Jump to content

ଭୀମ ଭୋଇ

ଉଇକିପିଡ଼ିଆ‌ରୁ
(ଭୀମଭୋଇରୁ ଲେଉଟି ଆସିଛି)
ଭୀମ ଭୋଇ
ଭୀମ ଭୋଇ
ଧର୍ମମହିମା ଧର୍ମ
ବ୍ୟକ୍ତିଗତ
ଜନ୍ମ୧୮୫୦
ସମ୍ବଲପୁର, ଓଡ଼ିଶା
ମୃତ୍ୟୁ୧୮୯୫
ସୁବର୍ଣ୍ଣପୁର, ଓଡ଼ିଶା
ଧାର୍ମିକ ବୃତ୍ତି
ଶିକ୍ଷକଗୁରୁ ମହିମା ସ୍ୱାମୀ

ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ ।[] ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।[]

ଜୀବନୀ

[ସମ୍ପାଦନା]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

୧୮୫୦ ମସିହାରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲର ମଧୁପୁର ଗ୍ରାମରେ ଏକ କନ୍ଧ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ନିଜ ଜନ୍ମ ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ସ୍ତୁତି ଚିନ୍ତାମଣିରେ ଲେଖିଛନ୍ତି:

ଜନନୀ ଉଦର ଗୋପ ମଧୁପୁର ପାଶୋରି ନ ଯାଏ ଚିତ୍ତୁ
ମାତୃଗର୍ଭେଗତେ ପାଠ ପଢ଼ୁଥିଲି ଟିକେ ଟିକେ ଅଛି ହେତୁ ।।

— ଭୀମ ଭୋଇ, ସ୍ତୁତି ଚିନ୍ତାମଣି, ୨୨ତମ ବୋଲି

ଜନଶ୍ରୁତିରେ ସେ ବାଲ୍ୟାବସ୍ଥାରେ ଜନ୍ମାନ୍ଧ ଓ ବସନ୍ତ ରୋଗ ହେତୁ ନିଜର ଦୃଷ୍ଟିଶକ୍ତି ହରାଇଥିଲେ ବୋଲି ଉଲ୍ଲିଖିତ । ତେବେ ସେ ନିଜ ରଚନାରେ ନିଜକୁ ଅନ୍ଧ ବୋଲି ଘୋଷଣା କରିନାହାନ୍ତି । ସେ ସମ୍ପୂର୍ଣ୍ଣ ନିରକ୍ଷର ଥିଲେ । ତାଙ୍କ ଦୁଇ ଭାଇଙ୍କ ନାମ ମିଲ୍ଲ ଭୋଇ ଓ ଏକାଦୋଷୀ ଭୋଇ ।

ପରିବାର

[ସମ୍ପାଦନା]

