ଜାତକ କଥା
ଜାତକ କଥା କିମ୍ବା ଜାତକ ପାଳି ବୌଦ୍ଧ ଗ୍ରନ୍ଥ ତ୍ରିପିଟକ ର ସୂତ୍ରପିଟକ ଅନ୍ତର୍ଗତ ଖୁଦ୍ଦକ ନିକାୟ ର ଦଶମ ଅଂଶର ଅନ୍ତର୍ଭୁକ୍ତ ଅଟେ ।[୧] ଏହି କଥାମାନଙ୍କରେ ଭଗବାନ ବୁଦ୍ଧଙ୍କ ବିଭିନ୍ନ କାହାଣୀ ରହିଛି । ମନ୍ୟତା ଅନୁସାରେ, ଏହି କଥାଗୁଡ଼ିକ ସ୍ୱୟଂ ଗୌତମ ବୁଦ୍ଧ କହିଯାଇଥିଲେ, ଯଦିଓ କିଛି ବିଦ୍ୱାନ ମନେ କରନ୍ତି ଯେ କିଛି ଜାତକ କଥା, ବୁଦ୍ଧଙ୍କ ନିର୍ବାଣ ପରେ ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା କୁହାଯାଇଥିଲା । ବିଶ୍ୱର ସବୁଠୁ ପୁରାତନ ଲିଖିତ କାହାଣୀମାଳା ହେଉଛି ଏହି ଜାତକ କଥା, ଯେଉଁଥିରେ ପ୍ରାୟ ୬୦୦ ଟି କାହାଣୀ ସଂଗ୍ରହ ହୋଇଛି । ଏହି କାହାଣୀମାଳା ଖ୍ରୀଷ୍ଟପୂର୍ବ ୩୦୦ ସମୟର । ଏଥିରେ ମନୋରଞ୍ଜନ ମାଧ୍ୟମରେ ନୀତି ଓ ଧର୍ମର ଶିକ୍ଷା ଦେବାର ଚେଷ୍ଟା କରାଯାଇଛି ।[୨]
ଜାତକ – ଖୁଦ୍ଦକ ନିକାୟର ଦଶମ ପ୍ରସିଦ୍ଧ ଗ୍ରନ୍ଥ
[ସମ୍ପାଦନା]ଜାତକକୁ ଏକ ମାତ୍ର ଗ୍ରନ୍ଥ ନ କହି, ଗ୍ରନ୍ଥ ସମୂହ ବୋଲି କହିବା ଅଧିକ ଯୁକ୍ତିସଙ୍ଗତ ହେବ। କିଛି ଜାତକ ଗୋଟିଏ ପୂର୍ଣ୍ଣ ଗ୍ରନ୍ଥ ରୂପେ ରହିଛି, ତଥା କିଛି ଅତି ସଂକ୍ଷିପ୍ତ ମହାକାବ୍ୟ ରୂପରେ । “ଜାତକ” ଶବ୍ଦଟି “ଜନ୍” ଧାତୁରୁ ତିଆରି, ଯାହାର ଅର୍ଥ “ଜନ୍ମିତ” କିମ୍ବା “ଭବିଷ୍ୟତ ଭାବ”। “ଜନ୍” ଧାତୁରେ “କ୍ତ” ପ୍ରତ୍ୟୟ ଯୋଗହୋଇ “ଜାତ” ଶବ୍ଦ ହୋଇଛି । ଏହାର ଅର୍ଥ “ଜନ୍ମ ସମ୍ବନ୍ଧୀୟ”। ତେଣୁ “ଜାତକ” ଅର୍ଥ ହେଲା “ଜନ୍ମ ସମ୍ବନ୍ଧୀୟ କଥା” ; ଅର୍ଥାତ୍ ଭଗବାନ ବୁଦ୍ଧଙ୍କ ପୂର୍ବଜନ୍ମର କଥାମାନ ।
ବୋଧିସତ୍ତ୍ୱ ଓ ତାଙ୍କର ପୂର୍ବଜନ୍ମବୃତ୍ତାନ୍ତ
