ବୈଦେହୀ କାହାଣୀ (ବତ୍ରିଶ ସିଂହାସନ)

ବୈଦେହୀ କାହାଣୀ ବତ୍ରିଶ ସିଂହାସନର ଅଠାଇଶିତମ ପ୍ରତିମା କହିଥିବା କାହାଣୀ । ସେ ରାଜା ଭୋଜଙ୍କୁ ରାଜା ବିକ୍ରମଙ୍କ ଦିବ୍ୟ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା । ତେବେ ଭାଷାଭେଦରେ ଏହି କାହାଣୀ ଗୁଡିକରେ ବିଭିନ୍ନତା ମଧ୍ୟ ଦେଖିବାକୁ ମିଳେ।[୧]
ରାଜା ଭୋଜ ଏକ ଅଦ୍ଭୁତ ଗୁଣ ସଂପନ୍ନ ବତ୍ରିଶ ସିଂହାସନ ଉପରେ ବସିବା ପୂର୍ବରୁ ବିସ୍ତୃତ ପୂଜା-ଉପାସନା କାର୍ଯ୍ୟ ସମ୍ପନ୍ନ କଲେ । କିନ୍ତୁ ଅଠାଇଶିତମ ଦିନ ଯେତେବେଳେ ସେହି ସିଂହାସନର ଅଠାଇଶିତମ ପାହାଚ ଚଢି ସିଂହାସନରେ ବସିବାକୁ ଉଦ୍ୟତ ହୁଅନ୍ତେ, ସେଥିରେ ଥିବା ପ୍ରତିମା ହସିବା ଆରମ୍ଭ କଲେ । ଅବାକ ହୋଇ ରାଜା ଭୋଜ ପଚାରିଲେ, “ତୁମେ କାହିଁକି ହସୁଛ?” ବୈଦେହୀ ନାମକ ଅଠାଇଶିତମ ପ୍ରତିମା କହିଲେ — “ମହାରାଜ, ଏହି ସିଂହାସନ ସାଧାରଣ ନୁହେଁ । ଆପଣ ଏହାକୁ ପାଇବାରେ ଧନ୍ୟ, କିନ୍ତୁ ଏହାରେ ବସିବା ପୂର୍ବରୁ ଆପଣଙ୍କୁ ମହାନ ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ଗୁଣର ଅଧିକାରୀ ହେବାକୁ ପଡିବ। ସେତେବେଳେ ଯାଇ ଏହା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନଚେତ ଏଥିରେ ବସିବା ପ୍ରୟାସ ଆପଣଙ୍କ ପାଇଁ ଗୁରୁତର ସମସ୍ୟା ଜନ୍ମାଉଥିବ।”[୨]
ରାଜା ଭୋଜ ଏହା ଶୁଣି ଚକିତ ହେଲେ ଓ ସେହି ପ୍ରତିମାଙ୍କୁ ବିନମ୍ରତାପୂର୍ବକ ଅନୁରୋଧ କଲେ — “ମତେ ବିକ୍ରମାଦିତ୍ୟଙ୍କ ଜୀବନ, ତାଙ୍କ ଶାସନ ଓ ମହିମା ସମ୍ପର୍କରେ ସବୁ କଥା କହ ।” ତା’ପରେ ଅଠାଇଶିତମ ପ୍ରତିମା ବୈଦେହୀ ରାଜା ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ଏହା ବତ୍ରିଶ ସିଂହାସନର ଅଠାଇଶିତମ ମୂର୍ତ୍ତି ଥିଲା । ସେ ରାଜା ବିକ୍ରମଙ୍କ ଉତ୍ତମ ଗୁଣ ଏବଂ ଏହି ସିଂହାସନ ପ୍ରାପ୍ତିର କଥା କହିଥିଲା ।[୩][୪]
