Jump to content

ବିଶ୍ୱନାଥ ଦତ୍ତ

ଉଇକିପିଡ଼ିଆ‌ରୁ
(ବ୍ୟବହାରକାରୀ:Hpsatapathy/sandbox36ରୁ ଲେଉଟି ଆସିଛି)

ବିଶ୍ୱନାଥ ଦତ୍ତ (୧୮୩୫ — ୨୩ ଫେବୃଆରୀ ୧୮୮୪) ଜଣେ ବଙ୍ଗାଳୀ ଆଇନଜୀବୀ[], ସମାଜସେବୀ ଓ ଉପନ୍ୟାସିକ ଥିଲେ । ସେ ସ୍ୱାମୀ ବିବେକାନନ୍ଦ, ମହେନ୍ଦ୍ରନାଥ ଦତ୍ତ ଓ ଭୂପେନ୍ଦ୍ରନାଥ ଦତ୍ତଙ୍କ ପିତା ଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ବିଶ୍ୱନାଥ ଉତ୍ତର କଲିକତାର ଏକ ସଂଭ୍ରାନ୍ତ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦୁର୍ଗାପ୍ରସାଦ (୧୮୧୬—୧୮୫୦/୫୫) ସନ୍ନ୍ୟାସ ଜୀବନକୁ ଗ୍ରହଣ କରି ଘର ଛାଡିଦେଇଥିଲେ, ସେତେବେଳେ ବିଶ୍ୱନାଥଙ୍କର ବୟସ ମାତ୍ର ଛଅ ବର୍ଷ ଥିଲା । ତାଙ୍କ ମା’ ଶ୍ୟାମସୁନ୍ଦରୀ ଦେବୀ ଜଣେ ଶିକ୍ଷିତା ନାରୀ ଥିଲେ । ସେ ଏକ ବଙ୍ଗାଳୀ କାବ୍ୟଗ୍ରନ୍ଥ “ଗଙ୍ଗାଭକ୍ତି ତରଙ୍ଗିଣୀ” (ବଙ୍ଗାଳୀ: গঙ্গাভক্তি তরঙ্গিনী) ରଚନା କରିଥିଲେ । ଦୁର୍ଗାପ୍ରସାଦ ଓ ଶ୍ୟାମସୁନ୍ଦରୀଙ୍କ ଦୁଇଟି ସନ୍ତାନ ଥିଲେ;ଏକ ଝିଅ ଯିଏ ଅପରିଣତ ବୟସରେ ମୃତ୍ୟୁବରଣ କଲେ ଓ ପରେ ଏକ ପୁଅ, ବିଶ୍ୱନାଥ । ଶ୍ୟାମସୁନ୍ଦରୀ ୧୮୪୭ ମସିହାରେ ହଇଜରେ ମରିଯାଇଥିଲେ । ମା’ଙ୍କ ମୃତ୍ୟୁ ସମୟରେ ବିଶ୍ୱନାଥର ବୟସ ମାତ୍ର ୧୨ ବର୍ଷ ଥିଲା । ଏହିପରି ଅନାଥ ହୋଇପଡ଼ିଥିବା ବିଶ୍ୱନାଥଙ୍କୁ ତାଙ୍କ ସମ୍ପର୍କୀୟ ମାମୁଁ କାଳୀପ୍ରସାଦ ଦତ୍ତ ଓ ମାଇଁ ବିଶ୍ୱେଶ୍ୱରୀ ଦେବୀ ପାଳନ କରିଥିଲେ ।

୧୮୪୫ ଓ ୧୮୪୬ ମଧ୍ୟରେ ଏକଦା ଦୁର୍ଗାପ୍ରସାଦ କଲିକତାକୁ ଫେରିଆସିଥିଲେ । ତାଙ୍କ ଜଣେ ପଡ଼ୋଶୀ ତାଙ୍କୁ ଚିହ୍ନିପାରି ତାଙ୍କ ଘରର ଏକ ଛୋଟ କୋଠରୀରେ ତିନି ଦିନ ପାଇଁ ବନ୍ଦ କରିଦେଇଥିଲେ, ଯେପରିକି ସେ ସନ୍ନ୍ୟାସୀ ଭାବରେ ପଳାଇପାରିବେ ନାହିଁ । ତୃତୀୟ ଦିନ ସେହି ପଡ଼ୋଶୀଙ୍କ ଘରଣୀ ସରିତା ଦେବୀ ତାଙ୍କୁ ଦୟା କରି ମୁକ୍ତ କରିଦେଲେ । ପରେ ସେ ଗୌରମୋହନ ଆଡିଙ୍କ ବିଦ୍ୟାଳୟ, ଯାହା Oriental Seminary ନାମରେ ପରିଚିତ, ସେଠାରେ ଭର୍ତ୍ତି ହେଲେ । ୧୮୫୯ ମସିହାରେ ସ୍ନାତକ ଶିକ୍ଷା ସମାପ୍ତ ପରେ, ଦତ୍ତ ଚାର୍ଲସ ପିଟର ନାମକ ଏକ ଆଇନଜୀବୀଙ୍କ ଅଧୀନରେ କିରାଣୀ ଭାବେ କାମ କରିଥିଲେ ।[]

ପେଶାଜୀବନ

[ସମ୍ପାଦନା]

ଦତ୍ତ ଉନ୍ନବିଂଶ ଶତାବ୍ଦୀର ଜଣେ ଆଧୁନିକ ଓ ଉଦାରଚିନ୍ତାବାଦୀ ଲୋକ ଥିଲେ । ସେ ଧାର୍ମିକ ଅନ୍ଧବିଶ୍ୱାସରୁ ମୁକ୍ତ ଥିଲେ ଓ ତାଙ୍କ ପରୋପକାର ଓ ମାନବତାବାଦ ପାଇଁ ପରିଚିତ ଥିଲେ । ସେ ସଂସ୍କୃତ, ହିନ୍ଦୀ, ପର୍ସିଆନ, ଆରବିକ ଓ ଉର୍ଦୁ ଭାଷାରେ ପାରଙ୍ଗତ ଥିଲେ ।[]

ସେ ୧୮୫୧ ମସିହାରେ ନନ୍ଦଲାଲ ବୋସ ଓ ରଘୁମଣି ଦେବୀଙ୍କ କନ୍ୟା ଭୁବନେଶ୍ୱରୀ ଦେବୀ (୧୮୪୧ — ୨୫ ଜୁଲାଇ ୧୯୧୧)ଙ୍କ ସହ ବିବାହ କଲେ । ସେମାନଙ୍କ ୯ ଟି ସନ୍ତାନ ହୋଇଥିଲା, ଯେଉଁମାନଙ୍କ ମଧ୍ୟରୁ ୪ ଝିଅ ଓ ୩ ପୁଅ ବଞ୍ଚିଥିଲେ—ହରମଣୀ, ସ୍ୱର୍ଣ୍ଣମୟୀ, କିରଣବାଳା, ଯୋଗିନ୍ଦ୍ରବାଳା, ନରେନ୍ଦ୍ରନାଥ, ମହେନ୍ଦ୍ରନାଥ ଓ ଭୂପେନ୍ଦ୍ରନାଥ । ନରେନ୍ଦ୍ରନାଥ ଦତ୍ତ, ତାଙ୍କ ପଞ୍ଚମ ସନ୍ତାନ ଓ ପ୍ରଥମ ପୁଅ, ପରେ ସ୍ୱାମୀ ବିବେକାନନ୍ଦ ଭାବେ ବିଶ୍ୱବିଖ୍ୟାତ ହେଲେ (୧୮୬୩ ମସିହାରେ ଜନ୍ମ) ।[]

୧୮୬୬ ମସିହାରେ ସେ କଲିକତା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ନ୍ୟାୟାଧୀଶ ବାର୍ନସ ପିକକଙ୍କ ପାଖରେ proctor ପଦବୀ ପାଇଁ ଆବେଦନ କଲେ ଓ ନ୍ୟାୟାଧୀଶ ୱାଲ୍ଟର ମର୍ଗାନ ତାହା ଅନୁମୋଦନ କଲେ । ଦତ୍ତ କଲିକତାରେ Dhar & Datta (“ଧର୍‌ ଆଣ୍ଡ ଦତ୍ତ”) ନାମରେ ଏକ ଆଇନ ଅଫିସ ଚଳାଇଥିଲେ । ପରେ ପରିବାର ମଧ୍ୟରେ ହୋଇଥିବା ମାମଲା ଓ ବିବାଦ ସମସ୍ୟାରୁ ତାଙ୍କ ଆର୍ଥିକ ସ୍ଥିତି ଅସ୍ଥିର ହୋଇପଡ଼ିଥିଲା ।[]

ସାହିତ୍ୟକ ଅବଦାନ

[ସମ୍ପାଦନା]

ଦତ୍ତ ଏକ ବଙ୍ଗାଳୀ ଆତ୍ମଜୀବନୀ ଉପନ୍ୟାସ “ସୁଲୋଚନା” ଲେଖିଥିଲେ, ଯାହା ଏକ ଯୌଥ ପରିବାର ବିବାଦ ଉପରେ ଆଧାରିତ । ଏହି ଉପନ୍ୟାସଟି ୧୮୮୨ ମସିହାରେ କଲିକତାରେ ପ୍ରଥମେ ପ୍ରକାଶିତ ହୋଇଥିଲା ।

ମୃତ୍ୟୁ

[ସମ୍ପାଦନା]

ବିଶ୍ୱନାଥ ଦତ୍ତ ସଫଳ ଆଇନଜୀବୀ ଭାବେ କାମ କରୁଥିବା ସମୟରେ ୧୮୮୪ ମସିହା ଫେବୃଆରୀ ୨୩ ତାରିଖ ଶନିବାର ରାତିରେ ୪୯ ବର୍ଷ ବୟସରେ ମୃତ୍ୟୁବରଣ କଲେ । ସେ ମଧୁମେହ ଓ ହୃଦରୋଗରେ ପୀଡିତ ଥିଲେ ।

ତାଙ୍କ ମୃତ୍ୟୁ ପରେ ପରିବାରର ଦାୟିତ୍ୱ ତାଙ୍କ ପୁଅ ନରେନ୍ଦ୍ରନାଥଙ୍କ ଉପରେ ପଡ଼ିଲା, ଯିଏ ପରେ ରାମକୃଷ୍ଣ ପରମହଂସଙ୍କ ସଂଗତିରେ ଆତ୍ମସାନ୍ତ୍ୱନା ଓ ଆତ୍ମସାଧନା ପାଇଲେ ଓ ତାଙ୍କ ଶିଷ୍ୟ ଭାବେ ସ୍ୱାମୀ ବିବେକାନନ୍ଦ ନାମ ଗ୍ରହଣ କଲେ ।

  1. Vivekananda, Swami. Vivekananda: His Call to the Nation (in ଇଂରାଜୀ). Advaita Ashrama (A publication branch of Ramakrishna Math, Belur Math). ISBN 978-81-7505-917-7.
  2. Chowdhury, Satyam Roy (2016-09-01). VIVEKANANDA FOR YOU ( ENGLISH ) (in ଇଂରାଜୀ). Techno India.
  3. Mohapatra, Kalpana (1996). Political Philosophy of Swami Vivekananda (in ଇଂରାଜୀ). Northern Book Centre. ISBN 978-81-7211-079-6.
  4. Bhuyan, P. R. (2003). Swami Vivekananda: Messiah of Resurgent India (in ଇଂରାଜୀ). Atlantic Publishers & Dist. ISBN 978-81-269-0234-7.
  5. "Swami Vivekananda: A Life Divine - Mainstream Weekly". www.mainstreamweekly.net. Retrieved 2025-10-23.
  6. Śaṃkara (2011). The Monk as Man: The Unknown Life of Swami Vivekananda (in ଇଂରାଜୀ). Penguin Books India. ISBN 978-0-14-310119-2.