ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର

ଉଇକିପିଡ଼ିଆ ରୁ
Jump to navigation Jump to search

ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଆବିର୍ଭାବ ୧୮୭୪ ମସିହା ଫେବୃଆରୀ ୬ ତାରିଖରେ I ପିତାଙ୍କ ନାମ କେଦାରନାଥ ଦତ୍ତ ଓ ମାତା ଭଗବତୀ ଦେବୀ I ଏହି ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତ, ମହାନ ବୈଷ୍ଣବ ଆଚାର୍ୟ ପୁରୀରେ ଜନ୍ମଗ୍ରହଣ କରିଥିଲେ । ସେ ଗୌଡ଼ୀୟ ବୈଷ୍ଣବଧର୍ମର ଜଣେ ପ୍ରକ୍ଷାତ ଧର୍ମୀୟ ନେତା, ଗୁରୁ ଓ ଗୌଡ଼ୀୟ ମଠ ମାନଙ୍କର ପ୍ରତିଷ୍ଠାତା ଅଟନ୍ତି । ତାଙ୍କର ପ୍ରକୃତ ନାମ "ବିମଲା ପ୍ରସାଦ ଦତ୍ତ"। କୃଷ୍ଣ ଭକ୍ତିମୂଳକ ଉପାସନାର କର୍ତ୍ତା ସରସ୍ୱତୀ ଗୋସ୍ୱାମୀ, ବୈଷ୍ଣବ ମତବାଦ ପ୍ରକାଶକାରୀ ମାନଙ୍କ ମଧ୍ୟରେ ନେତୃସ୍ଥାନୀୟ ନାମ । ତାଙ୍କ ଠାରୁ ଅନୁପ୍ରେରଣା ଏବଂ ଆଶୀର୍ବାଦ ପାଇ ଅଭୟଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ସମ୍ପୂର୍ଣ ବିଶ୍ୱରେ ଇସକନ (ISKCON) ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରାଇବା ଓ ଭଗବାନ ଶ୍ରୀ କୃଷ୍ଣଙ୍କର ଏକନିଷ୍ଠ ଭକ୍ତ ଗଢିବାରେ ସକ୍ଷମ ହୋଇ ଥିଲେ ।

ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ବିଂଶ ଶତାବ୍ଦୀର ଆରମ୍ଭରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ବାଣୀ ନିଷ୍ଠାର ସହିତ ପ୍ରଚାର କରିଥିଲେ । ବିଜ୍ଞାନ ସମ୍ମତ କୃଷ୍ଣଭାବନାର ଉଚ୍ଚମୂଲ୍ୟ ପ୍ରଦାନ କରି ପଣ୍ଡିତ, ଶିକ୍ଷକ ଏବଂ ଅନ୍ୟାନ୍ୟ ନେତୃସ୍ଥାନୀୟ ବ୍ୟକ୍ତିଗଣଙ୍କ ସହିତ ବୈଠକ ଓ ଆଲୋଚନା କରିବା ଓ ୧୦୮ଟି ରଚନା ଓ ଗ୍ରନ୍ଥ ଲେଖି ସେ ପ୍ରଚାର ସଂଗ୍ରାମ ଜାରି ରଖିଥିଲେ । ସେ ଭାରତ ଭିତରେ ଓ ବିଦେଶରେ ୬୪ଟି ମନ୍ଦିର ପ୍ରତିଷ୍ଠା କରିଥିଲେ ଯାହା ଗୌଡ଼ୀୟ ମଠ ନାମରେ ପରିଚିତ ।

ଶ୍ରୀ ଭକ୍ତିବିନୋଦ ଠାକୁର, ବାଳକ ଵିମଲାଙ୍କୁ ୬ ବର୍ଷ ବୟସ ହୋଇଥିବା ସମୟରେ, ନୃସିଂହ ମନ୍ତ୍ର ପ୍ରଦାନ କରିଥିଲେ । ବୟସ ୮ ବର୍ଷ ସମୟରେ କୂର୍ମ ମନ୍ତ୍ର ପ୍ରଦାନ କରି କୂର୍ମଦେବଙ୍କ ପୂଜାର୍ଚନା ପଦ୍ଧତି ଶିଖାଇଥିଲେ I ଶ୍ରୀମଦ ଭାଗବତ ଗୀତା ଓ ଚୈତନ୍ୟ ମହାପ୍ରଭୁଙ୍କର ପବିତ୍ର ଜୀବନ ଚରିତ୍ର ତାଙ୍କୁ କୃଷ୍ଣ ଭକ୍ତିର ସିଡ଼ି ଚଢିଯିବାରେ ଉତ୍ସାହିତ କରିଥିଲା । ୧୮୮୫ ମସିହାରେ ଶ୍ରୀ ଭକ୍ତିବିନୋଦ ଠାକୁର ନିଜ ଲିଖିତ ଗ୍ରନ୍ଥ ସମୂହ ପ୍ରକାଶନ ନିମନ୍ତେ ଗୋଟିଏ ଛାପାଖାନା ପ୍ରତିଷ୍ଠା କଲେ । ୧୧ ବର୍ଷ ବୟସରେ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କ ରଚନା ସମୂହ ସମ୍ପାଦନା, ଭୁଲ ସଂଶୋଧନ ଏବଂ ସେଇ ଅପ୍ରାକୃତ ଗ୍ରନ୍ଥସମୂହ ଛାପିବା କାର୍ଯ୍ୟରେ ଭକ୍ତିବିନୋଦ ଠାକୁରଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ ।

୧୮୯୧ ମସିହାରେ ଯେତେବେଳେ ତାଙ୍କ ବୟସ ୧୭ ବର୍ଷ, ସେ ‘‘ଦି ଅଗଷ୍ଟ ଆସେମ୍ବ୍ଲି’’ ନାମକ ଗୋଟିଏ ସଂଗଠନ ପ୍ରତିଷ୍ଠା କଲେ । ଅଗଷ୍ଟ ଆସେମ୍ବ୍ଲିର ଉଦ୍ଦେଶ୍ୟ ଥିଲା ତରୁଣ କିଶୋର ମାନଙ୍କୁ ଏକତ୍ରିତ କରି କୃଷ୍ଣ ଭକ୍ତି ପ୍ରତି ଆକୃଷ୍ଟ କରିବା । ଏହି ବୟସରେ ସେ ଇଂରାଜୀ ଓ ବଙ୍ଗଳାରେ ବକ୍ତୃତା ଦେଇ ପାରୁଥିଲେ I ସେ ଦକ୍ଷିଣେଶ୍ୱର ମନ୍ଦିରରେ ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦ ଙ୍କର ଧର୍ମତତ୍ତ୍ୱ ଉପରେ ବକ୍ତୃତା ଦେଉଥିଲେ । ସମଗ୍ର ଜୀବନରେ ବ୍ରହ୍ମଚର୍ଯ୍ୟ ପାଳନ କରିବାର ପ୍ରତିଜ୍ଞା ନେଲେ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର । ତା ପର ବର୍ଷ ଭକ୍ତିବିନୋଦ ଠାକୁର “ସେବାନନ୍ଦ ସୁଖଦା କୁଞ୍ଜ” ପ୍ରତିଷ୍ଠା କଲେ ଯାହା ଥିଲା ତାଙ୍କର ବାସସ୍ଥାନ ଏବଂ ଭଜନ କୁଟୀର । ୧୮୯୮ ମସିହାରେ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର, ଶ୍ରୀଲ ଗୌରକିଶୋର ଦାସ ବାବାଜୀ ମହାରାଜଙ୍କର ସାକ୍ଷାତ ଲାଭ କଲେ ।

୧୯୦୦ ମସିହାରେ ବହୁ ପ୍ରଚେଷ୍ଟା ଏବଂ ଅନେକ ବାଧାର ପରୀକ୍ଷା ଅତିକ୍ରମ କରି ସେ ଶ୍ରୀଲ ଗୌରକିଶୋର ଦାସ ବାବାଜୀ ମହାରାଜଙ୍କର ନିକଟରୁ ଦୀକ୍ଷା ପ୍ରାପ୍ତ ହୋଇଥିଲେ । ଗୌର କିଶୋର ଦାସ ବାବାଜୀ କୌଣସି ଶିଷ୍ୟ ଗ୍ରହଣ କରିବାକୁ ମନା କରୁଥିବା ସମୟରେ ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ ଆଗ୍ରହର ସହିତ ଦୀକ୍ଷା ପ୍ରଦାନ କଲେ । ୧୯୦୫ ମସିହାରେ ସେ ଶତକୋଟି ହରିନାମ ଜପ କରିବାର ଆଉ ଗୋଟିଏ ମହା ସଂକଳ୍ପ ଗ୍ରହଣ କଲେ । ଏଥିନିମନ୍ତେ ସେ ଦଶ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ୧୯୨ ମାଳା ଜପ କରିଥିଲେ । ସେ ସମୟରେ ମାୟାପୁରରେ କିଛି ନଥିଲା I କିନ୍ତୁ ସେ ଏହି ଜପ ମାୟାପୁରରେ ସମ୍ପାଦନ କରିବାକୁ ଚାହିଁଲେ I

ସେ ଗଙ୍ଗା (ହୁଗୁଳୀ) ନଦୀ ତୀରରେ ଏକ ଛୋଟ କୁଡ଼ିଆରେ ରହିଲେ I ବର୍ଷା ସମୟରେ ଭଙ୍ଗା କୁଡ଼ିଆରେ ତାଙ୍କୁ ଓଦା ହେବାକୁ ପଡୁଥିଲା I ଛତା ନେଇ ହରିନାମ ଜପ କଲେ । ୧୯୧୮ ମସିହାରେ ସେ ହରିନାମ ପ୍ରଚାର ମିଶନ ଆରମ୍ଭ କଲେ । ମିଶନ ହେଲା ନବଦ୍ୱୀପର ମାୟାପୁର ଛାଡି କୋଲକାତା ଯାଇ ପ୍ରଚାର ଆରମ୍ଭ କରିବେ ଓ ସାରା ବିଶ୍ୱକୁ କୃଷ୍ଣ ଭାବନାର ଯୁଆରରେ ପ୍ଲାବିତ କରିବେ । ଗୌର କିଶୋର ଦାସ ବାବାଜୀ ମହାରାଜଙ୍କୁ ବୁଝାଇ ସେ ପ୍ରଚାର ମିଶନରେ ଅଗ୍ରସର ହେବାକୁ ସ୍ଥିର କଲେ । ଏହା ମଧ୍ୟରେ ଭକ୍ତବିନୋଦ ଠାକୁର ଅପ୍ରକଟ (ଅନ୍ତର୍ଧ୍ୟାନ) ହେଲେ ୧୯୧୪ ମସିହାରେ ଓ ଗୌରକିଶୋର ଦାସ ବାବାଜୀ ମହାରାଜ ଅପ୍ରକଟ (ଅନ୍ତର୍ଧ୍ୟାନ) ହେଲେ ୧୯୧୫ ମସିହାରେ I

୧୯୧୮ ମସିହାରେ, ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କର ପ୍ରଚାର ଆନ୍ଦୋଲନ ଆରମ୍ଭ କଲେ । ତାଙ୍କର ପ୍ରଥମ ମଠ ବା ପ୍ରଚାର କେନ୍ଦ୍ର ସ୍ଥାପନ କଲେ ଓଲଟାଡ଼ଙ୍ଗା ପ୍ରଧାନ ସଡ଼କରେ । ସେ ମଠରେ ଶ୍ରୀଲ ପ୍ରଭୁପାଦ ୧୯୨୨ ମସିହାରେ ତାଙ୍କ ସହିତ ସାକ୍ଷାତ କରିଥିଲେ । ସେ ସମୟରେ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର, ଶ୍ରୀଲ ପ୍ରଭୁପାଦଙ୍କୁ ନିଜର ପ୍ରଥମ ନିର୍ଦେଶ ପ୍ରଦାନ କଲେ “ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷା ଇଂରାଜୀ ଭାଷାରେ ସାରାବିଶ୍ୱରେ ପ୍ରଚାର କର” । ସେତେବେଳେ ପ୍ରଭୁପାଦଙ୍କର ବୟସ ଥିଲା ୨୬ ବର୍ଷ । ସେ ଜଣେ ଗୃହସ୍ଥ ଥିଲେ ଏବଂ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଥିଲେ ।

ଶ୍ରୀଲ ପ୍ରଭୁପାଦ ଏଗାର ବର୍ଷ ଧରି ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଆନୁଗତ୍ୟରେ ରହି ବୈଦିକ ଶିକ୍ଷା ଗ୍ରହଣ କଲେ ଏବଂ ୧୯୩୩ ମସିହାରେ ଏଲାହାବାଦ (ଅଧୁନା ପ୍ରୟାଗରାଜ)ଠାରେ ତାଙ୍କ ଠାରୁ ଦୀକ୍ଷା ପ୍ରାପ୍ତ ହେଲେ । ଶ୍ରୀଲ ପ୍ରଭୁପାଦ ଚାକିରୀ ଏବଂ ଅନ୍ୟାନ୍ୟ କର୍ତବ୍ୟ ପରିତ୍ୟାଗ କରି ସାରା ବିଶ୍ୱରେ କୃଷ୍ଣ ଭାବନାମୃତ ପ୍ରଚାର କରିବାରେ ବ୍ରତୀ ହେଲେ ।

ସାଧାରଣତଃ ସଂକୀର୍ତ୍ତନର ଅର୍ଥ ହେଲା ସମ୍ମିଳିତ କୀର୍ତ୍ତନ । କିନ୍ତୁ ଏଠାରେ ସଂକୀର୍ତ୍ତନ ଆନ୍ଦୋଲନ ମାନେ ଥିଲା ଗ୍ରନ୍ଥ ଛାପିବା ଓ ବିତରଣ କରିବା । ଓଲଟାଡ଼ଙ୍ଗାର ପ୍ରଧାନ ସଡ଼କର ଦୋତାଲା ଘର ସ୍ଥିତ ମଠ ପରେ କିଛି ଧନୀ ଲୋକ ତାଙ୍କ ପ୍ରଚାରରେ ଆକର୍ଷିତ ହୋଇ ବାଗବଜାରରେ ଗୋଟିଏ ବଡ଼ ମନ୍ଦିର ତିଆରି କଲେ । ତାପରେ ସେ ଓଲଟାଡ଼ଙ୍ଗାରୁ ବାଗବଜାର ଗୌଡ଼ୀୟ ମଠକୁ ଆସିଲେ I

୧୯୩୬ ମସିହା ଜାନୁଆରୀ ୧ ତାରିଖ ଭୋର ୫ ଟା ୩୦ ମିନିଟ ସମୟରେ ତାଙ୍କର ଅପ୍ରକଟ (ଅନ୍ତର୍ଧ୍ୟାନ) ହୋଇଥିଲା ।

ହରେକୃଷ୍ଣ !

[୧]

  1. "ভক্তিসিদ্ধান্ত সরস্বতী ঠাকুর", উইকিপিডিয়া (in Bengali), 2020-12-01, retrieved 2021-03-03