ଅଠାଇଶିତମ କାହାଣୀ
[ସମ୍ପାଦନା]ବତ୍ରିଶ ସଂହାସନର ଅଠାଇଶିତମ ପୁତ୍ତଳିକା ବୈଦେହୀ ସେ ନିଜ କଥା ଏହିପରି କହିଲା —
ଦିନେ ରାଜା ବିକ୍ରମାଦିତ୍ୟ ନିଜ ଶୟନକକ୍ଷରେ ନିଦ୍ରାମଗ୍ନ ଥିଲେ। ସେ ଏକ ସ୍ୱପ୍ନ ଦେଖିଲେ। ସେହି ସ୍ୱପ୍ନରେ ଏକ ସୁବର୍ଣ୍ଣ ମହଲ ଥିଲା, ଯାହାକି ରତ୍ନ ଓ ମାଣିକ୍ୟରେ ଶୋଭିତ ଥିଲା । ସେହି ମହଲର ବଡ଼ ବଡ଼ କକ୍ଷ ଅଲୌକିକ ସାଜସଜ୍ଜାରେ ସୁଶୋଭିତ ରହିଥିଲା। ମହଲର ଚାରିପଟେ ଉଦ୍ୟାନ ଥିଲା ଓ ସେହି ଉଦ୍ୟାନରେ ହଜାର ହଜାର ରଙ୍ଗିନ ଫୁଲ ଥିବା ଗଛ ଓ ଲତା-ଗୁଲ୍ମ ଥିଲେ । ସେହି ଫୁଲ ଉପରେ ବିଭିନ୍ନ ପ୍ରଜାତିର ପ୍ରଜାପତି ଉଡ଼ି ସମଗ୍ର ଉଦ୍ୟାନକୁ ମନୋରମ କରିଦେଉଥିଲେ । ଫୁଲର ସୁଗନ୍ଧ ସମଗ୍ର ପରିବେଶକୁ ଏକ ଅପୂର୍ବ ଶାନ୍ତି ଓ ସୌନ୍ଦର୍ଯ୍ୟରେ ଭରି ଦେଉଥିଲା । ସୁଶୀତଳ ପବନ ବହୁଥିଲା ଓ ମହଲଠାରୁ କିଛି ଦୂରରେ ଏକ ଯୋଗୀ ଧ୍ୟାନରେ ଲୀନ ଥିଲେ । ଆଶ୍ଚର୍ଯ୍ୟର କଥା ତାଙ୍କର ଚେହେରା ଅବିକଳ ରାଜାଙ୍କ ପରି । ଏହି ସବୁ ଦେଖିବା ମାତ୍ରେ ହଠାତ ରାଜାଙ୍କ ଆଖି ଖୋଲିଗଲା ଓ ସେ ବୁଝିଗଲେ ଯେ ସେ ଏକ ଶୁଭ ସ୍ୱପ୍ନ ଦେଖିଛନ୍ତି । ସ୍ୱପ୍ନ ଭଙ୍ଗ ହେବା ପରେ ମଧ୍ୟ ସେହି ଦୃଶ୍ୟର ପ୍ରତ୍ୟେକ ଜିନିଷ ସେମାନଙ୍କୁ ସ୍ପଷ୍ଟ ମନେ ରହିଗଲା । ତଥାପି ସେ ଏହି ସ୍ୱପ୍ନର ଅର୍ଥ ବୁଝିପାରୁନଥିଲେ । ସେହି ଦୃଶ୍ୟ ନିଶ୍ଚୟ ଅଲୌକିକ ଥିଲା, କିନ୍ତୁ ତାହା କେବଳ ମନର କଳ୍ପନା ନୁହେଁ ବୋଲି ସେ ମନେକଲେ। ରାଜା ବହୁତ ଚିନ୍ତା କଲେ, କିନ୍ତୁ ମନେ ପକାଇପାରୁନଥିଲେ ଯେ କେବେ ସେ ଏପରି ମହଲ ଦେଖିଥିବେ କିମ୍ବା ଏପରି ମହଳର କଳ୍ପନା କରିଥିବେ। ତା’ପରେ ସେ ପଣ୍ଡିତ ଓ ଜ୍ୟୋତିଷୀମାନଙ୍କୁ ଡାକି ସେହି ସ୍ୱପ୍ନ ବିଷୟରେ କହିଲେ ଓ ତାହାର ଅର୍ଥ ବିବେଚନା କରିବାକୁ କହିଲେ । ସମସ୍ତ ବିଦ୍ୱାନ ଏହି ନିଷ୍କର୍ଷରେ ପହଞ୍ଚିଲେ ଯେ ମହାରାଜାଧିରାଜ ବିକ୍ରମାଦିତ୍ୟ ସ୍ୱପ୍ନରେ ସ୍ଵର୍ଗ ଦର୍ଶନ କରିଛନ୍ତି ଓ ସେହି ଅଲୌକିକ ମହଲ ସ୍ଵର୍ଗର ରାଜା ଇନ୍ଦ୍ରଙ୍କ ମହଲ ଅଟେ। ଦେବତାମାନେ ସେହି ସ୍ୱପ୍ନ ଦ୍ୱାରା ତାଙ୍କୁ ସଶରୀରେ ସ୍ଵର୍ଗ ପ୍ରବେଶ ପାଇଁ ନିମନ୍ତ୍ରଣ ଦେଇଛନ୍ତି ବୋଲି ସେମାନେ କହିଲେ । ଏହା ଶୁଣି ରାଜା ବିକ୍ରମାଦିତ୍ୟ ଆଶ୍ଚର୍ଯ୍ୟରେ ପଡ଼ିଗଲେ । ସେ କେବେ ଭାବିନଥିଲେ ଯେ ତାଙ୍କୁ ସ୍ଵର୍ଗ ଯିବା ପାଇଁ ଏପରି ଆମନ୍ତ୍ରଣ ମିଳିବ। ସେ ପଣ୍ଡିତମାନଙ୍କୁ ପଚାରିଲେ ଯେ ସ୍ଵର୍ଗ ଯିବା ପଥ କେଉଁଟି ଓ ସେଥିପାଇଁ କ’ଣ ପ୍ରସ୍ତୁତି ଦରକାର । ବିଚାର ବିମର୍ଶ ପରେ ବିଦ୍ୱାନମାନେ ତାଙ୍କୁ ସେହି ଦିଗ ଦେଖାଇଲେ ଯେଉଁଠାରୁ ସ୍ଵର୍ଗାରୋହଣ ସମ୍ଭବ ଓ କହିଲେ ଯେ ଯେହେତୁ କେବଳ ଏକ ପୁଣ୍ୟାତ୍ମା, ଯିଏ ନିରନ୍ତର ଭଗବାନଙ୍କ ଧ୍ୟାନ କରେ ଓ ଧର୍ମ ପଥରୁ ଅଚଳ ରହେ, ସେମାନେ ମାତ୍ର ସ୍ଵର୍ଗ ପ୍ରାପ୍ତିର ଅଧିକାରୀ । ରାଜା କହିଲେ ଯେ ରାଜ୍ୟ ପାଳନ କରିବା ସମୟରେ ତାଙ୍କ ଦ୍ୱାରା ଜାଣି ନ ଜାଣି କିଛି ଅଧର୍ମ କାମ ହୋଇଥାଇପାରେ, ଏବଂ କେବେ କେବେ ରାଜକାର୍ଯ୍ୟରେ ଏତେ ବ୍ୟସ୍ତ ହେଇପଡ଼ନ୍ତି ଯେ ଭଗବାନଙ୍କ ସ୍ମରଣ ମଧ୍ୟ ନ ରହିପାରେ । ଏହା ଉପରେ ସମସ୍ତେ ଏକସ୍ୱରେ କହିଲେ, “ଯଦି ଆପଣ ଏହି ଯୋଗ୍ୟ ହୋଇ ନ ଥାନ୍ତେ, ତେବେ ଆପଣଙ୍କୁ ସ୍ଵର୍ଗ ଦର୍ଶନ ହୋଇନଥାନ୍ତା ।”ସେମାନଙ୍କ ଉପଦେଶ ଅନୁସାରେ ରାଜା ନିଜ ରାଜପୁରୋହିତଙ୍କୁ ନିଜସହ ନେଇ ସ୍ଵର୍ଗ ଯାତ୍ରାରେ ବାହାରିଲେ । ପଣ୍ଡିତମାନଙ୍କ କହିବା ଅନୁସାରେ ଯାତ୍ରା ସମୟରେ ତାଙ୍କର ଦୁଇଟି ପୁଣ୍ୟକାର୍ଯ୍ୟ କରିବାର ଥିଲା । ଏହି ଯାତ୍ରା ଦୀର୍ଘ ଓ କଠିନ ଥିଲା । ବିକ୍ରମାଦିତ୍ୟ ନିଜ ରାଜସିକ ପୋଷାକ ତ୍ୟାଗ କରି ସାଧାରଣ ଜନଙ୍କ ଭଳି ସରଳ ପୋଷାକରେ ଯାତ୍ରା କରୁଥିଲେ । ପଥରେ ଏକ ନଗରରେ ତାଙ୍କର ରାତି ରହିବାର ଥିଲା। ସେଠାରେ ସେ ଏକ ବୁଢ଼ି ମହିଳାଙ୍କୁ ଦେଖିଲେ, ଯିଏ କାନ୍ଦୁଥିଲେ। ତାଙ୍କ ମଥାରେ ଚିନ୍ତାର ରେଖା ଓ ଗଳାରେ କାନ୍ଦିବାର ସ୍ୱର। ବିକ୍ରମ ଦୟାଭାବରେ ପଚାରିଲେ ଯେ ତାଙ୍କ ଦୁଃଖର କାରଣ କ’ଣ । ବୃଦ୍ଧା କହିଲେ ଯେ ତାଙ୍କ ଏକମାତ୍ର ଯୁବକ ପୁଅ ସକାଳେ ଜଙ୍ଗଳକୁ ଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ଫେରିନାହିଁ । ବିକ୍ରମ ପଚାରିଲେ ସେ ଜଙ୍ଗଳକୁ କାହିଁକି ଯାଇଥିଲା। ବୁଢ଼ି ମହିଳା କହିଲେ ଯେ ତାଙ୍କ ପୁଅ ପ୍ରତିଦିନ ସକାଳେ ଜଙ୍ଗଳକୁ ଯାଇ ସୁଖିଲା କାଠ ଆଣି ନଗରରେ ବିକ୍ରି କରେ, ଏବଂ ସେହି ଟଙ୍କାରେ ସେମାନଙ୍କ ଜୀବିକା ଚଲେ।
ବିକ୍ରମ କହିଲେ ଯେ ଆସିବେ, ଚିନ୍ତା କରିବେ ନାହିଁ। ବୁଢ଼ି ମହିଳା କହିଲେ ଯେ ଜଙ୍ଗଳ ଅତ୍ୟନ୍ତ ଘନ ଓ ହିଂସ୍ର ପଶୁପକ୍ଷୀମାନେ ସେଠାରେ ରହନ୍ତି; ତାଙ୍କୁ ଭୟ ଯେ କେହି ହିଂସ୍ର ପଶୁ ତାଙ୍କ ପୁଅକୁ ଖାଇଦେଇଥାଇପାରେ। ସେ କହିଲେ ଯେ ସେ ସନ୍ଧ୍ୟାରୁ ଅନେକ ଲୋକଙ୍କୁ ବିନତି କରିଛନ୍ତି ଯେ ତାଙ୍କ ପୁଅକୁ ଖୋଜି ଆଣନ୍ତୁ, କିନ୍ତୁ କେହି ମଧ୍ୟ ଜଙ୍ଗଳକୁ ଯିବାକୁ ପ୍ରସ୍ତୁତ ହୋଇନାହାନ୍ତି । ସେ ନିଜକୁ ଅସାହାୟ ଭାବରେ ଦେଖାଇ କହିଲେ ଯେ ସେ ବୁଢ଼ି ଓ ଦୁର୍ବଳ, ତେଣୁ ନିଜେ ଯାଇପାରୁନାହିଁ । ବିକ୍ରମ ତା’କୁ ଆଶ୍ୱାସନ ଦେଲେ ଯେ ସେ ନିଜେ ଯାଇ ତାଙ୍କ ପୁଅକୁ ଖୋଜିବେ। ସେ ଶୋଇବ କଥା ଚିନ୍ତା ନ କରି ଜଙ୍ଗଳକୁ ପ୍ରସ୍ଥାନ କଲେ । କିଛି ସମୟ ପରେ ଜଙ୍ଗଳକୁ ପ୍ରବେଶ କରି ସେ ଦେଖିଲେ ଯେ ଜଙ୍ଗଳ ଅତ୍ୟନ୍ତ ଘନ ଅଟେ । ସତର୍କ ଭାବେ ଆଗକୁ ଯାଇ ସେ ଦେଖିଲେ ଯେ ଏକ ଯୁବକ ଗଛ ଉପରେ କୁରାଢି ନେଇ ଲୁଚି ବସିଛି ଓ ତଳେ ଏକ ସିଂହ ଘାତ ଲଗାଇ ଜଗି ବସିଛି । ବିକ୍ରମ ଚତୁରତାର ସହ ଏକ ବ୍ୟବସ୍ଥା କରି ସେହି ସିଂହକୁ ଘଉଡାଇଦେଲେ ଓ ସେହି ଯୁବକଙ୍କୁ ନଗରକୁ ନେଇ ଆଣିଲେ । ବୁଢ଼ି ମାତା ପୁଅକୁ ଦେଖି କାନ୍ଦିବା ବନ୍ଦ କରିଲେ ଓ ବିକ୍ରମାଦିତ୍ୟଙ୍କୁ ଆଶୀର୍ବାଦ ଦେଲେ । ଏଭଳି ଭାବେ ବୁଢ଼ି ମହିଳାଙ୍କ ଦୁଃଖ ଦୂର କରି ବିକ୍ରମ ଏକ ପୁଣ୍ୟ କାମ କଲେ ।ରାତି ସାରା ବିଶ୍ରାମ କରିବା ପରେ ସେମାନେ ପ୍ରଭାତରେ ପୁଣି ନିଜ ଯାତ୍ରା ଆରମ୍ଭ କଲେ। ଚାଲି ଚାଲି ସେମାନେ ସମୁଦ୍ରତଟକୁ ଆସିଲେ, ତେବେ ସେମାନେ ଜଣେ ନାରୀଙ୍କୁ କାନ୍ଦୁଥିବା ଦେଖିଲେ । ନାରୀଙ୍କୁ କାନ୍ଦୁଥିବା ଦେଖି ସେମାନେ ତାଙ୍କ ପାଖକୁ ଯାଇ ଦେଖିଲେ ଯେ ଏକ ମାଲବାହକ ଜାହାଜ ଠିଆ ହୋଇଅଛି ଓ କିଛି ଲୋକ ତା’ଉପରେ ସାମଗ୍ରୀ ଭରୁଛନ୍ତି । ସେମାନେ ସେ ନାରୀଙ୍କୁ ପଚାରିଲେ ଯେ ସେ କାହିଁକି କାନ୍ଦୁଛି । ସେ କହିଲା ଯେ ମାତ୍ର ତିନି ମାସ ପୂର୍ବେ ତାଙ୍କ ବିବାହ ହୋଇଛି ଓ ସେ ଗର୍ଭବତୀ ଅଛନ୍ତି । ତାଙ୍କ ସ୍ଵାମୀ ଏହି ଜାହାଜରେ କର୍ମଚାରୀ ଭାବେ କାମ କରୁଛନ୍ତି ଓ ଜାହାଜରେ ମାଲ ନେଇ ଦୂର ଦେଶକୁ ଯାଉଛନ୍ତି । ବିକ୍ରମ ସେହି ନାରୀଙ୍କୁ କହିଲେ – “ଏଠାରେ ଚିନ୍ତା କରିବା ପରି କିଛି ନାହିଁ, ଖୁବ ଶୀଘ୍ର ତୁମ ସ୍ଵାମୀ ଫେରି ଆସିବେ ।” କିନ୍ତୁ ନାରୀ କହିଲେ ଯେ ତାଙ୍କ ଚିନ୍ତାର କାରଣ ଅନ୍ୟ କିଛି । ସେ କହିଲେ ଯେ ଗତକାଲି ସେ ସ୍ଵପ୍ନରେ ଦେଖିଲେ, ଏକ ମାଲବାହକ ଜାହାଜ ସମୁଦ୍ର ମଧ୍ୟରେ ଭୟଙ୍କର ଝଡ଼ରେ ଫସିଗଲା । ତୋଫାନ ଏତେ ଜୋର ଥିଲା ଯେ ଜାହାଜ ଚୁର୍ଣ୍ଣ ବିଚୁର୍ଣ୍ଣ ହୋଇଗଲା ଓ ସେଥିରେ ଥିବା ସମସ୍ତ ଲୋକ ସମୁଦ୍ରରେ ବୁଡିଗଲେ । ସେ ଚିନ୍ତା କରୁଥିଲେ – ଯଦି ସେ ସ୍ଵପ୍ନ ସତ ହୋଇଯାଏ, ତେବେ ତାଙ୍କ ଅବସ୍ଥା କଣ ହେବ? ସେ ନିଜେ ବଞ୍ଚି ଯାଇପାରିବେ, କିନ୍ତୁ ତାଙ୍କ ଗର୍ଭସ୍ତ ଶିଶୁର ଦେଖରେଖ କେମିତି ହେବ? ବିକ୍ରମଙ୍କୁ ତା’ର ଉପରେ ଦୟା ହେଲା ଓ ସେ ସମୁଦ୍ର ଦେବଙ୍କ ଦ୍ୱାରା ପ୍ରଦତ୍ତ ଶଂଖ ତାଙ୍କୁ ଦେଇ କହିଲେ – “ଏହା ତୁମ ସ୍ଵାମୀଙ୍କୁ ଦେଇଦିଅ । ଯେତେବେଳେ ଝଡ଼ ବା ପ୍ରାକୃତିକ ବିପଦ ଆସେ, ସେ ଏହା ଫୁଙ୍କିବେ । ଫୁଙ୍କିଲେ ସମସ୍ତ ବିପଦ ଶାନ୍ତ ହୋଇଯିବ।” ସେ ନାରୀ ତାଙ୍କର କଥାରେ ବିଶ୍ୱାସ କଲେ ନାହିଁ ଓ ସନ୍ଦେହର ନଜରେ ବିକ୍ରମଙ୍କୁ ଦେଖିଲେ । ବିକ୍ରମ ତାଙ୍କ ମୁହଁର ଭାବ ପଢିଲେ ଓ ତାଙ୍କ ସଂଦେହ ଦୂର କରିବା ନିମିତ୍ତ ଶଂଖ ଫୁଙ୍କିଲେ । ଶଂଖର ଧ୍ୱନି ଶୁଣି ସମୁଦ୍ରର ପାଣି କୋଶ ଦୂରକୁ ଅପସରିଗଲା । ସେହି ପାଣି ସହିତ ଜାହାଜ ଓ ସେଥିରେ ଥିବା ସମସ୍ତ ଲୋକମାନେ ମଧ୍ୟ ଦୂରକୁ ଗଲେ। ଏବେ ଚାରିଦିଗେ କେବଳ ଖାଲି ସମୁଦ୍ରତଟ ଦେଖାଯାଉଥିଲା । ସେ ନାରୀ ଓ ସେଠାରେ ଥିବା ଅନ୍ୟ ଲୋକମାନେ ଅବାକ୍ ହୋଇଗଲେ । ବିକ୍ରମ ପୁଣି ଶଂଖ ଫୁଙ୍କିଲେ ଓ ସମୁଦ୍ରର ପାଣି ଫେରି ଆସିଲା । ସେହି ପାଣି ସହିତ ଜାହାଜ ଓ ସେଥିରେ ଥିବା କର୍ମଚାରୀମାନେ ମଧ୍ୟ ଫେରି ଆସିଲେ । ଏବେ ସେ ଯୁବତୀଙ୍କୁ ଶଂଖର ଚମତ୍କାରୀ ଶକ୍ତି ଉପରେ କୌଣସି ସନ୍ଦେହ ରହିଲା ନାହିଁ । ସେ ବିକ୍ରମଙ୍କଠାରୁ ଶଂଖ ନେଇ ନିଜ କୃତଜ୍ଞତା ଜଣାଇଲେ । ବିକ୍ରମ ସେ ନାରୀଙ୍କୁ ଶଂଖ ଦେଇ ନିଜ ଯାତ୍ରାକୁ ଚାଲିଗଲେ । କିଛି ଦୂର ଯାଇ ସେମାନେ ଏକ ସ୍ଥାନରେ ଅଟକିଲେ। ଆକାଶରେ କଳା ମେଘ ଛାଇଯାଇଥିଲା, ବିଜୁଳି ଚମକୁଥିଲା, ମେଘର ଗର୍ଜନରେ ସମଗ୍ର ପରିବେଶ କମ୍ପୁଥିଲା । ସେହି ବିଜୁଳି ଚମକ ମଧ୍ୟରେ ବିକ୍ରମ ଦେଖିଲେ ଯେ ଏକ ଧଳା ଘୋଡ଼ା ଆକାଶରୁ ଭୂମିକୁ ଅବତରଣ କରୁଛି । ବିକ୍ରମ ଧ୍ୟାନପୂର୍ବକ ଦେଖୁଥିବା ବେଳେ ଆକାଶବାଣୀ ହେଲା –“ମହାରାଜ ବିକ୍ରମାଦିତ୍ୟ, ତୁମ ପରି ପୁଣ୍ୟାତ୍ମା ଦୁର୍ଲଭ । ତୁମେ ପଥରେ ଦୁଇଟି ମହାପୁଣ୍ୟ କରିଛ – ଜଣେ ବୃଦ୍ଧାଙ୍କ ଚିନ୍ତା ଦୂର କରିଛ ଓ ଜଣେ ନାରୀଙ୍କୁ ସନ୍ଦେହ ଦୂର କରିବା ପାଇଁ ସମୁଦ୍ରଦେବଙ୍କ ପ୍ରଦତ୍ତ ଦୈବୀ ଶଂଖ ଦେଇଛ । ତୁମକୁ ନେବା ପାଇଁ ଏକଘୋଡ଼ା ପଠାଯାଇଛି ଯେ ତୁମକୁ ଇନ୍ଦ୍ରର ମହଲ ପର୍ଯ୍ୟନ୍ତ ନେଇଯିବ।”ବିକ୍ରମ କହିଲେ – “ମୁଁ ଏକା ନୁହେଁ, ମୋ ସହିତ ରାଜପୁରୋହିତ ମଧ୍ୟ ଅଛନ୍ତି । ତାଙ୍କୁ ମଧ୍ୟ ନେବାର ବ୍ୟବସ୍ଥା ହେଉ।”ଏହା ଶୁଣି ରାଜପୁରୋହିତ କହିଲେ – “ରାଜନ୍, ମୋତେ କ୍ଷମା କରନ୍ତୁ । ଜୀବନ୍ତ ଅବସ୍ଥାରେତ ସ୍ଵର୍ଗ ଯିବାକୁ ମୁଁ ଭୟ କରେ । ଆପଣଙ୍କ ସାନିଧ୍ୟ ରହିଲେ, ମରିବା ପରେ ସ୍ଵର୍ଗ ଯିବି ଓ ନିଜକୁ ଧନ୍ୟ ମନେ କରିବି ।” ଘୋଡ଼ା ତାଙ୍କ ପାଖରେ ଅବତରଣ କଲା, ସେହିଠାରେ ସବୁ ବ୍ୟବସ୍ଥା ଥିଲା। ବିକ୍ରମ ରାଜପୁରୋହିତଙ୍କୁ ବିଦା ନେଇ ଘୋଡ଼ାରେ ଚଢିଲେ । ଘୋଡ଼ା ତୀବ୍ର ଗତିରେ ଦୌଡିଲା ଓ ଘନ ଜଙ୍ଗଲରେ ପହଞ୍ଚିଲା । ସେଠାରୁ ଘୋଡ଼ା ଭୂମି ଛାଡି ଆକାଶରେ ଦୌଡିଲା । ଏହି ଯାତ୍ରା ଅସାଧାରଣ ଥିଲା । କିଛି ସମୟ ପରେ ଘୋଡ଼ା ଆକାଶ ମାର୍ଗ ପାରକରି ଇନ୍ଦ୍ରପୁରୀ ପହଞ୍ଚିଲା । ଇନ୍ଦ୍ରପୁରୀ ପହଞ୍ଚି ବିକ୍ରମ ସେହି ସ୍ଵପ୍ନରେ ଦେଖିଥିବା ସୁନାର ମହଲ ଦେଖିଲେ । ସବୁକିଛି ସ୍ଵପ୍ନ ପରି ଅବିକଳ ଥିଲା । ଚାଲି ଚାଲି ସେ ଇନ୍ଦ୍ରସଭାରେ ପହଞ୍ଚିଲେ । ସେଠାରେ ସମସ୍ତ ଦେବତା ବସିଥିଲେ, ଅପ୍ସରାମାନେ ନୃତ୍ୟ କରୁଥିଲେ, ଇନ୍ଦ୍ର ଓ ତାଙ୍କ ସ୍ତ୍ରୀ ସିଂହାସନରେ ବସିଥିଲେ । ଦେବସଭାରେ ବିକ୍ରମଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ, ଜଣେ ମାନବ ସଶରୀର ସ୍ଵର୍ଗକୁ ଆସିଛନ୍ତି ! ଇନ୍ଦ୍ର ସେଠାରୁ ଉଠି ସେମାନଙ୍କ ସ୍ବାଗତ କଲେ ଓ ତାଙ୍କୁ ନିଜ ଆସନରେ ବସିବାକୁ କହିଲେ । ବିକ୍ରମ କହିଲେ, “ଏହି ଆସନର ଯୋଗ୍ୟ ମୁଁ ନୁହେଁ ।” ଇନ୍ଦ୍ର ତାଙ୍କ ନମ୍ରତା ଓ ସରଳତାରେ ପ୍ରସନ୍ନ ହେଲେ। ସେ କହିଲେ ଯେ ବିକ୍ରମ ସ୍ଵପ୍ନରେ ଯେଉଁ ଯୋଗୀଙ୍କୁ ଦେଖିଥିଲେ, ସେ ଅସଲରେ ନିଜେ ବିକ୍ରମ । ସେ ଏତେ ପୁଣ୍ୟ ସଞ୍ଚୟ କରିଛନ୍ତି ଯେ ଇନ୍ଦ୍ରମହଳରେ ତାଙ୍କ ସ୍ଥାୟୀ ଆସନ ହୋଇଯାଇଛି । ଇନ୍ଦ୍ର ସେମାନଙ୍କୁ ଏକ ମୁକୁଟ ଉପହାର ଦେଲେ । ଇନ୍ଦ୍ରଲୋକରେ କିଛି ଦିନ ରହି ମୁକୁଟ ନେଇ ବିକ୍ରମ ନିଜ ରାଜ୍ୟକୁ ଫେରିଆସିଲେ ।"[୫] [୧]
ଗପଟି କହି ଅଠାଇଶିତମ ପ୍ରତିମା ପଚାରିଲା କ"ଣ ଆପଣ ବିକ୍ରମାଦିତ୍ୟଙ୍କ ପରି ଜ୍ଞାନୀ,ଦୃଢମନା ତଥା ଦାନୀ ହୋଇପାରିବେ? ଏହିପରି କହିବା ପରେ ଅଠାଇଶିତମ ପ୍ରତିମା ଶାପମୁକ୍ତ ହୋଇ ସ୍ଵର୍ଗାରୋହଣ କଲା
ଆଧାର
[ସମ୍ପାଦନା]- 1 2 ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).
{{cite book}}: CS1 maint: unrecognized language (link) - ↑ WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
- ↑ samir.78p (2023-12-05). "1: Introduction of King-Bhoja - StorySangam" (in ଆମେରିକୀୟ ଇଂରାଜୀ). Retrieved 2025-11-05.
{{cite web}}: CS1 maint: numeric names: authors list (link)[permanent dead link] - ↑ "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.
- ↑ "Singhasan Battisi - The Story of 28th Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-13.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |