Jump to content

ବ୍ୟବହାରକାରୀଙ୍କ ଆଲୋଚନା:ସରୋଜ ବଳ

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
Latest comment: ୭ ବର୍ଷ ପୂର୍ବେ by MKar

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ସରୋଜ ବଳ, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୩୮, ୭ ମଇ ୨୦୧୮ (IST)Reply

ଜାନକୀ ବଲ୍ଲଭ ପଟ୍ଟନାୟକ

[ସମ୍ପାଦନା]

ଜାନକୀ ବଲ୍ଲଭ ପଟ୍ଟନାୟକ (୧୯୨୭-୨୦୧୫) କ୍ଷେତ୍ର: ରାଜନୀତି, ସାମ୍ବାଦିକତା ଓ ସାହିତ୍ୟ

ଓଡ଼ିଶା ରାଜନୀତିର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ୱ ଜାନକୀ ବଲ୍ଲଭ ପଟ୍ଟନାୟକ ଏକାଧାରରେ ଥିଲେ ଜଣେ ସଂସ୍କୃତ-ବିଦ୍ୱାନ, ସାମ୍ବାଦିକ, ସଂପାଦକ ଏବଂ ସାରସ୍ୱତ ସାଧକ । ୧୯୨୭ ମସିହା ଜାନୁଆରୀ ମାସ ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଗ୍ରାମରେ ଜନ୍ମ ହୋଇଥିଲେ ସେ । ସ୍କୁଲ୍ରେ ପଢ଼ିଲାବେଳେ ତାଙ୍କର ସ୍ୱପ୍ନ ଥିଲା ସେ ଖବରକାଗଜର ସଂପାଦକ ହେବେ । ଉକ୍ରଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସମ୍ମାନ ସହ ସ୍ନାତକ ଶେଷ କରିବା ପରେ ଜାନକୀ ବଲ୍ଲଭ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ । ଉଚ୍ଚଶିକ୍ଷା ଲାଭ କରିବା ପରେ ମଧ୍ୟ ତାଙ୍କର ପିଲାଦିନର ସ୍ୱପ୍ନ ମଉଳି ନଥିଲା । ସୁତରାଂ ୧୯୪୯ରେ ମାତ୍ର ୨୫ ବର୍ଷ ବୟସରେ ସେ ଇଂରାଜୀ ଦୈନିକ ‘ଇଷ୍ଟର୍ଣ୍ଣ ଟାଇମ୍ସ’ ଓ ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ସଂପାଦକ ହେଲେ । ସାମ୍ବାଦିକତା ବୃତ୍ତିରେ ରହି ବଡ଼ବଡ଼ ରାଜନେତାଙ୍କ ସହ ମିଶିବାର ସୁଯୋଗ ମିଳିବାରୁ ରାଜନୀତି ପ୍ରତି ତାଙ୍କର ଆଗ୍ରହ ବଢ଼ିବାରେ ଲାଗିଲା । ୧୯୭୧ରେ ସେ ନିର୍ବାଚିତ ହେଲେ ଲୋକସଭାକୁ ଏବଂ ପରେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିପରିଷଦରେ ଉପମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ କ୍ୟାବିନେଟ୍ ମନ୍ତ୍ରୀ ଭାବରେ କାର୍ଯ୍ୟ କଲେ । ଦିଲ୍ଲୀ ଓ ଓଡ଼ିଶା ମଧ୍ୟରେ ସିଧାସଳଖ ରେଳ ଓ ବିମାନ ଚଳାଚଳ ବ୍ୟବସ୍ଥା ତାଙ୍କ ନିଷ୍ଠାପର ଉଦ୍ୟମର ଫଳଶ୍ରୁତି । ୧୯୮୦ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କଲେ । ରାଜନୀତିକୁ ସବୁ ନୀତି ଭିତରେ ଶ୍ରେଷ୍ଠ ବୋଲି ଭାବୁଥିବା ଜାନକୀ ବଲ୍ଲଭ ସାମ୍ବାଦିକତା ପରେ ଦୀର୍ଘ ଚାରି ଦଶନ୍ଧି ଧରି ପ୍ରତ୍ୟକ୍ଷ ରାଜନୀତିରେ ରହିଥିଲେ । ସେଥିରୁ ୧୪ ବର୍ଷ ସେ ଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଏହା ଛଡ଼ା ସେ କଂଗ୍ରେସ ଦଳର ବହୁ ସାଙ୍ଗଠନିକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ଆସାମର ରାଜ୍ୟପାଳ, ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ମଧ୍ୟ ସେ ସୁଚାରୁ ରୂପେ ତୁଲାଇଥିଲେ କାର୍ଯ୍ୟଭାର । ‘ଗୌତମ ବୁଦ୍ଧ’, ‘ବୈରାଗ୍ୟ ଶତକ’, ‘ବଙ୍କିମ ଉପନ୍ୟାସମାଳା’, ‘ସିନ୍ଧୁ ଉପତ୍ୟକା’, ‘ସ୍ୱପ୍ନ ଓ ସଂକଳ୍ପ’ ଆଦି ଅନେକ ପୁସ୍ତକ ରଚନା କରି ଲେଖକ ଭାବେ ସେ ହୋଇଥିଲେ ଯଶସ୍ୱୀ । ‘ପୌରୁଷ’ ପତ୍ରିକାର ସମ୍ପାଦକ ଥିବା ଜାନକୀ ବଲ୍ଲଭ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ‘ପ୍ରଜ୍ଞାନ ବାଚସ୍ପତି’ ଓ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରୁ ଡି.ଲିଟ୍ ଉପାଧି ଲାଭ କରିଥିଲେ । ଓଡ଼ିଶା ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ‘ମହାତ୍ମାଗାନ୍ଧୀ ସେବା ପଦକ’ରେ ସମ୍ମାନିତ ଜାନକୀ ବଲ୍ଲଭ ତିରୁପତି ଗସ୍ତରେ ଥିବାବେଳେ ୨୧ ଏପ୍ରିଲ୍ ୨୦୧୫ରେ ଆମ ଗହଣରୁ ବିଦାୟ ନେଲେ ।

ନବକୃଷ୍ଣ ଚୌଧୁରୀ

[ସମ୍ପାଦନା]

ନବକୃଷ୍ଣ ଚୌଧୁରୀ (୧୯୦୧-୧୯୮୪) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ

ଜନମାନସରେ ଗଭୀର ପ୍ରତିଛବି ଛାଡ଼ିଯାଇଥିବା ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଜନନାୟକ ହେଲେ ନବକୃଷ୍ଣ ଚୌଧୁରୀ । ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ କଟକର ସ୍ୱରାଜ୍ୟ ଆଶ୍ରମରେ ତାଙ୍କର ଜନ୍ମ । ପ୍ୟାରୀମୋହନ ଏକାଡେମୀରେ ନବକୃଷ୍ଣଙ୍କର ଶିକ୍ଷାରମ୍ଭ ହୋଇଥିଲା । ପିଲାଟିଦିନୁ ନବକୃଷ୍ଣ ନିରାଡ଼ମ୍ବର ଓ ସରଳ ଥିଲେ । ୧୯୧୭ରେ କଲିକତା ବିଶ୍ୱବିଦ୍ୟାଳୟରୁ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଏବଂ ରେଭେନ୍ସାରେ ଆଇ.ଏ. ଓ ବି.ଏ. ପଢ଼ିଲେ । ସେତେବେଳେ ସ୍ୱାଧୀନତା ଆନ୍ଦୋଳନ ଜୋରସୋର୍ରେ ଚାଲିଥିଲା । ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ସ୍କୁଲ୍ ବର୍ଜନ କରିଥିବା ଆନ୍ଦୋଳନକାରୀମାନଙ୍କୁ ପାଠ ପଢ଼ାଇବା ପାଇଁ ଅଳକାଶ୍ରମ ଗଠିତ ହେଲା ଓ ସେଠାରେ ନବକୃଷ୍ଣ ଶିକ୍ଷକ ଭାବେ ଯୋଗଦେଲେ । ୧୯୨୩ରେ ସେ ସାବରମତି ଆଶ୍ରମ ଯାତ୍ରା କଲେ ଓ ଗାନ୍ଧିଜୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ । ପରେ ଶାନ୍ତିନିକେତନ ଯାଇ ରବୀନ୍ଦ୍ରନାଥ ଠାକୁରଙ୍କ ମିଶିଥିଲେ ଓ ସେଠାରେ କିଛିକାଳ ଶିକ୍ଷା ଲାଭ କରିଥିଲେ । ୧୯୨୯ରେ ଅନୁଷ୍ଠିତ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହରେ ଅଂଶ୍ର ଗ୍ରହଣ କଲେ ନବକୃଷ୍ଣ ଓ ବିଭିନ୍ନ ଅଂଚଳ ବୁଲି ସତ୍ୟାଗ୍ରହୀ ସଂଗ୍ରହ କଲେ । ଚୌକିଦାର ଟିକସ ବିରୋଧରେ ଆନ୍ଦୋଳନ କରି ସେ ପ୍ରଥମ କାରାଦଣ୍ଡ ବରଣ କଲେ । ୧୯୩୦ରେ ଜେଲ୍ରୁ ଖଲାସ୍ ହେଇ ଜାତୀୟ କଂଗ୍ରେସ୍ ଅଧିବେଶନ ପାଇର୍ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ କାର୍ଯ୍ୟରେ ନିୟୋଜିତ ହେଲେ । ନବକୃଷ୍ଣ ଥିଲେ ସାମ୍ୟବାଦୀ ଚିନ୍ତାଧାରାର ସ୍ତାବକ । ୧୯୩୩ରେ ଓଡ଼ିଶା କଂଗ୍ରେସ୍ ମଧ୍ୟରେ ଦେଶର ସର୍ବପ୍ରଥମ ‘କଂଗ୍ରେସ୍ ସମାଜବାଦୀ ସଂଘ’ ପ୍ରତିଷ୍ଠା ହେଲା ଓ ତାର ମୁଖ୍ୟ ରହିଲେ ନବକୃଷ୍ଣ । ସେ ସମୟରେ ତାଙ୍କ ସଂପାଦନାରେ ପ୍ରକାଶ ପାଇଲା ବୈପ୍ଳବିକ ପତ୍ରିକା ‘ସାରଥି’ । କୃଷକ ଆନ୍ଦୋଳନର ମଧ୍ୟ ସୂତ୍ରପାତ କଲେ ସେ । ୧୯୩୭ରେ ନୂତନ ଓଡ଼ିଶା ବିଧାନସଭା ନିର୍ବାଚନରେ ତିର୍ତ୍ତୋଲ ଏରସମା ନିର୍ମାଚନ ମଣ୍ଡଳୀରୁ ସେ ନିର୍ବାଚିତ ହେଲେ ମଧ୍ୟ ଦଳର ଆଦର୍ଶ ଅନୁଯାୟୀ କୌଣସି ପଦବୀରେ ଅଧିଷ୍ଠିତ ହୋଇନଥିଲେ । ଗଡ଼ଜାତ ପ୍ରଜା ଆନ୍ଦୋଳନ, ଉକ୍ରଳ ନବଜୀବନ ମଣ୍ଡଳ ପ୍ରତିଷ୍ଠା, ଭାରତଛାଡ଼ ଆନ୍ଦୋଳନ ଆଦିରେ ସକ୍ରିୟ ଭୂମିକା ନିଭାଇଲେ ନବକୃଷ୍ଣ । ୧୯୪୬ରେ ମହତାବଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇ ସେ ହେଲେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ । ଶେଷରେ ୧୯୫୦ରେ ନବକୃଷ୍ଣ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେଲେ । ଆଜୀବନ ଶୋଷିତ ଶ୍ରେଣୀର ସପକ୍ଷରେ କାର୍ଯ୍ୟ କରିଥିବା ଏହି ବିଖ୍ୟାତ ଜନନେତା ୨୪ ଜୁନ୍ ୧୯୮୪ରେ ଦେହତ୍ୟାଗ କରିଥିଲେ ।

କୃଷ୍ଣଚନ୍ଦ୍ର ଗଜପତି

[ସମ୍ପାଦନା]

କୃଷ୍ଣଚନ୍ଦ୍ର ଗଜପତି (୧୮୯୨-୧୯୭୪) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ

ଓଡ଼ିଶାର ଅଂଧକାର ସମୟକୁ ଆଲୋକିତ କରି ସର୍ବଭାରତୀୟ ସ୍ତରରେ ଓଡ଼ିଆ ଜାତିର ନବନିର୍ମାଣ କରିବା ପାଇଁ ଆଜୀବନ ଉଦ୍ୟମ କରିଥିବା ହାତଗଣତି କେତେଜଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିବେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ । ପାରଳାଖେମୁଣ୍ଡିର ଏହି ସୁଯୋଗ୍ୟ ଶାସକ ବାସ୍ତବରେ ଓଡ଼ିଶାର ଥିଲେ ଯୁଗପୁରୁଷ । ୧୮୯୨ ମସିହା ଏପ୍ରିଲ୍ ୨୬ ତାରିଖରେ ମହେନ୍ଦ୍ରତନୟା ନଦୀ କୂଳରେ ଥିବା ପାରଳାକୃଷ୍ଣ ରାଜପରିବାରରେ ଜନ୍ମଗ୍ରହଣ କରିଥିଲେ କୃଷ୍ଣଚନ୍ଦ୍ର । ସ୍ଥାନୀୟ ମହାରାଜା ହାଇସ୍କୁଲ୍ରେ ଶିକ୍ଷା ଗ୍ରହଣ ପରେ ସେ ମାନ୍ଦ୍ରାଜର ନ୍ୟୁଇଙ୍ଗଟନ୍ ରାଜକୁମାର କଲେଜ୍ରେ ଉଚ୍ଚତର ଶିକ୍ଷା ଲାଭକଲେ । ୧୯୧୩ରେ ସେ ପାରଳାଖେମୁଣ୍ଡି ଫେରିଆସିବା ପରେ ତାଙ୍କର ରାଜାଭିଷେକ ହେଲା ଓ ସେ ଗାଦୀରେ ବସିଲେ । ସେତେବେଳକୁ ମଧୁବାବୁ ଉକ୍ରଳ ସମ୍ମିଳନୀ ଗଠନ କରି ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବା ଲକ୍ଷ୍ୟରେ ନାନା ବିରୋଧ ଓ ପ୍ରତିକୂଳର ସାମ୍ନା କରୁଥିଲେ । ଓଡ଼ିଆ ଜାତିର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କୃଷ୍ଣଚନ୍ଦ୍ର ଆଉ ଚୁପ୍ ହାଇ ରହିପାରିଲେ ନାହିଁ । ୧୯୧୪ରେ ସେ ମଧୁବାବୁଙ୍କୁ ଭେଟି ଉକ୍ରଳ ସମ୍ମିଳନୀରେ ସକ୍ରିୟ ଭାବେ ଅଂଶ ଗ୍ରହଣ କଲେ । ସମୁଦାୟ ବିଚ୍ଛିନ୍ନାଞ୍ଚଳକୁ ଏକାଠି କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା, ଓଡ଼ିଆ ସ୍କୁଲ୍ ପ୍ରତିଷ୍ଠା କରି ଓଡ଼ିଆ ଶିକ୍ଷକଙ୍କୁ ନିଯୁକ୍ତି ଦେବା ଆଦି କାର୍ଯ୍ୟକ୍ରମମାନ ହାତକୁ ନେଇ ସେ ଅକୁଣ୍ଠ ଚିତ୍ତରେ ନିଜର ଅର୍ଥ, ଶ୍ରମ ଓ ବୁଦ୍ଧିମତାର ବିନିଯୋଗ କରିଚାଲିଲେ । ପ୍ରଥମ ବିଶ୍ୱଯୁଦ୍ଧରେ ସହଯୋଗ କରି ସେ ଇଂରେଜ୍ ସରକାରଙ୍କଠାରୁ ଲେଫ୍ଟନାଣ୍ଟ୍ ପଦବୀ ପାଇଥିଲେ । ୧୯୩୦ରେ ଇଂଲଣ୍ଡ୍ରେ ଅନୁଷ୍ଠିତ ଗୋଲ୍ଟେବୁଲ୍ ବୈଠକରେ ସେ ଯୋଗଦେଇଥିଲେ ଓ ସେଠାରେ ସ୍ମାରକପତ୍ର ପାଠ କରିବା ପାଇଁ ସୁଯୋଗ ନମିଳିବାରୁ ଇଲଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ଜଣାଇଥିଲେ ଓ ଓଡ଼ିଶା ବିଷୟରେ ତାଙ୍କର ମତ ରଖିଥିଲେ । ଶେଷରେ ଗୋଲଟେବୁଲ୍ ବୈଠକରେ ଓଡ଼ିଶା ପ୍ରଦେଶ ଗଠନର ଦାବିକୁ ଇଂରେଜ୍ ସରକାର ଘୋର ଅନିଚ୍ଛା ସତ୍ତେ୍ୱ ବି ମାନି ନେଇଥିଲେ । ଓଡ଼ିଶା ପ୍ରଦେଶ ଗଠନ ପରେ ୧୯୩୭ରେ ସେ ବିଧାନସଭା ନିର୍ବାଚନରେ ଭାଗ ନେଇ ଓଡ଼ିଶାର ସର୍ବପ୍ରଥମ ମନ୍ତ୍ରିମଣ୍ଡଳର ପ୍ରଧାନମନ୍ତ୍ରୀ ହୋଇଥିଲେ । ପୁନର୍ବାର ୧୯୪୧ରେ ଅନ୍ୟ କେତୋଟି ଦଳର ସମର୍ଥନରେ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରି ସେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟ, ଓଡ଼ିଶା ହାଇକୋର୍ଟ ପରି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନମାନ ତାଙ୍କ ଉଦ୍ୟମରେ ସଂଭବ ହୋଇଥିଲା । ୧୯୭୪ ମସିହା ମେ ୨୫ ତାରିଖରେ ଏହି ମହାନ ଜନନାୟକଙ୍କର ଦେହାନ୍ତ ହୋଇଥିଲା ।

ନବୀନ ପଟ୍ଟନାୟକ

[ସମ୍ପାଦନା]

ନବୀନ ପଟ୍ଟନାୟକ (୧୯୪୬) କ୍ଷେତ୍ର: ରାଜନୀତି

କ୍ରମାଗତ ଚାରି ପାଳି ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଆସିଥିବା ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚରିତ୍ର । ଜଣେ ଲେଖକ ଭାବେ କ୍ୟାରିଅର୍ ଆରମ୍ଭ କରିଥିବା ନବୀନ ପରବର୍ତ୍ତୀ ସମୟରେ ରାଜନୀତିର ଜଣେ ପୋଖତ ଖେଳାଳୀ ଭାବେ ନିଜକୁ ସାବ୍ୟସ୍ତ କରି ସମଧର୍ମାମାନଙ୍କୁ ଚମକେଇ ଦେଇଛନ୍ତି । ଓଡ଼ିଶା ରାଜନୀତିର କିଂବଦନ୍ତୀପୁରୁଷ ବିଜୁ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ଭାବେ ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିବା ନବୀନ ଗତ ଦୁଇ ଦଶନ୍ଧି ଧରି ନିଜର ‘ନିର୍ମଳ ଭାବମୂର୍ତ୍ତି’ ପାଇଁ ଜନଗଣଙ୍କ ବିଶ୍ୱାସଭାଜନ ହୋଇଆସିଛନ୍ତି । ଡେରାଡୁନ୍ର ୱେଲ୍ହାମ୍ ବଏଜ୍ ହାଇସ୍କୁଲ୍ ଓ ଡୁନ୍ ସ୍କୁଲ୍ରେ ଶିକ୍ଷାଲାଭ କଲାପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ନାତକ ଶେଷ କରିଥିଲେ । ପାଠପଢ଼ା ପରେ ଲେଖାଲେଖିକୁ ଜୀବିକା କରିବା ସହିତ ଭାରତୀୟ ସଭ୍ୟତା ଓ ସଂସ୍କୃତିର ଗବେଷଣା ଅନୁଷ୍ଠାନ ‘ଇନ୍ଟାକ୍’ର ପ୍ରତିଷ୍ଠାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ୧୯୯୭ରେ ବିଜୁବାବୁଙ୍କ ବିୟୋଗ ପରେ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ଓ ପ୍ରବେଶ କରିଥିଲେ ସକ୍ରିୟ ରାଜନୀତିରେ । ୧୯୯୭ରେ ତାଙ୍କ ନେତୃତ୍ୱରେ ଗଠିତ ହେଲା ବିଜୁ ଜନତା ଦଳ । ଏହି ଦଳରୁ ଦ୍ୱାଦଶ ଲୋକସଭା ପାଇଁ ପୁନଃନିର୍ବାଚିତ ହୋଇ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍ଡିଏ ମନ୍ତ୍ରିମଣ୍ଡଳରେ ସାମିଲ୍ ହେଲେ ନବୀନ । ୨୦୦୦ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରି ବିଜେଡି ସଂଖ୍ୟାଗରିଷ୍ଠତା ହାସଲ ଓ କେନ୍ଦ୍ର ମନ୍ତ୍ରିପଦ ଛାଡ଼ି ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ । ସେବେଠାରୁ ଏଯାବତ୍ ତାଙ୍କର ଆସନ ସୁଦୃଢ଼ ରହିଛି । ଦୁଇ ପାଳି ପରେ ୨୦୦୯ରେ ବିଜେପିଠାରୁ ଅଲଗା ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବିଜେଡ଼ି ଦଳ ଏପର୍ଯ୍ୟନ୍ତ ଶାସନରେ ରହିଆସିଛି । ନବୀନଙ୍କ ଶାସନକାଳରେ ବହୁ ଜନହିତକର କାର୍ଯ୍ୟ ହାତକୁ ନିଆଯାଇଛି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କ ପାଇଁ ୧ ଟଙ୍କିଆ ଚାଉଳ, ୫ ଟଙ୍କିଆ ମିଲ୍, ବିଜୁ ଗ୍ରାମଜ୍ୟୋତି, ମୋ କୁଡ଼ିଆ, ମମତା, ଖୁସି, କଳାକାର ସହାୟତା, ନିରାମୟ, ମିଶନ ଶକ୍ତି, ମଧୁବାବୁ ପେନ୍ସନ୍, ହରିଶ୍ଚନ୍ଦ୍ର ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରି ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସବୁ ବର୍ଗର ଜନସାଧାରଣଙ୍କ ପାଇଁ ସୁଯୋଗ ଓ ସହାୟତାର ଦ୍ୱାର ଖୋଲା ରଖିଛନ୍ତି । ଓଡ଼ିଶାର ଶିଳ୍ପାୟନ ଓ ଭିତ୍ତିଭୂମି ବିକାଶ ଦିଗରେ ତାଙ୍କର ଅନେକ ଉଲ୍ଲେଖନୀୟ ଅବଦାନ ରହିଛି ।

ନନ୍ଦିନୀ ଶତପଥୀ

[ସମ୍ପାଦନା]

ନନ୍ଦିନୀ ଶତପଥୀ (୧୯୩୧-୨୦୦୬) କ୍ଷେତ୍ର: ରାଜନୀତି (ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ)

‘ଉକ୍ରଳ ଦିବସ’କୁ ସରକାରୀ ସ୍ତରରେ ପ୍ରଥମେ ପାଳନ କରାଇଥିବା ଚର୍ଚ୍ଚିତ ରାଜନେତ୍ରୀ ଓ ଲେଖିକା ନନ୍ଦିନୀ ଶତପଥୀ ଥିଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । ୧୯୩୧ ମସିହା ଜୁନ୍ ୯ ତାରିଖରେ କଟକର ପିଠାପୁରଠାରେ ବିଖ୍ୟାତ ଲେଖକ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ବଡ଼ଝିଅ ହୋଇ ଜନ୍ମ ନେଇଥିଲେ ନନ୍ଦିନୀ । ପିତାଙ୍କ ସୃଜନଶୀଳତା ଓ କକା ଭଗବତୀ ଚରଣ ପାଣିଗ୍ରାହୀଙ୍କ ବୈପ୍ଳବିକ ଚିନ୍ତାଧାରାର ଯୁଗ୍ମ ପ୍ରଭାବ ପଡ଼ିଥିଲା ନନ୍ଦିନୀଙ୍କ ଉପରେ । ସେ ଜନ୍ମନେଲା ବେଳକୁ ଘର ଭିତରେ ସାଂସ୍କୃତିକ ଓ ସାହିତ୍ୟିକ ବାତାବରଣ ଥିଲା ତ ବାହାରେ ଥିଲା ସ୍ୱାଧୀନତା ସଂଗ୍ରାମର ଉତ୍ତାପ । ରେଭେନ୍ସା କଲେଜ୍ରେ ପଢ଼ିବା ବେଳେ କମ୍ୟୁନିଷ୍ଟ ଦଳର ଛାତ୍ରବାହିନୀ ‘ଷ୍ଟୁଡେଣ୍ଟ୍ସ ଫେଡେରେସନ୍’ର ଜଣେ ସକ୍ରିୟ ନେତ୍ରୀ ଥିଲେ । ଏହି ସମୟରେ ଛାତ୍ରନେତା ଦେବେନ୍ଦ୍ର ଶତପଥୀଙ୍କ ସହ ତାଙ୍କର ଘନିଷ୍ଠତା କ୍ରମେ ଦାମ୍ପତ୍ୟରେ ପରିଣତ ହେଲା । ଦେବେନ୍ଦ୍ର ଶତପଥୀଙ୍କ ସହ ମିିଶି ସର୍ବୋଦୟ ଆନ୍ଦୋଳନରେ କାମ କରିବା ସହ ସନ୍ଥ ବିନୋବା ଭାବେଙ୍କ ସାନ୍ନିଧ୍ୟ ଲାଭ କରିଥିଲେ ନନ୍ଦିନୀ । ଷାଠିଏ ଦଶକରେ କଂଗ୍ରେସ୍ ଦଳରୁ ରାଜ୍ୟସଭାକୁ ସାଂସଦ ହୋଇ ଯାଇଥିଲେ ସେ । ୧୯୬୫ରେ ଶାସ୍ତ୍ରୀଜୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସୂଚନା ଓ ପ୍ରସାରଣ ବିଭାଗର ଉପମନ୍ତ୍ରୀ ହୋଇଥିଲେ । ପରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲା ପରେ ନନ୍ଦିନୀଙ୍କୁ ସେହି ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ଅବସ୍ଥାପିତ କରିଥିଲେ । ୧୯୭୧ରେ ନନ୍ଦିନୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଜଣେ ଦକ୍ଷ, ସକ୍ରିୟ ଓ ସଚ୍ଚୋଟ ଶାସକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ ପ୍ରଶାସନିକ ଶିଥିଳତାକୁ ଭାଙ୍ଗିବା ଓ ଦୁର୍ନୀତି ନିବାରଣ ପାଇଁ ଦୃଢ଼ ପଦକ୍ଷେପ ନେଇ ସେ ଜନସାଧାରଣଙ୍କ ଦ୍ୱାରା ସମଭାବେ ପ୍ରଶଂସିତ ଓ ନିନ୍ଦିତ ହୋଇଥିଲେ । ୧୯୭୬ରେ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ସେ ଦଳ ତ୍ୟାଗ କରି ‘କଂଗ୍ରେସ୍ ଫର୍ ଡେମୋକ୍ରାସି’ରେ ଯୋଗ ଦେଲେ । ପରେ ‘ଜାଗ୍ରତ ଓଡ଼ିଶା’ ନାମକ ଏକ ଦଳ ଗଠନ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫ରେ ସେ ରାଜୀବ ଗାନ୍ଧୀଙ୍କ ଅନୁରୋଧରେ ପୁଣି କଂଗ୍ରେସ୍କୁ ଫେରିଲେ ଏବଂ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷା ହେଲେ । ରାଜନୈତିକ ବ୍ୟସ୍ତତା ଭିତରେ ମଧ୍ୟ ସେ ଅମୃତା ପ୍ରୀତମ୍ଙ୍କ ‘ରସିଦ୍ ଟିକେଟ୍’, ତସଲିମାଙ୍କ ‘ଲଜ୍ଜା’ ଆଦି ପୁସ୍ତକ ଅନୁବାଦ କରିଥିଲେ । ସ୍ୱାମୀ ଦେବେନ୍ଦ୍ରଙ୍କ ସହ ମିଶି ସେ ଦୈନିକ ‘ଧରିତ୍ର୍ରୀ’ ଆରମ୍ଭ କରିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ, ସାହିତ୍ୟ ଭାରତୀ ଆଦି ପୁରସ୍କାରରେ ସମ୍ମାନିତ ନନ୍ଦିନୀ ଦୀର୍ଘଦିନ ଅସୁସ୍ଥ ରହି ୨୦୦୬ ଅଗଷ୍ଟ ୪ ତାରିଖରେ ମୃତ୍ୟୁବରଣ କଲେ ।

ବିଜୁ ପଟ୍ଟନାୟକ

[ସମ୍ପାଦନା]

ବିଜୁ ପଟ୍ଟନାୟକ (୧୯୧୬-୧୯୯୭) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ

ଦୁର୍ଦ୍ଧର୍ଷ ପାଇଲଟ୍, ଦକ୍ଷ ଶିଳ୍ପପତି ଓ ବିଚକ୍ଷଣ ରାଜନୀତିଜ୍ଞ ଭାବେ ସୁପରିଚିତ ବିଜୁ ପଟ୍ଟନାୟକ ଜାତୀୟସ୍ତରର ଜଣେ ସର୍ବମାନ୍ୟ ନେତା ଓ ଜନନାୟକ । ପ୍ରବାଦପୁରୁଷ, କଳିଙ୍ଗବୀର, ଦ୍ୱିତୀୟ ଖାରବେଳ, ଭୂମିପୁତ୍ର ଆଦି ଅନେକ ବିଶେଷଣରେ ଚିହ୍ନିତ ଏହି ବିଖ୍ୟାତ ଜନନେତା ୫ ମାର୍ଚ୍ଚ ୧୯୧୬ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପୈତୃକ ଗ୍ରାମ ଥିଲା ଗଞ୍ଜାମ ଜିଲ୍ଲାର ଜି-ନୂଆଗାଁ । ସ୍କୁଲ୍ଶିକ୍ଷା ସାରି ସେ ରେଭେନ୍ସା କଲେଜ୍ରେ ନାମ ଲେଖାଇଥିଲେ ମଧ୍ୟ ପାଇଲଟ୍ ହେବାର ଇଚ୍ଛା ଥିବାରୁ ରେଭେନ୍ସା ଛାଡ଼ି ସେ ବିମାନ ଚାଳନାରେ ତାଲିମ୍ ନେଇଥିଲେ । ସ୍ୱାଧୀନତା ପରେ କାଶ୍ମୀର ଉପରେ ପାକ୍ ଆକ୍ରମଣ କାଳରେ ଦୁର୍ଗମ ଅଂଚଳରେ ଭାରତୀୟ ସେନାଙ୍କୁ ଅତ୍ୟାବଶ୍ୟକ ଉପକରଣ ଯୋଗାଇ ଦେଶବାସୀଙ୍କ ପ୍ରିୟଭାଜନ ହୋଇଥିଲେ । ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ପରାମର୍ଶ କ୍ରମେ ନିଜ ଜୀବନକୁ ବିପନ୍ନ କରି ଇଣ୍ଡୋନେସିଆର ରାଜନେତାମାନଙ୍କୁ ଡଚ୍ ଶାସକମାନଙ୍କ କବଳରୁ ଉଦ୍ଧାର କରି ଦିଲ୍ଲୀ ନେଇଆସିବା ପରେ ବିଜୁବାବୁ ପାଲଟି ଯାଇଥିଲେ ଜଣେ ତାରକା ପାଇଲଟ୍ । ଇଣ୍ଡୋନେସିଆ ତରଫରୁ ତାଙ୍କୁ ଦେଶର ସର୍ବୋଚ୍ଚ ଅଣସାମରିକ ସମ୍ମାନ ‘ଭୂମିପୁତ୍ର’ ପ୍ରଦାନ କରାଯାଇଥିଲା । ୧୯୬୧ରେ ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନରେ ବିଜୁବାବୁଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ କଂଗ୍ରେସ୍ ୧୪୦ରୁ ୮୨ଟି ଆସନ ଦଖଲ କଲା ଓ ବିଜୁବାବୁ ମାତ୍ର ୨ ବର୍ଷ ୩ ମାସ ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ ବି ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ । ପାରାଦୀପ ବନ୍ଦର, ଏକ୍ସପ୍ରେସ୍ ହାଇୱେ, ମିଗ୍ ବିମାନ କାରଖାନା, ସୈନିକ ସ୍କୁଲ୍, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ରାଉରକେଲା ଇଞ୍ଜିନିୟରିଂ କଲେଜ୍ ଆଦି ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ସଂପନ୍ନ ହୋଇଥିଲା ତାଙ୍କ ଶାସନ କାଳରେ । ତେବେ ୧୯୬୩ରୁ ୧୯୯୦ ଯାଏଁ ଦୀର୍ଘ ୨୭ ବର୍ଷ ଧରି ସେ ଉକ୍ରଟ ରାଜନୈତିକ ସଂଘର୍ଷର ସମ୍ମୁଖୀନ ହୋଇଥିଲେ । ସତୁରୀ ଦଶକରେ ମୋରାର୍ଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ଇସ୍ପାତ, ଖଣି ଓ କୋଇଲା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୦ରେ ତାଙ୍କ ନେତୃତ୍ୱରେ ଗଠିତ ଜନତାଦଳ ବିଧାନସଭାରେ ରେକର୍ଡ ସଂଖ୍ୟକ ୧୨୩ଟି ଆସନ ଦଖଲ କରିଥିଲା ଓ ସେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବାହାରକୁ ଶକ୍ତ, ଦୃଢ଼ ଓ ଅହଂକାରୀ ଦିଶୁଥିବା ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଥିଲା ଠିକ୍ ନଡ଼ିଆ ଭଳି । ୧୭ ଏପ୍ରିଲ୍ ୧୯୯୭ରେ ଏହି ବହୁଚର୍ଚ୍ଚିତ ଜନନେତା ଦିଲ୍ଲୀଠାରେ ହୃଦ୍ଘାତରେ ପ୍ରାଣତ୍ୟାଗ କରିଥିଲେ ।

ସାରଙ୍ଗଧର ଦାସ

[ସମ୍ପାଦନା]

ସାରଙ୍ଗଧର ଦାସ (୧୮୮୬-୧୯୫୬) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ

ଗଡ଼ଜାତ ଗାନ୍ଧୀ ଭାବେ ସାରା ଓଡ଼ିଶାରେ ସୁପରିଚିତ ସାରଙ୍ଗଧର ଦାସ ଥିଲେ ଅନ୍ଧାରି ମୂଲକର ଶୋଷିତ, ଅତ୍ୟାଚାରିତ ଗଡ଼ଜାତ ପ୍ରଜାଙ୍କର ତ୍ରାଣକର୍ତ୍ତା । ଢେଙ୍କାନାଳ ସହର ନିକଟବର୍ତ୍ତୀ ହରେକୃଷ୍ଣପୁର ଗ୍ରାମରେ ୧୮୮୬ ଅକ୍ଟୋବର ୧୭ ତାରିଖରେ ପିତାମାତାଙ୍କ କନିଷ୍ଠ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ ସାରଙ୍ଗଧର । ୧୯୦୫ରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ୍ କଲେ ଓ ରେଭେନ୍ସାରେ ନାମ ଲେଖାଇଲେ । ସେଠାରେ ତାଙ୍କର ସାଙ୍ଗ ଥିଲେ ନୀଳକଣ୍ଠ ଦାସ । ତାଙ୍କ ଜରିଆରେ ଗୋପବନ୍ଧୁ, ଆଚାର୍ଯ୍ୟ ହରିହରଙ୍କ ସହ ଘନିଷ୍ଠ ହେବାର ସୁଯୋଗ ମିଳିଥିଲା ତାଙ୍କୁ । ସେଇମାନଙ୍କ ପ୍ରେରଣାରେ ସେ ସ୍ୱଦେଶ ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିଲେ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସାରଙ୍ଗଧର ସ୍ୱପ୍ନ ଦେଖୁଥିଲେ । ତେଣୁ ସେ ଜାପାନ ଯାଇ ସେଠାରେ ପ୍ରଥମେ ଦିଆସିଲି ଶିଳ୍ପ ସଂପର୍କରେ ଶିକ୍ଷା ଲାଭ କରିଥିଲେ । ପରେ ଆମେରିକା ଯାଇ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ନାମ ଲେଖାଇଥିଲେ । ସେଠାରୁ ଫେରିବା ପରେ ଢେଙ୍କାନାଳର ବ୍ରହ୍ମକୁଣ୍ଡଠାରେ ସାରଙ୍ଗଧର ଚିନି କାରଖାନା ବସାଇଲେ । ଏଥିପାଇଁ ସେ ଅନେକ ଋଣ କରିଥିଲେ । ଋଣ ନଶୁଝି ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ ତାଙ୍କ ବିବେକ ବାଧା ଦେଉଥିଲା । ତେଣୁ ସେ ଗାନ୍ଧିଜୀଙ୍କ ପରାମର୍ଶରେ ରେଙ୍ଗୁନ୍ର ଚିନିକଳରେ ଚାକିରି କଲେ । ମାତ୍ର ସେଥିରେ ତାଙ୍କର ମନ ଲାଗିଲା ନାହିଁ । ନିଜ ମାଟିକୁ ଫେରିଆସି ସେ ରାଜାମାନଙ୍କ ହୁଙ୍କାପିଟା ଶାସନ ବିରୁଦ୍ଧରେ ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଲେ । ପରେ ଗଡ଼ଜାତ ପ୍ରଜାମଣ୍ଡଳର ସାଧାରଣ ସମ୍ପାଦକ ପଦରେ ଅଧିଷ୍ଠିତ ହେଲେ । କଟକରୁ ପ୍ରକାଶିତ ‘କୃଷକ’ ପତ୍ରିକାରେ ‘ଲଣ୍ଡା ଦେହୁରି’ ଛଦ୍ମନାମରେ ସେ ଢେଙ୍କାନାଳ ରାଜାଙ୍କ ଅମାନୁଷିକ ବିବରଣୀ ଲେଖିଲେ । ସାରଙ୍ଗଧରଙ୍କ ନେତୃତ୍ୱରେ ପ୍ରଜାମଣ୍ଡଳ ଏକ ଲଢ଼ୁଆ ବାହିନୀରେ ପରିଣତ ହେଲା । ୧୯୩୮ରେ ସେ କଂଗ୍ରେସ୍ରେ ଯୋଗଦେଲେ । ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ ଗିରଫ୍ ହେଲେ । ୧୯୪୬ରେ ନେହରୁଙ୍କ ପରାମର୍ଶକ୍ରମେ ସେ ସମ୍ବିଧାନ ପ୍ରଣୟନ ସଭାର ସଭ୍ୟପାଇଁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ୧୯୪୬ରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ପରମ୍ପରା ବିରୁଦ୍ଧରେ ଯାଇ ଓଡ଼ିଆ ଭାଷାରେ ଭାଷଣ ଦେଲେ । ୧୯୫୧ରେ ସମାଜବାଦୀ ଦଳର ପ୍ରାର୍ଥୀ ଭାବେ ଢେଙ୍କାନାଳ ଲୋକସଭା ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ତାଙ୍କର ସମସ୍ତ ସମ୍ପତ୍ତି ସେ ବିଭିନ୍ନ ଟ୍ରଷ୍ଟ୍କୁ ଅର୍ପଣ କରିଦେଇଥିଲେ । ୧୯୫୬ ସେପ୍ଟେମ୍ବର ୧୮ରେ ତାଙ୍କର ଦେହାନ୍ତ ହୋଇଥିଲ ।

ହରେକୃଷ୍ଣ ମହତାବ

[ସମ୍ପାଦନା]

ହରେକୃଷ୍ଣ ମହତାବ (୧୮୯୮-୧୯୮୭) କ୍ଷେତ୍ର: ରାଜନୀତି

ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ, ପ୍ରଥମ ମୁଖ୍ୟମନ୍ତ୍ରୀ, ପ୍ରଥମ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଥମ ଓଡ଼ିଆ ରାଜ୍ୟପାଳ ଭାବେ ଜଣାଶୁଣା ଡ. ହରେକୃଷ୍ଣ ମହତାବ ଥିଲେ ଏକାଧାରରେ ଜଣେ ରାଷ୍ଟ୍ରନୀତିଜ୍ଞ, ଚିନ୍ତାନାୟକ, ସଂଗଠକ, ଐତିହାସିକ, ଗବେଷକ, ସାମ୍ବାଦିକ ଏବଂ ଲେଖକ । ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଆଗରପଡ଼ାରେ ୨୧ ନଭେମ୍ବର ୧୮୯୮ରେ ତାଙ୍କର ଜନ୍ମ । ପିତାଙ୍କ ନାମ କୃଷ୍ଣଚରଣ ଦାସ । ମାତା ଆଗରପଡ଼ା ଜମିଦାର ଜଗନ୍ନାଥ ମହତାବଙ୍କ କନ୍ୟା ତୋହଫା ବିବି । ଜଗନ୍ନାଥଙ୍କର କୌଣସି ପୁତ୍ର ସନ୍ତାନ ନଥିବାରୁ ସେ ହରେକୃଷ୍ଣଙ୍କୁ ପୌଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ; ତେଣୁ ହରେକୃଷ୍ଣଙ୍କର ସାଙ୍ଗିଆ ଦାସରୁ ବଦଳି ମହତାବ ହୋଇଥିଲା । ଗାଁ ସ୍କୁଲ୍ରେ ପାଠପଢ଼ା ସାରି ଭଦ୍ରକ ହାଇସ୍କୁଲ୍ରେ ଅଧ୍ୟୟନ କଲେ ମହତାବ । ପରେ ରେଭେନ୍ସା କଲେଜ୍ରେ ଅଧ୍ୟୟନ ସମୟରେ ସ୍ୱାଧୀନତା ସଂଗ୍ରାମର ଛିଟା ତାଙ୍କ ଦେହରେ ବାଜିଥିଲା । ନିଖିଳ ଭାରତ କଂଗ୍ରେସ୍ କମିଟି ଅଧିବେଶନରେ ଯୋଗଦେଇ ମହାତ୍ମାଗାନ୍ଧୀ, ଲାଲା ଲଜପତ ରାୟ, ମୋତିଲାଲ୍ ନେହରୁ ପ୍ରମୁଖଙ୍କ ସଂସ୍ପର୍ଶରେ ଆସିଥିଲେ । ଦେଶ ସ୍ୱାଧୀନ ହେବା ପୂର୍ବରୁ ଯେଉଁ ଦୁଇଟି ପ୍ରାଦେଶିକ ବିଧାନସଭା ନିର୍ବାଚନ ହୋଇଥିଲା ସେଥିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ମହତାବ । ନିର୍ବାଚନ ପରେ ଡକ୍ଟର ମହତାବଙ୍କ ନେତୃତ୍ୱରେ ଏକ ଦୃଢ଼ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠିତ ହୋଇଥିଲା । ୧୯୪୬ ଏପ୍ରିଲ୍ ୨୩ରୁ ୧୯୫୦ ଜାନୁଆରୀ ୨୬ ଯାଏ ଓଡ଼ିଶାର ପ୍ରଧାନମନ୍ତ୍ରୀ ଏବଂ ଏହା ପରଠାରୁ ୧୯୫୦ ମେ ୧୨ ଯାଏ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶା ଶାସନ କରିଥିଲେ । ଏହି ଚାରି ବର୍ଷ ଭିତରେ ଭୁବନେଶ୍ୱରରେ ରାଜଧାନୀ ସହର ପ୍ରତିଷ୍ଠା, ଗଡ଼ଜାତ ରାଜ୍ୟଗୁଡ଼ିକର ଓଡ଼ିଶା ସହ ମିଶ୍ରଣ, ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା ଆଦି ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ମହତାବ । ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀ ତାଙ୍କ ଉଦ୍ୟମରେ ପ୍ରତିଷ୍ଠିତ ହୋଇଥିଲା । ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ ଗଠନ କରିବା ସହିତ ଦୈନିକ ‘ପ୍ରଜାତନ୍ତ୍ର’ ଏବଂ ସାହିତ୍ୟ ପତ୍ରିକା ‘ଝଙ୍କାର’ ପ୍ରକାଶନର ପ୍ରଶଂସନୀୟ ଉଦ୍ୟମ ସେ କରିଥିଲେ । କଳିଙ୍ଗ ଜିମ୍ନାସିୟମ୍, ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍, ବାରବାଟୀ ଷ୍ଟାଡିୟମ୍ ଆଦି ତାଙ୍କ ନିଷ୍ଠାପର ଉଦ୍ୟମର ଫଳଶ୍ରୁତି । ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରେ ଆଦୌ ପରାଜୟ ବରଣ କରିନଥିଲେ ସେ । ‘ଗାଁ ମଜଲିସ୍’ ଭଳି ଲୋକପ୍ରିୟ ସ୍ତମ୍ଭ ସମେତ ଅନେକ ଉଚ୍ଚକୋଟୀର ପୁସ୍ତକ ରଚନା କରି ଯଶସ୍ୱୀ ହୋଇଥିବା ଉକ୍ରଳ କେଶରୀ ୨ ଜାନୁଆରୀ ୧୯୮୭ରେ ଦେହତ୍ୟାଗ କରିଥିଲେ ।

ଅନ୍ନପୂର୍ଣ୍ଣା ମହାରଣା

[ସମ୍ପାଦନା]

ଅନ୍ନପୂର୍ଣ୍ଣା ମହାରଣା (୧୯୧୭-୨୦୧୨) କ୍ଷେତ୍ର: ସମାଜସେବା

ଭାରତୀୟ ମୁକ୍ତି ଆନ୍ଦୋଳନ କାଳର ଅନ୍ୟତମ ନିଷ୍ଠାପର ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ ଅନ୍ନପୂର୍ଣ୍ଣା ମହାରଣା । ୩ ନଭେମ୍ବର ୧୯୧୭ରେ ରମା ଦେବୀ ଓ ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱିତୀୟ ସନ୍ତାନ ଭାବେ ଜନ୍ମ ହୋଇଥିଲେ ଅନ୍ନପୂର୍ଣ୍ଣା । ଯେହେତୁ ପିତା ମାତା ଉଭୟ ସ୍ୱାଧୀନତା ଆନ୍ଦୋଳନର ଦୁଇ ପ୍ରମୁଖ ସଂଗ୍ରାମୀ ଥିଲେ; ଅନ୍ନପୂର୍ଣ୍ଣାଙ୍କ ଉପରେ ସେ ଦୁହିଁଙ୍କର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିଥିଲା । ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ନପୂର୍ଣ୍ଣାଙ୍କୁ କୌଣସି ସରକାରୀ ବିଦ୍ୟାଳୟରେ ପାଠ ପଢ଼ାଇନଥିଲେ ତାଙ୍କ ପିତାମାତା । ବରଂ ଆଶ୍ରମରେ ନିଜ ଉଦ୍ୟମରେ ତାଙ୍କୁ ଶିକ୍ଷିତ କରିଥିଲେ । ମାତ୍ର ୧୪ ବର୍ଷ ବୟସରେ ଅନ୍ନପୂର୍ଣ୍ଣା ମହାରଣା ଗାନ୍ଧିଜୀଙ୍କ ସମର୍ଥନରେ ସ୍ୱାଧୀନତା ସଂଗ୍ରାମ ବହ୍ନିରେ ଝାସ ଦେଇଥିଲେ । ବିଦେଶୀ ଲୁଗା ବର୍ଜନ, ମଦଦୋକାନରେ ପିକେଟିଂ ଭଳି ଦୁଃସାହସିକ କାର୍ଯ୍ୟରେ ସେ ନିୟୋଜିତ ହୋଇଥିଲେ । ୧୯୩୪ରେ ଗାନ୍ଧୀଙ୍କ ‘ହରିଜନ ପଦଯାତ୍ରା’ରେ ପୁରୀରୁ ଭଦ୍ରକ ଯାଏଁ ସାମିଲ୍‍ ହୋଇଥିଲେ ଅନ୍ନପୂର୍ଣ୍ଣା । ଭାରତଛାଡ଼ ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନ ଆଦିରେ ଅଂଶ ଗ୍ରହଣ କରି ସେ ବହୁବାର ଜେଲ୍‍ ଯାଇଥିଲେ । ସ୍ୱାଧୀନତା ପ୍ରାପ୍ତି ପରେ ତାଙ୍କର ସଂଗ୍ରାମ ଶେଷ ହୋଇନଥିଲା । ନାରୀ ଓ ଶିଶୁଙ୍କ ଅଧିକାର, ସମ୍ମାନ ଓ ଉନ୍ନତି ପାଇଁ ସେ ତାଙ୍କ ଲଢ଼େଇ ଜାରି ରଖିଥିଲେ । ରାୟଗଡ଼ା ଜିଲ୍ଲାରେ ସେ ଆଦିବାସୀ ପିଲାଙ୍କ ଶିକ୍ଷାର ବିକାଶ ପାଇଁ ଏକ ସ୍କୁଲ୍‍ ଖୋଲିଥିଲେ । ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ସେ ସକ୍ରିୟ କର୍ମୀ ଭାବେ ଯୋଗ ଦେଇଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ ଗ୍ରାମସେବକ ପ୍ରେସର ସମ୍ବାଦପତ୍ରକୁ ନିଷିଦ୍ଧ ଘୋଷଣା କରାଯିବା ବିରୁଦ୍ଧରେ ସ୍ୱରଉତ୍ତୋଳନ କରି ସେ ରମାଦେବୀଙ୍କ ସହ ଲଢ଼େଇ କରିଥିଲେ ଓ ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ମନମୋହନ ଚୌଧୁରୀ, ଜୟକୃଷ୍ଣ ମହାନ୍ତି ଆଦି ବଡ଼ବଡ଼ ନେତାଙ୍କ ସହ ଗିରଫ ହୋଇ ଜେଲ୍‍ ଯାଇଥିଲେ । ‘ଅମୃତ ଅନୁଭବ’ ଥିଲା ତାଙ୍କର ବହୁଚର୍ଚ୍ଚିତ ଆତ୍ମଜୀବନୀ, ଯେଉଁଥିପାଇଁ ସେ ପାଇଥିଲେ ଶାରଳା ପୁରସ୍କାର । ଉକ୍ରଳ ସାହିତ୍ୟ ସମାଜ ତାଙ୍କୁ ଜୀବନବ୍ୟାପି ସାଧନା ପାଇଁ ‘ଉକ୍ରଳ ରତ୍ନ’ ଉପାଧିରେ ଭୂଷିତ କରିଥିଲା । ଭାରତଛାଡ଼ ଆନ୍ଦୋଳନର ୬୦ ବର୍ଷ ପୂର୍ତ୍ତି ଅବସରରେ ଭାରତର ରାଷ୍ଟ୍ରପତି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ତର୍ଜାତୀୟ ରୋଟାରୀ ସମ୍ମାନ, ଦିୱାଲୀ ବେନ୍‍ ଚାରିଟେବଲ୍‍ ଟ୍ରଷ୍ଟ ସମ୍ମାନ, ରାଧାନଥ ରଥ ଫାଉଣ୍ଡେସନ୍‍ ପୁରସ୍କାର ଭଳି ଅନେକ ସମ୍ମାନ ତାଙ୍କୁ ଜୀବଦ୍ଦଶାରେ ମିଳିଥିଲା । ୩୧ ଡିସେମ୍ବର ୨୦୧୨ରେ କଟକଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

ଗୋପବନ୍ଧୁ ଦାସ

[ସମ୍ପାଦନା]

