Jump to content

ବ୍ରଜସୁନ୍ଦର ଦାସ (ଜନ୍ମ: ୧୮୮୦)

ଉଇକିପିଡ଼ିଆ‌ରୁ
ବ୍ରଜସୁନ୍ଦର ଦାସ
ବ୍ରଜସୁନ୍ଦର ଦାସ
ଜନ୍ମ(1880-07-02)୨ ଜୁଲାଇ ୧୮୮୦
ମୃତ୍ୟୁ୯ ଜୁନ ୧୯୪୪(1944-06-09) (ବୟସ ୬୩)
କାଳBritish Raj

ବ୍ରଜସୁନ୍ଦର ଦାସ (୨ ଜୁଲାଇ ୧୮୮୦ – ୯ ଜୁନ ୧୯୪୪) ଜଣେ ଭାରତୀୟ ରାଜନୀତିଜ୍ଞ, ସ୍ଵାଧୀନତା ସେନାନୀ, କବି, ସାହିତ୍ୟିକ ତଥା ସମାଜ ସୁଧାରକ । ସେ ତତକାଳୀନ ଓଡ଼ିଶାର ସାମାଜିକ-ରାଜନୀତିକ ଓ ସାଂସ୍କୃତିକ ପରିବେଶକୁ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।[]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ବ୍ରଜ ସୁନ୍ଦର ଦାସଙ୍କ ଜନ୍ମ ୨ ଜୁଲାଇ ୧୮୮୦ରେ, କଣ୍ଟାବଣିଆ, ହରେକୃଷ୍ଣପୁର, ଯାଜପୁର, ଓଡ଼ିଶାରେ ହୋଇଥିଲା। ସେ, ଶ୍ୟାମ ସୁନ୍ଦର ଦାସ ଓ ସ୍ୱର୍ଣ୍ଣପ୍ରଭା ଦେଇଙ୍କ ପୁଅ ଏବଂ ସମ୍ପନ୍ନ ଜମିନ୍ଦାର କରଣ ପରିବାରର ସଦସ୍ୟ ଥିଲେ । ତାଙ୍କ ଠାକୁରଦା ହରେକୃଷ୍ଣ ଦାସ, ଟ୍ରିବ୍ୟୁଟାରି ମହଲ୍ସର ସହାୟକ ସୁପରିଣ୍ଟେଣ୍ଡେଣ୍ଟ ଥିଲେ ଏବଂ କଟକ ପ୍ରିଣ୍ଟିଙ୍ଗ କମ୍ପାନୀ ସ୍ଥାପନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ବ୍ରଜସୁନ୍ଦର, ପରେ ପରିବାରର ଟିସାନିଆ ଇଷ୍ଟେଟ୍ ଜମିନ୍ଦାରୀର ଉତ୍ତରାଧିକାରୀ ହୋଇଥିଲେ ।

ସେ କଟକର କଲେଜିଏଟ୍ ସ୍କୁଲରେ ପଢ଼ିଥିଲେ ଓ ସେଠାରେ ପ୍ରାଥମିକ ଶିକ୍ଷା ସମାପ୍ତ କଲେ। ପରେ, ସେ ପ୍ରେସିଡେନ୍ସି କଲେଜରୁ ବି.ଏ. ଡିଗ୍ରୀ ଲାଭା କରିଥିଲେ ଏବଂ ଓଡ଼ିଶାର ତୃତୀୟ ସ୍ନାତକ ହେଲେ । ରେଭେନସା କଲେଜରେ ତାଙ୍କ ପ୍ରାରମ୍ଭିକ ଦିନରେ, ସେ ତାଙ୍କ ସହପାଠୀ ଗୋପବନ୍ଧୁ ଦାସ ଓ ଲୋକନାଥ ପଟ୍ଟନାୟକଙ୍କ ସହ "କର୍ତ୍ତବ୍ୟ ବୋଧିନୀ ସମିତି" (Duty Awakening Society) ନାମରେ ଏକ ସମାଜସେବୀ ସଂଗଠନ ଗଢ଼ିଥିଲେ। ଏହି ଦଳ ସାମାଜିକ, ଅର୍ଥନୈତିକ ଓ ରାଜନୀତିକ ବିଷୟରେ ଆଲୋଚନା କରୁଥିଲା ।

ଏହି ତିନି ଜଣ "ରେଭେନସାଭିଆନ୍" (Ravenshavians) — ବ୍ରଜସୁନ୍ଦର, ଗୋପବନ୍ଧୁ ଓ ଲୋକନାଥ — ଓଡ଼ିଆକୁ ବି.ଏ. ପରୀକ୍ଷାର ମାଧ୍ୟମ ଭାଷା ଭାବେ ସ୍ୱୀକାର କରାଇବା ପାଇଁ ସ୍ୱର ଉଠାଇଥିଲେ । ସେ ସମୟରେ ରେଭେନସା ମହାବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ ସହିତ ସଂଲଗ୍ନ ଥିଲା । ବ୍ରଜସୁନ୍ଦର ପ୍ରେସିଡେନ୍ସି କଲେଜରୁ ସ୍ନାତକ ସମାପ୍ତ କରିଥିଲେ । ତେବେ ତାଙ୍କ ପ୍ରୟାସରେ ଗୋପବନ୍ଧୁ ଓ ଲୋକନାଥ, ପ୍ରଥମେ ଓଡ଼ିଆ ଭାଷାରେ ବି.ଏ. ପରୀକ୍ଷା ଦେଇପାରିଥିଲେ । ଏହାପରେ, ସମସ୍ତ ଓଡ଼ିଆ-ଭାଷୀ ଛାତ୍ରଛାତ୍ରୀମାନେ ବି.ଏ. ପରୀକ୍ଷାକୁ ଓଡ଼ିଆ ମାଧ୍ୟମରେ ଦେବାର ସୁବିଧା ପାଇଲେ ।

ସମାଜସେବା

[ସମ୍ପାଦନା]

ରେଭେନସାରେ ପଢ଼ିବା ସମୟରେ, ବ୍ରଜ ସୁନ୍ଦର ଦାସ, ଗୋପବନ୍ଧୁ ଦାସ ଓ ଆଚାର୍ଯ୍ୟ ହରିହର ସହିତ ସମାଜସେବାରେ ସକ୍ରିୟ ଭାବେ ଲଗିଥିଲେ। ସେମାନେ ଗରିବ ଓ ରୋଗୀଙ୍କ ସେବା କରୁଥିଲେ, ଅସହାୟ ଛାତ୍ରମାନଙ୍କ ପାଇଁ ଧନ ସଂଗ୍ରହ କରୁଥିଲେ ଓ ଅଭାବୀ ଲୋକଙ୍କୁ ସମାଜସେବା ଯୋଗାଇଦେଉଥିଲେ । ପରେ, ବ୍ରଜସୁନ୍ଦର ଓ ଗୋପବନ୍ଧୁ ମିଶି "ସେଣ୍ଟ୍ରାଲ୍ ଯୁବ ଉତ୍କଳ ଆସୋସିଏସନ୍" ଗଢ଼ିଥିଲେ, ଯାହା ବନ୍ୟାପୀଡ଼ିତ ଲୋକମାନଙ୍କ ସହାୟତା ପାଇଁ ସ୍ୱେଚ୍ଛାସେବକମାନଙ୍କୁ ପଠାଇଥିଲା।[]

ବ୍ରଜ ସୁନ୍ଦର ଦାସଙ୍କର ରାଜନୀତିକ ଭୂମିକା

[ସମ୍ପାଦନା]