ସେ ସୁମେଧା ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିଥିଲେ ବୋଲି କେତେକ ରଚନାରେ ବର୍ଣ୍ଣିତ । ସୁମେଧା ଥିଲେ ମଢ଼ି ଗ୍ରାମର ଅନ୍ନପୂର୍ଣ୍ଣା ଏବଂ ଗୌନ୍ତିଆ ମୋହନ ଦାସଙ୍କ ଝିଅ । ୧୮୯୨ ମସିହାରେ ଏହି ଦମ୍ପତ୍ତିଙ୍କର ଏକ ଝିଅ ଓ ପୁଅ ଜନ୍ମ ହୋଇଥିଲେ । ଭୀମ ଭୋଇ ସ୍ଥାନୀୟା ମୋହିନୀ, ସରସ୍ୱତୀ ଓ ସୁବର୍ଣ୍ଣାଙ୍କୁ ମଧ୍ୟ ବିବାହ କରିଥିଲେ ବୋଲି ଉଲ୍ଲେଖ ରହିଛି ।[] ତତ୍କାଳୀନ ରେଢ଼ାଖୋଲ ରାଜ୍ୟର ରାଜା ଗୌରଚନ୍ଦ୍ର ଭୀମ ଭୋଇଙ୍କର ପ୍ରଚଳିତ ଜାତି ଭେଦ ଓ ବ୍ରାହ୍ମଣମାନଙ୍କର ଦଳିତଆଦିବାସୀମାନଙ୍କ ପ୍ରତି କଠୋର ଭେଦଭାବ ବିରୋଧରେ ଲଢ଼ାଇ ଦେଖି ତାଙ୍କ ପରିବାରକୁ ଦେଶାନ୍ତର କରିବା ପାଇଁ ଆଦେଶ ଦେଇଥିଲେ । ତାଙ୍କ ପରିବାର ଘରଲୋକେ ଦେଶାନ୍ତର ହେବା ଭୟରେ ନିଜକୁ ଗୋପନ ରଖିଥିଲେ ।[][][] ମଧୁପୁର ଗ୍ରାମରେ ସେ ୧୦ ବର୍ଷ ଅତିବାହିତ କରିଥିଲେ । ପରେ ଅନ୍ୟ ଗ୍ରାମକୁ ଯାଇ ଭିକ୍ଷା ବୃତ୍ତି ଓ ଗୋରୁଗାଈମାନଙ୍କୁ ସେବା କରି ନିଜ ପେଟ ପୋଷୁଥିଲେ ।

କିମ୍ବଦନ୍ତୀ

[ସମ୍ପାଦନା]

ଜନଶ୍ରୁତି ଅନୁସାରେ ଭୀମ ଭୋଇ ପିଲା ବେଳେ କାକଣପଡ଼ାର ଚୈତନ୍ୟ ପ୍ରଧାନ ନାମକ ଜଣକ ଘରେ ଗାଈ ଜଗୁଥିଲେ । ଗାଈ ଚରାଉ ଥିବା ବେଳେ ଦିନେ ଅଜାଣତରେ କନ୍ଦରା ଗାଁରେ ଥିବା ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଥିଲେ । ସେଠାରୁ ଉଦ୍ଧାର କରିବାପାଇଁ ସେ ଡାକ ପକାଇଥିଲେ ଓ ଲୋକେ ପହଞ୍ଚିଥିଲେ । ତେବେ ତାଙ୍କୁ ଯିଏ କୂଅରେ ପକାଇଛି ସେ ନିଜେ ଆସି ନ ଉଠାଇଲେ ଆଉ କାହା ସାହାଯ୍ୟ ନେଇ ଉଠିବେ ନାହିଁ ବୋଲି କହିଥିଲେ । ଶେଷରେ ଜଣେ ମହିମା ଗୋସାଇଁ ସେଠାରେ ପହଞ୍ଚି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ତାଙ୍କ ବିଚାରକୁ ଜନସାଧାରଣରେ ପ୍ରଚାର କରିବେ । ସେ ବାଳକ ଭୀମଭୋଇଙ୍କୁ କବିତ୍ୱ-ଶକ୍ତି ମଧ୍ୟ ପ୍ରଦାନ କରିଥିଲେ ।[]

ମହିମା ଧର୍ମ

[ସମ୍ପାଦନା]

ତାଙ୍କର ଭଜନ, ଜଣାଣ ଓ ଗୀତ ମାଧ୍ୟମରେ ସେ ମହିମା ଧର୍ମର ପ୍ରଚାର କରିଥିଲେ । ସମକାଳରେ ମହିମାଧର୍ମ ସଂକ୍ରାନ୍ତରେ କୌଣସି ପ୍ରାମାଣିକ ଗ୍ରନ୍ଥ ନଥିଲା । ତାଙ୍କ ନିଜ ରଚନା ଅନୁଯାୟୀ ଜଣେ ଅଲେଖ ମହିମା ଗୋସାଇଁ ତାଙ୍କୁ ମହିମା ଧର୍ମ ବା ଅଲେଖ ଧର୍ମର ପ୍ରଚାର କରିବାପାଇଁ ଆଦେଶ ଦେଇଥିଲେ । ମହିମା ଗୋସାଇଁଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ କଳାହାଣ୍ଡି ଜିଲ୍ଲାସ୍ଥିତ ଖଲିଆପାଲିଠାରେ ସତ୍ୟ ମହିମା ଧର୍ମର ବିକାଶରେ ମୁଖ୍ୟ ଭୂମିକା ନିଭାଇଥିଲେ । କେତେକ ଗବେଷକଙ୍କ ମତରେ ସେ ପ୍ରଥମେ ଏକ କୂଅରେ ପଡ଼ିଯାଇଥିବା ବେଳେ ମହିମା ଗୋସାଇଁଙ୍କ ବାବଦରେ ଅବଗତ ହୋଇଥିଲେ । ଅନ୍ୟ କେତେକଙ୍କ ମତରେ ତରୁଣ ବୟସରେ ସେ କୌଣସି ସୂତ୍ରରୁ ମହିମା ଗୋସାଇଁଙ୍କ ବାବଦରେ ଅବଗତ ହୋଇ ମାଳବିହାରପୁର ଅଥବା ଖୁଣ୍ଟୁଣିରେ ତାଙ୍କୁ ସାକ୍ଷାତ କରିଥିଲେ । ତାହାରେ ତାଙ୍କଠାରୁ ଦୀକ୍ଷିତ ହୋଇ ନିଜ ଅଞ୍ଚଳକୁ ଫେରିଥିଲେ । ସେ ନିଜ କବି ପ୍ରତିଭାକୁ ମହିମା ଗୋସାଇଁଙ୍କ ବ୍ୟକ୍ତିତ୍ୱ ଓ ବିଚାର ପ୍ରଚାର ଓ ପ୍ରସାର କରିଥିଲେ । ସିଦ୍ଧିଲାଭ ପରେ ୧୮୬୬ ମସିହା ବେଳକୁ ସେ ମହିମା ଗୋସାଇଁଙ୍କ ବିଚାର ପ୍ରଚାର ପାଇଁ ଜନପଦରୁ ଜନପଦ ଯାତ୍ରା ଆରମ୍ଭକରିଥିଲେ । ତାଙ୍କ ସାଙ୍ଗଠନିକ ଶକ୍ତି ପ୍ରଥମେ ରେଢ଼ାଖୋଲର ରାଜା ଗୌରଚନ୍ଦ୍ରଙ୍କ ଅହଂକାରର ସମ୍ମୁଖୀନ ହୋଇଥିଲା । ଜଣେ କନ୍ଧ ବ୍ୟକ୍ତି ସମାଜରେ ଆଦର ଓ ସମ୍ମାନ ପାଇବା ଦେଖି ରାଜା ତାଙ୍କୁ ବନ୍ଦୀ କରିଥିଲେ । ବ୍ରାହ୍ମଣ ଓ କ୍ଷତ୍ରିୟମାନଙ୍କ ପ୍ରରୋଚନାରେ ରାଜା ତାଙ୍କୁ ରାଜ୍ୟ ତ୍ୟାଗ କରିବାକୁ ମଧ୍ୟ ଆଦେଶ ଦେଇଥିଲେ । ସେ ରେଢ଼ାଖୋଲ ତ୍ୟାଗ କରି ଗୁଲୁଣ୍ଡାଭୁର୍ଷାପାଲିରେ କିଛି ବର୍ଷର ରହଣି ପରେ ପ୍ରାୟ ୧୮୭୭ ବେଳକୁ ସୋନପୁର ରାଜ୍ୟର ଖଲିଆପାଲିରେ ଆଶ୍ରମ ପ୍ରତିଷ୍ଠା କରିଥିଲେ । ଏହି କାର୍ଯ୍ୟରେ ତାଙ୍କୁ ସୋନପୁରର ତତ୍କାଳୀନ ରାଜା, ଗୌନ୍ତିଆ ତଥା ଅନ୍ୟମାନେ ସାହାଯ୍ୟ କରିଥିଲେ । ଦାନ ସୂତ୍ରରେ ଆଶ୍ରମକୁ ପ୍ରାୟ ୬୦ ଏକର ଜମି ମଧ୍ୟ ମିଳିଥିଲା । ସୋନପୁରର ରାଜା ନୀଳଧର ସିଂହଦେଓ ତାଙ୍କ ଲୋକପ୍ରିୟତା ଓ ସାମାଜିକ ପ୍ରତିପତ୍ତି ଦେଖି ପ୍ରତିକ୍ରିୟାଶୀଳ ହୋଇ ପବିତ୍ରତା ପରୀକ୍ଷା ପାଇଁ ଭୀମଭୋଇଙ୍କୁ ଅଗ୍ନି-ପ୍ରବେଶ ପରି ଅମାନବୀୟ ଆଦେଶ ଦେଇଥିବା ଉଲ୍ଲେଖ ରହିଛି । ତେବେ ଲୋକଶ୍ରୁତି ଅନୁସାରେ ଅଗ୍ନିପରୀକ୍ଷାର ପୂର୍ବ ଦିନ ଏକ କୀଟ-ଦଂଶନଜନିତ ଜ୍ୱରରେ ରାଜାଙ୍କର ମୃତ୍ୟୁ ଘଟିଥିଲା ।[]