[ସମ୍ପାଦନା]ବୁଦ୍ଧତ୍ବ ପ୍ରାପ୍ତି ପୂର୍ବରୁ ଭଗବାନ ବୁଦ୍ଧ ବୋଧିସତ୍ତ୍ୱ ନାମରେ ଖ୍ୟାତ ଥିଲେ । ସେ ସମୟରେ ସେ ବୁଦ୍ଧତ୍ବ ପାଇଁ ତପ କରୁଥିଲେ ବ ଦାନ, ଶୀଳ, ମୈତ୍ରୀ, ସତ୍ୟ ଆଦି ଦଶ ପାରମିତା (ସଂପୂର୍ଣ୍ଣତା)ର ଅଭ୍ୟାସ କରୁଥିଲେ । ବିଶ୍ଵାସ କରାଯାଏ, ପ୍ରାଣୀମାନଙ୍କ ମଙ୍ଗଳ ପାଇଁ ସେ ଅନେକ ଥର ନିଜ ପ୍ରାଣ ଦାନ କରିଥିଲେ । ଏପରିଭାବରେ ସେ ବୁଦ୍ଧତ୍ବ ପାଇଁ ଯୋଗ୍ୟ ହୋଇଥିଲେ । “ବୋଧିସତ୍ତ୍ୱ” ଶବ୍ଦର ଅର୍ଥ ହେଉଛି “ବୋଧି (ଜ୍ଞାନ) ପାଇଁ ପ୍ରୟାସଶୀଳ ସତ୍ତ୍ୱ”। ପାଳି ସୂତ୍ତଗୁଡ଼ିକରେ ପ୍ରାୟ ଏପରି ବାକ୍ୟ ମିଳେ — “ବୋଧି ପ୍ରାପ୍ତି ପୂର୍ବରୁ, ବୁଦ୍ଧ ନ ଥିବା ସମୟରେ, ଯେତେବେଳେ ମୁଁ ବୋଧିସତ୍ତ୍ୱ ଥିଲି…” ଇତ୍ୟାଦି। ଅର୍ଥାତ୍, ବୋଧିସତ୍ତ୍ୱ ମାନେ ସେହି ସାଧକ ଯିଏ ଜ୍ଞାନ ଓ କରୁଣାର ଅଭ୍ୟାସ କରିଥାଏ ଏବଂ ଭବିଷ୍ୟତରେ ବୁଦ୍ଧ ହେବା ନିଶ୍ଚିତ ଅଟେ । ଭଗବାନ ବୁଦ୍ଧ ନିଜ ଶେଷ ଜନ୍ମର ପୂର୍ବରୁ ନୁହେଁ, ବହୁ ପୂର୍ବଜନ୍ମରେ ମଧ୍ୟ ବୋଧିସତ୍ତ୍ୱ ଥିଲେ ଓ ବୋଧିସତ୍ତ୍ୱଚର୍ଯ୍ୟା କରୁଥିଲେ । ଜାତକ କଥାମାନ ବୁଦ୍ଧଙ୍କ ସେହି ବିଭିନ୍ନ ପୂର୍ବଜନ୍ମ ସହ ସମ୍ପର୍କିତ ।[୩] ଅଧିକାଂଶ କାହାଣୀରେ ସେ ମୁଖ୍ୟ ପାତ୍ର ରୂପେ ଚିତ୍ରିତ । କେତେକରେ ସେ ଗୌଣ ପାତ୍ର କିମ୍ବା ଦର୍ଶକ ଭାବେ ମଧ୍ୟ ଆସିଥାନ୍ତି ।[୨]
ଜାତକ ଗଳ୍ପ ନାମକରଣ ଓ ପ୍ରକାର
କିଛି ଜାତକର ନାମ ତାହାର ଗାଥାର ପ୍ରଥମ ଶବ୍ଦ ଅନୁସାରେ ହୋଇଛି, ଯଥା — ଅପର୍ଣ୍ଣକ ଜାତକ । କିଛି ଜାତକର ନାମ ମୁଖ୍ୟ ପାତ୍ର ଅନୁସାରେ, ଯଥା — ବଣ୍ଣୁପଥ ଜାତକ ।ଅନ୍ୟ କିଛି ତାଙ୍କ ଜନ୍ମ ରୂପ ଅନୁସାରେ, ଯଥା — ନିଗ୍ରୋଧ ମୃଗ ଜାତକ, ମତ୍ସ୍ୟ ଜାତକ ଇତ୍ୟାଦି । କାହାଣୀର ଉପସ୍ଥାପନା ଶୈଳୀର ଏକ ସ୍ଵାତନ୍ତ୍ର୍ୟ ରହିଛି ।
ତେବେ ପ୍ରାୟ ପ୍ରତ୍ୟେକ କାହାଣୀ ଏପରି ଭାବେ ଆରମ୍ଭ ହୁଏ —
“ଏକ ସମୟରେ, ରାଜା ବ୍ରହ୍ମଦତ୍ତ ବାରାଣସୀରେ ରାଜ୍ୟ କରୁଥିବା ବେଳେ, ବୋଧିସତ୍ତ୍ୱ କୁରଙ୍ଗ ମୃଗ ରୂପେ ଜନ୍ମ ଗ୍ରହଣ କଲେ” କିମ୍ବା “ସିନ୍ଧୁ ପାରର ଘୋଡ଼ା ବଂଶରେ ଜନ୍ମ ହେଲେ” କିମ୍ବା “ବୋଧିସତ୍ତ୍ୱ ବ୍ରହ୍ମଦତ୍ତଙ୍କ ଅମାତ୍ୟ ଥିଲେ” ଇତ୍ୟାଦି।