ବ୍ରଜ ସୁନ୍ଦର ଦାସ ତାଙ୍କ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାଜନୀତିକ ପଦବୀ ଅଲଙ୍କୃତ କରିଥିଲେ । ସେ ୧୯୦୬ରୁ ୧୯୨୦ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ପରିଷଦର ସଦସ୍ୟ, ୧୯୨୧ରୁ ୧୯୨୪ପର୍ଯ୍ୟନ୍ତ ଇମ୍ପିରିଆଲ୍ ଲେଜିସ୍ଲେଟିଭ୍ ଆସେମ୍ବଲୀର ସଦସ୍ୟ, ୧୯୩୭ରୁ ୧୯୪୪ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ ୧୯୪୧ରେ "ନ୍ୟାସନାଲ୍ ୱାର୍ ଫ୍ରଣ୍ଟ" (National War Front)ର ଅଧ୍ୟକ୍ଷ ଥିଲେ। ଏହାସହିତ, ସେ "ଉତ୍କଳ ସମ୍ମିଳନୀ"ର ସଚିବ ଏବଂ ମୁକୁରଦ ଓଡ଼ିଆ ପତ୍ରିକାର ସମ୍ପାଦକ ଥିଲେ ।

୧୯୨୦ ଫେବୃଆରୀରେ, ମହାତ୍ମା ଗାନ୍ଧୀଙ୍କ ଭାରତୀୟ ରାଜନୀତିକ କ୍ଷେତ୍ରରେ ପ୍ରବେଶ ପରେ, ମଧୁସୂଦନ ଦାସଙ୍କର ପରାମର୍ଶରେ ବ୍ରଜ ସୁନ୍ଦର ଦାସ, ଗାନ୍ଧୀଙ୍କ ସହିତ ସାକ୍ଷାତ କରିବାକୁ ଗଲେ ଓ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ କରିବା ଦାବିକୁ ତାଙ୍କ ଦୃଷ୍ଟିକୁ ଆକର୍ଷିତ କଲେ । ସେହି ସାକ୍ଷାତକାରରେ, ଗାନ୍ଧୀ ସ୍ପଷ୍ଟ କଲେ ଯେ ପ୍ରାନ୍ତଗୁଡ଼ିକ ଭାଷାକୁ ଆଧାର କରି ଗଠିତ ହେବା ଉଚିତ।[]

ମୃତ୍ୟୁ

[ସମ୍ପାଦନା]

ବ୍ରଜ ସୁନ୍ଦର ଦାସଙ୍କର ୯ ଜୁନ ୧୯୪୪ ରେ ଦେହାନ୍ତ ଘଟିଥିଲା । ତାଙ୍କର କବିତା ସଙ୍ଗ୍ରହକୁ ପରେ ‘ବ୍ରଜସୁନ୍ଦର ସ୍ମାରକ’ ନାମକ ସ୍ମୃତିଗ୍ରନ୍ଥରେ ସମ୍ପାଦନା କରାଯାଇଥିଲା । ୧୯୬୦ ମସିହାରେ, ତାଙ୍କ ସ୍ମୃତିକୁ ସମ୍ମାନ ଜଣାଇ ‘ଶ୍ରୀରାମଚନ୍ଦ୍ର ଭବନ’ରେ ତାଙ୍କର ଏକ ତୈଳଚିତ୍ର ଉନ୍ମୋଚିତ ହୋଇଥିଲା ।

  1. ସଂ. (1997). ଯାଜପୁରର ଦୁଇ ଅମ୍ଳାନ ପ୍ରତିଭା – ବିଚିତ୍ରା ନନ୍ଦ ଓ ବ୍ରଜ ସୁନ୍ଦର (in Oriya).{{cite book}}: CS1 maint: unrecognized language (link)
  2. Samantaray, Renubala. "Pandit Gopabandhu Das : The Maker of Modern Odisha" (PDF). magazines.odisha. Archived from the original (PDF) on 15 December 2024. Retrieved 17 August 2025.
  3. Pattnaik, Dr. D.D. "Orissa Battles for Swaraj" (PDF). magazines.odisha.gov.in/. Archived from the original (PDF) on 15 December 2024. Retrieved 17 August 2025.