ବ୍ରହ୍ମ ପୁରାଣ
| Part of a series on |
| Hindu scriptures and texts |
|---|
|
Rig vedic
Sama vedic Yajur vedic Atharva vedic |
|
Other scriptures
|
| Related Hindu texts |
|
|
|
Timeline
|
ବ୍ରହ୍ମ ପୁରାଣ (Sanskrit: ब्रह्मपुराण or ब्राह्मपुराण; Brahma-Purana) ହିନ୍ଦୁ ଧର୍ମର ଅଷ୍ଟାଦଶ ପୁରାଣ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ପୁରାଣ ଅଟେ । ଏହାକୁ ପୁରାଣମାନଙ୍କ ମଧ୍ୟରେ ମହାପୁରାଣ ବୋଲି ମଧ୍ୟ କୁହାଯାଏ । ପୁରାଣମାନଙ୍କ ତାଲିକାରେ ଏହି ପୁରାଣକୁ ପ୍ରଥମ ସ୍ଥାନରେ ରଖାଯାଇଛି। କେତେକ ଲୋକ ଏହାକୁ ଆଦିପୁରାଣ ବୋଲି ମନେ କରନ୍ତି ।[୧][୨] ଏହାରେ ସୃଷ୍ଟିର ଜନ୍ମ, ଜଳର ଉତ୍ପତ୍ତି, ବ୍ରହ୍ମଙ୍କ ଆବିର୍ଭାବ ଏବଂ ଦେବତା-ଦାନବମାନଙ୍କ ଜନ୍ମ ବିଷୟରେ ସବିସ୍ତାର ବର୍ଣ୍ଣନା ରହିଛି । ସୂର୍ଯ୍ୟ ଓ ଚନ୍ଦ୍ର ବଂଶର ବିବରଣି ମଧ୍ୟ ଏଥିରେ ରହିଛି ।[୩] ଯଯାତି ଓ ପୁରୁଙ୍କ ବଂଶ ବର୍ଣ୍ଣନା ମାଧ୍ୟମରେ ମାନବ ବିକାଶର ଚିତ୍ର ବର୍ଣ୍ଣନା ସହରାମ ଓ କୃଷ୍ଣଙ୍କ ଗାଥା ମଧ୍ୟରେ ଅବତାରତତ୍ତ୍ୱ କୁ ସ୍ଥାପିତ କରାଯାଇଛି ।
ଏହି ପୁରାଣରେ ସୃଷ୍ଟିର ଉତ୍ପତ୍ତି, ପୃଥୁଙ୍କ ପାବନ ଚରିତ୍ର, ସୂର୍ଯ୍ୟ ଓ ଚନ୍ଦ୍ର ବଂଶର ବର୍ଣ୍ଣନା, ଶ୍ରୀକୃଷ୍ଣଙ୍କ ଚରିତ୍ର, ମାର୍କଣ୍ଡେୟ ମୁନିଙ୍କ ବିବରଣି, ତୀର୍ଥମାହାତ୍ମ୍ୟ ଏବଂ ଅନେକ ଭକ୍ତି ଗାଥା ସୁନ୍ଦର ଭାବରେ ଉଲ୍ଲିଖିତ ହୋଇଛି । ବ୍ରହ୍ମ ସ୍ୱରୂପରେ ଶ୍ରୀକୃଷ୍ଣଙ୍କ ବିସ୍ତୃତ ବିବେଚନା ଥିବାରୁ ଏହାକୁ “ବ୍ରହ୍ମପୁରାଣ” ବୋଲି ପରିଚିତ କରାଯାଏ । ଏଠାରେ ସାକାର ବ୍ରହ୍ମର ଉପାସନାର ବ୍ୟବସ୍ଥା ଅଛି । ‘ବ୍ରହ୍ମ’ କୁ ସର୍ବୋଚ୍ଚ ମାନ୍ୟତା ଦିଆଯାଇଛି, ତେଣୁ ଏହାକୁ ପ୍ରଥମ ସ୍ଥାନ ଦିଆଯାଇଛି । ପୁରାଣୀୟ ପରମ୍ପରା ଅନୁସାରେ ବ୍ରହ୍ମ ପୁରାଣରେ ସମସ୍ତ ଲୋକ ଏବଂ ଭାରତବର୍ଷର ବିବରଣି ମିଳେ। କଳିଯୁଗ ସମ୍ବନ୍ଧୀୟ ବିବରଣି ମଧ୍ୟ ଏଠାରେ ସବିଶେଷ ଭାବରେ ରହିଛି । ବ୍ରହ୍ମଙ୍କୁ ଆଦି ଭାବରେ ଗ୍ରହଣ କରିବାରୁ ଏହି ପୁରାଣକୁ ଆଦିପୁରାଣ ମଧ୍ୟ କୁହାଯାଏ । ଏହା ସର୍ବପ୍ରଥମେ ବ୍ୟାସମୁନିଙ୍କ ଦ୍ୱାରା ରଚିତ । ଏଥିରେ ଦଶ ସହସ୍ର ଶ୍ଲୋକ ଅଛି । ପ୍ରାଚୀନ ପବିତ୍ର ନୈମିଷାରଣ୍ୟରେ ବ୍ୟାସଙ୍କ ଶିଷ୍ୟ ସୂତମୁନି ଏହି ପୁରାଣକୁ ଋଷିବୃନ୍ଦଙ୍କୁ ପାଠ କରିଥିଲେ । ସୃଷ୍ଟି, ମନୁବଂଶ, ଦେବ-ଦାନବ, ପ୍ରାଣୀ, ପୃଥିବୀ, ଭୂଗୋଳ, ନରକ-ସ୍ୱର୍ଗ, ମନ୍ଦିର-ତୀର୍ଥ ଇତ୍ୟାଦି ସବିସ୍ତାର ଅଲୋଚନା ଏଥିରେ ଅଛି । ଶିବ-ପାର୍ବତୀ ବିବାହ, କୃଷ୍ଣଲୀଳା, ବିଷ୍ଣୁଅବତାର, ବର୍ଣ୍ଣାଶ୍ରମ, ଶ୍ରାଦ୍ଧକର୍ମ ଇତ୍ୟାଦି ବିଷୟର ଚର୍ଚ୍ଚା ଏଠାରେ ଦେଖିବାକୁ ମିଳେ ।
ସମଗ୍ର ବ୍ରହ୍ମ ପୁରାଣରେ ୨୪୬ ଅଧ୍ୟାୟ ଅଛି ଏବଂ ପ୍ରାୟ ୧୦,୦୦୦ ଶ୍ଲୋକ ଅଛି । ସୂତ ଓ ଶୌନକ ଋଷିଙ୍କୁ ନେଇ ସମ୍ବାଦ ଆକାରରେ ଏହାର କଥା ଆରମ୍ଭ ହୋଇଛି । କଥିତ ଅଛି ପ୍ରାଚୀନ କାଳରେ ବ୍ରହ୍ମା ଏହି କଥାକୁ ଦକ୍ଷ ପ୍ରଜାପତିଙ୍କୁ କହିଥିଲେ ।
ମହତ୍ତ୍ୱ
[ସମ୍ପାଦନା]ବ୍ରହ୍ମ ପୁରାଣ ଧାର୍ମିକ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହା ସହିତ ତୀର୍ଥ-ପର୍ଯ୍ୟଟନ ଦୃଷ୍ଟିରୁ ମଧ୍ୟ ଏହାର ମହତ୍ତ୍ୱ ଅଛି । ଏଥିରେ ଭଦ୍ରତୀର୍ଥ, ପତତ୍ରିତୀର୍ଥ, ବିପ୍ରତୀର୍ଥ, ଭାନୁତୀର୍ଥ, ଭିଲ୍ଲତୀର୍ଥ ଇତ୍ୟାଦି ଅନେକ ତୀର୍ଥର ବିସ୍ତୃତ ବର୍ଣ୍ଣନା ମିଳେ । ସୃଷ୍ଟିର ଆରମ୍ଭରେ ଘଟିଥିବା ମହାପ୍ରଳୟର ବିବରଣି ମଧ୍ୟ ଏଥିରେ ରହିଛି । ମୋକ୍ଷଧର୍ମ, ବ୍ରହ୍ମତତ୍ତ୍ୱ, ଯୋଗପଦ୍ଧତି ମଧ୍ୟ ସବିଶେଷ ଭାବେ ବ୍ୟାଖ୍ୟା କରାଯାଇଛି । ସାଂଖ୍ୟ ଓ ଯୋଗ ଦର୍ଶନକୁ ବ୍ୟାଖ୍ୟା କରି ମୋକ୍ଷଲାଭର ଉପାୟ କୁହାଯାଇଛି । ଏହି ପୁରାଣ ବୈଷ୍ଣବ ପୁରାଣମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ବିଶ୍ଵାସ କରାଯାଏ ।
ଆରମ୍ଭ
[ସମ୍ପାଦନା]ବ୍ରହ୍ମପୁରାଣର ବିଷୟବସ୍ତୁ ଏହିପରି କଥା ସହ ଆରମ୍ଭ ହୁଏ — ପ୍ରାଚୀନ କାଳରେ ନୈମିଷାରଣ୍ୟରେ ଅନେକ ଋଷି-ମୁନିମାନେ ଏକତ୍ର ହୋଇ ଧାର୍ମିକ ଚିନ୍ତନରେ ଲିପ୍ତ ଥିଲେ । କିଛି ସମୟ ପରେ ସୂତ ଆସିଲେ ଓ ସମସ୍ତ ମୁନିମାନେ ତାଙ୍କୁ ସମ୍ମାନ କରିବା ସହ କହିଲେ —“ହେ ଭଗବନ୍! ଆପଣ ଜ୍ଞାନୀ ଏବଂ ଧ୍ୟାନୀ। କୃପା କରି ଆମେ ପାଇଁ ଭକ୍ତି-ବର୍ଦ୍ଧକ ପୁରାଣ କଥା କହନ୍ତୁ।” ସୂତ କହିଲେ —“ତୁମମାନଙ୍କର ଜିଜ୍ଞାସା ଅତ୍ୟନ୍ତ ଶ୍ରେଷ୍ଠ । ଏବେ ମୁଁ ତୁମମାନଙ୍କୁ ବ୍ରହ୍ମ ପୁରାଣର କଥା କହିବି।”
କଥା
[ସମ୍ପାଦନା]ଏହି ପୁରାଣ ସମସ୍ତ ପୁରାଣମାନଙ୍କ ମଧ୍ୟରେ ପ୍ରଥମ ଏବଂ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଦେବାରେ ସକ୍ଷମ ବୋଲି ବିଶ୍ଵାସ । ଏଥିରେ ବିଭିନ୍ନ ପ୍ରକାରର ଆଖ୍ୟାନ ରହିଛି । ଦେବତା, ଦାନବ ଓ ପ୍ରଜାପତିମାନଙ୍କ ଉତ୍ପତ୍ତି ଏହି ପୁରାଣରେ ବର୍ଣ୍ତିତ । ଲୋକେଶ୍ୱର ଭଗବାନ ସୂର୍ଯ୍ୟଙ୍କ ପୁଣ୍ୟମୟ ବଂଶର ବର୍ଣ୍ନନା ରହିଛି । ଏହି ପୁରାଣରେ ଭଗବାନ ଶ୍ରୀରାମଙ୍କ ଅବତାର କଥା ବର୍ଣ୍ଣିତ । ସୂର୍ଯ୍ୟବଂଶ ସହିତ ଚନ୍ଦ୍ରବଂଶର ମଧ୍ୟ ବର୍ଣ୍ଣନ ରହିଛି । ଶ୍ରୀକୃଷ୍ଣଙ୍କ କଥାର ବିସ୍ତୃତ ବର୍ଣ୍ନନା ମଧ୍ୟ ଏଥିରେ ରହିଛି । ପାତାଳ, ସ୍ୱର୍ଗଲୋକ, ନରକ, ସୂର୍ଯ୍ୟସ୍ତୁତି, ପାର୍ବତୀଜୀଙ୍କ ଜନ୍ମକଥା, ଦକ୍ଷ ପ୍ରଜାପତି କଥା ଓ ଏକାମ୍ରକ କ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ରର ବିବରଣୀ ରହିଛି ।
ଏଥିରେ ବ୍ୟବସ୍ଥିତ ଭାବେ ଶ୍ରୀକୃଷ୍ଣଙ୍କ ଚରିତ୍ର ବିବରଣ, ଯମଲୋକ, ପିତୃତର୍ପଣ (ଶ୍ରାଦ୍ଧ) ଓ ତାହାର ବିନ୍ୟାସ, ବର୍ଣ୍ଣ ଓ ଆଶ୍ରମ ବିଭାଗ, ଯୋଗର ନିରୂପଣ, ସାଂଖ୍ୟ ସିଦ୍ଧାନ୍ତ, ବ୍ରହ୍ମତତ୍ତ୍ୱ ଓ ପୁରାଣମାହାତ୍ମ୍ୟ ବର୍ଣ୍ଣିତ ହୋଇଛି । ଏହି ପୁରାଣର ଦୁଇଟି ଭାଗ ଅଛି ଯଥା ପୂର୍ବ ଭାଗ ଏବଂ ଉତ୍ତର ଭାଗ[୪] ଏବଂ ବିଶ୍ଵାସ ରହିଛି ଏହାକୁ ଶ୍ରବଣ ଓ ପାଠ କରିବା ମାନବ ଦୀର୍ଘାୟୁ ହୋଇଥାଏ ।
ଆଧାର
[ସମ୍ପାଦନା]- ↑ Dalal 2014, p. 80.
- ↑ Rocher 1986, p. 155.
- ↑ Wilson 1864, p. xxvii.
- ↑ Rocher 1986, pp. 154–156.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |