମାଡି ପର୍ବତରେ ୧୦୦୦-୧୬୩୦ ମିଟର୍ (୩୩୦୦-୫୪୦୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ ଦେଖାଯାଏ । କିଛି ଉପପ୍ରଜାତି ସମ୍ପୂର୍ଣ୍ଣ ଭାବେ କିମ୍ବା ଆଂଶିକ ଭାବେ ପ୍ରବାସୀ । ଏମାନଙ୍କ ଶୀତ ପରିବାସ ପ୍ରାୟ ଗ୍ରୀଷ୍ମ ପରିବାସ ପରି କିନ୍ତୁ ତାହା ଗ୍ରୀଷ୍ମ ପରିବାସ ତୁଳନାରେ ସମୁଦ୍ରପତନରୁ କମ୍ ଉଚ୍ଚତାରେ ରହିଥାଏ ।[୩][୭]

ବିବରଣୀ[ସମ୍ପାଦନା]

ଭୂଇଁଖୁଣ୍ଟି ପକ୍ଷୀର ଡେଣାର ନିମ୍ନାଂଶ

ଭୂଇଁଖୁଣ୍ଟି ପକ୍ଷୀ ୨୦୫-୨୩୫ ମିଲିମିଟର୍ (୮.୧-୯.୨୫ ଇଞ୍ଚ୍) ଲମ୍ବା ।[୭] ଏହାର ଓଜନ ପ୍ରାୟ ୪୭-୬୦ ଗ୍ରାମ୍ । ଏକ ପରିପକ୍ୱ ଅଣ୍ଡିରାର ମୁଣ୍ଡ ଓ ବେକରୁ ନେଇ ପେଟ ପର୍ଯ୍ୟନ୍ତ କମଳା ରଙ୍ଗର । ପିଠି ପଟ ଓ ଡେଣାଗୁଡ଼ିକ ପାଉଁଶିଆ ରଙ୍ଗର । ଡେଣାର ତଳପଟ ଓ ଡେଣା ନିମ୍ନଭାଗର ଲୁଚିଥିବା ଅଂଶ ଧଳା ରଙ୍ଗର । ଏହାର ଥଣ୍ଟଟି ସିଲଟ ପରି ରଙ୍ଗର । ଗୋଡ଼, ପଞ୍ଝା ପ୍ରଭୃତିର ଆଗ ପଟ ମାଟିଆ ଓ ପଛପଟ ଗୋଲାପି କିମ୍ବା ହଳଦିଆ ରଙ୍ଗର ।[୩]

ମାଈ ପକ୍ଷୀ ଦେଖିବାକୁ ଅଣ୍ଡିରା ପରି କିନ୍ତୁ ମାଈର ଡେଣା ଓ ପିଠିର ରଙ୍ଗ ମାଟିଆ କିମ୍ବା ଅଲିଭ୍ ରଙ୍ଗର ହୋଇଥାଏ । କିଛି ବୟସ୍କ ମାଈ ପକ୍ଷୀ ପ୍ରାୟ ଅଣ୍ଡିରା ପକ୍ଷୀଙ୍କ ପରି ଦେଖାଯାନ୍ତି । ତରୁଣ ପକ୍ଷୀମାନଙ୍କ ରଙ୍ଗ ଫିକା ମାଟିଆ, ମୁଣ୍ଡ ଲାଲିମିଶା ମାଟିଆ ଓ ଡେଣା ପାଉଁଶିଆ ରଙ୍ଗର । ଏମାନଙ୍କ ଥଣ୍ଟ ଓ ଗୋଡ଼ ମଧ୍ୟ ପ୍ରାୟ ମାଟିଆ ।

ଏହି ପକ୍ଷୀର କମଳା ଓ ପାଉଁଶିଆ ରଙ୍ଗ ଅତି ସ୍ୱତନ୍ତ୍ର, ତେଣୁ ଅନ୍ୟ ପକ୍ଷୀଙ୍କ ମେଳରେ ଏହି ପ୍ରଜାତିକୁ ସହଜରେ ଚିହ୍ନଟ କରାଯାଇପାରିବ । ଉପପ୍ରଜାତିମାନଙ୍କ ମଧ୍ୟରେ ମୁଣ୍ଡର ଦାଗ ଏକ ପାର୍ଥକ୍ୟ ହୋଇପାରେ (ଯଥା: ସ୍ୟାନୋଟସ୍ ଉପପ୍ରଜାତି) କିନ୍ତୁ ଡେଣା ଓ ଦେହର ରଙ୍ଗରୁ ଉପପ୍ରଜାତିମାନଙ୍କୁ ଠଉରାଇବା କଷ୍ଟ । ଅନ୍ୟ ଯୁଥେରା ଥ୍ରଷ୍ ପକ୍ଷୀଙ୍କ ପରି ଭୂଇଁଖୁଣ୍ଟିଙ୍କ ଡେଣା ତଳେ ଧଳା ଦାଗ ସହିତ ସ୍ୱତନ୍ତ୍ର ଚିହ୍ନ ରହିଥାଏ ।[୩]

ଡାକ[ସମ୍ପାଦନା]

କୋମଳ ଭାବେ ସୃଷ୍ଟ ଚୁକ୍-ଚୁକ୍ ଶବ୍ଦ, ତୀବ୍ର ଭାବେ ସୃଷ୍ଟ ଟୀର୍-ଟୀର୍-ଟୀର୍ ଶବ୍ଦ, ଉଡ଼ିବା ବେଳେ ପତଳା ତ୍ସି-ଜେଫ୍ ଶବ୍ଦ ପ୍ରଭୃତି ଭୂଇଁଖୁଣ୍ଟି ପକ୍ଷୀର ରାବ ବା ଡାକର ପରିସୀମାଭୁକ୍ତ । ଏହି ପକ୍ଷୀ ଅଧିକାଂଶରେ ଏବଂ ବିଶେଷତଃ ଶୀତ ଋତୁରେ ପ୍ରାୟ ନୀରବ ରହିଥାଏ । ବୁଲ୍‍ବୁଲ୍, ବାବ୍ଲର୍ ଓ ଚଞ୍ଚୂରୀ ଆଦି ପକ୍ଷୀଙ୍କ ଶବ୍ଦକୁ ଏମାନେ ଅନୁକରଣ କରିପାରନ୍ତି । ଭୂଇଁଖୁଣ୍ଟିର ରାବ ବା ଗୀତ ଶ୍ରୁତିମଧୁର । ଭୂଇଁଖୁଣ୍ଟି ମୁଖ୍ୟତଃ ପ୍ରାତଃ ଓ ଗୋଧୂଳି ସମୟରେ କୌଣସି ପତ୍ରମୟ ଗଛରେ ବସି ସୁନ୍ଦର କାକଳି ସୃଷ୍ଟି କରିଥାଏ ।[୩]

ଭୂଇଁଖୁଣ୍ଟି ପକ୍ଷୀର ଗୀତ

ବ୍ୟବହାର[ସମ୍ପାଦନା]

ଭୂଇଁଖୁଣ୍ଟି ଚଢ଼େଇ (ଥାଇଲ୍ୟାଣ୍ଡର ଖାଓ ୟାଇ ଜାତୀୟ ଉଦ୍ୟାନରେ ନିର୍ମିତ ଭିଡିଓ)

ସାଧାରଣତଃ ଲାଜକୁଳା ଓ ଗୋପନୀୟ ସ୍ୱଭାବର ଭୂଇଁଖୁଣ୍ଟି ପକ୍ଷୀ ଏକାକୀ ବା ଯୋଡ଼ାରେ ରୁହନ୍ତି କିନ୍ତୁ ପ୍ରଜନନ ଋତୁ ନଥିବା ସମୟରେ କୌଣସି ଉତ୍ତମ ଖାଦ୍ୟ ଉତ୍ସ ପାଖରେ ବହୁ ସଂଖ୍ୟକ ଭୂଇଁଖୁଣ୍ଟି ଏକତ୍ରିତ ହେବା ମଧ୍ୟ ଦେଖାଯାଏ । ଏହି ପକ୍ଷୀ ଚଞ୍ଚଳ ଓ ବିନା ଶବ୍ଦରେ ଉଡ଼ିଯାଏ । ବିପଦର ଆଭାସ ପାଇଲେ ଏହି ପକ୍ଷୀ ନୀରବ ନିଶ୍ଚଳ ଭାବେ ବସି ରହିଥାଏ ଓ ବିପଦ ଦୂର ହେଲେ ପୁଣି ସକ୍ରିୟ ହୁଏ ।[୩]

ପ୍ରଜନନ[ସମ୍ପାଦନା]

ଭାରତର ଭଦ୍ରା ବନ୍ୟଜନ୍ତୁ ଅଭୟାରଣ୍ୟରେ ଏକ ଭୂଇଁଖୁଣ୍ଟି ପକ୍ଷୀ

ଉଭୟ ମାଈ ଓ ଅଣ୍ଡିରା ଭୂଇଁଖୁଣ୍ଟି ନିର୍ମାଣ କରୁଥିବା ବସା ଏକ ଅଗଭୀର ଗିନା ପରି । ନିଜ ବସାର ବହିର୍ପାର୍ଶ୍ୱ ଦୃଢ଼ ରଖିବା ପାଇଁ ଭୂଇଁଖୁଣ୍ଟି ପକ୍ଷୀ ଡାଙ୍ଗ, ନଡ଼ା, ଶୁଖିଲା ଚେର, ଇତ୍ୟାଦି ବ୍ୟବହାର କରେ । ବସାର ଅନ୍ତଃ ପାର୍ଶ୍ୱକୁ ନରମ ରଖିବା ପାଇଁ ସେଥିରେ ଶିଉଳି, ପତ୍ର ପ୍ରଭୃତି ଭରି ରଖାଯାଏ । ଭୂମିରୁ ପ୍ରାୟ ୪.୫ ମିଟର୍ (୧୫ ଫୁଟ୍) ଉଚ୍ଚତାରେ ଏକ ଛୋଟ ଗଛରେ ଏହି ବସା ନିର୍ମିତ ହୁଏ । କିଛି ସ୍ଥାନରେ ଭୂଇଁଖୁଣ୍ଟିମାନେ ଆମ୍ବ ଗଛ ଓ କଫି ବୁଦାରେ ବସା ବାନ୍ଧିବା ଅଧିକ ପସନ୍ଦ କରନ୍ତି । ମାଈ ଭୂଇଁଖୁଣ୍ଟି ସାଧାରଣତଃ ୩-୪ ଓ ବେଳେବେଳେ ୫ଟି ଅଣ୍ଡା ଦେବା ଦେଖାଯାଏ । ଫିକା ନୀଳ, ସବୁଜ ବା ପାଉଁଶିଆ ଗାର ଓ ଲାଲ୍ ମିଶା ମାଟିଆ ଛିଟା ଥିବା ଏହି ଅଣ୍ଡାଗୁଡ଼ିକ ସାଧାରଣତଃ କ୍ରିମ୍ ବା ଘିଅ ପରି ରଙ୍ଗର । ୧୩-୧୪ ଦିନ ଅଣ୍ଡା ଉଷୁମାଇବା ପରେ ଏଗୁଡ଼ିକ ଫୁଟି ସେଥିରୁ ଛୁଆ ବାହାରନ୍ତି । ଅଣ୍ଡା ଫୁଟିବାର ୧୨ ଦିନ ପରେ ଶାବକମାନେ ବସା ଛାଡ଼ି ଉଡ଼ି ଚାଲିଯାଇଥାନ୍ତି ।[୩]

ଅନ୍ୟ ପକ୍ଷୀଙ୍କ ବସାରେ ଗୋଟିଏ ଅଣ୍ଡା ଦେଇ ଉଡ଼ିଯାଉଥିବା ଚାତକ ପକ୍ଷୀ ଅନେକ ସମୟରେ ଭୂଇଁଖୁଣ୍ଟିଙ୍କ ବସାରେ ନିଜ ଅଣ୍ଡା ଦେଇ ଚାଲିଯାଏ ।[୩] କୋଇଲି କିମ୍ବା କୋଇଲିର ଶାବକ ପରି ଏମାନେ ଆଶ୍ରୟ ନେଇଥିବା ବସାର ଅନ୍ୟ ଅଣ୍ଡାଗୁଡ଼ିକୁ ନଷ୍ଟ କରନ୍ତି ନାହିଁ କିନ୍ତୁ ଏହି ଆଶ୍ରିତ ଶାବକମାନଙ୍କ ସହିତ ଖାଦ୍ୟର ପ୍ରତିଯୋଗିତାରେ ତିଷ୍ଠି ନପାରି ବହୁ ଭୂଇଁଖୁଣ୍ଟି ଶାବକ ମୃତ୍ୟୁବରଣ କରିଥାନ୍ତି ।[୯] ଅନ୍ୟ କିଛି ପ୍ରଜାତିର କୋଇଲି ମଧ୍ୟ ଭୂଇଁଖୁଣ୍ଟିଙ୍କ ବସାରେ ନିଜ ଅଣ୍ଡା ଦେଇ ଚାଲିଯିବା ଦେଖାଯାଏ ।[୧୦]

ଆହାର[ସମ୍ପାଦନା]

ଭୂଇଁଖୁଣ୍ଟି ପକ୍ଷୀ ମୁଖ୍ୟତଃ ଭୂମି ଉପରେ ଓ ଘାସ ତଳୁ ନିଜ ଖାଦ୍ୟ ଖୋଜି ଖାଏ । ପ୍ରାତଃ ଓ ଗୋଧୂଳି ସମୟରେ ଏହି ପକ୍ଷୀ ଅଧିକ ସକ୍ରିୟ ରହିଥାଏ । ଝଡ଼ିଥିବା ପତ୍ର ତଳେ ଥିବା ପୋକ, ସେମାନଙ୍କ ଶୁଙ୍କ, ବୁଢ଼ିଆଣୀ, ଅନ୍ୟ ଅମେରୁଦଣ୍ଡୀ ଜୀବ ଓ ଗଛର ଫଳ ଏମାନେ ଆହାର ଭାବେ ଗ୍ରହଣ କରିଥାନ୍ତି । ମାଲେସିଆରେ ପ୍ରବାସ କରୁଥିବା ପକ୍ଷୀମାନେ ନିୟମିତ ଭାବେ ଡିମିରି ଖାଇବା ଦେଖାଯାଇଛି ।[୩]

ସଂରକ୍ଷଣ ସ୍ଥିତି[ସମ୍ପାଦନା]

ଏହି ପକ୍ଷୀର ଭୌଗୋଳିକ କ୍ଷେତ୍ର ଅତି ପରିବ୍ୟାପ୍ତ ଯାହାର ମାପ ପ୍ରାୟ ୧୦ ଲକ୍ଷରୁ ୧ କୋଟି ବର୍ଗ କିଲୋମିଟର । ଏମାନଙ୍କ ସମୁଦାୟ ସଂଖ୍ୟାଗଣନା କରାଯାଇନାହିଁ । କିନ୍ତୁ ନିଜ ଅଞ୍ଚଳରେ ଏମାନେ ବାରମ୍ବାର ଦେଖାଯାଉଥିବାରୁ ଏମାନଙ୍କ ସଂଖ୍ୟା ନିଶ୍ଚିତ ଭାବେ ଅଧିକ ହୋଇଥିବ ବୋଲି ଅନୁମେୟ । IUCN ଲାଲ୍ ତାଲିକାରେ ରହିଥିବା ମାପଦଣ୍ଡ ଅନୁସାରେ ଏମାନଙ୍କ ସଂଖ୍ୟା କମି ସଙ୍କଟାପନ୍ନ ହୋଇନଥିବାର ଅନୁମାନ କରାଯାଏ । ତେଣୁ IUCN ତାଲିକାରେ ଏହି ପକ୍ଷୀର ସଂରକ୍ଷଣ ସ୍ଥିତିକୁ ଲୀଷ୍ଟ୍ କଂଷର୍ଣ୍ଣ୍ (Least Concern – ଚିନ୍ତାର କାରଣ ନୁହେଁ) ଶ୍ରେଣୀଭୁକ୍ତ କରାଯାଇଛି ।[୧]

ଜାଭାରେ ଏହି ପକ୍ଷୀକୁ ପଞ୍ଜୁରୀ ଭିତରେ ପୋଷା କରି ରଖିବା ପ୍ରଥା ଖୁବ୍ ଲୋକପ୍ରିୟ । ପକ୍ଷୀଧରା ବ୍ୟବସାୟ ବଢ଼ି ଚାଲିବାରୁ ସାମ୍ପ୍ରତିକ ସମୟରେ ଭୂଇଁଖୁଣ୍ଟିଙ୍କ ସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଉଛି ।[୩] ଦକ୍ଷିଣ-ପୂର୍ବ ଏସିଆରେ ଅରଣ୍ୟ ଭୂମି ଖଣ୍ଡବିଖଣ୍ଡିତ ହେବା ଯୋଗୁଁ ସମସ୍ତ ବନବାସୀ ବିହଙ୍ଗ ପ୍ରଜାତିଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । କିନ୍ତୁ ଭୂଇଁଖୁଣ୍ଟି ପକ୍ଷୀମାନେ ପରିପୁଷ୍ଟ ବନମୟ ହଂକଂକୁ ନିଜ ପ୍ରବାସ ସ୍ଥଳ ରୂପେ ବାଛି ନେଇଛନ୍ତି । ୧୯୫୬ ମସିହାରେ ପ୍ରଥମେ ହଂକଂରେ ଭୂଇଁଖୁଣ୍ଟି ପକ୍ଷୀ ଦେଖାଯିବାର ଲିପିବଦ୍ଧ କରାଯାଇଥିଲା ।[୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ BirdLife International (2012). "Zoothera citrina". Retrieved 26 November 2013. Cite journal requires |journal= (help)CS1 maint: ref=harv (link)
  2. Latham, John (1790). Index Ornithologicus, sive Systema Ornithologiæ; complectens avium divisionem in classes, ordines, genera, species, ipsarumque varietates: adjectis synonymis, locis, descriptionibus, &c (in ଲାଟିନ୍). London: Leigh & Sotheby. volume 1, 350.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ ୩.୧୯ ୩.୨୦ ୩.୨୧ ୩.୨୨ ୩.୨୩ Clement, Peter; Hathway, Ren; Wilczur, Jan (2000). Thrushes (Helm Identification Guides). Christopher Helm Publishers Ltd. pp. 229–232. ISBN 0-7136-3940-7. ISBN.
  4. ୪.୦ ୪.୧ ୪.୨ ୪.୩ Rasmussen, Pamela C.; Anderton, John C. (2005). Birds of South Asia. The Ripley Guide. Smithsonian Institution and Lynx Edicions. ISBN 84-87334-67-9.
  5. Grimmett, Richard; Inskipp, Carol; Inskipp, Tim (2002). Pocket Guide to Birds of the Indian Subcontinent. London: Christopher Helm Publishers Ltd. p. 226. ISBN 0-7136-6304-9.
  6. Abdulali, Humayun (1965). "Notes on Indian birds 4 - on the validity of Zoothera citrina amadoni (Biswas)". J. Bombay Nat. Hist. Soc. 62 (2): 305–306.
  7. ୭.୦ ୭.୧ ୭.୨ Robson, Craig (2004). A Field Guide to the Birds of Thailand. New Holland Press. p. 176. ISBN 1-84330-921-1.
  8. Lekagul, Boonsong; Round, Philip (1991). A Guide to the Birds of Thailand. Saha Karn Baet. p. 341. ISBN 974-85673-6-2.
  9. Barlow, Clive; Wacher, Tim; Disley, Tony (1997). A Field Guide to birds of The Gambia and Senegal. Robertsbridge: Pica Press. p. 229. ISBN 1-873403-32-1.
  10. "Host list of avian brood parasites - 2 - Cuculiformes; Cuculidae" (PDF). Field Museum. Archived from the original (PDF) on 2011-07-16. Retrieved 2008-02-13.
  11. Leven, Michael R.; Corlett, Richard T. (2004). "Invasive birds in Hong Kong, China". Ornithological Science. 3 (1): 43–55.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]