ରଚନାବଳୀ

[ସମ୍ପାଦନା]

ଭୀମ ଭୋଇ ନିଜ ରଚନାରେ ସମାଜରେ ଉଚ୍ଚନୀଚ ଭେଦଭାବ, ଦଳିତ ଓ ଆଦିବାସୀମାନଙ୍କ ଉପରେ ତଥାକଥିତ ଉଚ୍ଚ ଜାତିର ଲୋକଙ୍କ ପ୍ରତାଡ଼ନା ତଥା ବିଭିନ୍ନ କୁସଂସ୍କାର ବିରୋଧରେ ତଥା ମହିମା ଧର୍ମର ବିଚାରକୁ ପ୍ରଚାର କରିଛନ୍ତି । ସେ ସମ୍ପୂର୍ଣ୍ଣ ନିରକ୍ଷର ଥିବା ଯୋଗୁଁ ଅନ୍ୟାନ୍ୟ କବିମାନଙ୍କ ରଚନା ତାଙ୍କୁ ପ୍ରଭାବିତ କରିପାରିନଥିଲା ।[]

  • ସ୍ତୁତିଚିନ୍ତାମଣି
  • ହଲିଆ ଗୀତ
  • ଡାଲଖାଈ
  • ରସରକେଲି
  • ଜାଇଫୁଲ
  • ବ୍ରହ୍ମ ନିରୂପଣ ଗୀତା
  • ଆଦିଅନ୍ତ ଗୀତା
  • ଅଷ୍ଟକ ବିହାରୀ ଗୀତା
  • ନିର୍ବେଦ ସାଧନା
  • ଶ୍ରୁତିନିଷେଧ ଗୀତା
  • ମନୁସଭାମଣ୍ଡଳ
  • ଗୃହଧର୍ମ
  • ମହିମାବିନୋଦ

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।।

— ଭୀମ ଭୋଇ
  1. ୧.୦ ୧.୧ Orissa Review May 2005
  2. ୨.୦ ୨.୧ ୨.୨ ୨.୩ ୨.୪ "ଭୀମ ଭୋଇ". ova.gov.in. Archived from the original on 2022-08-16. Retrieved 2022-08-16.
  3. The Telegraph, July 21 , 2008
  4. Eminent Personaltites of Sambalpur District - 3. Bhima Bhoi

ଅଧିକ ପଠନ

[ସମ୍ପାଦନା]