Jump to content

ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର

ଉଇକିପିଡ଼ିଆ‌ରୁ
(ବ୍ୟବହାରକାରୀ:Hpsatapathy/sandbox41ରୁ ଲେଉଟି ଆସିଛି)
Ishwar Chandra Vidyasagar

ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର (୨୬ ସେପ୍ଟେମ୍ବର ୧୮୨୦ – ୨୯ ଜୁଲାଇ ୧୮୯୧) ହେଲେ ଉନ୍ନବିଂଶ ଶତାବ୍ଦୀର ଭାରତର ଏକ ପ୍ରସିଦ୍ଧ ଦାର୍ଶନିକ, ଶିକ୍ଷାବିଦ୍, ସମାଜ ସୁଧାରକ, ଲେଖକ, ଅନୁବାଦକ, ମୁଦ୍ରକ, ପ୍ରକାଶକ, ଉଦ୍ୟମୀ ଓ ପରୋପକାରୀ ବ୍ୟକ୍ତି । ତାଙ୍କ ଶୈଶବ କାଳର ନାମ ଥିଲା ଈଶ୍ୱର ଚନ୍ଦ୍ର ବନ୍ଦ୍ୟୋପାଧ୍ୟାୟ । ସଂସ୍କୃତ ଭାଷା ଓ ଦାର୍ଶନିକତାରେ ତାଙ୍କ ଅସାଧାରଣ ପାଣ୍ଡିତ୍ୟ ଦେଖି ସଂସ୍କୃତ କଲେଜ ତାଙ୍କୁ ବିଦ୍ୟାର୍ଥୀଜୀବନରେ "ବିଦ୍ୟାସାଗର" ଉପାଧି ଦେଇଥିଲା ।[]

ସେ ନାରୀ ଶିକ୍ଷାର ପକ୍ଷପାତୀ ଥିଲେ । ତାଙ୍କ ଚେଷ୍ଟାରେ କଲକାତା ଓ ଅନ୍ୟାନ୍ୟ ସ୍ଥାନରେ ବହୁ ଝିଅମାନଙ୍କ ପାଇଁ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ସେ ସମୟରେ ହିନ୍ଦୁ ସମାଜରେ ବିଧବାମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା । ବିଦ୍ୟାସାଗର ଲୋକମତ ଗଠନ କରି ବିଧବା ପୁନର୍ବିବାହ ପାଇଁ ଆନ୍ଦୋଳନ ଚାଲାଇଥିଲେ । ତାଙ୍କ ଚେଷ୍ଟାରେ ୧୮୫୬ ଖ୍ରୀ.ରେ ବିଧବା ପୁନର୍ବିବାହ ଆଇନ ପାସ ହୋଇଥିଲା । ସେ ନିଜ ଏକମାତ୍ର ପୁଅଙ୍କ ବିବାହ ଜଣେ ବିଧବାଙ୍କ ସହିତ କରିଥିଲେ ।[] ସେ ବାଲ୍ୟ ବିବାହର ବିରୋଧୀ ଥିଲେ ।

ବଙ୍ଗାଳୀ ଗଦ୍ୟ ଭାଷାକୁ ସହଜ ଓ ଆଧୁନିକ କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ । ସେ ବଙ୍ଗାଳୀ ଲିପିର ଅକ୍ଷରମାଳାକୁ ସରଳ ଓ ଯୁକ୍ତିସଂଗତ ରୂପ ଦେଇଥିଲେ । ବଙ୍ଗାଳୀ ଶିକ୍ଷା ପାଇଁ ସେ ଶତାଧିକ ବିଦ୍ୟାଳୟ ସ୍ଥାପନ କରିଥିଲେ ଓ ରାତ୍ରି ପାଠଶାଳା ମଧ୍ୟ ଚାଲୁ କରିଥିଲେ । ସେ ସଂସ୍କୃତ ଭାଷାର ପ୍ରଚାର ପାଇଁ ଚେଷ୍ଟା କରିଥିଲେ ଓ ସଂସ୍କୃତ କଲେଜରେ ପାଶ୍ଚାତ୍ୟ ଚିନ୍ତନ ଅଧ୍ୟୟନ ଆରମ୍ଭ କରିଥିଲେ ।

୨୦୦୪ ମସିହାରେ ହୋଇଥିବା ଏକ ସର୍ବେକ୍ଷଣରେ ସେ ‘ଏପର୍ଯ୍ୟନ୍ତର ସର୍ବଶ୍ରେଷ୍ଠ ବଙ୍ଗାଳୀ’ ଭାବେ ଘୋଷିତ ହୋଇଥିଲେ ।

ଜୀବନ ପରିଚୟ

[ସମ୍ପାଦନା]

ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ମେଦିନିପୁର ଜିଲ୍ଲାର ବୀରସିଂହ ଗାଁରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ଠାକୁରଦାସ ବନ୍ଦ୍ୟୋପାଧ୍ୟାୟ । ନଅ ବର୍ଷ ବୟସରେ ଈଶ୍ୱର ଚନ୍ଦ୍ର ପିତାଙ୍କ ସହ କଲକାତା ଗଲେ ଓ ସଂସ୍କୃତ କଲେଜରେ ଶିକ୍ଷା ଆରମ୍ଭ କଲେ । ଶାରୀରିକ ଅସୁସ୍ଥତା, ଦାରିଦ୍ର୍ୟ ଓ ଗୃହକାର୍ଯ୍ୟର ବ୍ୟସ୍ତତା ମଧ୍ୟରେ ମଧ୍ୟ ସେ ପ୍ରାୟ ସମସ୍ତ ପରୀକ୍ଷାରେ ପ୍ରଥମ ହେଲେ ।[] ୧୮୪୧ ମସିହାରେ ସେ ଫୋର୍ଟ ଉଇଲିୟମ କଲେଜରେ ପ୍ରଧାନ ପଣ୍ଡିତ ଭାବେ ନିଯୁକ୍ତ ହେଲେ ।

ସେ ୧୮୪୬ ମସିହାରେ ସଂସ୍କୃତ କଲେଜର ସହକାରୀ ସମ୍ପାଦକ ହେଲେ, କିନ୍ତୁ ମତଭେଦ ଯୋଗୁଁ ପଦତ୍ୟାଗ କଲେ । ପରେ ୧୮୫୧ରେ ସେ ସେହି କଲେଜର ମୁଖ୍ୟାଧ୍ୟକ୍ଷ ହେଲେ । ୧୮୫୫ରେ ସେ ଅସିଷ୍ଟାଣ୍ଟ ଇନସ୍ପେକ୍ଟର ଏବଂ ପରେ ସ୍ପେଶାଲ ଇନସ୍ପେକ୍ଟର ଭାବେ ନିଯୁକ୍ତ ହେଲେ। ୧୮୫୮ରେ ପୁଣି ମତଭେଦ ହେବାରୁ ପଦତ୍ୟାଗ କରି ସାହିତ୍ୟ ଓ ସମାଜସେବାରେ ନିଜକୁ ନିୟୋଜିତ କଲେ ।

ପ୍ରାରମ୍ଭିକ ଜୀବନରେ ଦାରିଦ୍ର୍ୟ ସେଠାରେ ତାଙ୍କୁ କଞ୍ଜୁସ ନୁହେଁ, ବରଂ ‘ଦୟାସାଗର’ କରିଥିଲା । ଶିକ୍ଷାଜୀବନରେ ମଧ୍ୟ ସେ ଅନେକ ଛାତ୍ରଙ୍କୁ ସାହାଯ୍ୟ କରିଥିଲେ । ପରେ ସେ ନିଜ ଧନରେ ଦରିଦ୍ର ଛାତ୍ର, ବିଧବା ଓ ନିରାଶ୍ରୟମାନଙ୍କୁ ସାହାଯ୍ୟ କଲେ । ସେ ନାରୀ ଶିକ୍ଷାର ପ୍ରମୁଖ ସମର୍ଥକ ଥିଲେ। ବେଥ୍ୟୁନଙ୍କ ସହଯୋଗରେ ସେ ଝିଅମାନଙ୍କ ପାଇଁ ସ୍କୁଲ ସ୍ଥାପନ କଲେ ଓ ତାହାର ପରିଚାଳନା ନିଜେ କଲେ । ସେ ନିଜ ଖର୍ଚ୍ଚରେ ମେଟ୍ରୋପୋଲିସ କଲେଜ ସ୍ଥାପନ କରିଥିଲେ ଓ ଅନେକ ସହାୟତାପ୍ରାପ୍ତ ବିଦ୍ୟାଳୟ ଖୋଲିଥିଲେ । ସଂସ୍କୃତ ଶିକ୍ଷା ପାଇଁ ସହଜ ପ୍ରଣାଳୀ ରଚିଥିଲେ ଓ ଶିକ୍ଷା ପ୍ରଣାଳୀରେ ଅନେକ ସୁଧାର କଲେ ।

ସେ ବିଧବା ପୁନର୍ବିବାହ ପାଇଁ ଶାସ୍ତ୍ରୀୟ ଆଧାର ଦେଇ ତାହାକୁ ବୈଧ ପ୍ରମାଣ କଲେ । ୧୮୬୫ର ଆଇନ ଦ୍ୱାରା ପୁନର୍ବିବାହିତ ବିଧବାଙ୍କ ସନ୍ତାନଙ୍କୁ ବୈଧ ସ୍ୱୀକାର କରାଇଲେ । ସେ ନିଜ ପୁଅଙ୍କ ବିବାହ ମଧ୍ୟ ଏକ ବିଧବା ସହ କଲେ । ସେ ସଂସ୍କୃତ କଲେଜର ଶିକ୍ଷା ଦ୍ୱାରକୁ ସମସ୍ତ ହିନ୍ଦୁ ଜାତି ପାଇଁ ଖୋଲିଥିଲେ ।

ସାହିତ୍ୟ ସାଧନାରେ ସେ ବଙ୍ଗାଳୀ ଗଦ୍ୟର ପ୍ରବର୍ତ୍ତକମାନଙ୍କ ମଧ୍ୟରୁ ଅନ୍ୟତମ । ସେ ୫୨ଟି ପୁସ୍ତକ ରଚନା କରିଥିଲେ — ସେଥିରୁ ୧୭ଟି ସଂସ୍କୃତରେ, ୫ଟି ଇଂରାଜୀରେ ଓ ଅନ୍ୟସବୁ ବଙ୍ଗାଳୀରେ । ତାଙ୍କ ପ୍ରସିଦ୍ଧ ଗ୍ରନ୍ଥ ହେଉଛି "ବୈତାଳ ପଞ୍ଚବିଂଶତି", "ଶକୁନ୍ତଳା""ସୀତାବନବାସ"

ସେ ଜୁଲାଇ ୧୮୯୧ ରେ ପରଲୋକ ଗମନ କଲେ । ତାଙ୍କ ମୃତ୍ୟୁ ପରେ ରବୀନ୍ଦ୍ରନାଥ ଠାକୁର କହିଥିଲେ — "One wonders how God, in the process of producing forty million Bengalis, produced a man!"[][]

"ଆଶ୍ଚର୍ଯ୍ୟର କଥା ଏହି ଯେ, ଈଶ୍ୱର ଚାଳିସ ଲକ୍ଷ ବଙ୍ଗାଳୀମଧ୍ୟରେ କିପରି ଏଭଳି ଏକ ମଣିଷକୁ ଜନ୍ମ ଦେଲେ !”

ତାଙ୍କ ନିବାସ “ନନ୍ଦନ କାନନ” ପରେ ବିକ୍ରି ହୋଇଥିଲା, କିନ୍ତୁ ୧୯୭୪ ମାର୍ଚ୍ଚ ୨୯ରେ ବିହାର ବଙ୍ଗାଳୀ ସଂଘ ଗୃହେ ଗୃହେ ଏକ ଟଙ୍କା ଦାନ ସଂଗ୍ରହ କରି ସେଥିକୁ କିଣିଲେ ଓ ବିଦ୍ୟାସାଗରଙ୍କ ନାମରେ ଏକ ବାଳିକା ବିଦ୍ୟାଳୟ ପୁନଃ ଆରମ୍ଭ କଲେ । ନିଶୁଳ୍କ ହୋମିଓପାଥିକ ଚିକିତ୍ସାଳୟ ମଧ୍ୟ ସେଠାରେ ଚାଲୁଅଛି । ବିଦ୍ୟାସାଗରଙ୍କ ପ୍ରାଚୀନ ନିବାସ ଆଜିପର୍ଯ୍ୟନ୍ତ ସଂରକ୍ଷିତ ଅଛି । ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ହେଉଛି ତାଙ୍କ ୧୫୦ ବର୍ଷ ପୁରୁଣା ପାଲକୀ, ଯାହା ସେ ନିଜେ ବ୍ୟବହାର କରୁଥିଲେ ।

ରାମକୃଷ୍ଣଙ୍କ ସହ ସାକ୍ଷାତ

[ସମ୍ପାଦନା]

ବିଦ୍ୟାସାଗର ଏକ ରୂଢ଼ିବାଦୀ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ସାମାଜିକ ଦୃଷ୍ଟିକୋଣରେ ଉଦାର ମନୋଭାବ ରଖୁଥିଲେ । ସେ ବହୁତ ଶିକ୍ଷିତ ଥିଲେ ଏବଂ ପୂର୍ବାତ୍ୟ (Oriental) ଚିନ୍ତାଧାରା ଓ ଧାରଣାରୁ ପ୍ରଭାବିତ ହୋଇଥିଲେ । ବିପରୀତପକ୍ଷେ, ଶ୍ରୀ ରାମକୃଷ୍ଣଙ୍କ ପରମହଂସଙ୍କର ଔପଚାରିକ ଶିକ୍ଷା ନଥିଲା । ତଥାପି, ତାଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ଥିଲା । ଯେତେବେଳେ ଶ୍ରୀରାମକୃଷ୍ଣ ବିଦ୍ୟାସାଗରଙ୍କ ସହିତ ସାକ୍ଷାତ କଲେ, ସେ ବିଦ୍ୟାସାଗରଙ୍କୁ “ଜ୍ଞାନ ସାଗର” (ବୁଦ୍ଧିର ସମୁଦ୍ର) ବୋଲି ପ୍ରସଂଶା କଲେ । ବିଦ୍ୟାସାଗର ହସି ମଜାରେ କହିଲେ ଯେ, ଶ୍ରୀରାମକୃଷ୍ଣଙ୍କୁ ସେହି ସମୁଦ୍ରର କିଛି ଲୁଣିପାଣି ଆଣିବା ଉଚିତ ଥିଲା । ତେବେ, ଶ୍ରୀରାମକୃଷ୍ଣ ଗଭୀର ନମ୍ରତା ଓ ସମ୍ମାନ ସହ କହିଲେ “ସାଧାରଣ ସମୁଦ୍ରର ପାଣି ଲୁଣିଆ ହୋଇପାରେ, କିନ୍ତୁ ଜ୍ଞାନ ସାଗରର ପାଣି ଲୁଣିଆ ନୁହେଁ।”[]

  1. "इतिहास | जिला जामताड़ा, झारखण्ड सरकार | भारत" (in ହିନ୍ଦୀ). Retrieved 2025-10-24.
  2. "... एक ऐसा समाज सुधारक जिसने विधवा से करवाई अपने बेटे की शादी". AajTak (in ହିନ୍ଦୀ). 2017-07-29. Retrieved 2025-10-24.
  3. "Ishwar Chandra Vidyasagar:". www.boloji.com. Retrieved 2025-10-24.
  4. "Iswar Chandra Vidyasagar". WBCHSE. West Bengal Council for Higher Secondary Education. Retrieved 15 September 2018.
  5. The Life And Times of Ramakrishna Parmahamsa (1st ed.). Prabhat Prakashan. 1 August 2013. p. 53. ISBN 978-8184302301.
  6. "Visit to Vidyasagar". Gospels of Sri Ramakrishna by M, translated by Swami Nikhilananda. p. 37. Archived from the original on 2018-01-02. Retrieved 2025-10-24.