ଗୋପବନ୍ଧୁ ଦାସ (୧୮୭୭-୧୯୨୮) କ୍ଷେତ୍ର: ସମାଜସେବା

ଉକ୍ରଳମଣି ଗୋପବନ୍ଧୁ ଦାସ ଓଡ଼ିଆ ଜାତିର ଯୁଗପୁରୁଷ । ଏକାଧାରରେ ସେ ଥିଲେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍‍ ଏବଂ ଆଇନଜ୍ଞ । ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ଜନ୍ମର ଅଳ୍ପ ଦିନ ପରେ ସେ ହରାଇଥିଲେ ମାତାଙ୍କୁ । ଗୋପବନ୍ଧୁଙ୍କ ସେବା ମନୋଭାବର ସୂଚନା ମିଳିଥିଲା ପିଲାଦିନରୁ । ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଶେଷ କରି ସେ ରୂପଦେଈପୁର ମିଡ଼ିଲ୍‍ ଭର୍ଣ୍ଣାକୁଲାର ସ୍କୁଲ୍‍ରେ ଅଧ୍ୟୟନ କଲେ । ୧୮୯୨ରେ ସେ ପୁରୀ ଜିଲ୍ଲା ସ୍କୁଲ୍‍ରେ ନାମ ଲେଖାଇଲେ । ସେ ସମୟରୁ ତାଙ୍କର ସାହିତ୍ୟ ପ୍ରତି ରୁଚି ରହିଥିଲା । ମାତ୍ର ଷୋହଳ ବର୍ଷ ବୟସରେ ତାଙ୍କୁ ବିବାହ କରିବାକୁ ପଡ଼ିଥିଲା । ୧୮୯୯ରେ ରେଭେନ୍‍ସାରେ ଏଫ.ଏ. କଲାବେଳେ ତାଙ୍କ ପ୍ରଥମ ସନ୍ତାନର ବିୟୋଗ ଘଟିଲା । ୧୯୦୩ରେ ମଧୁବାବୁଙ୍କ ଆହ୍ୱାନ କ୍ରମେ ଉକ୍ରଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସେ ଯୋଗ ଦେଇଥିଲେ । କଲିକତାରେ ଏମ.ଏ. ଓ ଆଇନ୍‍ରେ ଯୋଗ୍ୟତା ହାସଲ କରିବା ପରେ ବି ତାଙ୍କର ଚାକିରି କରିବାକୁ ମନ ବଳିନଥିଲା । ତେବେ ଗୋଟେ ହାଇସ୍କୁଲ୍‍ରେ ସେ କିଛିଦିନ ଶିକ୍ଷକତା କରି ପରେ ପୁରୀରେ ଯାଇ ଆଇନ୍‍ ବ୍ୟବସାୟ କଲେ । ପୁରୀର ଏକମାତ୍ର ବିଶିଷ୍ଟ ଓକିଲ ଭାବେ ସେ ପ୍ରଚୁର ଅର୍ଥ ରୋଜଗାର କରିପାରିଥାନ୍ତେ; କିନ୍ତୁ ସେବା ଥିଲା ତାଙ୍କ ଜୀବନର ମୌଳିକ ବ୍ରତ । କୁଷ୍ଠାଶ୍ରମର ସଂପାଦକ ହୋଇ ସେ ସେମାନଙ୍କ କଥା ବୁଝୁଥିଲେ । ୧୯୦୯ରେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଗୋପବନ୍ଧୁଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତ କରିଥିଲେ । ସେଠାରେ ସେ ସେବା ମନବୃତ୍ତି ନେଇ କାମ କରିବା ସହିତ ବହୁ ଜନହିତକର କାର୍ଯ୍ୟ କରିଥିଲେ । ତେବେ ଓକିଲାତିରେ ତାଙ୍କ ମନ ବୁଝୁନଥିଲା । ଶିକ୍ଷାରେ ସଂସ୍କାର ଆଣିବା ପାଇଁ ସେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କଲେ । ନୀଳକଣ୍ଠ, ହରିହର, ଗୋଦାବରୀଶ ଓ କୃପାସିନ୍ଧୁଙ୍କ ଭଳି ଯୋଗଜନ୍ମା ମନୀଷିମାନେ ଆସି ତାଙ୍କ ସହ ଯୋଗଦେଲେ । ୧୯୧୫ରେ ସେ ‘ସତ୍ୟବାଦୀ’ ପତ୍ରିକା ପ୍ରକାଶ କରିଥିଲେ । ‘ସମାଜ’ ଖବରକାଗଜ ଥିଲା ଓଡ଼ିଶାବାସୀଙ୍କ ପାଇଁ ତାଙ୍କର ବଡ଼ ଉପହାର । ଗୋପବନ୍ଧୁଙ୍କ ଆଦର୍ଶ ପ୍ରାୟ ଗାନ୍ଧୀଙ୍କ ଭଳି ଥିଲା । ତେଣୁ ତାଙ୍କୁ କେହିକେହି ଓଡ଼ିଶାର ଗାନ୍ଧୀ ବୋଲି ମଧ୍ୟ କହନ୍ତି । ‘ବନ୍ଦୀର ଆତ୍ମକଥା’ ଭଳି ଅନେକ ଉଚ୍ଚକୋଟୀର କବିତା ପୁସ୍ତକ ରଚନା କରି ସେ ସାହିତ୍ୟ ମହଲରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ବାଛିନେଇଥିଲେ । ୧୯୨୮ ମସିହା ଜୁନ୍‍ ୧୭ରେ ତାଙ୍କର ଦେହାନ୍ତ ହୋଇଥିଲା ।

ତୁଳସୀ ମୁଣ୍ଡା

[ସମ୍ପାଦନା]

ତୁଳସୀ ମୁଣ୍ଡା (୧୯୪୭) କ୍ଷେତ୍ର: ସମାଜସେବା (ଆଦିବାସୀ ଶିକ୍ଷା ଓ ନିଶାମୁକ୍ତି)

ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ଆଦିବାସୀବହୁଳ ଅଂଚଳରେ ଶିକ୍ଷାର ପ୍ରସାର ଓ ମଦମୁକ୍ତି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓଡ଼ିଶାର ଜଣେ ଆଗଧାଡ଼ିର ସମାଜସେବୀ । ୧୯୪୭ ମସିହା ଜୁଲାଇ ୧୫ ତାରିଖରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର କଇଁଶି ପଲ୍ଲୀରେ ତାଙ୍କର ଜନ୍ମ ହୋଇଥିଲା, ଯେଉଁଠି ନା ଥିଲା ଶିକ୍ଷା, ନା ସଭ୍ୟତା । ସ୍କୁଲ୍ ହତା ମାଡ଼ିନଥିବା ତୁଳସୀଙ୍କ ପିଲାଦିନ କଟିଥିଲା ଲୁହାଖଣିରେ ପଥରକଟାରେ । ମାତ୍ର ନିଜସ୍ୱ ଆଗ୍ରହରୁ ସେ ବର୍ଣ୍ଣମାଳା ଶିଖିଲେ । ନିରକ୍ଷରତା ହିଁ ଦାରିଦ୍ର୍ୟ, ବେକାରୀ, ଅନ୍ଧବିଶ୍ୱାସ ଓ ନିଶା ପରି ବ୍ୟାଧିର କାରଣ ବୋଲି ସେ ବୁଝିଲେ ଓ ମାତ୍ର ୧୨ ବର୍ଷ ବୟସରେ ଅନୁନ୍ନତ, ଅବହେଳିତ, ଆଦିବାସୀବହୁଳ ଅଂଚଳରେ ଶିକ୍ଷାର ପ୍ରସାର ପାଇଁ ସ୍ୱପ୍ନ ଦେଖିଥିଲେ । ସୌଭାଗ୍ୟକୁ ୧୯୬୩ ମସିହାରେ ଓଡ଼ିଶାରେ ସନ୍ଥ ବିନୋବା ଭାବେଙ୍କର ପଦଯାତ୍ରା ସମୟରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ତୁଳସୀ ଏବଂ ସମାଜସେବାର ସ୍ୱପ୍ନକୁ ସାକାର କରିବା ପାଇଁ ଶପଥ ନେଇ ସେ ଇନ୍ଦୋରଠାରେ ଏ ଦିଗରେ ତାଲିମ୍ ନେଇଥିଲେ । ସେଠାରୁ ଫେରି କେନ୍ଦୁଝରରେ ଅନୁଷ୍ଠିତ ଏକ ସଭାରେ ଯୋଗଦେବାକୁ ଯାଇଥିବା ବେଳେ ବିଶିଷ୍ଟ ସମାଜସେବୀ ମାଳତୀ ଚୌଧୁରୀଙ୍କ ଭାଷଣରେ ଆକର୍ଷିତ ହୋଇ ତାଙ୍କ ସହ ଯୋଗଦେଲେ ସେ । ଅଭିଭାବକମାନଙ୍କୁ ଅନେକ ବୁଝାଇ ଖଣି ଖାଦାନ୍ରେ କାମ କରି ପେଟ ପୋଷୁଥିବା ଆଦିବାସୀ ପିଲାମାନଙ୍କୁ ବିଶେଷକରି ଝିଅମାନଙ୍କୁ ସେ ସନ୍ଧ୍ୟାବେଳେ ପାଠ ପଢ଼ାଇବା ଆରମ୍ଭ କଲେ । ନିଜେ ସ୍କୁଲ୍ ମାଟି ମାଡ଼ି ନଥିଲେ ବି ବର୍ଣ୍ଣମାଳା, ସରଳ ଗଣିତ ଓ ଅଳ୍ପ ଇଂରାଜୀ ଶବ୍ଦ ସେ ପିଲାମାନଙ୍କୁ ଶିଖାଉଥିଲେ । ୩୦ଟି ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ସେଦିନର ସେହି ସ୍କୁଲ୍ ଆଜି ବିରାଟ ଐତିହାସିକ ସ୍କୁଲ୍ରେ ପରିଣତ ହୋଇଛି । ଆଦିବାସୀ ବିକାଶ ସମିତି ତରଫରୁ ପରିଚାଳିତ ଏହି ସ୍କୁଲ୍ରେ ଏବେ ୫୦୦ ପିଲା ପାଠ ପଢ଼ୁଛନ୍ତି, ଯେଉଁଠି ୫୦ ପ୍ରତିଶତ ହେଉଛନ୍ତି ବାଳିକା । ସ୍କୁଲ୍ ପରିସରରେ ୮୦ ଜଣଙ୍କ ପାଇଁ ହଷ୍ଟେଲ୍ ସୁବିଧା ମଧ୍ୟ ରହିଛି । ନିସ୍ୱାର୍ଥପର ସେବା ପାଇଁ ପରବର୍ତ୍ତୀ ସମୟରେ ତୁଳସୀ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ପାଇଛନ୍ତି ଓ ଆଖପାଖ ଅଂଚଳରେ ତାଙ୍କ ପ୍ରଚେଷ୍ଟାରେ ସୃଷ୍ଟି ହୋଇଛି ୧୭ଟି ସ୍କୁଲ୍, ଯେଉଁଠି ପ୍ରାୟ ୨୦ ହଜାର ପିଲା ପାଠ ପଢ଼ୁଛନ୍ତି । କେବଳ ଶିକ୍ଷା ନୁହେଁ ନିଶାମୁକ୍ତି ପାଇଁ ତାଙ୍କର ଲଢ଼େଇ ବି ଜାରି ରହିଛି । ତାଙ୍କର ଏହି ଅନବଦ୍ୟ ଅବଦାନ ପାଇଁ ଭାରତ ସରକାରଙ୍କ ତରଫରୁ ୨୦୦୧ ମସିହାରେ ତାଙ୍କୁ ମିଳିଛି ପଦ୍ମଶ୍ରୀ ଉପାଧି ।

ଲକ୍ଷ୍ମୀନାରାୟଣ ସାହୁ

[ସମ୍ପାଦନା]

ଲକ୍ଷ୍ମୀନାରାୟଣ ସାହୁ (୧୮୯୦-୧୯୬୩) କ୍ଷେତ୍ର: ସମାଜସେବା

ସେ କେଉଁ ଧର୍ମର ବୋଲି ପଚାରିଲେ ‘ସେବା ହିଁ ମୋର ଧର୍ମ’ ବୋଲି ଉତ୍ତର ଦେଉଥିବା ଜଣେ ମହାନ ମାନବବାଦୀ ବ୍ୟକ୍ତିତ୍ୱ ହେଲେ ଲକ୍ଷ୍ମୀନାରାୟଣ ସାହୁ । ୧୮୯୦ ଅକ୍ଟୋବର ୩ରେ ବାଲେଶ୍ୱର ସହରରେ ତାଙ୍କର ଜନ୍ମ । ମା’ଙ୍କ ଶାସନ ବାପାଙ୍କ ସାଧୁତା ତାଙ୍କ ଜୀବନକୁ ଶୃଙ୍ଖଳିତ କରି ଗଢ଼ି ତୋଳିଥିଲା । ପ୍ରାଥମିକ ଶିକ୍ଷା ପରେ ପାଠରେ ଡୋରି ବନ୍ଧା ହେଲା ତାଙ୍କର । ବାପାଙ୍କ ମିଠା ଦୋକାନରେ ବସି ତାଙ୍କୁ କାମରେ ସାହାଯ୍ୟ କଲେ । ମାତ୍ର ତ୍ରୈଲୋକ୍ୟ ଘୋଷଙ୍କ ପ୍ରଚେଷ୍ଟାରେ ସେ ପୁଣି ପାଠ ପଢ଼ିଲେ ଓ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାଶ୍ କଲେ । ପରେ ରେଭେନ୍ସା କଲେଜ୍ ଓ ଶିବପୁର ଇଞ୍ଜିନିୟରିଂ କଲେଜ୍ରେ ପାଠ ପଢ଼ିଥିଲେ ବି ଉକ୍ରଟ ଅର୍ଥାଭାବ ହେତୁ ଅଧାରୁ ପାଠ ଛାଡ଼ିଦେଇଥିଲେ ସେ । ୧୯୧୨ରୁ ୧୯୧୬ ଯାଏଁ ସେ କଟକ ମିଶନ ସ୍କୁଲ୍ରେ ଶିକ୍ଷକତା କରିଥିଲେ । ମାତ୍ର ଇଂରେଜମାନଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇ ସେ ଚାକିରିରୁ ନିଲମ୍ବିତ ହୋଇଥିଲେ, ଯାହା ତାଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା । ୧୯୧୭ ଜୁନ୍ରେ ଭାରତ ସେବକ ସମିତିରେ କର୍ମୀ ରୂପେ ଯୋଗଦେଇ ସେ କେଦାରନାଥ ବଦ୍ରିନାଥର ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳରେ ସେବା କାର୍ଯ୍ୟ ଆରମ୍ଭ କଲେ । ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନ୍ଗୋ ପ୍ରମୁଖ ଯୁବକମାନେ ତାଙ୍କ ଦ୍ୱାରା ପ୍ରଭାବିତ ଓ ଅନୁପ୍ରାଣିତ ହୋଇ ‘ଉକ୍ରଳ ସେବା ସମିତି’ ଗଢ଼ିଥିଲେ ଓ ସେଠାରେ ସମବାୟ ଭଣ୍ଡାର, ପାଠାଗାର ଆଦିର ପରିଚାଳନା କରିଥିଲେ । ସେ ଜାତିପ୍ରଥା ଓ ସାଂପ୍ରଦାୟିକତାର ଘୋର ବିରୋଧୀ ଥିଲେ । ୧୯୪୬ରୁ ୧୯୫୧ ଯାଏ ସେ ସମ୍ବିଧାନ ବିଧାୟକ ସଭା ଏବଂ ୧୯୪୭ରେ ଓଡ଼ିଶା ବିଧାନସଭାର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ଦଳୀୟ ରାଜନୀତି ଓ କ୍ଷମତାଠାରୁ ନିଜକୁ ସର୍ବଦା ଦୂରେଇ ରଖିଥିଲେ । କବିତା, ଉପନ୍ୟାସ, ପ୍ରବନ୍ଧ, ଏକାଙ୍କିକା, ଜୀବନୀ ଆଦି ବିଭାଗରେ ସେ ରଚନା କରିଛନ୍ତି ଶହେରୁ ଅଧିକ ପୁସ୍ତକ । ‘ସହକାର’ ପତ୍ରିକାର ସେ ଥିଲେ ପ୍ରତିଷ୍ଠାତା ସମ୍ପାଦକ । ‘ଦ ଷ୍ଟାର୍ ଅଫ୍ ଉକ୍ରଳ’, ‘ବୈତରଣୀ’ ନାମକୁ ଦୁଇଟି ଇଂରାଜୀ ପତ୍ରିକାର ମଧ୍ୟ ସେ ସଂପାଦନା କରିଥିଲେ । ଉକ୍ରଳ ସାହିତ୍ୟ ସମାଜର ସମ୍ପାଦକ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଣ୍ଡନ କରିଥିବା ଲକ୍ଷ୍ମୀନାରାୟଣ ସାହୁ ପଦ୍ମଶ୍ରୀ, ବିଶ୍ୱ ଜୈନ ମିଶନ୍ର ‘ଇତିହାସ ରତ୍ନ’ ଏବଂ ଆନ୍ଧ୍ର ଇତିହାସ ପ୍ରତ୍ନତତ୍ତ୍ୱ ସମିତିର ‘ଭାରତ ତୀର୍ଥ’ ଭଳି ବହୁ ଜାତୀୟ ପୁରସ୍କାର ଲାଭ କରିଛନ୍ତି । ୧୯୬୩ ଜାନୁଆରୀ ୧୮ ତାରିଖରେ ଏହି ମହାନ ଆତ୍ମାଙ୍କର ପରଲୋକ ଘଟିଥିଲା ।