ବ୍ୟବହାରକାରୀଙ୍କ ଆଲୋଚନା:TRINATH SINGH
ନୂଆ ଯୋଡ଼ନ୍ତୁଆଦରର TRINATH SINGH, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!
ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।
- ଆଉ କିଛି ଦରକାରୀ ଲିଙ୍କ
|
ଉପନ୍ୟାସ: "ଦୁଇଫର୍ଦ୍ଦ ଆକାଶ" ଉପରେ ଯାହା କହନ୍ତି ଆଲୋଚକ ଶୁଭ ନାରାୟଣ ସ୍ୱାଇଁ...
[ସମ୍ପାଦନା]- ଦୁଇଫର୍ଦ୍ଦ ଆକାଶ : ଫର୍ଦ୍ଦେ
ବାତ୍ୟା ପୂର୍ବର ଓ ଆଉ ଫର୍ଦ୍ଦେ ବାତ୍ୟା ପରର #
୨୯ ଅକ୍ଟୋବର ୧୯୯୯ ର ସୁପର୍ ସାଇକ୍ଲୋନ୍ ବା ମହାବାତ୍ୟାର କଥା ମନେପଡ଼ିଲେ ଆଜି ବି ଲୋମ ଟାଙ୍କୁରିଉଠୁଛି। ସେହି କଳାଦିନକୁ ଏବେ ୨୫ ବର୍ଷ ବିତି ଯାଇଥିଲେ ବି ତାକୁ ନା ଭୁଲି ପାରିଛି ଓଡ଼ିଶା ନା ଭୁଲି ପାରିଛି ପୃଥିବୀ। ଘଣ୍ଟା ପ୍ରତି ୨୬୦ ରୁ ୩୦୦ କିଲୋମିଟର ବେଗରେ ପବନ, ୨୦ ରୁ ୨୫ ଫୁଟ ଉଚ୍ଚର ଲହଡ଼ିରେ ଗାଁ ଓ ସହର ଭିତରକୁ ଘୁଘୁ ହୋଇ ପଶି ଆସୁଥିବା ସମୁଦ୍ର ଜଳ, ସୁସୁ ହୋଇ ବହୁଥିବା ଚକ୍ରବାତି ତୋଫାନରେ ଚାଲିଗଲା ୩୦,୦୦୦ ରୁ ଅଧିକ ଜୀବନ। ଦଶରୁ ଅଧିକ ଗାଁ, ସମୁଦ୍ର ଭିତରେ ବୁଡ଼ି ହୋଇଗଲା ନିଶ୍ଚିହ୍ନ। ଷାଠିଏ ରୁ ସତୁରୀ ଖଣ୍ଡ ଗାଁର ଅଧାରୁ ଅଧିକ ବୁଡ଼ିଗଲା ସମୁଦ୍ର ପାଣିରେ। ପାଞ୍ଚରୁ ସାତ ହଜାର ଲୋକ ଏପର୍ଯ୍ୟନ୍ତ ଅଛନ୍ତି ନିରୁଦ୍ଦିଷ୍ଟ। ରାସ୍ତା ନାହିଁ। ଘାଟ ନାହିଁ। ଯେଉଁଠି ସେଇଠି ଉପୁଡ଼ି ପଡ଼ିଛି ବିରାଟ ବିରାଟ ଗଛ ଆଉ ବତୀ ଖୁଣ୍ଟ। ଭାଙ୍ଗି ମାଟିରେ ମିଶି ଯାଇଛି ସବୁତକ ଟାଇଲି ଓ ଆଜବେଷ୍ଟସ୍ ଘର। ଭାଙ୍ଗିବି ଯାଇଛି କେତୋଟି ଛାତ ଘର। ଯେଉଁଠି ଦେଖିବ ସେଇଠି ଖାଲି କୁଢ଼ କୁଢ଼ ପଚ଼ା ଷଢ଼ା ଶବ ମଣିଷ, ଗୋରୁ, ଛେଳି, ମେଣ୍ଢା ଓ କୁକୁରଙ୍କର। ଓଃ.. କି ଦାରୁଣ ଦୃଶ୍ୟ!
ଏମିତି ଏକ ଦାରୁଣ ଦୃଶ୍ୟର ପଟ୍ଟଭୂମି ଉପରେ ଠିଆ ହୋଇ କବି ତ୍ରିନାଥ ସିଂହ ପାଇଛନ୍ତି ସେହି ବାତ୍ୟାରେ ବଞ୍ଚି ଯାଇଥିବା ଦୁଇଟି ଚରିତ୍ର। ଜଣେ ବନମାଳୀ ଆଉ ଜଣେ ଅନୁରାଧା। ସେହି ଦୁଇଟି ଚରିତ୍ରକୁ ପାଇବା ପରେ ସେଇମାନଙ୍କକୁ କବିତାରେ ଠିଆ କରି କବି ଲେଖି ପାରି ନାହାନ୍ତି କବିତାଟିଏ। ବରଂ ସେହି ଦୁଇଟି ଚରିତ୍ରକୁ ମୁଣ୍ଡ ଭିତରେ ରଖି ଦୀର୍ଘ ୨୫ ବର୍ଷ ପରେ ସେ ଲେଖିଛନ୍ତି ଗୋଟିଏ ସୁନ୍ଦର ଉପନ୍ୟାସଟିଏ , ୨୮୨ ପୃଷ୍ଠାର । କବିରୁ ହଠାତ୍ ଉପନ୍ୟାସିକ ପାଲଟି ଯାଇଥିବା ଶ୍ରୀଯୁକ୍ତ ସିଂହ,
ଉପନ୍ୟାସଟିର ନାୟିକାକୁ ପାଇଛନ୍ତି ଏକ ନିର୍ଜନ ଦ୍ବୀପର ବେଳାଭୂମିରେ, ମୃତବତ୍ ଅଧଲଙ୍ଗୁଳି ଅବସ୍ଥାରେ।
ହଁ ! ଅଧଲଙ୍ଗୁଳି ଅବସ୍ଥାରେ ସେ ମଲା ଭଳି ପଡ଼ିଥିଲା ଆଉ ଛଅଟି ମଲା ଭଳି ପଡ଼ିଥିବା ନିସ୍ତେଜ ଦେହ ସହ। ସେମାନଙ୍କ ମୁଣ୍ଡ ଉପରେ ଖୁବ୍ ନିକଟରୁ ଉଡୁଥିଲେ ଚିଲ ଓ ଶାଗୁଣାମାନେ। ଏଇ ଯେମିତି ସେମାନେ ଖିନ୍ ଭିନ୍ କରି ଖାଇଯିବେ ଶବ ଗୁଡ଼ିକର ଆଖି ,ନାକ, କାନ ଓ ଶିଥିଳ ପଡ଼ି ଯାଇଥିବା ପୁରାଟା ଶରୀର। ଏହାପରେ କେଜାଣି କେମିତି ସକାଳର ସୁର୍ଯ୍ୟଙ୍କ ସ୍ପର୍ଶରେ ଚେତା ଫେରି ଆସିଛି ସେହି ଅଧଲଙ୍ଗୁଳି ଯୁବତୀଟିର। ଉଠିବାକୁ ବଳ ପାଇନି, ତଥାପି ସେ ଉଠିଛି। ଏପଟ ସେପଟକୁ ଚାହିଁଛି। କିଛିବି ମନେ ପଡ଼ିନି ତାଆର ଖାଲି କିଛି ଘୁଘୁ ଓ ସୁସୁ ଶବ୍ଦ ଛଡା। ମନେ ପଡ଼ିନି ସେ କିଏ ଓ କେଉଁଠୁ କିପରି ଆସି ପଡ଼ିଛି ଏହି ସମୁଦ୍ର କୂଳରେ। ସେ ବେକ ବୁଲେଇ ଦେଖିଛି ତାଆଠୁ ଟିକିଏ ଦୂରରେ ତାଆ ଦେହ ପରି ନିସ୍ତେଜ ହୋଇ ପଡିଛି ଆଉ ଛଅଟି ଦେହ । ସେମାନଙ୍କ ଠାରୁ ଟିକିଏ ସାହାଯ୍ୟ ପାଇବା ଆଶାରେ ସେ ଘୁଷୁଡ଼ି ଘୁଷୁଡି ଯାଇ ହଲେଇଛି ପାଞ୍ଚଟି ଦେହକୁ ଓ ସେମାନଙ୍କ ଦେହର ଶୀତଳତା କହିଛି ସେମାନ ସମସ୍ତେ ମୃତ ବୋଲି । ଏହା ପରେ ଛଅ ନମ୍ବରର ଦେହଟାକୁ ଛୁଇଁଲା ପରେ ଲାଗିଲା ତା ଦେହରେ ଏବେବି ଜୀବନ ଅଛି। ତାପରେ ଘୁଷୁଡ଼ି ଘୁଷୁଡ଼ି ଯାଇ ସମୁଦ୍ର ଲହଡ଼ିରେ ଭିଜାଇଛି ନିଜ ଲୁଗାକାନି ଓ ସେହି ଓଦା ଲୁଗା କାନୀରେ ପୋଛି ଦେଇଛି ସେହି ଯୁବକଟିର ମୁହଁ। ସେହି ଲୁଗା କାନୀ ଚୁପୁଡି ତାଆ ପାଟିରେ ଦେଇଛି ଲୁଣିଆ ପାଣି। ଚେତା ଫେରିଛି ସେହି ଯୁବକଟିର।
ଯୁବକଟିର ଚେତା ଫେରିବା ପରେ ସେ କହିଛି ତା' ନା ବନମାଳୀ ଏବଂ ତାଆର ମନେ ପଡ଼ିଛି ମହାବାତ୍ୟାର ସବୁତକ ଦୃଶ୍ୟ, ଯଦିଓ କିଛିବି ମନେ ପଡ଼ିନି ଯୁବତୀଟିର। ଏବେ ସେହି ନିର୍ଜନ ଦ୍ବୀପରେ ଲୋକ କହିଲେ କେବଳ ଦୁଇ ଜଣ। ଜଣେ ବନମାଳୀ ଓ ଆଉ ଜଣେ ହେଉଛି ସେହି ଯୁବତୀ। ସକାଳ ଖରାର ତାତି ଟିକେ ଟିକେ ବଢୁଥିବାର ଦେଖି ଟିକେ ଛାଇ ପାଇଁ ବନମାଳୀ ଖୋଜୁଥିଲା ଯାଗା। ସେମିତି ଯାଗାଟେ ନମିଳିବାରୁ ସେଇ ସମୁଦ୍ର କୂଳରେ ପଡ଼ିଥିବା କାଠ ଖଣ୍ଡ, ଗଛ ଡାଳ, ଜରି, ପାଲ , ଟିଣ ଚାଦର ଆଦିକୁ ଆଣି ସେ ନିକଟ ନିକଟରେ ଥିବା ତିନୋଟି ନଡ଼ିଆ ଗଛ ତଳେ ଗଢିଲା ଛାମୁଣ୍ଡିଆଟିଏ। ସେଇଠି ବିଶ୍ରାମ ନେଲେ ସେମାନେ। ତଳେ ପଡିଥିବା ନଡିଆ ଆଣି ତାଆ ପାଣି ପିଇଲେ, ଶଷ ଖାଇଲେ। ସେହି ଯୁବତୀଟି ଆଗରେ ବନମାଳୀ କହିଲା କେମିତି ତାଆର ଘରଟିଏ ଥିଲା, ବାପା, ମାଆ, ଭାଇ, ନୂଆବୋଉ (ଭାଉଜ) ଓ ପୁତୁରା ଥିଲେ ଓ ସେଦିନ କେମିତି ଘୁଘୁ ହୋଇ ମାଡି ଆସିଲା ମହାବାତ୍ୟା ଓ ଭାସି ଗଲେ ସମସ୍ତେ। କେମିତି ପବନ ତାକୁ ଉଡେଇ ନେଇ ଫିଙ୍ଗି ଦେଲା ଗୋଟାଏ ଉସ୍ତ ଗଛର ଡାଳ ଉପରେ ଓ ଡାଳ ଭାଙ୍ଗି ସେ ପାଣିରେ ଭାସି ଯିବାପରେ ସେ କେମିତି ଆସି ପହଞ୍ଚିଲା ଏଠି ସେକଥା ସେ ଜାଣେନି। ବନମାଳୀ ମୁହଁରୁ ଏ ବାତ୍ୟା କଥା ଶୁଣି ଚେତା ହରାଇଲା ସେ ଯୁବତୀଟି ଓ ଚେତା ଫେରିଲା ବେଳକୁ ତାଆର ମନେ ପଡିବାକୁ ଲାଗିଲା କିଛି କିଛି। ମନେ ପଡିବାକୁ ଲାଗିଲା ରାନୁ ଓ ଶିବୁର କଥା। ଦୁଇ ଦିନ ଓ ଦୁଇ ରାତି ସମୁଦ୍ର କୂଳର ସେହି ଛାମୁଣ୍ଡିଆ ତଳେ ରହିବା ପରେ ତୃତୀୟ ଦିନ ସକାଳୁ ସକାଳୁ ସେମାନେ ଚାଲିଗଲେ, ବନମାଳୀ ସେଇ ନିକଟରେ ଠାବ କରିଥିବା ଏକ ନଦୀ କୂଳକୁ। ନଦୀର ଦୁଇ ଧାରରେ ଘଞ୍ଚ ଜଙ୍ଗଲ ଓ ଟିକିଏ ଦୂରରେ ସମୁଦ୍ର ମୁହାଣ। ସେଇଠି ଅନୁରାଧାକୁ ବସାଇ ବନମାଳୀ ପାଇଥିବା ଟିଣ ଚଦରରେ ବନେଇଲା କାତି, ଲମ୍ବା କାଠରେ ତିଆରି କଲା ବର୍ଚ୍ଛା । ସେହି ନଦୀ କୂଳରେ ଦିନରେ ବିଶ୍ରାମ ନେବା ପାଇଁ ଗଢିଲା ପାଲପକା ଛାମୁଣ୍ଡିଆ ଘରଟିଏ। ରାତିରେ ଶୋଇବା ପାଇଁ ପାଖରେ ଥିବା ଗଛର ଶାଖାକୁ ଶାଖାରେ ମିଶାଇ ଓ ଲମ୍ବା ଲମ୍ବା କାଠ ଖଣ୍ଡ ସବୁ ଶିଆଳ ଲତାରେ ବାନ୍ଧି ତିଆରି କଲା ଗୋଟିଏ ସୁନ୍ଦର ମଞ୍ଚା ଘରଟିଏ। ଯୁବତୀଟି ପଥରରେ ପଥର ଘଷି କାଢିଲା ନିଆଁ ଓ ତାକୁ ନଡ଼ିଆ କତାରେ ଆଣି ସଂଚିଲା କାଠ ସନ୍ଧିରେ। ବନମାଳୀ ଜାଙ୍ଗଲକୁ ଯାଇ ଶୁଖିଲା କାଠ ଆଣିଲା, ଖାଇବାକୁ ଫଳମୂଳ ଆଣିଲା,ପକ୍ଷୀ ଶିକାର କଲା ଓ ନଦୀରୁ ମାଛ ମାରି ଆଣିଲା। ଯୁବତୀଟି ତାକୁ ନିଆଁରେ ସେକି ଖାଦ୍ୟ ପ୍ରସ୍ତୁତ କଲା। ବନମାଳୀ କହିଲା, ମୁଁ 'ତ ମୋ ବିଷୟରେ ସବୁ କହିଦେଲି, ହେଲେ ତୁମେ ତୁମ ବିଷୟରେ କିଛି କହିଲନିତ। ଯୁବତୀଟି କହିଲା, ତାଆର ଯାହା ମନେ ପଡ଼ୁଛି ତାଆ ନାଁ ହେଉଛି ଅନୁରାଧା। ତା'ରବି ଘରଟିଏ ଥିଲା। ସ୍ବାମୀ, ଶାଶୁ ,ଝିଅ ରାନୁ ଓ ଶିବୁକୁ ନେଇ ଖୁବ୍ ଭଲ ଥିଲା ତାଆର ଘର। ହସୁଥିଲା ସାତ ବର୍ଷର ବୈବାହିକ ସଂସାର । ହେଲେ ଏ ମହାବାତ୍ୟା ସବୁ ଉଜାଡି ଦେଲା। ସେଦିନ ଘର ଭିତରେ ଛାତିଏ ଯାଏ ପାଣି ପଶି ଯିବାରୁ ସେମାନେ ସିଡି ଦେଇ ଛାତ ଉପରକୁ ଚାଲିଗଲେ ଯେ ପବନର ଗୋଟିଏ ଝଟକାରେ ଛିଂଚାଡ଼ି ହୋଇ ପଡ଼ିଲେ ସମସ୍ତେ। ରାନୁ ପାଣିର ସୂଅରେ ପଡିଗଲା ଯେ ତାକୁ ବଞ୍ଚାଇବା ପାଇଁ ସିଏ ଡେଇଁ ପଡିଲା ତଳକୁ, ହେଲେ କଉ ବଞ୍ଚାଇ ପାରିଲା ତାକୁ। ପାଣି ସୂଅରେ ଭାସୁ ଭାସୁ କେଉଁଠି ଗୋଟାଏ ବାଡ଼େଇ ହୋଇଗଲା ଯେ ଚାଲିଗଲା ତାଆର ଚେତା। ତାଆ ପରେ ସେ କେମିତି ଭାସି ଆସି ଏଠି ଲାଗିଛି ସେ କଥା ସେ ଜାଣେନା । ଏବେବି ସେ ସ୍ପଷ୍ଟ ଭାବରେ ମନେ ପକାଇ ପାରୁନି ତାଆ ଆତ୍ମୀୟ ସ୍ବଜନଙ୍କ ମୁହଁକୁ।
ତେବେ ଏମିତିରେ ଏମିତିରେ ବିତି ଯାଇଛି ଏଗାର ଦିନ ଓ ଏଗାର ରାତି। ଏହା ଭିତରେ ଅନେକଥର ଅନୁରାଧା ଆକର୍ଷିତ ହୋଇଛି ବନମାଳୀର ଆକର୍ଷଣୀୟ ଚେହେରା ଓ ବ୍ୟବହାରରେ, ଯତ୍ନରେ, ସ୍ନେହ ଓ ଦାୟିତ୍ୱବୋଧତାରେ। ବନମାଳୀ ମଧ୍ୟ ବେଶ୍ କିଛିଥର ଆକର୍ଷିତ ହୋଇ ଯାଇଛି ଅନୁରାଧାର ଦେହର ସୁନା ରଙ୍ଗରେ, ମୁଖର ସୈୗନ୍ଦର୍ଯ୍ୟବୋଧରେ ଓ ଆଖିର ଲାବଣ୍ୟରେ। ହେଲେ ତାରିଫ୍ କରିବାକୁ ହେବ ଲେଖକଙ୍କୁ। ରାତିର ଅନ୍ଧାରରେ ଗୋଟିଏ ମଞ୍ଚାରେ ଦୁଇଟି ବିପରୀତ ଲିଙ୍ଗ ଶୋଉଥିଲେବି ସେମାନଙ୍କ ମୁଣ୍ଡ ଭିତରକୁ ଜମାରୁ ପଶିନି କାମନା କି ବାସନାର କଥା।
ବନମାଳୀ ଭାବିଛି ଏଠୁ ବାହାରିବାକୁ ହେଲେ ଭେଳାଟିଏ ତିଆରି କରି ସମୁଦ୍ରକୁ ଯିବାକୁ ହେବ। ତେବେ ଯାଇ କେଉଁ ଏକ ଯାହାଜ ସହିତ ଦେଖା ହେବ ଓ ଏଠୁ ବାହାରିବାର ରାସ୍ତା ଫିଟିବ। ଏଣୁ ସେ ଭେଳାଟିଏ ତିଆରି କରିଛି ଓ ଅନୁରାଧା ସହିତ ଦ୍ବାଦଶ ଦିବସରେ ଭେଳା ନେଇ ସମୁଦ୍ରକୁ ଯାଇଛି। କିନ୍ତୁ କୂଳରେ ଆସୁଥିବା ସମୁଦ୍ର ଲହଡ଼ିକୁ ପାର କରି ପାରିନି ଭେଳାଟି। ଭାଙ୍ଗି ଯାଇଛି ଭେଳା। ଖୁବ୍ ସଂଘର୍ଷ କରି ଅନୁରାଧାକୁ ଧରି ପୁଣିଥରେ ସେହି ମଞ୍ଚାକୁ ଫେରି ଆସିଛି ବନମାଳୀ। ଘରକୁ ଫେରିବାର ପ୍ରୟାସରେ ବିଫଳତା ଯୋଗୁଁ ଭାଙ୍ଗି ପଡ଼ିଛି ସେ। ଅନୁରାଧା କହିଛି ଆମର ଆଉ ଫେରିବା ଦରକାର ନାହିଁ। ମୋ ପାଖରେ ତୁମେ ଅଛ ବଡ କଥା। ଏଇଠି ରହିଯିବା ଆମେ ଦୁଃଖେ ସୁଖେ। ସେଇ ରାତିରେ ଏକ ଭାବପ୍ରବଣତାରେ ବହିଯାଇ ସେ ଦୁଇ ଶରୀର ମିଶି ଯାଇ ହୋଇ ଯାଇଛି ଗୋଟିଏ ଶରୀର ଏବଂ ତାପରେ ସେଇଠି ସେମାନେ ବିତାଇ ଦେଇଛନ୍ତି ଚାରିମାସ ତେଇଶି ଦିନ। ଏହାପରେ ବଦଳିଛି କାହାଣୀର ମୋଡ଼। ଏପର୍ଯ୍ୟନ୍ତ କାହାଣୀରେ ଲେଖକଙ୍କ ବର୍ଣ୍ଣନା ଶୈଳୀ, ସାହାସିକ ଯାତ୍ରାର ଚିତ୍ର, ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଆଧୁନିକ ମଣିଷର ଜୀବନରେ ଆଦିମ ମିଣିଷର ଜୀବନ ଅନୁରୂପ ଦୃଶ୍ୟ ସଂଳାପକୁ ଦେଖିଲେ ଯେକୌଣସି ପାଠକଙ୍କୁ ଅନୁଭବ ହେବ ସେ କାହାଣୀଟି ପଢିବା ଭିତରେ ଡିସ୍କୋଭରି ଚ୍ୟାନେଲ୍ ରେ ଦେଖୁଛି ବେରି ଗ୍ରିଲ୍ସଙ୍କ "Men Vs Wild" କିମ୍ବା "Men Vs Women on Island " ପରି ଡକ୍ୟୁମେଣ୍ଟାରି ଚଳଚିତ୍ର , ଯେଉଁଠି କାହାଣୀର ନାୟକ ହେଉଛି ବନମାଳୀ ଓ ନାୟିକା ହେଉଛି ଅନୁରାଧା । ମୁଁ'ବି ବାଦ୍ ଯାଇନି ଏହି ଅନୁଭବରୁ। ଏହା ହିଁ ଗୋଟିଏ ଉପନ୍ୟାସର ସଫଳତା। ଜଣେ ପାଠକ ହିସାବରେ ମୁଁ କହିବି ଖୁବ୍ ଚମତ୍କାର ଓ ଭାବପ୍ରବଣ ହୋଇଛି ଏହି ଉପନ୍ୟାସଟି......., ଜଣେ ପାଠକ ହିସାବରେ କହିବି, ଉପନ୍ୟାସଟି ମୋତେ ଖୁବ୍ ଟାଣିଛି। ସମ୍ଭବତଃ ସେଇଥିପାଇଁ ୨୮୨ ପୃଷ୍ଠାର ଉପନ୍ୟାସଟିକୁ ମୁଁ ପଢି ପକାଇଛି ମାତ୍ର ଦୁଇଟି ରାତି ଭିତରେ। ଉପନ୍ୟାସଟିରେ ଗୋଟିଏ ବିଶ୍ୱାସ ଅଛି। ପରିସ୍ଥିତି ଯେତେ ବିପରୀତ ହେଲେବି ତାକୁ ସାମ୍ନା କରି ପୁଣିଥରେ ଠିଆ ହେବାର ସାହସ ଏଠି ଅଛି। ଅତୀତକୁ କେବଳ ସ୍ମୃତିରେ ରଖି ବର୍ତ୍ତମାନରେ ବଞ୍ଚିବାର ଉପାୟ ଅଛି। ଲେଖକଙ୍କ ଲେଖାରେ ଗୋଟିଏ ବିଭୋରପଣ ଅଛି। ଶବ୍ଦର ଚୟନ, ଭାବର ଭାଗମାପ, ଦିନ, ସ୍ଥିତି ଓ ଦୃଶ୍ୟର ଅବିକଳ ବର୍ଣ୍ଣନା ଅଛି ଏବଂ ଆଦୈୗ କିଛି ନଥିବା ଯାଗାରେ କିଛିଟାକୁ ଖୋଜି ସେଥିରୁ ଜୀବଳ ଜିଇଁବାର କଳାବି ଅଛି। ଆଉ ଗୋଟିଏ ବଡ଼କଥା ହେଲା ଏଠି ଉପନ୍ୟାସରେବି କବିତାର ବିଭୋରପଣ ପରି କିଛି ବାକ୍ୟବି ଅଛି ! ଏଇ ଯେମିତି, " ଅନ୍ଧାରକୁ କାନ୍ଧରେ ବୋହି ରାତି ଜଳୁଥିଲା ନିଜସ୍ୱ ଆଲୋକରେ " ।
କାହାଣୀ ଶେଷ ଆଡ଼କୁ କାହାଣୀ ମୋଡ଼ ବଦଳାଇଛି। ଜିଙ୍ଗୱାଙ୍ଗର ପରିବାରଠୁ ବନମାଳୀ ଓ ଅନୁରାଧା ବିଦାୟ ନେଲାବେଳେ ମୋ ଆଖିରେ ଲୁହ ଆସିଛି। ଏବେ ହୁଏତ ଆପଣ ପଚାରିବେ ଜିଙ୍ଗୱାଙ୍ଗ କିଏ ? ଜିଙ୍ଗୱାଙ୍ଗ ସହିତ ବନମାଳୀ ଓ ଅନୁରାଧାର ସମ୍ପର୍କ କଣ ? ଆପଣ ପୁଣି ପଚାରିବାକୁ ଚାହୁଁଥିବେ ବନମାଳୀ ଓ ଅନୁରାଧା ଶେଷରେ ତାଙ୍କ ଘରକୁ ଫେରିଲେ ନା ନାହିଁ ? ପଚାରିବାକୁ ଚାହୁଁଥିବେ ଅନୁରାଧା ତାଆ ସ୍ବାମୀ ସତ୍ୟପ୍ରିୟ ପାଖକୁ ପୁଣିଥରେ ଫେରିଲା ନା ବନମାଳୀକୁ ବର ହିସାବରେ ବରି ନେଲା ?
ମୁଁ ଜାଣେ ,ଏବେ ଆପଣ ମାନଙ୍କ ମନରେ ଏମିତି ଅନେକ ଗୁଡ଼ିଏ ପ୍ରଶ୍ନ ଉଠୁଥିବ। ଆପଣ ମାନଙ୍କୁ ସେହି ପ୍ରଶ୍ନ ଗୁଡିକର ଉତ୍ତର ଏଇଠି ମୁଁ ଜମାରୁ ଦେବି ନାହିଁ। ଉତ୍ତର ପାଇବାକୁ ହେଲେ ଟିକେ ପରିଶ୍ରମ କରିବାକୁ ପଡିବ, ସଂଗ୍ରହ କରିବାକୁ ହେବ ବହିଟିକୁ ଓ ପଢିବାକୁ ପଡ଼ିବ ତାକୁ। ମୁଁ ଜାଣେ ସେସବୁ କାମ ଆପଣମାନେ କରି ପାରିବେ ନିଶ୍ଚୟ।
ବହି : ଦୁଇ ଫର୍ଦ୍ଧ ଆକାଶ ଲେଖକ : ତ୍ରିନାଥ ସିଂହ ପ୍ରକାଶକ : ଟାଇମ୍ ପାସ୍ ପ୍ରଥମ ପ୍ରକାଶ : ୨୦୨୪ ପୃଷ୍ଠା ସଂଖ୍ୟା : ୨୮୨ ମୂଲ୍ୟ : ୩୨୫ ଟଙ୍କା ମାତ୍ର ସମୀକ୍ଷା : ଶୁଭ ନାରାୟଣ ସ୍ବାଇଁ TRINATH SINGH (ମୋ ଆଲୋଚନା) ୧୯:୨୨, ୧୧ ଅପ୍ରେଲ ୨୦୨୬ (IST)
ଉପନ୍ୟାସ: "ଦୁଇଫର୍ଦ୍ଦ ଆକାଶ" ଉପରେ ଯାହା କହନ୍ତି କବି ଶର୍ମିଷ୍ଠା ସାହୁ
[ସମ୍ପାଦନା]TRINATH SINGH (ମୋ ଆଲୋଚନା) ୧୯:୩୩, ୧୧ ଅପ୍ରେଲ ୨୦୨୬ (IST)