ଜାତକ କଥାର ବିଭାଗ ଓ ରଚନାକାଳ
[ସମ୍ପାଦନା]ସମସ୍ତ ଜାତକ କଥା ଗୌତମ ବୁଦ୍ଧଙ୍କ ଦ୍ୱାରା କୁହାଯାଇଥିଲା ଏବଂ ସେଗୁଡ଼ିକ ବୁଦ୍ଧ ଯୁଗର । ଜାତକମାନଙ୍କ ନିଶ୍ଚିତ ସଂଖ୍ୟା ନିର୍ଦ୍ଧାରଣ କରିବା କଷ୍ଟସାଧ୍ୟ । ଶ୍ରୀଲଙ୍କା, ବର୍ମା ଓ ସିଆମ ପରମ୍ପରା ଅନୁସାରେ ଜାତକ ୫୫୦ଟି । ସମନ୍ତପାସାଦିକା ଓ ଅଠସାଳିନୀ ନାମକ ପାଳି ଗ୍ରନ୍ଥରେ ମଧ୍ୟ ଏହି ସଂଖ୍ୟା ଦିଆଯାଇଛି । ବର୍ତ୍ତମାନ ରୂପରେ ଜାତକ ୫୪୭ଟି କାହାଣୀ ମିଳେ । ତଥାପି ଏହା ଆନୁମାନିକ ସଂଖ୍ୟା ଅଟେ । କାହାଣିର ବିଷୟବସ୍ତୁ ଦୃଷ୍ଟିରୁ ଜାତକକୁ ନିମ୍ନ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି ।
ଜାତକର ପାଞ୍ଚ ବିଭାଗ:
- ପଚ୍ଚୁପନ୍ନ ବତ୍ଥୁ – ବୁଦ୍ଧଙ୍କ ବର୍ତ୍ତମାନ ଜୀବନ କଥା ।
- ଅତୀତ ବତ୍ଥୁ – ବୁଦ୍ଧଙ୍କ ପୂର୍ବଜନ୍ମ କଥା ।
- ଗାଥା – ପଦ୍ୟ ଭାଗ ।
- ବୈୟାକରଣ – ଗାଥାର ବ୍ୟାଖ୍ୟା ବା ବିବେଚନା ।
- ସମୋଧନ – ଅତୀତ ଓ ବର୍ତ୍ତମାନ ପାତ୍ରମାନଙ୍କ ବୁଦ୍ଧଙ୍କ ସହ ସମ୍ପର୍କ ।
କିଛି ଜାତକ ଏକାଧିକ ସ୍ଥାନରେ ଅଳ୍ପ ପରିବର୍ତ୍ତନ ସହ ଦେଖାଯାଇଛି । କିଛି ଜାତକ ସୂତ୍ରପିଟକ, ବିନୟପିଟକ ଓ ଅନ୍ୟ ପାଳି ଗ୍ରନ୍ଥରେ ମିଳେ, କିନ୍ତୁ ବର୍ତ୍ତମାନ ଜାତକ ସଂଗ୍ରହରେ ନାହିଁ । ଏହି କାରଣରୁ ଜାତକ ସଂଖ୍ୟା କମିବା କିମ୍ବା ବଢ଼ିବା ; ଦୁଇଟି ସମ୍ଭାବନା ରହିଛି । ଉଦାହରଣ ସ୍ୱରୂପ — ମୁନିକ ଜାତକ (30) ଓ ସାଲୁକ ଜାତକ (286) ର କାହାଣୀ ସମାନ, କିନ୍ତୁ ନାମ ଭିନ୍ନ । ଏହା ସହିତ ଏହିପରି ମଧ୍ୟ ଘଟିଛି ଯେ, ଏକମାତ୍ର ନାମର ଦୁଇ ଜାତକ ଥିଲେ ମଧ୍ୟ ତାଙ୍କର କାହାଣୀ ଭିନ୍ନ ଅଟେ ।[୧]
ସାହିତ୍ୟରେ ପ୍ରଭାବ
[ସମ୍ପାଦନା]ରାମାୟଣ ଓ ମହାଭାରତ ବ୍ୟତୀତ ପତଞ୍ଜଳିଙ୍କ ମହାଭାଷ୍ୟ ମଧ୍ୟରେ ମଧ୍ୟ ଜାତକ ଗାଥାମାନଙ୍କ ଉଲ୍ଲେଖ ମିଳେ । ପ୍ରାଚୀନ ଜନସାହିତ୍ୟ ଓ ପରବର୍ତ୍ତୀ କଥାସାହିତ୍ୟ ଉପରେ ମଧ୍ୟ ତାହାର ପ୍ରଭାବ ପ୍ରକାଶିତ ହୋଇଛି । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଗୁଣାଢ୍ୟ ନାମକ ଲେଖକ ପୈଶାଚୀ ପ୍ରାକୃତ ଭାଷାରେ ନିଜର ବୃହତ୍କଥା (ଯାହାକୁ ଭଡ଼କହା ବା ଭଡ଼କଥା ମଧ୍ୟ କୁହାଯାଏ) ରଚନା କରିଥିଲେ, ଯାହା ବର୍ତ୍ତମାନ ଉପଲବ୍ଧ ନୁହେଁ । କିନ୍ତୁ ଏକାଦଶ–ଦ୍ୱାଦଶ ଶତାବ୍ଦୀରେ ବୌଦ୍ଧ ବିଦ୍ୱାନ ସୋମଦେବ ତାଙ୍କ କଥାସରିତସାଗର ନାମକ ମହାକାବ୍ୟ ଏହି ବୃହତ୍କଥା ଉପରେ ଆଧାର କରି ଲେଖିଥିଲେ, ଯେଉଁଠାରେ ଅନେକ କଥାର ମୂଳ ସ୍ରୋତ ଜାତକରୁ ନିଆଯାଇଥିବାର ସ୍ପଷ୍ଟ ହୁଏ ।
ଏହିପରି ଭାବରେ ହିତୋପଦେଶ ଗ୍ରନ୍ଥରେ ମଧ୍ୟ ଅନେକ କଥା ଜାତକ କଥାମାନଙ୍କ ଉପରେ ଆଧାରିତ ଦେଖାଯାଏ । ଭାରତୀୟ ଲୋକସାହିତ୍ୟରେ ମଧ୍ୟ ଅନେକ ଜାତକ କଥାମାନଙ୍କୁ ପରୋକ୍ଷ ଭାବେ ଉପସ୍ଥାପନା କରାଯାଇଛି । ଏପରି କାହାଣୀମାନେ ଭାରତର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ପ୍ରଚଳିତ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Appleton, Naomi (2016-08-31). "Jātaka". Oxford Research Encyclopedia of Religion (in ଇଂରାଜୀ). doi:10.1093/acrefore/9780199340378.013.182. ISBN 978-0-19-934037-8. Archived from the original on 2024-08-07. Retrieved 2022-05-08.
- ↑ ୨.୦ ୨.୧ "Jataka | Buddhist Tales, Fables, Parables | Britannica". www.britannica.com (in ଇଂରାଜୀ). Retrieved 2025-10-20.
- ↑ CIL. "The Illustrated Jataka : Other Stories of the Buddha - Introduction". ignca.gov.in (in ହିନ୍ଦୀ). Retrieved 2025-10-20.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |