Jump to content

ବେଲୁର ମଠ

ଉଇକିପିଡ଼ିଆ‌ରୁ
(ବ୍ୟବହାରକାରୀ:Hpsatapathy/sandbox32ରୁ ଲେଉଟି ଆସିଛି)

ବେଲୁର ମଠ (ଉଚ୍ଚାରଣ: [ˈbeluɽ ˈmɔʈʰ]) ହେଉଛି ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ମୁଖ୍ୟାଳୟ, ଯାହା ଶ୍ରୀ ରାମକୃଷ୍ଣ ପରମହଂସଙ୍କ ପ୍ରମୁଖ ଶିଷ୍ୟ ସ୍ଵାମୀ ବିବେକାନନ୍ଦଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏହା ଭାରତର ପଶ୍ଚିମବଙ୍ଗର ହୁଗଳୀ ନଦୀର ପଶ୍ଚିମ ପାର୍ଶ୍ୱରେ ଥିବା ବେଲୁର ଠାରେ ଅବସ୍ଥିତ । ବେଲୁର ମଠ ୧୮୯୭ ମସିହା ଜାନୁଆରି ମାସରେ ସ୍ଵାମୀ ବିବେକାନନ୍ଦ ଦ୍ୱାରା ସ୍ଥାପିତ ହୋଇଥିଲା । ସ୍ଵାମୀ ବିବେକାନନ୍ଦ କଲୋମ୍ବୋ ଠାରୁ କିଛି ଶିଷ୍ୟଙ୍କ ସହ ଭାରତକୁ ଫେରିଲେ ଏବଂ ବେଲୁରରେ ଏକ ମଠ ଓ ହିମାଳୟର ଉତ୍ତରାଖଣ୍ଡ ରାଜ୍ୟର ମାୟାବତୀ ଠାରେ ଅନ୍ୟଟି "ଅଦ୍ୱୈତ ଆଶ୍ରମ" ର ସ୍ଥାପନା କଲେ ।[] ଏହି ମନ୍ଦିରଟି ରାମକୃଷ୍ଣ ଆନ୍ଦୋଳନର କେଦ୍ରସ୍ଥଳ । ଏହାର ସ୍ଥାପତ୍ୟଶୈଳୀ ହିନ୍ଦୁ, ଇସ୍ଲାମ, ବୌଦ୍ଧ ଏବଂ ଖ୍ରୀଷ୍ଟିୟ କଳାର ସମନ୍ୱୟ ରୂପେ ସମସ୍ତ ଧର୍ମର ଏକତାର ପ୍ରତୀକ ଭାବେ ପରିଚିତ । ୨୦୦୩ ମସିହାରେ ବେଲୁର ମଠ ରେଳ ଷ୍ଟେସନ୍ ଉଦ୍‌ଘାଟନ ହୋଇଥିଲା, ଯାହା ବେଲୁର ମଠ ମନ୍ଦିରକୁ ଉତ୍ସର୍ଗ କରାଯାଇଛି ।[]

ଇତିହାସ

[ସମ୍ପାଦନା]

୧୮୯୭ ମସିହାର ଆରମ୍ଭରେ ସ୍ଵାମୀ ବିବେକାନନ୍ଦ ତାଙ୍କ କିଛି ପଶ୍ଚିମୀ ଶିଷ୍ୟଙ୍କ ସହ କଲିକତାର ବରାନଗରକୁ ଆସିଥିଲେ । ସେ ଦୁଇଟି ମଠ ସ୍ଥାପନା କଲେ ଗୋଟିଏ ବେଲୁରରେ, ଯାହା ରାମକୃଷ୍ଣ ମିଶନର ମୁଖ୍ୟାଳୟ ହେଲା, ଓ ଅନ୍ୟଟି ହିମାଲୟର ଉତ୍ତରାଖଣ୍ଡ ରାଜ୍ୟର ଚମ୍ପାୱତ ଜିଲ୍ଲାର ମାୟାବତୀରେ, ଯାହା "ଅଦ୍ୱୈତ ଆଶ୍ରମ" ଭାବେ ପରିଚିତ। ଏହି ମଠଗୁଡିକ ଯୁବକମାନଙ୍କୁ ଗ୍ରହଣ କରି ସନ୍ନ୍ୟାସୀ (ଧାର୍ମିକ ତ୍ୟାଗୀ) ଭାବେ ପ୍ରଶିକ୍ଷଣ ଦେବା ଓ ସେବାକାର୍ଯ୍ୟ ପାଇଁ ତିଆରି କରିବା ପାଇଁ ହୋଇଥିଲା । ସେହି ସମୟରେ ଦୁର୍ଭିକ୍ଷ ନିରାକରଣ ସହିତ ଦାନଧର୍ମ ଓ ସେବାକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା ।

ସ୍ଵାମୀ ବିବେକାନନ୍ଦଙ୍କ "ପରିବ୍ରାଜକ" ଅବସ୍ଥାରେ (ଅର୍ଥାତ୍ ଭ୍ରମଣଶୀଳ ସନ୍ନ୍ୟାସୀ ଭାବେ) ସେ ଭାରତର ବିଭିନ୍ନ ସ୍ଥାନ ଦେଖିଥିଲେ; ତାଜମହଲ, ଫତେହପୁର ସିକ୍ରୀ, ଦିୱାନ-ଇ-ଖାସ, ରାଜସ୍ଥାନର ପ୍ରାସାଦ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଓ ତାମିଳନାଡୁର ପୁରାତନ ମନ୍ଦିର । ପରେ ଯେତେବେଳେ ସେ ଆମେରିକା ଓ ୟୁରୋପ ଗଲେ, ସେ ଆଧୁନିକ, ମଧ୍ୟଯୁଗୀୟ, ଶୈଳୀର ଅନେକ ଗୃହ ଓ ସ୍ଥାପତ୍ୟ ଦେଖିଲେ। କୁହାଯାଏ ଯେ ସେହି ସମସ୍ତ ସ୍ଥାପତ୍ୟ ଶୈଳୀର ପ୍ରଭାବ ବେଲୁର ମଠ ମନ୍ଦିରର ରଚନାରେ ସଂଯୋଜିତ କରାଯାଇଛି ।[]

ସ୍ଵାମୀ ବିଜ୍ଞାନାନନ୍ଦ, ଯିଏ ସ୍ଵାମୀ ବିବେକାନନ୍ଦଙ୍କ ସହଯୋଗୀ ସନ୍ନ୍ୟାସୀ ଏବଂ ଶ୍ରୀ ରାମକୃଷ୍ଣଙ୍କ ଶିଷ୍ୟ ଥିଲେ, ସେ ତାଙ୍କ ଗୃହସ୍ଥ ଜୀବନରେ ଏକ ସିଭିଲ୍ ଇଞ୍ଜିନିୟର ଥିଲେ । ସେ ବିବେକାନନ୍ଦ ଓ ସ୍ଵାମୀ ଶିବାନନ୍ଦଙ୍କ ପ୍ରେରଣା ଅନୁଯାୟୀ ଏହି ମନ୍ଦିର ଡିଜାଇନ୍ କରିଥିଲେ । ସେତେବେଳେ ବେଲୁର ମଠର ଅଧ୍ୟକ୍ଷ ଥିବା ସ୍ଵାମୀ ଶିବାନନ୍ଦ ୧୩ ମାର୍ଚ୍ଚ ୧୯୨୯ ରେ ଏହାର ଭୂମିପୂଜା କରିଥିଲେ । ଏହାର ବିଶାଳ ନିର୍ମାଣକାର୍ଯ୍ୟ "ମାର୍ଟିନ୍ ବର୍ନ୍ ଏଣ୍ଡ କୋ." ଦ୍ୱାରା ପରିଚାଳିତ ହୋଇଥିଲା ।

ଶ୍ରୀ ରାମକୃଷ୍ଣ ମନ୍ଦିର

[ସମ୍ପାଦନା]

ଏହି ମନ୍ଦିରର ଡିଜାଇନ୍ ସ୍ଵାମୀ ବିବେକାନନ୍ଦଙ୍କ ଧାରଣା ଅନୁଯାୟୀ ହୋଇଥିଲା ଏବଂ ଏହାର ସ୍ଥାପତି ଥିଲେ ସ୍ଵାମୀ ବିଜ୍ଞାନାନନ୍ଦ — ଶ୍ରୀ ରାମକୃଷ୍ଣଙ୍କ ସନ୍ନ୍ୟାସୀ ଶିଷ୍ୟ। ଶ୍ରୀ ରାମକୃଷ୍ଣ ମନ୍ଦିରଟି ୧୯୩୮ ମସିହା ଜାନୁଆରି ୧୪ ତାରିଖ, ମକର ସଂକ୍ରାନ୍ତି ଦିନେ, ଉଦ୍‌ଘାଟିତ ଓ ପ୍ରତିଷ୍ଠିତ ହୋଇଥିଲା।

କାର୍ଯ୍ୟକଳାପ

[ସମ୍ପାଦନା]
  • ବେଲୁର ମଠ ଚିକିତ୍ସା ସେବା, ଶିକ୍ଷା, ନାରୀ ସଶକ୍ତିକରଣ, ଗ୍ରାମୀଣ ଉନ୍ନୟନ, ଶ୍ରମଜୀବୀ ଓ ପଛୁଆ ବର୍ଗମାନଙ୍କ ସେବା, ଦୁର୍ଜନ ସହାୟତା, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରେ ।
  • ଏହି କେନ୍ଦ୍ରରେ ପ୍ରତିବର୍ଷ ଶ୍ରୀ ରାମକୃଷ୍ଣ, ସ୍ଵାମୀ ବିବେକାନନ୍ଦ, ଶାରଦା ଦେବୀ ଓ ଶ୍ରୀ ରାମକୃଷ୍ଣଙ୍କ ଅନ୍ୟ ସନ୍ନ୍ୟାସୀ ଶିଷ୍ୟମାନଙ୍କ ଜନ୍ମତିଥି ଉତ୍ସବ ଉଦ୍ୟାପନ କରାଯାଏ ।
  • ପ୍ରତିବର୍ଷ ଆୟୋଜିତ କୁମାରୀ ପୂଜା ଏବଂ ଦୁର୍ଗା ପୂଜା ବେଲୁର ମଠର ପ୍ରମୁଖ ଆକର୍ଷଣମାନଙ୍କ ମଧ୍ୟରୁ ଗୋଟିଏ ।
  • କୁମାରୀ ପୂଜାର ପରମ୍ପରା ୧୯୦୧ ମସିହାରେ ସ୍ଵାମୀ ବିବେକାନନ୍ଦ ଦ୍ୱାରା ଆରମ୍ଭ କରାଯାଇଥିଲା ।[]
  1. "Kolkata City Guide, Capital of West Bengal, Kolkata Profile". KolkataOnline.in (in ଇଂରାଜୀ). Retrieved 2025-10-21.
  2. Sarina Singh; Joe Bindloss; Paul Clammer; Janine Eberle. India. p. 452.
  3. Swami Tattwajnanananda. "prelude". A Symphony in Architecture Ramakrishna Temple Belur Math. Archived from the original on 18 July 2013. Retrieved 10 October 2008.
  4. "How Swami Vivekananda gave Durga Puja at Belur Math an idol makeover". www.dailyo.in (in ଇଂରାଜୀ). Retrieved 2025-10-21.